ଜୁଲିଆନ ଆସେଞ୍ଜ କିଏ? କାହିଁକି ତାଙ୍କ ମୁକ୍ତି ଚାହୁଁଥିଲା ସମଗ୍ର ବିଶ୍ୱ?

ଆସେଞ୍ଜଙ୍କ ପରିଚୟ ଓ କାର୍ଯ୍ୟ ସମ୍ବନ୍ଧରେ କହିବାକୁ ଗଲେ, ଅଷ୍ଟ୍ରେଲୀୟ ଆସେଞ୍ଜ ନିଜର ୱେବ ପତ୍ରିକା ‘ୱିକିଲିକ୍ସ’କୁ ୨୦୦୬ ମସିହାରେ ଆରମ୍ଭ କରିଥିଲେ। ‘ୱିକିଲିକ୍ସ’ର କାର୍ଯ୍ୟ ଥିଲା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ନିଜର ଦେଶବାସୀଙ୍କୁ ଲୁଚାଇ କରୁଥିବା କାର୍ଯ୍ୟକୁ ସମସ୍ତଙ୍କ ଦୃଷ୍ଟିକୁ ଆଣିବା। ହୁଏତ ନିଜର ନିଷ୍ଠା ଲାଗି ଅଳ୍ପ କିଛି ବର୍ଷ ମଧ୍ୟରେ ବିଶ୍ଵର ସାମ୍ବାଦିକତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିଥିବା ହେତୁ ଆମେରିକା ସରକାରଙ୍କ ଯୁଦ୍ଧଖୋର ସମ୍ବଳିତ ତଥ୍ୟ ତାଙ୍କର ହସ୍ତଗତ ହୋଇପାରିଥିଲା।

Julian Assange

  • Published: Thursday, 27 June 2024
  • , Updated: 27 June 2024, 04:54 PM IST

ଦେବ ରଞ୍ଜନ

ଜୁଲିଆନ ଆସେଞ୍ଜଙ୍କ ମୁକ୍ତି ସମଗ୍ର ବିଶ୍ଵ ଲାଗି ଏକ ପ୍ରମୁଖ ସମ୍ବାଦ। ଏଭଳି ଏକ ଖବର ଲାଗି ବିଶ୍ଵର ଅନେକ ଗଣତାନ୍ତ୍ରିକ କର୍ମୀ ପ୍ରସ୍ତୁତ ନଥିଲେ। ଆସେଞ୍ଜଙ୍କ ନିଜର ଯୁଦ୍ଧ ବିରୋଧୀ ମନୋଭାବ ଓ ବାକ ସ୍ଵାଧୀନତା ପ୍ରତି ପ୍ରତିବଦ୍ଧତା ଆମକୁ ଆସେଞ୍ଜଙ୍କ କାର୍ଯ୍ୟ ପ୍ରତି ଆକୃଷ୍ଟ କରିଥିଲା। ସେ ନିଜେ ଏଥିଲାଗି ଆନ୍ତର୍ଜାତିକ ହୋଇଯାଇଥିଲେ।

ଆସେଞ୍ଜ ଜଣେ ବ୍ୟକ୍ତି ନୁହନ୍ତି, ଏକ ବିଚାର ଓ ସେହି ବିଚାର ସହିତ ବିଶ୍ଵର ବିଭିନ୍ନ ପ୍ରାନ୍ତର ଗଣତନ୍ତ୍ର ପ୍ରେମୀ ଯୋଡ଼ିହୋଇଥିଲେ। ଗଣତନ୍ତ୍ରର ସୁରକ୍ଷା ବ୍ୟକ୍ତିର ବାକ ସ୍ଵାଧୀନତା ଉପରେ ନିର୍ଭରଶୀଳ। ଗଣତନ୍ତ୍ରରେ ନିର୍ବାଚିତ ନେତାମାନେ ଯେ ଲୋକଙ୍କ ନିକଟରେ ଉତ୍ତରଦାୟୀ ରୁହନ୍ତୁ ସେଥିଲାଗି ସେ ନିଜର ଉଦ୍ୟମ ଜାରି ରଖିଥିଲେ।

ଆସେଞ୍ଜଙ୍କ ପରିଚୟ ଓ କାର୍ଯ୍ୟ ସମ୍ବନ୍ଧରେ କହିବାକୁ ଗଲେ, ଅଷ୍ଟ୍ରେଲୀୟ ଆସେଞ୍ଜ ନିଜର ୱେବ ପତ୍ରିକା ‘ୱିକିଲିକ୍ସ’କୁ ୨୦୦୬ ମସିହାରେ ଆରମ୍ଭ କରିଥିଲେ। ‘ୱିକିଲିକ୍ସ’ର କାର୍ଯ୍ୟ ଥିଲା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ନିଜର ଦେଶବାସୀଙ୍କୁ ଲୁଚାଇ କରୁଥିବା କାର୍ଯ୍ୟକୁ ସମସ୍ତଙ୍କ ଦୃଷ୍ଟିକୁ ଆଣିବା। ହୁଏତ ନିଜର ନିଷ୍ଠା ଲାଗି ଅଳ୍ପ କିଛି ବର୍ଷ ମଧ୍ୟରେ ବିଶ୍ଵର ସାମ୍ବାଦିକତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିଥିବା ହେତୁ ଆମେରିକା ସରକାରଙ୍କ ଯୁଦ୍ଧଖୋର ସମ୍ବଳିତ ତଥ୍ୟ ତାଙ୍କର ହସ୍ତଗତ ହୋଇପାରିଥିଲା।

ଆସେଞ୍ଜଙ୍କ ନିକଟକୁ ତଥ୍ୟ ପଠାଇଥିବା ବ୍ୟକ୍ତି ହେଲେ ଚେଲସିଆ ମ୍ୟାନିଙ୍ଗ। ତଥ୍ୟ କୌଣସି ବ୍ୟକ୍ତିଗତ ନଥିଲା, କୌଣସି ଦେଶର ନିଜସ୍ଵ ବ୍ୟାପାର ନଥିଲା, ତଥ୍ୟ କେବଳ ଏକ ଶକ୍ତିଶାଳୀ ଦେଶ ଓ ଦେଶ ସମୂହର ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ସମ୍ବନ୍ଧିତ ଥିଲା।

ଆଫଗାନିସ୍ତାନ ଓ ଇରାକ ଯୁଦ୍ଧ ସମୟରେ ଆମେରିକା ଓ ଅନ୍ୟ ଧନୀ ରାଷ୍ଟ୍ରମାନଙ୍କ ଭୂମିକା ଅତି ଅମାନବୀୟ ସ୍ତରକୁ ଯାଇସାରିଥିଲା। ଚେଲସିଆ ମ୍ୟାନିଙ୍ଗ ଯିଏ ଆମେରିକା ସରକାରଙ୍କ ଦ୍ଵାରା ସୁରକ୍ଷା ଅଫିସର ଭାବରେ ନିଯୁକ୍ତ ଥିଲେ ସେ ଜଣେ ଦକ୍ଷ କମ୍ପ୍ୟୁଟର ହ୍ୟାକର ଭାବରେ ଇରାକ ଓ ଆଫଗାନିସ୍ତାନର ଯୁଦ୍ଧ ସମ୍ବନ୍ଧିତ ତଥ୍ୟ ଇଣ୍ଟରନେଟ ମାଧ୍ୟମରେ ସରକାରୀ ୱେବସାଇଟରୁ ହ୍ୟାକ କରିଥିଲେ। ସେ ୭ ଲକ୍ଷ ପୃଷ୍ଠାର କାଗଜ ଡାଉନଲୋଡ କରି ୱିକିଲିକ୍ସକୁ ଦେଇଥିଲେ ଯାହା ପରେ ୱିକିଲିକ୍ସରେ ପ୍ରକାଶିତ ହୋଇ ବିଶ୍ୱରେ ଚହଳ ପକାଇଥିଲା।

ୱିକିଲିକ୍ସର ଏହି ପ୍ରକ୍ରିୟା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ଇରାକରେ ସେ ସମୟ ବେଳକୁ ସଦ୍ଦାମ ହୁସେନଙ୍କୁ ଆମେରିକୀୟ ସୈନ୍ୟବାହିନୀ ଦ୍ଵାରା ହତ୍ୟା ହୋଇସାରିଥିଲା, ଗଣତନ୍ତ୍ର ଓ ନିର୍ବାଚନ ନାମରେ ଆମେରିକୀୟ ପସନ୍ଦର ସରକାର ଇରାକରେ ପ୍ରତିଷ୍ଠିତ ହୋଇଥିଲା ଓ ଆମେରିକାର ନୂତନ ରାଷ୍ଟ୍ରପତି ବାରାକ ଓବାମା ଇରାକରୁ ସୈନ୍ୟ ପ୍ରତ୍ୟାହାରର ପ୍ରତିଶୃତି ଦେଇ ନିର୍ବାଚନ (୨୦୦୯ ) ଜିତି ସାରିଥିଲେ।

ୱିକିଲିକ୍ସ ଏହି ସମୟରେ ଏକ ଭିଡିଓ ସମସ୍ତଙ୍କ ଦୃଷ୍ଟିକୁ ଆଣୁଛି ଯେଉଁଥିରେ ଇରାକ ରାଜଧାନୀ ବାଗଦାଦ ସହରରେ କିଛି ‘ମିଲିଟାଣ୍ଟ’ ରାସ୍ତାର ଏକ ପାର୍ଶ୍ଵରେ କିଛି ଆଲୋଚନା କରୁଛନ୍ତି ଯାହାଙ୍କ ଉପରେ ଆମେରିକୀୟ ସୈନ୍ୟବାହିନୀ ଏରିଆଲ ବୋମାମାଡ଼ କରି ସେମାନଙ୍କୁ ମାରିଦେଉଛି। ଏଥିରେ ବେଶ କେତେକ ସାଧାରଣ ଲୋକ ଓ ଦୁଇ ଜଣ ସାମ୍ବାଦିକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଆମେରିକାର ଏଭଳି ବର୍ବର କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ ବିଶ୍ଵର ଅନେକ ପ୍ରାନ୍ତରେ ହୋଇଥିଲା।

ସଦ୍ଦାମ ହୁସେନଙ୍କ ପତନ ଓ ତତ୍ପରବର୍ତ୍ତୀ ଜନ ପ୍ରତିକ୍ରିୟାକୁ ଦମନ କରିବା ଲାଗି ଅନେକ ଇରାକୀ ଜନତାଙ୍କର ଆମେରିକୀୟ ସୈନ୍ୟଙ୍କ ଦ୍ଵାରା ହତ୍ୟା କରାଯାଇଥିଲା। ଏହି ସଂଖ୍ୟା ଏକ ଲକ୍ଷ ନଅ ହଜାର ବୋଲି କୁହାଯାଏ ଯାହାକୁ ଆମେରିକା ସରକାର ସ୍ଵୀକାର କରିବା ଲାଗି ପ୍ରସ୍ତୁତ ନଥିଲେ। ମାତ୍ର ୱିକିଲିକ୍ସ ସରକାରୀ ତଥ୍ୟକୁ ଲିକ କରି ଉପରୋକ୍ତ ତଥ୍ୟ ସତ୍ୟ ଦର୍ଶାଇଥିଲା।

ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି ବିରୁଦ୍ଧରେ ଜନ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଥିଲା। ଆସେଞ୍ଜଙ୍କ ଭାଷାରେ, ‘ଏହି ଯୁଦ୍ଧ କେବଳ ଯୁଦ୍ଧ ନୁହେଁ ବରଂ ଆମେରିକୀୟ ଲୋକଙ୍କ ଟାକ୍ସ ଅର୍ଥକୁ ଆଫଗାନିସ୍ତାନର ଯୁଦ୍ଧର ରାସ୍ତାରେ ଖର୍ଚ୍ଚ ଦର୍ଶାଇ ପୁଣି ଆମେରିକାର ଧନୀଙ୍କ ପକେଟକୁ (ମନି ଲଣ୍ଡରିଙ୍ଗ) ନେବା ଉଦ୍ଦେଶ୍ୟ।’

ଅନ୍ୟ ଦେଶର ଆଭ୍ୟନ୍ତରୀଣ ବିଷୟରେ ହସ୍ତକ୍ଷେପ ଜାତିସଂଘର ଘୋଷଣାନାମାର ବିରୁଦ୍ଧାଚରଣ କରୁଛି। ଏହା ସତ୍ତ୍ୱେ ଆମେରିକା ସରକାର ଏଭଳି ଉଲ୍ଲଂଘନ ବାରମ୍ବାର କରିଛନ୍ତି। କେବଳ ଆଫଗାନିସ୍ତାନ ଅଥବା ଇରାକ ନୁହେଁ ନିକାରାଗୁଆ, ଲିବିଆ, ମେକ୍ସିକୋ, ପାନାମା ଭଳି ଅନେକ ଦେଶର ସରକାରଙ୍କୁ ଆମେରିକା ସରକାର ହୁଏତ ମାରିଦେଇଥିଲେ ଅଥବା ଗିରଫ କରିଥିଲେ ନଚେତ ସେହି ସମସ୍ତ ଦେଶରେ ଶାସକ କିଏ ହେବ, ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିଲେ। ଏ ମଧ୍ୟରୁ ବେଶ କିଛି ତଥ୍ୟ ୱିକିଲିକ୍ସରେ ପ୍ରକାଶିତ ହୋଇଥିଲା।

ମୋର ମନେଅଛି ଭାରତରେ ‘ଦି ହିନ୍ଦୁ’ ଇଂରାଜୀ ଖବରକାଗଜ ସହିତ ୱିକିଲିକ୍ସର ଚୁକ୍ତି ହୋଇଥିବା କାରଣରୁ ସେମାନେ ସେହି ଗୁପ୍ତ ତଥ୍ୟକୁ ପ୍ରକାଶ କରୁଥିଲେ। ‘ଦି ହିନ୍ଦୁ’ ପ୍ରଥମେ ପ୍ରତିଦିନ ଓ ପରେ ଦୁଇରୁ ତିନି ଦିନ ବ୍ୟବଧାନରେ ଓ ପରେ ପରେ କୌଣସି ସୂଚନା ନଦେଇ ଅଧିକ ଦିନ ବ୍ୟବଧାନରେ ସେହି ଡକ୍ୟୁମେଣ୍ଟକୁ ପ୍ରକାଶ କରୁଥିଲେ। ଭାରତର ଅନେକ ଖବରକାଗଜ, ଓଡ଼ିଆ ଖବରକାଗଜ ମଧ୍ୟ, ତାହାର ଅନୁବାଦ ନିଜର ପୃଷ୍ଠାରେ ତାହାକୁ ପ୍ରକାଶ କରୁଥିଲେ।

ଏହାଥିଲା ମିଡିଆର ଦାୟିତ୍ଵ। ୱିକିଲିକ୍ସ - ଦି ହିନ୍ଦୁ ସୂତ୍ରରୁ ପ୍ରଥମେ ଜଣାପଡ଼ିଥିଲା ଯେ ଭାରତ ସରକାର ‘ଆଧାର’ (UID) ନାମକ ଏକ ପରିଚୟ ପତ୍ର ପ୍ରସ୍ତୁତ କରିବା ଲାଗି ମନସ୍ଥ କରିଛନ୍ତି। ଏହା ୨୦୦୯ ମସିହାର କଥା। ଭାରତୀୟଙ୍କ ଲାଗି ଉଦ୍ଦିଷ୍ଟ ପରିଚୟ ପତ୍ର ସମ୍ପର୍କରେ ଆମେରିକୀୟ ପ୍ରଶାସନ ଅବଗତ ହେବା ଅଥଚ ଭାରତୀୟମାନେ ନହେବା – ମିଡିଆର ଏହି ପ୍ରଶ୍ନ ଭାରତ ସରକାରଙ୍କୁ ଅପ୍ରସ୍ତୁତ କରିଦେଇଥିଲା। କେନ୍ଦ୍ର ସରକାର ଆକ୍ରୋଶମୂଳକ ମନୋବୃତ୍ତିକୁ ‘ଦି ହିନ୍ଦୁ’ ଖବରକାଗଜ ବେଶ କିଛି ବର୍ଷ ସାମ୍ନା କରିଥିଲା।

ଆସେଞ୍ଜଙ୍କ ଇଣ୍ଟରନେଟ ଆକ୍ଟିଭିଜିମ ପ୍ରତି ଯୁବ ସମୁଦାୟ ଆକୃଷ୍ଟ ହୋଇଥିଲେ ଓ ସେମାନେ ରାଷ୍ଟ୍ରମୁଖ୍ୟଙ୍କ ଜନବିରୋଧୀ କାର୍ଯ୍ୟକୁ ବିରୋଧ କରିବାକୁ ‘ଇଣ୍ଟରନେଟ ହ୍ୟାକର’ ପାଲଟି ଯାଇଥିଲେ। ଏହା ଅତ୍ୟଧିକ ଦୁଃସାହସିକ କାର୍ଯ୍ୟ। କିନ୍ତୁ ଆସେଞ୍ଜ ସେମାନଙ୍କ ଆଦର୍ଶ ହୋଇଯାଇଥିଲେ। ଆମେରିକାର ଏଡୱାର୍ଡ ସ୍ନୋଡେନ ତ ଏହା ପରବର୍ତ୍ତୀ ପିଢ଼ି ଯିଏ ଆମେରିକୀୟ ଯୁଦ୍ଧ ଷଡ଼ଯନ୍ତ୍ରକୁ ବିରୋଧ କରି ଅନେକ ତଥ୍ୟ ସାମ୍ନାକୁ ଆଣିଥିଲେ। ଆଜି ସେ ନିଜର ସୁରକ୍ଷା ଲାଗି ରୁଷିଆରେ ଆଶ୍ରିତ। ଆମେରିକା ସରକାର ତାଙ୍କୁ ନିଜ ଦେଶକୁ ଫେରାଇନେବା ଆବଶ୍ୟକ।

ଏହା ସ୍ଵାଭାବିକ ଥିଲା ଯେ ଆମେରିକା ସରକାର ‘ଗୁପ୍ତଚର ଆଇନ’ ବଳରେ ଚେଲସିଆ ମ୍ୟାନିଙ୍ଗଙ୍କୁ ୨୦୧୦ ମସିହାରେ ଗିରଫ କରିଥିଲେ କାରଣ ସେ ଜଣେ କର୍ମଚାରୀ ଥିଲେ। କିନ୍ତୁ ଗିରଫର ନଅ ବର୍ଷ ପରେ ରାଷ୍ଟ୍ରପତି ଓବାମାଙ୍କ ସମୟରେ ଜେଲରୁ ମୁକ୍ତ ହୋଇଥିଲେ। କିନ୍ତୁ ଆସେଞ୍ଜଙ୍କ ବିଚାର ଦୀର୍ଘ ବର୍ଷ ଚାଲିଥିଲା। ଜଣେ ସାମ୍ବାଦିକ ଭାବରେ ନିଜର ଦାୟିତ୍ଵ ନିର୍ବାହ କରିବା, ବାକ ସ୍ଵାଧୀନତାର ସୁରକ୍ଷା ଦିଗରେ କାମ କରିବା ଗଣତାନ୍ତ୍ରିକ ଦେଶ ଆମେରିକାର ପ୍ରଶାସନ ଲାଗି ଅସହ୍ୟ ହେଉଥିଲା। ଏହାକୁ କିନ୍ତୁ ସାଧାରଣ ଆମେରିକୀୟମାନେ ଅଧିକ ବିରୋଧ କରିଛନ୍ତି। ଅନେକ ଯୁଦ୍ଧ-ବିରୋଧୀ ଫୋରମ ଆସେଞ୍ଜଙ୍କ ସହିତ ଠିଆ ହୋଇଥିଲେ।

ଆସେଞ୍ଜଙ୍କ ବିଚାର ଆମେରିକାର ‘ଗୁପ୍ତଚର ଆଇନ’ ଅନୁସାରେ ଇଂଲଣ୍ଡ କୋର୍ଟରେ ଚାଲିଥିଲା। ଆମେରିକା ସରକାର ପ୍ରତ୍ୟର୍ପଣ ଲାଗି ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରୁଥିଲେ। ଅନ୍ୟପଟରେ, ଆସେଞ୍ଜଙ୍କ ମୁକ୍ତି ଲାଗି ୟୁରୋପ, ଆମେରିକା, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ଜନସାଧାରଣଙ୍କ ଦ୍ଵାରା ଅନେକ ବିକ୍ଷୋଭ ହୋଇଛି। ଅନେକ ପିଟିସନରେ ଲୋକେ ଦସ୍ତଖତ କରିଛନ୍ତି ଯେଉଁଥିରେ ଏହି ଲେଖକ ଅନ୍ୟତମ।

ଅତୀତରେ, ଏଭଳି ବିଶ୍ୱବ୍ୟାପି ଜନ ସମର୍ଥନ ଆଫ୍ରିକୀୟ ରାଷ୍ଟ୍ର ନିକାରାଗୁଆର ପରିବେଶବିତ ତଥା ଓକିଲ କେନ-ସାରୋ ବିବାଙ୍କ କ୍ଷେତ୍ରରେ ଦେଖାଯାଇଥିଲା।

ଆମେରିକୀୟ ତୈଳ କମ୍ପାନୀ ନିକାରାଗୁଆରେ ଚଳାଇଥିବା ଦମନ ଓ ଲୁଟକୁ କେନ ସାରୋ ନିଜର ଆଦିବାସୀ ଗୋଷ୍ଠୀଙ୍କୁ ନେଇ ବିକ୍ଷୋଭ ଆରମ୍ଭ କରିଥିଲେ। ତାଙ୍କୁ ଗିରଫ କରିବା ପରେ ତାଙ୍କର ଫାଶୀ ଦଣ୍ଡାଦେଶ ବିରୁଦ୍ଧରେ ବିଶ୍ଵବ୍ୟାପୀ ବିକ୍ଷୋଭ ଦେଖାଯାଇଥିଲା। ଦୁଃଖର କଥା ଥିଲା ଯେ ତାହାକୁ ଭୃକ୍ଷେପ ନକରି ନିକାରାଗୁଆର ସ୍ଵେଚ୍ଛାଚାରୀ ମିଲିଟାରୀ ସରକାର କେନଙ୍କୁ ୧୯୯୫ ଫାଶୀଦଣ୍ଡ ଦେଇଥିଲେ।

ଆସେଞ୍ଜଙ୍କ ସ୍ଥିତି କେନ ଶାରୋଙ୍କ ଭଳି ହେବ ନାହିଁ ତ? ଏହା ଅନେକ ଲୋକଙ୍କୁ ବ୍ୟସ୍ତ କରୁଥିଲା। ତାଙ୍କୁ ଗିରଫ କରିବା ଇଂଲଣ୍ଡ ପୁଲିସ ଉଦ୍ୟମ କରିବା କାରଣରୁ ଆସେଞ୍ଜ ଲଣ୍ଡନ ସ୍ଥିତ ଇକ୍ଵେଡର ଦୂତାବାସରେ ରାଜନୈତିକ ଆଶ୍ରୟ ନେଇ ସାତ ବର୍ଷ ଓ ପରେ ଇଂଲଣ୍ଡ ପୁଲିସ ଦ୍ଵାରା ଗିରଫ ହୋଇ ଲଣ୍ଡନରେ ଏକ ଜେଲର ଛୋଟ କୋଠରୀରେ ପୁଣି ଦୀର୍ଘ ପାଞ୍ଚ ବର୍ଷ କଟାଇଥିଲେ।

ଆସେଞ୍ଜଙ୍କ ମୁକ୍ତି ଲାଗି ଭାରତ ସରକାର ନା କେବେ ଉଦ୍ୟମ କରିଛନ୍ତି ନା ନିଜ ଦେଶ ଅଷ୍ଟ୍ରେଲିଆ ତରଫରୁ କୌଣସି ଉଦ୍ୟମ ହୋଇଛି। ଆସେଞ୍ଜଙ୍କ କାର୍ଯ୍ୟକୁ ମଧ୍ୟ କୌଣସି ରାଷ୍ଟ୍ର ପ୍ରମୁଖ ପ୍ରଶଂସା କରିବାର ଉଦାହରଣ ନାହିଁ। କାହିଁକି? ତେବେ ସମସ୍ତେ କ’ଣ ଅନ୍ୟ ପଡ଼ୋଶୀ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି? ସମସ୍ତେ କ’ଣ ଯୁଦ୍ଧକୁ ନିଜର ରୋଜଗାରର ରାସ୍ତା ଭାବରେ ଧରିଛନ୍ତି?

‘ଗୁପ୍ତଚର ବୃତ୍ତି’ ଅଭିଯୋଗରେ ଚାଲିଥିବା ବିଚାରରେ ଆସେଞ୍ଜିଙ୍କୁ ହୁଏତ ଏକ ଶହ ବର୍ଷ ଅଥବା ଆଜୀବନ ଜେଲ ହୋଇଯିବାର ସମସ୍ତ ସମ୍ଭାବନା ଦେଖାଯାଉଥିଲା। କିନ୍ତୁ ରାଷ୍ଟ୍ରପତି ବାଇଡେନ ନିଜର ଲୋକ ସମର୍ଥନ ବଢାଇବା ଲାଗି ଆସେଞ୍ଜଙ୍କ ମୁକ୍ତି ଲାଗି ଦୁଇ ପାଖିଆ ଚୁକ୍ତି କରିଥିଲେ। ଏଥିରେ ଆସେଞ୍ଜ ନିଜର ଦୋଷ ସ୍ଵୀକାର କରିଥିଲେ ଓ ଆଇନ ଅନୁସାରେ ପାଞ୍ଚ ବର୍ଷ ଜେଲ କାଟି ସାରିଥିବା କାରଣରୁ ସେ ମୁକ୍ତ ହୋଇ ନିଜ ଦେଶ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ୱିକିଲିକ୍ସରେ ପ୍ରକାଶିତ ସମସ୍ତ ତଥ୍ୟକୁ ନଷ୍ଟ କରିବା ଲାଗି ଆସେଞ୍ଜ ରାଜି ହୋଇଥିଲେ।

ଅନ୍ୟ ଦେଶର ଆଭ୍ୟନ୍ତରୀଣ ବିଷୟରେ ହସ୍ତକ୍ଷେପ କରିବା ଓ ଯୁଦ୍ଧ ଚଳାଇ ରଖିବା ଲାଗି ଯେଉଁମାନେ ଦୋଷୀ ସେମାନେ କିନ୍ତୁ ଆନ୍ତର୍ଜାତିକ କୋର୍ଟରେ କେବେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ସେମାନଙ୍କର କେବେ ବିଚାର ମଧ୍ୟ ହୋଇନାହିଁ। ଅଥଚ ଏହି ତଥ୍ୟକୁ ଲୋକଙ୍କ ସାମନାକୁ ଆଣିବା କାରଣରୁ ଆସେଞ୍ଜ ଦୋଷୀ ସାବ୍ୟସ୍ତ ହେଲେ। ଯାହାଙ୍କୁ ଦିନେ ବି ଜେଲରେ ରଖିବା ସମଗ୍ର ମାନବବାଦ ପ୍ରତି ଦୋଷାବହ କାର୍ଯ୍ୟ ତାଙ୍କୁ ପାଞ୍ଚ ବର୍ଷ ବିଶ୍ଵର ବିକଶିତ ଦେଶମାନେ ରଖିଥିଲେ। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଆସେଞ୍ଜ ୫୨ ବର୍ଷରେ ମୁକୁଳିବା ପରେ ସତରେ ଯେ ସେ ପୁଣି ବିଶ୍ଵ ସମୁଦାୟର ହିତ ଲାଗି ନିଜର ସେହିଭଳି ସମ୍ବାଦିକତାକୁ ଜାରି ରଖିବେ ତାହା ଭବିଷ୍ୟତ କହିବ। କିନ୍ତୁ ଆସେଞ୍ଜଙ୍କ ମୁକ୍ତି କେବଳ ଏକ ଆଶ୍ଵସ୍ତି, କଦାପି ଖୁସିର ବିଷୟ ନୁହେଁ।

ମୋବାଇଲ- ୯୪୩୭୭୬୨୨୭୨

Related story