ଜାନକୀଶ ବଡ଼ପଣ୍ଡା
ଓଡ଼ିଶାରେ ଗୋଟିଏ ବି ଅନ୍ତର୍ଜାତୀୟ ବିମାନ ବନ୍ଦର ନଥିଲା ବେଳେ ବିଦେଶରୁ ଓଡ଼ିଶା ଆସୁଥିବା ପ୍ରବାସୀ ଓଡ଼ିଆ, ବିଦେଶୀ ପର୍ଯ୍ୟଟକ ଏବଂ ନିବେଶକମାନେ ହଇରାଣ ଅସୁବିଧା ଭୋଗୁଥିଲେ। ଓଡ଼ିଶାବାସୀ ମଧ୍ୟ ସେଥିପାଇଁ ମାନସିକ ଭାବେ ଦୁଃଖୀ ରହୁଥିଲେ। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୨୦୧୩ ମସିହା ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରିଥିଲେ। ତେବେ, ଭୁବନେଶ୍ୱରରୁ ବିଦେଶକୁ ପ୍ରଥମ ଥର ପାଇଁ ବ୍ୟବସାୟିକ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା ୨୦୧୫ ମସିହା ଠାରୁ। ସେତେବେଳେ ଭୁବନେଶ୍ୱରରେ ଯାତ୍ରୀଙ୍କ କଷ୍ଟମସ୍, ପାସପୋର୍ଟ୍ ଓ ଭିସା ତନଖି କରାଯାଇ ହବ୍-ଆଣ୍ଡ-ସ୍ପୋକ୍ ମଡେଲ୍ ଆଧାରରେ ଦିଲ୍ଲୀ ବାଟ ଦେଇ ଲଣ୍ଡନ, ନିୟୁର୍କ ଏବଂ ଦୁବାଇ ଯିବା ସମ୍ଭବ ହେଲା। ପରେ କୋଭିଡ୍ କାରଣରୁ, କିଛି କାଳ ଆନ୍ତର୍ଜାତିକ ଉଡ଼ାଣ ବନ୍ଦ ହୋଇଯାଇଥିଲା। ୨୦୨୩ ଠାରୁ ଇଣ୍ଡିଗୋ କମ୍ପାନୀ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କଙ୍କ ଏବଂ ୨୦୨୪ ଠାରୁ ଏୟାର୍ ଏସିଆ କମ୍ପାନୀ କୁଆଲାଲୁମ୍ପୁରକୁ ପୁନର୍ବାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କଲେ। ଆଗାମୀ ଜୁନ ୧୨ ତାରିଖଠାରୁ ଇଣ୍ଡିଗୋ କମ୍ପାନୀ ଆବୁଧାବିକୁ ମଧ୍ୟ ବିମାନ ଉଡାଣ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଯଦି ତତ୍କ୍ଳୀନ ବିଜେଡି ସରକାର ବିମାନ ସଂସ୍ଥାମାନଙ୍କୁ ଭାୟାବିଲିଟି ଗ୍ୟାପ ଫଣ୍ଡିଂ (ଭିଜିଏଫ୍) ବ୍ୟବସ୍ଥା ମାଧ୍ୟମରେ ରିହାତି ପ୍ରଦାନ କରି ନଥାନ୍ତେ, ହୁଏତ ସେତେବେଳେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଉଡ଼ାଣ ସମ୍ଭବପର ହୋଇପାରି ନଥାନ୍ତା।
ବିଜେପି ସରକାର ଗଠନ କରିବା ପରେ ଗତ ଅକ୍ଟୋବର ମାସ ୨୪ ତାରିଖରେ ‘ଓଡ଼ିଶାରେ ନୂତନ ଗନ୍ତବ୍ୟସ୍ଥଳକୁ ବିମାନ ସେବା ସଂଯୋଗୀକରଣ ନୀତି’ ପ୍ରବର୍ତ୍ତନ କରିଛନ୍ତି। ଏଥିରେ ଭିଜିଏଫ୍ ମାଧ୍ୟମରେ ରିହାତି ପ୍ରଦାନ ବ୍ୟବସ୍ଥାକୁ ୨୦୨୫ ମାର୍ଚ୍ଚ ୩୧ ତାରିଖଠାରୁ ଉଠାଇ ଦେଇ ତାହା ସ୍ଥାନରେ ଲାଗୁ କରିଛନ୍ତି ରାଉଣ୍ଡ ଟ୍ରିପ୍ ସବସିଡି (ଆରଟିଏସ୍) ବ୍ୟବସ୍ଥା। ଭିଜିଏଫ୍ ବ୍ୟବସ୍ଥାରେ ବିମାନ ଉଡ଼ାଣ କରୁଥିବା କମ୍ପାନୀମାନେ ଆଗୁଆ ଆସନ ପିଛା ସର୍ବନିମ୍ନ ଅର୍ଥ ଭରଣା ଦାବି କରୁଥିଲେ। ତାହା କିପରି ଓ କାହିଁକି ଯୁକ୍ତିସଙ୍ଗତ, ତାହା ପ୍ରକାଶ କରୁଥିଲେ। ଏହା ସାଧାରଣତଃ ବିଡିଂ (ନିଲାମ) କିମ୍ବା ଏକ ଗାଣିତିକ ସୂତ୍ର ମାଧ୍ୟମରେ ନିର୍ଣ୍ଣୟ କରାଯାଉ ଥିଲା। ଏବେ ଆରଟିଏସ୍ ବ୍ୟବସ୍ଥାରେ, ଉଭୟ ଯିବା ଓ ଆସିବା ପାଇଁ ବିମାନ କମ୍ପାନୀମାନଙ୍କୁ ଅନ୍ତର୍ଜାତୀୟ ଉଡ଼ାଣ ପିଛା ୧୦ ଲକ୍ଷ ଏବଂ ରାଜ୍ୟ ଓ ଦେଶ ଭିତରେ ଉଡ଼ାଣ ପିଛା ୫ ଲକ୍ଷ ଟଙ୍କା ସିଧାସଳଖ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ତେବେ ଓଡ଼ିଶା ମଧ୍ୟରେ ‘ଉଡ଼ାନ’ ଯୋଜନାରେ ଉତ୍କେଲା, ଜୟପୁର, ରାଉରକେଲା, ଝାରସୁଗୁଡ଼ା ଏବଂ ଭୁବନେଶ୍ୱର ମଧ୍ୟରେ ବିମାନ ସେବା ଯୋଗାଉଥିବା କମ୍ପାନୀ ପୂର୍ବ ଭଳି ଭିଜିଏଫ୍ ମାଧ୍ୟମରେ ରିହାତି ପ୍ରଦାନ ବ୍ୟବସ୍ଥା ଚାଲୁ ରହିଥିବା ବେଳେ ଆରଟିଏସ୍ ବ୍ୟବସ୍ଥାରେ ଭୁବନେଶ୍ୱରରୁ ଗୋଆ, ଅହମ୍ମଦାବାଦ, ପୋର୍ଟ ବ୍ଲେୟାର୍ ଇତ୍ୟାଦି ଆନ୍ତଃରାଜ୍ୟ ନୂଆ ମାର୍ଗ ତଥା ବିଦେଶ ଯାତ୍ରା ପାଇଁ ଆରଟିଏସ୍ ବ୍ୟବସ୍ଥା ଲାଗୁ ହୋଇଛି।
ପଡ଼ୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ର ସରକାର ଏଭଳି ବିମାନ ସେବା ପାଇଁ କୌଣସି ପ୍ରୋତ୍ସାହନ ଦେଉ ନଥିଲା ବେଳେ, ଓଡ଼ିଶା ସରକାର ଦେଶ ମଧ୍ୟରେ ନୂଆମାର୍ଗ ପାଇଁ ବିମାନ କମ୍ପାନୀମାନଙ୍କୁ ୫ ଲକ୍ଷ ଟଙ୍କା ଆରଟିଏସ୍ ଓ ରାଜ୍ୟ ମଧ୍ୟରେ ସ୍ଥାପିତ ସମସ୍ତ ଉଡାନ୍ ବିମାନ ବନ୍ଦର ମଧ୍ୟରେ ଉଡାଣ ପାଇଁ ଭିଜିଏଫ୍ ମାଧ୍ୟମରେ ଅର୍ଥ ଦେଉଛନ୍ତି। ସେହି କାରଣରୁ ନୂଆକରି ଭୁବନେଶ୍ୱରରୁ ଅହମ୍ମଦାବାଦକୁ ଯାଉଥିବା ଇଣ୍ଡିଗୋ ବିମାନ ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଆରଟିଏସ୍ ଦେଉଛନ୍ତି। ଅର୍ଥାତ୍ ବିମାନର ସବୁ ସିଟ୍ ପୂରଣ ହେଉ କି ନହେଉ, ସରକାର କିନ୍ତୁ ଯିବା ଆସିବା ବାବଦକୁ ୫ ଲକ୍ଷ ଟଙ୍କା ରିହାତି ଦେବା ନିଶ୍ଚିତ। ଜୁନ୍ ମାସ ୧୬ ତାରିଖ ଦିନଟି ମାସର ମଝିଆମଝି ସମୟ ହୋଇ ଥିବାରୁ ଆସନ୍ତୁ, ଏହି ଦିନଟିକୁ ଏକ ଉଦାହରଣ ଭାବେ ନେବା। ଜୁନ୍ ମାସ ୧୬ ତାରିଖ ଦିନ ଯାତ୍ରା କରିବା ପାଇଁ ଭୁବନେଶ୍ୱରରୁ ଅହମ୍ମଦାବାଦ ଯାଏଁ ଟିକେଟ୍ କଲେ, ଇଣ୍ଡିଗୋ ବିମାନରେ କେବଳ ଯିବା ଖର୍ଚ୍ଚ ୬,୪୦୦ ଟଙ୍କା ଦେବାକୁ ପଡୁଥିଲା ବେଳେ ଉଭୟ ଯିବା ଆସିବା ପାଇଁ ଟିକେଟ୍ ଖର୍ଚ୍ଚ ପଡୁଛି ୧୨,୦୦୦ ଟଙ୍କା। ଭୁବନେଶ୍ୱର-ଗୋଆ ବିମାନ ଯାତ୍ରା ଏହି ଯୋଜନାରେ ଚାଲୁଥିବାରୁ ଯଥାକ୍ରମେ ୫,୧୯୦ ଏବଂ ୧୦,୮୦୦ ଟଙ୍କା ପଡୁଛି। ଅଥଚ କଲିକତା କିମ୍ବା ବିଶାଖାପାଟଣାରୁ ଇଣ୍ଡିଗୋରେ ଅହମ୍ମଦାବାଦକୁ ବିମାନଯାତ୍ରା କଲେ ଟିକେଟ ମୂଲ୍ୟ ପ୍ରାୟ ଦୁଇଗୁଣା ପଡୁଛି। ରାଜ୍ୟ ସରକାର ରାଉଣ୍ଡ୍ ଟ୍ରିପ୍ ପିଛା ୫ ଲକ୍ଷ ଟଙ୍କା ସବସିଡି ଦେଉଥିବାରୁ ବିମାନ ଉଡ଼ାଣ ସଂସ୍ଥା ଟିକେଟ ମୂଲ୍ୟ କମାଇ ଦେଇଛନ୍ତି। ଏଥିରେ ବିମାନ ଯାତ୍ରୀମାନେ ଲାଭ ପାଉଛନ୍ତି।
ଏତ ଗଲା ଦେଶ ମଧ୍ୟରେ ବିମାନ ଯାତ୍ରା କଥା। ଅନ୍ତର୍ଜାତୀୟ ବିମାନ ସେବା ପ୍ରଦାନ କରିଆସୁଥିବା ଇଣ୍ଡିଗୋ ବିମାନରେ ଭୁବନେଶ୍ୱର-ବ୍ୟାଙ୍କଙ୍କ ଉଡ଼ାଣକୁ ଉଦାହରଣ ଭାବେ ନିଆଯାଉ। ଏଥିରେ ଜଣେ ଯାତ୍ରୀ ଗଲେ ୯,୫୭୦ ଦେବେ, ସମୁଦାୟ ଯିବା ଆସିବା ଖର୍ଚ୍ଚ ଦେବାକୁ ପଡ଼ିବ ୧୯,୮୦୦ ଟଙ୍କା। କଲିକତାରୁ ସମାନ ଯାତ୍ରା ପାଇଁ ପଡ଼େ ଯଥାକ୍ରମେ ଯିବାକୁ ୧୨ ହଜାର ଓ ଯିବାଆସିବା ୨୨,୮୦୦ ଟଙ୍କା। ସମାନ କଥା ମଧ୍ୟ ଦେଖିବାକୁ ମିଳୁଛି ସିଙ୍ଗାପୁର କ୍ଷେତ୍ରରେ। ଭୁବନେଶ୍ୱର ଠାରୁ ଦୁବାଇ, ବ୍ୟାଙ୍କଙ୍କ, ସିଙ୍ଗାପୁର ଏବଂ କୁଆଲାଲୁମ୍ପୁର ଯାତ୍ରା ପାଇଁ ଓଡ଼ିଶା ସରକାର ସବସିଡି ଦେଉଥିଲା ବେଳେ ପଶ୍ଚିମବଙ୍ଗ ସରକାର ଦିଅନ୍ତି ନାହିଁ।
ଏବେ, ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ଆସନ୍ତା ୧୨ ତାରିଖ ଠାରୁ ଇଣ୍ଡିଗୋ ବିମାନରେ ଭୁବନେଶ୍ୱର-ଆବୁଧାବି ଉଡ଼ାଣ ହେବ। ରାଜ୍ୟ ସରକାର ରାଉଣ୍ଡ୍ ଟ୍ରିପ୍ ପିଛା ୧୦ ଲକ୍ଷ ଟଙ୍କା ସବସିଡି ଦେବେ। ସେଥିପାଇଁ ଇଣ୍ଡିଗୋ ପକ୍ଷରୁ ଟିକେଟ ମୂଲ୍ୟ ନିଶ୍ଚୟ କମ୍ ରହିବାର ଅଶା କରାଯାଇ ପାରେ। ମୂଳ କଥା ହେଲା ଯେ, ଓଡ଼ିଶାରୁ ବିଦେଶକୁ ବିମାନ ଉଡ଼ାଣ ପାଇଁ ରାଉଣ୍ଡ ଟ୍ରିପ୍ ସବସିଡି ଦେବାକୁ ବିମାନ କର୍ତ୍ତୃପକ୍ଷମାନେ ଦାବି କରିଥିଲେ। ସରକାର ଭାବିଥିଲେ ଯେ, ଏହା ଫଳରେ ପ୍ରଥମତଃ ବିଦେଶକୁ ନିଶ୍ଚିତ ବିମାନ ଉଡ଼ାଣ ସମ୍ଭବ ହେବ ଏବଂ ଦ୍ୱିତୀୟତଃ ଟିକେଟ୍ ଦର ଶସ୍ତା ହେବ। ନିୟମିତ ବିମାନ ଯାତ୍ରା ଚାଲୁ ରହିଲେ ଏବଂ ଟିକେଟ୍ ମୂଲ୍ୟ କମ୍ ରହିଲେ ବିଦେଶରୁ ଅଧିକରୁ ଅଧିକ ପର୍ଯ୍ୟଟକ ଓଡ଼ିଶାକୁ ଆସିବେ। ଭୁବନେଶ୍ୱରକୁ ସେମାନେ ପର୍ଯ୍ୟଟନ ପ୍ରବେଶ ଦ୍ୱାର ଭାବେ ବ୍ୟବହାର କରିବେ, ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକରୁ ଅଧିକ ବୌଦ୍ଧ-ପର୍ଯ୍ୟଟକ ଓଡ଼ିଶାର ବୌଦ୍ଧ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲି ଆସିବେ।
ପୂର୍ବ ସରକାର ବିଦେଶକୁ ଅଧିକ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ସଂସ୍ଥା ସହ ଚୁକ୍ତି କରିଥିଲେ। ଚୁକ୍ତି ଅନୁସାରେ, ବ୍ୟାଙ୍କଙ୍କ ଏବଂ ସିଙ୍ଗାପୁର ଯିବା ଆସିବା ଭଡ଼ା ସର୍ବାଧିକ ୧୫ ହଜାର ଓ ଦୁବାଇ ପାଇଁ ୨୦ ହଜାର ଟଙ୍କା ଧାର୍ଯ୍ୟ କରିଥିଲେ। ପ୍ରଥମେ, ଇଣ୍ଡିଗୋ କର୍ତ୍ତୃପକ୍ଷ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଟିକେଟ୍ ବିକ୍ରି କରୁଥିଲେ। ବିମାନ ଚଳାଚଳ ଖର୍ଚ୍ଚ ବାବଦ ବାକି ଅର୍ଥ ରାଜ୍ୟ ସରକାର ଭରଣା କରୁଥିଲେ। ପାଠକମାନଙ୍କ ଅବଗତି ପାଇଁ କହି ରଖୁଛୁ ଯେ, ରାଜ୍ୟ ସରକାର ଏବେ ପ୍ରଦାନ କରୁଥିବା ରାଉଣ୍ଡ୍ ଟ୍ରିପ୍ ପିଛା ସବସିଡି ଏବଂ ସେବର ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ଏକାକଥା ନୁହେଁ। ଏବେ ଭୁବନେଶ୍ୱରଠାରୁ ଆବୁଧାବି, ବ୍ୟାଙ୍କଙ୍କ ଏବଂ ସିଙ୍ଗାପୁର ମାର୍ଗରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନଥିବାରୁ ସିଧାସଳଖ ବିମାନ ଉଡ଼ାଣ ଚାଲୁ ରଖିବା ପାଇଁ ରାଜ୍ୟ ସରକାର ରାଉଣ୍ଡ୍ ଟ୍ରିପ୍ ସବସିଡି ବ୍ୟବସ୍ଥା ଗତ ଅପ୍ରେଲ୍ ପହିଲା ଠାରୁ ଲାଗୁ କରିଛନ୍ତି। ଏଥିରେ ଏତିକି ଲାଭ ମିଳୁଛି ଯେ, ଭୁବନେଶ୍ୱର ବିମାନ ବନ୍ଦର ସହିତ ବିଦେଶର ଚାରିଗୋଟି ପ୍ରମୁଖ ବିମାନ ବନ୍ଦର ଯୋଡ଼ି ହୋଇରହୁଛି ଏବଂ ନାମମାତ୍ର ଆନ୍ତର୍ଜାତିକ ବିମାନ ବନ୍ଦର ନହୋଇ, ଏହା ଏକ କାର୍ଯ୍ୟକ୍ଷମ ବିମାନ ବନ୍ଦରର ମର୍ଯ୍ୟଦା ଲାଭ କରିଚାଲିଛି। ଭିଜିଏଫ୍ ବେଳେ ବିମାନ ଚଳାଉଥିବା ସଂସ୍ଥା କେତେ ଅର୍ଥ ନେବେ ତାହା ନିଲାମ ବେଳେ ଡାକୁଥିଲେ ଏବଂ ସବୁଠୁ କମ୍ ଅର୍ଥ ଆଶା କରୁଥିବା କମ୍ପାନୀକୁ ସୁଯୋଗ ମିଳିବାର ବ୍ୟବସ୍ଥା ଥିଲା। ରାଉଣ୍ଡ୍ ଟ୍ରିପ୍ ସବସିଡି ବ୍ୟବସ୍ଥାରେ ସିଧା ସଳଖ ଅର୍ଥ ପ୍ରଦାନ କରା ଯାଉଛି, ଯାହା ଅବୈଜ୍ଞାନିକ ଓ ଲାଭଜନକ ନୁହେଁ।
ଓଡ଼ିଶାରେ ବିମାନ ବନ୍ଦର ସଂଖ୍ୟା ଅନ୍ୟ ପ୍ରଦେଶ ତୁଳନାରେ ଅପେକ୍ଷାକୃତ କମ୍ ରହି ଆସିଛି ଏବଂ ସେଥିପାଇଁ ବିମାନ ଯାତ୍ରା ମଧ୍ୟ ନିରୁତ୍ସାହଜନକ। ରାଜ୍ୟରେ ଶିଳ୍ପସଂସ୍ଥା, ପ୍ରଯୁକ୍ତି ପ୍ରତିଷ୍ଠାନ, ଚିକିତ୍ସାଳୟ, ପର୍ଯ୍ୟଟନ କ୍ଷେତ୍ର ଇତ୍ୟାଦି ଏବଂ ପ୍ରବାସୀ ଓ ବିଦେଶୀ ସଂଖ୍ୟା ନଗଣ୍ୟ ରହି ଆସିଥିବାରୁ ବିମାନଯାତ୍ରାକୁ ବଳ ମିଳି ପାରିନାହିଁ। ଯଦି ଆସନ୍ତା ୧୦ ବର୍ଷରେ ଆମେ ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ କରିବାକୁ ଚାହୁଁ, ଆମର ନୀତି ଓ ନିୟମରେ ଆବଶ୍ୟକ ସଂଶୋଧନ ଆଣିବାକୁ ପଡ଼ିବ। ଆମେ ରାଉଣ୍ଡ୍ ଟ୍ରିପ୍ ସବସିଡି କଥାକୁ ଉଦାହରଣ ଭାବେ ନେବା। ଏହାକୁ କାର୍ଯ୍ୟକାରୀ କରିବା ଫଳରେ ବିମାନ କମ୍ପାନୀମାନେ ନିଶ୍ଚିତ ଭାବେ ଓଡ଼ିଶା ମାଟିରୁ ଦେଶର ବିଭିନ୍ନ ପ୍ରାନ୍ତକୁ ବିମାନ ସଂଯୋଗ କରିବାକୁ ଆଗ୍ରହୀ ହୋଇଛନ୍ତି। କିନ୍ତୁ, ଓଡ଼ିଶା ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ପାରିନାହିଁ। ଓଡ଼ିଶା ରାଜକୋଷରୁ ଅର୍ଥ ଖର୍ଚ୍ଚଜନିତ ଟିକେଟ ମୂଲ୍ୟ ହ୍ରାସର ସୁଯୋଗ ନେଇଛନ୍ତି ବିଦେଶ ପର୍ଯ୍ୟଟନରେ ଆଗ୍ରହୀ ଧନୀ ଓଡ଼ିଆମାନେ। ଏପରିକି, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗରୁ ଲୋକମାନେ ଭୁବନେଶ୍ୱର ଆସି ସ୍ୱଳ୍ପ ଖର୍ଚ୍ଚରେ ବିଦେଶକୁ ଯାଉଛନ୍ତି।
ଏଣୁ, ଆମର ମୂଳ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ନିୟମରେ ସଂଶୋଧନ କରିବାକୁ ପଡ଼ିବ। ପ୍ରଥମେ, ପ୍ରତ୍ୟେକ ବର୍ଷ ବିମାନଯାତ୍ରୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ଅଭିବୃଦ୍ଧି ହାରକୁ ଅନୁଧ୍ୟାନ କରି ଆରଟିଏସ୍ ପରିମାଣ କମ୍-ବେଶି କରିବାକୁ ହେବ। ଏହାକୁ ଡାଇନାମିକ୍ ମୂଲ୍ୟ ପ୍ରଦାନ ବ୍ୟବସ୍ଥା କୁହାଯାଇ ପାରେ। ଓଡ଼ିଶାର ଟୁର୍ ଅପରେଟର ସଂଘ, ହୋଟେଲ୍ ସଂଘ, ଓଟିଡିସି ଏବଂ ଆଇଟିଡିସି ସହଯୋଗରେ ଓଡ଼ିଶାରେ ଅନ୍ତତଃ ୫ ଦିନ ହୋଟେଲ୍ ରହଣି କରିବାକୁ ଆଗୁଆ ବୁକିଂ କରୁଥିବା ବିଦେଶୀମାନଙ୍କ ପାଇଁ ଅଳ୍ପ ମୂଲ୍ୟରେ ଉଭୟ ବିମାନ ଯାତ୍ରା ଏବଂ ହୋଟେଲ୍ ରହଣି ପ୍ୟାକେଜ୍ ବ୍ୟବସ୍ଥା ବାବଦକୁ ଆରଟିଏସ୍ ଅର୍ଥ ଖର୍ଚ୍ଚ ହେବା ଦରକାର। ଏଥିରେ ଓଡ଼ିଶା ଆସୁଥିବା ବିଦେଶୀ ପର୍ଯ୍ୟଟକ, ଛାତ୍ରଛାତ୍ରୀ, ବିବେଶକ ଏବଂ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ମଧ୍ୟ ଉପକୃତ ହେବେ। ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଅଧିକ ଉନ୍ନତ, ଶୃଙ୍ଖଳିତ ତଥା ଭବ୍ୟ ନକଲେ, ଯେତେ ଆରଟିଏସ୍ ବ୍ୟବସ୍ଥା କଲେ ବି ଓଡ଼ିଶାର ବିମାନ ବନ୍ଦରଗୁଡ଼ିକ ସବୁଦିନ ପାଇଁ ଚଳଚଞ୍ଚଳ ରହି ପାରିବନି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଯଥାଶୀଘ୍ର ବିଦେଶକୁ ବିମାନ ଉଡ଼ାଣ କରୁଥିବା ଏୟାର୍ ଇଣ୍ଡିଆ, ଇଣ୍ଡିଗୋ, ଏୟାର୍ ଏସିଆ ଭଳି ସଂସ୍ଥାମାନେ ଓଡ଼ିଶାର କ୍ଷୁଦ୍ର ବିମାନ ବନ୍ଦରମାନଙ୍କୁ ବିମାନ ଉଡ଼ାଣ କରୁଥିବା ‘ଆଲାୟନ୍ସ ଏୟାର୍’ ସହ ଚୁକ୍ତିକରିବା ଦରକାର; ଯାହା ଫଳରେ ଜଣେ ଗୋଟିଏ ଟିକେଟ୍ କାଟି ବିଦେଶରୁ ଭୁବନେଶ୍ୱର ବାଟ ଦେଇ କୋରାପୁଟର ଜୟପୁର ଯିବାରେ ଅସୁବିଧା ଭୋଗିବେନି କିମ୍ବା ଅଧିକ ଖର୍ଚାନ୍ତ ହେବେନି।
ଆଶା, ରାଜ୍ୟ ସରକାର ଏ ଦିଗଗୁଡ଼ିକୁ ଆଉ ଅଧିକ ଅଣଦେଖା କରିବେ ନାହିଁ। ରାଜ୍ୟ ମଧ୍ୟରେ ଥିବା କ୍ଷୁଦ୍ର ବିମାନବନ୍ଦରଗୁଡ଼ିକ ମଧ୍ୟରେ ଯାତ୍ରାକରୁଥିବା ସମସ୍ତ ଲୋକଙ୍କୁ ଓଡ଼ିଶା ସରକାର ଟିକେଟ୍ ଉପରେ ଆହୁରି ଅଧିକ ରିହାତି ଦେଲେ ଓଡ଼ିଶାରେ ବିମାନ ଯାତ୍ରା ଅଧିକ ବିକଶିତ ହେବ। ଭୁବନେଶ୍ୱରରୁ ସରକାରୀ ଅଧିକାରୀ, ଅଧ୍ୟାପକ, ଡାକ୍ତରମାନେ କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା କିମ୍ବା ସୁନ୍ଦରଗଡ଼ ଜିଲା ଗସ୍ତ କଲାବେଳେ ବିମାନସେବା ଗ୍ରହଣ କରିବାର ନିୟମ ହେଲେ, ସଭିଏଁ ଲାଭବାନ ହେବେ।
ଫୋ- ୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।