ଦେବ ରଞ୍ଜନ
ସେପ୍ଟେମ୍ବର ୧୧, ୨୦୦୧ ତାରିଖର ଘଟଣା ବିଶ୍ଵରେ ଅନେକ ପ୍ରକାରର କ୍ରିୟା ଓ ପ୍ରତିକ୍ରିୟାକୁ ଜନ୍ମ ଦେଇଥିଲା ଯାହାର ପ୍ରଭାବ ଆଜି ବି ଅନୁଭୂତ ହେଉଛି। ଏହିଦିନ (୯/୧୧) ୧୯ ଜଣ ଅପହରଣକାରୀ ଚାରୋଟି ଏରୋପ୍ଳେନକୁ ହରଣଚାଳ କରି ଆମେରିକାର ବିଶ୍ଵ ବାଣିଜ୍ୟ କେନ୍ଦ୍ର ବିଲଡିଙ୍ଗ ଓ ପେଣ୍ଟାଗନ ଅସ୍ତ୍ରାଗାର ଇତ୍ୟାଦିରେ ଧକ୍କା ଲଗାଇଥିଲେ। ଏଭଳି ଆକ୍ରମଣ ଦ୍ଵାରା ସେହି ୧୯ ଜଣ ଅପହରଣକାରୀଙ୍କ ସମେତ ୩୦୦୦ ଆମେରିକୀୟଙ୍କର ମୃତ୍ୟୁ ହୋଇଥିଲା। ଅପହରଣକାରୀଙ୍କ ମଧ୍ୟରୁ ଅଧିକାଂଶ ସାଉଦି ଆରବ ଓ ଆମେରିକାର ନାଗରିକ ଥିଲେ।
ଆକ୍ରମଣର ଠିକ ପରେ ପରେ ‘ଅଲ୍ କାଏଦା’ର ମୁଖ୍ୟ ଓସାମା ବିନ ଲାଡେନ ନିଜକୁ ଏଥିଲାଗି ଦାୟୀ କରି ଦେଇଥିବା ବିବୃତ୍ତିରେ ଉଲ୍ଲେଖ କରିଥିଲା ଯେ ପ୍ରାଚ୍ୟ ଦେଶର (ସିରିୟା, ଲେବାନନ, ଇରାକ, ଇରାନ, ପାଲେଷ୍ଟାଇନ ଓ ଜୋର୍ଡାନ ଇତ୍ୟାଦି) ଆଭ୍ୟନ୍ତରୀଣ ବ୍ୟାପାରରେ ଆମେରିକାର ହସ୍ତକ୍ଷେପ ବିଶେଷକରି ଇସ୍ରାଏଲର ପାଲେଷ୍ଟାଇନ ଉପରେ ହେଉଥିବା ଆକ୍ରମଣରେ ଆମେରିକା ଇସ୍ରାଏଲକୁ ସମସ୍ତ ସହଯୋଗ କରିବାର ପ୍ରତିବାଦରେ ଏଭଳି ଆକ୍ରମଣ ହୋଇଥିଲା।
ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ କିନ୍ତୁ ଏହା ପରେ ନିଜର ବିଦେଶ ନୀତିର ସମୀକ୍ଷା କରିବା ଉଚିତ ମନେ କରିନଥିଲେ। ଅଲ୍ କାଏଦାର ଆକ୍ରମଣକୁ ସେ ଆମେରିକା ଭଳି ବିତ୍ତଶାଳୀ ଓ ଆଧୁନିକ ଅସ୍ତ୍ରରେ ସଜ୍ଜିତ ବିଶ୍ଵର ସର୍ବଶ୍ରେଷ୍ଠ ରାଷ୍ଟ୍ର ଉପରେ ଆକ୍ରମଣ ବୋଲି ଅଭିହିତ କରିଥିଲେ। ବୁଶଙ୍କ ‘ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା’ ଆମେରିକା ସମେତ ଓ ବିଶ୍ଵର ଅନେକ ଦେଶରେ ଗୁଞ୍ଜରିତ ହୋଇଥିଲା। ବୁଶଙ୍କର ସମଗ୍ର ବକ୍ତବ୍ୟ ଥିଲା, ‘ମନଷ୍ଟର ଅନ୍ଧାରରେ ଲୁଚି ରହିଛି। ହେଲେ ସେ ଯେଉଁଠାରେ ଥାଉ ନା କାହିଁକି ତାହାକୁ ଛଡ଼ାଯିବ ନାହିଁ।’
ଅଲ୍ କାଏଦା ଉଗ୍ରବାଦୀ ଆକ୍ରମଣର ଯଥେଷ୍ଟ ପୂର୍ବରୁ ଆମେରିକା କିନ୍ତୁ ଅନେକ ଦେଶ ଉପରେ ଆକ୍ରମଣ କରିଆସିଛି ଓ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ନିଜ ସ୍ଵାର୍ଥର ସୁରକ୍ଷା ଲାଗି ହସ୍ତକ୍ଷେପ କରିଆସିଛି। କ୍ୟୁବା, ଭିଏତନାମ, ଇରାନ, କାମ୍ବୋଡ଼ିଆ, ଆଫଗାନିସ୍ତାନ, ଲିବ୍ୟା, ଇରାକ, ପାଲେଷ୍ଟାଇନ, ହାଇତି ଇତ୍ୟାଦି ଦେଶ ଉପରେ ଆମେରିକା ସୈନ୍ୟ ବାହିନୀ ଦ୍ଵାରା ଆକ୍ରମଣ କରାଯାଇଛି। ଏଭଳି ଆକ୍ରମଣର ଲକ୍ଷ୍ୟ ଥିଲା ସେହି ସମସ୍ତ ଦେଶର ନିର୍ବାଚିତ ଶାସକ ବା ମିଲିଟାରୀ ଶାସକଙ୍କୁ ଗାଦିଚ୍ୟୁତ କରିବା ଓ ନିଜର ସମର୍ଥକଙ୍କୁ ଶାସନରେ ପ୍ରତିଷ୍ଠିତ କରିବା, ଯାହାଦ୍ୱାରା ଉକ୍ତ ଦେଶମାନଙ୍କରେ ଥିବା ପ୍ରାକୃତିକ ସମ୍ପଦ ବିଶେଷକରି ଅଶୋଧିତ ତୈଳ ଉପରେ ନିଜର କର୍ତ୍ତୃତ୍ଵ ଜାହିର କରିହେବ।
୧୯୯୦ ମସିହାରେ ଗଲ୍ଫ ଯୁଦ୍ଧର ଉଦ୍ଦେଶ୍ୟ ଥିଲା ପେଟ୍ରୋଲ ଉପରେ ଆମେରିକାର କର୍ତ୍ତୃତ୍ଵ ଜାହିର କରିବା। ଆମେରିକାର ଆକ୍ରମଣ ଦ୍ଵାରା ଉପରୋକ୍ତ ସମସ୍ତ ଦେଶର ଅର୍ଥନୀତି, ରାଜନୀତି, ଲୋକଙ୍କ ଅବସ୍ଥିତି ବେଶ ପ୍ରଭାବିତ ହୋଇଛି। ଜାତିସଂଘରେ ଆମେରିକାର ଆକ୍ରମଣ ବିପକ୍ଷରେ ପ୍ରସ୍ତାବ ପାସ ହୋଇଥିଲେ ମଧ୍ୟ ଆମେରିକା ଏହାକୁ ଆଦୌ ଖାତିର କରିନାହିଁ।
ଆମେରିକାର ବିଶ୍ଵ ବାଣିଜ୍ୟ କେନ୍ଦ୍ର ଉପରେ କିନ୍ତୁ ଅଲ୍ କାଏଦା ଆକ୍ରମଣକୁ ବୁଶ ପ୍ରଶାସନ ‘ମନଷ୍ଟର’ ବା ରାକ୍ଷସଙ୍କ ଆକ୍ରମଣ ବୋଲି ଅଭିହିତ କରିଥିଲେ। ବାଇବେଲ ଧର୍ମଗ୍ରନ୍ଥ ଅନୁସାରେ ମନଷ୍ଟରର ଅର୍ଥ ରାକ୍ଷସ। ବୁଶ ପ୍ରଶାସନ ଅଲ୍ କାଏଦା ଦ୍ଵାରା ଆକ୍ରମଣକୁ ଆମେରିକାର ଖ୍ରୀଷ୍ଟିୟାନ ସମାଜ ପ୍ରତି ଆହ୍ଵାନ ଦେଇ ଉଲ୍ଲେଖ କରିଥିଲେ, ‘ବିଶ୍ଵ ବାଣିଜ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ବିଲଡିଙ୍ଗ ଉପରେ ଆକ୍ରମଣ କରିବା ଦ୍ଵାରା ଇସଲାମ ଉଗ୍ରବାଦ ଆମେରିକାକୁ ଧ୍ଵଂସ କରିବା ଲାଗି ଉଦ୍ୟମ କରୁଛି।’
ଅଲ୍ କାଏଦା ଉଗ୍ରବାଦୀ ଆକ୍ରମଣକୁ ଜର୍ଜ ବୁଶ ଇସଲାମ ଧର୍ମ ସହିତ ଯୋଡ଼ିବା ପରେ ଆମେରିକାର ଗଣମାଧ୍ୟମ, ଇନ୍ଟରନେଟ, ରିପବ୍ଲିକାନ ଦଳ, ହଲିଉଡ ଫିଲ୍ମର ଅଭିନେତା, ଟିଭିର ମୁଖ୍ୟ ଆଲୋଚକ ସମସ୍ତେ ୯/୧୧ ଘଟଣା ଲାଗି ଇସଲାମ ଧର୍ମାବଲମ୍ବୀଙ୍କୁ ଦାୟୀ କରିବା ଆରମ୍ଭ କରିଦେଇଥିଲେ। ଏହିଠାରୁ ଇସଲାମୋଫୋବିଆ ବା ଇସଲାମ-ଆଡୁ-ଭୟର ସୃଷ୍ଟି।
୧୯୯୫ ମସିହାରେ ଆମେରିକାର ଓକ୍ଲାହୋମ ସହରରେ ଉଗ୍ରବାଦୀ ଶକ୍ତିଙ୍କ ଦ୍ଵାରା ବୋମା ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୧୬୮ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲେ ଓ ୫୦୦ରୁ ଉର୍ଦ୍ଧ୍ଵ ଲୋକ ଆଘାତ ପାଇଥିଲେ। ପାଖାପାଖି ୩୨୪ଟି କୋଠାଘର ନଷ୍ଟ ହୋଇଯାଇଥିଲା। ୨୦୦୧ ପୂର୍ବ ପର୍ଯ୍ୟନ୍ତ ଆମେରିକା ଇତିହାସରେ ଏହା ସବୁଠାରୁ ବଡ଼ ଉଗ୍ରବାଦୀ ଆକ୍ରମଣ ଥିଲା। ଅଥଚ ଓକ୍ଲାହୋମ ସହର ଆକ୍ରମଣରେ ସମ୍ପୃକ୍ତ ଆକ୍ରାମଣକାରୀଙ୍କୁ ଆମେରିକା ପ୍ରଶାସନ କୌଣସି ଧର୍ମ ସହିତ ଯୋଡ଼ିନଥିଲା କି ଏହି ଉଗ୍ରବାଦ ବିରୁଦ୍ଧରେ ସମଗ୍ର ଦେଶବାସୀ ଠିଆ ହେବାର କୌଣସି ଆହ୍ଵାନ ଆମେରିକାର ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ଵାରା ଦିଆଯାଇନଥିଲା।
କିନ୍ତୁ ୯/୧୧ ଆକ୍ରମଣ ପରେ ଇସଲାମୋଫୋବିଆକୁ ଅସ୍ତ୍ର ଭାବରେ ଆମେରିକା ଦ୍ଵାରା ବ୍ୟବହାର କରାଯାଇଥିଲା। ଅଲ୍ କାଏଦାର ଆକ୍ରମଣ ଲାଗି ମୁସଲମାନ ବହୁଳ ଏସୀୟ ଦେଶକୁ ଦାୟୀ କରି ବିନା ଦୋଷରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଆମେରିକାର ଏଭଳି ଅନ୍ୟାୟ ଯୁଦ୍ଧର ପ୍ରଥମ ଶିକାର ଇରାକବାସୀ ଓ ଏହାର ଶାସକ ସଦ୍ଦାମ ହୁସେନ ହୋଇଥିଲେ। ୯/୧୧ ଘଟଣା ସହ ସଦ୍ଦାମ ହୁସେନ୍ କି ଇରାକବାସୀଙ୍କର କୌଣସି ସଂପର୍କ ନଥିଲା।
ସମଗ୍ର ବିଶ୍ଵରେ ଆମେରିକାର ବୁଶ୍ ପ୍ରଶାସନ ଘୋଷଣା କରିଥିଲା ଯେ ଇରାକ ପାଖରେ ରାସାୟନିକ ଅସ୍ତ୍ର ରହିଛି ଓ ସଦ୍ଦାମ ହୁସେନଙ୍କର ଅଲ୍ କାଏଦା ସହିତ ସମ୍ପର୍କ ରହିଛି। ୨୦୦୩ରେ ଆମେରିକାର ଇରାକ ଉପରେ ଆକ୍ରମଣରେ ୧,୩୪,୦୦ରୁ ୧,୭୫,୦୦୦ ଜଣ ସାଧାରଣ ଇରାକୀ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ରାସାୟନିକ ଅସ୍ତ୍ର ରଖିବାର ମିଥ୍ୟା ଆରୋପରେ ସଦ୍ଦାମଙ୍କୁ ଫାଶୀ ଦିଆଗଲା।
ପରେ, ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଆମେରିକା ଓ ଅଳ୍ପ କେତେକ ଦେଶ ପାଖରେ କେବଳ ଏହି ଅସ୍ତ୍ର ରହିଛି। କିନ୍ତୁ ଇରାକ ପାଖରେ ସେଭଳି ଅସ୍ତ୍ର ନାହିଁ। ଇରାକ ଆକ୍ରମଣ କେବଳ ଏହି ଦେଶ ମଧ୍ୟରେ ଥିବା ତୈଳ ବିଶୋଧନାଗାର ଉପରେ ଆମେରିକାର କର୍ତ୍ତୃତ୍ଵ ପ୍ରତିଷ୍ଠା ଲାଗି କରାଯାଇଥିଲା। ୯/୧୧ର ଉଗ୍ରବାଦୀ ଆକ୍ରମଣ କେବଳ ଏଥିଲାଗି ବାହାନା ଥିଲା।
ଇସଲାମ-ଆଡୁ-ଭୟର ପରବର୍ତ୍ତୀ ଶିକାର ଅଲ୍ କାଏଦାର ମୁଖ୍ୟ ଓସାମା ବିନ ଲାଡେନ ଥିଲା ଯାହାକୁ ବାରାକ ଅବାମା ରାଷ୍ଟ୍ରପତି ଥିବା ସମୟରେ ପାକିସ୍ତନରେ ହତ୍ୟା କରାଯାଇଥିଲା। କୌଣସି ଦେଶର ସୀମା ମଧ୍ୟରେ ଅନ୍ୟ ଏକ ଦେଶ ନିଜର ସୈନ୍ୟଙ୍କୁ ପ୍ରବେଶ କରାଇ ସେଠାର କୌଣସି ଜଣେ ଲୋକକୁ ହତ୍ୟା କରିବା ସେହି ଦେଶର ସାର୍ବଭୌମତ୍ଵ ଉପରେ ଆକ୍ରମଣ ନୁହେଁ କି? ଏହି ଅପରାଧ କିନ୍ତୁ ଆମେରିକା ୯/୧୧ର ପୂର୍ବରୁ ଓ ପରେ ବାରମ୍ବାର କରିଚାଲିଛି।
ମୁସଲମାନଙ୍କୁ ଟ୍ରାଭେଲ ବ୍ୟାନ
ଡୋନାଲ୍ଡ ଟ୍ରମ୍ଫ ୨୦୧୭ରୁ ୨୦୨୧ ମଧ୍ୟରେ ପ୍ରଥମ ଥର ରାଷ୍ଟ୍ରପତି ଥିଲେ। ଟ୍ରମ୍ଫଙ୍କ ସମୟରେ ଆମେରିକାର ବିଦେଶ ନୀତିରେ କୌଣସି ପରିବର୍ତ୍ତନ ହୋଇନଥିଲା। ବରଂ ଇସଲାମ-ଆଡୁ-ଭୟକୁ ଅସ୍ତ୍ର ଭାବରେ ବ୍ୟବହାର କରଯାଇଥିଲା। ଇସଲାମ ବହୁଳ ଦେଶ ସିରିଆ, ଇରାକ, ଇରାନ, ଲିବ୍ୟା, ସୋମାଲିଆ, ସୁଦାନ ଓ ୟେମେନ ଦେଶରୁ କୌଣସି ନାଗରିକ ଆମେରିକା ମଧ୍ୟରେ ପ୍ରବେଶ କରିବା ଲାଗି ପ୍ରତିବନ୍ଧକ ବା ଟ୍ରାଭେଲ ବ୍ୟାନ ଟ୍ରମ୍ଫ ନିଜ ସମୟରେ ଲାଗୁ କରିଥିଲେ। ଏହା ‘ଟ୍ରମ୍ଫ ଟ୍ରାଭେଲ ବ୍ୟାନ’ ନାମରେ ପରିଚିତ। ଟ୍ରମ୍ଫ ଏହି ସାତଟି ଦେଶକୁ କାହିଁକି ବାଛିଥିଲେ?
ଜାତିସଂଘର ବିଭିନ୍ନ ରିପୋର୍ଟରୁ ଏହା ମିଳୁଛି ଯେ ଆମେରିକାର ଇରାକ ସହିତ ଯୁଦ୍ଧରେ (୨୦୦୩-୨୦୧୧) ୧,୩୪,୦୦ରୁ ୧,୭୫,୦୦୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଲିବ୍ୟାରେ ମିଲିଟାରୀ ହସ୍ତକ୍ଷେପ (୨୦୧୧) ଦ୍ଵାରା ୨୦,୦୦୦ରୁ ୫୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସୋମାଲିଆରେ ବିବାଦ ଓ ଆମେରିକା ସୈନ୍ୟ ବାହିନୀର ଯୁଦ୍ଧ (୨୦୦୭ରୁ ଆଜି ପର୍ଯ୍ୟନ୍ତ) ହେତୁ ସାଧାରଣ ସୋମାଲିଆ ବାସୀଙ୍କ ମୃତ୍ୟୁ ସଂଖ୍ୟା ୫୦,୦୦୦ରୁ ୧,୦୦,୦୦୦। ସିରିଆ ଯୁଦ୍ଧରେ ସାଧାରଣ ଦେଶବାସୀଙ୍କ ମୃତ୍ୟୁର ସଂଖ୍ୟା ୬,୦୬,୦୦୦ରୁ ୧୦,୦୦୦,୦୦୦ ହେବ। ଆମେରିକା ସୈନ୍ୟ ବାହିନୀର ବିଭିନ୍ନ ଦେଶ ଉପରେ ଆକ୍ରମଣ ଦ୍ଵାରା ଅନ୍ୟୁନ ଏକ କୋଟି ଲୋକ ମୃତ୍ୟୁବରଣ କରିସାରିଥିବେ।
ଏହା ସହଜରେ ଅନୁମେୟ ଯେ ଟ୍ରମ୍ଫଙ୍କ ମୁସଲମାନ ବ୍ୟାନ ଆମେରିକାରେ ଇସଲାମ-ଆଡୁ-ଭୟର ବାତାବରଣକୁ ଅଧିକ ମଜଭୁତ କରିବା ଓ ଇସଲାମ ପ୍ରତି ଘୃଣା ତିଆରି କରିବା ଲାଗି ଥିଲା। ଆମେରିକା ପ୍ରଶାସନ ଯେଉଁ ହସ୍ତକ୍ଷେପ ଏହି ସମସ୍ତ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ କେବଳ ତେଲ ଓ ଡ୍ରଗ୍ସ ଲାଗି କରିଆସିଛି ସେଥିରୁ ଉତ୍ତେଜିତ ହୋଇ କୌଣସି ଉଗ୍ରବାଦୀ ଦଳ କାଳେ ଆମେରିକା ଉପରେ ଆକ୍ରମଣ କରିବେ (ଯେମିତି ଅଲ୍ କାଏଦା କରିଥିଲା) ସେଭଳି କିଛି ଘଟଣାର ପୂର୍ବରୁ ଏଭଳି ପ୍ରତିବନ୍ଧକ ସେହି ସାତଟି ଦେଶର ନାଗରିକଙ୍କ ଉପରେ ଟ୍ରମ୍ଫ ପ୍ରଶାସନ ଦ୍ଵାରା ଲଗାଯାଇଥିଲା। ପରେ ଅବଶ୍ୟ ଆମେରିକାର ଏକ ସ୍ଥାନୀୟ କୋର୍ଟ ଟ୍ରମ୍ଫଙ୍କ ଉକ୍ତ ବ୍ୟାନକୁ ଅଗଣତାନ୍ତ୍ରିକ କହି ଉଠାଇ ଦେଇଥିଲେ।
୯/୧୧ ଘଟଣା ପରଠାରୁ ଆମେରିକାର ଶାସକ ବର୍ଗ ନିଜର ମିଡିଆ ଓ ଅନ୍ୟ ମାଧ୍ୟମରେ ସମାନ ଯୁକ୍ତି ସମଗ୍ର ଦେଶରେ ପ୍ରଚାର କରିଚାଲିଛନ୍ତି। ସେହି ସମସ୍ତ ଯୁକ୍ତି ହେଲା ଯେ ଇସଲାମ ଏକ ହିଂସ୍ର ଧର୍ମ। ଏହି ଧର୍ମର ଉଗ୍ରବାଦ ସହିତ ସମ୍ପର୍କ ରହିଛି। ଇସଲାମ ଧର୍ମାବଲମ୍ବୀମାନେ ରକ୍ଷଣଶୀଳ, ଶରୀୟାତ ଆଇନ ଲାଗୁ କରିବା ଲାଗି ଆଗ୍ରହୀ, ଅନ୍ୟ ଦେଶର ସମ୍ପତ୍ତିକୁ ସେମାନେ ହଡ଼ପ କରିନେବେ ଇତ୍ୟାଦି। ସେମାନେ ନିଜର ସଂଖ୍ୟା ବୃଦ୍ଧି ଲାଗି ଆଗ୍ରହୀ ଓ ସେମାନଙ୍କଠାରୁ ଦେଶ ପ୍ରତି ବିପଦ ରହିଛି।
ଇସଲାମ-ଆଡୁ-ଭୟର ପ୍ରଭାବ ଇଉରୋପର ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ସମେତ ଏସୀୟ ମହାଦେଶ ମଧ୍ୟରେ ହିନ୍ଦୁ ବହୁଳ ଦେଶ ଭାରତ ଓ ବୌଦ୍ଧ ଧର୍ମାବଲମ୍ବୀ ଅଧିକ ଥିବା ଶ୍ରୀଲଙ୍କା, ବର୍ମା, ଜାପାନ ଇତ୍ୟାଦି ଦେଶରେ ପଡ଼ିଥିଲା। ବିଶ୍ଵରେ ଆମେରିକା ଭଳି ଶକ୍ତିଶାଳୀ ବିକଶିତ ଦେଶର ଏହି ପ୍ରଚାରର ପ୍ରଭାବରେ ଇସଲାମ ବହୁଳ ଦେଶରେ କେତେକ ଉଗ୍ରବାଦୀ ସଂଗଠନ ସତରେ ତିଆରି ମଧ୍ୟ ହୋଇଛନ୍ତି ଯାହାଙ୍କ ପଛରେ ସେହି ସମସ୍ତ ଦେଶର ଶାସକଙ୍କ ସମର୍ଥନ ରହିଛି। ଏ ସମ୍ପର୍କରେ ଏହି ଲେଖାର ସୀମିତ କଳେବର ମଧ୍ୟରେ ଆଲୋଚନା କରିବା ସମ୍ଭବ ନୁହେଁ। ତେବେ ଧାର୍ମିକ ହିଂସା, ଆକ୍ରମଣ, ଦଙ୍ଗା, ବିଶ୍ଵର ଅନେକ ଦେଶରେ ୨୦୦୧ ଘଟଣା ପରେ ବଢ଼ିବାରେ ଲାଗିଛି।
ଆଜି ଆମେରିକାବାସୀ ପୁଣି ୯/୧୧ର ସମୟ ଦେଇ ଗତି କରୁଛନ୍ତି। ଧାର୍ମିକ ଉଗ୍ରବାଦ କାରଣରୁ ନିଜ ଦେଶ ମଧ୍ୟରେ ଓ ବାହାରେ ଆକ୍ରମଣର ଶିକାର ସେମାନେ ହେଉଛନ୍ତି। ୨୦୨୫ର ଆରମ୍ଭରୁ ଏହା ଦେଖାଗଲାଣି। ଆମେରିକା ସରକାର ଧର୍ମନିରପେକ୍ଷ ଯାହା ଏହାର ସମ୍ବିଧାନରେ ଥିଲା ତାହାକୁ ପାଳନ ନକରି ଉଗ୍ରବାଦୀ ଆକ୍ରମଣ ସହିତ ଧର୍ମକୁ ଯୋଡ଼ିବା ଦ୍ଵାରା ଗଣତନ୍ତ୍ରର ସ୍ଥିତି ଦୁର୍ବଳ ହେଉଛି। ଏହା କେବଳ ଆମେରିକାର ନୁହେଁ ବିଶ୍ଵର ଅନେକ ଦେଶରେ ହେଉଛି। ଗଣତନ୍ତ୍ର ଦୁର୍ବଳ ହେବା ନିର୍ବାଚିତ ଶାସକମାନଙ୍କୁ ସୁହାଉଛି। ସେମାନେ କ୍ରମଶଃ ଇସଲାମ-ଆଡୁ-ଭୟର ଆଳରେ ସ୍ଵେଚ୍ଛାଚାରୀ, କ୍ଷମତାପ୍ରବଣ ଓ ଫାସିବାଦୀ ହେବାରେ ଲାଗିଛନ୍ତି। ଶାସକଙ୍କ ସମର୍ଥନ କାରଣରୁ ଦେଶର ସମ୍ପତ୍ତି ଉପରେ ପୁଞ୍ଜିପତିଙ୍କ ପ୍ରଭାବ ବଢୁଛି। ସମାଜରେ ଆର୍ଥିକ ଅସମାନତା ସମାନ୍ତରାଳ ଭାବରେ ବଢ଼ିବାରେ ଲାଗିଛି। କିନ୍ତୁ ସମାନତା ଓ ଗଣତନ୍ତ୍ରର ସୁରକ୍ଷା ଲାଗି ଉଠୁଥିବା ସ୍ଵରକୁ ‘ଦେଶଦ୍ରୋହ’ ନାମରେ ଦମନ କରାଯାଉଛି। ଏହା ଇସଲାମ-ଆଡୁ-ଭୟର ନାମରେ କରାଯାଉଛି।
ମୋବାଇଲ-୯୪୩୭୭୬୨୨୭୨