ଆତ୍ମନିର୍ଭର ଭାରତ ଅଭିଯାନ ଆହ୍ୱାନ କରି ଚୀନକୁ ବୟକଟ ସମ୍ଭବ କି?

ଶୁଭ୍ରାଂଶୁ ଶେଖର ବିଷୟ ବସ୍ତୁକୁ ଯିବା ପୂର୍ବରୁ ପାଠକଙ୍କ ପାଇଁ ପ୍ରଥମେ ପ୍ରଶ୍ନ, ଯଦି ଆପଣ ଏକ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ଯାଉଛନ୍ତି ତା’ହେଲେ ଆପଣଙ୍କ ପସନ୍ଦ କେମିତି ରହିବ? (କ) ବହୁତ ଫିଚର, କମ୍ ଦାମ, ମେଡ୍ ଇନ୍ ଚାଇନା। (ଖ) ଦାମ୍ ଟିକିଏ ଅଧିକ ଚାଇନା ଜିନିଷ ତୁଳନାରେ, ଫିଚର ପାଖାପାଖି ସମାନ୍, ମେଡ୍ ଇନ୍ ଇଣ୍ଡିଆ। ସୋଶାଲ ମିଡିଆରେ ବିଭିନ୍ନ ବ୍ୟକ୍ତି ଏଭଳି ପ୍ରଶ୍ନ ପଚାରୁଛନ୍ତି। ଆଉ ସମସ୍ତେ ଦେଶର ଜିନିଷ କିିଣିବେ […]

chaina

Subhransu Sekhar
  • Published: Monday, 01 June 2020
  • , Updated: 20 March 2021, 06:27 PM IST

ଶୁଭ୍ରାଂଶୁ ଶେଖର

ବିଷୟ ବସ୍ତୁକୁ ଯିବା ପୂର୍ବରୁ ପାଠକଙ୍କ ପାଇଁ ପ୍ରଥମେ ପ୍ରଶ୍ନ, ଯଦି ଆପଣ ଏକ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ଯାଉଛନ୍ତି ତା’ହେଲେ ଆପଣଙ୍କ ପସନ୍ଦ କେମିତି ରହିବ?

(କ) ବହୁତ ଫିଚର, କମ୍ ଦାମ, ମେଡ୍ ଇନ୍ ଚାଇନା।

(ଖ) ଦାମ୍ ଟିକିଏ ଅଧିକ ଚାଇନା ଜିନିଷ ତୁଳନାରେ, ଫିଚର ପାଖାପାଖି ସମାନ୍, ମେଡ୍ ଇନ୍ ଇଣ୍ଡିଆ।

ସୋଶାଲ ମିଡିଆରେ ବିଭିନ୍ନ ବ୍ୟକ୍ତି ଏଭଳି ପ୍ରଶ୍ନ ପଚାରୁଛନ୍ତି। ଆଉ ସମସ୍ତେ ଦେଶର ଜିନିଷ କିିଣିବେ ବୋଲି କମେଣ୍ଟ କରନ୍ତି। ହେଲେ ଦୋକାନରୁ ଜିନିଷ କିଣିବା ବେଳେ ପକେଟକୁ ଅନେଇବାକୁ ପଡ଼ିଥାଏ। ସେତେବେଳେ ସମସ୍ତଙ୍କ ସ୍ୱର ବଦଳିଯାଇଥାଏ। କାରଣ ସେତେବେଳେ ନିଜ ମନ କଥା ଅପେକ୍ଷା ପକେଟର ମନ କୀ ବାତ୍ ଶୁଣିବାକୁ ପଡ଼େ। ଆଉ ସମସ୍ତେ ଚାହାଁନ୍ତି କମ୍ ଦାମରେ କିଭଳି ଭଲ ଜିନିଷଟିଏ ମିଳିଯାଉ। ତେଣୁ ଅଧିକାଂଶ ବାଧ୍ୟ ହୋଇ ଚାଇନିଜ୍ ମୋବାଇଲ୍ କିଣିବାକୁ ଆଗଭର ଦେଖାଇଥାନ୍ତି। କିଛି ଧନୀ ଶ୍ରେଣୀର ଲୋକମାନେ ହିଁ ଏଥିରେ ରାଜି ହୋଇନପାରନ୍ତି। ତେବେ ଖାଲି ଇଲେକ୍ଚ୍ରୋନିକ୍ସ ଜିନିଷ କ୍ଷେତ୍ରରେ ନୁହଁ ଗୋଟିଏ ଦେଶର ସମାନ ଜିନିଷ ହୋଇଥିବ, କମ୍ପାନୀ ଅଲଗା ହୋଇଥିଲେ ମଧ୍ୟ କମ୍ ଦାମରେ ଅଧିକ ମିଳୁଥିଲେ ଲୋକମାନେ ଅଧକାଂଶ କମ୍ ଦାମର ଜିନିଷକୁ କିଣିବା ପାଇଁ ଅଧିକ ଆଗ୍ରହ ଦେଖାଇଥାନ୍ତି।

ହେଲେ କରୋନା ସଂକ୍ରମଣ ପାଇଁ ଦେଶ ଲକଡାଉନ୍ ରହିବାରୁ ଏବେ ପକେଟ ଖାଲି। ତେଣୁ ଚୀନ ଉପରେ ପରୋକ୍ଷରେ ପ୍ରତିଶୋଧ ନେବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଭୋକାଲ୍ ଫର୍ ଲୋକାଲ୍’ ନାରା ଦେଇ କହିଛନ୍ତି। ଅର୍ଥାତ୍ ଏବେ ଭାରତକୁ ଆତ୍ମନିର୍ଭର ହେବାକୁ ଆହ୍ୱାନ୍ କରିଛନ୍ତି ମୋଦି। ଆଉ ଭାରତର ଏହି ଆହ୍ୱାନ ପରେ ଚୀନ୍ ହଠାତ୍ ଲଦାଖ ସୀମାରେ ଯାହା କରୁଛି ହୃଦବୋଧ କରିହେଉଥିବ। ତେଣୁ ଆଗାମୀ ଦିନରେ ମୋଦିଙ୍କ ସହିତ ଏକା ସାଙ୍ଗରେ ତାମିଲନାଡୁର ସମୁଦ୍ର କୂଳରେ ଏକା ସାଙ୍ଗରେ ପଇଡ ପିଉଥିବା ଜିନ୍ ପିଙ୍ଗ୍ ଭାରତ ପାଇଁ ବଡ଼ କଣ୍ଟା ସାବ୍ୟସ୍ତ ହୋଇପାରନ୍ତି।

ତେବେ ଅର୍ଥନୀତିଜ୍ଞ କୁହନ୍ତି, ଯେଉଁ ଦେଶ ଯେଉଁ ଜିନିଷ କରିବାରେ ଅଧିକ ସକ୍ଷମ ସେହି ଜିନିଷ ତିଆରି କରିବା ଦରକାର। ବ୍ୟବସୟକୁ ସୀମିତ ଅବଧି ଭିତରେ ନରଖି ଏହାର ଅବଧିକୁ ପ୍ରଶସ୍ତ କରିବା ଦରକାର। ଆଉ ସରକାର ମଧ୍ୟ ନିଜେ ଏହାକୁ ଭଲ ଭାବରେ ହୃଦବୋଧ କରିଛନ୍ତି। ଅନେକ କମ୍ପାନୀ ଚାଇନା ଛାଡ଼ି ଭାରତ ଆସିବାକୁ ଯୋଜନା କରୁଛନ୍ତି। ଦେଶର ଯେଉଁ ରାଜ୍ୟ ଯେଉଁ ଜିନିଷ ତିଆରି କରିବାରେ ପାରଙ୍ଗମ ସେହି ରାଜ୍ୟକୁ ସେହି କମ୍ପାନୀ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଦେବା ପାଇଁ ଯୋଜନା କରିଛନ୍ତି। ତେଣୁ ସବୁ ଚାପ ଓ କୂଟନୀତିକ ସ୍ଥିତିକୁ ଦେଖି ନିଜ ଦମରେ ଆଗକୁ ବଢ଼ିବା ଦରକାର ବୋଲି ସରକାର ଚିନ୍ତା କରିଛନ୍ତି।

ଉଦାହରଣ ସ୍ୱରୂପ, ଚାଇନା ଯଦି ଇଲେକ୍ଟ୍ରୋନିକ୍ସ ଜିନିଷ ତିଆରି କରିବାରେ ଅଧିକ ସକ୍ଷମ ତା’ହେଲେ ଚୀନ୍ ଏହି ଜିନିଷ ତିଆରି କରିବା ଦରକାର। ଭାରତ ଔଷଧ, ଟେକ୍ସଟାଇଲ, ଚମଡ଼ା ଶିଳ୍ପରେ ଅଧିକ ସକ୍ଷମ। ତେଣୁ ଭାରତ ଏହି ଶିଳ୍ପ ଉପରେ ଅଧିକ ଜୋର ଦେବା ଆବଶ୍ୟକ। ଆଉ ଏହି ସବୁ ଜିନିଷକୁ ପରସ୍ପର ମଧ୍ୟରେ ଟ୍ରେଡିଂ ବା ଆମଦାନୀ, ରପ୍ତାନୀ କରିବାର ଆବଶ୍ୟକତା ରହିଛି। ଆଉ ଏହା ପଡ଼ୋଶୀ ଦେଶ ସହିତ ହୋଇଥାଏ। କାରଣ ଅଧିକ ଦୂର ହେଲେ ଜିନିଷ ନେବା ଆଣିବାର ଦାମ ବଢ଼ିଯାଏ ଫଳରେ ଜିନିଷର ଦାମ ବଢ଼ିଥାଏ।

ହେଲେ କରୋନା ମହାମାରୀ ପରେ ଭାରତ ସହିତ ଅନେକ ଦେଶ ଆତ୍ମନିର୍ଭର ହେବାକୁ ଚିନ୍ତା କରିଛନ୍ତି। ଯାହାର, ଉଦାହରଣ ସୋଶାଲ ମିଡିଆ ଟୁଇଟରରେ #boycottchaina ଆଦି ଦେଖିବାକୁ ମିଳିଛି। ତେବେ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଯେତେବେଳେ ଗୋଟିଏ ସେକେଣ୍ଡରେ ଭୁବନେଶ୍ୱରରେ ବସିଥିବା ଲୋକ ଭୁଟାନର ଲୋକ ସହିତ କଥା ହୋଇପାରୁଛି ଏଭଳି ସ୍ଥିତିରେ ଦେଶର ବଜାର କ’ଣ ବିଶ୍ୱମୁହାଁ ହେବନି? ଯାହାକି, ଏବେ ବଡ଼ ପ୍ରଶ୍ୱ। ଅନ୍ୟପଟେ ପଟେ ମୋଦି ନିଜେ କହିଛନ୍ତି ଲୋକାଲ ଜିନିଷର ଅଧିକ ପ୍ରଚାର ହେଲେ ତାହା ଏକ ବଡ଼ ବ୍ରାଣ୍ଡରେ ପରିଣତ ହୋଇଥାଏ। ଲୋକାଲ ଜିନିଷକୁ ଆଗାମୀ ଦିନରେ ଚେନ୍ ବ୍ୟବସାୟ ମାଧ୍ୟମରେ ବିଦେଶରେ ବିକ୍ରି କରିହେବ ସେ ନେଇ ଚିନ୍ତା କରାଯିବ। ଅର୍ଥାତ୍ ଭାରତ ବିଶ୍ୱ ବଜାରରେ ବ୍ୟବସାୟ କରିବାକୁ ଲକ୍ଷ୍ୟ ରହିଛି।

କରୋନା ମହାମାରୀ ପାଇଁ ଖାଲି ଭାରତ ନୁହେଁ ଅନେକ ପ୍ରମୁଖ ଦେଶ ଏବେ ଚୀନ୍ ବିରୋଧରେ ଖପ୍ପା। ଚୀନକୁ ଏବେ ସାବାଡ଼ କରିବା ପାଇଁ ଆମେରିକା ସମେତ ଅନେକ ଦେଶ ଏବେ ଏକଜୁଟ ହେଉଛନ୍ତି। ଅନ୍ୟ ଦେଶକୁ ମଧ୍ୟ ଏହି ପ୍ରସଙ୍ଗରେ ଏକ୍ ହେବାକୁ ଆହ୍ୱାନ କରୁଛନ୍ତି। ଏମିତିକି ଜି୭ ବୈଠକରେ ଭାରତ, ଅଷ୍ଟ୍ରେଲିଆ,ଦକ୍ଷିଣ କୋରିଆ ଏବଂ ରୁଷକୁ ସାମିଲ୍ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯାହାକି, ଭାରତ ପାଇଁ ଏକ ସୁଯୋଗ। ଆମେରିକା ସହିତ ଭଲ ସମ୍ପର୍କ ରହିଛି। ତେଣେ ବିଶ୍ୱର ବଡ଼ ବଜାର ଭାବେ ଭାରତ ରହିଛି। ତେଣୁ ସମସ୍ତଙ୍କ ନଜର ଭାରତ ଉପରେ ରହିଛି। କାରଣ ଚୀନକୁ କାଉଣ୍ଟର ପାଇଁ ଭାରତର ବଜାର ହିଁ ଏକମାତ୍ର ବିକଳ୍ପ ବୋଲି ବିଭିନ୍ନ ପ୍ରସଙ୍ଗରେ ମତ ପ୍ରକାଶ ପାଏ।

ଏବେ ଯିବା ୨୦୧୪କୁ। କେନ୍ଦ୍ରରେ ମୋଦି ସରକାର ଆସିବା ପରେ ମେକ୍ ଇନ୍ ଇଣ୍ଡିଆ ଆରମ୍ଭ କରିଥିଲେ। ଏହ ଅଭିଯାନ ଆରମ୍ଭ କରିବାର ଉଦ୍ଦେଶ୍ୟ ଥିଲା ଭାରତରେ ଆସି ବିଦେଶୀ କମ୍ପାନୀ ଶିଳ୍ପ, କଳକାରଖାନା ଓ ବ୍ୟବସାୟ କରିବେ। ଏହାଦ୍ୱାରା ଦେଶ ବିଶ୍ୱ ନଜରରେ ରହିବ ଏବଂ ଦେଶର ବେରୋଜଗାରୀ କମିବ। ହେଲେ ସରକାରଙ୍କ ଏହି ଯୋଜନା କେଉଁଠି ନା କେଉଁଠି ଫେଲ୍ ହୋଇଛି। ତା’ର ଜ୍ୱଳନ୍ତ ଉଦାହରଣ ବେରୋଜଗାର ବଢ଼ିବା ଏବଂ ମାନ୍ଦାବସ୍ଥା। ଆଉ ଏଭଳି ସ୍ଥିତିର ମୁଖ୍ୟ କାରଣ ନୋଟବନ୍ଦୀ ବୋଲି କୁହାଯାଏ। ତେବେ ଏହା ଆଉ ଏକ ଭିନ୍ନ ପ୍ରସଙ୍ଗ।

ହେଲେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଦେଶ ଇଲେକଟ୍ରୋନିକ୍ସ, ଲାଇଟିଂ ଆଦି କ୍ଷେତ୍ରରେ ଦେଶ ଅଗ୍ରସର ହୋଇଛି। ଦେଶ ଏବେ ଆସେମ୍ବ୍‌ଲିଂ ହବ୍‌ରେ ପରିଣତ ହୋଇଛି। ଉଦାହରଣ ସ୍ୱରୂପ ଆପଲର ଆଇ ଫୋନ୍ ପଛରେ ଦେଖିବେ ଲେଖା ହୋଇଛି, କାଲିଫର୍ଣ୍ଣିଆରେ ତିଆରି ହୋଇଛି, ଆସେଲମ୍ୱି ବା ପ୍ରସ୍ତୁତ ହୋଇଛି ଭାରତରେ। ଅର୍ଥାତ୍ ଆମେରିକାରେ ମୋବାଇଲ୍ ପାର୍ଟସ ବା ଯନ୍ତ୍ରାଂଶ ତିଆରି ହୋଇଛି। ସେହି ସବୁକୁ ଏକକୀରଣ କରି ଭାରତରେ ମୋବାଇଲକୁ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା କିଛି ପରିମାଣରେ ନିଯୁକ୍ତି ବଢ଼ିଛି। ଚାହିଦା ମଧ୍ୟ ବଢ଼ିଛି। ତେଣୁ ମେକ୍ ଇନ୍ ଇଣ୍ଡିଆର ସଫଳତା ୩୦ ପ୍ରତିଶତ ବୋଲି କହିପାରିବା।

ହେଲେ ଏବେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ପାଇଁ ଆହ୍ୱାନ କରିଛନ୍ତି। ଯଦି ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନର ଉଦ୍ଦେଶ୍ୟକୁ ସମୀକ୍ଷା କରିବା ତା’ହେଲେ ଆତ୍ମନିର୍ଭର ଭାରତ ଅଭିଯାନ ମେକ୍ ଇନ୍ ଇଣ୍ଡିଆର ଆଉ ଏକ ଅପଗ୍ରେଡ୍ ଭର୍ସନ ବୋଲି କହିପାରିବା।

ତେବେ ଏହାର ସଫଳତା ଏତେଟା ସହଜ ନୁହେଁ। ଭାରତ ଅଧିକରୁ ଅଧିକ ଔଷଧ ତିଆରି କରିଥାଏ। ଏହି ଔଷଧ ତିଆରି କରିବା ପାଇଁ କଞ୍ଚାମାଲର ଆବଶ୍ୟକତା ରହିଛି। ଆଜି ଯାଏ ଭାରତ କଞ୍ଚାମାଲ୍ ପାଇଁ ଚୀନ୍ ଉପରେ ଟିକିଏ ଅଧିକ ନିର୍ଭରଶୀଳ। ଆଉ ନିକଟରେ ଚୀନ୍ ମଧ୍ୟ ଔଷଧ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲର ଦାମ୍ ୩୦ରୁ ୪୦ ପ୍ରତିଶତ ବଢ଼ାଇ ଦେଇଛି।

ଉଦାରୀକରଣ ପୂର୍ବରୁ ୧୯୮୫-୯୦ ମସିହା ମଧ୍ୟରେ ଭାରତ ଔଷଧ ନିଜେ ତିଆରୁ କରୁଥିଲା। କଞ୍ଚାମାଲ ବି ନିଜର ଥିଲା। ହେଲେ ସେହି ସମୟରେ ପ୍ରଦୂଷଣ ବଢ଼ିଥିଲା। ଏହାପରେ ଶସ୍ତାରେ କଞ୍ଚାମାଲ୍ ଆଣିବାକୁ ଯାଇ ଚୀନ୍ ପାଖରୁ ସରକାର କଞ୍ଚାମାଲ୍ ଆଣୁଛନ୍ତି।

ଏହାର ଅର୍ଥ ନୁହେଁ ଆତ୍ମନିର୍ଭର ହେବାକୁ ଯାଇ ପରିବେଶ ଓ ପ୍ରଦୂଷଣ ଉପରେ ଗୁରୁତ୍ୱ ଦେବାନି। ଏଥିପାଇଁ ପରିବେଶ ଏବଂ ପ୍ରଦୂଷଣ ହାରକୁ ବାଲାନ୍ସ ବା ସମାନ୍ତରାଳ ଭାବରେ କିଭଳି ଚଳାଇ ହେବ ସେ ଦିଗରେ ବିଚାର କରିବାର ଆବଶ୍ୟକତା ରହିଛି। ଏଭଳି ହେଲେ ମୋବାଇଲ୍  ଯନ୍ତ୍ରାଂଶ ବି ତିଆରି ହୋଇପାରିବ ଆଉ ତିଆରି ମଧ୍ୟ। ଅର୍ଥାତ୍ ନିଯୁକ୍ତି ଦୁଇ ଗୁଣିତ ହେବ। ଆଉ ଏହାରି ଉପରେ ହିଁ ଆତ୍ମନିର୍ଭର ଭାରତ ଅଭିଯାନ ପ୍ରସ୍ତୁତ ହୋଇଛି ବୋଲି କୁହାଯାଉଛି।

କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ତଥ୍ୟ ଯଦି ଦେଖିବା ତାହେଲେ ୨୦୧୪-୧୮ ମଧ୍ୟରେ ଭାରତ ମୋଟ୍ ୫୦୭୪୪ କୋଟି ଡଲାରର ଆମଦାନୀ କରିଛି। ଆଉ ଭାରତ ମୋଟ୍ ୩୩୧୦୨ କୋଟି ଡଲାର ରପ୍ତାନୀ କରିଛି। ଅର୍ଥାତ୍ ଭାରତ ଏବେ ୧୭୬୪୨ କୋଟି ଡଲାର ଅଧିକ ଦେଉଛି ବା କ୍ଷତି ସହୁଛି ରପ୍ତାନୀ ଓ ଆମଦାନୀ ବ୍ୟବସାୟରେ। ଆଉ ଏହି ୧୭୬୪୨ କୋଟି ଡଲାର ପଛର କାରଣ ଚୀନ୍ ସହିତ ବ୍ୟବସାୟ ବୋଲି ଜଣାପଡ଼ିଛି। ସେହି ବାଣିଜ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ୨୦୧୬-୧୯ର ଡାଟା ଯଦି ଦେଖିବା ତା’ହେଲେ ଭାରତ ଏବଂ ଚୀନର ବାର୍ଷିକ ବ୍ୟବସାୟ ୯୦୦୦ କୋଟି ଡଲାରର ରହିଛି।

୨୦୧୮-୧୯ର ଡାଟା ଯଦି ଦେଖିବା ଚୀନ୍ ପାଖରୁ ଭାରତ ୭୦୩୦ କୋଟି ଡଲାର ଦେଇ ଇଲେକ୍ଟ୍ରୋନିକ୍ସ ଜିନିଷ, ଟିଭି, ବୋଏଲର, ଅର୍ଗାନିକ କେମିକାଲ ଆଦି ଆଣିଛୁ। ହେଲେ ଭାରତ ପାଖରୁ ଚୀନ୍ ମିନେରାଲ ତେଲ, ସୂତା, ଅର୍ଗାନିକ କେମିକାଲ ନେଇଛି ମାତ୍ର ୧୬୭୦ କୋଟି ଡଲାରର। ୨୦୧୭-୧୮ ଏବଂ ୧୬-୧୭ରେ ଭାରତ ଆହୁରି କମ୍ ଟଙ୍କାର ରପ୍ତାନୀ ଚୀନ୍ ସହିତ କରିଥିଲା। ତେଣୁ ଭାରତ ମୋଟ୍ ଉପରେ ଯେଉଁ ଆମଦାନୀ ରପ୍ତାନୀ ବ୍ୟବସାୟ କରି ଯେତେକ କ୍ଷତି ସହୁଛି ସେଥିରୁ ୫୦ ପ୍ରତିଶତ କ୍ଷତି ଚୀନ୍ ସହିତ ରହିଛି। ଅର୍ଥାତ୍ ଚୀନ ସହିତ ଅଧିକ ବ୍ୟବସାୟିକ କାରବାର ବଢ଼ାଇବାର ଆବଶ୍ୟକ ରହିଛି।

ତେବେ କରୋନା ମହାମାରୀ ଆସିବା ପରେ ଦେଶର ଲୋକମାନେ ଚୀନକୁ ବୟକଟ କରିବା ପାଇଁ ବିଭିନ୍ନ ଫରୋମରେ ଆହ୍ୱାନ କରିଛନ୍ତି ତାହାକୁ ସରକାର କେବେ ସମର୍ଥନ କରିପାରିବେ ନାହିଁ ସିଧାସଳଖ ଭାବରେ। କାରଣ ଭାରତର ଅନେକ ଜିନିଷ ମଧ୍ୟ ଅନ୍ୟ ଦେଶରେ ବିକ୍ରି ହେଉଛି। ବିଶ୍ୱ ବଜାରରେ ମଧ୍ୟ ବିଭିନ୍ନ ନିୟମ କାନୁନ୍ ରହିଛି।

ଭାରତ ସମେତ ଅନେକ ଦେଶ ଏବେ ଚୀନକୁ ବୟକଟ୍ କରିବା ପାଇଁ ଆହ୍ୱାନ କରିଛନ୍ତି। ଏହାକୁ ନେଇ ଏକ ରିପୋର୍ଟ ବ୍ଲୁମବର୍ଗରେ ପ୍ରକାଶ କରିଛି। ସେଥିରେ ଆମେରିକାର ୪୦ ପ୍ରତିଶତ ଲୋକ ଚୀନର ଜିନିଷ କିଣିବେ ନାହିଁ ବୋଲି କହିଛନ୍ତି, ଭାରତର ୨୫ ପ୍ରତିଶତ ଲୋକ ଚୀନ ଜିନିଷ କିଣିବେ ନାହିଁ ବୋଲି କହିଛନ୍ତି।

ହେଲେ ଚୀନକୁ ବୟକଟ କରିବା ଏତେ ସହଜ ଲାଗୁନି। ସହଜ ହେବେ ଯେତେବେଳେ ସରକାର ସୁବ୍ୟବସ୍ଥା କରିବେ। ତେଣୁ ସରକାର ଇନଫ୍ରାଷ୍ଟକଚର, ଲଜିଷ୍ଟିକ ଆଦି ଉପରେ ଗୁରୁତ୍ୱ ଦେବା ଦରକାର। କାରଣ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କୌଣସି ଜିନିଷ ଗଲେ ଏହାର ଦାମ ଡବଲ ହୋଇଯାଉଛି। ଏଥିପାଇଁ ସରକାର ସରଳୀ କରଣ କରି କମ୍ ଦାମରେ ଜିନିଷ କିଭଳି ଅନ୍ୟସ୍ଥାନକୁ ଯାଇ ପାରିବ ସେ ଦିଗରେ ଗୁରୁତ୍ୱ ଦେବା ଦରକାର। ସେହପିର ଯେଉଁ କମ୍ପାନୀ ତିଆରି କରିବ ଜିନିଷ ସେହି କମ୍ପାନୀ କିଭଳି କମ୍ ଦାମରେ ଋଣ ପାଇବ ଫଳରେ ସେହି କମ୍ପାନୀରୁ ତିଆରି ହେଉଥିବା ଜିନିଷର ଦାମ୍ କମ୍ ହେବ।

ଭାରତର କଟନ, ଚମଡ଼ା, ଚପଲ, ଆସବାବପତ୍ର, କୃଷି, ସାମୁଦ୍ରିକ ଜିନିଷର ଚାହିଦା ବିଶ୍ୱ ବଜାରରେ ରହିଛି। ଏବେ ଏହି ସବୁ ଶିଳ୍ପକୁ ପ୍ରଥମେ ଆଗକୁ ବଢ଼ାଇବା ଦରକାର। କଟନ, ଚମଡ଼ା, ଚପଲ ଆଦି ଏମଏସଏମଇ ଶିଳ୍ପ ଅଧିନରେ ଆସନ୍ତି। ତେଣୁ ଏହି ସବୁ ଛୋଟିଆ କମ୍ପାନୀ ଆଗ ମଜବୁତ ହେଲେ ସାଧାରଣ ଲୋକ ଅଧିକ ଉପକୃତ ହେବେ। ଆଉ ନିଯୁକ୍ତି ମଧ୍ୟ ବଢ଼ିବ।

୨୦୦୦ ମସିହାରେ ସାରା ବିଶ୍ୱରେ ଓ୍ୱାଇଟୁକେ ଏକ ବଡ଼ ସମସ୍ୟା ଦେଖା ଦେଇଥିଲା। ହେଲେ ଏହାର ସୁଯୋଗ ନେଇଥିଲା ଭାରତ। ପରିଣାମ ସ୍ୱରୂପ ଭାରତରେ ଆଜି ସଫ୍ଟଓ୍ୱୟାର କମ୍ପାନୀର ହବ୍ ପାଲଟିଛି। ଟିସିଏସ, ଇମ୍ଫୋସିସ୍ ଭଳି ନାମିଦାମୀ କମ୍ପାନୀ ଭାରତରେ ରହିଥିବା ବେଳେ ଆମେରିକାର ସଫ୍ଟଓ୍ୱୟାର କମ୍ପାନୀମାନେ କଂଗନିଜ୍ୟାଣ୍ଟ ଭଳି କମ୍ପାନୀ ମଧ୍ୟ ଭାରତକୁ ଆସିଛି। ତେଣୁ ଏବେ କରୋନା ପାଇଁ ଯେଉଁ ସମସ୍ୟା ଦେଖାଦେଇଛି ତା’ର ଭରପୁର ଫାଇଦା ଭାରତ ନେବା ଦରକାର।

ଜଣେ ବଞ୍ଚିବାକୁ ହେଲେ ଅନ୍ୟ ଜଣଙ୍କ ଉପରେ ବା ପଡ଼ୋଶୀ ଉପରେ ନିର୍ଭର ହେବାକୁ ପଡ଼ିଥାଏ। ହେଲେ ଚୀନର ଶାସକ ଦଳ ଯେଉଁଭଳି ପଦକ୍ଷେପ ନେଉଛି ତାହା ଅନ୍ୟ ଦେଶ ପାଇଁ କ୍ଷତି ସାବ୍ୟସ୍ତ ହେଉଛି। ତେଣୁ ଆଜି ଚୀନ୍ ଅନ୍ୟ ଦେଶର ଆକ୍ରୋଶର ଶିକାର ହେଉଛି। ତେଣୁ ଭାରତ ଏବେ ଆଗକୁ ବଢ଼ିବା ସହିତ ନିଜେ ମଧ୍ୟ ଆତ୍ମନିର୍ଭରଶୀଳ ହେବା ଦରକାର।

Related story