ଦେବେନ୍ଦ୍ର ପୃଷ୍ଟି
ଠାକୁର ଘରେ କେହି ନିଶ୍ଚୟ ପଶିଛି। ନହେଲେ କଦଳୀ ଖାଇବା ଚର୍ଚ୍ଚା ହେଉଛି କାହିଁକି? ଯେଉଁମାନେ ଚର୍ଚ୍ଚା କରୁଛନ୍ତି ସେମାନେ ହୁଏତ ଅନ୍ୟମାନଙ୍କର କଦଳୀ ଖାଇବା କଥା ସହିପାରୁ ନଥିବେ କିମ୍ବା ଈର୍ଷା କରୁଥିବେ। ଯେଉଁମାନେ ଖାଇଛନ୍ତି ସେମାନେ ଇତିମଧ୍ୟରେ ଆମେ ଖାଇନାହୁଁ ବୋଲି କହିସାରିଲେଣି। କିନ୍ତୁ ଠାକୁର ଘରେ କିଏ ପଶିଛି? ଏକଥା ଅବଶ୍ୟ ରାଜ୍ୟବାସୀ ପଚାରି ନାହାନ୍ତି, ପଚାରିବେ ବି ନାହିଁ। ଯାହା ପଚରାପଚରି ହେଉଛି ସବୁ ରାଜନୀତି ଓ ଗଣମାଧ୍ୟମରେ। ତେବେ, ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠି ଜମା ନେଇ ଏଭଳି ଚର୍ଚ୍ଚାରୁ ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ମିଳିନାହିଁ। ବିଧାନସଭାରେ ମନ୍ତ୍ରୀ ଯେଉଁ ଉତ୍ତର ଦେଇଛନ୍ତି ତାହା ବି ଚିତ୍ର ସ୍ପଷ୍ଟ କରୁନାହିଁ।
୧. ଓଡ଼ିଶା ସରକାର ଭୁଲ କରନ୍ତୁ ବା ନକରନ୍ତୁ, ମନ୍ତ୍ରୀମାନେ ବିଧାନସଭାର ବି ବିଭ୍ରାନ୍ତକର ଉତ୍ତର କାହିଁକି ଦିଅନ୍ତି କେଜାଣି? ଶ୍ରୀମନ୍ଦିର ପାଣ୍ଠି ୟେସ ବ୍ୟାଙ୍କରେ ଜମା କରିବା ନେଇ ସେହିପରି କିଛି ବିଭ୍ରାନ୍ତିକର କଥା କହିଛନ୍ତି ବିଭାଗୀୟ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବା ଇଂରାଜୀରେ ଶ୍ରୀଜଗନ୍ନାଥ ଟେମ୍ପଲ୍ ଆଡମିନିଷ୍ଟ୍ରେସନ (ଏସଜେଟିଏ) ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ତେବେ ମନ୍ତ୍ରୀ କ’ଣ ଜାଣି ନାହାନ୍ତି ଏହି ସଂସ୍ଥାଟି କେଉଁ ଆଇନ ବଳରେ ଗଠିତ ହୋଇଛି? ସେହି ଆଇନ କିଏ ପ୍ରଣୟନ କରିଛନ୍ତି? ଜଗନ୍ନାଥ ମହାପ୍ରୁ କ’ଣ ନିଜ ପରିଚାଳନା ପାଇଁ ଆନନ୍ଦ ବଜାରରେ ବସି ଏହି ଆଇନଟି କରିଥିଲେ? ସମସ୍ତେ ଜାଣନ୍ତି ବା ଜାଣିବା ଦରକାର ଯେ ୧୯୫୨ ମସିହାରେ ରାଜ୍ୟ ସରକାର ପ୍ରଥମେ ପ୍ରଣୟନ କରିଥିଲେ ‘ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ’। ଏହା ପରେ ୧୯୫୪ ମସିହାରେ ପ୍ରଣୀତ ହେଲା ‘ଶ୍ରୀଜଗନ୍ନାଥ ମନ୍ଦିର ଆଇନ’। ଏହି ଆଇନ ଅନୁସାରେ ଗଠିତ ହେଲା ପରିଚାଳନା କମିଟି। ୨୦୦୫ ମସିହାରେ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ଆଇନରେ ପୁଣି ଥରେ ସଂଶୋଧନ ହେଲା। ପୂର୍ବରୁ ଜଣେ ଓଏଏସ ଅଫିସର ମନ୍ଦିର ପ୍ରଶାସକ ରହୁଥିଲେ। ନୂଆ ସଂଶୋଧନ ପରେ ଜଣେ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଏହି ପଦ ମିଳିଲା। ଏହା ମନ୍ଦିର ପରିଚାଳନାରେ ସରକାରଙ୍କ ହସ୍ତକ୍ଷେପ ନା ନୁହେଁ?
୨. ଏବେ ପରିଚାଳନା କମିଟିରେ ୧୮ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତିରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ସୁରେଶ ମହାପାତ୍ର। ସେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି। ରାଜ୍ୟ ସରକାରଙ୍କର ଅନ୍ୟ ବହୁ ପଦବୀରେ ଥିବା ସଚିବ ପାହ୍ୟାର ଅଫିସର ଡକ୍ଟର କିଷନ କୁମାର ହେଉଛନ୍ତି ମନ୍ଦିରର ମୁଖ୍ୟ ପ୍ରଶାସକ। ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଓ ଏସପି ଉମାଶଙ୍କର ଦାଶ ହେଲେ କମିଟିର ଅନ୍ୟ ଦୁଇ ସଦସ୍ୟ। ଆଇନ ବିଭାଗର ଜଣେ ଅତିରିକ୍ତ ସଚିବ ରଶ୍ମୀ ମୋହନ ଆଚାର୍ଯ୍ୟ ମଧ୍ୟ ଏହି କମିଟିର ସଦସ୍ୟ ଅଛନ୍ତି। ସେହିପରି ଚାର୍ଟାଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ମଧ୍ୟ ଏହି କମିଟିର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଯୋଜନାର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ଏମାନେ କାହାର ପ୍ରତିନିଧି? ଏମାନଙ୍କୁ କିଏ ନିଯୁକ୍ତି କରିଛନ୍ତି? ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ମଝିରେ ମଝିରେ ଯୋଗ ଦେଉଥିବା ମୁଖ୍ୟମନ୍ତ୍ରୀ ସରକାର ନା ମନ୍ଦିରର ସେବାୟତ?
୩. ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଅନୁସାରେ ମନ୍ଦିରର ପାଣ୍ଠି କେବଳ ଜାତୀୟକରଣ ବ୍ୟାଙ୍କରେ ରହିବ। ୟେସ ବ୍ୟାଙ୍କ ଏକ ଜାତୀୟକରଣ ବ୍ୟାଙ୍କ ନୁହେଁ। ଏହି ବ୍ୟାଙ୍କରେ ଶ୍ରୀମନ୍ଦିର ଦାନ ଟଙ୍କା ଜମା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ନିଷ୍ପତ୍ତି ନେଇନାହିଁ। କମିଟି ନିଷ୍ପତ୍ତି ନେବା ପୂର୍ବରୁ ଟଙ୍କା ଜମା ସରିଥିଲା। ପରେ ଏହା ଅନିୟମିତ କାର୍ଯ୍ୟ ବୋଲି ହୃଦବୋଧ ହେବା ପରେ କିମ୍ବା ସମାଲୋଚନାକୁ ଡରି କମିଟି ବୈଠକ ଡକାଇ କାର୍ଯ୍ୟକାରୀ ପାଣ୍ଠି ୪୫ କୋଟି ଉଠେଇବାକୁ ନିଷ୍ପତ୍ତି ନିଆଗଲା। ସେତେବେଳେ ଦାନ ଟଙ୍କା ଉଠେଇବାକୁ ମଧ୍ୟ ମୁଖ୍ୟ ପ୍ରଶାସକ ପ୍ରସ୍ତାବ ଦେଇଥିଲେ। ତାହାକୁ କାହା ଚାପରେ ଏବଂ କିଏ ଖାରଜ କରିଦେଲେ?
୪. ଶ୍ରୀମନ୍ଦିର ଟଙ୍କା ଜମା କରିବା ସମୟରେ ୟେସ ବ୍ୟାଙ୍କ ରାଜ୍ୟ ସରକାରଙ୍କର ଏକ ଅନୁମୋଦିତ ବ୍ୟାଙ୍କ ନଥିଲା। ପରେ ତାହାକୁ ସେହି ମାନ୍ୟତା ଦିଆଗଲା। ସରକାର ଏହାକୁ ମିଛ ପ୍ରମାଣିତ କରିପାରିବେ କି? ସେହି ସମୟରେ ରାଜ୍ୟ ସରକାରଙ୍କର ଅନ୍ୟ କେଉଁ ଅଧିକାରୀ ଶ୍ରୀମନ୍ଦିର ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ?
୫. ୟେସ ବ୍ୟାଙ୍କର ଦେବାଳିଆ ଅବସ୍ଥା ବର୍ଷକ ଆଗରୁ ଜଣାପଡ଼ିଲାଣି। ସେତେବେଳେ ଟଙ୍କା ଉଠାଇବା ବିରୋଧରେ କିଏ କାହାକୁ ପରାମର୍ଶ ଦେଇଥିଲେ?
୬. ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ଆଇଏଏସ ଅଫିସର ବିଜୟ ଉପାଧ୍ୟାୟଙ୍କ ବିରୋଧରେ ଏକ ଅଭିଯୋଗ ହେଲା ସେ ୟେସ ବ୍ୟାଙ୍କରେ ଉଦ୍ୟାନ କୃଷି ବିଭାଗର ଟଙ୍କା ଜମା କରିଛନ୍ତି। ଏହା ଏକ ଜାତୀୟକରଣ ବ୍ୟାଙ୍କ ହୋଇ ନଥିଲେ ମଧ୍ୟ ରାଜ୍ୟ ସରକାରଙ୍କର ଆଉ କେଉଁ କେଉଁ ବିଭାଗର ଟଙ୍କା ଏହି ବ୍ୟାଙ୍କରେ ଜମା ରହିଛି? ସେଥିପାଇଁ ରାଜ୍ୟ ସରକାରଙ୍କ ସହ ସଂପୃକ୍ତ କେଉଁ ଚାର୍ଟାଡ ଆକାଉଣ୍ଟାଣ୍ଟ ବା ଅଫିସର ପରାମର୍ଶ ଦେଇଛନ୍ତି?
୭. ଏହି ବ୍ୟାଙ୍କରୁ ନିକଟ ଅତୀତରେ ରାଜ୍ୟର କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବିପୁଳ ପରିମାଣର ଟଙ୍କା ଋଣ ନେଇଛନ୍ତି କି? ରାଜ୍ୟ ସରକାରଙ୍କ ସଂପୃକ୍ତ ଅନ୍ୟ କୌଣସି ଉଦ୍ୟୋଗୀ ଏହି ବ୍ୟାଙ୍କରୁ ଋଣ କରିଛନ୍ତି କି?
୮. ଏହି ବିବାଦ ଉଠିବା ପରେ ରାଜ୍ୟ ଅର୍ଥ ସଚିବ କହିଥିଲେ, ଯିଏ ଟଙ୍କା ଜମା କରିଛନ୍ତି ସିଏ ଦାୟୀ? ଯିଏ ଟଙ୍କା ଜମା କରିଛନ୍ତି ସେମାନେ ତେବେ କିଏ? ନିଜେ ଅର୍ଥ ସଚିବ ନୁହନ୍ତି ନିଶ୍ଚୟ। ଯେଉଁମାନଙ୍କ ନାମରେ ବିପକ୍ଷ ନେତାଏ ଅଭିଯୋଗ କରୁଛନ୍ତି ସେମାନେ କାହିଁକି ଏଯାଏଁ ନିଜ ଆଡ଼ୁ ସ୍ପଷ୍ଟୀକରଣ ଦେଉନାହାନ୍ତି?
୯. ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଜମା କରିବା ନିଷ୍ପତ୍ତି ଯଦି ରାଜ୍ୟ ସରକାରଙ୍କର ନୁହେଁ ତେବେ ଏହି ବିବାଦ ଉଠିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ରାଜ୍ୟ ସରକାର କାହିଁକି ଚିଠି ଲେଖିଥିଲେ? କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କାହିଁକି ବିଜେଡି ନେତାମାନେ ଭେଟିଥିଲେ?
୧୦. ବିଧାନସଭାରେ ଏ କେଳେଙ୍କାରୀ ଆଲୋଚନାର ସଂକ୍ଷିପ୍ତ ଓ ବିଭ୍ରାନ୍ତିକର ଉତ୍ତର ଦେବା ପରେ ପରେ କାହିଁକି କରୋନା କାରଣ ଦର୍ଶାଇ ବିଧାନସଭା ମୁଲତବୀ କରିଦିଆଗଲା? ଭାରତବର୍ଷର ଅନ୍ୟ କେଉଁ ରାଜ୍ୟର ବିଧାନସଭା କରୋନା କାରଣରୁ ମୁଲତବୀ ରହିଛି? କରୋନା କାରଣରୁ ଭାରତୀୟ ସଂସଦ ଅଧିବେଶନ ବି ବନ୍ଦ ହୋଇନାହିଁ। ଶାସକ ଓ ସହଯୋଗୀ ବିଧାୟକମାନେ କେଉଁ ଆତଙ୍କରୁ ନିଜର ସୁରକ୍ଷା ପାଇଁ ଏପରି କଲେ? କରୋନା ଆତଙ୍କରୁ ନା ୟେସ ବ୍ୟାଙ୍କ ନିନ୍ଦାରୁ?
୧୧. ୟେସ ବ୍ୟାଙ୍କ ବୁଡ଼ିବା ପାଇଁ ନିଶ୍ଚୟ ରାଜ୍ୟ ସରକାର ଦାୟୀ ନୁହନ୍ତି। କିନ୍ତୁ ଏହି ବ୍ୟାଙ୍କ ଦେବାଳିଆ ହେବା ପରେ ଯେଉଁ ଅନିଶ୍ଚିତା ସୃଷ୍ଟି ହୋଇଛି ସେଥିରେ ରାଜ୍ୟର କେତେ ଲୋକ ଆଶାଆଶଙ୍କା ମଧ୍ୟରେ କାଳ କାଟୁଛନ୍ତି? ସେମାନଙ୍କ ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ କିଛି ଦାବି ରଖିଛନ୍ତି କି? କାହିଁକି ରଖି ନାହାନ୍ତି?
୧୨. ରାଜ୍ୟ ପାଇଁ ଅହିତକର ପ୍ରତି ପ୍ରସଙ୍ଗରେ କେନ୍ଦ୍ରକୁ ଦାୟୀ କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜୁ ଜନତା ଦଳର ନେତାମାନେ ୟେସ ବ୍ୟାଙ୍କ କେଳେଙ୍କାରି ନେଇ କାହିଁକି ତୁଣ୍ଡ ଖୋଲି ନାହାନ୍ତି?