Advertisment

ପରିବେଶ ନଷ୍ଟ କରୁଛି କିଏ, ଦଣ୍ଡ ଭୋଗୁଛି କିଏ?

ତାହାଠାରୁ ଆହୁରି ଅଧିକ ଆଶ୍ଚର୍ଯ୍ୟର ବିଷୟ ହେଲା ଯେ, ଓଡ଼ିଶା ସରକାରଙ୍କ ଆରଟିଓ ବିଭାଗ, ବାୟୁ ପ୍ରଦୂଷଣ ମୁକ୍ତ ସାର୍ଟିଫିକେଟ ନଥିବା କାରଣରୁ ଦୁଇ ଚକିଆ ଜାନ ମାଲିକଙ୍କ ଉପରେ ୧୦,୦୦୦ ଟଙ୍କା ଆର୍ଥିକ ଦଣ୍ଡ ଦେବାର ବ୍ୟବସ୍ଥା ରଖିଛି। ଅର୍ଥାତ ଟାଟା ଓ ଜିନ୍ଦଲଙ୍କ ପ୍ରଦୂଷଣ ଯେତିକି ଦୁଇ ଚକିଆ ଯାନର ପ୍ରଦୂଷଣ ସମାନ? କିନ୍ତୁ କଳିଙ୍ଗ ନଗର ସର୍ବାଧିକ ପ୍ରଦୂଷଣ ଯୁକ୍ତ ସ୍ଥାନ ହେବା ସତ୍ତ୍ୱେ ଓଡ଼ିଶା ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା କୌଣସି କମାନୀ ଆଜି ପର୍ଯ୍ୟନ୍ତ ଦଣ୍ଡିତ ହୋଇନାହାନ୍ତି। ଅଥଚ, ଆମେ ନିୟମିତ ଭାବରେ ଦୁଇ ଚକିଆ ଯାନ ମାଲିକ ଉକ୍ତ ସାର୍ଟିଫିକେଟ ନଥିବା କାରଣରୁ ଅର୍ଥ ଦଣ୍ଡ ଦେଉଥିବା ଖବରକାଗଜରେ ପଢୁଛୁ।

author-image
Debendra Prusty
Industrial Pollution

Industrial Pollution

ଆଜିର ଗ୍ରୀଷ୍ମ ପ୍ରବାହ ହେତୁ ସହରର ଲକ୍ଷ ଲକ୍ଷ ଅଟୋବାଲା, ଦୋକାନୀ, ଡ୍ରାଇଭର, କୋଠାବାଡିରେ କାମ କରୁଥିବା ଶ୍ରମିକ ଇତ୍ୟାଦି ନିଜ ମଜୁରୀରୁ ବଡ଼ ଅଂଶ କୋଲ୍ଡ ଡ୍ରିଂକ ବା ଥଣ୍ଡା ପାଣି କିଣିବାରେ ଖର୍ଚ୍ଚ କରୁଛନ୍ତି।

Advertisment

ସେହିମାନେ ଏବେ ଋଣ କରି କୁଲର ମେସିନ କିଣିବାରେ ଲାଗିଛନ୍ତି। କୁଲର ମେସିନର ପ୍ରତିକୂଳ ପ୍ରଭାବ ଶରୀର ଉପରେ ପଡୁଥିବା କାରଣରୁ କେହି କେହି ଏସି ମେସିନ ମଧ୍ୟ ଋଣ କରି ଲଗାଉଛନ୍ତି। ସେଥିଲାଗି ସେମାନେ ଅତି ଅଧିକ ସୁଧ ହାରରେ ହାତ ଉଧାରୀ ଋଣ କରିସାରିଛନ୍ତି। ଘରେ ନିଜର ପିଲା ଓ ବୁଢ଼ା ବାପାମା’ଙ୍କୁ ବଞ୍ଚାଇବାକୁ ହେଲେ ଘରେ କୁଲର ନହେଲେ ଏସି ଜରୁରୀ ହୋଇଯାଇଛି।

ଦିନର ଉତ୍ତାପ ବଢ଼ିଲେ, ଏସି, କୋଲ୍ଡଡ୍ରିଂକ ଓ ଫ୍ରିଜ କମ୍ପାନୀମାନଙ୍କରେ ପୁଞ୍ଜିନିବେଶ କରୁଥିବା ଧନୀ ଗୋଷ୍ଠୀ, ସହରରେ ଶୋ ରୁମ ଖୋଲିଥିବା ବ୍ୟବସାୟୀ, ଏହି ବ୍ୟବସାୟ ସହିତ ସମ୍ପୃକ୍ତ ଅନ୍ୟ ଇଞ୍ଜିନିୟର, ଡିଲର ପର୍ଯ୍ୟନ୍ତ ସମସ୍ତେ ଉପକୃତ। ଅନ୍ୟ ପଟରେ, ଦେଶର କୋଟି କୋଟି ସ୍ୱଳ୍ପ ଆୟ କରୁଥିବା ପରିବାର ବାଧ୍ୟବାଧକତାରେ ସେମାନଙ୍କ ଉତ୍ପାଦନ ସାମଗ୍ରୀର ଗ୍ରାହକ ପାଲଟୁ ଥିବାରୁ ଅଧିକ ଅସୁରକ୍ଷିତ। ନିଜ ଆୟର ବିରାଟ ଅଂଶ ଖରାଦିନ ପାରିହେବା ଲାଗି ଖର୍ଚ୍ଚ କରିବାକୁ ସେମାନଙ୍କୁ ପଡୁଛି।

Advertisment

ପରିବେଶରେ ତାପମାତ୍ରା ବଢ଼ିଲେ ଏସି ଓ କୋଲ୍ଡ ଡ୍ରିଂକ କମ୍ପାନୀଙ୍କ ଲାଭ। କିନ୍ତୁ, ତାପମାତ୍ରା ବଢ଼ିବା ପୃଥିବୀର ଭବିଷ୍ୟତ ଲାଗି ଅନୁକୂଳ ନୁହେଁ। ତେଣୁ, ତାପମାତ୍ରା ବୃଦ୍ଧିକୁ ଆମେ ଦେଶର ପ୍ରଗତି କହିବା କି ଦେଶର ପରିବେଶ ଧ୍ଵଂସ ପାଉଥିବା କହିବା?

ଆଜି କେଉଁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଖଣି ଖୋଳା ଯାଉଥିବା ପାହାଡ଼ ଗୁଡ଼ିକ ଭୂମି ଉପରେ ଏପରି ଠିଆ ହୋଇଛନ୍ତି ଠିକ ଯେମିତି ଏକ ବିରାଟ ଜୀବର ମସ୍ତିଷ୍କକୁ କାଟିଦିଆଯାଇଛି। ଶାଗୁଣା ବିଲୁଆ ତାହାର ସମଗ୍ର ଶରୀରକୁ ଝୁଣି ନେବା ଭଳି ଶହ ଶହ ସଂଖ୍ୟାରେ ଟ୍ରକମାନଙ୍କରେ ଖଣିଜ ଦ୍ରବ୍ୟ ଅତି ନିର୍ବିକାର ଭାବରେ ବୁହାଚାଲିଛି। ପାହାଡ଼ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଆଦିବାସୀ ପରିବାର ସର୍ବଦା ସେହି ଟ୍ରକମାନଙ୍କର ଧୁଳି ହିଁ ଖାଉଛନ୍ତି। ଖଣି କମ୍ପାନୀର ମାଲିକମାନେ ସାଧାରଣ ଚାଷୀ ନୁହନ୍ତି ଯେ ଚାଷଜମିକୁ ଲାଗି ଘର କରିବା ପରି ଖଣି ପାଖରେ ନିଜର ବାସସ୍ଥାନ ତିଆରି କରିବେ! ସେମାନେ କିନ୍ତୁ, ଦୂରବର୍ତ୍ତୀ ସହରରେ ଖୁସିରେ ରହୁଛନ୍ତି।

ବର୍ଷା ଦିନେ ଖଣି ଖୋଲାଯାଉଥିବା ପାହାଡ଼ର ଝରଣା ଗୁଡ଼ିକରୁ ବୋହିଆସୁଥିବା ନାଲି ପାଣି ଦେଖିଲେ ଲାଗିବ କଟା ମୁଣ୍ଡରୁ ଯେମିତି ରକ୍ତ ବୋହୁଛି! ସେହି ନାଲି ମାଟି ମିଶା ପାଣି ପିଇବା ଲାଗି ପାହାଡ଼ ପାଖ ଗାଁମାନେ ବାଧ୍ୟ। ଟିକସ ନେଉଥିବା ସରକାର ଓ ଲାଭ କରୁଥିବା ଖଣିମାଲିକମାନେ ଏ ଦିଗରେ ସଂପୂର୍ଣ୍ଣ ବେପରବାୟ।

କେବେ ଓଡ଼ିଆ କବି ନଦୀର ସୁନ୍ଦରତାକୁ ନେଇ କବିତା ଲେଖୁଥିଲେ। ଏବେ କିନ୍ତୁ ନଦୀଗୁଡ଼ିକ କାରଖାନା, ପ୍ଳାଣ୍ଟ ଓ ସହରର ଆବର୍ଜନା ବୋହିବାର ନାଳ ପାଲଟିଯାଇଛନ୍ତି। ଦ୍ରୁତ ଗତିରେ ପାହାଡ଼, ନଦୀ ଓ ଜଙ୍ଗଲ ପ୍ରକୃତିଦତ୍ତ ରୂପ ଓ ଗୁଣ ହରାଉଛନ୍ତି।

ଯୁଦ୍ଧ କ୍ଷେତ୍ରରେ ମୃତ ସୈନ୍ୟର ଶରୀରଟି ନିଶ୍ଚଳ ହୋଇପଡ଼ିଥିବା ଭଳି ଦିନେ ଘଞ୍ଚ ଜଙ୍ଗଲ ରହିଥିବା ଅଞ୍ଚଳରେ କଟା ଗଛ ଗୁଡ଼ିକ ନିଶ୍ଚଳ ହୋଇପଡ଼ିରହିଥା’ନ୍ତି। ମଝିରେ ମଝିରେ ଟ୍ରକ ଓ ଟ୍ରାକ୍ଟର ଆସି ସେମାନଙ୍କୁ ଡାଲାରେ ଉଠାଇ ନେଇଯା’ନ୍ତି କାଠ ସମିଲକୁ।

ଜଙ୍ଗଲ ମଧ୍ୟରୁ ଶହ ଶହ ବୃକ୍ଷମାନଙ୍କୁ କାଟି ଦେବା ପରେ ବିରାଟ କାରଖାନା, ଖଣି, ଚାଷ ଜମି, ଫାର୍ମ ହାଉସ, ଚାରିଧାଡ଼ି ରାସ୍ତା, ଡବଲ ଟ୍ରାକ ରେଳ ଅଥବା ସହରର କଳେବର ବୃଦ୍ଧିରେ ସେହି ଜମି ବ୍ୟବହାର ହୁଏ। ଏଥିଲାଗି, ଯୁକ୍ତି କରାଯାଏ ଯେ, ପରିବେଶର ସୁରକ୍ଷାକୁ ଗୁରୁତ୍ଵ ଦେଲେ ଦେଶର ବିକାଶ ଅସମ୍ଭବ।

ଅଥଚ, ଆମେ ଏମିତି ଏକ ସମୟରେ ବାସ କରୁଛେ ଯେଉଁଠି ସମୁଦ୍ର ପଟରୁ ଆସୁଥିବା ବାତ୍ୟା ଉପକୂଳ ଓଡ଼ିଶାରେ ପ୍ରତି ବର୍ଷ ଭୟ ସୃଷ୍ଟି କରାଉଛି। ହଠାତ ନଦୀ ଫୁଲି ବନ୍ୟା ହେଲେ ସମଗ୍ର ଅଞ୍ଚଳ ଜଳମୟ ହୋଇଯାଉଛି। ବନ୍ୟା ପାଣି ଶୀଘ୍ର ସମୁଦ୍ରରେ ଖଲାସ ହେଉନାହିଁ। ଏଥିଲାଗି, ଉପକୂଳୀୟ ଅଞ୍ଚଳର ହଜାର ହଜାର ଏକର ଚାଷଜମି ନଷ୍ଟ ହେଉଛି।

ପଶ୍ଚିମ ଓଡ଼ିଶାର ପାର୍ବତ୍ୟ ଅଞ୍ଚଳରେ ବର୍ଷା ଅଭାବରୁ ଚାଷ ନଷ୍ଟ ହେଉଛି। ଗଲା ୨୦୦୦ ମସିହା ପରଠାରୁ ମରୁଡ଼ି ଆଉ ଗୋଟିଏ କି ଦୁଇଟି ଜିଲ୍ଲା (କଳାହାଣ୍ଡି କିମ୍ବା ବଲାଙ୍ଗିର) ମଧ୍ୟରେ ସୀମିତ ହୋଇରହିନାହିଁ। ୨୦୦୯, ୨୦୧୩, ୨୦୧୫ ଓ ୨୦୧୮ ମସିହାରେ କ୍ରମାଗତ ମରୁଡ଼ି ହେତୁ ଓଡ଼ିଶାର ଲୋକେ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି।

କିନ୍ତୁ, ଲୋକଙ୍କ ଧ୍ୟାନ ହଟାଇବା ଲାଗି ଆମ ସମୟରେ ବିକାଶର ନାମରେ ପରସ୍ପର ବିରୋଧୀ ମନ୍ତବ୍ୟ ଜାଣି ଜାଣି ଦିଆଯାଉଛି। ନଦୀରେ ବନ୍ୟା ଆସିଲେ ଜଙ୍ଗଲ ନଷ୍ଟ ହେବା କଥା ଯୁକ୍ତି କରାଯାଉଛି। ପୁଣି ଜଙ୍ଗଲ କାଟି ବିମାନଘାଟି ବସାଇବାକୁ ଦେଶର ପ୍ରଗତି କୁହାଯାଉଛି (ପୁରୀର ଜଗନ୍ନାଥ ଆନ୍ତର୍ଜାତିକ ବିମାନଘାଟି ନାମରେ ହେଉଛି)।

ସହରର ତାପମାତ୍ରା ବଢ଼ିଲେ କଂକ୍ରିଟ ଜଙ୍ଗଲ ଅଧିକ ହେଉଛି କୁହାଯାଉଛି। ପୁଣି, ସହର ବଢ଼ିବା ଲାଗି ଗ୍ରାମବାସୀଙ୍କ ଜମିକୁ ଜବରଦସ୍ତି ଅଧିଗ୍ରହଣ କରାଯାଉଛି ଓ ସେମାନେ ବିରୋଧ କରିବା କାରଣରୁ ଗିରଫ କରାଯାଉଛି, ଯାହା ରାଉରକେଲାରେ ହେଉଛି।

ସରକାର, ସହଯୋଗୀ ଅନୁଷ୍ଠାନ ଓ କମ୍ପାନୀମୁଖ୍ୟମାନେ ଅତି ଭଲରେ ଜାଣିଛନ୍ତି ଯେ ଜଙ୍ଗଲ କାଟିବା ହେତୁ ପରିବେଶ ଉତ୍ତପ୍ତ ହେଉଛି। ତାପମାତ୍ରାରେ ବୃଦ୍ଧି ହେବା କାରଣରୁ ପ୍ରକୃତି ବିଭିନ୍ନ ବିପର୍ଯ୍ୟୟ ସୃଷ୍ଟି କରୁଛି। କିନ୍ତୁ ସେମାନେ ସମସ୍ତେ ନିଜ ଲାଗି ଭଲ ବ୍ୟବସ୍ଥା କରିନେଉଛନ୍ତି।

ରିଭର୍ସ ଅସମୋସିସ ପ୍ରକ୍ରିୟାରେ ଶୁଦ୍ଧ ପାନୀୟ ଜଳ, ଡିଜେଲ ଜେନେରଟର ଦ୍ଵାରା ୨୪ ଘଣ୍ଟା ବିଜୁଳି ଯୋଗାଣ, ସେଣ୍ଟ୍ରାଲ ଏସି, ଅକ୍ସିଜେନ ଚାମ୍ବରର ସୁବିଧା ସରକାରୀ ଦଳ ଓ କମ୍ପାନୀ ପ୍ରଶାସନ ନିଜ ପାଇଁ କରିନେଇଛନ୍ତି।

ଏହାପରେ ବି ଦେଶରେ ବିଶେଷ କିଛି ଅସୁବିଧା ହେଲେ ଅନ୍ୟୁନ ୫୦ଟି ଦେଶର ପାସପୋର୍ଟ ଓ ଦ୍ୱୈତ ନାଗରିକର ସୁବିଧା ଭିତରେ ପ୍ରକୃତିର ଏହି ସର୍ବାଧିକ ବିଧ୍ଵଂସକାରୀ ଗୋଷ୍ଠୀ ନିଜ ଓ ନିଜ ପରିବାର ଲାଗି ବଞ୍ଚିବାର ସମସ୍ତ ସୁବିଧା କରିଦେଇଛନ୍ତି।

ଧନୀମାନେ ନିଜର ଯାତାୟାତ ଲାଗି ପ୍ରାଇଭେଟ ବିମାନ କିଣିନେଇଛନ୍ତି ଓ ଏହାର ଅବତରଣ ଲାଗି ସରକାରୀ ଜମି ଉପରେ ବିମାନଘାଟି ନିର୍ମାଣ କରୁଛନ୍ତି। ସେମିତି ନିଜ ପାଇଁ ଅତ୍ୟାଧୁନିକ ପ୍ରାଇଭେଟ ହସ୍ପିଟାଲ ସରକାରୀ ଜମିରେ ତିଆରି କରାଇଛନ୍ତି। ଉପକୂଳ ସହରର ଦାମୀ ହୋଟେଲକୁ ସମୁଦ୍ରର ଉଚ୍ଚ ଲହଡ଼ିରୁ ସୁରକ୍ଷା ଦେବା ଲାଗି ଲୋକଙ୍କ ଟିକସ ଅର୍ଥରେ ସମୁଦ୍ର କାନ୍ଥ ଇତ୍ୟାଦି କରିଛନ୍ତି।

କିନ୍ତୁ, ପରିବେଶ ଦିବସ ଆସିଲେ ଜଙ୍ଗଲ କାଟିବା ହେତୁ ବନ୍ୟା, ବାତ୍ୟା ଓ ମରୁଡ଼ି ବାରମ୍ବାର ହେଉଥିବା କଥା ସରକାର ଓ ତାଙ୍କ ସହଯୋଗୀ ଅନୁଷ୍ଠାନ ତଥା କମ୍ପାନୀମାନେ ସଂପୂର୍ଣ୍ଣ ସଭାରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ସମସ୍ତ ଅତିଥିଙ୍କୁ ଭଲରେ ବୁଝିବାକୁ ଦେଉଛନ୍ତି। (ସେମାନଙ୍କୁ କିନ୍ତୁ ପ୍ରଶ୍ନ ପଚାରିବାର ସୁଯୋଗ ଦେଉନାହାନ୍ତି।) ସେମାନଙ୍କ ଦୃଷ୍ଟିରେ ସମସ୍ତ ଦୋଷ ସହରର ଦୁଇ ଚକିଆ ଯାନ ଦ୍ଵାରା ବାୟୁ ପ୍ରଦୂଷଣ, ପ୍ଲାଷ୍ଟିକର ବ୍ୟବହାର, ଆଦିବାସୀଙ୍କ ଦ୍ଵାରା ଜଙ୍ଗଲ କଟାଯିବା ଓ ରାସ୍ତାକଡ଼ ଟ୍ୟାପ ଦ୍ଵାରା ପାଣିର ଅପଚୟ।

ଇଣ୍ଟରନେଟରୁ ମିଳିଥିବା କିଛି ତଥ୍ୟ ଏହାର ବିପକ୍ଷରେ ଏଠାରେ ରଖୁଛି।

୨୦୦୭ ମସିହାରେ ଓଡ଼ିଶାର ଯାଜପୁର ସୁକିନ୍ଦା ବ୍ଲକ ଏସିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବରେ କୁଖ୍ୟାତି ପାଇଥିଲା। ଭାରତର ସର୍ବାଧିକ କ୍ରୋମାଇଟ ଖଣି ଏଠାରେ ଗଛିତ ଅଛି। ଷ୍ଟିଲ ଉତ୍ପାଦନ ଲାଗି କ୍ରୋମାଇଟ ଜରୁରୀ। ବିଶ୍ଵର ସର୍ବବୃହତ ମୁକ୍ତ ଆକାଶ ଖଣି ସୁକିନ୍ଦାରେ ଅଛି। ଏଠାରେ ଟାଟା, ଜିନ୍ଦଲ, ଓଏମସି ଓ ବାଲେଶ୍ଵର ଆଲଏଜ ଇତ୍ୟାଦି ୧୩ଟି କମ୍ପାନୀ ରହିଛନ୍ତି।

ସୁକିନ୍ଦା ସହିତ ପ୍ରତିଯୋଗୀତା କରି ୨୦୨୨ ମସିହାରେ କଳିଙ୍ଗନଗର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବରେ ଗ୍ରୀନପିସ ଦ୍ଵାରା ଘୋଷିତ ହେଲା। କିନ୍ତୁ କେହି ଜଣେ ହେଲେ ଦଣ୍ଡିତ ହେଲେ ନାହିଁ। ଏଠାରେ ଟାଟା ଓ ଜିନ୍ଦଲର ବୃହତ ଷ୍ଟିଲ ପ୍ଳାଣ୍ଟ ରହିଛି। କଳିଙ୍ଗ ନଗରରେ ଭିସା ଷ୍ଟିଲ କମ୍ପାନୀ ପାଖ ଝରଣାରେ କାରଖାନାର ମଇଳା ଦ୍ରବ୍ୟ ଛାଡୁଥିବାର ଅଭିଯୋଗ ପାଇବା ପରେ ବି କୌଣସି କାର୍ଯ୍ୟନୁଷ୍ଠାନ ନନେବା କାରଣରୁ ନ୍ୟାସିନାଲ ଗ୍ରୀନ ତ୍ରିବ୍ୟୁନାଲ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିନ୍ଦା କରିଛି।

ଆଶ୍ଚର୍ଯ୍ୟର ବିଷୟ, ଗଲା ୨୦ ବର୍ଷ ମଧ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜଣେ ହେଲେ କମ୍ପାନୀଙ୍କଠାରୁ ଏକ ଟଙ୍କା ଦଣ୍ଡ ରୂପରେ ଅର୍ଥ ଅଦାୟ କରିପାରି ନାହିଁ। ପ୍ରତି ପ୍ରଦୂଷଣକାରୀ କମ୍ପାନୀ ଲାଗି ୧୦,୦୦୦ ଟଙ୍କା ଅର୍ଥ ଦଣ୍ଡ ବୋର୍ଡ ରଖିଛି। ଟାଟା ଓ ଜିନ୍ଦଲଠାରୁ ଗାଁର ଚୂଡ଼ା ଓ ମୁଢ଼ି କମ୍ପାନୀ ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ସମାନ ଅର୍ଥ ଦଣ୍ଡ ରହିଛି। ଅଥଚ, ଜଣେ ହେଲେ ଦଣ୍ଡିତ ହୋଇନାହାନ୍ତି।

ତାହାଠାରୁ ଆହୁରି ଅଧିକ ଆଶ୍ଚର୍ଯ୍ୟର ବିଷୟ ହେଲା ଯେ, ଓଡ଼ିଶା ସରକାରଙ୍କ ଆରଟିଓ ବିଭାଗ, ବାୟୁ ପ୍ରଦୂଷଣ ମୁକ୍ତ ସାର୍ଟିଫିକେଟ ନଥିବା କାରଣରୁ ଦୁଇ ଚକିଆ ଜାନ ମାଲିକଙ୍କ ଉପରେ ୧୦,୦୦୦ ଟଙ୍କା ଆର୍ଥିକ ଦଣ୍ଡ ଦେବାର ବ୍ୟବସ୍ଥା ରଖିଛି। ଅର୍ଥାତ ଟାଟା ଓ ଜିନ୍ଦଲଙ୍କ ପ୍ରଦୂଷଣ ଯେତିକି ଦୁଇ ଚକିଆ ଯାନର ପ୍ରଦୂଷଣ ସମାନ? କିନ୍ତୁ କଳିଙ୍ଗ ନଗର ସର୍ବାଧିକ ପ୍ରଦୂଷଣ ଯୁକ୍ତ ସ୍ଥାନ ହେବା ସତ୍ତ୍ୱେ ଓଡ଼ିଶା ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା କୌଣସି କମାନୀ ଆଜି ପର୍ଯ୍ୟନ୍ତ ଦଣ୍ଡିତ ହୋଇନାହାନ୍ତି। ଅଥଚ, ଆମେ ନିୟମିତ ଭାବରେ ଦୁଇ ଚକିଆ ଯାନ ମାଲିକ ଉକ୍ତ ସାର୍ଟିଫିକେଟ ନଥିବା କାରଣରୁ ଅର୍ଥ ଦଣ୍ଡ ଦେଉଥିବା ଖବରକାଗଜରେ ପଢୁଛୁ।

ପ୍ରଦୂଷଣ ଓ ତଦଜନିତ ଦଣ୍ଡ ବ୍ୟବସ୍ଥାରେ ରହିଥିବା ତାରତମ୍ୟର ଏହା ଗୋଟିଏ ଉଦାହରଣ।

ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର ସମସ୍ତ ବୋଝ, ସ୍ୱଳ୍ପ ଆୟ ବର୍ଗ ନେଉଛନ୍ତି। ବାଧ୍ୟବାଧକତାରେ, ବର୍ଷର ଦୁଇ ମାସ ଲାଗି କୁଲର ମେସିନ କିଣିବା କି ଦିନରେ ଥଣ୍ଡା ପାଣି ବୋତଲ ଲାଗି କୋଡ଼ିଏ ଟଙ୍କା ଖର୍ଚ୍ଚ କରିବା ସେହି ବୋଝର ଅଂଶ।

ଏହାର ଅର୍ଥ ନୁହେଁ ଯେ ସ୍ୱଳ୍ପ ଆୟ ବର୍ଗ ଅଧିକରୁ ଅଧିକ ପରିବେଶର କ୍ଷତି ଘଟାଇବା ଆବଶ୍ୟକ। ବୁଝିବା କଥା ଯେ, ଯେଉଁମାନଙ୍କ ଲାଗି ଆଜି ପରିବେଶ ଅଧିକ ମାତ୍ରାରେ ଧ୍ଵଂସ ଆଡ଼କୁ ଯାଉଛି, ସେମାନେ ନିଜ ମୁଣ୍ଡର ବୋଝ ଅତି ଚାଲାକିରେ ସ୍ୱଳ୍ପ ଆୟ ବର୍ଗ ଉପରକୁ ଠେଲିଦେଉଛନ୍ତି।

ପରିବେଶ ସୁରକ୍ଷାର ପ୍ରଶ୍ନ ଆସିଲେ କମ୍ପାନୀଙ୍କ ଦ୍ଵାରା ହେଉଥିବା ଅଧିକ ପ୍ରଦୂଷଣ ଓ ସେମାନଙ୍କ ବିରୁଦ୍ଧରେ ଶୂନ ଦଣ୍ଡବିଧାନ ସମ୍ପର୍କରେ ଅଧିକ ଆଲୋଚନା ହେବା ଅବଶ୍ୟକ।

ଦେବ ରଞ୍ଜନ

ମୋବାଇଲ - ୮୪୫୬୯୩୧୪୨୩

Pollution Fine Healthy Environment Temperature Kalinganagar