ଭାଲଚନ୍ଦ୍ର ଷଡ଼ଙ୍ଗୀ
ଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୧ କୋଟି ଗରିବ ଲୋକଙ୍କୁ ଦିଆଯାଉଥିବା ମାଗଣା ଚାଉଳକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ତଥା ପୂର୍ବରୁ ମିଳୁଥିବା ଟଙ୍କିକିଆ ଚାଉଳକୁ ମାଗଣାରେ ଦେବାକୁ ନିକଟରେ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜ୍ୟରେ ଚାଉଳ ବଣ୍ଟନ ରାଜନୀତି ଏକଦମ୍ ସରଗରମ ହୋଇଯାଇଛି। ବିଶେଷ କରି ଏଯାଏଁ ଟଙ୍କିକିଆ ଚାଉଳର ଏକଚାଟିଆ ଶ୍ରେୟ ନେଇ ଆସିଥିବା ରାଜ୍ୟର ବିଜେଡ଼ି ନେତୃତ୍ୱ କେନ୍ଦ୍ରର ଏହି ପଦକ୍ଷେପରେ ଏକରକମ ରକ୍ଷାତ୍ମକ ସ୍ଥିତିକୁ ଆସିଯାଇଛନ୍ତି।
ତେବେ କେନ୍ଦ୍ରର ଏହି ସଦ୍ୟତମ ପଦକ୍ଷେପ ଫଳରେ ରାଜ୍ୟର ଗରିବ ହିତାଧିକାରୀଙ୍କ ଲାଭକ୍ଷତି କ’ଣ ହେବ ସେନେଇ ଚର୍ଚ୍ଚା ହେବା ଦୂରର କଥା, ନିଜକୁ ଗରିବଙ୍କ ହିତୈଷୀ ଭାବେ ପ୍ରମାଣିତ କରିବାକୁ ଚାଉଳ ଏବେ ବିଜେଡ଼ି ଓ ବିଜେପି ଉଭୟଙ୍କ ପାଇଁ ଏକ ନୂଆ ହତିଆରରେ ପରିଣତ ହୋଇଛି। ବିଜେଡ଼ି ନେତୃବୃନ୍ଦ କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ ଲୋକଙ୍କୁ ଗତ ଅଢ଼େଇ ବର୍ଷ ଧରି ଦିଆଯାଉଥିବା ମାସିକ ୫ କିଲୋ ମାଗଣା ଚାଉଳ ବନ୍ଦ କରିବାକୁ ସେମାନଙ୍କ ଗରିବ ବିରୋଧୀ ପଦକ୍ଷେପ ବୋଲି କହୁଥିବା ବେଳେ ବିଜେପି ନେତୃବୃନ୍ଦ ଟଙ୍କିକିଆ ଚାଉଳକୁ ସମ୍ପୂର୍ଣ୍ଣ ମାଗଣାରେ ଦେଇ ଲୋକଙ୍କୁ ଚାଉଳ ବାଣ୍ଟିବାର ସମ୍ପୂର୍ଣ୍ଣ ଶ୍ରେୟ ନିଜେ ନେବାକୁ ଚାହୁଁଛନ୍ତି। ଗଣମାଧ୍ୟମରେ ସେମାନଙ୍କ ବକ୍ତବ୍ୟରୁ ସତେ ଯେପରି ସେମାନେ ରାଜ୍ୟର ଭୋକିଲା ଲୋକଙ୍କୁ ମାଗଣାରେ ଚାଉଳ ଦେଇ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି, ସେଭଳି ମନେହେଉଛି। ମାଗଣା ଚାଉଳର ଶ୍ରେୟ ନେବାକୁ ବିଜେଡ଼ି ଓ ବିଜେପି ମଧ୍ୟରେ ଚାଲିଥିବା ଏଭଳି କୁତ୍ସିତ ପ୍ରତିଯୋଗିତା ଭିତରେ ସାଧାରଣ ଜନତା ହିଁ ପ୍ରତାରିତ ହେଉଛନ୍ତି।
ଦେଶର ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ସରକାରୀ ଯୋଜନା ଆଦୌ ନୂଆଁ ନୁହେଁ। ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ବିଭିନ୍ନ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ସବସିଡ଼ି ଦେଇ ସମାଜର ସବୁ ବର୍ଗର ଲୋକଙ୍କୁ ସୁଲଭ ଦରରେ ଖାଦ୍ୟଶସ୍ୟ ଯୋଗାଉଥିଲେ। କିନ୍ତୁ ୧୯୯୧ରେ ଦେଶରେ ଉଦାରୀକରଣ ନୀତିର ପ୍ରଚଳନ ହେବା ପରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଦେଖାଗଲା। ସରକାର ନିଜର ଖର୍ଚ୍ଚକାଟ କରିବାକୁ ସାଧାରଣ ବଣ୍ଟନ ଯୋଜନାରେ ସମସ୍ତଙ୍କୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇବା ବଦଳରେ କେବଳ ଗରିବ ଲୋକଙ୍କୁ ହିଁ ଦେବାକୁ ସ୍ଥିର କଲେ। ଏହିକ୍ରମରେ ଦେଶରେ ଦାରିଦ୍ର୍ୟ ସୀମାରେଖା ନିର୍ଦ୍ଧାରିତ ହୋଇ ଏପିଏଲ୍ ଓ ବିପିଏଲର ବ୍ୟବସ୍ଥା ଆରମ୍ଭ ହେଲା। ତେବେ ଗଣ ବଣ୍ଟନ ଜରିଆରେ ସରକାରଙ୍କ ଏହି ଖାଦ୍ୟ ସୁରକ୍ଷା ଯୋଜନା ଆଇନଗତ ଭାବେ ବାଧ୍ୟତାମୂଳକ ନଥିଲା। ଯେଉଁମାନେ ଭୋକିଲା, ସେମାନେ ଖାଦ୍ୟ ପାଇବାର ଆଇନଗତ ଅଧିକାର ନଥିଲା।
୨୦୧୩ରେ ପ୍ରଥମ ଥର ପାଇଁ ତତ୍କାଳୀନ ଉପା ସରକାରଙ୍କ ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହେବା ପରେ ଲୋକଙ୍କୁ ଖାଦ୍ୟ ସୁରକ୍ଷାର ଏକ ଆଂଶିକ ଅଧିକାର ମିଳିଥିଲା। ଯଦିଓ ଖାଦ୍ୟ ସୁରକ୍ଷା କହିଲେ ଖାଦ୍ୟଶସ୍ୟ ସହିତ ଡାଲି, ତେଲ, ଅଣ୍ଡା ଓ ପନିପରିବାକୁ ବୁଝାଯାଉଥାଏ କିନ୍ତୁ ଏହି ଆଇନରେ ଜଣେ ବ୍ୟକ୍ତିର ଖାଦ୍ୟ ସୁରକ୍ଷାକୁ ମାତ୍ର ୫ କିଲୋ ଚାଉଳ ବା ଗହମରେ ସୀମିତ କରିଦିଆଗଲା। ତେବେ ଉପରୋକ୍ତ ଦୁର୍ବଳତା ସତ୍ତ୍ୱେ ଏଥିରେ କ୍ଷୁଧା ବଳୟରେ ଥିବା ଗ୍ରାମାଂଚଳର ୭୫% ଏବଂ ସହରାଂଚଳର ୫୦% ଲୋକ ଅର୍ଥାତ୍ ଦେଶର ଜନସଂଖ୍ୟାର ୬୭% ବା ଦୁଇ ତୃତୀୟାଂଶ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବାର ଆଇନଗତ ବ୍ୟବସ୍ଥା ରହିଲା। ଏହିକ୍ରମରେ ଦେଶର ୮୧.୩୫ କୋଟି ଲୋକଙ୍କୁ ମାସିକ ୫ କିଲୋ ଖାଦ୍ୟଶସ୍ୟ ରିହାତି ମୂଲ୍ୟରେ ସରକାର ଯୋଗାଇବାର ବ୍ୟବସ୍ଥା କରାଗଲା। ଯଦିଓ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଏହି ପରିମାଣ ଆଦୌ ପର୍ଯ୍ୟାପ୍ତ ନଥିଲା, କିନ୍ତୁ ଲୋକଙ୍କ କ୍ଷୁଧା ଦୂର କରିବାରେ କିଛି ପରିମାଣରେ ସହାୟକ ହେଲା। ଏହା ସହିତ ପୂର୍ବରୁ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ସାମିଲ ହିତାଧିକାରୀମାନେ ବି ମାସିକ ୩୫ କିଲୋ ଚାଉଳ ପାଇଲେ।
୨୦୧୪ରେ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱରେ ବିଜେପି ଦଳ କ୍ଷମତାକୁ ଆସିବା ପରେ ମଧ୍ୟ ଏହି ଖାଦ୍ୟ ସୁରକ୍ଷା ଆଇନକୁ ଅବ୍ୟାହତ ରଖିବା ସହିତ ଲୋକଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ପୂର୍ବପରି ଦିଆଗଲା। ଏହା ଅନ୍ତର୍ଗତ ବଣ୍ଟାଯାଉଥିବା ଚାଉଳକୁ କେନ୍ଦ୍ର ସରକାର କିଲୋ ପିଛା ୩୦ ଟଙ୍କାରେ କିଣି ତାକୁ ୨୭ ଟଙ୍କା ରିହାତି ଦେଇ ୩ ଟଙ୍କା ଦରରେ ରାଜ୍ୟ ସରକାରମାନଙ୍କୁ ଯୋଗାଉଛନ୍ତି। ଓଡ଼ିଶା ସରକାର ତାକୁ ଆଣି ନିଜ ସମ୍ବଳରୁ କିଲୋ ପିଛା ୨ ଟଙ୍କା ରିହାତି ପ୍ରଦାନ କରି ରାଜ୍ୟର ୩.୨୬ କୋଟି ହିତାଧିକାରୀଙ୍କୁ ମାତ୍ର ୧ ଟଙ୍କା ବିନିମୟରେ ପ୍ରତି ମାସରେ ହିତାଧିକାରୀ ପିଛା ୫ କିଲୋ ଚାଉଳ ବା ଗହମ ଯୋଗାଇ ଆସୁଛନ୍ତି। ଏହା ବ୍ୟତିତ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରୁ ବିଭିନ୍ନ କାରଣରୁ ବାଦ ପଡ଼ିଥିବା ରାଜ୍ୟର ପ୍ରାୟ ୯ ଲକ୍ଷ ଗରିବ ହିତାଧିକାରୀଙ୍କୁ ମଧ୍ୟ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ପ୍ରତି ମାସରେ ନିୟମିତ ଭାବେ ଏକ ଟଙ୍କାରେ ଚାଉଳ ଯୋଗାଉଛନ୍ତି। ତେବେ ଟଙ୍କିକିଆ ଚାଉଳ ରୂପେ ଲୋକପ୍ରିୟ ଏହି ଯୋଜନାର ସିଂହଭାଗ ଖର୍ଚ୍ଚଟି ଯଦିଓ କେନ୍ଦ୍ର ସରକାର ବହନ କରିଥାନ୍ତି। କିନ୍ତୁ ରାଜ୍ୟରେ ଶାସକ ବିଜୁ ଜନତା ଦଳ ଚାଉଳ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖି ଏହାକୁ ନିଜର ଅବଦାନ ବୋଲି ପ୍ରଦର୍ଶିତ କରିବା ସହ ତା’ର ରାଜନୈତିକ ଶ୍ରେୟ ନେବାରେ ସଫଳ ହୋଇଆସିଛି। ପୂର୍ବରୁ କେନ୍ଦ୍ର ଶାସନରେ ଥିବା ବେଳେ କଂଗ୍ରେସ ଦଳ ଏବଂ ଏବେ ଗତ ଆଠ ବର୍ଷ ଧରି କେନ୍ଦ୍ର ଶାସନରେ ଥିବା ବିଜେପି ଦଳ ଓଡ଼ିଶାର ଜନଗଣଙ୍କୁ ଏହି ଚାଉଳର ହିସାବକୁ ଯେତେ ପ୍ରଚାର କଲେ ବି ସାଧାରଣ ଜନତାଙ୍କ ମଧ୍ୟରେ ଏହା ନବୀନ ସରକାର ଦେଉଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଯାଇଛି। ଫଳସ୍ୱରୂପ ନିର୍ବାଚନ ପରେ ନିର୍ବାଚନ ବିଜେଡ଼ି ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ସମର୍ଥନ ହାସଲ କରିବାରେ ଏକଦମ୍ ସଫଳ ହୋଇ ଆସିଛି।
ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଉପରୋକ୍ତ ଚାଉଳର ସମ୍ପୁର୍ଣ୍ଣ ଖର୍ଚ୍ଚ ବହନ କରି ଏଣିକି ତାକୁ ପୂରା ମାଗଣାରେ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ସଦ୍ୟତମ ଘୋଷଣା ଓଡ଼ିଶା ସରକାରଙ୍କୁ ରାଜନୈତିକ ଭାବେ ଅଡ଼ୁଆରେ ପକେଇ ଦେଇଛି। ଏଣିକି ଓଡ଼ିଶା ସରକାର କେନ୍ଦ୍ରର ସମ୍ପୂର୍ଣ୍ଣ ଅର୍ଥରେ ରାସନ କାର୍ଡ଼ରେ ଦିଆଯାଉଥିବା ଚାଉଳକୁ ନିଜର ଯୋଜନା ବୋଲି ଆଉ ଦାବି କରିପାରିବେ ନାହିଁ। ରାସନ କାର୍ଡ଼ ଓ ଚାଉଳ ବଣ୍ଟନ କେନ୍ଦ୍ରରେ ଏଣିକି ହୁଏତ ନବୀନ ପଟ୍ଟନାୟକଙ୍କ ବଦଳରେ ନରେନ୍ଦ୍ର ମୋଦିଙ୍କ ଫଟୋ ଲାଗିବ। ବିଜେପି ନେତା ଓ କର୍ମୀମାନେ ନବୀନ ନୁହେଁ ବରଂ ମୋଦି ମାଗଣାରେ ଚାଉଳ ଦେଉଛନ୍ତି ବୋଲି ଏଣିକି ପ୍ରଚାର କରିବେ। ଅନ୍ୟପକ୍ଷରେ ରାଜ୍ୟ ସରକାର କେବଳ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଯାଇଥିବା ରାଜ୍ୟର ପ୍ରାୟ ୯ ଲକ୍ଷ ଲୋକଙ୍କୁ ନିଜସ୍ୱ ସମ୍ବଳରୁ ଯେଉଁ ଚାଉଳ ଯୋଗାଉଛନ୍ତି, ତା’ର ଶ୍ରେୟ ନେବାକୁ ଚେଷ୍ଟା କରିବେ। ସେହି କାରଣରୁ ଖାଦ୍ୟ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ଏଣିକି ମାଗଣାରେ ଚାଉଳ ଦେବାକୁ କେନ୍ଦ୍ରର ଘୋଷଣାର ତୁରନ୍ତ ପରେ ପରେ ରାଜ୍ୟ ସରକାର ମଧ୍ୟ ଉପରୋକ୍ତ ଅତିରିକ୍ତ ୯ ଲକ୍ଷ ଲୋକଙ୍କୁ ବି ଏଣିକି ସମ୍ପୂର୍ଣ୍ଣ ମାଗଣାରେ ମାସକୁ ୫ କିଲୋ ଚାଉଳ ଯୋଗାଇଦେବାକୁ ଘୋଷଣା କରିଛନ୍ତି।
ଖାଦ୍ୟ ସୁରକ୍ଷାକୁ ନେଇ କେନ୍ଦ୍ରର ମୋଦି ସରକାରର ସଦ୍ୟତମ ଘୋଷଣା ଅତ୍ୟନ୍ତ ସୁନିୟୋଜିତ ମନେହୁଏ। ଗୋଟିଏ ଟେକାରେ ଦୁଇଟି ଶିକାର ପରି ସେମାନେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିବା ଥିବା ମାଗଣା ଚାଉଳ ବଣ୍ଟନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିବା ବେଳେ ଅନ୍ୟପଟେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳରେ କିଲୋ ପିଛା ସବସିଡ଼ିକୁ ଆଉ ତିନି ଟଙ୍କା ବଢ଼ାଇ ତାକୁ ମାଗଣାରେ ଦେବୁ ବୋଲି ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣାର ତୁରନ୍ତ ପରେ ପରେ କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟର ଖାଦ୍ୟ ସଚିବମାନଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ଚିଠି ଆସିଥିବା ଜଣାପଡ଼ିଛି। ଏହାଫଳରେ ଗତ ଅଢ଼େଇ ବର୍ଷ ଧରି ଦେଶର ୮୧ କୋଟି ଭୋକିଲା ଲୋକେ ମାଗଣାରେ ପ୍ରତି ମାସରେ ଯେଉଁ ୫ କିଲୋ ଖାଦ୍ୟଶସ୍ୟ ପାଉଥିଲେ ତାକୁ ଚଳିତ ମାସଠାରୁ ଆଉ ପାଇବେ ନାହିଁ। ଏହି କାର୍ଯ୍ୟକ୍ରମକୁ ବନ୍ଦ କରି ସରକାର ବର୍ଷକୁ ୧.୭୦ ଲକ୍ଷ କୋଟି ଟଙ୍କା ବଂଚାଇବେ ଅଥଚ ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳକୁ ମାଗଣା କରିବାକୁ ସରକାରଙ୍କୁ ବର୍ଷକୁ ମାତ୍ର ୨୦ ହଜାର ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ। ଅର୍ଥାତ୍ ଏହି ପଦକ୍ଷେପ ଜରିଆରେ ସରକାର ବର୍ଷକୁ ୧.୫ ଲକ୍ଷ କୋଟି ଲାଭରେ ଥିବା ବେଳେ ମାଗଣା ଚାଉଳ ଦେଇ ରାଜନୈତିକ ଫାଇଦା ବି ପାଇବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କୋଭିଡ଼୍ ମହାମାରୀ ସମୟରେ ଦେଶର ସାଧାରଣ ଜନତାଙ୍କ ଅନାହାର ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା” ଆରମ୍ଭ କରିଥିଲେ। ୨୦୨୦ ମସିହା ଜୁନ୍ ମାସରୁ ଆରମ୍ଭ ହୋଇଥିବା ଏହି ଯୋଜନା ପ୍ରଥମେ ଛଅ ମାସ ପାଇଁ ଘୋଷଣା କରାଯାଇଥିଲେ ବି ପରେ ଦେଶର କ୍ଷୁଧାଜନିତ ସ୍ଥିତିକୁ ଦେଖି ତା’ର ମିଆଦକୁ ଗତ ଅଢ଼େଇ ବର୍ଷ ମଧ୍ୟରେ ଲଗାତାର ଭାବେ ଛଅ ଥର ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପାଇଁ ସରକାର ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଆସିଛନ୍ତି। ୨୦୨୦-୨୧ରେ ୧,୧୩,୧୮୫ କୋଟି, ୨୦୨୧-୨୨ରେ ୧,୪୭,୨୧୨ କୋଟି, ୨୦୨୨-୨୩ରେ ୧,୩୦,୦୦୦ କୋଟି ଟଙ୍କା ଏହି ବାବଦରେ ସରକାର ରାଜକୋଷରୁ ଖର୍ଚ୍ଚ କରିଛନ୍ତି। ଏହି ଯୋଜନା ମୁତାବକ ପ୍ରତି ବ୍ୟକ୍ତିଙ୍କୁ ବିନା ମୂଲ୍ୟରେ ମାସିକ ପାଞ୍ଚ କିଲୋ ଚାଉଳ ବା ଗହମ ଦିଆଯାଉଥିଲା।
ପ୍ରଥମେ ପ୍ରଥମେ ଚାଉଳ ସହିତ ଏକ କିଲୋ ଡାଲି ବା ଚଣା ଦିଆଯାଉଥିଲେ ମଧ୍ୟ ପରେ ତାକୁ ସରକାର ବନ୍ଦ କରିଦେଇଥିଲେ। ଗରିବ ଲୋକେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ - ୨୦୧୩ ମୁତାବକ ପୂର୍ବରୁ ରିହାତି ମୂଲ୍ୟରେ ପାଉଥିବା ମାସିକ ୫ କିଲୋ ଖାଦ୍ୟଶସ୍ୟ ସହିତ ଏହି ଯୋଜନା ଫଳରେ ଅତିରିକ୍ତ ୫ କିଲୋ ଅର୍ଥାତ୍ ମାସକୁ ସର୍ବମୋଟ ୧୦ କିଲୋ ଖାଦ୍ୟଶସ୍ୟ ପାଉଥିଲେ। ତେବେ ପୂର୍ବରୁ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମିଳୁଥିବା ମାସିକ ମାତ୍ର ପାଞ୍ଚ କିଲୋ ଖାଦ୍ୟଶସ୍ୟ ଲୋକଙ୍କ ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବାରେ ଏକଦମ୍ ଅପର୍ଯ୍ୟାପ୍ତ ହେଉଥିବା ବେଳେ ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ କଲ୍ୟାଣ ଯୋଜନା ଦେଶର ସଂଖ୍ୟାଗରିଷ୍ଠ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଦିଗରେ ଏକ ବଡ଼ ଭୂମିକା ଗ୍ରହଣ କରି ଆସୁଥିଲା।
କେନ୍ଦ୍ର ସରକାରଙ୍କ ଏହି ସଦ୍ୟତମ ପଦକ୍ଷେପ ହୁଏତ ଖାଦ୍ୟ ସବସିଡ଼ି ବାବଦରେ ସରକାରଙ୍କ ଖର୍ଚ୍ଚ କମାଇ ସରକାରର ଆର୍ଥିକ ସ୍ୱାସ୍ଥ୍ୟକୁ କିଛି ମାତ୍ରାରେ ମଜବୁତ୍ କରିପାରେ। କିନ୍ତୁ କ୍ଷୁଧାର ଶିକାର ଦେଶର କୋଟି କୋଟି ଗରିବ ଲୋକଙ୍କୁ ଏହା ଯେ ଅଧିକ ଖାଦ୍ୟ ସଙ୍କଟ ଭିତରକୁ ଠେଲିଦେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କାରଣ ବର୍ତ୍ତମାନ ଟଙ୍କିକିଆ ଚାଉଳ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବସିଡ଼ି ଯୋଗୁଁ ହିତାଧିକାରୀମାନଙ୍କୁ ମାସିକ ୫ କିଲୋ ଚାଉଳ ବାବଦରେ ମାତ୍ର ୫ ଟଙ୍କା ଦେବାକୁ ପଡ଼ୁଥିଲା।
କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ମାଗଣାରେ ସେହି ଚାଉଳ ଯୋଗାଇବାକୁ ଘୋଷଣା କରିଥିବାରୁ ସେ ବାବଦରେ ଲୋକମାନଙ୍କ ମାସିକ ମାତ୍ର ୫ ଟଙ୍କା ହିଁ ବଂଚିବ। କିନ୍ତୁ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବନ୍ଦ ହେବା ଫଳରେ ଲୋକେ ମାସିକ ସିଧାସଳଖ ୫ କିଲୋ ମାଗଣା ଚାଉଳ ହରାଇବେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସରକାର ଅତ୍ୟନ୍ତ ସୁନିୟୋଜିତ ଭାବେ ହିତାଧିକାରୀଙ୍କ ପିଛା ମାସିକ ମାତ୍ର ୫ ଟଙ୍କାର ସବସିଡ଼ି ଯୋଗାଇ ସେମାନେ ପାଉଥିବା ୫ କିଲୋ ଚାଉଳକୁ ଛଡ଼େଇ ନେଇଛନ୍ତି। ସେମାନେ ପୂର୍ବରୁ ଯେଉଁ ୧୦ କିଲୋ ଚାଉଳ ପାଉଥିଲେ, ସେଥିରୁ ଅଧା ଚାଉଳକୁ ଅତି ଚାଲାକିରେ ଛଡ଼େଇ ନେଇଛନ୍ତି। ନୂଆ ବର୍ଷର ଠିକ୍ ପୂର୍ବରୁ ଦେଶର କୋଟି କୋଟି ଗରିବ ଓ ଅନାହାରଗ୍ରସ୍ତ ଲୋକଙ୍କ ପାଇଁ ଏହା ଏକ ପ୍ରତାରଣା ପରି। ତେବେ ଲୋକଙ୍କ ଥାଳିରୁ ଏଭଳି ଖାଦ୍ୟ ଛଡ଼େଇ ନେଇ ବି ସେମାନେ ଛାତି ଫୁଲେଇ ଲୋକଙ୍କୁ ମାଗଣାରେ ଚାଉଳ ଦେଉଛୁ ବୋଲି କହିପାରୁଛନ୍ତି।
ସରକାରଙ୍କ ଉପରୋକ୍ତ ଘେଷଣାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିବା ବି ସ୍ୱାଭାବିକ। କାରଣ ଯେଉଁ କ୍ଷୁଧାଜନିତ ପରିସ୍ଥିତିକୁ ଦେଖି ସରକାର ଅଢ଼େଇ ବର୍ଷ ତଳେ ଏହି ଯୋଜନା ଆରମ୍ଭ କରିଥିଲେ, ସେଥିରେ କୌଣସି ସୁଧାର ଆସିବା ତ ଦେଖାଯାଇନି। ବିକାଶ ନେଇ ସରକାରଙ୍କ ସବୁ ଦାବି ସତ୍ତ୍ୱେ ଆଜି ବି ଆମ ଦେଶରେ କ୍ଷୁଧାଜନିତ ପରିସ୍ଥିତି ଯେ ଅତ୍ୟନ୍ତ ଉଦବେଗଜନକ ଅବସ୍ଥାରେ ରହିଛି, ଏକଥା ଏ ସଂକ୍ରାନ୍ତରେ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ ତଥ୍ୟ ଓ ରିପୋର୍ଟରୁ ବାରମ୍ବାର ପ୍ରମାଣିତ ହେଉଛି।
ପ୍ରତିବର୍ଷ ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ବିଶ୍ୱ କ୍ଷୁଧା ସୂଚକାଙ୍କରେ ବି ଭାରତର ସ୍ଥିତି ଲଗାତାର ଭାବେ ଅତ୍ୟନ୍ତ ନୈରାଶ୍ୟଜନକ ରହିଆସିଛି। ବିଶ୍ୱରେ କ୍ଷୁଧାର ଶିକାର ୧୨୧ ଦେଶମାନଙ୍କୁ ନେଇ ପ୍ରସ୍ତୁତ ସଦ୍ୟତମ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ସ୍ଥାନରେ ରହିଛି। ଆମର ଅନେକ ପଡ଼ୋଶୀ ଦେଶଠାରୁ ବି ଆମେ ଖରାପ ସ୍ଥିତିରେ ରହିଛେ। ଏଭଳି ପରିସ୍ଥିତିରେ ସରକାର ଦେଶର ଗରିବ ଲୋକଙ୍କ ଖାଦ୍ୟ ଥାଳିରୁ ଅଧା ଖାଦ୍ୟ ଛଡ଼େଇ ନେଇ କୌଣସି ବୁଦ୍ଧିମତ୍ତା ନୁହେଁ ବରଂ ଅତ୍ୟନ୍ତ ସମ୍ବେଦନହୀନତାର ପରିଚୟ ଦେଇଛନ୍ତି।
ଖାଦ୍ୟ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ସମ୍ବେଦନହୀନତାଟି ନୂଆଁ ନୁହେଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହିତାଧିକାରୀମାନଙ୍କ ସୂଚୀ ୨୦୧୧ ମସିହା ଜନଗଣନା ଆଧାରରେ ହୋଇଛି। ୨୦୧୦-୧୧ରେ ପ୍ରସ୍ତୁତ ଜନଗଣନାଠାରୁ ଇତି ମଧ୍ୟରେ ବାର ବର୍ଷ ଅତିବାହିତ ହୋଇଯାଇଥିଲେ ବି ସରକାର ନିଜର ହିତାଧିକାରୀ ସୂଚୀରେ କୌଣସି ସଂଶୋଧନ କରିନାହାନ୍ତି। ପୁନଶ୍ଚ ହିତାଧିକାରୀ ଚୟନ ପ୍ରକ୍ରୀୟା ମଧ୍ୟ ଅତ୍ୟନ୍ତ ତ୍ରୁଟୀପୂର୍ଣ୍ଣ ଓ ପାରଦର୍ଶିତାହୀନ ହୋଇଆସିଛି। ଏସବୁର ଫଳସ୍ୱରୂପ ସାରା ଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ଗରିବ ଲୋକ ଅକାରଣରେ ହିତାଧିକାରୀ ତାଲିକାରେ ସାମିଲ ହୋଇ ନପାରି ଖାଦ୍ୟଶସ୍ୟ ପାଇବାରୁ ବଂଚିତ ହୋଇଛନ୍ତି। କେବଳ ୨୦୨୧ରେ ହିଁ ଦେଶରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ରାସନକାର୍ଡ଼କୁ ସରକାର ବାତିଲ କରିଥିବା ଖୋଦ୍ ସରକାର କିଛି ଦିନ ତଳେ ସୁପ୍ରିମକୋର୍ଟଙ୍କୁ ଏକ ସତ୍ୟପାଠ ଜରିଆରେ ଜରାଇଛନ୍ତି। ଯଦି ୨୦୧୩ରୁ ଏଯାଏଁ ହିସାବ କରାଯାଏ ତାହେଲେ ଏହି ସଂଖ୍ୟା ୪.୭୪ କୋଟି ହେବ। ପୁନଶ୍ଚ ସରକାର ଇତିମଧ୍ୟରେ ରାସନକାର୍ଡ଼କୁ ଆଧାର କାର୍ଡ଼ ସହ ଯୋଡ଼ିବାକୁ ବାଧ୍ୟତାମୂଳକ କରିବାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ହିତାଧିକାରୀ ଗତ କିଛି ମାସ ଧରି ଅକାରଣରେ ବାଦ ପଡ଼ି ରାସନ ପାଇବାରୁ ବଂଚିତ ହୋଇଛନ୍ତି। ଏପରିକି ଗୋଟିଏ ପରିବାରର କିଛି ସଦସ୍ୟ ପାଉଥିବା ବେଳେ ଆଧାର ଲିଙ୍କ୍ ନହେବାରୁ ଅନ୍ୟ ସଦସ୍ୟମାନେ ମାସ ମାସ ଧରି ଖାଦ୍ୟଶସ୍ୟ ପାଇପାରି ନାହାନ୍ତି। ଏଭଳି ପରିସ୍ଥିତିରେ ଦେଶର ସବୁ ଗରିବ ଓ ଭୋକିଲା ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। “ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା”ରୁ ବାଦ ପଡ଼ିଯାଇଥିବା ଗରିବ ଲୋକଙ୍କୁ ସେଥିରେ ସାମିଲ କରିବାକୁ ବିଭିନ୍ନ ସଙ୍ଗଠନ ଏପରିକି ବିଭିନ୍ନ ରାଜ୍ୟ ସରକାର ବାରମ୍ବାର ଦାବି କରୁଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି ଆଦୌ କର୍ଣ୍ଣପାତ କରିନାହାନ୍ତି। ସେହି କାରଣରୁ ଓଡ଼ିଶା, ଉତ୍ତରାଖଣ୍ଡ ପରି ଅନେକ ରାଜ୍ୟ ସରକାର ବାଧ୍ୟ ହୋଇ ନିଜସ୍ୱ ସମ୍ବଳରେ ବାଦ ପଡ଼ିଥିବା ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇବାକୁ ଉଦ୍ୟମ କରିଛନ୍ତି।
ଏକ ସଭ୍ୟ ରାଷ୍ଟ୍ରରେ ନାଗରିକମାନଙ୍କ ଖାଦ୍ୟ ସୁରକ୍ଷା ସରକାରର ଏକ ସାମ୍ବିଧାନିକ ଦାୟିତ୍ୱ। ଦେଶର ପ୍ରତିଟି ନାଗରିକଙ୍କୁ କ୍ଷୁଧାରୁ ମୁକ୍ତି କରିବାକୁ ଆବଶ୍ୟକୀୟ ଖାଦ୍ୟର ବ୍ୟବସ୍ଥା କରିବାକୁ ସରକାରମାନେ ବାଧ୍ୟ। ଅତଏବ ଖାଦ୍ୟ ସୁରକ୍ଷା ନାଁରେ ଲୋକଙ୍କୁ ଚାଉଳ ବଂଟନ କରି କେନ୍ଦ୍ର କିମ୍ବା ରାଜ୍ୟ ସରକାରମାନେ କୌଣସି ଦୟା ବା ଅନୁକମ୍ପା କରୁନାହାନ୍ତି। ଖାଦ୍ୟ ସୁରକ୍ଷା ଆଇନ - ୨୦୧୩ ପରେ ସେମାନେ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ଖାଦ୍ୟଶସ୍ୟ ଯୋଗାଇବାକୁ ଏକଦମ୍ ବାଧ୍ୟ। ଖାଦ୍ୟ ସୁରକ୍ଷା ନାଁରେ କେବଳ ମାସିକ ୫ କିଲୋ ଖାଦ୍ୟଶସ୍ୟ ଦେଇ ସେମାନେ ଏକରକମ ପ୍ରତାରଣା କରୁଛନ୍ତି। ପୁନଶ୍ଚ ରାଜନୈତିକ ଦଳମାନେ ମାଗଣା ଚାଉଳର ଯେଉଁ ଶ୍ରେୟ ନେଉଛନ୍ତି ତାହା ବି ଲଜ୍ଜାଜନକ ମନେହୁଏ। କାରଣ ଏହା କୌଣସି ଦଳର ପକେଟରୁ ନୁହେଁ ବରଂ ଦେଶର ସାଧାରଣ ଜନତାଙ୍କ ଟିକସ ଅର୍ଥରୁ ଦିଆଯାଉଛି। ସେଭଳି ପରିସ୍ଥିତିରେ ମାଗଣା ଚାଉଳ ନେଇ ରାଜ୍ୟର ଦୁଇ ମୁଖ୍ୟ ରାଜନୈତିକ ଦଳ ଯେଉଁଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଅତ୍ୟନ୍ତ ପ୍ରତାରଣାପୂର୍ଣ୍ଣ ଓ ଲଜ୍ଜାଜନକ ମନେହୁଏ।
ଫୋନ୍ ନଂ : ୯୪୩୭୧୬୬୩୯୧