/odisha-reporter/media/post_attachments/uploadimage/library/16_9/16_9_0/IMAGE_1699874937.jpg)
Firecracker
ଭାଲଚନ୍ଦ୍ର ଷଡ଼ଙ୍ଗୀ
ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦୀପାବଳି ଦିନ ସାରା ଦେଶରେ ବାଣଫୁଟାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରୀ କରିଥିଲେ। ରାଜସ୍ଥାନରୁ ଆସିଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ନ୍ୟାୟାଳୟ କହିଥିଲେ ଯେ ଦୀପାବଳି ସମୟରେ ବାଣଫୁଟାକୁ ନେଇ ପୂର୍ବରୁ ଦିଆଯାଇଥିବା ଆଦେଶ କେବଳ ଦିଲ୍ଲୀ ପାଇଁ ନୁହେଁ ବରଂ ସାରା ଦେଶ ପାଇଁ ଲାଗୁ ହେବ। ଏହି କ୍ରମରେ ନ୍ୟାୟାଳୟ ଦିଲ୍ଲୀ ବ୍ୟତିତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲା ବେଳେ ଅନ୍ୟ ସମସ୍ତ ପ୍ରକାର ପ୍ରଦୂଷଣକାରୀ ବାଣର ବ୍ୟବହାରକୁ ସାରା ଦେଶରେ ନିଷିଦ୍ଧ କରିଥିଲେ। ପରିବେଶର ସନ୍ତୁଳନ ରକ୍ଷା କେବଳ ନ୍ୟାୟାଳୟର ନୁହେଁ ବରଂ ଦେଶର ସବୁ ନାଗରିକଙ୍କ ଦାୟୀତ୍ୱ ବୋଲି ଆଦେଶରେ କହିଥିଲେ। ନ୍ୟାୟାଳୟଙ୍କ ଉପରୋକ୍ତ ନିର୍ଦ୍ଦେଶନାମାକୁ ସାରା ଦେଶର ପରିବେଶ ସପକ୍ଷବାଦୀ ଲୋକମାନେ ସ୍ୱାଗତ କରିଥିବା ବେଳେ କିଛି ମୌଳବାଦୀ ସଙ୍ଗଠନ ଏହାକୁ ‘ଧାର୍ମିକ ବ୍ୟାପ।।ରରେ ନ୍ୟାୟାଳୟର ଅନାବଶ୍ୟକ ହସ୍ତକ୍ଷେପ’ ଏପରିକି ‘ହିନ୍ଦୁ ବିରୋଧୀ’ ବୋଲି ବି କହିବାକୁ ପଛେଇ ନଥିଲେ। ଏହି ବିବାଦ ଭିତରେ ଦୀପାବଳୀ ଉତ୍ସବ ଗତକାଲି ପାଳିତ ହୋଇଛି ଓ ଓଡ଼ିଶା ସମେତ ସାରା ଦେଶରେ ସୁପ୍ରିମ କୋର୍ଟଙ୍କ ଆଦେଶକୁ ଉଲ୍ଲଙ୍ଘନ କରି ପାରମ୍ପାରିକ ଭାବେ ବାଣ ଫୁଟାଯାଇଛି। ଦୀପାବଳି ପରଦିନ ଅର୍ଥାତ ନଭେମ୍ବର ୧୩ ତାରିଖ ଦିଲ୍ଲୀର ପ୍ରଦୂଷଣ ମାତ୍ରା ୧୪୦ ପ୍ରତିଶତ ବୃଦ୍ଧି ପାଇଥିବା ରେକର୍ଡ଼ ହୋଇଛି। ସେହିପରି କଟକ ଓ ଭୁବନେଶ୍ୱର ସହରର ପ୍ରଦୂଷଣ ମାତ୍ରା ମଧ୍ୟ ଅତ୍ୟଧିକ ବୃଦ୍ଧି ପାଇଥିବା ରେକର୍ଡ଼ କରାଯାଇଛି।
ଗତ କିଛି ବର୍ଷ ଧରି ଦିଲ୍ଲୀରେ ପ୍ରଦୂଷଣ ଭୟାନକ ସ୍ଥିତିରେ ପହଂଚିବା ପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲେ। ସେଠାକାର ବାୟୁମଣ୍ଡଳ ଏତେ ପ୍ରଦୂଷିତ ହୋଇଛି ଯେ ତା’ର ବାୟୁ ଶ୍ୱାସ ନେବା ପାଇଁ ଯୋଗ୍ୟ ନୁହେଁ ବୋଲି ଜଣାପଡ଼ିଛି। ସାଧାରଣ ଲୋକେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି। ବାୟୁର ମାନ ସୂଚକାଙ୍କରେ ୫୦କୁ ସାଧାରଣ କୁହାଯାଉଥିବା ବେଳେ ସେଠାରେ ତାହା ମାସ ମାସ ଧରି ୪୫୦ରୁ ଉପରେ ରହୁଛି। ୨୦୨୨ର ଏକ ସର୍ବେକ୍ଷଣରୁ ସେଠାକାର ବାୟୁମଣ୍ଡଳ ବର୍ଷଯାକରେ ମାତ୍ର ୬୮ ଦିନ ଚଳନୀୟ ଥିଲା ବୋଲି ଜଣାପଡ଼ିଛି। ଏପରିକି ବାୟୁ ପ୍ରଦୂଷଣ କାରଣରୁ ଦିଲ୍ଲୀବାସୀଙ୍କ ପରମାୟୁରେ ହାରାହାରି ୧୨ ବର୍ଷ ହ୍ରାସ ପାଉଥିବା ଅଧ୍ୟୟନରୁ ଜଣାପଡ଼ିଛି। ତେବେ କେବଳ ଦିଲ୍ଲୀ ନୁହେଁ, ମୁମ୍ବାଇ ପରି ଦେଶର ଅନେକ ସହରରେ ବି ବାୟୁ ପ୍ରଦୂଷଣ ଉଦ୍ବେଗଜନକ ସ୍ଥିତିରେ ପହିଂଚିଛି। ପ୍ରତିବର୍ଷ କେବଳ ଭାରତରେ ମାନବ ସୃଷ୍ଟ ବାୟୁ ପ୍ରଦୂଷଣ ଲାଗି ହାରାହାରି ପାଞ୍ଚ ଲକ୍ଷ ଲୋକ ପ୍ରାଣ ହରାଉଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ମୁତାବକ ପ୍ରତିବର୍ଷ ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାୟ ୭୦ ଲକ୍ଷ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି।
ଦିଲ୍ଲୀ ସରକାର ପରିସ୍ଥିତିର ମୁକାବିଲା ପାଇଁ କେତେବେଳେ ଯୁଗ୍ମ ଅଯୁଗ୍ମର ଆଧାରରେ ଯାନ ବାହାନର ଚଳାଚଳ ପାଇଁ ନିୟମ ଜାରି କରିଥିବା ବେଳେ କେତେବେଳେ ଛୋଟପିଲାଙ୍କ ସ୍କୁଲ ଛୁଟି ଘୋଷଣା କରିବାକୁ ପଡ଼ିଛି। ଚଳିତ ଥର କୃତ୍ରିମ ବର୍ଷା କରିବାକୁ ବି ସରକାର ଗୋଟିଏ ସମୟରେ ଚିନ୍ତା କରିଥିବା ଜଣାପଡ଼ିଛି। ତେବେ ଦିଲ୍ଲୀରେ ବାୟୁମଣ୍ଡଳର ପ୍ରଦୂଷଣର ସବୁଠାରୁ ବଡ଼ କାରଣ ହେଉଛି ସେଠାରେ ଚଳାଚଳ କରୁଥିବା ଅତ୍ୟଧିକ ସଂଖ୍ୟକ ଯାନବାହନ ଓ ସେଠାରେ ଥିବା କଳ କାରଖାନାମାନଙ୍କରୁ ନିର୍ଗତ ଧୂଆଁ। ଆଉ ଏକ କାରଣ ହେଲା, ଦିଲ୍ଲୀକୁ ପଡ଼ୋଶୀ ପଞ୍ଜାବ ଓ ହରିଆନାରୁ ଆସୁଥିବା ନଡ଼ା ପୋଡ଼ା ଧୂଆଁ। ତେବେ ଦେଶରେ ବାୟୁ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ ହେଉଛି, ତାପଜ ବିଦ୍ୟୁତ୍ କେନ୍ଦ୍ରମାନଙ୍କରୁ ନିର୍ଗତ ଧୂଆଁ ଓ ଉଡ଼ନ୍ତା ପାଉଁଶ। କିନ୍ତୁ ପ୍ରଦୂଷଣ ସଂକ୍ରାନ୍ତ ଆଲୋଚନାରେ ଚାଷୀମାନଙ୍କ ନଡ଼ାପୋଡ଼ାରୁ ହେଉଥିବା ପ୍ରଦୂଷଣକୁ ଯେତିକି ଦୋଷ ଦିଆଯାଉଛି, ସେହି ଅନୁପାତରେ ତାପଜ ବିଦ୍ୟୁତ କେନ୍ଦ୍ରମାନଙ୍କ ଦ୍ୱାରା ସଂଗଠିତ ପ୍ରଦୂଷଣକୁ ସେତେ ଗୁରୁତ୍ୱ ଦିଆଯାଉନି।
ସ୍ୱଳ୍ପ ସମୟ ପାଇଁ ହେଲେ ବି ଦୀପାବଳି ସମୟରେ ଲୋକେ ଗତ କିଛି ବର୍ଷ ଧରି ଯେଉଁଭଳି ହାରରେ ବାଣ ଫୁଟାଉଛନ୍ତି, ତାହା ପରିବେଶ ପାଇଁ ଏକ ଭୟଙ୍କର ବିପଦ ଭାବେ ଦେଖାଦେଇଛି। ଦୀପାବଳିରେ ଯେଉଁ ବୋମା, ବାଣ ଓ ଫୁଲଝଡ଼ି ଆଦି ବ୍ୟବହାର କରନ୍ତି, ତ’ ଦ୍ୱାରା ଭୟଙ୍କର ପ୍ରଦୂଷଣ ବିଶେଷ କରି ଉଭୟ ଶବ୍ଦ ଓ ବାୟୁ ପ୍ରଦୂଷଣ ହେଉଥିବା ଜଣାପଡ଼ିଛି। ଦିଲ୍ଲୀ ଓ ମୁମ୍ବାଇ ପରି ଦେଶର ମହାନଗରମାନଙ୍କରେ ଏକ ସାଧାରଣ ଦିନରେ ବାୟୁର ମାନ ସୂଚକାଙ୍କ ୪୫୦-୫୦୦ ମଧ୍ୟର ରହୁଥିବା ବେଳେ କେବଳ ଦୀପାବଳି ଓ ତା’ର ପୂର୍ବ ଓ ପର ସନ୍ଧ୍ୟାରେ ତାହା ୬୦୦-୭୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଯାଉଛି।
କାରଣ ଗତ କିଛି ବର୍ଷ ଧରି ଏହିସବୁ ବାଣରେ ଅନେକ ବିପଜ୍ଜନକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଅଧିକ ଜୋରରେ ଶବ୍ଦ ହେବା ପାଇଁ, ଭିନ୍ନ ଭିନ୍ନ ରଙ୍ଗର ଆଲୋକ ଆସିବା ପାଇଁ ଏସବୁ ବାଣରେ ସଲଫର ଡାୟକସାଇଡ଼, କାଡ଼ମିୟମ୍, ଶିଶା ଓ ନାଇଟ୍ରୋ କ୍ରୋମିୟମ୍ ପରି ବିପଜ୍ଜନକ ରାସାୟନିକ ପଦାର୍ଥର ବ୍ୟବହାର ଫଳରେ ତାହା କେବଳ ଆମର ପରିବେଶକୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ କରୁନି ବରଂ ଆମର ଶରୀର ବିଶେଷ କରି ଆମର ଫୁସଫୁସ୍, ଚର୍ମ, ଶ୍ରବଣ ଯନ୍ତ୍ର ଓ ଆଖି ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଉଥିବା ଦେଖାଯାଇଛି। କହିବାକୁ ଗଲେ ବାଣ ବା ଆତସବାଜିର ମନୋରମ ଦୃଶ୍ୟ ବର୍ତ୍ତମାନ ପ୍ରଦୂଷଣ ଓ ରୋଗର ପର୍ଯ୍ୟାୟବାଚୀ ହୋଇସାରିଛି।
‘ଇଣ୍ଡିଆ ସ୍ପେଣ୍ଡ’ର ରିପୋର୍ଟ ଅନୁସାରେ ଆମ ବ୍ୟବହାର କରୁଥିବା ସାପ ବାଣର ଗୋଟିଏ ବଟିକା ୨.୫ ପିଏମ୍ର ଉତ୍ସର୍ଜନ କରିଥାଏ ଯାହାକି ମାତ୍ର ୯ ସେକେଣ୍ଡରେ ୨୬୪ଟି ସିଗାରେଟ୍ ସହ ସମାନ ପରିମାଣର ପ୍ରଦୂଷଣ ସୃଷ୍ଟି କରିଥାଏ। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଧାରିତ ମାନକର ୨୫୬୦ ଗୁଣ ଅଟେ। ସେହିପରି ୧୦୦୦ଟି ବାଣରେ ଗୁନ୍ଥା ହୋଇଥିବା ଗୋଟିଏ ଲଡ଼ି ବମ୍ ବା ସୋଲି ଫୋଟକା ଦ୍ୱାରା ଯେଉଁ ପ୍ରଦୂଷଣ ସୃଷ୍ଟି ହେଉଛି ତାହା ୨୭୭ଟି ସିଗାରେଟ୍ ସେବନ କରିବା ସହିତ ସମାନ ଥିବା ଜଣାପଡ଼ିଛି। ଏହା ବ୍ୟତିତ ପିଲାମାନଙ୍କୁ ଫୁଟାଇବାକୁ ଦିଆଯାଉଥିବା ଗୋଟିଏ ଫଲଝଡ଼ି ବା ଚୁଡ଼ୁଚୁଡ଼ିଆ ବାଣ ବି ୬୪ଟି ସିଗାରେଟ୍ର ସମକକ୍ଷ ପ୍ରଦୂଷଣ କରିଥାଏ ବୋଲି ଜଣାପଡ଼ିଛି। ଗୋଟିଏ କୁମ୍ପି ବାଣ ବି ୩୪ଟି ସିଗାରେଟ୍ର ପ୍ରଦୂଷଣ ସୃଷ୍ଟି କରିଥାଏ। ଅତଏବ ଏଭଳି ପରିସ୍ଥିତିରେ ଧାର୍ମିକ ପର୍ବପର୍ବାଣୀ ଓ ପରମ୍ପରା ନାଁରେ ଏସବୁ ବାଣ ବା ଆତସବାଜିର ଅନିୟନ୍ତ୍ରିତ ବ୍ୟବହାରକୁ କିପରି ଅନୁମତି ଦିଆଯାଇପାରିବ?
ଦେଶରେ ଜାତି, ଧର୍ମ ଓ ଅଂଚଳ ନିର୍ବିଶେଷରେ ବାୟୁ ପ୍ରଦୂଷଣ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ କିଛି ଲୋକ ତାକୁ ହିନ୍ଦୁ ମୁସଲମାନର ଚଷମା ମଧ୍ୟରେ ଦେଖିବାକୁ ଉଦ୍ୟମ କରିବା ପରିତାପର ବିଷୟ। କାରଣ କୌଣସି ପର୍ବପର୍ବାଣୀକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ସମ୍ପ୍ରଦାୟର ଲୋକେ ପାଳନ କରିଥାନ୍ତି। କିନ୍ତୁ ତାଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣର ପ୍ରଭାବ ସମାଜର ସମସ୍ତଙ୍କ ଉପରେ ପଡ଼ିଥାଏ।
ଦୀପାବଳି ଉତ୍ସବ ସହିତ ଦୀପ ଜାଳିବାର ପରମ୍ପରା ଯଦିଓ ଆରମ୍ଭରୁ ରହିଛି କିନ୍ତୁ ସେ ସମୟରେ ବାଣ ଫୁଟାଇବାର ପରମ୍ପରା ବେଶି ପୁରୁଣା ନୁହେଁ। କାରଣ ରାମାୟଣର ବର୍ଣ୍ଣନା ଅନୁସାରେ ଲଙ୍କାରେ ରାବଣ ସହିତ ଯୁଦ୍ଧରେ ବିଜୟଲାଭ କରି ଭଗବାନ ରାମଚନ୍ଦ୍ର ଯେତେବେଳେ ଅଯୋଧ୍ୟାକୁ ଫେରିଛନ୍ତି, ସେତେବେଳେ ତାଙ୍କୁ ସ୍ୱାଗତ ଜଣାଇ ଅଯୋଧ୍ୟାବାସୀ ଦୀପାବଳି ପାଳନ କରିଛନ୍ତି। ସମଗ୍ର ଅଯୋଧ୍ୟା ନଗରୀ ଉତ୍ସବ ମୁଖର ହୋଇ ଉଠିବା ସହ ଲୋକେ ଦୀପ ଜଳାଇ ତାଙ୍କ ଆଗମନକୁ ସ୍ୱାଗତ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ହିନ୍ଦୁମାନେ ଦୀପାବଳି ଉତ୍ସବ ପାଳନ କରିଥାନ୍ତି। କିନ୍ତୁ ପୁରାଣ ବର୍ଣ୍ଣିତ ଏହି ଉତ୍ସବ ବେଳେ ଲୋକେ ଦୀପ ଜାଳିବାର ଉଲ୍ଲେଖ ରାମାୟଣରେ ରହିଛି। କିନ୍ତୁ ବାଣ ଫୁଟାଇବା କୌଣସି ସ୍ଥ।ନରେ ଉଲ୍ଲେଖ ନାହିଁ। ଏପରିକି ଷୋଳଶ ଶତାବ୍ଦୀରେ ଲିଖିତ ତୁଳସୀ ଦାସଙ୍କ ରାମଚରିତ ମାନସରେ ଯଦିଓ ଅଯୋଧ୍ୟାକୁ ରାମଙ୍କ ପ୍ରତ୍ୟାବର୍ତ୍ତନ ସମୟର ଦୃଶ୍ୟକୁ ସବିଶେଷ ଭାବେ ବର୍ଣ୍ଣନା କରାଯାଇଛି କିନ୍ତୁ ସେଥିରେ କୌଣସି ସ୍ଥାନରେ ବାଣ ଫୁଟାଇବା ଉଲ୍ଲେଖ ନାହିଁ।
ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ଯେ ବେଶି ପୁରୁଣା ନୁହେଁ, ତାହା ଐତିହାସିକ ତଥ୍ୟ ଆଧାରରେ କୁହାଯାଇପାରେ। କାରଣ ବାଣ ପାଇଁ ଆବଶ୍ୟକ ବାରୁଦର ଆବିଷ୍କାର ପ୍ରଥମେ ଦଶମ ଶତାବ୍ଦୀରେ ଚୀନରେ ହୋଇଥିଲା। ପରେ ବାରୁଦର ଜ୍ଞାନ ଚୀନରୁ ଆରବ ଦେଇ ପ୍ରଥମେ ମଙ୍ଗୋଲିଆ ଓ ପରେ ମୋଗଲମାନଙ୍କ ଜରିଆରେ ଭାରତକୁ ଆସିଥିଲା।
ତେବେ ଭାରତରେ ବାରୁଦର ବିଧିବଦ୍ଧ ବ୍ୟବହାର ୧୫୨୬ ମସିହାରେ ପାନିପଥ ଯୁଦ୍ଧରେ ବାବରଙ୍କ ଦ୍ୱାରା କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଭାରତରେ ବାରୁଦର ବ୍ୟବହାର ହୋଇଥିଲେ ମଧ୍ୟ ତାହା ମୂଳତଃ ଯୁଦ୍ଧ କ୍ଷେତ୍ରରେ ତଥା ରାଜା ରାଜୁଡ଼ାଙ୍କ ଦ୍ୱାରା ଆୟୋଜିତ ବିବାହ ଓ ଅନ୍ୟ ଉତ୍ସବମାନଙ୍କରେ ରାଜକୀୟ ଅହଂକାରର ପ୍ରତୀକ ଭାବେ ବ୍ୟବହୃତ ହେଉଥିଲା। ଐତିହାସିକ ପି. କେ. ଗୋଡ଼େଙ୍କ ଦ୍ୱାରା ରଚିତ ‘ହିଷ୍ଟ୍ରି ଅଫ୍ ଫାଇରୱାର୍କସ୍ ଇନ୍ ଇଣ୍ଡିଆ’ ପୁସ୍ତକରେ ମଧ୍ୟ ଏହି କଥାର ଉଲ୍ଲେଖ ରହିଛି। ସେ ତାଙ୍କ ଗବେଷଣାରେ ଚତୁର୍ଦଶ-ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ଭାରତରେ ବାରୁଦର ବ୍ୟବହାର ହେଉ ନଥିଲା ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ଅତଏବ ଐତିହାସିକ ଭାବେ ପ୍ରମାଣିତ ଯେ ଭାରତରେ ଦୀପାବଳି ସମୟରେ ବାଣ ଫୁଟାଇବାର ପରମ୍ପରା ବେଶି ପୁରୁଣା ନୁହେଁ। ବୋଧହୁଏ ଅଷ୍ଟାଦଶ ଶତାବ୍ଦୀରୁ ହିଁ ଏହି ପରମ୍ପରା ଧୀରେ ଧୀରେ ଆରମ୍ଭ ହୋଇଛି। ଅନେକ ବର୍ଷ ଧରି ତାହା ଦେଶୀୟ ପଦ୍ଧତିରେ ସୀମୀତ ଥିବା ବେଳେ ଊନ୍ନବିଂଶ ଶତାବ୍ଦୀରେ ତାହା ବ୍ୟବସାୟିକ ରୂପ ନେଇଛି। କାରଣ ୧୯୨୩ ମସିହାରେ ଆମ ଦେଶରେ ପ୍ରଥମ ଦିଆସିଲି କାରଖାନା କଲିକତାରେ ସ୍ଥାପିତ ହୋଇଥିଲା। ସେହି ଦିଆସିଲି କାରଖାନାରେ କାମ କରି ଦିଆସିଲି ନିର୍ମାଣ ଶିଖିବା ପାଇଁ ତାମିଲନାଡ଼ୁର ଶିବକାଶୀର ଦୁଇ ଭାଇ ଆୟା ନାଦର ଓ ସନମୁଗ୍ ନାଦର କଲିକତା ଆସିଥିଲେ। ପରେ ସେମାନେ ନିଜ ଜାଗାକୁ ଫେରି ୧୯୪୦ ମସିହାରେ ଏକ ଛୋଟ ଦିଆସିଲି କାରଖାନା ସ୍ଥାପନ କରିଥିଲେ। ୧୯୪୦ ମସିହାରେ ବ୍ରିଟିଶ ସରକାର ବିଷ୍ଫୋରକ ଦ୍ରବ୍ୟ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବା ପରେ ନାଦର ଭ୍ରାତାମାନେ ଲାଇସେନ୍ସ୍ ଆଣି ପ୍ରଥମ ଥର ପାଇଁ ସେଠାରେ ବାଣ ଉତ୍ପାଦନ ଆରମ୍ଭ କରିଥିଲେ। ପରେ ସେମାନେ ଫୁଲଝରି ଉତ୍ପାଦନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ବାଣର ଲୋକପ୍ରିୟତା ଏବଂ ବ୍ୟବସାୟ ବଢ଼ିଥିଲା ଏବଂ ଆଜି ଶିବକାଶୀ ଭାରତର ବାଣ ହବ୍ରେ ପରିଣତ ହୋଇଯାଇଛି। ସେଠାରେ ୭୦୦ରୁ ଉର୍ଦ୍ଧ୍ୱ ବାଣ କାରଖାନା ରହିଛି ଯେଉଁଥିରେ ଲକ୍ଷାଧିକ ଶ୍ରମିକ କାମ କରୁଛନ୍ତି। ତେବେ ଗତ ଦେଢ଼ ଦଶନ୍ଧି ମଧ୍ୟରେ ଭାରତର ବାଣ ଆବଶ୍ୟକତାର ଏକ ବଡ଼ ଭାଗ ଶିବକାଶୀ ବଦଳରେ ଚୀନରୁ ଭରଣା ହେଉଛି।
ଅତଏବ ଉଭୟ ପୌରାଣିକ ଓ ଐତିହାସିକ ତଥ୍ୟର ଆଧାରରେ କୁହାଯାଇପାରେ ଯେ କିଛି ଶହ ବର୍ଷ ପୂର୍ବରୁ ଆମ ଦେଶରେ ଦୀପାବଳି ସମୟରେ ବାଣ ଫୁଟାଇବା ହିନ୍ଦୁମାନଙ୍କ ପରମ୍ପରା ଆଦୌ ନଥିଲା। ବରଂ ଏହି ପରମ୍ପରାକୁ ଆମେ ଚୀନ ଓ ମୋଗଲଙ୍କଠାରୁ ହାସଲ କରିଛେ। ଏଭଳି ସ୍ଥିତିରେ ପରମ୍ପରାର ଦ୍ୱାହି ଦେଇ ଦୀପାବଳି ସମୟରେ ଅଧିକରୁ ଅଧିକ ବିପଜ୍ଜନକ ବାଣ ଫୁଟାଇବା ଏବଂ ତା’ରି ଫଳରେ ଆମର ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ଭୟଙ୍କର ସମସ୍ୟା ସୃଷ୍ଟି କରିବା କଦାପି ତର୍କସଙ୍ଗତ ହୋଇନପାରେ। ପୁନଶ୍ଚ ପରମ୍ପରା କୌଣସି ସ୍ଥିତିର ବିଷୟ ନୁହେଁ। ଏହା ସର୍ବଦା ପରିବର୍ତ୍ତନଶୀଳ। ପରିସ୍ଥିତି ଅନୁସାରେ ଯେକୌଣସି ପରମ୍ପରାକୁ ପରିବର୍ତ୍ତନ କରାଯାଇପାରେ। ଅତଏବ ସମାଜର ବୃହତ୍ତର ସ୍ୱାର୍ଥ, ମଣିଷର ସ୍ୱାସ୍ଥ୍ୟ ଦୃଷ୍ଟିର ସର୍ବୋଚ୍ଚ ନ୍ୟାୟାଳୟ ଏକ ବୈଜ୍ଞାନିକ ବିଶ୍ଳେଷଣ କରି ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ସ୍ୱାଗତଯୋଗ୍ୟ।
ଫୋନ- ୯୪୩୭୧୬୬୩୯୧
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
