ସମ୍ବଲପୁର ପରିସ୍ଥିତି ପାଇଁ ଦାୟୀ କିଏ?

ବାଇକ୍ ରାଲି ମୋତିଝରଣ ଭିତରକୁ ଯିବାର କୌଣସି ଆବଶ୍ୟକତା ନଥିଲା। ଆଶ୍ଚର୍ଯ୍ୟର କଥା, ପୋଲିସ ଏହାକୁ ଅନୁମତି ଦେଇଦେଲା। ମସଜିଦ୍ ନିକଟ ରାସ୍ତାରେ ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ୍ ଫଳରେ ଅପରପକ୍ଷରୁ ଟେକାପଥର ମାଡ଼ ହୋଇଥିବା କୁହାଯାଉଛି।

Sambalpur Situation

  • Published: Saturday, 15 April 2023
  • , Updated: 15 April 2023, 03:47 PM IST

News highlights

  • ଛତିଶଗଡ଼ରେ ସାଂପ୍ରଦାୟିକ ଉତ୍ତେଜନାର ପ୍ରଭାବ ସମ୍ବଲପୁରରେ ପଡ଼ିବାର ଆଶଙ୍କାରେ ପରିସ୍ଥିତି ଆକଳନ କରିଥିଲେ କି ପ୍ରଶାସନ?
  • ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ମସଜିଦ ବାଟେ ଛାଡ଼ିବା ନିଷ୍ପତ୍ତି ନେଇଥିଲା କିଏ?
  • କଂଗ୍ରେସ ଓ ବିଜେଡି ପରି ରାଜନୀତିକ ଦଳ ସହରରେ ଶାନ୍ତିରକ୍ଷା ପାଇଁ ଉଦ୍ୟମ ନକରିବା ପଛରେ କାରଣ କ’ଣ?

ସମ୍ବଲପୁର ସହରରେ ଗତକାଲି ଅର୍ଥାତ୍ ଏପ୍ରିଲ୍ ୧୪ ତାରିଖ ରାତି ୧୨ଟାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ କର୍ଫୁ ଜାରି ହେବା ଘଟଣା ସାରା ଓଡ଼ିଶାରେ ଏକ ଚର୍ଚ୍ଚାର ବିଷୟ ହୋଇଛି। ଗତ ୧୨ ତାରିଖ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ଯୋଗୁ ସହରରେ ୧୪୪ ଧାରା ଜାରି କରାଯାଇଥିଲା। ୧୩ ତାରିଖ ସକାଳ ୧୦ଟାରୁ ସମ୍ବଲପୁର ଜିଲ୍ଲାରେ ଇଂଟରନେଟ୍ ସେବା ୪୮ ଘଂଟା ପାଇଁ ବନ୍ଦ କରାଯିବା ପରେ ତାହା ଆଜି ସଂପ୍ରସାରିତ ହୋଇଛି। କୁହାଯାଉଛି ଯେ ବ୍ୟାପକ ଜଳାପୋଡ଼ା ଘଟଣା ଘଟିଥିବାରୁ ପ୍ରଶାସନ ପକ୍ଷରୁ କର୍ଫୁ ଜାରି କରାଯାଇଛି। କିନ୍ତୁ ୧୪ ତାରିଖରେ ଦିନବେଳା ଉତ୍ସାହ ଓ ଉତ୍ତେଜନା ଭିତରେ ସହରରେ ପାରମ୍ପରିକ ହନୁମାନ ଜୟନ୍ତୀ ଉତ୍ସବ ଧୁମଧାମରେ ପାଳିତ ହୋଇଛି। ସହରର ବିଭିନ୍ନ ପ୍ରାନ୍ତରୁ ଆକର୍ଷଣୀୟ ଶୋଭାଯାତ୍ରା ଆସି ଜିଲ୍ଲା ସ୍କୁଲ ଛକରେ ପହଂଚିବା ପରେ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଜିଲ୍ଲା ସ୍କୁଲ ଛକରୁ ବାହାରି ଭିଏସ୍ଏସ୍ ମାର୍ଗ ଦେଇ ଲକ୍ଷ୍ମୀ ଟକିଜ୍ ଛକରେ ପହଂଚିଥିଲେ। ଶୋଭାଯାତ୍ରାରେ ବିପୁଳ ଜନସମାବେଶ ଓ ଲୋକମାନଙ୍କ ଉତ୍ସାହ ସହିତ ୧୪ ତାରିଖ କାର୍ଯ୍ୟକ୍ରମ ଶେଷ ହୋଇଯିବାକୁ ବସିଥିବା ବେଳେ ରାତି ୮ଟାରେ ଦଳେଇପଡ଼ା ସଂଲଗ୍ନ ରିଂ ରୋଡ଼ରେ କିଛି ଦୁର୍ବୃତ୍ତ ଆଉକିଛି ଯୁବକଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିବାରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଆଉ ଜଣଙ୍କର ହାତ କଟିଯାଇଛି ବୋଲି ପ୍ରଚାରିତ ହେବା ପରେ ଭଙ୍ଗାରୁଜା ଓ ପୋଡ଼ାଜଳା ବ୍ୟାପକ ହୋଇଛି।

ଅସଲକଥା ହେଲା ଯେ ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ବୁଧବାର ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଯେଉଁ ବାଇକ୍ ଶୋଭାଯାତ୍ରା ହୋଇଥିଲା, ତାହା ଉପରେ ପଥରମାଡ଼ ହୋଇଥିବାରୁ ସହରରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ଛୋଟବଡ଼ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଏହି ବାଇକ୍ ଶୋଭାଯାତ୍ରା ପାଇଁ ଧନୁପାଲ୍ଲୀରୁ ଗୋବିନ୍ଦତଲା ଦେଇ ଜେଲଛକରୁ ଜିଲ୍ଲା ସ୍କୁଲ ଛକ ଓ ଲକ୍ଷ୍ମୀ ଟକିଜ୍ ରାସ୍ତାରେ ଯିବା କଥା। ବାଇକ୍ ରାଲି ପଛରେ ଏକ ଧାର୍ମିକ ଭାବନା ଥିବାରୁ ଏହାର ଯେପରି ରାଜନୈତିକକରଣ ନହୁଏ, ତାହା ଦେଖିବା ଜିଲ୍ଲା ପ୍ରଶାସନର ଦାୟିତ୍ୱ। କିନ୍ତୁ ଜିଲ୍ଲା ପ୍ରଶାସନ ଅର୍ଥାତ୍ ଜିଲ୍ଲାପାଳ ଓ ଏସପି ଏହାର ଗୁରୁତ୍ୱକୁ ଠିକ୍ ଭାବେ ଉପଲବ୍ଧି କଲେନାହିଁ। ବାଇକ୍ ରାଲି ମୋତିଝରଣ ଭିତରକୁ ଯିବାର କୌଣସି ଆବଶ୍ୟକତା ନଥିଲା। ଆଶ୍ଚର୍ଯ୍ୟର କଥା, ପୋଲିସ ଏହାକୁ ଅନୁମତି ଦେଇଦେଲା। ମସଜିଦ୍ ନିକଟ ରାସ୍ତାରେ ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ୍ ଫଳରେ ଅପରପକ୍ଷରୁ ଟେକାପଥର ମାଡ଼ ହୋଇଥିବା କୁହାଯାଉଛି।

ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ସମୟରେ ଶୋଭାଯାତ୍ରାକୁ ନେଇ ଅତୀତରେ ଉତ୍ତେଜନା ହୋଇଥିବାରୁ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ବା ଖଣ୍ଡା ପ୍ରଭୃତି ବ୍ୟବହାର ହୋଇପାରିବ ନାହିଁ ବୋଲି ନୀତି ନିର୍ଦ୍ଧାରଣ ହୋଇଛି। ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର ନେତୃତ୍ୱ ନିଅନ୍ତି ଓ ତାଙ୍କର ଖଣ୍ଡା ବ୍ୟବହାର ଉପରେ ବିତର୍କ ହୁଏ। କିନ୍ତୁ ଏବର୍ଷ ଶ୍ରୀ ମିଶ୍ର ଚିକିତ୍ସା ପାଇଁ ହସ୍ପିଟାଲରେ ଅଛନ୍ତି ଓ ଏହି ହନୁମାନ ଜୟନ୍ତୀରେ ଅଂଶଗ୍ରହଣ କରିନାହାନ୍ତି। କିନ୍ତୁ ସମ୍ବଲପୁର ପ୍ରଶାସନ ନିଶ୍ଚିତ ଖବର ପାଇଥିବେ ଯେ ପଡ଼ୋଶୀ ଛତିଶଗଡ଼ରେ ଏପ୍ରିଲ ୮ ତାରିଖରୁ ସାମ୍ପ୍ରଦାୟିକ ହିଂସା ଦେଖାଦେଇଛି। ସୋମବାର ଦିନ ଛତିଶଗଡ଼ ବନ୍ଦ ମଧ୍ୟ ପାଳନ କରାଯାଇଥିଲା। ବିଜେପି ସମର୍ଥକ, ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଯେଉଁ ପରିସ୍ଥିତି ସୃଷ୍ଟି କରିଥିଲେ ତାହାକୁ ରାଜ୍ୟ ଶାସନ ଠିକ୍ ଭାବେ ମୁକାବିଲା କରିନପାରିବାରୁ ହିଂସାକାଣ୍ଡ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ହିନ୍ଦୁ ଗୋଷ୍ଠୀର ସଦସ୍ୟ ଥିବାରୁ ସରକାର ହିନ୍ଦୁମାନଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି ବୋଲି ଅଭିଯୋଗ ହେଲା।

ଛତିଶଗଡ଼ ଘଟଣାବଳିର ସମ୍ବଲପୁର ସହର ଉପରେ ପ୍ରଭାବ ପଡ଼ିବା ସ୍ୱଭାବିକ। ଯଦିଓ ସମ୍ବଲପୁର ସହରରେ ସାମ୍ପ୍ରଦାୟିକ ଦଙ୍ଗାର କୌଣସି ରେକର୍ଡ ନାହିଁ। ସେଠାରେ ୧୯୮୦ ମସିହାରେ ମାରୱାଡ଼ିମାନଙ୍କ ବିରୋଧରେ ହିଂସାକାଣ୍ଡ ହୋଇଥିଲେ ମଧ୍ୟ ମୁସଲିମ୍ ସମ୍ପ୍ରଦାୟ ଅତ୍ୟନ୍ତ ସଂଖ୍ୟାଲଘୁ ଥିବାରୁ ସେମାନଙ୍କ ବିରୋଧରେ ହିଂସାକାଣ୍ଡ ସହଜରେ ହୁଏନାହିଁ। ସେହିପରି ସମ୍ବଲପୁରର ସଂଖ୍ୟାଲଘୁମାନେ ହିନ୍ଦୁମାନଙ୍କ ସମସ୍ତ ଉତ୍ସବରେ ସମ୍ବଲପୁରବାସୀ ଭାବେ ଯୋଗ ଦିଅନ୍ତି। ତଥାପି ଗତକିଛି ବର୍ଷ ହେଲା ହନୁମାନ ଜୟନ୍ତୀ ସମୟରେ ଯେଉଁ ଶୋଭାଯାତ୍ରା ଓ କାର୍ଯ୍ୟକ୍ରମ ହୁଏ, ସେଥିରେ ସାମ୍ପ୍ରଦାୟିକ ଭାବନା ଜାଗ୍ରତ ପାଇଁ ଯଥେଷ୍ଟ ସୁଯୋଗ ରହିଥାଏ। ବିଶେଷଭାବେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପରି ସଂଗଠନ ଅଧିକ ସକ୍ରିୟ ହେବା ପରେ ରାମନବମୀ ଶୋଭାଯାତ୍ରାଠାରୁ ଆରମ୍ଭ କରି ହନୁମାନ ଜୟନ୍ତୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୃଙ୍ଖଳାର ସହିତ ପରିଚାଳନା ପାଇଁ ପ୍ରଶାସନିକ ଦକ୍ଷତାର ଆବଶ୍ୟକତା ରହିଛି। ପଶ୍ଚିମବଙ୍ଗ ଓ ବିହାର ପ୍ରଭୃତି ରାଜ୍ୟରେ ରାମନବମୀ ଶୋଭାଯାତ୍ରାରେ ମସଜିଦ୍ ସମ୍ମୁଖରେ ସ୍ଲୋଗାନ୍ ଓ ମସଜିଦ୍ ଅଞ୍ଚଳରୁ ଶୋଭାଯାତ୍ରା ଉପରେ ଟେକାପଥର ମାଡ଼ର ଘଟଣାବଳି ସଂକ୍ରାନ୍ତରେ ପ୍ରଶାସନ ଅବଗତ ଅଛନ୍ତି। ସେହି ଦୃଷ୍ଟିରୁ ହନୁମାନ ଜୟନ୍ତୀ ଉତ୍ସବ ପାଳନ ପୂର୍ବରୁ ଯେଉଁ ପ୍ରସ୍ତୁତି ବାଇକ୍ ଶୋଭାଯାତ୍ରା କରାଗଲା, ତାହା ଉପରେ ଯେପରି ଦୃଷ୍ଟି ଦିଆଯିବା ସହିତ ଶୋଭାଯାତ୍ରାର ଗତିପଥକୁ ନିୟନ୍ତ୍ରଣ କରାଯିବା କଥା, ତାହା ଠିକ୍ ଭାବରେ ହୋଇନଥିବାରୁ ଶୋଭାଯାତ୍ରା ଉପରେ ଟେକାପଥର ମାଡ଼ ହୋଇଥିବା ଅଭିଯୋଗକୁ ନେଇ ସହରରେ ସାମ୍ପ୍ରଦାୟିକ ବିଭେଦର ବାତାବରଣ ତୀବ୍ରତର ହେଲା।

ହନୁମାନ ଜୟନ୍ତୀରେ ସମସ୍ତ ସତର୍କତା ସତ୍ତ୍ୱେ ପୂର୍ବ ଟେକାପଥର ମାଡ଼କୁ ନେଇ ହୋଇଥିବା ହିଂସାକାଣ୍ଡ ନାଁରେ ରାତ୍ରୀରେ ହିଂସାକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହେବା ପରେ ପରିସ୍ଥିତି ଭୟାବହ ହୋଇଛି। ଗୁଇନ୍ଦା ବିଭାଗ ବାଇକ୍ ଶୋଭାଯାତ୍ରା ନେଇ ପ୍ରକୃତ ସୂଚନା ଜିଲ୍ଲା ପ୍ରଶାସନକୁ ଦେଇଥିଲେ ନା ନାହିଁ, ତାହାନେଇ ପ୍ରଶ୍ନ କରାଯାଉଛି। କାରଣ ସମସ୍ତ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଦୃଢ଼ ଧାରଣା ଯେ ଜିଲ୍ଲା ପ୍ରଶାସନ ଓ ପୋଲିସ ଠିକଣା ଭାବରେ ପଦକ୍ଷେପ ନେଇନପାରିବାରୁ ସମ୍ବଲପୁର ପରି ଏକ ଶାନ୍ତିପ୍ରିୟ ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ହେଲା। ସାଧାରଣତଃ ଏହିସବୁ ଘଟଣାରେ ଜିଲ୍ଲା ପ୍ରଶାସନ ଯେଉଁ ଶାନ୍ତି କମିଟିର ବୈଠକ ଆଗୁଆ ଡାକନ୍ତି, ତାହା ଏଥର ହୋଇଥିଲା କି ନାହିଁ? ସହରରେ ଯେଉଁ ବିଜ୍ଞବ୍ୟକ୍ତି ଓ ବରିଷ୍ଠ ରାଜନେତାମାନେ ଅଛନ୍ତି ସେମାନଙ୍କୁ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିଲେ କି?

ସମ୍ବଲପୁର ଘଟଣା ଏକଥା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ରାଜ୍ୟରେ ଶାସନ କରୁଥିବା ବିଜେଡିର ସମ୍ବଲପୁର ସହରରେ ସଂଗଠନ ଅତ୍ୟନ୍ତ ଦୁର୍ବଳ। ଲୋକମାନଙ୍କ ଭିତରେ ଏମାନଙ୍କ ସଂପର୍କ କମିବାରେ ଲାଗିଛି। ଏକଦା କଂଗ୍ରେସ ଦଳର ସମ୍ବଲପୁର ସହର ଉପରେ ଯେଉଁ ପ୍ରଭାବ ଥିଲା, ତାହା ଏବେ ନାହିଁ। ବାସ୍ତବିକ କଂଗ୍ରେସ ନେତାମାନେ ସାମ୍ପ୍ରଦାୟିକ ପରିବେଶରେ ଆଗକୁ ଆସି ଶାନ୍ତି ବଜାୟ ରଖିବା ପାଇଁ ଯେଉଁ ଉଦ୍ୟମ କରନ୍ତି, ତାହା ଏବେ ଆଉ ଦେଖାଯାଉ ନାହିଁ। ବାସ୍ତବରେ ପାରମ୍ପରିକ ରାଜନୈତିକ ଦଳମାନଙ୍କ ଦୁର୍ବଳତା ଯୋଗୁ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ ବା ସଂଖ୍ୟାଲଘୁ ସାମ୍ପ୍ରଦାୟିକ ସଂଗଠନମାନେ ଶାନ୍ତି ପ୍ରକ୍ରିୟା ପ୍ରତିଷ୍ଠାରେ ଆଗକୁ ବାହାରି କାମ କରୁଛନ୍ତି। ଯାହାକି ସାମ୍ପ୍ରଦାୟିକ ସଦ୍ଭାବ ଅପେକ୍ଷା ସାମ୍ପ୍ରଦାୟିକ ଉତ୍ତେଜନା ପାଇଁ ସହାୟକ ହେଉଛି। ଶାସକ ବିଜେଡି ନେତାମାନେ ଯେଉଁ ଭୂମିକା ଏହି ସମୟରେ ନେବା କଥା, ତାହା ସେମାନେ ସମ୍ବଲପୁରରେ ନେଇପାରି ନାହାନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଏକ ଶାନ୍ତିପ୍ରିୟ ରାଜ୍ୟ ବୋଲି କହୁଥିଲେ ମଧ୍ୟ ଶାସକ ଦଳର ନେତାମାନେ ସେହି ଧରଣର ଆଚରଣ ପ୍ରଦର୍ଶନ କରୁନାହାନ୍ତି। ଲୋକମାନଙ୍କଠାରୁ ଭୋଟ୍ ସଂଗ୍ରହ ପାଇଁ ବାହାରୁଥିବା ନେତାମାନେ ସହରରେ ସାମ୍ପ୍ରଦାୟିକ ଉତ୍ତେଜନା ସମୟରେ ନିରବ ରହିବା ବା ସାମ୍ପ୍ରଦାୟିକତାକୁ ସହାୟତା କରିବା ଆଦୌ ଗ୍ରହଣୀୟ ନୁହେଁ। ବିଜେପି ସମ୍ବଲପୁରରେ ପ୍ରମୁଖ ଦଳ ହୋଇଥିଲେ ମଧ୍ୟ ସେମାନଙ୍କ ରାଜନୈତିକ ବିଚାରରେ ଧୃବୀକରଣ ରାଜନୀତି ସେମାନଙ୍କ ପାଇଁ ସହାୟକ ବୋଲି ହିସାବ କରାଯାଉଛି। ଗୋଟିଏ ପକ୍ଷରେ ଜିଲ୍ଲା ପ୍ରଶାସନର ଅପାରଗତା ଓ ଅନ୍ୟପକ୍ଷରେ ରାଜନୈତିକ ଦଳମାନଙ୍କ ନିରବତା ସମ୍ବଲପୁର ସହରକୁ ଅଶାନ୍ତ ସହରରେ ପରିଣତ କରିଛି।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

Related story