Advertisment

ଋଣଯନ୍ତାରେ ନବୀନବାବୁ !

ଦେବେନ୍ଦ୍ର ପୃଷ୍ଟି ନିକଟରେ ଓଡ଼ିଶା ସରକାରଙ୍କର ମନ୍ତ୍ରୀମାନଙ୍କର ସଂପତ୍ତି ତାଲିକା ପ୍ରକାଶ ପାଇଛି। ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷ ନିମନ୍ତେ ଏହି ତଥ୍ୟ ପ୍ରକାଶ ପାଇଛି। ଓଡ଼ିଶା ସରକାରଙ୍କ ତରଫରୁ ପ୍ରକାଶ କରାଯାଇଥିବା ଏହି ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତି ମୂଲ୍ୟ ଗତ ବର୍ଷ ତୁଳନାରେ ନବୀନବାବୁଙ୍କୁ ସଂପତ୍ତି ମୂଲ୍ୟ ୧୫ କୋଟି ଟଙ୍କା ବୃଦ୍ଧି ପାଇ ୬୪ କୋଟି ଟଙ୍କାରେ ପହଞ୍ଚିଛି। ତେବେ ତାଙ୍କ ଉପରେ […]

ଋଣଯନ୍ତାରେ ନବୀନବାବୁ !

naveen-patnaik-1

Advertisment

ଦେବେନ୍ଦ୍ର ପୃଷ୍ଟି

ନିକଟରେ ଓଡ଼ିଶା ସରକାରଙ୍କର ମନ୍ତ୍ରୀମାନଙ୍କର ସଂପତ୍ତି ତାଲିକା ପ୍ରକାଶ ପାଇଛି। ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷ ନିମନ୍ତେ ଏହି ତଥ୍ୟ ପ୍ରକାଶ ପାଇଛି। ଓଡ଼ିଶା ସରକାରଙ୍କ ତରଫରୁ ପ୍ରକାଶ କରାଯାଇଥିବା ଏହି ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତି ମୂଲ୍ୟ ଗତ ବର୍ଷ ତୁଳନାରେ ନବୀନବାବୁଙ୍କୁ ସଂପତ୍ତି ମୂଲ୍ୟ ୧୫ କୋଟି ଟଙ୍କା ବୃଦ୍ଧି ପାଇ ୬୪ କୋଟି ଟଙ୍କାରେ ପହଞ୍ଚିଛି। ତେବେ ତାଙ୍କ ଉପରେ ୧୫ ଲକ୍ଷ ଟଙ୍କାର ଏକ ଋଣ ରହିଛି। ଏହି ଋଣ ତାଙ୍କ ଉପରେ ବର୍ଷ ବର୍ଷ ଧରି ପଡ଼ି ରହିଛି। ଏହା ସେ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ କରିଥିଲେ। ଯିଏ ୬୪ କୋଟି ଟଙ୍କାର ମାଲିକ ଓ ଯାହାଙ୍କର ବ୍ୟାଙ୍କ ଆକାଉଣ୍ଟରେ ଏବେ ବି ୪୦ ଲକ୍ଷ ଟଙ୍କା ଜମା ରହିଛି ସେ କାହିଁକି ୧୫ ଲକ୍ଷ ଟଙ୍କା ପରିଶୋଧ ନକରି ତାହାକୁ ବର୍ଷ ବର୍ଷ ଧରି ପକାଇ ରଖିଛନ୍ତି ଓ ସରକାରଙ୍କୁ ଓ ନିର୍ବାଚନ କମିଶନଙ୍କୁ ହିସାବ ଦେଇଚାଲିଛନ୍ତି ତାହା ଏକ ରହସ୍ୟ। ଯଦି ଏ ଟଙ୍କା ଫେରେଇ ନେବାକୁ ଋଣଦାତା ଭଉଣୀ ଅରାଜି ହେଉଛନ୍ତି ତେବେ ସେ ତାହା ଛାଡ଼ ହେଲା ବୋଲି ଘୋଷଣା କରିପାରନ୍ତେ। ନବୀନବାବୁ ମଧ୍ୟ ଏହି ଋଣ ଆଉ ତାଙ୍କ ଉପରେ ନାହିଁ ବୋଲି ଖାତାରେ ଦେଖାଇ ପାରନ୍ତେ। ସେ ଭାଇ ଭଉଣୀ କାହିଁକି ଏହି ହିସାବ-ତାମସା ଚଳେଇଛନ୍ତି ସେମାନେ ଜାଣିଥିବେ। ତେବେ, ବୁଝିବାକୁ ହେବ ଯେ ନବୀନବାବୁଙ୍କ ପାଇଁ ଏ ୧୫ ଲକ୍ଷ ଟଙ୍କାର ଋଣ ଏକ ଯନ୍ତା ନୁହେଁ। କାରଣ ସେ ଚାହିଁଲେ ତାହା ଚୁଟ୍‌କିରେ ପରିଶୋଧ କରିଦେଇ ପାରିବେ। ମାତ୍ର, ସେ ତାହା କରୁ ନାହାନ୍ତି।

Advertisment

କିନ୍ତୁ ଓଡ଼ିଶା ତାଙ୍କ ଶାସନ କାଳରେ ଓଡ଼ିଶା ଯେଉଁ ଋଣ ଯନ୍ତାରେ ପଡ଼ିଛି ସେଥିରୁ ଉଦ୍ଧାର ପାଇବା ବଡ଼ କଷ୍ଟ। ସେ ଦିଗରେ ନବୀନବାବୁଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ଉଦ୍ୟମ କରୁଛନ୍ତି କି ନାହିଁ ତାହା ମଧ୍ୟ ସନ୍ଦେହଜନକ। ନବୀନବାବୁଙ୍କ ମୋଟ ସଂପତ୍ତି ମୂଲ୍ୟର ମାତ୍ର ୦.୨୫ ପ୍ରତିଶତ ହେଉଛି ତାଙ୍କ ଋଣଭାର। ଅଥଚ ଓଡ଼ିଶାର ମୋଟ ସଂପତ୍ତି ମୂଲ୍ୟ ବା ରାଜ୍ୟର ମୋଟ ଘରୋଇ ଉତ୍ପାଦର ପ୍ରାୟ ୨୦ ପ୍ରତିଶତ ହେଉଛି ଋଣବୋଝ। ରାଜ୍ୟର ମୋଟ ଘରୋଇ ଉତ୍ପାଦ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଋଣଭାର ୧ ଲକ୍ଷ କୋଟି ଟଙ୍କା ଟପିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରିଥିବା ୨୦୧୯-୨୦ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କ ଉପସ୍ଥାପିତ ତଥ୍ୟ ଅନୁସାରେ ୨୦୧୯ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ଋଣଭାର ୮୪,୬୭୬ କୋଟି ଟଙ୍କା ଥିଲା। ୨୦୨୦ ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷ ଶେଷ ହେବା ବେଳକୁ ଏହା ୧,୦୬,୫୨୬ କୋଟି ଟଙ୍କାରେ ପହଂଚିଥିବ। ହିସାବ କଲେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଏବେ ୧୮,୪୯୭ ଟଙ୍କାର ସରକାରୀ ଋଣବୋଝ। ଏହା ମୁଖ୍ୟମନ୍ତ୍ରୀ ବା ତାଙ୍କର ମନ୍ତ୍ରିମଣ୍ଡଳ କିମ୍ବା ଅମଲାତନ୍ତ୍ର ଘରବାଡ଼ି ବିକି ଶୁଝିବେ ନାହିଁ। ଏହା ପରିଶୋଧ କରିବେ ରାଜ୍ୟବାସୀ। ତାହା ପରିଶୋଧ କରିବା ପାଇଁ ରାଜ୍ୟବାସୀ ଦେଉଥିବା ଟିକସ ଅର୍ଥ ଖର୍ଚ୍ଚ ହେବ। ନହେଲେ ଖଣିଖାଦାନ, ଜମି, ଜଳ ଓ ଜଙ୍ଗଲ ଆଦି ବିକ୍ରି ହୋଇ ସେଇ ଟଙ୍କାରେ ଋଣ ପରିଶୋଧ କରାଯିବ। ଏବେ ସରକାରଙ୍କ ଆର୍ଥିକ ସ୍ଥିତି ଯାହା ସେଥିପାଇଁ ଏହି ଋଣ ପରିଶୋଧ କରିବା ପାଇଁ ସରକାର ସାନି ଋଣ କରିବେ। ତାହା ପରିଶୋଧ କରିବାକୁ ପୁଣି ନୂଆ ଋଣ ହେବ। ଏହି ପ୍ରକାରେ ଋଣ ପରିମାଣ ବଢ଼ି ବଢ଼ି ଚାଲି। ଏଥିରୁ ମୁକ୍ତି ପାଇଁ ରାଜ୍ୟର ଆୟ ଓ ଉତ୍ପାଦନ ବଢ଼ିବା ଦରକାର। ସେ ଦିଗରେ ରାଜ୍ୟ ସରକାର କି ଫଳପ୍ରସୂ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ରାଜ୍ୟର ଆଗାମୀ ବଜେଟରୁ ସ୍ପଷ୍ଟ ହେବ। ମାତ୍ର, ଗତ କିଛି ବର୍ଷର ବଜେଟରୁ ଏହା ସ୍ପଷ୍ଟ ହୋଇସାରିଛି ଯେ ରାଜ୍ୟ ସରକାର ରାଜ୍ୟର ଋଣ ପରିଶୋଧ କରିବା ବାବଦରେ ସେଭଳି କୌଣସି ପଦକ୍ଷେପ ନେଇ ନାହାନ୍ତି। ନେଇଥିଲେ ୨୦୧୩-୧୪ ଆର୍ଥିକ ବର୍ଷରେ ଋଣଭାର ୩୮,୬୬୬ କୋଟି ଟଙ୍କା ଥିଲାବେଳେ ୨୦୧୯-୨୦ ବର୍ଷକୁ ତାହା ୧.୦୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇନଥାନ୍ତା।

ଯେଉଁ ରାଜ୍ୟବାସୀ ଏହି ଋଣ ପରିଶୋଧ କରିବେ ସେମାନଙ୍କର ଆୟ ସେହି ତୁଳନାରେ ବୃଦ୍ଧି ପାଉନାହିଁ। ସରକାରୀ ପରିସଂଖ୍ୟାନ ଅନୁସାରେ ୨୦୧୮-୧୯ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ପରିମାଣ ୯୫,୧୬୪ ଟଙ୍କା ଥିଲା। ୨୦୧୯-୨୦ ବର୍ଷ ଶେଷକୁ ଏହା ୧,୦୧,୫୮୭ ଟଙ୍କାକୁ ବୃଦ୍ଧି ପାଇବ। ଅର୍ଥାତ ଓଡ଼ିଶାବାସୀଙ୍କର ମାସିକ ମୁଣ୍ଡ ପିଛା ଆୟ ହେଉଛି ୮ ହଜାର ଟଙ୍କାରୁ କିଛି ଅଧିକ। ଏହା ଏକ ତୁଚ୍ଛା ପରିସଂଖ୍ୟାନ। ସତରେ କ’ଣ ଓଡ଼ିଶାର ପ୍ରତିଟି ଲୋକ ମାସିକ ଏତେ ଟଙ୍କା ଆୟ କରନ୍ତି? ପ୍ରତି ଲୋକ ଯଦି ମାସିକ ୮ ହଜାର ଟଙ୍କା ଆୟ କରନ୍ତି ତେବେ ଗୋଟିଏ ଗୋଟିଏ ୪ ଜଣିଆ ଦିନ ମଜୁରିଆ ପରିବାରର ମାସିକ ଆୟ ମଧ୍ୟ ୩୦ ହଜାର ଟଙ୍କା ଟପିବ। ଯେଉଁ ୪ ଜଣିଆ ପରିବାର ମାସିକ ୩୦ ହଜାର ଟଙ୍କା ରୋଜଗାର କରେ ସେ କାହିଁକି ଟଙ୍କିକିଆ ଚାଉଳ ଖାଇବେ? ସେ ତ’ ବଜାରରୁ ୪୦ ଟଙ୍କିଆ ଜିରା ରାଇସ୍‌ କିଣି ଖାଇ ପାରନ୍ତେ! ତାହା ହେଉ ନାହିଁ। ଏମିତି ହିସାବ ବାହାରିବାର କାରଣ ହେଉଛି ରାଜ୍ୟର ଅଳ୍ପ ଲୋକ ଅଧିକ ଅର୍ଥ ରୋଜଗାର କରୁଛନ୍ତି। ସେମାନଙ୍କ ରୋଜଗାରକୁ ଗରୀବ ଲୋକଙ୍କ ମୁଣ୍ଡରେ ମଧ୍ୟ ହିସାବ କରାଯାଉଛି। ଯଦିଓ ତାହା ସେମାନଙ୍କର ରୋଜଗାର ନୁହେଁ। କିନ୍ତୁ ଯେଉଁ ଋଣ ସେମାନେ କରି ନାହାନ୍ତି ତାହା କିନ୍ତୁ ତାଙ୍କ ମୁଣ୍ଡରେ ହିସାବ ହେବାର କାରଣ ହେଲା ତାହା ସରକାରୀ ଋଣ ଓ ସରକାରୀ ଋଣ ରାଜ୍ୟବାସୀଙ୍କୁ ହିଁ ପରିଶୋଧ କରିବାକୁ ପଡ଼ିଥାଏ।

Advertisment

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ବୋଲି ଏବେ ବି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କର ମନ୍ତ୍ରୀ ଓ ଅମଲା ସହଯୋଗୀମାନେ ପ୍ରଚାର କରନ୍ତି। କିନ୍ତୁ ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାର ମୋଟ ଘରୋଇ ଉତ୍ପାଦରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଅବଦାନ ହେଉଛି ମାତ୍ର ୧୯.୯୦ ପ୍ରତିଶତ। ଅନ୍ୟପକ୍ଷରେ ଏଥିରେ ସେବା କ୍ଷେତ୍ରର ଅବଦାନ ୪୦.୫୧ ପ୍ରତିଶତ ଓ ଶିଳ୍ପ କ୍ଷେତ୍ରର ଅବଦାନ ୩୯.୬୦ ପ୍ରତିଶତ। କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଉପରେ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ ନିର୍ଭରଶୀଳ। କୃଷି କ୍ଷେତ୍ରର ବିକାଶ ନହେଲେ ଏହା ଉପରେ ନିର୍ଭରଶୀଳ ଲୋକମାନଙ୍କର ଆୟ ବଢ଼ିବ ନାହିଁ। ଶିଳ୍ପ ଓ ସେବା କ୍ଷେତ୍ରରେ କୃଷକମାନଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ନାହିଁ କହିଲେ ଚଳେ। କାରଣ ସେଥିପାଇଁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଓ ତାଲିମ ନାହିଁ। ୧୯୬୦ ଦଶକରୁ ଓଡ଼ିଶା ସରକାର ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଇ ଚାଲିଛନ୍ତି। ବିଶେଷ କରି ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟର କୃଷି ଅର୍ଥନୀତିକୁ ଶିଳ୍ପ ଅର୍ଥନୀତିରେ ପରିଣତ କରିବା ପାଇଁ ବହୁ ଉଦ୍ୟମ ହୋଇଛି।

ଶିଳ୍ପ ଓ ସେବା କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ହେଉଥିବାରୁ ଏବଂ ଏହାର ପ୍ରଭାବରେ ଚାଷଜମି ପରିମାଣ କମିବା ସଙ୍ଗେସଙ୍ଗେ ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ କୃଷି ଅମଳ ପ୍ରଭାବିତ ହେବାରେ ଲାଗିଛି। ଏଣେ ଚାଷୀମାନଙ୍କୁ ସେମାନଙ୍କ ଅମଳର ଉପଯୁକ୍ତ ଦର ମିଳୁ ନାହିଁ। ଅନେକ ସମୟରେ ରାଜ୍ୟର ଅଧିକାଂଶ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଚାଷୀଙ୍କ ସାମାଜିକ ସମ୍ମାନ ବୃଦ୍ଧି ଦିଗରେ ମଧ୍ୟ ରାଜ୍ୟ ସରକାର କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଅଧିକନ୍ତୁ ଶିଳ୍ପ ଓ ସେବା ଭିତ୍ତିକ ସମାଜରେ ଚାଷକୁ ଏକ ନିକୃଷ୍ଟ ବୃତ୍ତି ଓ ଚାଷୀ ଜଣେ ନିକୃଷ୍ଟ ମଣିଷ ଭାବେ ଗ୍ରହଣ କରାଯାଉଛି। ସେଥିପାଇଁ ଅନେକ ଲୋକ ଜମି ବିକି ସରକାରୀ ପିଅନ ହେବାକୁ ଅଧିକ ପସନ୍ଦ କରୁଛନ୍ତି। ଗାଁରେ ୧୦ ଏକର ଜମିର ମାଲିକ ଥିବା ଲୋକ ବି ସହରକୁ ଆସି ରାସ୍ତାକଡ଼ରେ ଦୋକାନ ଖୋଲିବାକୁ ପସନ୍ଦ କରୁଛି। ଲୋକେ ଦେଖୁଛନ୍ତି ସହରରେ ରୋଜଗାରର ଅଧିକ ସୁଯୋଗ, ଗାଁରେ ତାହା ନାହିଁ। ସହରରେ ଅଧିକ ସୁବିଧା, ଗାଁରେ ତାହା ନାହିଁ। ଚାଷ ଗାଁରେ ହୁଏ, ସହରରେ ନୁହେଁ। ଗାଁ ଲୋକେ ସହର ମୁହାଁ ହେବାର କାରଣ ହେଉଛି ସରକାର ପରେ ସରକାର କେହି ହେଲେ ଗାଁରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଦିଗରେ ସକ୍ରିୟ ଓ ଫଳପ୍ରସୂ ଉଦ୍ୟମ କରି ନାହାନ୍ତି। ଗାଁରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାର ଏକମାତ୍ର ସହଜ ବାଟ ହେଉଛି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ପରି ଆନୁସଙ୍ଗିକ ଶିଳ୍ପ ଏବଂ ହସ୍ତକଳା ଓ ହସ୍ତଶିଳ୍ପର ବିକାଶ। ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଭିତ୍ତିଭୂମି ଯାହା ସେଥିରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଓ ହସ୍ତଶିଳ୍ପ ଆଦିର ବିକାଶ ନଘଟିଲେ ରାଜ୍ୟର ୭୦-୮୦ ପ୍ରତିଶତ ଲୋକଙ୍କର ରୋଜଗାର ବଢ଼ିବ ନାହିଁ। ରୋଜଗାର ବଢ଼ି ନାହିଁ ବୋଲି ଅନେକ ଚାଷୀ ଋଣଯନ୍ତାରେ ପଡ଼ି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି, ସରକାର ତାହା ସ୍ୱୀକାର କରନ୍ତୁ ବା ନକରନ୍ତୁ।

ଚାଷୀର ଋଣଯନ୍ତା ପରି ଓଡ଼ିଶାର ଋଣଭାର ଅସହ୍ୟ ହୋଇଗଲେ ରାଜ୍ୟ ସରକାର ଦେବାଳିଆ ହୋଇଯିବାର ଆଶଙ୍କା ଅଛି। ଦିନେ ଏମିତି ପରିସ୍ଥିତି ବି ଆସିପାରେ ଯେମିତି ଏକଦା କେନ୍ଦ୍ରର ଚନ୍ଦ୍ରଶେଖର ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ସୁନା ବିକିବାକୁ ପଡ଼ିଥିଲା ବା ଏବେକାର କେନ୍ଦ୍ର ସରକାର ଅନେକ ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି, ସେପରି ଉପାୟ ଅବଲମ୍ବନ କରିବେ। ସରକାର ରାଜ୍ୟର ସର୍ବସାଧାରଣଙ୍କ ସଂପତ୍ତି ଭାବେ ଗଣାଯାଉଥିବା ଖଣି, ପାଣି, ଜମି ଓ ଜଙ୍ଗଲ ବିକି ଋଣ ପରିଶୋଧ କରିପାରିବେ। ତାହା ରାଜ୍ୟର ସଂପତ୍ତି ବୃଦ୍ଧି କରିବ ନାହିଁ, କ୍ଷୟ କରିବ। ଏହାର ପରିଣାମରେ ରାଜ୍ୟ ସରକାରଙ୍କର କ୍ରେଡିଟ ରେଟିଂ ବା ଋଣ-ମୂଲ୍ୟ ମଧ୍ୟ କମିଯିବ। ଆଉ କେହି ଋଣ ଦେବେ ନାହିଁ। ଠିକ ଯେମିତି ସଂପତ୍ତିବାଡ଼ି ନଥିବା ବା କିଛି ବନ୍ଧକ ଦେଇ ପାରୁ ନଥିବା ଲୋକକୁ ବ୍ୟାଙ୍କ ଋଣ ଦିଏ ନାହିଁ। ସେହି ପରିସ୍ଥିତି ଆସିବା ପୂର୍ବରୁ ରାଜ୍ୟ ସରକାର ତୁରନ୍ତ ତାଙ୍କର ବିକାଶ ନୀତି ଓ ଅର୍ଥନୀତିରେ ସର୍ବଜନ ହିତକାରୀ ପରିବର୍ତ୍ତନ ଆଣିବା ଜରୁରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe