/odisha-reporter/media/media_files/2025/10/04/labor-2025-10-04-16-57-03.jpg)
Laborers Photograph: (Internet)
ପଞ୍ଚାନନ କାନୁନଗୋ
ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ ପୂର୍ବରୁ ରହିଥିବା ତିନିଟି ଆଇନ ଯଥା ଫ୍ୟାକ୍ଟ୍ରି ଆକ୍ଟ, ଦୋକାନ ଓ ଅନୁଷ୍ଠାନ ଆଇନ ଏବଂ ଶିଳ୍ପ ଆଇନରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧନରେ ପୂର୍ବରୁ ପ୍ରଚଳିତ ଥିବା ଶ୍ରମିକମାନଙ୍କ ପାଇଁ ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟା ଶ୍ରମ କରିବାର ବ୍ୟବସ୍ଥା ସୃଷ୍ଟି ହୋଇଛି। ଶ୍ରମିକମାନେ ଖଟୁଥିବା ୮ ଘଣ୍ଟା ପରେ ବିନା ବେତନରେ ବା ମଜୁରୀରେ ଆଉ ଏକ ଘଣ୍ଟା ଖଟିବାର ବ୍ୟବସ୍ଥା ପୂର୍ବରୁ ଥିଲା। ବର୍ତ୍ତମାନ ୯ ଘଣ୍ଟା ଖଟିବା ପରେ ଆହୁରି ୧ ଘଣ୍ଟା ଖଟିବା କଥା କୁହାଯାଉଛି। ଏଥି ସହିତ ସପ୍ତାହରେ ଯେଉଁମାନେ ଅଧିକ ସମୟ କାମ କରିବେ ତାଙ୍କୁ ଦୁଇଗୁଣ ମଜୁରୀ ଦିଆଯିବାର ବ୍ୟବସ୍ଥା ହୋଇଛି। ଏହା କିଛି ନୂଆ କଥା ନୁହେଁ। ଏହି ବ୍ୟବସ୍ଥାଟି ପୂର୍ବରୁ ପ୍ରଚଳିତ ଥିଲା।
ଏହି ନୂଆ ସଂଶୋଧନ ଏକ କର୍ପୋରେଟ୍ ଶାସନ ବ୍ୟବସ୍ଥାକୁ ସୂଚାଇ ଦେଉଛି। ଅର୍ଥାତ୍ ଶିଳ୍ପପତି, ପୁଞ୍ଜିପତି ଓ ସାମନ୍ତବାଦୀ ବ୍ୟବସ୍ଥାରେ ଖଟୁଥିବା ମଣିଷ ପ୍ରତି ନିର୍ଦ୍ଦୟ ଭାବ ସ୍ପଷ୍ଟ ହୋଇଛି। ଏ ସମ୍ପର୍କରେ ଆଲୋଚନା କଲାବେଳେ ୨୦୧୫ ମସିହାରେ ବିଶ୍ୱ ନୋବେଲ ପୁରସ୍କାର ପ୍ରାପ୍ତ ଆଙ୍ଗସ୍ ଡେଟନ୍ଙ୍କ ରଚିତ ବହି ‘ଦ ଗ୍ରେଟ୍ ଏସକେପ୍’ କଥା ମନକୁ ଆସୁଛି। ଯେଉଁ ବହିରେ ସେ ହେଲ୍ଥକ ଏବଂ ୱେଲ୍ଥଇ ସମ୍ପର୍କରେ ଆଲୋଚନା କରିଛନ୍ତି। ଡେଟନ୍ ତାଙ୍କ ଲିଖିତ ପୁସ୍ତକ ‘ଦ ଗ୍ରେଟ୍ ଏସକେପ୍’ରେ ହେଲ୍ଥଙ ଆଣ୍ଡ ୱେଲ୍ଥଲ ଅଧ୍ୟାୟରେ ସ୍ପଷ୍ଟ କହିଛନ୍ତି ଯେ, ଉତ୍ତମ ସ୍ୱାସ୍ଥ୍ୟ ଅଧିକ କାର୍ଯ୍ୟକ୍ଷମ କରାଇଥାଏ। ଉତ୍ତମ ସ୍ୱାସ୍ଥ୍ୟ ନଥିବା ମଣିଷ ଖଟିବା ସମୟରେ କ୍ଳାନ୍ତ ଅନୁଭବ କଲେ ବିଶ୍ରାମ ଖୋଜିଥାଏ। ଯଦ୍ୱାରା ଉତ୍ପାଦନ ହ୍ରାସ ପାଇଥାଏ।
ଆମ ଓଡ଼ିଆରେ କଥା ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଅର୍ଥାତ୍ ଯେଉଁ ସମାଜଟି ଯେତେ ସୁସ୍ଥ ସେହି ସମାଜ ବା ସେହି ରାଷ୍ଟ୍ର ଅଧିକ ଶକ୍ତିଶାଳୀ ଓ ସମ୍ପଦରେ ଭରପୂର ଥିବା କୁହାଯାଇପାରିବ। ସ୍ୱାଧୀନତା ପ୍ରାପ୍ତି ପରେ ୧୯୫୦ ଓ ୧୯୬୦ ଦଶକରେ ଆମ ଦେଶରେ ଅଧିକାଂଶ ଲୋକଙ୍କୁ ପେଟପୂରା ଖାଇବାକୁ ଖାଦ୍ୟ ମିଳୁନଥିଲା। ପିଏଲ୍-୪୮୦ ଚୁକ୍ତିନାମା ଅନୁସାରେ ଆମେରିକାରୁ ଆସୁଥିବା କ୍ଷୀର ଗୁଣ୍ଡ, ମକା ଚୂନା ଅଧିକାଂଶ ପିଲାଙ୍କର ପେଟଭରଣ କରୁଥିଲା। ଖୁସିର ବିଷୟ ଭାରତ ବର୍ଷରେ ଶାସକଗଣଙ୍କର ପଞ୍ଚବାର୍ଷିକ ଯୋଜନାରେ ନିଆଯାଇଥିବା ଦୁଇଟି କାର୍ଯ୍ୟକ୍ରମ, ସବୁଜ ବିପ୍ଳବ ଓ ଶ୍ୱେତ ବିପ୍ଳବ ଖୁବ୍ ଭଲ ଭାବେ ସଫଳ ହେଲା। ଏଥିପାଇଁ ବୈଜ୍ଞାନିକ ଭର୍ଗୀଜ୍ କୁରିଅନ ଓ ସ୍ୱାମୀନାଥନ୍ଙ୍କୁନ ପ୍ରଶଂସା କରିବା ସହିତ ସେ ସମୟର ଦୁଇ ପ୍ରଧାନମନ୍ତ୍ରୀ ଜବାହର୍ଲାଶଲ୍ ନେହରୁ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିବାକୁ ହେବ।
କିନ୍ତୁ ଆମକୁ ପଢ଼ାଯାଉଥିବା ସୁଷମ ଖାଦ୍ୟର ଆବଶ୍ୟକତା ଓ ବିଶେଷତ୍ୱ ଏପର୍ଯ୍ୟନ୍ତ ଦେଶର ୬୦ ଭାଗ ଲୋକ ଓ ଆମ ରାଜ୍ୟ ଓଡ଼ିଶାର ୭୦ ଭାଗରୁ ଉର୍ଦ୍ଧ୍ୱ ଲୋକଙ୍କ ପାଖରେ ଅପହଞ୍ଚ ଅଛି। ସ୍କୁଲରେ ପଢ଼ୁଥିବା ପିଲାଙ୍କ ଭିଡ଼ରୁ ୮୦% ଦୈନିକ ଆବଶ୍ୟକ ଫଳ ଖାଇବାକୁ ପାଆନ୍ତି ନାହିଁ ବା ଆବଶ୍ୟକ କ୍ଷୀର ଓ ଅଣ୍ଡା ପ୍ରତିଦିନ ଖାଇନଥାନ୍ତି। ଏବେ ମଧ୍ୟ ଏହି ଅବସ୍ଥା ସାରା ଭାରତବର୍ଷରେ ବିଛାଡ଼ି ପଡ଼ିଛି। ଆମେ କେବଳ ଓଡ଼ିଶାରେ ଚାଉଳ ଖାଇବୁ କି ମାଣ୍ଡିଆ ଖାଇବୁ ଏହି ତର୍କ ବା ବିଚାରରେ ଅଛୁ।
ଉପରୋକ୍ତ ବିଷୟ ଲେଖିବାର କାରଣ ହେଉଛି, ପ୍ରତ୍ୟେକ ବ୍ୟକ୍ତିର ଶକ୍ତି ଓ ସାମର୍ଥ୍ୟ ସୃଷ୍ଟି କରିବା ପାଇଁ ଯେଉଁ ସୁଷମ ଖାଦ୍ୟର ଆବଶ୍ୟକତା ଅଛି ତାହା ଭାରତବର୍ଷରେ ମିଳେନାହିଁ। ଯେଉଁ ଖାଦ୍ୟ ପିଲାଙ୍କୁ ଶକ୍ତକରି ଗଢ଼ି ତୋଳିବାରେ ସାହାଯ୍ୟ କରେ ତାହା ଅଧିକାଂଶଙ୍କ ପାଖରେ ପହଞ୍ଚିପାରେ ନାହିଁ। ଆଜି ବି ଦେଶ ସ୍ତରରେ ଯେଉଁ ହିସାବ ଆସୁଛି, ସେଥିରେ ବିଏମ୍ଆେଇ (ବଡ଼ି ମାକ୍ସ ଇଣ୍ଡେକ୍ସ)ରେ ଅଧିକାଂଶ ପିଲା ବହୁତ ପଛରେ ଅଛନ୍ତି। ବୟସ ଅନୁସାରେ ପିଲାଙ୍କର ଉଚ୍ଚତା ଏବଂ ଓଜନ ଯାହା ହେବାର କଥା ତାହା ପ୍ରାୟତଃ ୬୦ ଭାଗ ପିଲାଙ୍କ ପାଇଁ ନାହିଁ। ଏପରିକି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ ଆଦି ଜିଲ୍ଲାମାନଙ୍କରେ ୮୦% ପିଲାଏ ଠିକ୍ ପୋଷଣଯୁକ୍ତ ଖାଦ୍ୟ ଏବେ ବି ପାଉନାହାନ୍ତି। ଏଣୁ ବଡ଼ ଅବସ୍ଥାରେ ସେମାନେ ଖଟିବାର ବା କାର୍ଯ୍ୟ କରିବାର ଯେଉଁ ସାମର୍ଥ୍ୟ ହାସଲ କରିବା କଥା ତାହା କରିପାରି ନାହାନ୍ତି। ଏପରିକି ଯୁବ ଅବସ୍ଥାରେ ଯେଉଁମାନେ ପହଞ୍ଚିଛନ୍ତି, ସେ ପୁରୁଷ ହୁଅନ୍ତୁ ବା ନାରୀ, କିଛି ସମୟ ଖଟିଲା ପରେ ହାଲିଆ ହେବାର ଅନୁଭବ କରନ୍ତି। କାର୍ଯ୍ୟ କରିବା ପାଇଁ ଟିକେ ପ୍ରୋତ୍ସାହନ ନିମନ୍ତେ ପାନ ଖଣ୍ଡିଏ ଖାଆନ୍ତି ବା ସିଗାରେଟ୍ ଟାଣନ୍ତି ଅବା ମଝିରେ ମଝିରେ ନିଜକୁ ଷ୍ଟିମ୍ୟୁଲେଟ୍ କରିବା ପାଇଁ ଚା’ ବା କଫି ମଗାଇ ପି’ଥାନ୍ତି। କେତେକ କ୍ଷେତ୍ରରେ ଓଡ଼ିଶାର ଅନେକ ଲୋକ ଘରକୁ ଫେରି ଅନୁଭବ କରୁଥିବା ହାଲିଆ ଭାବରୁ ମୁକ୍ତି ପାଇଁ ଅନାବଶ୍ୟକ ସ୍ଥଳେ ମଦ୍ୟପାନ କରିଥାନ୍ତି।
ଏ ସମସ୍ତ କଥା ଆମେ ଜାଣିଛେ। ତା’ ସତ୍ୱେ ଶକ୍ତି ଓ ସାମର୍ଥ୍ୟହୀନ ମଣିଷମାନଙ୍କ ଉପରେ ଅଧିକ କାର୍ଯ୍ୟ ଠେଲିଦେବା କେତେଦୂର ସମୀଚିନ ତାହା ବିଚାର କରିବାର ଥିଲା। ଅଧିକନ୍ତୁ, ଆମେ ଦେଖିଆସୁଛେ ଯେ, ଏଇ ଗତ କିଛି ବର୍ଷ ହେବ କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ଅନେକ ଯୁବ ପ୍ରତିଭା ମାନସିକ ଅଶାନ୍ତି ଓ ଦୁଃଶ୍ଚିନ୍ତା ହେତୁ ପାରିବାରିକ ସଂକଟର ସମ୍ମୁଖୀନ ହେଉଛନ୍ତି ଓ ବେଳେବେଳେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ସଦ୍ୟ ପ୍ରକାଶିତ ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ଦେଶରେ ଗତ ୨୦୨୩ ମସିହାରେ ୧ ଲକ୍ଷ ୭୧ ହଜାର ୪୧୮ ଜଣ ଆତ୍ମହତ୍ୟା କରିଛନ୍ତି। ଏହାର ମୁଖ୍ୟ କାରଣ ଭାବେ ସ୍ୱାସ୍ଥ୍ୟଗତ ସମସ୍ୟା ବୋଲି ଦର୍ଶାଯାଇଛି। ଉକ୍ତ ତଥ୍ୟରେ ଦର୍ଶାଯାଇଛି ଯେ, ଗତ ୧୦ ବର୍ଷ ମଧ୍ୟରେ ୨୦%ରୁ ଉର୍ଦ୍ଧ୍ୱ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସମସ୍ତ କଥା ମୋଟାମୋଟି ଭାବରେ ଦେଖିଲେ, ଲୋକମାନେ ଅଧିକ ପଇସା ଆଶାରେ ବେଶୀ ସମୟ ଖଟିପାରନ୍ତି। କିନ୍ତୁ ସେହି ସମୟରେ ତାଙ୍କଠାରୁ ଯେଉଁ ଉତ୍ପାଦନ ମାଲିକ ଆଶା କରିଥାଏ ତାହା ମିଳେନାହିଁ।
ଆମେ ଲକ୍ଷ୍ୟ କରିଛୁ ଯେଉଁ ଶ୍ରମିକ ଦଳ ପ୍ରଥମ ୪ ଘଣ୍ଟାରେ ଟ୍ରେନରେ ଯେତେ ବସ୍ତା ଲୋଡ଼ କରିଥାନ୍ତି ପରବର୍ତ୍ତୀ ୪ ଘଣ୍ଟାରେ ସେଥିରୁ ୩୦% କରିବାରେ କଷ୍ଟ ଅନୁଭବ କରନ୍ତି। ସବୁ କାର୍ଯ୍ୟରେ ଏହିପରି ଅବସ୍ଥା ଲକ୍ଷ୍ୟ କରିବା କଥା। ଆମ ରାଜ୍ୟ ଓଡ଼ିଶାରେ ଜଣେ ପ୍ରଭାବୀ ବିଦ୍ୱାନ ବ୍ୟକ୍ତି ସରିତ ରାଉତ ତାଙ୍କ ସଂପାଦିତ ପୁସ୍ତକ ‘ଇକୋନୋମିକ୍ ହେଲ୍ଥି ଇଣ୍ଡିଆ’ରେ ଭାରତ ଓ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କିପରି ଆମ ରାଜ୍ୟ କେତେ କ୍ଷତିରେ ରହିଛି ସେ ସମ୍ପର୍କରେ ବିସଦ ଭାବରେ ଆଲୋଚନା କରିଛନ୍ତି। ଉତ୍ତମ ସ୍ୱାସ୍ଥ୍ୟ ଉତ୍ପାଦନ ହ୍ରାସ କରାଇନଥାଏ। ଗୋଟିଏ ସମୟରେ ୧୯୩୬ ମେଲେରିଆ ଯୋଗୁଁ ସମଗ୍ର ବିଶ୍ୱରେ ଏକ ହଜାର କୋଟି ଟଙ୍କାର ଉତ୍ପାଦନ ହ୍ରାସ ଘଟିବାର କଥା ସିଣ୍ଟନ ଏକ ହିସାବରେ ଦର୍ଶାଇଥିଲେ। ଏ କଥା ଶ୍ରୀ ରାଉତଙ୍କ ସଂପାଦିତ ପୁସ୍ତକ ହେଲ୍ଥେ ଇକୋନୋମି ଏନ୍ ଇଣ୍ଡିଆର ପୃଷ୍ଠା ୧୪୨ରେ ଦର୍ଶାଯାଇଛି। ସେ ଆଲୋଚନା ଦେଖିଲେ ଆମ ରାଜ୍ୟର ଲୋକମାନେ ୯-୧୦ ଘଣ୍ଟା ଧରି ଦୈନିକ ଖଟିବା ବା ତାଙ୍କଠାରୁ ପଇସାର ଲୋଭ ଦେଖାଇ (ଅଧିକ କାମ ପାଇଁ ଦୁଇଗୁଣ ମୂଲ୍ୟ) ତାଙ୍କୁ ଖଟାଇବା ଭୁଲ ହେବ।
ଏପରି କଲେ ଅପ୍ରାପ୍ତ ବୟସରେ ସେମାନେ ବିଭିନ୍ନ ରୋଗର ଆକ୍ରାନ୍ତ ହେବାର ସମ୍ଭାବନା ଅଛି। ଏହି ଲେଖକଙ୍କର ଶ୍ରମିକଙ୍କ ସହ କାର୍ଯ୍ୟ କରିବା ଏକ ବଡ଼ ଅନୁଭୂତି ହେଉଛି ପାରାଦ୍ୱୀପ, ତାଳଚେର, ଅନୁଗୁଳ ଆଦିରେ ଖଟୁଥିବା ଶ୍ରମିକମାନେ ଆପାତତଃ ୬୫ ବର୍ଷରୁ ହାରାହାରି ଅଧିକ ବଞ୍ଚୁନାହାନ୍ତି। ଅଥଚ ସେହି ସମୟରେ ଭୁବନେଶ୍ୱରରେ ଥିବା ବ୍ୟକ୍ତିମାନଙ୍କର ବୟସ ହାରାହାରି ୭୫ରୁ ଉର୍ଦ୍ଧ୍ୱ ଥିବାର ଦେଖାଯାଉଛି। ଏ ସମସ୍ତ କଥା ବିଚାରକୁ ନେଲେ ବର୍ତ୍ତମାନ ସରକାରଙ୍କର ଗରିବ, ମୂଲିଆ ଓ ମଜୁରୀଆ ମାରଣ ନୀତି ସ୍ପଷ୍ଟ ହୋଇଛି। ଖଟିଖିଆ, ମେହନତୀ ଜନଗଣଙ୍କୁ ଅକାଳରେ ରୁଗ୍ଣଆ କରି ମୃତ୍ୟୁ ମୁଖକୁ ଠେଲିଦେବା ସାର ହେଉଛି।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
