/odisha-reporter/media/post_attachments/uploads/2021/03/56-2.jpg)
People
- ମାୟାଧର ନାୟକ
ଏବେ ସବୁଆଡ଼େ ଶସ୍ତା ସ୍ଲୋଗାନ୍। ବସ୍ତାବସ୍ତା ଭାଷଣବାଜିର ରିହାତି-ରାଜନୀତି। ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର। ଲୋକେ କହୁଛନ୍ତି ସବୁ ଦଳ ପଙ୍ଗପାଳ, ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ ପାଗଳ। ଆଗେ ଆମର ରାଷ୍ଟ୍ରନୀତିଜ୍ଞ ଥିଲେ ଯେଉଁମାନଙ୍କ ସଂଖ୍ୟାହ୍ରାସ ଘଟିଛି ଶୋଚନୀୟ ଭାବରେ। ଏବେ ଅବଶ୍ୟ ରାଜନୀତିଜ୍ଞ ଅଛନ୍ତି କେତେକ, ମାତ୍ର ଚଳନ୍ତି ରାଜନୀତିର ଚକ୍ରବ୍ୟୁହରେ ସେମାନେ ନିଷ୍ପ୍ରଭ ଚରିତ୍ର ଜଣେ ଜଣେ। ବର୍ତ୍ତମାନର ରାଜନୀତି ଏକପ୍ରକାର ପ୍ରଜାଶୋଷଣଧର୍ମୀ ପ୍ରବୃତ୍ତି ନହେଲେ ରାଜକୋଷ ଲୁଣ୍ଠନମୁଖୀ ବାଜନୀତି। ରାଜନୀତିକୁ ବାଜନୀତିରେ ବଦଳାଇ ଦେଇଥିବା ଅପଶକ୍ତିର ଆଜ୍ଞାବହ ବର୍ଗ ଗୋଟିଏ ଗୋଟିଏ ଦଳ ଗଢ଼ି ସାରା ଦେଶକୁ ଦଖଲ କରିବାକୁ ବ୍ୟଗ୍ର। ଏମାନେ କେବଳ ମିଥ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀ, ଅବିଚାରୀ ବା ମୁଖାଧାରୀ ନୁହନ୍ତି, ଦରକାର ପଡିଲେ ଏମାନେ ବି ଭାରତୀୟ ଗଣତନ୍ତ୍ରର ହତ୍ୟାକାରୀ ହେବାକୁ ହାତ ମିଳାନ୍ତି ପରସ୍ପର ସହିତ।
ଗୋଟିଏ ଚୂଡ଼ାନ୍ତ ବିଡ଼ମ୍ବନାର ପର୍ଯ୍ୟାୟରେ ପହଂଚିସାରିଛି ଭାରତବର୍ଷର ରାଜନୀତି। ତାହା ହେଉଛି, କେବଳ ବଣିକବର୍ଗ ଓ ଧନିକବର୍ଗର ସମବାୟ ସମିତିକୁ ନେଇ ଗଢ଼ାହେଉଛି ଶାସନ ଓ ପ୍ରଶାସନ ବ୍ୟବସ୍ଥା। କେବଳ ଧନୀଲୋକେ ନିର୍ବାଚନୀ ରାଜନୀତିର ମଇଦାନରେ ଦଳୀୟ ଟିକେଟ୍ ପାଇ ଯାତ୍ରା ଦେଖାଉଛନ୍ତି ଜନଗଣଙ୍କୁ। ଜଣେ ଗରିବ ଲୋକ ଯେତେ ଯୋଗ୍ୟତା, ଦକ୍ଷତା ଓ ଆନ୍ତରିକତାର ଅଧିକାରୀ ହେଉ ପଛେ ଏ ଚନ୍ଦନଚର୍ଚ୍ଚିତ ଚିହ୍ନାବ୍ରାହ୍ମଣମାନଙ୍କ ଚିତାଚଇତାନୀ ରାଜନୀତି ତାକୁ ନେତୃତ୍ୱ ସ୍ତରକୁ ଉନ୍ନୀତ କରାଇବାର ସୁଯୋଗ ଦିଏନା। ଗରିବ ଲୋକଟିଏ ଖୁବ୍ ବେଶିରେ ମୁଖିଆ କର୍ମୀ ପର୍ଯ୍ୟନ୍ତ ଯାଇପାରେ, ମାତ୍ର ଟିକେଟ୍ କିଣି ନିର୍ବାଚନ ଜିଣି ନେତା ହେବା କି ମନ୍ତ୍ରୀ ହେବା ତା’ପକ୍ଷରେ ସହଜ ବ୍ୟାପାର ନୁହେଁ।
ଗଣତନ୍ତ୍ରରୁ ଗରିବ କ୍ରମେ ବିଦାୟ ନେଉଛି। ଗରିବ ନାଆଁରେ ଗୁରୁଗମ୍ଭୀର ଧ୍ୱନି ଦେଇ ଧନ୍ୟ ଏବେ ନିଜକୁ ବୋଲାଉଛି ନେତା, ଏ ଜନତାର ହର୍ତ୍ତାକର୍ତ୍ତା ଦୈବ ବିଧାତା। ବ୍ୟୟବହୁଳ ନିର୍ବାଚନ କେବଳ ନକଲି ନେତୃତ୍ୱର ରାଜନୈତିକ ବିସ୍ତାରବାଦ ନିମନ୍ତେ ବାଟ ଫିଟାଉଛି। ଏହାଦ୍ୱାରା ଜାତୀୟ ସମ୍ପତି ଉପରେ ଶ୍ୱେନଦୃଷ୍ଟି ପକାଉଥିବା ଧନୀ ଧୂର୍ତ୍ତମାନେ ଜାତୀୟ ବିପତ୍ତିକୁ ନେଇ ମିନିଟିଏ ବି ମୁଣ୍ଡବ୍ୟଥାରେ ଘାରି ହେଉଥିବା ଉପଲବ୍ଧି କରିପାରୁନାହାନ୍ତି କେହି। ‘ଦାରିଦ୍ର୍ୟ’ ଏଭଳି ଏକ ସୂତ୍ର, ଯାହାକୁ ନେଇ ଏଠି ଏବେ ରାଜନୈତିକ ଦାରିବୃତ୍ତି ନିଜ ନିଷିଦ୍ଧ ବଜାର ବିଛାଇବାର ବେଶ୍ ସଫଳ ହୋଇପାରିଛି। କିନ୍ତୁ ଏ ‘ସଫଳତା’ ଆମ ଜାତୀୟ ବ୍ୟର୍ଥତାକୁ ସାରା ଦୁନିଆ ଦରବାରରେ ସାବ୍ୟସ୍ତ କରିସାରିଛି ଶତସହସ୍ର ଗୁଣ।
ଜନତା ଦିନକୁଦିନ ଦରିଦ୍ର ହେଉଥିବାବେଳେ ନେତା ହେଉଛି ଧନୀ ଓ ମାନୀ। ଧନବଳରେ ଏଠି ଆୟତ୍ତ କରାଯାଇପାରୁଛି ଜନବଳକୁ। ମନୋବଳ ଭାଙ୍ଗିପଡୁଛି ଯୁବପିଢ଼ିର। ବାଟବଣା ହେଉଛି ବେକାର ଯୁବକ, ବେରୋଜଗାର ଗରିବ, ନିଃସ୍ୱ କୃଷକ, ନିର୍ଦ୍ଧନ ଶ୍ରମିକ, ସାଧାରଣ ସର୍ବହରା ମଣିଷ। ରାଜନୀତି ଏଠି ଚାଲିଚି ବହୁଦଳୀୟ ଏକ ସୁପରିକଳ୍ପିତ ଯୋଜନାରେ। ସେ ଯୋଜନାର ସୂତ୍ରଧର ହେଉଛନ୍ତି ବିଦେଶୀ ପୁଞ୍ଜି ଉପରେ ପ୍ରତିଷ୍ଠିତ ଦେଶୀ ଶିଳ୍ପପତି ଗୋଷ୍ଠୀ ଏବଂ ସେମାନଙ୍କ ଭତ୍ତାରେ ପରିପାଳିତ ଓ ପରିଚାଳିତ ଏ ଦେଶର ସୁବିଧାବାଦୀ ନ୍ୟସ୍ତସ୍ୱାର୍ଥ ସ୍ୱଚ୍ଛଳ ରାଜନୈତିକ ନେତୃପକ୍ଷ। ଦେଶ ଓ ଜାତିକୁ ନେଇ ଛଦ୍ମଚରିତ୍ରବର୍ଗ ଟେକି ଦେଉଛନ୍ତି ଭୟଙ୍କର ଭବିଷ୍ୟତ ହାତରେ। ଏଠି ଚଷା ମୂଲିଆ ମାହାଳିଆ ମରୁଚି, ଯୁବକ ଅକାଳ ବାର୍ଦ୍ଧକ୍ୟ କରୁଚି, ଶିଶୁମୃତ୍ୟୁୟର ହାର ଆହୁରି ବଢୁଚି। ବଂଚୁଛନ୍ତି ସେଇମାନେ ଯେଉଁମାନେ ଜନଜୀବନକୁ ତଳିତଳାନ୍ତ କରି ସୁଇସ୍ ବ୍ୟାଙ୍କରେ ନିଜ ସତାଇଶ ପୁରୁଷ ପାଇଁ ସଂପାଦି ରଖିଛନ୍ତି କଳାଟଙ୍କାର ଗୁପ୍ତ ଆକାଉଂଟ୍!
କୁଆଡ଼େ ଏତେ କଳାଟଙ୍କା ସୁଇସ୍ ବ୍ୟାଙ୍କରେ ଅଛି ଯେ ସେଠୁ ମାତ୍ର ୨୩ ଲକ୍ଷ କୋଟି ଟଙ୍କା ଆସିପାରିଲେ ଭାରତର ପ୍ରତି ଗାଆଁ ପିଛା ପଡ଼ିବ ୪ କୋଟି ଟଙ୍କା ଭାଗ ଏବଂ ଏଇ ଭାଗରେ ଗଢ଼ିଉଠିବ ଗରିବର ଗଣତନ୍ତ୍ର! କି ଧୂଆଁବାଣ! କେବଳ ମିଛ ମଣିଷମାନଙ୍କ ମଲାଘୋଡ଼ାର ଟାଙ୍କ ମାପିବା ବାଗବାଇଶ ଇଏ! ଗରିବର ଗଣତନ୍ତ୍ରକୁ ଧୂର୍ତ୍ତର ଧନତନ୍ତ୍ର କାହିଁକି ବା ବଂଚାଇରଖିବାର ଆନ୍ତରିକ ଉଦ୍ୟମ ବଜାୟ ରଖିବ?
‘ନେତା’ ଶଦ୍ଦର ଅର୍ଥ ଆଜି ପ୍ରଦୂଷିତ। ଖଚୁଆ, ମିଛୁଆ, ଲାଂଚୁଆ ଚରିତ୍ରର ନାମାନ୍ତର ପାଲଟିଛି ଏଇ ‘ନେତା’ ଶଦ୍ଦ। ଏକ ନକାରାତ୍ମକ ଦୃଷ୍ଟିଭଂଗୀ ବ୍ୟାପିସାରିଛି ଭାରତୀୟ ରାଜନୀତିର ‘ନେତା’ ପଦକୁ ନେଇ। ନେତିବାଚକ ନେତୃତ୍ୱ ଓ ନୀତିରହିତ ରାଜନୀତିରେ ଭାରତବର୍ଷ ନୟାନ୍ତ। ପ୍ରଶାସନ ଆଉ ଜନଗଣଙ୍କ ପ୍ରତ୍ୟୟର ପରୀକ୍ଷା ଦେବାକୁ ଯୋଗ୍ୟ ନୁହେଁ। ସ୍ୱାର୍ଥସେବୀ ଶାସନର ସଇତାନୀ ଚକ୍ର ସିଏ। ହାକିମ ଆଗରେ ହାରିଗୁହାରି କରିକରି ହାରିସାରିଚି ହତାଶ, ପୁଲିସ୍ ପାଖରେ ଫେରାଦି ହେଇ ହେଇ ଫେରାର୍ ହେଇଯାଇଚି ଫକିରା। ଗରିବ ଗଢ଼ିବ ଗଣତନ୍ତ୍ର, ଯଦି ହଟିପାରିବ ନକଲି ନେତୃତ୍ୱର ଶାସନତନ୍ତ୍ର, ଧୂର୍ତ୍ତ ଧଳାହାତୀମାନଙ୍କର ଧନତନ୍ତ୍ର, ଅମାନବିକତାରେ ଅଭ୍ୟସ୍ତ ଅବଶ ଅମଲାତନ୍ତ୍ର! ନହେଲେ ନିସ୍ତାର ନାହିଁ।
ନିସ୍ତାର ଦରକାର ଏ ସରକାର ଛତ୍ରଛାୟାଶ୍ରିତ ଅମଲାତାନ୍ତ୍ରିକ ଆଭିମୁଖ୍ୟରୁ। ଅମଲାତନ୍ତ୍ରର ଅଳିଆଗଦାରେ ଆମର ଲକ୍ଷ ଲକ୍ଷ ହେକ୍ଟର ଚାଷଜମିର ଭାଗ୍ୟ ଫିତାବନ୍ଧା ଫାଇଲ୍ ପାଲଟି ସାରିଛି। ପ୍ରଶାସନ କ’ଣ? କେବଳ ଖଂଟକୁର୍ସିର ଚାରିଖୁରା, ଯେଉଁ ଚାରିଖୁରାରେ ବନ୍ଧା ହୋଇରହିଛି ବଂଧୁକ, ସିଂଦୁକ, ଯୋଜନା, ପରିଚାଳନା। ଜନଗଣଙ୍କ ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଏ ଚାରୋଟିର ମୁକ୍ତି ଆଗେ ଦରକାର। ଅର୍ଥାତ୍ ବଂଧୁକର ଗୁଳି କୌଣସି ଗରିବ, ଦିନମଜୁରିଆ, ଆଦିବାସୀ କି ଅଧିବାସୀର ଛାତି ଆଡ଼କୁ ଉଦ୍ଦିଷ୍ଟ ନହେଉ, ସିଂଦୁକର ସଂପତି କୌଣସି ଶାସିତ, ଶୋଷିତ, ବଂଚିତ କି ପ୍ରବଂଚିତର ସ୍ୱେଦଶୋଣିତରେ ଉପାର୍ଜିତ ଅର୍ଥଆଡ଼କୁ ତୋଷରପାତୀ ତୀକ୍ଷ୍ଣଦୃଷ୍ଟି ନ ପକାଉ, ଯୋଜନାର ଯନ୍ତ୍ରଶାଳା କୌଣସି ଜାତି ବା ଜନଜାତିର ଉନ୍ନୟନ ନିମନ୍ତେ ଅଭିପ୍ରେତ ଅଟକଳକୁ ଅଟ୍ଟହାସ ନ କରୁ ଏବଂ ପରିଚାଳନାର ପରୀକ୍ଷାନିରୀକ୍ଷା କୌଣସି ସନ୍ଧି ବା ଅଭିସନ୍ଧିର ଶିକାର ନହେଉ। ଦୁଃଖର କଥା ଯେ ବର୍ତ୍ତମାନ ସ୍ୱଚ୍ଛଳ ଶାସନତନ୍ତ୍ରର ଅଚଳ ଅର୍ଥନୀତି ସାରା ଦେଶକୁ ପଙ୍ଗୁତ୍ୱ ଆଡ଼କୁ ମୁହାଁଇ ନେଉଛି। ଆଜିର ଚଂଚକ ରାଜନୀତି ଆଗରେ ଚାଣକ୍ୟ ଅର୍ଥନୀତି ଆଣ୍ଠେଇ ପଡିଛି।
ହାୟ! ଅର୍ଥନୀତିଜ୍ଞ ବି କହୁଛନ୍ତି ରାଜନୀତିଆଙ୍କ ବ୍ୟୟବରାଦର ଆୟ-ଆଦାୟ ବାବଦରେ ମୁଣ୍ଡ ନଖେଳାଇବା ପାଇଁ! ୟା’ଠାରୁ ବଳି ବିଡ଼ମ୍ବନା ଆଉ କ’ଣ ଥାଇପାରେ? ଆଜିର ଭାରତବର୍ଷ ଯେତେବେଳେ ଚଳନ୍ତି ରାଜନୀତିର ଚଳୁକରା ଚରିତ୍ର ଉପରୁ ଆସ୍ଥା ହରାଇବାକୁ ଯାଉଛି, ସେତେବେଳେ ଆମେ ସମସ୍ତେ ଲୋଡୁଚୁ ଅସଲ ଅର୍ଥନୀତିର ହିତୋପଦେଶ। ମାତ୍ର ଆଜି ଅର୍ଥନୀତି ବି ରାଜନୀତିର ରିସ୍ତେଦାର? ଅର୍ଥନୈତିକ ମାନ୍ଦାବସ୍ଥାର ଆତଙ୍କଜନକ ଆବହାୱାରେ ସାରା ଦୁନିଆକୁ ତ୍ରସ୍ତ କରିରଖିବାକୁ ଚାହୁଁଥିବା ଧୂର୍ତ୍ତ ଧନତନ୍ତ୍ର ଏବେ ଭାରତବର୍ଷକୁ ନିଜ କଂସେଇଖାନାରେ ପରିଣତ କରି ଧ୍ୱସ୍ତ କରିଦେବ ଉତ୍ତରପିଢିର ନବଭାରତକୁ।
ନବଭାରତର ରାଜନୀତି ଏ ଭବସଂକଟକୁ ସାମ୍ନା କରିବ ନା ନାହିଁ? ବର୍ତ୍ତମାନର ଭକ୍ଷକ ରାଜନୀତିର ଭସ୍ମାସୁରମାନଙ୍କ କବଳରୁ ଦେଶ ଓ ଜାତିକୁ ବଂଚାଇବାକୁ ହେଲେ ପ୍ରଥମେ ଦରକାର ରାଜନୀତିରୁ ଦଳମାନଙ୍କୁ ଉଚ୍ଛେଦ କରିବାର ଅଭିଯାନ। ଦଳ ପାଇଁ ନୁହେଁ, ଦେଶ ପାଇଁ ଯେଉଁ ରାଜନୀତି, ତାହା ହିଁ ଆମର ଦାବୀ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
