Advertisment

Naveen Patnaik: ‘ମୋ ପ୍ରତି ବିଶ୍ୱାସଘାତକତା’ର ଅର୍ଥ କ’ଣ?

ସେ ଯେତେବେଳେ ଭୋଟ୍ ଚୋରୀ କଥା କହୁଥିଲେ, ସେତେବେଳେ ବିଜେଡିରୁ ଯାହାଙ୍କ ଆବାହକତ୍ୱରେ ୨୦୨୪ ନିର୍ବାଚନର ବିଭିନ୍ନ ବୁଥ୍‌ରେ ଯେତେ ଭୋଟ୍ ପ୍ରଦାନ ହୋଇଥିଲା ତାହାଠାରୁ ଅଧିକା ଭୋଟ୍ ଗଣା ଯାଇଥିବାର ତଥ୍ୟ ଦିଆଯାଇଥିଲା ସେହି ବ୍ୟକ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ହେଉଛନ୍ତି ଅମର ପଟ୍ଟନାୟକ।

naveen

Naveen At Nuapada Photograph: (Internet)

Advertisment

ରବି ଦାସ   

ବିଜେଡିର ସୁପ୍ରିମୋ କୁହାଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନୂଆପଡ଼ା ଉପନିର୍ବାଚନ ପ୍ରଚାର ସଭାରେ ‘ମୋ ପ୍ରତି ବିଶ୍ୱାସଘାତକତା’ କରାଯାଇଥିବା ନେଇ ଯାହା କହିଛନ୍ତି ତାହାର ଅର୍ଥ ବା ଉଦ୍ଦେଶ୍ୟ ସମ୍ପର୍କରେ ନବୀନ ପଟ୍ଟନାୟକ ନିଜେ ବା ବିଜେଡି ଏକ ସ୍ପଷ୍ଟୀକରଣ ଦେବା ଜରୁରୀ ହୋଇପଡ଼ିଛି। ଯେଉଁ ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନରେ ନିର୍ବାଚନ ପ୍ରଚାର ପାଇଁ ବସ୍ତୁତଃ ଦାୟିତ୍ୱ ନେଇ କୌଣସି ପ୍ରଚାର କରିନଥିଲେ, ଏପରିକି ସେ ଛିଡ଼ା ହୋଇଥିବା ଦୁଇଟି ନିର୍ବାଚନ ମଣ୍ଡଳୀ ଭିତରୁ କୌଣସିଥିରେ ପ୍ରାର୍ଥୀପତ୍ର ଦାଖଲ ବ୍ୟତୀତ ଅନ୍ୟ କୌଣସି ପ୍ରଚାର କରିନଥିଲେ, ସେ ଏବେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବା ଉଦ୍ଦେଶ୍ୟରେ ସେଠାକୁ ଯିବା ଓ ସେଠାରେ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ଚୋରୀ କରିଥିବାର ଅଭିଯୋଗ ସହିତ ଏବେ ପ୍ରାର୍ଥୀ ଚୋରୀ କରିଥିବାର କଥା ଉଲ୍ଲେଖ କରିଛନ୍ତି। 

Advertisment

ସେ ଯେତେବେଳେ ଭୋଟ୍ ଚୋରୀ କଥା କହୁଥିଲେ, ସେତେବେଳେ ବିଜେଡିରୁ ଯାହାଙ୍କ ଆବାହକତ୍ୱରେ ୨୦୨୪ ନିର୍ବାଚନର ବିଭିନ୍ନ ବୁଥ୍‌ରେ ଯେତେ ଭୋଟ୍ ପ୍ରଦାନ ହୋଇଥିଲା ତାହାଠାରୁ ଅଧିକା ଭୋଟ୍ ଗଣା ଯାଇଥିବାର ତଥ୍ୟ ଦିଆଯାଇଥିଲା ସେହି ବ୍ୟକ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ହେଉଛନ୍ତି ଅମର ପଟ୍ଟନାୟକ। ୨୦୨୪ ନିର୍ବାଚନର ବିଭିନ୍ନ ବୁଥ୍‌ରେ ଭୋଟ୍‌ର ତଥ୍ୟଗୁଡ଼ିକୁ ନେଇ ଭୋଟ୍ ଗଣତିରେ କିପରି ଅଧିକା ଭୋଟ୍ ବିଭିନ୍ନ ସ୍ଥାନରେ ଆସିଛି ସେ ସମ୍ପର୍କରେ ପୁରା ତଥ୍ୟ ପ୍ରକାଶ କରିଥିଲେ। ସେହି ତଥ୍ୟକୁ ଆଧାର କରି ବିଜେଡି ପକ୍ଷରୁ ନିର୍ବାଚନ କମିଶନ୍‌କୁ ଏହାର ତଦନ୍ତ କରିବା ପାଇଁ ଦାବି କରାଯାଇଥିଲା। ବାସ୍ତବିକ ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ୨୦୨୪ ନିର୍ବାଚନ ଭୋଟ୍ ଫଳାଫଳ ନେଇ ଯେଉଁ ତଥ୍ୟ ପ୍ରକାଶ କରିଥିଲେ, ତାହାକୁ ଆଧାର କରି ବିଜେଡି ଭୋଟ୍ ଚୋରୀ କଥା କହୁଛି। ଯଦିଓ ରାହୁଲ ଗାନ୍ଧୀଙ୍କର ଭୋଟ୍ ଚୋରୀ ଅଭିଯାନ ସହିତ ବିଜେଡି କେବେ ବି ସାମିଲ ନଥିଲା। ହେଲେ ନବୀନ ସେହି ବକ୍ତବ୍ୟକୁ ନେଇ ନୂଆପଡ଼ା ଉପନିର୍ବାଚନରେ ଭୋଟ୍ ଚୋରୀ କଥା କହିଛନ୍ତି। 

ତା’ ସହିତ ତାଙ୍କ ସହିତ ବିଶ୍ୱାସଘାତ କରାଯାଇଥିବା କଥାକୁ ମଧ୍ୟ ସେ ଉଲ୍ଲେଖ କରଛନ୍ତି। ଏଥିରୁ ବୁଝିବାକୁ ପଡ଼ିବ ଯେ, ବିଜେପି ପକ୍ଷରୁ ୨୦୨୪ ନିର୍ବାଚନରେ ତାଙ୍କୁ ବୋଧହୁଏ କିଛି ବିଶ୍ୱାସ ଦିଆଯାଇଥିଲା। କାରଣ ଏହି ନିର୍ବାଚନର ଠିକ୍ ପୂର୍ବରୁ ବିଜେଡ଼ି ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିଜ ସମର୍ଥନରେ ରାଜ୍ୟସଭାକୁ ପଠାଇଥିଲେ। କେବଳ ସେତିକି ନୁହେଁ, ଏହି ରାଜ୍ୟସଭା ନିର୍ବାଚନ ପରେ ୨୦୨୪ ନିର୍ବାଚନରେ ବିଜେଡି ଓ ବିଜେପି ଭିତରେ ଏକ ନିର୍ବାଚନ ମେଣ୍ଟ ହେବ ବୋଲି ଜୋର୍‌ଦାର୍ ପ୍ରଚାର ଚାଲିଲା। କିନ୍ତୁ ଶେଷ ମୂହୁର୍ତରେ ବିଜେପିର ରାଜ୍ୟ ନେତାମାନେ ଏଥିରେ ରାଜି ନହେବାରୁ ଦୁଇ ଦଳ ଭିତରେ ମେଣ୍ଟ ପ୍ରସ୍ତାବ ପଛକୁ ଚାଲିଯାଇଥିଲା। କିନ୍ତୁ ସେତେବେଳେ ଏକ ଧାରଣା ସୃଷ୍ଟି ହେଲା ଯେ, ଲୋକସଭା ନିର୍ବାଚନ କ୍ଷେତ୍ରରେ ବିଜେଡି ପକ୍ଷରୁ ବିଜେପିକୁ ସହାୟତା ପ୍ରଦାନ କରାଯିବ ଓ ପ୍ରତିବଦଳରେ ରାଜ୍ୟରେ ବିଜେଡି ସରକାର ଗଠନ କରିବା ପାଇଁ ସୁଯୋଗ ଦିଆଯିବ। ଏପରିକି ବିଜେଡିର ଯଦି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନଆସେ ତେବେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ସହାୟତା କରିବ। 

Advertisment

କିନ୍ତୁ ଓଡ଼ିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କ ଶାସନରେ ଓ ବିଶେଷ ଭାବରେ ସେହି ଶାସନକୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରୁଥିବା ଭି.କେ ପାଣ୍ଡିଆନ୍ ଓ ତାଙ୍କ ସହଯୋଗୀ ଅଫିସର୍‌ମାନଙ୍କ କାର୍ଯ୍ୟକଳାପରେ ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ, ସେମାନେ ରାଜ୍ୟରୁ ଏହି ଶାସନର ଅବସାନ ପାଇଁ ବିଧାନସଭାରେ ମଧ୍ୟ ବିଜେପିକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପ୍ରଦାନ କଲେ। କିନ୍ତୁ ଏହି ନିର୍ବାଚନରେ ଲୋକସଭା ପାଇଁ ହୋଇଥିବା ଭୋଟ୍‌ରେ ପ୍ରଥମ ଥର ପାଇଁ ରାଜ୍ୟରେ ୨୧ରୁ ୨୦ଟି ଆସନ ବିଜେପି ହାତକୁ ଗଲା ଓ ବିଜେଡି ଗୋଟିଏ ହେଲେ ଆସନ ପାଇଲାନାହିଁ। ଯଦିଓ ବିଧାନସଭା ଭୋଟ୍‌ରେ ବିଜେଡିକୁ ଶତକଡ଼ା ୪୦.୪ ଭାଗ ଭୋଟ୍ ମିଳିଥିଲା ଓ ୫୧ଟି ବିଧାନସଭା ଆସନ ଦଳ ପାଇଥିଲା କିନ୍ତୁ ଲୋକସଭାରେ ଏହା ଗୋଟିଏ ଆସନ ନପାଇବା ସ୍ପଷ୍ଟ ସୂଚନା ଦେଇଥିଲା ଯେ, ବିଜେଡି କୌଣସି ଏକ ଗୁପ୍ତ ବୁଝାମଣାରେ ଲୋକସଭା ପାଇଁ ଆଦୌ ଗୁରୁତ୍ୱ ନଦେଇ କେବଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ ଲକ୍ଷ୍ୟରେ ଥିଲେ। କିନ୍ତୁ ଓଡ଼ିଶାର ଜନସାଧାରଣ ବିଜେଡିର ଏହି କୌଶଳରେ ପାଣି ପକାଇଦେଲେ। 

ଏବେ ଅମର ପଟ୍ଟନାୟକଙ୍କ କଥା ବିଚାର କଲେ ସେ କାହିଁକି ଏବେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ବୁଝିବା କଷ୍ଟ। ଯଦିଓ ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ରାଷ୍ଟ୍ର ଗଠନରେ କାମ କରିବା ନିମନ୍ତେ ଏକ ସର୍ବଭାରତୀୟ ଦଳ ଭାବରେ ବିଜେପିକୁ ସେ ପସନ୍ଦ କରି ଦଳରେ ଯୋଗ ଦେଇଛନ୍ତି। କିନ୍ତୁ ଅମରଙ୍କ ଏହି ଯୁକ୍ତିକୁ ସହଜରେ ବୁଝିବା କଷ୍ଟ। କାରଣ ସେ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଓ ସେଣ୍ଟ ଷ୍ଟିଫେନ୍‌ସ୍ ଭଳି କଲେଜରେ ପାଠ ପଢ଼ି ୟୁପିଏସ୍‌ସି ପରୀକ୍ଷା ଜରିଆରେ ସଫଳତା ପାଇ ସର୍ବଭାରତୀୟ ଆକାଉଂଟ ସର୍ଭିସ୍‌ରେ ଯୋଗ ଦେଇଥିଲେ। ସେ ସର୍ବଭାରତୀୟ ସେବାର ଅଧିକାରୀ ଭାବରେ ବିଭିନ୍ନ ରାଜ୍ୟରେ ଆକାଉଣ୍ଟାଣ୍ଟ ଜେନେରାଲ୍ ଅଫିସରେ ପଦାଧିକାରୀ ଭାବରେ କାମ କରିଛନ୍ତି। କିନ୍ତୁ ସେ ଅବସର ଗ୍ରହଣ କରିବାର ୯ ବର୍ଷ ପୂର୍ବରୁ ଚାକିରୀରୁ ଇସ୍ତଫା ଦେଇ ରାଜନୀତିରେ ଯୋଗଦେବାକୁ ବିଜେଡିରେ ପ୍ରବେଶ କରିଥିଲେ। ସେ ସର୍ବଭାରତୀୟ ସର୍ଭିସ୍‌ର ଅଫିସର୍ ଥିବାରୁ ଓ ରାଜନୀତି ବିଜ୍ଞାନର ଛାତ୍ର ହୋଇଥିବାରୁ ଜାତୀୟ ଦଳ ଓ ଆଂଚଳିକ ଦଳର ତାରତମ୍ୟ ଭଲ ଭାବରେ ଜାଣିଥିଲେ। ତାହା ସତ୍ତ୍ୱେ ୨୦୧୮ରେ ସେ ଚାକିରୀ ଛାଡ଼ିବା ସମୟରେ ଆଂଚଳିକ ଦଳ ବିଜେଡିରେ ଯୋଗଦାନ କରି ଓଡ଼ିଶାର ବିକାଶରେ ଅଂଶୀଦାର ହେବେ ବୋଲି କହିଥିଲେ। ସେତେବେଳେ ତାଙ୍କୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବେଶ୍ ଆକର୍ଷିତ କରିଥିଲା। 

ତାଙ୍କର ଏହି ଆଭିମୁଖ୍ୟ ସହିତ ସେତେବେଳେ ବିଜେଡିକୁ ବସ୍ତୁତଃ ରିମୋଟ୍‌ କଂଟ୍ରୋଲ୍ କରୁଥିବା ଭି.କେ ପାଣ୍ଡିଆନ୍‌ଙ୍କ ସହ ବନ୍ଧୁତା ଯୋଗୁ ମାତ୍ର ଗୋଟିଏ ବର୍ଷ ପରେ ବିଜେଡି ଦ୍ୱାରା ମନୋନୀତ ହୋଇ ସେ ରାଜ୍ୟସଭାକୁ ଯାଇଥିଲେ। ସେତେବେଳେ ବିଜେଡି ଆଇଟି ସେଲ୍‌ର ମୁଖ୍ୟଭାବରେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେତେବେଳେ ମଧ୍ୟ ଓଡ଼ିଶାରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ବିଜେପି ଥିଲା। ତେଣୁ ବିଜେଡିର ଆଇଟି ସେଲ୍‌ର ମୁଖ୍ୟ ଭାବରେ ବିଜେପି ବିରୋଧରେ ଏପରିକି କେନ୍ଦ୍ରୀୟ ବିଜେପି ସରକାର ବିଭିନ୍ନ କାର୍ଯ୍ୟକଳାପ ସହିତ ଓଡ଼ିଶାରେ ବିଜେପି ବିରୋଧରେ ସେ ବହୁଗୁଡ଼ିଏ ବକ୍ତବ୍ୟ ଓ ମନ୍ତବ୍ୟ ସୋସିଆଲ୍ ମିଡିଆରେ ପ୍ରଦାନ କରିଛନ୍ତି। ୨୦୧୯ ଓ ୨୦୨୪ ନିର୍ବାଚନରେ ଅମର ପଟ୍ଟନାୟକ ସୋସିଆଲ୍ ମିଡିଆରେ ବିଜେଡିର ମୁଖ୍ୟ ପ୍ରଚାରକ ଭାବରେ କାମ କରିଛନ୍ତି। ଏପରିକି ୨୦୨୪ରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ସରିଗଲା ପରେ ୨୦୨୪ ନିର୍ବାଚନରେ ଭୋଟ୍ ଗଣତିରେ ହୋଇଥିବା କେଳେଙ୍କାରୀ ସମ୍ପର୍କରେ ବିଭିନ୍ନ ବୁଥ୍‌ର ତଥ୍ୟ ସଂଗ୍ରହ କରି ଓଡ଼ିଶାରେ ଭୋଟ୍ ଚୋରୀ ହେଉଥିବାର ତଥ୍ୟ ପଦାକୁ ଆଣିଥିଲେ। ତାଙ୍କରି ତଥ୍ୟ ଉପରେ ବିଜେଡି ନିର୍ବାଚନ କମିଶନଙ୍କୁ ଏହି ସମ୍ପର୍କରେ ଅଭିଯୋଗ କରି ତଦନ୍ତ ଦାବି କରିଥିଲା। 

ଯଦି ଦେଖାଯାଏ ମାତ୍ର ଗୋଟିଏ ସପ୍ତାହ ତଳ ପର୍ଯ୍ୟନ୍ତ ଅମର ପଟ୍ଟନାୟକ ନିଷ୍ଠାପର ଭାବରେ ବିଜେଡି ପାଇଁ କାମ କରୁଥିଲେ। ଏପରିକି ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ସମ୍ ଅଲ୍ଟିମେଟ୍‌ରେ ଚିକିତ୍ସିତ ହେଉଥିବା ସମୟରେ ଭି.କେ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତା ବିଜେଡି ନେତାମାନଙ୍କୁ ହସ୍ପିଟାଲ୍‌ରେ ନବୀନଙ୍କୁ ଭେଟିବାକୁ ସୁଯୋଗ ନଦେବାରୁ ଗଣମାଧ୍ୟମରେ ସେମାନଙ୍କୁ ସମାଲୋଚନା କରାଯାଉଥିବାବେଳେ ଅମର ପଟ୍ଟନାୟକ ଖୋଲାଖୋଲି ଭାବରେ ପଦାକୁ ଆସି ପାଣ୍ଡିଆନ୍ ଓ ତାଙ୍କ ପତ୍ନୀଙ୍କ ପ୍ରତି ସମାଲୋଚନାକୁ ନାପସନ୍ଦ କରି ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହିପରି ଅବସ୍ଥାରେ ହଠାତ୍ ଅମର ପଟ୍ଟନାୟକ ବିଜେପିରେ ଯୋଗଦେବା ନିଷ୍ପତି ଗ୍ରହଣ କରିବାର ପ୍ରକୃତ ଉଦ୍ଦେଶ୍ୟ ନେଇ ବିଭିନ୍ନ ପ୍ରଶ୍ନ ଉଠିବା ସ୍ୱାଭାବିକ। କେହି କେହି କହୁଛନ୍ତି ଯେ, ରାଜ୍ୟସଭାକୁ ପୁଣି ଥରେ ଯିବାପାଇଁ ସେ ବିଜେପିକୁ ଯାଇଛନ୍ତି। ବିଜେଡି ପକ୍ଷରୁ କୁହାଯାଇଛି ଯେ, ଅମରଙ୍କ ଉପରେ ଚାପ ପକାଯାଇ ତାଙ୍କୁ ବିଜେପିକୁ ନିଆଯାଇଛି। ଆଉ ଜଣେ ବିଜେଡି ସମର୍ଥକ ଫେସ୍‌ବୁକ୍ ପୋଷ୍ଟରେ କହିଛନ୍ତି ଯେ, ୨୦୨୪ ନିର୍ବାଚନ ଭୋଟ୍‌ଚୋରୀ ସଂକ୍ରାନ୍ତରେ ସେ ଯେଉଁ ତଥ୍ୟ ପଦାକୁ ଆଣିଥିଲେ ସେଥିରେ କେନ୍ଦ୍ରୀୟ ବିଜେପି ନେତୃତ୍ୱ ଅନୁଭବ କଲେ ଯେ, ଏହି ତଥ୍ୟର ଦମ୍ ରହିଛି। ଯେହେତୁ ଏହି ସମସ୍ତ ତଥ୍ୟ ଓ ଦସ୍ତାବିଜ୍ ଅମର ପଟ୍ଟନାୟକଙ୍କ ପାଖରେ ରହିଥିଲା, ସେହେତୁ ବିଜେପି ନେତୃତ୍ୱ ଦିଲ୍ଲୀରେ କଥାବାର୍ତ୍ତା କରି ତାଙ୍କୁ ବିଜେପିକୁ ଆଣିବା ପାଇଁ ପ୍ରବର୍ତ୍ତାଇଛନ୍ତି। 

ହୋଇପାରେ ସେ ରାଜ୍ୟସଭା ସଦସ୍ୟ ଥିଲାବେଳେ ତାଙ୍କର କିଛି କାର୍ଯ୍ୟକଳାପ ସଂକ୍ରାନ୍ତରେ ହୁଏତ କେନ୍ଦ୍ରୀୟ ବିଜେପି ପାଖରେ କିଛି ତଥ୍ୟ ଥିବାରୁ ଏହା ତାଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଏକ ମାଧ୍ୟମ ହେଲା। କିନ୍ତୁ ଅମର ପଟ୍ଟନାୟକଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ଲୋକ ପ୍ରଥମେ ନବୀନଙ୍କ ନେତୃତ୍ୱ ଓ ରାଜ୍ୟର ବିକାଶ କଥା କହି ଏବେ ମୋଦିଙ୍କ ନେତୃତ୍ୱ କଥା କହି ରାଷ୍ଟ୍ର ଗଠନ ନିମନ୍ତେ ବିଜେପିରେ ଯୋଗ ଦେଉଥିବା ବକ୍ତବ୍ୟ ଯେକୌଣସି ସୁବିଧାବାଦୀ ରାଜନୈତିକ ନେତାର ଚରିତ୍ର ବ୍ୟତୀତ ଅନ୍ୟକିଛି ନୁହେଁ। ସେ ନିଜ ଇଚ୍ଛାରେ ଏହା କହିଛନ୍ତି ବା ଏଥିପାଇଁ କେଉଁଠାରୁ ଇଙ୍ଗିତ ରହିଛି ସେନେଇ ବି ପ୍ରଶ୍ନ ଉଠୁଛି। 

ନବୀନ ପଟ୍ଟନାୟକ ନୂଆପଡ଼ା ଉପନିର୍ବାଚନ ସଭାରେ ପ୍ରାର୍ଥୀ ଚୋରୀ ପ୍ରସଙ୍ଗକୁ ଯେପରି ଉପସ୍ଥାପିତ କଲେ ଓ ତାଙ୍କ ପ୍ରତି ବେଇମାନୀ କରାଯାଇଛି ବୋଲି ଇଙ୍ଗିତ ଦେଲେ ସେଥିରେ ଢୋଲକିଆ ପରିବାର ଉତ୍‌କ୍ଷିପ୍ତ ହୋଇଉଠିଛନ୍ତି। ଜୟ ଢୋଲକିଆ ଓ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ସିଧାସଳଖ କହିଛନ୍ତି ଯେ, ରାଜେନ୍ଦ୍ର ଢୋଲକିଆ ରୋଗଶଯ୍ୟାରେ ଥିଲାବେଳେ ବିଜେଡି ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କେହି ବି ଧ୍ୟାନ ଦେଇନଥିଲେ। ଯେଉଁ ଦଳକୁ ଓ ନେତାଙ୍କୁ ସେ ଭଲ ପାଉଥିଲେ ସେମାନେ ରୋଗଶଯ୍ୟାରେ ତାଙ୍କ ପାଖରେ ନପହଂଚିବା ଫଳରେ ତାଙ୍କ ମାନସିକ ବଳ ଭାଙ୍ଗି ଯାଇଥିଲା। ଏହା ତାଙ୍କ ମୃତ୍ୟୁର ଅନ୍ୟ ଏକ କାରଣ ଭାବରେ ଏବେ ତାଙ୍କ ପତ୍ନୀ ଦର୍ଶାଇ ତାଙ୍କ ଫଟୋକୁ ବିଜେପି ଦଳ ବ୍ୟବହାର ନକରିବା ପାଇଁ ନିବେଦନ କରିଛନ୍ତି। ଯେଉଁ ଦଳରେ କେବଳ ନବୀନଙ୍କ ସମର୍ଥନ ଯଥେଷ୍ଟ ଥିଲା ଏବେ ସେହି ଦଳ ପକ୍ଷରୁ ମୃତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋକୁ ବ୍ୟବହାର କରି ନିର୍ବାଚନ ଲଢ଼ିବାର ବାସ୍ତବରେ କୌଣସି ଆବଶ୍ୟକତା ନାହିଁ। ଢୋଲକିଆ ବିଜେଡିର ସଦସ୍ୟ ଥିଲେ ଓ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ କ୍ୟାବିନେଟ୍‌ରେ ସ୍ଥାନ ଦେଇଥିଲେ। ତେଣୁ ତାଙ୍କ ସମୟରେ ଯାହାକିଛି ବିକାଶ ହୋଇଛି ସେଥିରେ ବିଜେଡି ଦାବିଦାର ସାଜିବାରେ କିଛି ଭୁଲ୍ ନାହିଁ। କିନ୍ତୁ ତାଙ୍କ ପୁଅ ବିଜେପିରେ ପ୍ରାର୍ଥୀ ହେଲା ପରେ ତାଙ୍କ ଫଟୋକୁ ବିଜେଡି ନିର୍ବାଚନରେ ବ୍ୟବହାର କରିବା ନୀତି ଦୃଷ୍ଟିରୁ ଠିକ୍ ନୁହେଁ। ନବୀନ ଓ ବିଜେଡିର ଶକ୍ତି ନୂଆପଡ଼ାବାସୀ ନିର୍ବାଚନରେ ଭୋଟ୍‌ଦେଇ ଜଣାଇବେ। ଜଣେ ମୃତ ନେତାଙ୍କ ସମ୍ପର୍କରେ ନବୀନଙ୍କ ପରି ଜଣେ ନେତା ଏପରି କିଛି କହିବା ଉଚିତ୍ ନୁହେଁ, ଯେଉଁଥିରେ ଜଣାପଡ଼ିବ ଯେ, ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆ ହିଁ ପ୍ରକୃତ ପ୍ରଭାବଶାଳୀ ଥିଲେ। ନବୀନଙ୍କ ଶକ୍ତି ବା ବିଜେଡ଼ିର ଶକ୍ତି ପରୀକ୍ଷା ପାଇଁ ନୂଆପଡ଼ା ଉପନିର୍ବାଚନ ଏକ ବଡ଼ ପରୀକ୍ଷା।

ଫୋ- ୯୪୩୭୪୦୪୪୫୫

Odisha BjD Bjp Naveen Patnaik Odisha Politcs Odisha political controversy Odisha political analysis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe