/odisha-reporter/media/media_files/2025/10/09/cuttack-2025-10-09-16-45-41.jpg)
Cuttack Violence Photograph: (Internet)
ରବି ଦାସ
ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଓ ବିଶେଷ ଭାବରେ କଟକ ଦଶହରା ଭସାଣି ସମୟରେ ହୋଇଥିବା ସାଂପ୍ରଦାୟିକ ହିଂସା ଓ ବ୍ରହ୍ମପୁରରେ ବରିଷ୍ଠ ଓକିଲ ଯିଏକି ବିଜେପିର ଜଣେ ସଦସ୍ୟ ତାଙ୍କୁ ଗୁଳିମାରି ହତ୍ୟା କରାଯିବା ଘଟଣା ଉପରେ ସମୀକ୍ଷା କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘କିଛି ଗୋଷ୍ଠି ରାଜ୍ୟର ଛବିକୁ ମଳିନ କରିବାକୁ ଉଦ୍ୟମ କରୁଥିବା’ କଥା ଉଲ୍ଲେଖ କରିଛନ୍ତି। ବାସ୍ତବରେ ରାଜ୍ୟରେ ଆଇନ ଶୃଙ୍ଖଳା କ୍ଷେତ୍ରରେ କେତେଗୁଡ଼ିଏ ଘଟଣା ଘଟିଛି, ଯେଉଁଥିରେ ରାଜ୍ୟରେ ଶାସନ ବ୍ୟବସ୍ଥା ଦୁର୍ବଳ ଥିବା ଓ ଅସାମାଜିକ ଗୋଷ୍ଠି ଶକ୍ତିଶାଳୀ ହୋଇଥିବା ବାର୍ତ୍ତା ସାଧାରଣରେ ଆଲୋଚିତ ହେଉଛି।
କଟକ ଦୁର୍ଗାପୂଜା ଘଟଣା ନେଇ ସାରାଦେଶରେ ଆଲୋଚିତ ହେଉଛି ଯେ, ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠିତ ହେଲା ପରେ ସାଂପ୍ରଦାୟିକ ହିଂସା ଘଟଣା ବଢୁଛି। ସେମାନେ ଏ କ୍ଷେତ୍ରରେ ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ପ୍ରଭୃତି କେତେକ ଘଟଣାର ଉଲ୍ଲେଖ କରି କଟକ ପରି ଭାଇଚାରା ସହରରେ ଯେଉଁଠାରେ ଶହ ଶହ ବର୍ଷର ଦୁର୍ଗାପୂଜା ସମୟରେ କେବେ ସାଂପ୍ରଦାୟିକ ହିଂସା ହୋଇନଥିଲା, ଏଥର ତାହା କିପରି ସମ୍ଭବ ହେଲା? ରାଜ୍ୟ ପୋଲିସ୍ର ମୁଖ୍ୟ କାର୍ଯ୍ୟାଳୟ କଟକ ସହରରେ। ସାଧାରଣତଃ ଦୁର୍ଗାପୂଜା ସମୟରେ କଟକ ସହର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ଭାଳିବା ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା ବରାବର କରାଯାଏ। ଏଥର ମଧ୍ୟ ହୋଇଥିଲା। ତା’ଛଡ଼ା କଟକ ପରି ଏକ ସହରରେ ଦୁର୍ଗାପୂଜା ସମୟରେ ପୋଲିସ୍ ଗୁଇନ୍ଦା ବ୍ୟବସ୍ଥା ମଧ୍ୟ ବେଶ୍ ସକ୍ରିୟ ରୁହେ। କେଉଁ ସାହିରେ ପୂଜା କମିଟି କ’ଣ ଯୋଜନା କରୁଛି ଓ ସହର ଭିତରକୁ କେଉଁ ପ୍ରକାର ଅସାମାଜିକ ଗୋଷ୍ଠି ପ୍ରବେଶ କରୁଛନ୍ତି, ତାହାର ଟିକିନିକି ଖବର ପୋଲିସ୍ ଗୁଇନ୍ଦା ସଂସ୍ଥା ରଖି ପୋଲିସ୍ କର୍ତ୍ତୃପକ୍ଷଙ୍କୁ ଭଲଭାବରେ ଜଣାଇଥାଏ।
ତାହା ସତ୍ତ୍ୱେ ଚଳିତ ବର୍ଷ ଦୁର୍ଗାପୂଜା ଭସାଣି ସମୟରେ ମେଢ଼ ସହିତ ଯାଉଥିବା ଶୋଭାଯାତ୍ରାରେ ଏପରି କିଛି କାର୍ଯ୍ୟ ବା ବାର୍ତ୍ତା ଦିଆଗଲା, ଯାହାଫଳରେ ମୁସ୍ଲିମ୍ ବସ୍ତି ଅଂଚଳରେ ତାହା ଉତ୍ତେଜନା ସୃଷ୍ଟିକଲା। ପୋଲିସ୍ କର୍ତ୍ତୃପକ୍ଷ ଚାହିଁଥିଲେ ସେହି ମ୍ୟୁଜିକ୍ ବନ୍ଦ କରିପାରିଥାନ୍ତେ। କିନ୍ତୁ ସେଦିନ ଯେଉଁ ହିଂସାକାଣ୍ଡ ହେଲା ତାହାକୁ ପୋଲିସ୍ ନିୟନ୍ତ୍ରଣ କରିସାରିବା ପରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ବନ୍ଦ ପାଳନର ଆହ୍ୱାନ ଦିଆଗଲା। ବନ୍ଦ ପାଳନର ପୂର୍ବଦିନ ଏଥିପାଇଁ ଏକ ଶୋଭାଯାତ୍ରା ଯାହାକୁ ପୋଲିସ୍ କର୍ତ୍ତୃପକ୍ଷ ଅନୁମତି ଦେଇନଥିଲେ ତାହା କିପରି ଏକ ବଡ଼ ଶୋଭାଯାତ୍ରାରେ ପରିଣତ ହୋଇ ସେହି ଗଣ୍ଡଗୋଳ ହୋଇଥିବା ମୁସ୍ଲିମ୍ ବସ୍ତି ଅଂଚଳକୁ ଯାଇପାରିଲା?
ସେହିଦିନ ହିଁ ହିଂସାକାଣ୍ଡ ବ୍ୟାପକ ରୂପ ନେବା ପରେ ପୋଲିସ୍ ପ୍ରଶାସନ କଟକରେ କର୍ଫ୍ୟୁ ଜାରି କରିବା ସହିତ ଇଂଟର୍ନେଟ୍ ସେବା ବନ୍ଦ କଲେ। ପୋଲିସ୍ ସାମାନ୍ୟତମ ସତର୍କତାର ସହିତ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ହୁଏତ ଦ୍ୱିତୀୟ ପର୍ଯ୍ୟାୟ ହିଂସାକାଣ୍ଡ ହୋଇପାରି ନଥାନ୍ତା। କିନ୍ତୁ ଏହି ଘଟଣାଗୁଡ଼ିକ ଜାତୀୟ ସ୍ତରରେ ପ୍ରକାଶ ପରେ ଓଡ଼ିଶାର ଛବିକୁ ମଳିନ କରିବା ପାଇଁ ବାହାରେ ମଧ୍ୟ ଉଦ୍ୟମ ହେଲା।
କଟକରେ ଏହି ଘଟଣା ସମୟରେ ବ୍ରହ୍ମପୁରରେ ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ଯୋଜନାବଦ୍ଧ ଭାବରେ ଆତତାୟୀମାନେ ଗୁଳିକରି ହତ୍ୟା କଲେ। ପୀତବାସ ପଣ୍ଡା ନିଜେ ଶାସକ ଦଳର ହୋଇଥିବାରୁ ବିଜେପି ସମର୍ଥକମାନେ କହିଲେ ଯେ, ରାଜ୍ୟରେ ଶାସକ ଦଳର ଜଣେ ବରିଷ୍ଠ ଓକିଲଙ୍କ ଜୀବନ ଯଦି ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକମାନେ ନିଜକୁ ସୁରକ୍ଷିତ ମଣିବେ କିପରି? ସେହିଦିନ ଗଞ୍ଜାମରେ ଆଉ ଦୁଇଟି ହତ୍ୟାକାଣ୍ଡ ହୋଇଥିଲା। ପଣ୍ଡା ଯେହେତୁ ବାର୍ କାଉନ୍ସିଲ୍ର ନିର୍ବାଚିତ ସଦସ୍ୟ, ସେହେତୁ ତାଙ୍କ ପାଇଁ ରାଜ୍ୟ ଓକିଲମାନେ ଏକଜୁଟ ହେଲେ ଏବଂ ଗୋଟିଏ ଦିନ କଲମ ଛାଡ଼ ଧର୍ମଘଟ କରିବା ସହିତ ପଣ୍ଡାଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କଲେ। କେବଳ ସେତିକି ନୁହେଁ ସେ ବାର୍ କାଉନ୍ସିଲ୍ର ନିର୍ବାଚିତ ସଦସ୍ୟ ହୋଇଥିବାରୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ମଧ୍ୟ ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରି ଏକ ସ୍ୱତନ୍ତ୍ର ଏସ୍ଆଇପି ଦ୍ୱାରା ମାମଲାର ତଦନ୍ତ କରାଯିବାକୁ ଦାବି କଲେ। ଏହା ମଧ୍ୟ ଜାତୀୟସ୍ତରରେ ଖବର ହେଲା।
ବଡ଼ କଥା ଯେ, ପଣ୍ଡାଙ୍କ ଗୁଳିକାଣ୍ଡର ଚାରିଦିନ ପରେ ମଧ୍ୟ କୌଣସି ଅପରାଧୀଙ୍କୁ ପୋଲିସ୍ ଧରିପାରି ନାହିଁ। ଆଶ୍ଚର୍ଯ୍ୟର କଥା, ବ୍ରହ୍ମପୁରରେ ଏହି ଗୁଳିକାଣ୍ଡ ଯେଉଁ ସମୟରେ ହେଲା ତାହା ହେଉଛି ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାରେ କୁମାର ପୂର୍ଣ୍ଣମୀ ଯୋଗୁ ଏକ ବଡ଼ ଉତ୍ସବର ସମୟ। ସାଧାରଣତଃ ସେହି ସମୟରେ ଅସାମାଜିକ ଲୋକମାନେ ବେଶ୍ ସକ୍ରିୟ ହୋଇ ଅନେକ ଅଘଟଣ ଘଟାନ୍ତି ବୋଲି ପୋଲିସ୍ ସେହି ସମୟରେ ବେଶ୍ ସତର୍କତାର ସହିତ କାର୍ଯ୍ୟ କରେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ବ୍ରହ୍ମପୁରର ଏସ୍ପି ସେହି ସମୟରେ ଛୁଟିରେ ଥିଲେ ଓ ପଣ୍ଡାଙ୍କୁ ଯେଉଁ ଅଂଚଳରେ ଗୁଳି କରାଗଲା ସେହି ଅଂଚଳର ଥାନା ଅଧିକାରୀ ମଧ୍ୟ ଛୁଟିରେ ଥିଲେ। ଏହା ସଂଯୋଗ ବଶତଃ ବୋଲି କେହି କହିପାରନ୍ତି, କିନ୍ତୁ କଥା ହେଉଛି ପୀତବାସ ପଣ୍ଡାଙ୍କୁ ଗୁଳି କରାଯିବା ସ୍ଥାନରେ ରହିଥିବା ସିସିଟିଭି କ୍ୟାମେରାକୁ ଅଚଳ କରିଦିଆଯାଇଥିଲା। ତେଣୁ ଯେଉଁ ଦୁର୍ବୃତ୍ତ ବା ଅପରାଧୀ ଗ୍ୟାଙ୍ଗ୍ ଏହା ଘଟାଇଛନ୍ତି ସେମାନେ ଆଗୁଆ ଭାବରେ ପଦକ୍ଷେପ ନେଇଥିବା ସହଜରେ ଅନୁମାନ କରାଯାଉଛି। ଯଦିଓ ନିକଟରେ ଥିବା ଅନ୍ୟ କେତେକ ସିସିଟିଭି କ୍ୟାମେରାକୁ ଏବେ ପୋଲିସ୍ ତଦନ୍ତ ପାଇଁ ବ୍ୟବହାର କରୁଛି କିନ୍ତୁ ଦୁର୍ବୃତ୍ତମାନେ ହେଲ୍ମେଟ୍ ପିନ୍ଧିଥିବାରୁ ସିଧାସଳଖ ସେମାନଙ୍କୁ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇଛି।
ଏହି ଦୁର୍ବୃତ୍ତମାନେ ଗଞ୍ଜାମ ଅଂଚଳର ବା ବାହାରୁ ଭଡ଼ାରେ ଆସିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେବା ସ୍ୱାଭାବିକ। ସେହି ଜିଲ୍ଲାରେ ଗୋପାଳପୁର ବେଳାଭୂମିରେ ଧର୍ଷଣ ଜନିତ ଘଟଣା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏଥିରେ ମଧ୍ୟ ସରକାରଙ୍କ ଛବି ଖରାପ ହୋଇଥିଲା। କିନ୍ତୁ ସେହି ଘଟଣାର ତଦନ୍ତ ଠିକ୍ ଭାବରେ କରାଯାଇ ଅପରାଧୀମାନଙ୍କୁ ଗିରଫ କରି ଚାର୍ଜସିଟ୍ ଦାଖଲ ପରେ ଅନେକ ଏହାକୁ ଆଉ ଗୁରୁତ୍ୱ ଦେଉନଥିଲେ। ଏହିସବୁ ଘଟଣାଗୁଡ଼ିକ ସରକାରଙ୍କ ଛବି ମଳିନ କରିଥିଲା।
ନିକଟରେ ରାଜ୍ୟରେ ପୋଲିସ୍ ଏସ୍ଆଇ ଓ ଅଗ୍ନି ସେବାର ଅଧିକାରୀମାନଙ୍କର ରିକ୍ରୁଟମେଂଟ ପାଇଁ ହୋଇଥିବା ବ୍ୟବସ୍ଥାରେ ଗୁରୁତର ଦୁର୍ନୀତି ଓ କେଳେଙ୍କାରୀ ସାରା ରାଜ୍ୟକୁ ପୋଲିସ୍ର ପାରିବାପଣିଆ ନେଇ ପ୍ରଶ୍ନ ଛିଡ଼ା କରିଛି। ସେହି ଘଟଣାରେ ପ୍ରାୟ ୧ ହଜାର ପଦବୀ ପାଇଁ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷିତ ଯୁବକ ଯୁବତୀ ଦରଖାସ୍ତ କରିଥିଲେ। ପୋଲିସ୍ ରିକ୍ରୁଟମେଂଟ ବୋର୍ଡ ଏଥିପାଇଁ ପରୀକ୍ଷା କରି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଚିହ୍ନଟ କରିବା କଥା। କିନ୍ତୁ ପୋଲିସ୍ ରିକ୍ରୁଟମେଂଟ ବୋର୍ଡ ଏହି ପରୀକ୍ଷା ପରିଚାଳନା ପାଇଁ ଆଉ ଗୋଟିଏ ସଂସ୍ଥାକୁ ଯିଏକି ଏକ କେନ୍ଦ୍ର ସରକାରଙ୍କ ସଂସ୍ଥା ବୋଲି କୁହାଯାଉଛି ତାହାକୁ ଦାୟିତ୍ୱ ଦେଲେ। କିନ୍ତୁ ଉକ୍ତ ସଂସ୍ଥା ସେମାନଙ୍କ ଦାୟିତ୍ୱ ଓଡ଼ିଶାର ଆଉ ଦୁଇଟି ସଂସ୍ଥା ହାତକୁ ଟେକିଦେଲେ। ଏହି ଦୁଇଟି ସଂସ୍ଥା ଦଲାଲମାନଙ୍କ ଜରିଆରେ ପରୀକ୍ଷାର୍ଥୀମାନଙ୍କୁ ଠାବକରି ସେମାନଙ୍କୁ ପାସ୍ କରାଇଦେବାର ପ୍ରତିଶ୍ରୁତି ଦେଇ ୨୫ ଲକ୍ଷ ଟଙ୍କା ନେବେ ବୋଲି କହିଥିଲେ। ସେହି ଅନୁସାରେ ଯେଉଁମାନେ ଆଗେଇ ଆସିଲେ ସେମାନଙ୍କ ଠାରୁ ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ନିଆଯାଇ ସେମାନଙ୍କ ସାର୍ଟିଫିକେଟ୍ ଦଲାଲ୍ ସଂସ୍ଥା ନେଇଯାଇଥିଲେ। କୁହାଯାଇଥିଲା ଯେ, ସେମାନେ ଯୋଗ୍ୟ ବିବେଚିତ ହୋଇ ଚାକିରୀ କରିବା ସମୟରେ ବାକି ଅର୍ଥ ଦେଲେ ସାର୍ଟିଫିକେଟ୍ ଭେରିଫିକେସନ୍ ପାଇଁ ସେମାନଙ୍କ ସାର୍ଟିଫିକେଟ୍ ଫେରାଇ ଦିଆଯିବ।
କୁହାଯାଉଛି ଯେ, ଏଥିରରୁ ଗୋଟିଏ ଗୋଷ୍ଠି ଏକଜୁଟ ହୋଇ ପଡ଼ୋଶୀ ଝାଡ଼ଖଣ୍ଡକୁ ଯାଇଥିଲେ। କିନ୍ତୁ ଅନ୍ୟ ଗୋଟିଏ ଗୋଷ୍ଠି ବରମୁଣ୍ଡାରେ ଏକଜୁଟ ହୋଇ ହାଇଦ୍ରାବାଦ ଅଭିମୁଖେ ତିନୋଟି ବସ୍ରେ ଯିବା ସମୟରେ ପୋଲିସ୍ ଉଚ୍ଚ କର୍ତ୍ତୃପକ୍ଷ ଖବର ପାଇଁ ସେହି ବସ୍ର ପିଛା କରି ଶ୍ରୀକାକୁଲମ୍ରେ ଅଟକାଇଥିଲେ। ସେମାନଙ୍କୁ ଧରିଆଣି ବ୍ରହ୍ମପୁରରେ ଜେରା କଲା ପରେ କୋର୍ଟରେ ହାଜର କରାଯାଇଥିଲା। ସେମାନେ ଏବେ ଜେଲ୍ରେ ଅଛନ୍ତି। ଏହି ଗୋଷ୍ଠିରେ ୧୧୩ ଜଣ ପରୀକ୍ଷାର୍ଥୀଙ୍କ ସହିତ ୭ ଜଣ ଦଲାଲ୍ ମଧ୍ୟ ଜେଲ୍ରେ ଅଛନ୍ତି। ରାଜ୍ୟ ପୋଲିସ୍ ରିକ୍ରୁଟମେଂଟ ବୋର୍ଡ ଏଥିପାଇଁ ୯ ତାରିଖରେ ହେବାକୁଥିବା ପରୀକ୍ଷାକୁ ବାତିଲ୍ କରିଥିଲେ ମଧ୍ୟ ଏହି ଘଟଣା ପଛରେ ଥିବା ଏକ ବଡ଼ ଧରଣର ଦୁର୍ନୀତି ପାଇଁ କେଉଁମାନେ କିପରି ଦାୟୀ ତାହା ସ୍ଥିର କରିପାରିନାହାନ୍ତି।
କ୍ରାଇମ୍ବ୍ରାଂଚ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ପୋଲିସ୍ ରିକ୍ରୁଟମେଂଟ ବୋର୍ଡରେ ଥିବା ଉଚ୍ଚ ପୋଲିସ୍ ଅଧିକାରୀ ଓ ଘରୋଇ ବିଭାଗ ଅଧିକାରୀମାନଙ୍କୁ କ୍ରାଇମ୍ବ୍ରାଂଚ ଜେରା କରି ପାରିବ କି? କାରଣ ପୋଲିସ୍ ରିକ୍ରୁଟମେଂଟ ବୋର୍ଡ କେଉଁ ସାହସରେ ଏହାର ଆଉଟ୍ସୋର୍ସିଂ ପାଇଁ ସୁଯୋଗ ଦେଲା? ଯେଉଁ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଥିଲା ସେମାନଙ୍କର ଅତୀତ ରେକର୍ଡ ଏ ସଂକ୍ରାନ୍ତରେ ପରୀକ୍ଷା କରାଯାଇଥିଲା କି? ଏହି ସଂସ୍ଥା ଓଡ଼ିଶାର ଦୁଇଟି ସଂସ୍ଥାକୁ ଦାୟିତ୍ୱ ଦେଇଦେବା ପୂର୍ବରୁ ପୋଲିସ୍ ରିକ୍ରୁଟମେଂଟ ବୋର୍ଡ ଓ ଘରୋଇ ବିଭାଗର ଅନୁମତି ନେଇଥିଲେ କି? ଏହି କାରବାରରେ ଶତାଧିକ କୋଟି ଟଙ୍କାର ସ୍କାମ୍ ଥିବାରୁ କ୍ରାଇମ୍ବ୍ରାଂଚ ପ୍ରକୃତ ଅପରାଧୀମାନଙ୍କୁ ଚିହ୍ନଟ କରିପାରିବ କି? ତୃଣମୂଳ ସ୍ତରରେ ପୋଲିସ୍ ଶାସନର ମୁଖ୍ୟ ଭାବରେ ସବ୍ଇନିସ୍ପେକ୍ଟର୍ ପାହ୍ୟାରେ ନିଯୁକ୍ତ ଅଫିସର୍ମାନେ ହିଁ କାମ କରନ୍ତି। ସେମାନେ ଯଦି ଲକ୍ଷ ଲକ୍ଷ ଟଙ୍କା ଲାଂଚ ଦେଇ ପୋଲିସ୍ ଚାକିରୀ ପାଆନ୍ତି, ତେବେ ରାଜ୍ୟରେ ଆଇନ ଶୃଙ୍ଖଳା କିପରି ରହିବ? ଏହି ଘଟଣା ନିଶ୍ଚିନ୍ତ ଭାବରେ ପୋଲିସ୍ର ଓ ରାଜ୍ୟ ସରକାରଙ୍କର ଭାବମୂର୍ତିକୁ ମଳିନ କରିଛି।
ମୋହନ ମାଝୀଙ୍କ ପାଇଁ ଏକ ବଡ଼ ସୁଯୋଗ ଯେ, ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡ଼ିର ସୁପ୍ରିମୋ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧ ମାସ ହେଲା ଓଡ଼ିଶା ଛାଡ଼ି ଦିଲ୍ଲୀରେ ଅଛନ୍ତି। ବିଜୁ ଜନତା ଦଳ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ତେଣୁ ସରକାରଙ୍କ ଭାବମୂର୍ତ୍ତି ମଳିନ ହେଲେ ମଧ୍ୟ ବିରୋଧୀ ଦଳ ଏଥିରୁ ଫାଇଦା ପାଇବାର ସମ୍ଭାବନା କ୍ଷୀଣ।
ଫୋ- ୯୪୩୭୪୦୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
