ଇତିହାସର ଉଗ୍ର ଉପହାସ-ଦେଶଦ୍ରୋହୀ କିଏ?

ମାୟାଧର ନାୟକ

ମାଓବାଦ ସମସ୍ୟା ନୁହେଁ। ସଂକଟ ବି ନୁହେଁ। ଏହାର ସର୍ବକାଳୀନ ସମାଧାନ ବି ସମ୍ଭବ। ଯେକୌଣସି ସରକାର ମାଓବାଦ ସମସ୍ୟାକୁ ଆଇନ କାନୁନର ଗଣ୍ଡି ଭିତରେ ଆକଳନ କରି ‘ଯେସାକୁ ତେସା’ ନୀତି ଅବଲମ୍ବନ କଲେ ସଫଳ ହେବା ସମ୍ଭବ ନୁହେଁ। ମାଓବାଦ ଏକ ଅର୍ଥନୈତିକ ସାମାଜିକ ସମସ୍ୟା – ଏହାକୁ ରାଜନୈତିକ ସଂଗ୍ରାମ ମଧ୍ୟରେ ସମାଧାନର ରାସ୍ତା ବାହାର କରିବାକୁ ହେବ।

ମାଓ ସେତୁଂଙ୍କ ମାର୍କ୍ସବାଦୀ ଆଦର୍ଶରେ ୧୯୬୭ ମସିହାରେ ପଶ୍ଚିମବଙ୍ଗଳାର ନକସଲବାଡି ଗାଁରୁ ଚାରୁ ମଜୁମ୍‌ଦାର ଯେଉଁ ମଂଜି ପୋତିଥିଲେ, ଦୀର୍ଘ ୫୪ ବର୍ଷ ଧରି ସେ ମଂଜିରୁ ଗଛ ଫୁଲଫଳ ବିସ୍ତାରିତ ହୋଇ ସାରା ଦେଶରେ କାୟାବିସ୍ତାର କରିବାକୁ ଲାଗିଛି। ସେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ନକସଲପନ୍ଥୀଙ୍କୁ ବନ୍ଧୁକମୁନରେ ନିର୍ମମ ଭାବେ ଦମନ କରି ସଫଳ ହୋଇ ପାରିନଥିଲେ। ଆଜି ମଧ୍ୟ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ସେଇ ଏକା ପଦ୍ଧତିରେ କାର୍ଯ୍ୟ କରୁଛନ୍ତି। ଏହା ହିଁ ଇତିହାସର ଉଗ୍ର ଉପହାସ!

ମାଓବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି। ଗରିଲା ରଣକୌଶଳରେ ପାରଙ୍ଗମ। ଏପରିକି ରକେଟ୍ ମାଡ ଦେବା ଯୋଜନାରେ ଅଛନ୍ତି। ଏଥିପାଇଁ ପ୍ରଚୁର ଅର୍ଥ ଓ ଜ୍ଞାନକୌଶଳ ଦେଶବିଦେଶରୁ ଆଣିବାକୁ ମଧ୍ୟ ହୁଏତ ପଛେଇ ନଥିବେ। ଶ୍ରୀଲଙ୍କାରେ ପ୍ରଭାକରନ୍‌କୁ ସିନା ଶାସକ ମାରିଦେଲେ, ହେଲେ ତାଙ୍କ ବ୍ୟାଘ୍ରବାହିନୀ ଏବେବି ସୁଯୋଗ ଅପେକ୍ଷାରେ। ଏଠି ଭାରତରେ ମାଓବାଦୀମାନଙ୍କର ବହୁ ନେତା ଅଛନ୍ତି, ଜଣେ ଦି’ଜଣ ନେତା କିମ୍ବା ଶହଶହ ମାଓବାଦୀଙ୍କୁ ସରକାର ହତ୍ୟା କଲେ ଲୋପ ପାଇଯିବନାହିଁ।

ମନେହେଉଛି, ମାଓବାଦୀକୁ ମୁଖାଟି ପରି ଗଢାଯାଉଛି। କିଛି ସାଂଘାତିକ ଅଶୁଭଶକ୍ତି ମାଓବାଦୀ ନାଁରେ କୋକୁଆଭୟ ସୃଷ୍ଟି ନକଲେ କେନ୍ଦ୍ରରୁ ହଜାର ହଜାର କୋଟି ଟଙ୍କା ସାହାଯ୍ୟ ଆସିବ ନାହିଁ। ଜନତାକୁ ଭୁଆଁ ବୁଲାଉଥିବା କିଛି ନେତାଙ୍କର ଏ ଅଘଟଣ ସହିତ ସଂପୃକ୍ତିକୁ କ’ଣ ପୂରାପୂରି ଏଡାଇ ଦେଇହେବ? ଖବରକାଗଜ ଫର୍ଦରେ କେବେକେବେ ଏ ବାବଦରେ ପ୍ରକାଶ ପାଇଥିବା ଅତୀତର ତଥ୍ୟାବଳୀ ଏ ସନ୍ଦେହ ଆଣିବା ସ୍ୱାଭାବିକ।

କିଛି ନକଲି ମାଓବାଦୀ ହତ୍ୟା, ଡକାୟତି, ଲୁଣ୍ଠନ, ପୋଡାଜଳା, ବନ୍ଦ କାର୍ଯ୍ୟରେ ଲିପ୍ତ ରହି ବେଶ୍ ହାତ ଚିକ୍କଣ କରୁଥିବାର ଦେଖାଯାଉଛି। ମିଛ ମାଓବାଦୀ, ମିଛ ମାମଲରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କର ସୀମାହୀନ ମତଲବ ରହିଛି। ଏଇସବୁ ତଥାକଥିତ ନେତୃମଣ୍ଡଳୀ ନାଗରିକ ସମାଜପାଇଁ ଶତ୍ରୁମଣ୍ଡଳୀ ପାଲଟିଯାଇଛନ୍ତି। ମାଓବାଦୀମାନେ କ୍ଷମତା ଦଖଲ ପାଇଁ ପ୍ରାଣବଳୀ ଦେଉଛନ୍ତି। ସରକାରମାନେ କ୍ଷମତାରକ୍ଷା ପାଇଁ ସେନା, ପୁଲିସ, ସାଧାରଣ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି।

ନକ୍ସଲବାଦର ଉତ୍ତରଣ ଭାବରେ ମାଓବାଦର ନିର୍ଦ୍ଦିଷ୍ଟ ନୀତି, ଆଦର୍ଶ, ଲକ୍ଷ୍ୟ ରହିଛି। ଭାରତର ପୁଂଜିବାଦ ଶାସନକୁ ମୂଳପୋଛ କରି ଅସଲ ମାଓବାଦୀମାନେ ସମାଜବାଦ ପ୍ରତିଷ୍ଠା କରିବା ରାସ୍ତାରେ ଆଗେଇଛନ୍ତି। ଯେଉଁମାନେ ସମାଜବାଦ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଆସୁଛନ୍ତି, ସେମାନେ କେହି କମ୍ୟୁନିୁଷ୍ଟ ନୁହନ୍ତି ବୋଲି ଏମାନଙ୍କର ବଦ୍ଧ ଧାରଣା। କିଏ ଅସଲି କିଏ ନକଲି କିଏ ଠିକ୍ କି ଭୁଲ କେବଳ ଇତିହାସ ହିଁ କହିବ।

ବନ୍ଧୁକମୂନରେ କ୍ଷମତା ହାସଲ ଓ କ୍ଷମତା ଭୋଗ କରିବା ତତ୍ତ୍ୱ ବଦଳିବାରେ ଲାଗିଛି। ସମୟ ଥିଲା, ରୁଷ-ଚୀନରେ ବନ୍ଧୁକମୂନରେ କ୍ଷମତା ହାସଲ, ଲିବ୍ୟାରେ ଏକଛତ୍ରବାଦୀ ଶାସକଙ୍କ ପତନ ଏବଂ ଆମେରିକାର ଗଣତନ୍ତ୍ରରୂପୀ ସ୍ୱୈରତନ୍ତ୍ର ମଧ୍ୟ ତିଷ୍ଠିବା କଷ୍ଟକର ହୋଇପଡିଛି। ଏକମାତ୍ର ଜନଗଣଙ୍କ ବିନା ସହଯୋଗରେ କେହି ବି କ୍ଷମତା ହାସଲ କରିପାରିବେ ନାହିଁ – ଏହା ବିଭିନ୍ନ କ୍ଷେତ୍ରରେ ପ୍ରମାଣିତ ହେବାରେ ଲାଗିଛି।

ଆମ ରାଜ୍ୟରେ ଖଣି, ପାଣି, ଜମି, ଜଙ୍ଗଲ, ଡାଲି, କୋଇଲା, ନରେଗା, ଆଉ କେତେ କେତେ ଦୁର୍ନୀତି ଅତ୍ୟାଧୁନିକ। ଏଇ ରାଜକୋଷ ଲୁଟେରାମାନଙ୍କ ଚେର ପାତାଳ ପର୍ଯ୍ୟନ୍ତ ଲମ୍ବିଛି। ଯାହାଫଳରେ ଧନୀ ଓଡିଶାର ଲୋକେ ଗରିବ ହୋଇ ଉତ୍କଟ ଦାରିଦ୍ର‌୍ୟ, ବେକାରୀ, ଅନାହାର ଆଜି ଜନବିରୋଧୀ କାର୍ଯ୍ୟକୁ ଆଧାରକରି ମାଓବାଦୀ ବିଭିନ୍ନ ଉପାୟରେ ସ୍ୱର ଉତ୍ତୋଳନ କରୁଛନ୍ତି।

ମାଓବାଦର ମୂଳକାରଣ ସଂପର୍କରେ ବ୍ୟାପକ ସମୀକ୍ଷା କରାନଯାଇ ମାଓବାଦୀ ଦମନପାଇଁ ୯ଟି ରାଜ୍ୟରେ ହଜାର ହଜାର କୋଟି ଟଙ୍କା ରାଜକୋଷରୁ ବରବାଦ ହେଲାଣି। ପ୍ରତିଦିନ କେଉଁଠି ନା କେଉଁଠି ମାଓବାଦୀ ହମଲାରେ ବିଶେଷ କରି ସେନା-ମାଓବାଦୀ ଯୁଦ୍ଧରେ ଉଭୟପକ୍ଷରୁ ମୃତ୍ୟୁବରଣ କରିବା ସଂଗେସଂଗେ ବହୁ ଧନ ସଂପତି ମଧ୍ୟ ନଷ୍ଟ ହେଉଛି। ଏ ସବୁ ସମ୍ବାଦ ଗଣମାଧ୍ୟମରେ ଦୃଶ୍ୟମାନ ହେଲାବେଳେ ମନେହେଉଛି – ଗଛର ମୂଳ ନ ଉପାଡ଼ି ଡାଳପତ୍ର ଛିଡାଇଦେଲେ ପୁଣି ଗଛ କଅଁଳି ଶାଖାପ୍ରଶାଖା ମେଲାଇବା ଅସମ୍ଭବ ନୁହେଁ।

କିଏ ଏଇ ବିଷବୃକ୍ଷ? ମାଓବାଦୀମାନେ କହୁଛନ୍ତି – ଏଇ ପୂତିଗନ୍ଧମୟ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ, ଲାଭଖୋର ପୁଂଜିବାଦୀ ସମାଜ ବ୍ୟବସ୍ଥାର ରକ୍ଷକମାନଙ୍କ ମୂଳଉତ୍‌ପାଟନ। କ୍ଷମତାଧାରୀମାନେ କହୁଛନ୍ତି ମାଓବାଦ ଦେଶର ବଡ଼ ସମସ୍ୟା। ମାଓବାଦୀମାନେ ରାଜନୈତିକ ଚିନ୍ତା ପ୍ରକଟ କରୁଥିଲାବେଳେ କ୍ଷମତାଧାରୀମାନେ ରାଜନୈତିକ ଭାବେ ମାଓବାଦ ସମସ୍ୟା ସମାଧାନ କରିବାକୁ ଏଡେଇଯାଇ ଆଇନ ଶୃଙ୍ଖଳାର ଆଳ ଦେଖାଇ ଦମନନୀତି ଅବଲମ୍ବନ କରୁଛନ୍ତି, ଯାହାଫଳରେ ସମସ୍ୟା ଦିନକୁ ଦିନ ଜଟିଳ ଆକାର ଧାରଣ କରୁଛି।

ବିଶେଷଭାବେ ପଶ୍ଚିମବଂଗ, ଓଡିଶା, ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ, ବିହାର, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟରେ ମାଓବାଦୀ ସଂଗଠନ ବୃଦ୍ଧି ପାଇବାରେ ଲାଗିଛି। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ହରଡଘଣାରେ। ପ୍ରଥମେ ମାଓବାଦୀମାନଙ୍କୁ ପରୋକ୍ଷ ସମର୍ଥନ କରି ଗାଦିନସୀନ ହେବାପରେ ପ୍ରତ୍ୟକ୍ଷ ଭାବେ ମାଓବାଦୀଙ୍କୁ ଦମନ କରିବାପାଇଁ କେନ୍ଦ୍ରର ସାହାଯ୍ୟ ଲୋଡୁଛନ୍ତି। ମମତା ଏବେ ବାଘପିଠିରେ। ଯିଏ ବାଘ ପିଠିରେ ବସିବ – ସେ ବାଘକୁ ମାରିବ କିମ୍ବା ବାଘ ତାକୁ ଖାଇବ। ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ଉଣାଅଧିକେ ମଧ୍ୟ ମମତାଙ୍କ ଭଳି। ଏମାନେ କେହି ମାଓବାଦର ଅର୍ଥନୈତିକ, ସାମାଜିକ ସମସ୍ୟାକୁ ରାଜନୈତିକଭାବେ ସମାଧାନ କରିବାକୁ ଆଦୌ ପାରଙ୍ଗମ ନୁହଁନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାଓବାଦୀଙ୍କୁ ଆତଙ୍କବାଦୀ-ଦେଶଦ୍ରୋହୀ ବୋଲି ପ୍ରଚାର କରାଇ ସୈନ୍ୟବାହିନୀକୁ ଦମନ କରିବା କାର୍ଯ୍ୟରେ ଲଗେଇ ଦେଇଛନ୍ତି। ୟାଡେ ଅଧିକାଂଶ ଦେଶଦ୍ରୋହୀ ଫୁଲମାଳ ପିନ୍ଧି ଦେଶପ୍ରେମର ଭାଷଣ ଦେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଭିତରେ ଦେଶଦ୍ରୋହୀଙ୍କ ସଂଖ୍ୟା ୯୦ ଭାଗ। ଦେଶର ରାଜକୋଷକୁ ଏମାନେ ରାତିଦିନ ଲୁଣ୍ଠନ କରି ଚାଲିଛନ୍ତି। ଏହି ଭୟଙ୍କର ଦେଶଦ୍ରୋହୀ କାର୍ଯ୍ୟକଳାପରେ ସମସ୍ତେ କାନ୍ଦୁଛନ୍ତି, ହେଲେ ପ୍ରତିକାରର ଉପାୟ ପାଉ ନାହାଁନ୍ତି। ଆମେ ସବୁ ଚାହିଁ ଚାହିଁ ଜଳକା ପାଲଟି ଗଲେଣି।

ସରକାର ପାହାଡ ଉପରକୁ ଟେକା ଫିଙ୍ଗୁଛନ୍ତି – ସେ ପଥର ହୋଇ ଫେରିଆସି ଶାସନକଳ ଉପରେ ପ୍ରଚଣ୍ଡ ଆଘାତ ଦେଇ ଘାଏଲ କରି ପକାଉଛି। ବାସ୍ତବରେ ଦେଶଦ୍ରୋହୀ କେଉଁମାନେ – ମାଓବାଦୀ ନା ରାଜକୋଷ ଲୁଟେରାମାନେ – ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା, ଅନୁସନ୍ଧାନ, ପରୀକ୍ଷା, ନିରୀକ୍ଷା, ନିର୍ଦ୍ଦିଷ୍ଟ ନିର୍ଣ୍ଣୟ, ସତ୍ୟ, ବୈଜ୍ଞାନିକ ସିଦ୍ଧାନ୍ତ ଆବଶ୍ୟକ।

ଭାରତବର୍ଷର ବିପ୍ଲବର ଇତିହାସରେ ମାଓବାଦୀ ଆନ୍ଦୋଳନ ଗୋଟାଏ ‘କୁହୁଳା ନିଆଁର ନାଁ’- ଯାହା ଆଜି ବି ଛପି ରହିଛି ପାଉଁଶ ତଳେ। ପୁଣି କେବେକେବେ ସେଇ ପାଉଁଶ ତଳର ନିଆଁ ତା’ର ଝୁଲର ଜିହ୍ୱା ବିସ୍ତାର କରି ଆତଙ୍କର ଝଲକ ସୃଷ୍ଟି କରି ଚାଲିଛି ଆମର ସୁପରିଚିତ ସାମାଜିକ ବେଷ୍ଟନୀ ମଧ୍ୟରେ। ଏ ନିଆଁର ନିର୍ବାପନ ସେତେଦିନ ଯାଏ ଅସମ୍ଭବ, ଯେତେଦିନ ଯାଏ ଆମର ଏ ଶୋଷିତ, ବିକୃତ ବିକଳାଙ୍ଗ, ଆତ୍ମବିଭକ୍ତ, ବିଖଣ୍ଡିତ ଓ ଭୋଗବାଦୀ ସମାଜବ୍ୟବସ୍ଥା କାଏମ ରହିଛି।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।