ଆମ୍ବ ଟାକୁଆ ଏକ ପୁଷ୍ଟିକର ଖାଦ୍ୟ ବୋଲି କେଉଁ ବହିରେ ଲେଖା ଅଛି?

ନା ଆମ୍ବ ଟାକୁଆ ପିଲାଙ୍କ ପାଠ ବହିରେ ରହିଥିବା ସୁଷମ ଖାଦ୍ୟ ତାଲିକାରେ ଏକ ପୁଷ୍ଟିକର ଖାଦ୍ୟ ଭାବରେ ଉଲ୍ଲେଖ ରହିଛି (ଯେମିତି କ୍ଷୀର, ଅଣ୍ଡା ଇତ୍ୟାଦି) ନା ମାଣ୍ଡିପଙ୍କାର ଆଦିବାସୀ ନିଜର କୌଣସି ପୂଜାରେ ଧରଣୀ ପେନୁକୁ ଆମ୍ବ ଟାକୁଆ ଦେଇଥାନ୍ତି।

Mango Kernel

Mango Kernel

Debendra Prusty
  • Published: Wednesday, 05 February 2025
  • , Updated: 05 February 2025, 01:12 PM IST

ଦେବ ରଞ୍ଜନ

କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ଯାହା ଘଟିଗଲା ତାହା ଆମର ବଢୁଥିବା ଅର୍ଥନୈତିକ ବୈଷମ୍ୟର ଲକ୍ଷଣ। ଦେଶରେ ଯେଉଁଭଳି ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ବଢୁଛି ସେଥିରେ ମାଣ୍ଡିପଙ୍କା ଭଳି ଘଟଣା ଅଧିକ ହେବ। କାରଣ ସାଧାରଣ ନାଗରିକର ସୁସ୍ଥ ଓ ସମ୍ମାନର ସହିତ ଜୀବନ ବଞ୍ଚିବା, ଯାହା ସମସ୍ତଙ୍କର ସ୍ଵପ୍ନ ତାହା, ଆଦୌ ସୁରକ୍ଷିତ ନୁହେଁ। ମାଣ୍ଡିପଙ୍କାରେ ଏହି କାରଣରୁ ତିନି ଜଣ ଆଦିବାସୀ ମହିଳାଙ୍କୁ ଜୀବନ ଦେବାକୁ ହେଲା।

ମାଣ୍ଡିପଙ୍କା ପ୍ରସଙ୍ଗରେ ସରକାର କେବଳ ଲୋକଙ୍କୁ ଭ୍ରମିତ କରିବା ଲାଗି ‘ଆମ୍ବ ଟାକୁଆ ପାରମ୍ପରିକ ଓ ପୁଷ୍ଟିକର ଖାଦ୍ୟ’ ବୋଲି କହିଦେଲେ। ଏହା ଦ୍ୱାରା ସରକାର ମାଣ୍ଡିପଙ୍କାର ଲୋକଙ୍କୁ ନିଜର ଦାରିଦ୍ର୍ୟ ପାଇଁ ଦାୟୀ କଲେ। ଯାହା ଅବାସ୍ତବ। ନା ଆମ୍ବ ଟାକୁଆ ପିଲାଙ୍କ ପାଠ ବହିରେ ରହିଥିବା ସୁଷମ ଖାଦ୍ୟ ତାଲିକାରେ ଏକ ପୁଷ୍ଟିକର ଖାଦ୍ୟ ଭାବରେ ଉଲ୍ଲେଖ ରହିଛି (ଯେମିତି କ୍ଷୀର, ଅଣ୍ଡା ଇତ୍ୟାଦି) ନା ମାଣ୍ଡିପଙ୍କାର ଆଦିବାସୀ ନିଜର କୌଣସି ପୂଜାରେ ଧରଣୀ ପେନୁକୁ ଆମ୍ବ ଟାକୁଆ ଦେଇଥାନ୍ତି।

ସେହି ଖାଦ୍ୟ ଓ ବସ୍ତ୍ରକୁ ପାରମ୍ପରିକ କୁହାଯାଏ ଯାହା ସହିତ ଲୋକଙ୍କ ଧାର୍ମିକ ବିଶ୍ଵାସ ପିଢ଼ି ପିଢ଼ି ଧରି ରହିଆସିଛି। ଯାହା ପଛରେ ନିଜର ବିଶ୍ଵାସ ନାହିଁ ଅଥଚ ଜୀବନର ଅଂଶ ହୋଇଯାଇଛି ତାହାକୁ ଅଭ୍ୟାସ କୁହାଯାଇଥାଏ। ଖାଦ୍ୟର ନିଅଣ୍ଟିଆ ସମୟରେ ଆମ୍ବ ଟାକୁଆ ସ୍ଥାନୀୟ ଆଦିବାସୀଙ୍କ ଜୀବନ ଧାରଣ ଲାଗି ବାଧ୍ୟବାଧକତାର ଖାଦ୍ୟ। ଏହା କ୍ରମଶଃ ଖାଦ୍ୟ ଅଭ୍ୟାସରେ ପରିଣତ ହୋଇଯାଇଛି।

ବିଡ଼ମ୍ବନା ଥିଲା ଗଣମାଧ୍ୟମର ଭୂମିକା। ଯେଉଁ ଭୂମିକା ଗଣମାଧ୍ୟମ ନେବା ଆବଶ୍ୟକ ଥିଲା ତାହା ନେଲା ନାହିଁ। ଯାହା ନେବା କଥା ନୁହେଁ ସେହି ଭୂମିକା ଗଣମାଧ୍ୟମ ନେଇଥିଲା। ଆମ୍ବ ଟାକୁଆ ପ୍ରସଙ୍ଗକୁ ବିଜୁ ଜନତା ଦଳ ବନାମ ଭାରତୀୟ ଜନତା ପାର୍ଟି ମଧ୍ୟରେ ସୀମିତ କରିଦିଆଗଲା। ଏହା ଜାଣି ଜାଣି କରାଗଲା ଯାହା ଦ୍ଵାରା ଉଭୟଙ୍କ ଆଭିମୁଖ୍ୟକୁ ଅତିକ୍ରମ କରି ଆଉ ଯେପରି କୌଣସି ଆଲୋଚନା ନହୁଏ।

ସାମାଜିକ କର୍ମୀ, ମାନବିକ ଅଧିକାର ସଂଗଠନ ଓ ଖାଦ୍ୟ ସୁରକ୍ଷା ଅଭିଯାନର କର୍ମୀମାନେ ଦେଶର ବିଷମ ଅର୍ଥନୀତି ଓ ଅଧିକାର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଗଣମାଧ୍ୟମର ସହଯୋଗ ନପାଇବା କାରଣରୁ ଏହି ଆଲୋଚନା ସୀମିତ ହୋଇଗଲା। ପରିସ୍ଥିତି ଏଭଳି ସ୍ଥିତିରେ ରହିଛି ଯେ ମାଣ୍ଡିପଙ୍କା ସ୍ଥିତି ଉପୁଜିଥିବା ସତ୍ତ୍ୱେ କନ୍ଧମାଳ ଜିଲ୍ଲାରେ ଯୋଗାଣ କ୍ଷେତ୍ରରେ ଓ ଅନ୍ୟାନ୍ୟ ସେବାମୂଳକ ବିଭାଗରେ ଆୟ ବହିର୍ଭୂତ ସମ୍ପତ୍ତି ଲାଗି ଯଦି ସରକାରୀ ଅଧିକାରୀ ଧରାପଡନ୍ତି ତାହା ହେଲେ ବି ନା ସରକାର ନିଜର ବ୍ୟର୍ଥତାର ସମୀକ୍ଷା କରିବେ ନା ଗଣମାଧ୍ୟମ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବ।

ରେସନ ସାମଗ୍ରୀ ଯୋଗାଣରେ ଅବହେଳା ଯେ କେବଳ ବିଜେପି ଶାସନ ସମୟରେ ହୋଇଛି ତାହା ନୁହେଁ। ଆମେ ମାଣ୍ଡିପଙ୍କା ଯାଇଥିବା ବେଳେ ବେଶ କେତକ ଗ୍ରାମାବାସୀଙ୍କ ରେସନ କାର୍ଡକୁ ଅନୁଧ୍ୟାନ କରିଥିଲୁ। ଆମେ ଦେଖିଲୁ ଯେ ୨୦୨୦, ୨୦୨୧ ଓ ୨୦୨୨ ମସିହାର ପ୍ରତ୍ୟେକ ମାସରେ ସେମାନଙ୍କୁ ମୁଣ୍ଡପିଛା ୫ କିଗ୍ରା ଚାଉଳ ମିଳିଛି। ମଝିରେ କୋଭିଡ ଓ ଲକଡାଉନ ସମୟରେ ଅଧିକ ୫ କିଗ୍ରା ଚାଉଳ ମିଳିଥିବା ସୂଚନା ମିଳୁଛି। କିନ୍ତୁ ୨୦୨୩ ପରଠାରୁ ଚାଉଳ ଯୋଗାଣରେ ଅନିୟମିୟତା ପରିଲକ୍ଷିତ ହେଉଛି। ପ୍ରତି ମାସ ବଦଳରେ ଦୁଇ ମାସରେ ଥରେ ଚାଉଳ ମିଳୁଛି। ଏ ସମୟରେ ବିଜେଡ଼ି ଶାସନରେ ରହିଥିଲା।

ଉକ୍ତ କାର୍ଡର ତଥ୍ୟ ଅନୁସାରେ, ୨୦୨୪ ମସିହାରେ ଏହି ବ୍ୟବଧାନ ପୁଣି ତିନି ମାସ ହୋଇଯାଇଛି। ଗଲା ୨୩/୧/୨୪ ତାରିଖ, ୨୨/୪/୨୪ ତାରିଖ, ୧୯/୭/୨୪ ତାରିଖ ଓ ୨୮/୯/୨୪ ତାରିଖରେ ସେମାନଙ୍କୁ ରେସନ ଚାଉଳ ମିଳିଥିବା ସୂଚନା ମିଳୁଛି। ଏ ସମୟରେ ବିଜେପି ଶାସନକୁ ଆସିଛି। ବିଜେପି ସରକାର ହେଉ ବା ବିଜେଡି ସରକାର ହେଉ, ରେସନ ଚାଉଳ ନିୟମିତ ଭାବରେ ଲୋକଙ୍କୁ ମିଳିନାହିଁ। ଅବହେଳା ଉଭୟଙ୍କ ସମୟରେ ହୋଇଛି।

ଅଧିକ ଶାରୀରିକ ଶ୍ରମ କରୁଥିବା ବ୍ୟକ୍ତି ଲାଗି ମାସକୁ ୫ କିଲୋଗ୍ରାମ ଚାଉଳ ଆଦୌ ଯଥେଷ୍ଟ ନୁହେଁ। ତେଣୁ ପ୍ରଶ୍ନ ଯେ ଯେତେବେଳେ ଲୋକଙ୍କ ପାଖରେ ଚାଉଳ ସରିଯାଉଛି ଅଥଚ ତାହା ପରବର୍ତ୍ତୀ ମାସରେ ଚାଉଳ ମିଳୁନାହିଁ ସେତେବେଳେ ସେମାନେ ନିଜ ଜୀବନ ବଞ୍ଚାଇବା ଲାଗି କ’ଣ କରୁଛନ୍ତି, କ’ଣ ଖାଉଛନ୍ତି?

ମାଣ୍ଡିପଙ୍କାର ପରିସ୍ଥିତି ସମ୍ପର୍କରେ ଆଲୋଚନା ଓ ସମାଲୋଚନା ହେବା ପରେ ରାଜ୍ୟ ସରକାରଙ୍କ ତରଫରୁ ଏବେ ପ୍ରତି ମାସରେ ରେସନ ଚାଉଳ ଯୋଗାଇ ଦିଆଯାଉଛି। ଏତଦବ୍ୟତୀତ, ମାଣ୍ଡିପଙ୍କରେ ସରକାରଙ୍କ ଉଦ୍ୟମରେ ପାନୀୟ ଜଳର ବ୍ୟବସ୍ଥା ଲାଗି ଗଭୀର ନଳକୂପ ଖୋଳାଯାଇଛି ଓ ଗ୍ରାମରେ ବିଦ୍ୟୁତିକରଣ ହୋଇଛି। ପରୋକ୍ଷରେ ସରକାର ସ୍ଵୀକାର କଲେ ଯେ ଏହି ବ୍ୟବସ୍ଥା ପୂର୍ବରୁ ସେଠାରେ ନଥିଲା।

ଦେଶର ଅର୍ଥନୈତିକ ବୈଷମ୍ୟ, ଧନୀ ଗରିବର ଭେଦଭାବର ଏହା ନମୁନା। ଗୋଟିଏ ପଟରେ ବଡ଼ ସହରର ଧନୀ ଇଲାକା ଓ ଅତି ବୃହତ ଶିଳ୍ପାଞ୍ଚଳରେ ନିରନ୍ତର ଶୁଦ୍ଧ ଜଳ ଓ ବିଦ୍ୟୁତ ଯୋଗାଣରେ ସରକାରଙ୍କ ଗୁରୁତ୍ଵ ଓ ଅନ୍ୟପଟରେ ମାଣ୍ଡିପଙ୍କା ସମେତ ବ୍ରାହ୍ମଣୀଗାଁର ଚାରିପାଖରେ ଥିବା ଅନେକ ଗ୍ରାମ ଉଭୟ ସ୍ଵଚ୍ଛ ପାନୀୟ ଜଳ ଓ ବିଦ୍ୟୁତକରଣରୁ ବଞ୍ଚିତ ହେବା ଆର୍ଥିକ ତାରତମ୍ୟର ଉଦାହରଣ।

ଦେଶ ସ୍ଵାଧୀନତାର ସତସ୍ତରୀ ବର୍ଷ ପରେ ବି ଓଡ଼ିଶାରେ ଏପରି ଅନେକ ଗାଁ ଅଛି ଯେଉଁଠି ସ୍ଵଛ ପାନୀୟ ଜଳ ମିଳୁନଥିବା କାରଣରୁ ଲୋକେ ଅନେକ ପ୍ରକାରର ବେମାରରେ ପଡ଼ୁଛନ୍ତି। ମୋ ଜାଣିବାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରେ ଲୋକେ ଶୁଦ୍ଧ ପାନୀୟ ଜଳ ପାଉନଥିବା କାରଣରୁ କିଡନି ବେମାରୀରେ ପଡ଼ୁଛନ୍ତି। ଭୟ ଏତେ ମାତ୍ରାରେ ହୋଇଯାଇଛି ଯେ ଦିନ ମଜୁରୀ କରୁଥିବା ଲୋକେ ପଚାଶ ଟଙ୍କା ଦେଇ ପାଣିର କଣ୍ଟେନର କିଣୁଛନ୍ତି।

ଦେଶ ବିଦେଶର ଅନେକ ଶିଳ୍ପ ସଂସ୍ଥାଙ୍କୁ ଭିତ୍ତିଭୂମି ଯୋଗାଇଦେବା ଲାଗି ଦେଶର ଅର୍ଥ ବିନିଯୋଗ ହେଉଛି। ବିଭିନ୍ନ ସୂତ୍ରରୁ ଆସୁଥିବା ଆୟର ଖର୍ଚ୍ଚ କୋଟି କୋଟି ଦେଶବାସୀଙ୍କୁ ପାଣି, ବାସସ୍ଥାନ ଓ ବିଦ୍ୟୁତ ଯୋଗାଇବାରେ କିନ୍ତୁ ଖର୍ଚ୍ଚ ହେଉନାହିଁ। ତେଣୁ ଦେଶର ଆୟ ଉପରେ ଶିଳ୍ପ ମାଲିକଙ୍କର ସିଂହ ଭାଗ ରହିବା କାରଣରୁ ଲୋକେ ନିଜର ସ୍ଵପ୍ନ ହରାଉଛନ୍ତି। ଏହା ଶାସକଙ୍କ ବ୍ୟବସ୍ଥାଗତ ହିଂସା ଓ ଏହି ହିଂସା ଆମର ସ୍ଵାଧୀନ ରାଷ୍ଟ୍ର ବାରମ୍ବାର କରିଚାଲିଛି।

ପୂର୍ବ ସରକାରଙ୍କ ସମୟରେ ୨୦୧୬ ମସିହାରେ ନଗଡ଼ାଠାରେ ୧୯ ଜଣ ଶିଶୁ ପୌଷ୍ଟିକ ଖାଦ୍ୟର ଅଭାବ ଓ ସ୍ୱାସ୍ଥ୍ୟ ଅବହେଳା କାରଣରୁ ମୃତ୍ୟୁ ବରଣ କରିଥିଲେ। ସେମାନଙ୍କ ମୃତ୍ୟୁ ପରେ ସରକାର ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଲେ। ସ୍କୁଲ, ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରରେ ଆଜି ବି ଅବ୍ୟବସ୍ଥା ନଗଡ଼ାରେ ରହିଛି। ସରକାରଙ୍କ ଏଭଳି ହିଂସା ଆଚରଣ ଲାଗି ଆଦିବାସୀ ମହିଳା ଓ ଶିଶୁ ଧୀରେ ଧୀରେ ସ୍ପର୍ଶକାତର ସ୍ଥିତିକୁ ଚାଲିଗଲେଣି। ଅନାହାର ମୃତ୍ୟୁ, ଦୂଷିତ ଜଳ ପିଇ ମୃତ୍ୟୁ, ଆମ୍ବ ଟାକୁଆ ଖାଇ ମୃତ୍ୟୁ ଇତ୍ୟାଦି ସେହି ସ୍ପର୍ଶକାତର ସ୍ଥିତିର ନମୁନା।

କେବଳ ଆଦିବାସୀ ମହିଳା ଓ ଶିଶୁ ନୁହନ୍ତି, ଛୋଟ ଚାଷୀଙ୍କ ସ୍ଥିତି ମଧ୍ୟ ସମାନ। ଆଦିବାସୀ ଏବେ ଆଉ ସଂପୂର୍ଣ୍ଣ ଜଙ୍ଗଲ ଉପରେ ନିର୍ଭରଶୀଳ ନୁହନ୍ତି। ସେମାନେ ଚାଷ ଉପରେ ନିର୍ଭର କରୁଛନ୍ତି। ସେମାନେ କ୍ଷୁଦ୍ର ଚାଷୀର ବର୍ଗରେ ଆସିଲେଣି। ୨୦୧୬ ମସିହାରେ ଚାଷୀ ଆତ୍ମହତ୍ୟା ଅଧିକ ସଂଖ୍ୟାରେ ହେବା କାରଣରୁ ବିଜେଡ଼ି ସରକାର ସମୟରେ ଶୀତଳ ଭଣ୍ଡାର ନିର୍ମାଣ ପ୍ରତିଶୃତି ଦିଆଯାଇଥିଲା। ବର୍ତ୍ତମାନର ସରକାରଙ୍କ ସମୟରେ ଡିସେମ୍ବରରେ ମାସରେ ଅଦିନିଆ ବର୍ଷା ହେତୁ ଅନେକ ଚାଷୀ ଆତ୍ମହତ୍ୟା କଲେ। ଚାଷୀ ଆତ୍ମହତ୍ୟାକୁ ବନ୍ଦ କରିବା ଲାଗି ବର୍ତ୍ତମାନ ସରକାରଙ୍କ ତତ୍ପରତା ହେଲା ଯେ ସେ ମଧ୍ୟ ଶୀତଳ ଭଣ୍ଡାର ନିର୍ମାଣ ଲାଗି ଅର୍ଥ ମଞ୍ଜୁରୀ କଲେ। ଗାଁରେ ନିଆଁ ଲାଗିଥିବା ବେଳେ କୂଅ ଖୋଳିବା ଲାଗି ଶୁଭ ଦେବା ଭଳି କଥା।

ସରକାର ସେତେବେଳେ ବି ଚାଷୀର ଦ୍ରବ୍ୟକୁ ନିଜେ କିଣିବାର ବ୍ୟବସ୍ଥା କରିବା, ଇଂସୁରାନ୍ସ ବ୍ୟବସ୍ଥାର ସରଳୀକରଣ କରିବା, ମଣ୍ଡି ବ୍ୟବସ୍ଥାକୁ ସ୍ବଚ୍ଛ କରିବା ଲାଗି ଚେଷ୍ଟା କରିନଥିଲେ। ଆଜି ବି କରୁନାହାନ୍ତି। ସଂଗଠିତ ପ୍ରତିବାଦ ଚାଷୀ ବର୍ଗ କରୁଥିବା କାରଣରୁ ସେମାନଙ୍କ ଅଧିକାରର ସୁରକ୍ଷା ଦିଗରେ ଅଳ୍ପ କିଛି ଉଦ୍ୟମ ସରକାର କଷ୍ଟର ସହିତ କରୁଛନ୍ତି। ତେଣୁ ଚାଷୀଙ୍କ ସ୍ଥିତି ଆଦିବାସୀଙ୍କ ଭଳି ଏତେ ସ୍ପର୍ଶକାତର ହୋଇନାହିଁ। ଭବିଷ୍ୟତରେ ହୋଇଯାଇପାରେ।

ଦେଶରେ ଅର୍ଥନୈତିକ ଶୋଷଣ ଓ ନାଗରିକର ଅଧିକାରର କ୍ଷୁର୍ଣ୍ଣ କରିବାର ଷଡ଼ଯନ୍ତ୍ରର ପରିଣତି ହିଁ ମାଣ୍ଡିପଙ୍କାର ଅନାହାର ମୃତ୍ୟୁ। କିନ୍ତୁ ଏହା ବିରୁଦ୍ଧରେ ଲୋକଙ୍କ ପ୍ରତିବାଦ ଦେଖିବାକୁ ମିଳୁନାହିଁ। ଦୁଃଖର କଥା ଯେ ଦାରିଙ୍ଗବାଡ଼ି- ବ୍ରାହ୍ମଣୀଗାଁ ଅଞ୍ଚଳରେ ଲୋକଙ୍କ ଅଧିକାରକୁ ନେଇ କୌଣସି ସଂଗଠନ ବା ରାଜନୈତିକ ଦଳ ଦୀର୍ଘ ଦିନ ମଧ୍ୟରେ କୌଣସି ଧାରଣା, ବିକ୍ଷୋଭ, ରାଲି କରିନାହାନ୍ତି। ଯେତେବେଳେ ତିନି ଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରୁଛନ୍ତି ଏହାପରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆମେ ଜାଣିପାରୁଛୁ। ଜାଣିବା ପରେ ବି ବାକି ସମାଜରେ ପ୍ରତିବାଦ କାହିଁ? ଅବଶ ହୋଇପଡ଼ିଥିବା ଏକ ଦେଶ କେବଳ ଦେଖୁଛି, ଅବାକ ହୋଇ ଚାହିଁ ରହିଛି।

ମୋବାଇଲ - ୯୪୩୭୭୬୨୨୭୨

Related story