ଦେବ ରଞ୍ଜନ
‘ବିକାଶ’ ବେଶ ଅଧିକ ଲୋକଙ୍କ ଲାଗି ଖଟା ହେଲେ ମୁଷ୍ଟିମେୟଙ୍କ ଲାଗି ଏକ ଲଲିପପ। ତାହାଠୁ ଆହୁରି କମ ଲୋକ, ଯେଉଁମାନେ ଏହାକୁ ପୁଞ୍ଜି କରି ପୃଥିବୀ ଘୂରୁଛନ୍ତି, ସେମାନେ ଜାଣନ୍ତି ଏହି ଫଳ କେତେ ମିଠା। ସେଥିଲାଗି ସେମାନେ ସମସ୍ତ ବିରୋଧ ସତ୍ତ୍ୱେ ବର୍ଷ ବର୍ଷ ଅପେକ୍ଷା କରିରହିଥା’ନ୍ତି।
ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ସିଜିମାଳି ପାହାଡ଼ରୁ ବକ୍ସାଇଟ ଉତ୍ତୋଳନ ଲାଗି ଓଡ଼ିଶା ସରକାର ବେଦାନ୍ତ କମ୍ପାନୀକୁ ଖଣି ଖୋଳିବା ଲାଗି ପ୍ରାଥମିକ ଅନୁମତି ପତ୍ର ଦେଇଛନ୍ତି, ସଂପୂର୍ଣ୍ଣ ଲିଜ୍ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନାହିଁ। ପ୍ରାଥମିକ ଅନୁମତି ପତ୍ର କଦାପି ସଂପୂର୍ଣ୍ଣ ଅନୁମୋଦନ ନୁହେଁ ଯାହା ପାଇଁ ସ୍ଥାନୀୟ ପୁଲିସ, ଜିଲ୍ଲା ପ୍ରଶାସନ ଓ ପ୍ରମୁଖ ରାଜନୈତିକ ଦଳର ସଦସ୍ୟମାନେ ‘ଅତି ଆଗ୍ରହୀ’ ହେବେ।
ସିଜିମାଳିରୁ ୨୨୦ ନିୟୁତ ଟନ ବକ୍ସାଇଟକୁ ମାତ୍ର ୩୧ ବର୍ଷ ମଧ୍ୟରେ ନେଇନିଆଯିବା ଲାଗି ଓଡ଼ିଶା ସରକାର ବେଦାନ୍ତକୁ ଅନୁମତି ପତ୍ର ଦେଇଛନ୍ତି। ଏହା ପୂର୍ବରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ନାଁ ସୂଚିତ କରାଯାଇଛି ନା ସେମାନଙ୍କ ଅନୁମୋଦନ ନିଆଯାଇଛି! ପାହାଡ଼ରେ ବକ୍ସାଇଟ ଥିବା ହେତୁ ଏ ସମସ୍ତ ଅଞ୍ଚଳର ଝରଣାରେ ସାରା ବର୍ଷ ପାଣି ଆସେ। ସେହି ୩୧ ବର୍ଷ ପୂର୍ବରୁ ବି ସେଠାରେ ଜୀବନ ଥିଲା ଓ ଏହାପରେ ବି ଜୀବନ ରହିବ।
ଆଦିବାସୀ ଓ ଦଳିତ ଚାଷୀ ବର୍ଗ ଲାଗି ପାହାଡ଼, ଝରଣା, ଜଙ୍ଗଲ ଓ ଚାଷଜମି ଯେ କେତେ ଗୁରୁତ୍ଵପୂର୍ଣ୍ଣ ‘ଲଲିପପ’ର ମୋହ ଛାଡ଼ିପାରିଥିବା ଅଧିକାରୀ ଓ ଅନ୍ୟ ସଦସ୍ୟମାନେ କେବଳ ଏହାକୁ ବୁଝିପାରିବେ। କମ୍ପାନୀ ଯେଉଁ ପରିବେଶ ପ୍ରଭାବ ରିପୋର୍ଟ ଏବେ ପ୍ରକାଶ କରୁଛି ସେଥିରୁ ଜଣାପଡୁଛି ଯେ ଦୁଇ ଖଣ୍ଡ ଗ୍ରାମ ବିସ୍ଥାପିତ ହେବେ ଓ ୧୮ଟି ଗ୍ରାମ କ୍ଷତିଗ୍ରସ୍ତ ହେବେ। କ୍ଷତିଗ୍ରସ୍ତ ଗ୍ରାମର ପ୍ରକୃତ ତାଲିକା କିନ୍ତୁ ଏହାଠାରୁ ଯଥେଷ୍ଟ ଅଧିକ ହେବ।
ଆଇନର ଉଲ୍ଲଂଘନ
କାଶୀପୁର ଏକ ଆଦିବାସୀ ବହୁଳ ଅନୁସୂଚୀତ ଅଞ୍ଚଳ ହୋଇଥିବା କାରଣରୁ ଏପରି ଅନୁମତି ଦେବା ପୂର୍ବରୁ ରାଜ୍ୟ ସରକାର ସ୍ଥାନୀୟ ଗ୍ରାମବାସୀଙ୍କ ଅନୁମତି ନେବା ଲାଗି ଆଇନତଃ ବାଧ୍ୟ। କମ୍ପାନୀ ଯେହେତୁ ୬୯୯ ହେକ୍ଟର ଜଙ୍ଗଲ ଜମି ଅନୁସୂଚୀତ ଅଞ୍ଚଳରେ ନେବ ତେଣୁ ଜଙ୍ଗଲ ଅଧିକାର ଆଇନ (୨୦୦୬)ର ଧାରା ୩ ଓ ୪ ଅନୁସାରେ ପଲ୍ଲୀସଭାର ଅନୁମୋଦନ ଆବଶ୍ୟକ। ପୁଣି କମ୍ପାନୀ ଯେହେତୁ ୧୩୪ ହେକ୍ଟର ନିଜସ୍ୱ ଜମି ନେବ ତେଣୁ ନୂତନ ଜମି ଅଧିଗ୍ରହଣ ଆଇନର ଧାରା ୨ ଅନୁସାରେ (THE RIGHT TO FAIR COMPENSATION AND TRANSPARENCY IN LAND ACQUISITION, REHABILITATION AND RESETTLEMENT ACT, 2013) ମଧ୍ୟ ଗ୍ରାମସଭାର ଅନୁମୋଦନ ଆବଶ୍ୟକ।
ବିଭିନ୍ନ ଆଇନରେ ସେହି ସମସ୍ତ ବ୍ୟବସ୍ଥା ରହିଥିବା କାରଣରୁ ଆଧୁନିକ ଶାସକ ଗଡ଼ଜାତ ରାଜା ଭଳି ମନମୁଖୀ କାର୍ଯ୍ୟ କରିପାରିବେ ନାହିଁ। ସେଥିଲାଗି ପୁଲିସ ଶକ୍ତିକୁ ସେମାନେ ‘ଅତି ଆଗ୍ରହ’ ହୋଇ ସ୍ଥାନୀୟ ଗ୍ରାମବାସୀଙ୍କ ବିରୁଦ୍ଧରେ ପ୍ରୟୋଗ କରୁଛନ୍ତି। ବେଦାନ୍ତ କମ୍ପାନୀକୁ ପ୍ରାଥମିକ ଅନୁମତି ପତ୍ର ମିଳିଥିଲା, ମୈତ୍ରୀ କମ୍ପାନୀଙ୍କୁ ନୁହେଁ। ମୈତ୍ରୀ କମ୍ପାନୀର ମୁଖ୍ୟ ଅଧିକାରୀମାନେ ପୁଲିସଙ୍କ ସହାୟତାରେ ସିଜିମାଳି ଉପରକୁ ଯିବା କଦାପି ପର୍ଯ୍ୟଟନ ଉଦ୍ଦେଶ୍ୟ ନଥିଲା। ସେମାନଙ୍କ ଏପରି ଗସ୍ତକୁ ଲୋକେ ବିରୋଧ କରିଥିଲେ କିନ୍ତୁ ଆକ୍ରମଣ କରିନଥିଲେ। ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିଥାନ୍ତା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ମିଥ୍ୟା ମାମଲା (କୌଣସି ଆଘାତ ନଥାଇ ମଧ୍ୟ ହତ୍ୟା ଉଦ୍ୟମ ଅଭିଯୋଗ ଆଣିବା) ୯୪ ଜଣ ଗ୍ରାମବାସୀ ଓ ୧୦୦ ଅନ୍ୟମାନଙ୍କ ନାମରେ ରୁଜୁ କରିବା ଓ ସେମଧ୍ୟରୁ ୨୪ ଜଣଙ୍କୁ ଗିରଫ କରିବା ପୁଲିସ ଓ ଜିଲ୍ଲା ପ୍ରଶାସନର ଶିଳ୍ପ ପାଇଁ ‘ଅତି ଆଗ୍ରହ’ ହେବା ଏହାର କାରଣ।
କାଶୀପୁରର ଅଞ୍ଚଳର ସିଜିମାଳିକୁ ୧୯୯୪ ମସିହାରେ ପ୍ରଥମେ ଳାର୍ଶନ ଆଣ୍ଡ ଟ୍ୟୁବ୍ରୋ କମ୍ପାନୀକୁ ଖଣି ଖୋଳିବା ଲିଜ୍ ଦିଆଯାଇଥିଲା। ସେ ସମୟରେ ବି ସ୍ଥାନୀୟ ଲୋକେ ‘ଆଞ୍ଚଳିକ ସୁରକ୍ଷା ପରିଷଦ’ ଗଠନ କରି ୧୯୯୫ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଖଣିର ରାସ୍ତାରେ ଗେଟ କରି କମ୍ପାନୀର ଗାଡ଼ିକୁ ବନ୍ଦ କରିଥିଲେ। ଖଣି ଚୁକ୍ତି ସମ୍ପୂର୍ଣ ବାତିଲ ଲାଗି ୪୦ ଖଣ୍ଡ ଗାଁର ଗ୍ରାମବାସୀ ତତ୍କାଳୀନ କଂଗ୍ରେସ ସରକାରଙ୍କୁ ନିଜ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେଇଥିଲେ। କିଛି ‘ଅତି ଆଗ୍ରହୀ’ ଅଧିକାରୀଙ୍କ ଲାଗି ୨୦୦ ଲୋକ ଗିରଫ ହୋଇଥିଲେ।
‘ଅତି ଆଗ୍ରହୀ”ଙ୍କ ଲାଗି ମାଇକଞ୍ଚ ଗୁଳିକାଣ୍ଡ
ଆଜିକୁ ୨୨ ବର୍ଷ ତଳେ ଡିସେମ୍ବର ୧୬, ୨୦୦୦ରେ ଏହିଭଳି ‘ଅତି ଆଗ୍ରହ’ କାରଣରୁ କାଶୀପୁରର ମାଇକଞ୍ଚଠାରେ ପୁଲିସ ଗୁଳିରେ ତିନି ଜଣ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା। ଆଦିତ୍ୟ ବିରଳା - ଉତ୍କଳ ଆଲୁମିନା କମ୍ପାନୀର ବକ୍ସାଇଟ ଖଣି ଖୋଳିବାକୁ ସ୍ଥାନୀୟ ଆଦିବାସୀ ଓ ଦଳିତ ଚାଷୀ ବର୍ଗ ବିରୋଧ କରିବା କାରଣରୁ ଏହି ଗୁଳିକାଣ୍ଡ ପୁଲିସ ଦ୍ଵାରା ହୋଇଥିଲା। ସେତେବେଳେ ଗଠିତ ପିକେ ମିଶ୍ର କମିଶନ ଜିଲ୍ଲାର ତତ୍କାଳୀନ ଏସପିଙ୍କ ନାମ ନେଇ ତାଙ୍କୁ ଦୋଷାରୋପ କରି ଲେଖିଥିଲେ, ‘ନଥିଭୁକ୍ତ ତଥ୍ୟ ଭିତ୍ତିରେ ଏହା ସ୍ପଷ୍ଟ ଯେ ସେ ଏ ବିଷୟରେ ଅତି ଆଗ୍ରହୀ ହୋଇ ଏତେ ସଂଖ୍ୟାରେ ପୁଲିସ ଫଉଜଙ୍କୁ ୧୬. ୧୨. ୨୦୦୦ ଦିନ ଗାଁ ଭିତରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। (ପୃଷ୍ଠା – ୨୦୩)।
କମିଶନ ଜଣେ ପୁଲିସ ଅଫିସରଙ୍କ ନାମ ନେଇ ଉଲ୍ଲେଖ କରିଥିଲେ, ‘ପୁଲିସ ଅଫିସର ମାଇକଞ୍ଚ ଗାଁର ଝୋଡ଼ିଆ ସାହି ଭିତରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ମାଡ଼ ମାରିବା ଦ୍ଵାରା ପରିସ୍ଥିତି ଉତ୍ତେଜନାପୂର୍ଣ ହୋଇଥିଲା।’ (ପୃଷ୍ଠା – ୨୦୧)। ଏପରିକି ତତ୍କାଳୀନ କାଶୀପୁର ଥାନା ଅଧିକାରୀଙ୍କ ନାମ ନେଇ କମିଶନ ଉଲ୍ଲେଖ କରିଥିଲେ, ‘ମାତ୍ରାଧିକ ବଳ ପ୍ରୟୋଗ କରିବାର ଦୋଷ ଉକ୍ତ ଅଧିକାରୀଙ୍କର। ୧୯ ରାଉଣ୍ଡ ପର୍ଯ୍ୟନ୍ତ ଗୁଳିଚାଳନା ଜାରି ରଖି ସେ ଆବଶ୍ଯକୀୟ ସୀମା ଲଙ୍ଘନ କରିଥିଲେ।’
ଏହା ବିଜୁ ଜନତା ଦଳ ଶାସନର ପ୍ରଥମ ବର୍ଷ ଥିଲା। ବିଜୁ ଜନତା ଦଳର ପ୍ରଭାବଶାଳୀ ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ଗୁଳିକାଣ୍ଡ ପଛରେ ରହିଥିବା ଭୂମିକା କମିଶନଙ୍କ ଭାଷାରେ, ‘ଏତେ ସମୟ ଧରି (ଫୋନ) କଥାବାର୍ତ୍ତାରୁ କେତେକାଂଶରେ ଇଙ୍ଗିତ ମିଳୁଛି ଯେ ସମ୍ଭବତଃ ମନ୍ତ୍ରୀ ଏବଂ ଏସପିଙ୍କ ଭିତରେ କିଛି ଆଲୋଚନା ହୋଇଥିଲା ଏବଂ ଏସପିଙ୍କ ତରଫରୁ ଏପରି ଆଲୋଚନା ବିଷୟକୁ ସିଧାସଳଖ ଅସ୍ଵୀକାର କରାଯିବା ବରଂ ଅଧିକ ସନ୍ଦେହ ସୃଷ୍ଟି କରୁଛି।’ (ପୃଷ୍ଠା – ୨୦୨) ଆଦିତ୍ୟ ବିରଳାର ଇତିହାସରେ ସରକାରୀ କର୍ମଚାରୀ ଓ ଶାସକ ଦଳଙ୍କ ‘ଅତି ଆଗ୍ରହ’ର ଅନେକ ନମୁନା ରହିଛି। ଲୋକଙ୍କ ସୁବିଧା ଅସୁବିଧା ବେଖାତିର କରି ଓ ପ୍ରକୃତିର କୌଣସି ସନ୍ତୁଳନତା ନରଖି କମ୍ପାନୀ ଏହିହେତୁ ବକ୍ସାଇଟ ବୋହିନେଉଛି।
ଅଗଷ୍ଟ ୨୯, ୨୦୨୩ରେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଉଦ୍ୟମ କରିବା କେବଳ ଜିଲ୍ଲା ପୁଲିସ ଦ୍ଵାରା ହୋଇନାହିଁ। ଏହାର ଅଭିଯୋଗ ବିଭିନ୍ନ କୋଣରୁ ଆସିବା ପରେ ମଧ୍ୟ ଏହାର କୌଣସି ଅନୁସନ୍ଧାନ ତଥ୍ୟ ଜନସାଧାରଣଙ୍କୁ ଜଣାଇ ଦିଆଯାଇନାହିଁ। ଏପରିକି ଗୃହ ସଚୀବ ଓ ଗୃହ ରାଜ୍ୟମନ୍ତ୍ରୀଙ୍କ ବିଭାଗର ସମ୍ପୃକ୍ତ ରହିଥିବାର ଅଭିଯୋଗ ଆସିବା ପରେ ବି ସେମାନେ ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବା ଲାଗି କୌଣସି ବିବୃତି ମଧ୍ୟ ଦେଉନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହମତି ଅଥବା ସମ୍ପୃକ୍ତି ରହିଥିବାର ସନ୍ଦେହ ଏହାଦ୍ୱାରା ଦୃଢ଼ ହେଉଛି। ଏଭଳି ଅପହରଣ ବିଜେଡ଼ି ସରକାରଙ୍କର ଭିନ୍ନମତ ଉପରେ ଦୃଢ଼ ଆକ୍ରମଣ। ‘ମାଓବାଦୀ ଦମନ’ ଆଳରେ ଯେଉଁ ଦୃଢ଼ ସୈନ୍ୟଶକ୍ତି ଠୁଳ କରାଯାଇଛି, ଆଜି ତାହାକୁ ଭିନ୍ନମତ ବିରୁଦ୍ଧରେ ପ୍ରୟୋଗ କରାଯାଉଛି।
ବହୁଦଳୀୟ ପ୍ରଥାରୁ ଗୋଟିଏ ଦଳର ଶାସନ
ପଚାଶ ଦଶକରେ ଗଣତନ୍ତ୍ର କହିଲେ ବହୁଦଳୀୟ ଶାସନ ବ୍ୟବସ୍ଥା ଥିଲା। କ୍ରମଶଃ ଏହା ଦୁଇଟି ଦଳରେ ରୂପାନ୍ତର ହେଲା। ଆଜି ସମଗ୍ର ଦେଶରେ ଗୋଟିଏ ଦଳ ଯେପରି ଶାସନ କରୁଛି। ଯେଉଁଭଳି ପ୍ରତିଯୋଗିତା କ୍ରମେ କାଶୀପୁର ବ୍ଲକ ଓ ଥୁଆମୂଳରମପୁର ବ୍ଲକର (କଳାହାଣ୍ଡି ଜିଲ୍ଲା) କଂଗ୍ରେସ, ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ସଦସ୍ୟ ନିଜର ପାର୍ଟି ବ୍ୟାନର ନେଇ ‘ବାହାରିଆ ଲୋକଙ୍କୁ ପ୍ରବେଶ ନିଷେଧ’ର ବାର୍ତ୍ତା ଦେଲେ ତାହା ଦ୍ଵାରା ଶାସକ ଓ ବିରୋଧୀ ଏକ ହୋଇଥିବା ନିଶ୍ଚିତ।
କଂଗ୍ରେସ, ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ସମ୍ବିଧାନକୁ ଛୁଇଁ ଶପଥ ନେଇଥିବା ଦଳ। ସେମାନେ ସମ୍ବିଧାନର ଧାରା ସମ୍ପର୍କରେ ଅବଗତ। କେହି ବି କୌଣସି ଅଞ୍ଚଳକୁ ଯାଇ ନିଜର ମତ ରଖିପାରିବ। ଅଥଚ ନିଜର ବ୍ଲକ ସ୍ତରୀୟ ପ୍ରତିନିଧିଙ୍କ ମତକୁ ଖଣ୍ଡନ କରି କୌଣସି ଦଳର ରାଜ୍ୟ ସ୍ତରୀୟ ନେତା କୌଣସି ବିବୃତି ନଦେବା ପରେ ସ୍ଵାଭାବିକ ପ୍ରଶ୍ନ ଆସୁଛି, ବହୁଦଳୀୟ ମତରୁ ଯଦି ଆମେ ଗୋଟିଏ ଦଳର ମତରେ ପହଞ୍ଚିଲେ ତେବେ ଏହାପରେ ଗଣତନ୍ତ୍ରର ଭବିଷ୍ୟତ କ’ଣ? ଲୋକେ ତ ସେହି ଗୋଟିଏ ଦଳର ମତକୁ ଗ୍ରହଣ କରୁନାହାନ୍ତି। ତେବେ କଣ ଆହୁରି ଦମନ ଦ୍ଵାରା ହିଁ ସମସ୍ତଙ୍କୁ ଗୋଟିଏ ପଞ୍ଜୁରୀ ମଧ୍ୟରେ ବନ୍ଦ କରିଦିଆଯିବ?
କଂଗ୍ରେସ ପାର୍ଟିର ମୁଖ୍ୟ ରାହୁଲ ଗାନ୍ଧୀ ଡଙ୍ଗରିଆ କନ୍ଧଙ୍କ ବେଦାନ୍ତ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇ ହୁଏତ କେବେ ଦିନେ ଘୋଷଣା କରିଥିଲେ, ‘ଦିଲ୍ଲୀରେ ମୁଁ ଆପଣଙ୍କ ସୈନିକ’। (“I am your soldier in Delhi” ହିନ୍ଦୁସ୍ତାନ ଟାଇମ୍ସ ଅଗଷ୍ଟ ୨୬, ୨୦୧୦) ତତ୍କାଳୀନ କଂଗ୍ରେସ ନେତୃତ୍ଵାଧୀନ କେନ୍ଦ୍ର ସରକାର ନିୟମଗିରିରେ ବେଦାନ୍ତ କମ୍ପାନୀକୁ ଦେଇଥବା ପରିବେଶ ଅନୁମତି ପତ୍ର ବାତିଲ କରିବା କାରଣରୁ ଆଜି ଯେ କମ୍ପାନୀକୁ ସିଜିମାଳିର ଦ୍ଵାରସ୍ଥ ହେବାକୁ ପଡ଼ିଛି, ଏକଥା ନିଶ୍ଚୟ ପାର୍ଟିର ସଦସ୍ୟ ଭୁଲିବାକୁ ଚେଷ୍ଟା କରିବେ।
ହୁଏତ ଜନତା ଦଳ ଆଜି ଅସ୍ଵୀକାର କରିବ ଯେ କଂଗ୍ରେସ ପାର୍ଟି ଶାସନ ସମୟରେ (୧୯୯୫ – ୧୯୯୯) ଚାଲିଥିବା ଟାଟା ବିରୋଧୀ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳର ଆନ୍ଦୋଳନରେ ସେମାନଙ୍କ ଭୂମିକା କ’ଣ ରହିଥିଲା। ତତ୍କାଳୀନ ବିଧାନସଭା ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ରଘୁନାଥ ମହାନ୍ତି ଓ ପ୍ରସନ୍ନ ପାଟ୍ଟଶାଣି ୩୦ ଅଗଷ୍ଟ ୧୯୯୬ରେ ଏକ ବିବୃତି ରଖିଥିଲେ, ‘ଶିଳ୍ପ ଲାଗି କୃଷି ଅର୍ଥନୀତିକୁ ନଷ୍ଟ କରିଦିଆନଯାଉ ଓ ସରକାର ଉଭୟ ଧନୀ ଓ ଗରିବଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ନିଶ୍ଚିତ କରନ୍ତୁ।’ ସେମାନେ ଅପିଲ କରିଥିଲେ, ‘ଅଞ୍ଚଳର ଲୋକେ (ଗୋପାଳପୁର) ଏକ ନ୍ୟାୟପୂର୍ଣ୍ଣ ଓ ଯଥାର୍ଥ ଲଢ଼େଇ ଲଢୁଛନ୍ତି। ଆଜି ସରକାର ନିର୍ବିଚାର ଭାବରେ ଯେଉଁ ଦମନଲୀଳା ଚଳାଇ ରଖିଛନ୍ତି ତାହାକୁ ସାମ୍ନା କରିବାକୁ ହେଲେ ସମାଜର ବିବେକୀ ମଣିଷ, ସାମାଜିକ କର୍ମୀ, ଓକିଲ, ପରିବେଶବିତ ପ୍ରମୁଖଙ୍କ ନୈତିକ ସମର୍ଥନ ସେମାନଙ୍କ ଲାଗି ଜରୁରୀ।’
(But the State with its vast machinery will continue to let loose reigns of repression to which the people may not stand unless they get the moral support from the national conscience – keepers from across the country….. Signed by Ranendra Pratap Swain, MLA; Raghunath Mohanty, MLA; Dr. Prasanna Patasani, MLA, camp: Orissa Niwas, New Delhi, Dated: 30th August 1996)
ଜନତା ଦଳର ପରବର୍ତ୍ତୀ ସଂସ୍କରଣ ହେଲା ବିଜୁ ଜନତା ଦଳ। ଏହି ଦଳ ଅବଶ୍ୟ କ୍ଷମତାକୁ ଆସିବା ପରେ ନିଜର ରଙ୍ଗ ଅନେକ ବାର ବଦଳାଇଛି। ସେମାନେ କ୍ଷମତାଶାଳୀ ହେବା ପରେ ଶିଳ୍ପ ଲାଗି ସବୁଠାରୁ ଅଧିକ ଗୁଳିକାଣ୍ଡ ଓ ଗିରଫ କରିଛନ୍ତି। କଳିଙ୍ଗ ନଗର ଓ ଢିଙ୍କିଆ ଅଞ୍ଚଳ ଏହାର ନମୁନା।
ଏକ ଦକ୍ଷିଣପନ୍ଥୀ ରାଜନୈତିକ ଦଳ ଭାବରେ ବିଜେପି ନିଜର ରଙ୍ଗ କେବେ ବଦଳାଇ ନାହିଁ। ଦକ୍ଷିଣପନ୍ଥୀ ବିଚାରର ସମର୍ଥକମାନେ ଜାତି, ଧର୍ମ ଓ ପୁଞ୍ଜି ନାମରେ ନିଜର ଖଣ୍ଡଯୁଦ୍ଧକୁ ରାସ୍ତା, ଖେଳପଡ଼ିଆ, ଧର୍ମସ୍ଥଳୀ, ଷ୍ଟାଡିୟମ, ଟ୍ରେନ ବସ ସବୁଠାରେ ଦେଖାଇଛନ୍ତି। ସେମାନେ ସମ୍ବିଧାନର ଶପଥ ନେଇଛନ୍ତି ଓ ଦଳିତ, ଧାର୍ମିକ ଅଳ୍ପସଂଖ୍ୟକ ଓ ଆଦିବାସୀ ତଥା ଏହି ବର୍ଗର ନାରୀଙ୍କୁ ସର୍ବଦା ସେମାନେ ନିଜର ଆକ୍ରମଣର ବିନ୍ଦୁ କରିଛନ୍ତି। କନ୍ଧମାଳ ହିଂସା, ହଥ୍ରାସ, ଜଜ୍ଜର ଭଳି ଅନେକ ଘଟଣା ରହିଛି। ଆଜି ଯେବେ ସେମାନେ ଭିନ୍ନମତ ବିରୁଦ୍ଧରେ ଖୋଲାଖୋଲି ଠିଆ ହେଉଛନ୍ତି ତାହା ଚକିତ କରୁନାହିଁ।
ଶେଷ ପାହାଚ
କୌଣସି ଅଞ୍ଚଳରେ ଶିଳ୍ପ କାରଖାନା ବା ଖଣିକୁ ସଫଳ କରିବା ଲାଗି ଏହି ‘ଅତି ଆଗ୍ରହୀ’ କମ୍ପାନୀ କର୍ମୀଙ୍କ ଦ୍ଵାରା ସ୍ଥିରୀକୃତ ପାହାଚ ପରେ ପାହାଚ ରହିଛି। ପ୍ରଥମେ ଦାରିଦ୍ର୍ୟ ଓ ବେକାରୀ ହଟାଇବା ଆଳରେ ପ୍ରବେଶ କରିବା, ଏହାପରେ କିଛି ଉତ୍ତେଜନାତ୍ମକ ଘଟଣା ସୃଷ୍ଟି କରାଯିବା, ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ କିଛି କରିଥାନ୍ତୁ ଅଥବା ନକରିଥାନ୍ତୁ କିନ୍ତୁ ମିଥ୍ୟା ମାମଲା ରୁଜୁ କରି ଜେଲ ପଠାଇବା, ଏହାପରେ ଜେଲରେ ଥିବା ଲୋକଙ୍କୁ ଦୋଷ ଦେଇ ସେମାନଙ୍କ ଘରେ ଟଙ୍କା, ଚାଉଳ ଓ ଲୁଗା ବାଣ୍ଟିବା, ଲୋକେ ଜେଲରେ ଥିବା ବେଳେ ଜନଶୁଣାଣି ଓ ଗ୍ରାମସଭାର ପ୍ରକ୍ରିୟା ଆରମ୍ଭ କରିବା ଗୋଟିଏ ପରେ ଗୋଟିଏ ରହିଛି। ଏହା ପରର ଶେଷ ପାହାଚ ହେଉଛି ଜେଲରୁ ମୁକ୍ତ ହେବା ବେଳକୁ ସ୍ଥାନୀୟ ନେତାଙ୍କ ନିଜ ଜମି ଓ ଜଙ୍ଗଲକୁ କମ୍ପାନୀ ନେଇସାରିଥିବା ଓ ସେହି ସମସ୍ତ ପ୍ରକ୍ରିୟାକୁ ‘ଅତି ଆଗ୍ରହୀ’ଙ୍କ ଦ୍ଵାରା ଅଞ୍ଚଳର ବିକାଶ କହିବା।
ଏହି କ୍ରମାଗତ ଉଦ୍ୟମ ପଛରେ ଏକ ବଡ଼ ସତ୍ୟ ଲୁଚି ଯାଉଛି। ତାହା ହେଲା, ଅଧିକାରୀ ଓ ଦଳୀୟ ସଦସ୍ୟମାନେ ଯେ ‘ଅତି ଆଗ୍ରହୀ’ ନହୋଇ ସ୍ଵାଭିମାନ ଓ ସମ୍ମାନର ଜୀବନ ବଞ୍ଚିପାରିବେ ତାହାକୁ ମିଥ୍ୟା ହେବା ଲାଗି ବାଧ୍ୟ କରିବା। ଏହାଠାରୁ ଲୁଚିଯାଉଥିବା ଆହୁରି ବଡ଼ ସତ୍ୟ ହେଲା, ପ୍ରକୃତିର ପାଣି ପବନକୁ ନେଇ ବଞ୍ଚୁଥିବା ମଣିଷମାନେ ଯେ ଅଧିକ ବିକଶିତ ଓ ପ୍ରକୃତିର ଅଧିକ ଉପକାରୀ ସେହି ତତ୍ତ୍ୱକୁ ମିଥ୍ୟା ପ୍ରମାଣିତ କରିବା। ଏଭଳି ଅସତ୍ୟର ପରାଜୟ ହେଉ। ‘ବିକାଶ’ କାହା ଲାଗି ଅତ୍ୟଧିକ ମିଠା ନହେଉ, ହେଲେ ସମାଜରେ ମଧୁମେହ ହେବାର ଆଶଙ୍କା ରହିଛି।
ଫୋ - ୯୪୩୭୭୬୨୨୭୨