ଗଣତନ୍ତ୍ର ହେଉଛି ଭାରତୀୟ ସମ୍ବିଧାନର ମୌଳିକ ମାନଦଣ୍ଡ। ଗଣତନ୍ତ୍ରର ତିନୋଟି ସ୍ତମ୍ଭ - ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ଗୋଟିଏ ପଟ ଖାଲି ରହିଛି, ଯାହାକୁ ଅକ୍ତିଆର କରିବାକୁ ଗଣମାଧ୍ୟମ ଦାବୀ କରିଆସିଛି। ଗଣତନ୍ତ୍ର ସାମ୍ବିଧାନିକ ମର୍ଯ୍ୟାଦା, ମୂଲ୍ୟବୋଧ ଓ ପରମ୍ପରା ଉପରେ ପର୍ଯ୍ୟବେସିତ। ଏବେ ଗଣତନ୍ତ୍ର ଶାସନ ଖୁବ ଲୋକପ୍ରିୟ ହୋଇଛି। ଗଣତନ୍ତ୍ରର ଜନକ ବୋଲାଉଥିବା ଇଂଲଣ୍ଡରେ କିନ୍ତୁ ରାଜାରାଣୀଙ୍କ ଶାସନ କାର୍ଯ୍ୟକାରୀ ରହିଛି। ଏମିତି ଦେଖିବାକୁ ଗଲେ, କେବଳ ଇଂଲଣ୍ଡ ନୁହେଁ, ସାଥିରେ ଅଛନ୍ତି ଆରବ ଓ ଜାପାନ ଭଳି ଅନେକ ଦେଶ ଯେଉଁଠି ଗଣତାନ୍ତ୍ରିକ ଶାସନ ଭିତରେ ରାଷ୍ଟ୍ରମୁଖ୍ୟଙ୍କୁ ନିର୍ବାଚନ ରାଜନୀତି ଭିତରକୁ ନ ଟାଣି ବଂଶବାଦକୁ ପ୍ରାଧାନ୍ୟ ଦିଆଯାଇଛି। ଏହାକୁ ଅନେକେ ପରମ୍ପରା ଓ ରକ୍ଷଣଶୀଳତା କହି ପାରନ୍ତି। କିନ୍ତୁ, ସବୁକଥା ଯେ ବହୁମତରେ ସ୍ଥିରହେବ, ବୋଧହୁଏ ଏହିସବୁ ଗଣତନ୍ତ୍ରର ସମ୍ବିଧାନ ପ୍ରଣୟନକର୍ତ୍ତାମାନେ ଚାହିଁ ନଥିଲେ ଓ ଗଣତନ୍ତ୍ରର ମୌଳିକ ଗୁଣକୁ ଅକ୍ଷୁର୍ଣ୍ଣ ରଖି ପରମ୍ପରାକୁ ମଧ୍ୟ ଧରି ରଖିବାକୁ ଚାହିଁ ଥିଲେ। ଆମ ଦେଶରେ କିନ୍ତୁ ସବୁକିଛି ବହୁମତରେ ଚାଲିବାକୁ ସମ୍ବିଧାନରେ ଉଲ୍ଲେଖ ରହିଛି, ଯଦିଓ ଭାରତୀୟ ଗଣତନ୍ତ୍ରର ପ୍ରାୟ ସବୁ ସ୍ତମ୍ଭରେ ଘୁଣ ଲାଗି ଗଲାଣି।
ଗଣତନ୍ତ୍ର ଶାସନକୁ କୁହାଯାଉଛି ଲୋକମାନଙ୍କର, ଲୋକଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ ଶାସନ ବ୍ୟବସ୍ଥା। ଏଠି ରାଜପୁତ୍ର ରାଜଗାଦୀର ଆଉ ଉତ୍ତରାଧିକାରୀ ନୁହେଁ। ସମାଜର ଶେଷ ମୁଣ୍ଡରେ ବସିଥିବା ଲୋକ ବି ରାଜଗାଦୀରେ ବସି ଶାସନ କରି ପାରିବ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ। ଜଣେ ଚାଷୀର ପୁଅ, ଚା’ବାଲାର ପୁଅ ବି ରାଜଗାଦୀରେ ବସି ଶାସନ କରି ପାରିବ। ମାତ୍ର, ଏହାକୁ କଣ ଗଣତନ୍ତ୍ରର ସଫଳତା କହିବା? ଗଣତନ୍ତ୍ରରେ ଏବେ ଚାଲିଛି ଅନେକ ପରୀକ୍ଷା ନିରୀକ୍ଷା। ବାହାରକୁ ଗଣତନ୍ତ୍ର ଭଳି ଦେଖାଯାଉଥିବା ଶାସନ ବ୍ୟବସ୍ଥା ଯେ ଏବେ ନବ୍ୟ-ରାଜତନ୍ତ୍ର ଓ ଗୋଷ୍ଠୀତନ୍ତ୍ରରେ ପରିଣତ ହୋଇଗଲାଣି, ଏହାକୁ ସୂକ୍ଷ୍ମ ଭାବେରେ ସଭିଏଁ ଅନୁଭବ କରୁଛନ୍ତି। ଶିକ୍ଷା ବିନା ଗଣତନ୍ତ୍ର ଯେ ସୀମାହୀନ କପଟାଚାର ଏହା ଜଳଜଳ ଦେଖାଯାଉଛି। ଗଣତନ୍ତ୍ରର ଚାବିକାଠି ହେଲେ ଭୋଟଦାତା ଦେଶବାସୀ। ସେମାନେ ଯଦି ଶିକ୍ଷିତ ଓ ସଚେତନ ନହେବେ, ତେବେ ଗଣତନ୍ତ୍ରର ଭବିଷ୍ୟତ ଅନ୍ଧକାର ହୋଇପଡ଼ିବ। କେହି ବି ନ୍ୟସ୍ତସ୍ୱାର୍ଥ ଚତୁର ବ୍ୟକ୍ତି କିମ୍ବା ଗୋଷ୍ଠୀ ଗଣତନ୍ତ୍ରର ଖୋଳ ଭିତରୁ ବ୍ୟକ୍ତିତନ୍ତ୍ରକୁ ମହିମାମଣ୍ଡିତ କରି ଚାଲିବେ; ଏହା ଏକ ସତ୍ୟ। ଗଣତନ୍ତ୍ରରେ ଧନୀ ଓ ଗରୀବ, ପାଠୁଆ ଓ ମୂର୍ଖ, ଟଙ୍କା ନେଇ ଭୋଟ ଦେଉଥିବା ଲୋକ ଓ ସଚେତନ ଭୋଟର, ବ୍ୟକ୍ତିଗତ ଲାଭାର୍ଥୀ ଭୋଟର ଓ ଦେଶ-ସମାଜର ଭବିଷ୍ୟତ ବିଷୟରେ ଚିନ୍ତାଶୀଳ ଭୋଟରଙ୍କ ଭୋଟ ମୂଲ୍ୟ ସମାନ, ଯାହା ଗଣତନ୍ତ୍ରର ଏକ ଦୁର୍ବଳତା। ଏଣୁ ଆମ ଦେଶରେ ପ୍ରଚଳିତ ଗାଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅଶିକ୍ଷିତ, ଅବଚେତନ ଓ ଲାଭାର୍ଥୀ ଭୋଟରଙ୍କ ଭୋଟ ପାଇବା ପାଇଁ ପ୍ରଭାବୀ ଯୋଜନାମାନ ପ୍ରଣୟନ କରାଯାଉଛି। ବ୍ୟକ୍ତିତନ୍ତ୍ରର ଜୟ ଜୟକାର ଓ ଗୋଷ୍ଠୀତନ୍ତ୍ରର ରଙ୍ଗରେ ରଙ୍ଗୀନ ଦେଖାଯାଉଛି ସମଗ୍ର ଦେଶ।
ବିଧାନପାଳିକାର ଅନେକ ସଦସ୍ୟଙ୍କର ରହିଛି ଅପରାଧିକ ପୃଷ୍ଠଭୂମି। ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଦରିଦ୍ର ଲୋକଙ୍କଠାରୁ ଭୋଟ କିଣା ଚାଲିଛି। ଏଥିରୁ, ବାହୁବଳ ଓ ଅର୍ଥବଳ ଯେ ଗଣତନ୍ତ୍ରର ମୁହଁ ବଙ୍କା କରୁଛି ତାହା ବୁଝିବାକୁ ଅନେକେ ଅସମର୍ଥ। ସେମାନେ, ‘ଯୋ ଜିତା ୱ ହି ସିକନ୍ଦର’ ଭାବିନେଇ କର୍ମକୁ ଆଦରି ସବୁକିଛି ସହି ଯାଉଛନ୍ତି। ଅନେକ ଅଶିକ୍ଷିତ ଲୋକ ଭାବି ନେଇଛନ୍ତି ଯେ, ଆଗରୁ ରାଜାଙ୍କ ପୁଅ ରାଜା ହେଉଥିଲେ, ଏବେ ବାହୁବଳୀ ଓ ଧନୀ ଲୋକମାନେ ଶାସନ କରିବେନି ତ ରାମା, ଦାମା, ଶାମା ଶାସନ କ'ଣ ଶାସନ କରିବେ? ଏହା ହିଁ ସେମାନଙ୍କ ଦୃଷ୍ଟିରେ ଗଣତନ୍ତ୍ରର ପରିଭାଷା। କେବଳ ଯେ, ଅପରାଧ ପୃଷ୍ଠଭୂମିରୁ ଜନପ୍ରତିନିଧିମାନେ ନିର୍ବାଚିତ ହେଉଛନ୍ତି ତାହା ନୁହେଁ; ଦେଶ, ବିଦେଶର ପୁଞ୍ଜିପତି ଓ ଉଦ୍ୟୋଗପତିମାନେ କଳାଧନ ଖର୍ଚ୍ଚକରି ନିଜର ଅନୁଗତ କିଛି ବୁଦ୍ଧିଜୀବୀଙ୍କୁ ବିଧାନପାଳିକାକୁ ନିର୍ବାଚିତ କରୁଛନ୍ତି। ଅଭିଯୋଗ ହେଉଛି ଯେ, କିଛି ଶତୃରାଷ୍ଟ୍ର ମଧ୍ୟ ନିଜର ଗୋପନ କାର୍ଯ୍ୟକ୍ରମ ଚଳାଇ ରଖିବାକୁ ନିର୍ବାଚିତ ବିଧାୟକ, ସାଂସଦ ଓ ରାଜନୈତିକ ଦଳଙ୍କୁ ହାତବାରିସି କରିବାକୁ ନିୟମିତ ଅର୍ଥଦାନ କରୁଛନ୍ତି। ସବୁ ଦଳ ଅନ୍ୟ ଦଳ ଉପରେ ଏହିପରି ଅଭିଯୋଗ ଆଣି ଦୋଷାରୋପ କରୁଥିଲେ ବି 'ନରୋତ୍ତମ ଦାସ କହେ ......’ ନ୍ୟାୟରେ ସମସ୍ତେ ଚୁପ। ଗଣତନ୍ତ୍ର ନାଁରେ ଆମେ ସଭିଏଁ ଏଭଳି ଏକ ବିକଳ ଘୁଣଖିଆ ଶାସନ ବ୍ୟବସ୍ଥାର ହିତାଧିକାରୀ।
ଅପରାଧୀରୁ ରାଜନେତା ପାଲଟିଥିବା ଗ୍ୟାଙ୍ଗଷ୍ଟର ଆନନ୍ଦ ମୋହନ ସିଂହ ୧୯୯୪ ମସିହାରେ ଗୋପାଳଗଞ୍ଜ ଜିଲ୍ଲାପାଳ ଜି. କ୍ରିଷ୍ଣାୟାଙ୍କୁ ମୁଜାଫରପୁରରେ ଗୁଣ୍ଡାଙ୍କ ସହାୟତାରେ ପିଟିପିଟି ନୃଶଂସ ଭାବେ ହତ୍ୟାକରି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା। ଆମରି ଗଣତନ୍ତ୍ରର ଗଳାବାଟ ଦେଇ ବିସ୍ମୟକର ଭାବେ ସେ ନିର୍ବାଚନ ଲଢୁଥିଲା ଓ ବିଜୟଲାଭ ମଧ୍ୟ କରୁଥିଲା। ଆଇନ ବଦଳାଇ ଦେଇ ତାଙ୍କୁ ଅଳ୍ପଦିନ ତଳେ ବିହାରର ନୀତୀଶ ସରକାର ଆଜୀବନ କାରାବାସରୁ ମୁକୁଳେଇ ଦେଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟା ମଧ୍ୟରେ ନିର୍ବାଚିତ ଜଣେ ମୁଖ୍ୟମନ୍ତ୍ରୀ ନିଜର ମାନ ସମ୍ମାନ, ନିନ୍ଦା, ମୁଖଲଜ୍ଜାକୁ ବେଖାତିର କରି କର୍ତ୍ତବ୍ୟରତ ଜଣେ ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ହତ୍ୟା କରିଥିବା ବାହୁବଳୀ ଗୁଣ୍ଡାକୁ କାରାଗାରରୁ ମୁକ୍ତ କରିଦେବା କେତେଦୂର ସମୀଚିନ? ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁଖନିଃସୃତ ଆଦେଶ କଣ ଦେଶର ଆଇନଠାରୁ ମହତ୍ତର? ଏହି ଖଲାସ ବିରୁଦ୍ଧରେ ଜଣେ ଭାପ୍ରସେ ଅଧିକାରୀ ଅନୁପମ କୁମାର ସୁମନ ଅଦାଲତକୁ ଯାଇଛନ୍ତି। ହତ୍ୟାର ଶିକାର ହୋଇଥିବା ଅଧିକାରୀଙ୍କ ପରିବାର ଆତଙ୍କିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହାର ଶୁଣାଣି କରିବେ।
ଗଣତନ୍ତ୍ରରେ ସରକାରମାନେ ଲୋକମାନଙ୍କ ଭୋଟ ମାଧ୍ୟମରେ ଗଢ଼ା ହେଉଥିଲେ ବି ତାହା ଯେ ଲୋକଙ୍କ ପାଇଁ ଓ ଲୋକମାନଙ୍କର, ଏଥିରେ ସଂଶୟ ରହୁଛି। ଗଣତନ୍ତ୍ର ଏବେ ଗୋଷ୍ଠୀତନ୍ତ୍ର ମୁହାଁ। ଗୋଷ୍ଠୀତନ୍ତ୍ରର ବିବର୍ତ୍ତନ ଘଟୁଛି। ପ୍ରତ୍ୟେକ ଗୋଷ୍ଠୀର ପ୍ରତିଷ୍ଠାତା ଆଜୀବନ ସଭାପତି କିମ୍ବା ଗୋଷ୍ଠୀର ସର୍ବମାନ୍ୟ ନେତାଙ୍କ ଭିତରେ ସଙ୍ଗୋପନରେ ଜଣେ ଜଣେ ସମ୍ରାଟ ସୃଷ୍ଟି ହୋଇ ଚାଲିଛନ୍ତି, ଏଭଳି ଆଶଙ୍କା ଅମୂଳକ ନୁହେଁ। ଦେଶ ସାରା ପ୍ରତ୍ୟେକ ରାଜ୍ୟରେ ଏବେ ଗୋଷ୍ଠୀତନ୍ତ୍ରର ରାଜୁତି। ଯିଏ ନିଜର ଗୋଠକୁ ଅଧିକ ସମୟ ଧରି ଏକାଠି ରଖି ପାରିଲେ ଓ କଳେ, ବଳେ, କୌଶଳେ କିମ୍ବା ଭାଗ୍ୟବଳରୁ କ୍ଷମତାକୁ ଆସିଲେ ସେମାନେ ବିକାଶର ସ୍ୱପ୍ନ ଦେଖାଇ ଲୋକଙ୍କୁ ଭ୍ରମିତ କରି, ଜୋତା, ଛତା, ସାଇକେଲ, ମଙ୍ଗଳସୂତ୍ର ଓ ଟେଲିଭିଜନ ଇତ୍ୟାଦି ଦେଇ ନିଜ ଗୋଷ୍ଠୀ ସପକ୍ଷରେ ଭୋଟ ହାତେଇ ନେଉଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଦଳ ନିଜର ବିଧାନସଭା ନିର୍ବାଚନ ଇସ୍ତାହାରରେ ମହିଳାଙ୍କ ପାଇଁ ସରକାରୀ ବସରେ ମାଗଣା ଯାତ୍ରା, ପ୍ରତିପାରିବାରର ଜଣେ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ଭତ୍ତା, ସମସ୍ତଙ୍କୁ ୨୦୦ ୟୁନିଟ ମାଗଣା ବିଦ୍ୟୁତ, ବେକାର ସ୍ନାତକଙ୍କୁ ମାସିକ ୩୦୦୦ ଓ ଡିପ୍ଲୋମାଧାରୀଙ୍କୁ ୧୫୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛି। ଏହା କଂଗ୍ରେସକୁ ନିଜ ଗୋଷ୍ଠୀ ସପକ୍ଷରେ ଭୋଟ ହାସଲ କରିବାରେ କେତେଦୂର ସହାୟକ ହେବ, ତାହା ଆସନ୍ତା ୧୩ ତାରିଖରେ ଜଣାପଡ଼ିବ। ସମସ୍ତ ଆଞ୍ଚଳିକ ଓ ରାଷ୍ଟ୍ରୀୟ ଦଳ ଏଭଳି ମାଗଣା ସଂସ୍କୃତିର ଉଣା ଅଧିକେ ପୃଷ୍ଠପୋଷକ।
କୁହାଯାଉଛି ଯେ, ଗୋଷ୍ଠୀ ପକ୍ଷରୁ କେଉଁ ବ୍ୟକ୍ତିଙ୍କୁ ଟିକେଟ ମିଳିବ, ତାହାହିଁ ଗୁରୁତ୍ୱପୂର୍ଣ୍ଣ। ଯାହାଙ୍କୁ ଟିକେଟ ଦିଆଗଲେ ଗୋଷ୍ଠୀର ମନୋନୀତ ପ୍ରାର୍ଥୀ ଭାବେ ସେ ନିଶ୍ଚୟ ବିଜୟଲାଭ କରିବେ ତାଙ୍କୁ ହିଁ ଟିକେଟ ମିଳୁଛି। ଏଥିପାଇଁ ଜାତି, ସମ୍ପ୍ରଦାୟ, ମହିଳା ଇତ୍ୟାଦି ଗୋଟିଏ ଗୋଟିଏ ମାପକାଠି। ମନୋନୀତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ବୟସ, ଅପରାଧିକ ଇତିହାସ ଇତ୍ୟାଦି ଗୁରୁତ୍ୱହୀନ ହୋଇ ପଡୁଛି। ଜଣେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ସାହସ କରି ପାରୁନି। ଅଭିଯୋଗ ଆସୁଛି ଯେ, ଅଧିକାଂଶ ସ୍ୱାଧୀନ ପ୍ରାର୍ଥୀ କୌଣସି ନା କୌଣସି ଗୋଷ୍ଠୀଦ୍ୱାରା ପ୍ରାୟୋଜିତ। ସେଥିପାଇଁ ଭୋଟରଙ୍କ ପାଖରେ ରହୁଛି ଦୁଇ ତିନୋଟି ବିକଳ୍ପ। ଯେ କୌଣସି ଗୋଷ୍ଠୀର ପ୍ରାର୍ଥୀଙ୍କୁ ସ୍ଵଇଚ୍ଛାରେ କିମ୍ବା ଇଚ୍ଛା ବିରୁଦ୍ଧରେ ଭୋଟ ଦେବେ, 'ନୋଟା'ରେ ଭୋଟ ଦେବେ କିମ୍ବା ଭୋଟ ଦେବେନାହିଁ। ଏଥିରେ ଗଣତନ୍ତ୍ର କିପରି ସଶକ୍ତ ହେବ?
ସୁସ୍ଥ ଗାଣତାନ୍ତ୍ରିକ ପରମ୍ପରା ପାଇଁ ଦୃଢ଼ ବିରୋଧୀଦଳ ଓ ନିରପେକ୍ଷ ଗଣମାଧ୍ୟମର ଆବଶ୍ୟକତା ରହିଛି। ଗଣମାଧ୍ୟମ ଏବଂ ବିରୋଧୀ ଦଳ ହିଁ ଗଣତନ୍ତ୍ରର ସୁରକ୍ଷା ସହିତ ଜନତାଙ୍କ ସ୍ଵାର୍ଥ ରକ୍ଷା କରିଥାନ୍ତି। ଦେଖା ଯାଉଛି ଯେ ବିରୋଧୀ ଦଳ ନିଜର ଦୃଢ଼ତା ଓ ଗଣମାଧ୍ୟମ ନିଜର ନିରପେକ୍ଷତା କ୍ରମଶଃ ହରାଇ ବସୁଛି। ଗଣମାଧ୍ୟମର ମାଲିକ ଓ ସମ୍ପାଦକମାନେ ଯଦି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୌଣସି ରାଜନୈତିକ ଦଳର ପଦ ପଦବୀରେ ଆସୀନ ତାଙ୍କ ସମ୍ପାଦିତ ସମ୍ବାଦରେ ନିରପେକ୍ଷତା ରହିବ ନାହିଁ। ବିରୋଧୀ ଦଳର ସଂସଦ ଓ ବିଧାୟକମାନେ ଯଦି ମଉକା ଦେଖି ସରକାରୀ ଦଳରେ ଯୋଗଦେବାକୁ ଚାହିଁବେ ସେମାନେ ନିଜର ଦୃଢ଼ତା ପ୍ରଦର୍ଶନ କରିବେ କିପରି? ଜଣେ ମାଲିକ ଅବା ସମ୍ପାଦକ କୌଣସି ରାଜନୈତିକ ଦଳର ପଦ ପଦବୀରେ ରହିଲେ କିମ୍ବା କୌଣସି ଦଳର ସାଂସଦ କିମ୍ବା ବିଧାୟକ ହେଲେ ତାଙ୍କ ଦ୍ୱାରା ସମ୍ପାଦିତ ସାମ୍ବାଦପତ୍ର ଓ ଟିଭି ସମ୍ବାଦରୁ ନିରପେକ୍ଷତା ନିରୁଦ୍ଦିଷ୍ଟ ହୋଇଯିବା ଏକ ସାଧାରଣ ଘଟଣା। ଗଣମାଧ୍ୟମମାନଙ୍କୁ ବାର୍ଷିକ କୋଟିକୋଟି ତାଙ୍କର ବିଜ୍ଞାପନ ଦେଇ ସେମାନଙ୍କୁ ହାତକରି ଜନତାଙ୍କ ସ୍ୱରକୁ ଚାପିଦେବା ସହ ସରକାରଙ୍କ ନାମ ଜପି ଚାଲିଲେ ଯେ ଗଣତନ୍ତ୍ର ବିପନ୍ନ ହୁଏ ଏହା ସମସ୍ତେ ଜାଣିଥିଲେ ବି ନିହିତସ୍ୱାର୍ଥ କାରଣରୁ ସଭିଏଁ ଚୁପ ରହୁଛନ୍ତି। ସେଥିପାଇଁ ବୋଧହୁଏ ଅନେକ ସମ୍ବାଦପତ୍ର ପ୍ରସାରଣ ସଂଖ୍ୟା ଏବଂ ଚାନେଲର ଟିଆରପି ତଳମୁଁହା।
ଗଣତନ୍ତ୍ରର ସୌନ୍ଦର୍ଯ୍ୟ ହେଲା ସହନଶୀଳ ସରକାର ଓ ସଶକ୍ତ ବିରୋଧୀ ଦଳ। ସରକାର ଗଠନମୂଳକ ସମାଲୋଚନାକୁ ଗୁରୁତ୍ୱ ଦେଇ ନିଜର ତୃଟି ବିଚ୍ୟୁତିକୁ ସୁଧାରିନେଲେ ଗଣତନ୍ତ୍ର ପୁଷ୍ଟ ହୁଏ। ଆମେ ଏବେ ଯେଉଁ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ଅଛେ, ତାହାକୁ ହଠାତ ବଦଳେଇଦେବା ଅତ୍ୟନ୍ତ କଠିନ। ଏଣୁ ପ୍ରତି ପଞ୍ଚାୟତର ଯୁବକମାନଙ୍କୁ ଏ ଦିଗରେ ନେତୃତ୍ୱ ନେବାକୁ ପଡ଼ିବ। ସେମାନେ ବିକାଶ ମଞ୍ଚ ଗଠନକରି ଦୁର୍ନୀତିକୁ ବିରୋଧ କରିବା ସହ ବିନା ଲାଞ୍ଚରେ କିପରି ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସାମାଜିକ ସୁରକ୍ଷା ଯୋଜନାମାନଙ୍କର ଲାଭ ମିଳିପାରିବ, ତାହା ଦେଖିବାକୁ ପଡ଼ିବ। ଯୁବକମାନେ ଶାନ୍ତିପୂର୍ଣ୍ଣ ଭାବେ ଓ ଆଇନ୍ ଅନୁମୋଦିତ ପ୍ରକ୍ରିୟାରେ ନିଜ ନିଜ ପଞ୍ଚାୟତକୁ ଦୁର୍ନୀତିମୁକ୍ତ ଓ ବିକଶିତ ପଞ୍ଚାୟତ କରିବା ପାଇଁ ଶପଥ ନେବାକୁ ପଡ଼ିବ। ଗଣତନ୍ତ୍ରକୁ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଆମକୁ ପବିତ୍ର ରଖିବାକୁ ହେବ। ଆମେ ସଭିଏଁ ଛତିଶା ନିଯୋଗ ସେବାୟତ। ସଭିଏଁ ନିଜ ନିଜ ଦାୟିତ୍ୱ ନିଷ୍ଠାପର ଭାବରେ ନକଲେ ମନ୍ଦିର ମାରା ହେଲା ପରି ଗଣତନ୍ତ୍ର ବିପନ୍ନ ହୋଇଯିବ।
ଜାନକୀଶ ବଡ଼ପଣ୍ଡା
ଫୋ- ୯୪୩୮୨୯୯୦୩୭