Advertisment

ଶସ୍ତା ତେଲର ଧୋକାବାଜି ଓ ଟ୍ରମ୍ଫଙ୍କ ଟାରିଫ-ଲକଡାଉନ

ସେ ସମୟରେ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ହୋଇଥିଲା ଯେ ଲୋକେ ଏହାପରେ କମ ଦରରେ ପେଟ୍ରୋଲ ଓ ଡିଜେଲ ପାଇବେ। ଦେଶର ଦରଦାମ କମ ହେବ। କିଏ ଜାଣିଥିଲା ଯେ ଏକବିଂଶ ଶତାବ୍ଦୀରେ ବି ପ୍ରାଣବନ୍ଧୁ କରଙ୍କ ଧନୀ ସାହୁ ନୂଆ ରୂପରେ ଆବିର୍ଭୂତ ହୋଇଛି। ଦେଶ ମଧ୍ୟକୁ ରୁଷିଆରୁ ତେଲ ଆସିବା ଆଗରୁ ସମୁଦାୟ ତେଲର ବଡ଼ ଭାଗ ନିଜେ ନେଇଯାଇଥିଲେ, ସରକାରୀ ଜ୍ଞାତରେ।

Representative Image

Representative Image

Advertisment

ଦେବ ରଞ୍ଜନ

ପ୍ରାଣବନ୍ଧୁ କରଙ୍କ ଚମତ୍କାର ଗଳ୍ପ ‘ସୁଅ ମୁହଁରେ ପତର’ର ପୃଷ୍ଠଭୂମି ହେଉଛି ଦ୍ଵିତୀୟ ବିଶ୍ଵଯୁଦ୍ଧ। ଯୁଦ୍ଧର ସୁଯୋଗ ନେଇ ବେପାରୀ ଧନୀ ସାହୁ କିଳାପୋତେଇ କରି ବଡ଼ ହେବାରେ ଲାଗିଛି, ଅଥଚ ଗରିବ ହେଉଛି ଚାଷୀ ଅପର୍ତ୍ତି। ମୁଣ୍ଡ ଉପରେ ଘୁଁ ଘୁଁ ହୋଇ ଉଡ଼ାଜାହାଜ ଉଡ଼ିଲେ ଅପର୍ତ୍ତି ଡରିଯାଇ ବୁଦାମୂଳେ ଲୁଚିଯାଉଛି। ପୁଣି ସେହି ଅପର୍ତ୍ତି ଦାରିଦ୍ର୍ୟ ସମ୍ଭାଳି ନପାରି ଧନୀ ସାହୁ ଘରୁ ଚୋରୀ କରିବାକୁ ଅପର୍ତ୍ତିର ସ୍ତ୍ରୀ ବାରଣ କରୁଛି। ସ୍ଵାମୀ ଅପର୍ତ୍ତି ସ୍ତ୍ରୀ ଗୁରେଇକୁ କହୁଛି, ‘ଗୁରେଇ, ଭଲନୋକ ହେଲେ ଦୁଃଖ ଭୋଗିବାକୁ ହୁଏ’। ଗୁରେଇ ତ ସେହି ସତ୍ୟକୁ ସ୍ଵୀକାର କରିନେଉଛି, କିନ୍ତୁ ଆଜି ଆମେ ଏକବିଂଶ ଶତାବ୍ଦୀରେ ବି ରୁଷିଆରୁ ଶସ୍ତାରେ ତେଲ ଆଣିବା ଓ ଟ୍ରମ୍ଫଙ୍କ ଟାରିଫ ଧମକ ମଧ୍ୟରେ ଦେଖିବାକୁ ପାଉଛେ ଧନୀ ସାହୁର ଧୋକାବାଜି ଓ ଅପର୍ତ୍ତି ଲାଗି ଟ୍ରମ୍ଫଙ୍କ ଲକଡାଉନ।

Advertisment

ୟୁକ୍ରେନର କିଛି ଅଂଶକୁ ଜବରଦସ୍ତି ଦଖଲକୁ ନେବା ଲାଗି ରୁଷିଆ ଗଲା ଫେବୃଆରୀ ୨୪, ୨୦୨୨ ଦିନ ଅଚାନକ ଆକ୍ରମଣ କରିଥିଲା। ୟୁକ୍ରେନର ଅନେକ ଗୃହ ଧ୍ଵଂସ ହୋଇଗଲା। ଅନେକ ଲୋକ ମୃତ୍ୟୁବରଣ କଲେ। ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନରୁ ଫେରିବା ମଧ୍ୟ କଷ୍ଟ ହୋଇପଡ଼ିଲା। ନିଜର ସାର୍ବଭୌମତ୍ଵକୁ ରକ୍ଷା କରିବା ଲାଗି ଯୁକ୍ରେନ ଅତି ବିକଳ ହୋଇ ଅନେକ ଦେଶଠାରୁ ସହଯୋଗ ମାଗିଥିଲା।

ଯୁଦ୍ଧ ସିନା ଅନେକ ଲୋକଙ୍କ ଲାଗି ଅସୁମାରୀ ଦୁଃଖ ଆଣିଥାଏ, କିନ୍ତୁ ଯୁଦ୍ଧ କିଛି ଲୋକଙ୍କ ଲାଗି ଅଧିକ ଧନୀ ହେବାର ସୁଯୋଗ ମଧ୍ୟ ଆଣିଥାଏ, ଠିକ ‘ସୁଅ ମୁହଁରେ ପତର’ର ଧନୀ ସାହୁ ଭଳି। ପାର୍ଥକ୍ୟ କେବଳ କିଛି ଦଶନ୍ଧିର। ଆଜି ବି ଧନୀ ସାହୁମାନେ ଏକ ଭଲ ଯୁଦ୍ଧର ଅପେକ୍ଷାରେ ରହିଛନ୍ତି ଯାହା ଦ୍ଵାରା ସେମାନେ ଭଲ ବ୍ୟବସାୟ କରିପାରିବେ। ଏହି ଅର୍ଥନୀତିରେ ମାନବିକତା ଓ ନୈତିକତା କିଛି ବି କାମ ଦେଇନଥିଏ।

Advertisment

ଭଲଲୋକଙ୍କ ପ୍ରତି କେନ୍ଦ୍ରର ଧୋକାବାଜି

ରୁଷିଆର ଏଭଳି ଆକ୍ରମଣର ପ୍ରତିବାଦ ସମଗ୍ର ବିଶ୍ଵରେ ଦେଖାଯାଇଥିଲା। ତେଣୁ ସମର୍ଥନ ଯୋଗାଡ଼ କରିବାର ଆଶାରେ ରୁଷିଆ ତେଲ ରାଜନୀତି ଆରମ୍ଭ କରିଥିଲା। ୟୁରୋପ ନିର୍ଦ୍ଦିଷ୍ଟ କରିଥିବା ବ୍ୟାରେଲ ପିଛା ଦରଠାରୁ କମ ଦରରେ ଅଶୋଧିତ ତୈଳ ବିକ୍ରି କରିବା ଲାଗି ରୁଷିଆ ନିଷ୍ପତ୍ତି ନେଇଥିଲା। ଭାରତ ସରକାର ଏହି ସୁଯୋଗରେ କମ ଦରରେ ତେଲ କିଣିବା ଲାଗି ରୁଷିଆ ସହିତ ଚୁକ୍ତି କରିଥିଲେ। ଏହି ଚୁକ୍ତି ଅନୁସାରେ ଭାରତ ରୁଷିଆରୁ ମାର୍ଚ୍ଚ ୨୮, ୨୦୨୨ ଦିନରୁ କମ ଦରରେ ତେଲ କିଣିଆସୁଛି। ୟୁକ୍ରେନର ସାର୍ବଭୌମତ୍ଵକୁ ସମ୍ମାନ ଦେବା ଓ ସୁରକ୍ଷାରେ ସହଯୋଗ କରିବା ଅପେକ୍ଷା କେନ୍ଦ୍ର ସରକାର ‘ଦେଶବାସୀଙ୍କ ସ୍ଵାର୍ଥ’କୁ ଅଧିକ ଗୁରୁତ୍ଵ ଦେଇଥିଲେ।

ହଁ, ସେ ସମୟରେ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ହୋଇଥିଲା ଯେ ଲୋକେ ଏହାପରେ କମ ଦରରେ ପେଟ୍ରୋଲ ଓ ଡିଜେଲ ପାଇବେ। ଦେଶର ଦରଦାମ କମ ହେବ। କିଏ ଜାଣିଥିଲା ଯେ ଏକବିଂଶ ଶତାବ୍ଦୀରେ ବି ପ୍ରାଣବନ୍ଧୁ କରଙ୍କ ଧନୀ ସାହୁ ନୂଆ ରୂପରେ ଆବିର୍ଭୂତ ହୋଇଛି। ଦେଶ ମଧ୍ୟକୁ ରୁଷିଆରୁ ତେଲ ଆସିବା ଆଗରୁ ସମୁଦାୟ ତେଲର ବଡ଼ ଭାଗ ନିଜେ ନେଇଯାଇଥିଲେ, ସରକାରୀ ଜ୍ଞାତରେ।

‘ବିଜିନେଶ ଷ୍ଟାଣ୍ଡାର୍ଡ’ ଓ ‘ଦି ୱେୟାର’ର ରିପୋର୍ଟ ଅନୁସାରେ, ଭାରତ ସରକାର ଓ ରୁଷିଆ ସରକାରଙ୍କ ମଧ୍ୟରେ ହୋଇଥିବା ତୈଳ ଚୁକ୍ତିର ସବୁଠାରୁ ବଡ଼ ଫାଇଦା ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କମ୍ପାନୀକୁ ମିଳିଛି। ଦେଶ ମଧ୍ୟକୁ ଉକ୍ତ ତେଲ ଆସିବା ପୂର୍ବରୁ ଆନୁମାନିକ ୮୧ ପ୍ରତିଶତ ତେଲକୁ ଏହି କମ୍ପାନୀ କମ ଦରରେ କିଣି ବିଦେଶ ରାଷ୍ଟ୍ରମାନଙ୍କୁ ତାହାଠାରୁ ଅଧିକ ଦରରେ ବିକ୍ରି କରୁଛି। ଏହାଦ୍ୱାରା କମ୍ପାନୀ କେତେ ପରିମାଣରେ ଲାଭ କରୁଥିଲେ ତାହା ଅନୁମାନ କରିବା କଷ୍ଟ। ଅସମର୍ଥିତ ରିପୋର୍ଟ ଅନୁସାରେ ଏହା ପ୍ରାୟ ୭୦୦୦ କୋଟି ଡଲାରର ଫାଇଦା ହୋଇଛି। ରିଲାଏନ୍ସ ସହିତ ଅନ୍ୟ ଏକ ପ୍ରାଇଭେଟ ରୁଷିଆନ କମ୍ପାନୀ ମଧ୍ୟ ଅଛି ଯେ ଏହି ବ୍ୟବସାୟରେ ସମ୍ପୃକ୍ତ। (Source: https://thewire.in/trade/mukesh-ambani-owned-reliance-industries-biggest-beneficiary-from-russian-oil-imports-report/ August 24, 2025)

ନା ଭାରତ ସରକାର ନା ରିଲାଏନ୍ସ କମ୍ପାନୀ ‘ଦି ୱେୟାର’ର ରିପୋର୍ଟକୁ ଅସ୍ଵୀକାର କରୁଛନ୍ତି! ତେଣୁ ତଥ୍ୟ ସତ୍ୟ ମନେହେଉଛି। ଗଣତନ୍ତ୍ର ଶାସନକୁ କେଉଁଭଳି ମାଡ଼ି ମକଚି ଦଳି ଦିଆଯାଇପାରେ ଏହା ତାହାର ନମୁନା।

ସ୍ଥିର ପେଟ୍ରୋଲ ଦର

କେନ୍ଦ୍ର ସରକାର ୨୦୧୭ ମସିହାରେ ଡାଇନାମିକ ବ୍ୟବସ୍ଥା ଲାଗୁ କରିଥିଲେ। ଏଥିରେ ଯୁକ୍ତି କରିଥିଲେ ଯେ ଆନ୍ତର୍ଜାତିକ ତୈଳ ଦର ଯେଉଁଭଳି ପ୍ରତିଦିନ ବଢୁଛି ଓ କମୁଛି ହେଉଛି ଏହାର ସୁବିଧା ଦେଶବାସୀ ପାଇବା କଥା। ସେହି ବର୍ଷଠାରୁ ପ୍ରତିଦିନ ତୈଳଦର ହୁଏତ ବଢୁଥିଲା ଅଥବା କମୁଥିଲା। ଆଶ୍ଚର୍ଯ୍ୟର ବିଷୟ ଯେ ମାର୍ଚ୍ଚ ୨୮, ୨୦୨୨ ପରଠାରୁ ଆଜି କି ତିନି ବର୍ଷରୁ ଅଧିକ ସମୟ ହେଲା ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। (https://enewsinsight.com/petrol-and-diesel-prices-odisha-march-28-2022)

ଭୁବନେଶ୍ଵରରେ ଲିଟର ପିଛା ପେଟ୍ରୋଲ ୨୦୨୨ ମସିହାରେ ୧୦୧ ଟଙ୍କା ଥିଲା। ଆଜି ବି ଏହା ୧୦୧ ଟଙ୍କା ହୋଇଛି। ଏପରି କି ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦର ବ୍ୟାରେଲ ପିଛା ୭୬ ଡଲାର ରହିଥିଲା ସେତେବେଳେ ବି ଏହାର ସେହି ଦର ଥିଲା। ରୁଷିଆରୁ ତାହା ଠାରୁ ଶସ୍ତାରେ, ବ୍ୟାରେଲ ପିଛା ୫୬ ଡଲାରରେ ଆଣୁଥିବା ସତ୍ତ୍ୱେ ପେଟ୍ରୋଲର ସେହି ଦର ରହିଛି। ଶସ୍ତାରେ ଆସୁଥିବା ତେଲଙ୍କୁ ଦେଶବାସୀଙ୍କୁ ଉପଲବ୍ଧ କରାଯାଇନାହିଁ ଏହା ସ୍ପଷ୍ଟ ହେଉଛି।

ଗଳ୍ପରେ ଅପର୍ତ୍ତିର ଅଭିଯୋଗ ଯେ ସରକାରଙ୍କ ଦ୍ଵାରା ଦିଆଯାଇଥିବା ଏକ ଟଙ୍କାର ଲୁଗାକୁ ଧନୀ ସାହୁ ପାଞ୍ଚ ଟଙ୍କାରେ ବିକୁଛି। ପ୍ରାଣବନ୍ଧୁ କରଙ୍କ ‘ସୁଅ ମୁହଁରେ ପତର’ ଗଳ୍ପରେ କଣ୍ଟ୍ରୋଲ ଦୋକାନୀ ଧନୀ ସାହୁର କଳାବଜାରୀର କାର୍ଯ୍ୟଧାରା ପଡ଼ିଛି। କାରଣ ସେ ସମୟକୁ ଦେଶ ସ୍ଵାଧୀନ ହୋଇଛି। ପୋଲିସ ଅପର୍ତ୍ତିର ଚୋରୀକୁ ଧରିବା ବଦଳରେ ଧନୀ ସାହୁର ଗୋଦାମକୁ ଖାନତଲାସ କରୁଛି। ଏବେ କିନ୍ତୁ ଆଧୁନିକ ଧନୀ ସାହୁଙ୍କୁ ଧରିବା ଲାଗି କେନ୍ଦ୍ର ସରକାର ବଳ ସଞ୍ଚୟ କରିପାରୁନାହାନ୍ତି। କାରଣ ସେ ନିଜେ ଏହି ଲୁଟରେ ସାମିଲ ଅଛନ୍ତି। ଏହିପରି କାରଣ ପାଇଁ ଦେଶରେ ଆର୍ଥିକ ବିଷମତା ବଢ଼ିବାରେ ଲାଗିଛି।

ଭାରତୀୟ ଭଲଲୋକଙ୍କୁ ଟ୍ରମ୍ଫଙ୍କ ଲକ୍ଷ୍ୟ

ଏହା କଦାପି ପ୍ରସଙ୍ଗ ନୁହେଁ ଯେ ଟ୍ରମ୍ଫ କାହିଁକି ରୁଷିଆରୁ ସର୍ବାଧିକ ତେଲ କିଣୁଥିବା ଚୀନ ଉପରେ ଟାରିଫ ରେଟ ବଢ଼ାଇଲେ ନାହିଁ। ଏହା ଚୀନ- ଆମେରିକାର ବଜାର ସମ୍ବନ୍ଧ ଯେ ସେମାନେ କେଉଁଭଳି ବ୍ୟବସାୟ ଜାରି ରଖିବେ। ପ୍ରସଙ୍ଗ ହେଉଛି ରୁଷିଆରୁ ଶସ୍ତାରେ ତେଲ ଆଣୁଥିବା ଅଭିଯୋଗରେ ଟ୍ରମ୍ଫଙ୍କ ଭାରତ ଲାଗି ଟ୍ରମ୍ଫଙ୍କ ଟାରିଫ ଘୋଷଣା।

ଟ୍ରମ୍ଫ ୫୦ ପ୍ରତିଶତ ଟାରିଫ ତାଲିକା ମଧ୍ୟରେ ରହିଛି ପୋଷାକ, ସାମୁଦ୍ରିକ ମାଛ ଓ ଚିଙ୍ଗୁଡ଼ି, ଅଳଙ୍କାର, ଚମନା, ଔଷଦ ଓ କୃଷିଜାତ ଦ୍ରବ୍ୟ। ଟ୍ରମ୍ଫଙ୍କ ୫୦ ପ୍ରତିଶତ ଟାରିଫ ତାଲିକାରୁ ବାଦ ପଡ଼ିଛି ଇସ୍ପାତ, ଆଲୁମିନିୟମ, ଇଲେକ୍ଟ୍ରୋନିକ ଦ୍ରବ୍ୟ ଓ ଏସୟୁଭି ଓ ସେଡେନ ଭଳି ଗାଡ଼ି। ଇସ୍ପାତ, ଆଲୁମିନିୟ ଓ ଇଲେକ୍ଟ୍ରୋନିକ ଦ୍ରବ୍ୟ ଭାରତୀୟ ବଡ଼ ଶିଲ୍ପପତିମାନେ ରପ୍ତାନୀ କରିଥାନ୍ତି। ଏବେ ମାତ୍ର ୧୧ ପ୍ରତିଶତ ଟାରିଫ ଦେଇ ସେମାନେ ଏହି ସମସ୍ତ ଜିନିଷ ଆମେରିକାକୁ ରପ୍ତାନୀ କରିପାରିବେ।

ଟ୍ରମ୍ଫଙ୍କ ୫୦ ପ୍ରତିଶତ ଟାରିଫ ଘୋଷଣା ପରେ ରତ୍ନ ଓ ଅଳଙ୍କାର ଶିଳ୍ପରେ ୧୧ ବିଲିଅନ ଡଲାର କ୍ଷତିଗ୍ରସ୍ତ ହେବ। ଏହି କ୍ଷେତ୍ରରେ କାମ କରୁଥିବା ୧ ଲକ୍ଷରୁ ୧.୫ ଲକ୍ଷ ଶ୍ରମିକ କାମ ହରାଇବେ। କେତେ ମାଲିକ ନୂଆ ଅର୍ଡର ନପାଇବା କାରଣରୁ କାରିଗରମାନେ କାମ ବନ୍ଦ କରିବସିଛନ୍ତି। ଅତିଶୀଘ୍ର ଏହି ଶିଳ୍ପ ଭେଣ୍ଟିଲେଟର ମଧ୍ୟକୁ ଚାଲିଯିବ।

ଖବର ଅନୁସାରେ ଆମେରିକାକୁ ଭାରତରୁ ୧୫୦୦ କୋଟି ତାଙ୍କର ଚିଙ୍ଗୁଡ଼ି ରପ୍ତାନୀ ହେଉଥିଲା। ଏବେ ୧୫ ଲକ୍ଷ ଲୋକ ଜୀବିକା ହରାଇବେ।

ତାମିଲନାଡୁ, କେରଳ, ହରିୟାନା ଓ ମହାରାଷ୍ଟ୍ରରେ ଅବସ୍ଥାପିତ ଅନେକ ଛୋଟ ଛୋଟ ଗାର୍ମେଣ୍ଟ ଶିଳ୍ପ ଉଦ୍ୟୋଗୀ ଆମେରିକାକୁ ପୋଷାକ ରପ୍ତାନୀ କରିଥାନ୍ତି। ଏହି ସମସ୍ତ ଉଦ୍ୟୋଗରେ ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର ଇତ୍ୟାଦି ରାଜ୍ୟରୁ ଲକ୍ଷ ଲକ୍ଷ ଯୁବକ ଯୁବତୀ, ଆନୁମାନିକ ୫୦ ଲକ୍ଷ, ସେହି ସମସ୍ତ ଗାର୍ମେଣ୍ଟ ଶିଳ୍ପରେ କାମ କରନ୍ତି। କିନ୍ତୁ ଆଜିର ସ୍ଥିତିରେ ସେମାନେ ପୁଣି ବେରୋଜଗାର ହୋଇଯିବେ। ହୁଏତ ସଂପୂର୍ଣ୍ଣ ଶିଳ୍ପ ଆଇସିୟୁ ମଧ୍ୟକୁ ଚାଲିଯାଇପାରେ।

ଠିକ ଏମିତି ସେମାନେ କାରୋନା ସମୟରେ ସାମ୍ନା କରିଥିଲେ। ଛୋଟ ଓ ମାଧ୍ୟମ ଶିଳ୍ପ କାରଖାରାର ଶ୍ରମିକମାନେ ଗାଁକୁ ଫେରିଆସିଥିଲେ। ମାତ୍ର ଏଠାରେ ରୋଜଗାରର କୌଣସି ସୁବିଧା ନଥିବାଲା। କାରୋନା ଜନିତ ଲକଡାଉନ ଅପସାରଣ ପରେ ସେମାନେ ସେହି ଶିଳ୍ପକୁ ଫେରିଯାଇଥିଲେ। ହେଲେ ଟ୍ରମ୍ଫଙ୍କ ଲକଡାଉନର ସମାପ୍ତି କେବେ ହେବ କହିହେଉନି।

କେନ୍ଦ୍ର ସରକାରଙ୍କ ଲାଗି ଏବେ ବଡ଼ ଦ୍ଵନ୍ଦ ଯେ ସେ ରିଲାଏନ୍ସର ସ୍ଵାର୍ଥକୁ ଦେଖିବେ କି ସାଧାରଣ ଦେଶବାସୀଙ୍କ ସ୍ୱାର୍ଥକୁ ଦେଖିବେ। କିନ୍ତୁ ଏକ ବିରାଟ ସତ୍ୟ ଉନ୍ମୋଚନ ହୋଇଛି ଯେ ଟ୍ରମ୍ଫଙ୍କ ଟାରିଫ ଯୋଜନା ଭାରତୀୟ ଅର୍ଥନୀତିକୁ ‘ଭଲଲୋକ’ ଓ ‘ଅଭଲଲୋକ’ ମଧ୍ୟରେ ବାଣ୍ଟିଦେଇଛି।

ମୋବାଇଲ- ୯୪୩୭୭୬୨୨୭୨

Russia-Ukraine War USA Donald Trump Russia Tariff Rules
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe