ଖୁସିର ସମ୍ବାଦ ଯେ ରାଜନୀତିରେ ପାଦ ଥାପିବା ପୂର୍ବରୁ ଦୀର୍ଘ ଦିନ ଧରି ବିଦେଶରେ ଘୂରି ବୁଲୁଥିବା ଶ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ପ୍ରବେଶ ପରଠାରୁ ଗତ ୨୩ ବର୍ଷର ଶାସନ କାଳରେ କାଁ ଭାଁ ଥରେ ଅଧେ ବିଦେଶ ଗସ୍ତରେ ଯାଇଥିବା ଦେଖାଯାଏ। ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ୨୦୧୨ ମସିହାରେ ବିଦେଶ ଗସ୍ତରେ ଥିବା ବେଳେ ରାଜ୍ୟରେ ଏକ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ପ୍ରଚାରିତ ହେଲା। ତାଙ୍କର ବିଶ୍ୱସ୍ତ ରାଜ୍ୟସଭା ସଦସ୍ୟ ପ୍ରାକ୍ତନ ପ୍ରଶାସକ ପ୍ୟାରୀ ମୋହନ ମହାପାତ୍ର କୁଆଡ଼େ କ୍ଷମତା ଦଖଲ ପାଇଁ ନବୀନବାବୁଙ୍କ ଅନୁପସ୍ଥିତିରେ ଚକ୍ରାନ୍ତ କରିଥିଲେ ବୋଲି କିଛି ଗଣମାଧ୍ୟମ ପ୍ରଚାର କରିଥିଲେ। ଅସ୍ଥିର ହୋଇ ଫେରି ଆସିଥିଲେ ନବୀନବାବୁ। ତା’ପରେ ବୋଧହୁଏ ଥରେ ୟୁଏଇ ଏବଂ ଏଥର ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯାଇଥିଲେ। ଏଥର ସିଙ୍ଗାପୁର ଓ ଜାପାନ ଗସ୍ତରେ ଯାଇଥିଲେ।
ଏଥର ଗସ୍ତର କାରଣ ମୁଖ୍ୟତଃ ବିଦେଶୀ ପୁଞ୍ଜି ନିବେଶକାରୀ ଓ କିଛି ନାମକରା କମ୍ପାନୀକୁ ଓଡ଼ିଶା ମାଟିକୁ ନିମନ୍ତ୍ରଣ କରି ଆଣିବା ଓ ଓଡ଼ିଶାବାସୀଙ୍କ ମଧ୍ୟରେ ୨୦୨୪ ନିର୍ବାଚନ ପୂର୍ବରୁ ଏକ ବିରାଟ ଆଶ୍ୱାସନା ଭରିବା। ବଡ଼ କମ୍ପାନୀ ଆଣିବେ, ବଡ଼ ପୁଂଜି ବିନିଯୋଗ ହେବ ଏବଂ ଅନେକ ନିଯୁକ୍ତି ସୃଷ୍ଟି ହେବ। ଏହା ହିଁ ଆଶ୍ୱାସନାର ମୂଳ କଥାବସ୍ତୁ। ଏଥିସହିତ ରାଜ୍ୟରେ ଗଚ୍ଛିତ ଅବ୍ୟବହୁତ ଖଣିଜ ସମ୍ପଦର ବିନିଯୋଗ ପର୍ବ ଯୋଡ଼ିହେବ। ଏହି ଅବସରରେ ପ୍ରଥମେ ନିହାନ - ଉତ୍କଳ ଆଇ.ଆଇ.ଆଇଟି ଭୁବନେଶ୍ୱର ମଧ୍ୟରେ ଦକ୍ଷତା ବିକାଶକୁ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଜାପାନରେ ମୁଖ୍ୟମନ୍ତ୍ରୀଙ୍କ ସହ ପାଖାପାଖି ୨୦୦ରୁ ଅଧିକ ପୁଞ୍ଜି ନିବେଶକ ଓ ଶିଳ୍ପପତିଙ୍କର ସାକ୍ଷାତ ଆଲୋଚନା ହୋଇଥିଲା। ଏଥିସହିତ ବିଶ୍ୱର ଅନ୍ୟତମ ଇସ୍ପାତ ଶିଳ୍ପ ଉଦ୍ୟୋଗୀ ନିପନ୍ ସହ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା ହୋଇଛି। ଏହି ଇସ୍ପାତ ଶିଳ୍ପ ପ୍ରତିଷ୍ଠା ସର୍ବବୃହତ୍ତମ ହେବ ବୋଲି ଆକାଶବାଣୀ ହୋଇଛି। ଏହା ୩୦ ନିୟୁତ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତାପ୍ରାପ୍ତ କାରଖାନା ହେବ ଏବଂ ଭାରତୀୟ କମ୍ପାନୀ ଆର୍ସେଲ ମିତ୍ତଲ ସହିତ ମିଳିମିଶି କାରଖାନା ପ୍ରତିଷ୍ଠିତ ହେବ। ସମସ୍ତେ ଅବଗତ ଅଛନ୍ତି ଯେ ପୂର୍ବରୁ ଆର୍ସେଲର ମିତ୍ତଲ ଓ ନିପ୍ପନ କମ୍ପାନୀ ମିଶି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଦୁଇ ଜିଲ୍ଲାରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। କୌଣସି କାରଣରୁ ଏହା ଧିମେଇ ଯାଇଥିବାରୁ ଲୋକଙ୍କ ଭିତରେ ବିଶ୍ୱାସ ପୁନର୍ଜୀବୀତ କରାଇବା ପାଇଁ ଜାପାନ ଗସ୍ତ କରାଯାଇଥିବା ଅନେକ ମନେ କରନ୍ତି। ଜାପାନର ଏହି କମ୍ପାନୀ ସହିତ ରାଜ୍ୟ ସରକାରଙ୍କର ଏକ ସ୍ୱତନ୍ତ୍ର ଆଲୋଚନା ଓ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ତେବେ ଏଥରର ଜାପାନ ଗସ୍ତ ସେହିସବୁ ଚୁକ୍ତିର ନବୀକରଣର ଆବଶ୍ୟକତା କାହିଁକି ଉଠିଲା ବୋଲି ଅନେକ ପ୍ରଶ୍ନ କରନ୍ତି।
ଅନେକଙ୍କର ସ୍ମରଣ ଥିବ ଯେ ଆଗରୁ ଏ ରାଜ୍ୟରେ ମିତ୍ତଲ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଆସି କାର୍ଯ୍ୟ କରିବା ପୂର୍ବରୁ ଫେରି ଯାଇଥିଲା ଏବଂ ପରାଦ୍ୱୀପଠାରେ କୋରିଆର ପୋସ୍କୋ କମ୍ପାନୀ ମଧ୍ୟ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରି ନପାରି ଫେରି ଯାଇଛି। ଅନେକ ଉସ୍ପାତ ଶିଳ୍ପ ଯାଜପୁର କଳିଙ୍ଗ ନଗରରୁ ହେଉ ଅବା ପାରାଦ୍ୱୀପର ଏସଏସ୍ଆର କମ୍ପାନୀ ହେଉ ଅସଫଳ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। କାରଖାନା ପ୍ରତିଷ୍ଠାର ସ୍ୱପ୍ନ ବାଣ୍ଟିବା ଅନେକବାର ମିଳେଇ ଯାଇଛି।
ମୁଖ୍ୟମନ୍ତ୍ରୀ ବା ତାଙ୍କ ସରକାର ପୂର୍ବରୁ ଯେତେଥର ବିଦେଶ ଗସ୍ତ କରି ଅବା ଦେଶ ଭିତରେ ବମ୍ବେ, ବାଙ୍ଗାଲୋର ଯାଇ ରୋଡ଼ ସୋ କରିଥିଲେ, ଅନେକ ପୁଞ୍ଜି ବିନିଯୋଗ ଶିଳ୍ପାନୁଷ୍ଠାନରେ ହଜାର ହଜାର ଯୁବକ ନିଯୁକ୍ତି ପାଇବେ ବୋଲି ଶୁଣାଇ ଥିଲେ। ସେସବୁ କୁଆଡ଼େ ମିଳେଇ ଯାଇଛି। ସେସବୁର କିଂଚିତ୍ ଅଂଶ କାର୍ଯ୍ୟକାରୀ ହୋଇନାହିଁ। କେବଳ ଖଣିଜ ସଂପଦ ଭିତ୍ତିକ କିଛି କାରାଖାନାର ସଂପ୍ରସାରଣ କେତେକାଂଶରେ ସମ୍ଭବ ହୋଇଥିଲା। ଏହିସବୁ ପ୍ରୟାସ ପ୍ରଚାର ପ୍ରସାର ବିଶେଷତଃ ୨୦୧୪, ୨୦୧୯ ନିର୍ବାଚନ ପୂର୍ବରୁ ହୋଇଥିଲା। ଏହା କେତେଦୂର ଅଗ୍ରଗତି କରିଛି ସେ ସଂପର୍କରେ ସରକାର ଓ ରାଜ୍ୟବାସୀ ଅବଗତ ଅଛନ୍ତି। ସେହିସବୁକୁ ଲକ୍ଷ୍ୟକରି ଅନେକ ମନେ କରନ୍ତି ଯେ ଏଥର ମଧ୍ୟ ପୂର୍ବର ଅବସ୍ଥା ଭୋଗିବାକୁ ହେବ। ତଥାପି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ବିଦେଶ ଭ୍ରମଣ ତଥା ବେପାରୀ, ଶିଳ୍ପପତିଙ୍କୁ ନିମନ୍ତ୍ରଣ ଅନେକଙ୍କ ମନରେ ଖୁସିର ଚର୍ଚ୍ଚା ବଣ୍ଟା ଚାଲିଛି।
ଏହି ସମୟରେ ଅନ୍ୟ ଏକ ବଡ଼ ଦୁଃଖକର ସମ୍ବାଦଟିଏ ମଧ୍ୟ ସାମନାକୁ ଆସିଛି। ଗରିବଠାରୁ ଧନୀ ସମସ୍ତଙ୍କ ମୁଖରୁଚୀ ବର୍ଦ୍ଧକ ଲୁଣ ଟିପେ ବି ଏ ରାଜ୍ୟରେ ଉତ୍ପାଦନ ହେଉନି। ରାଜ୍ୟରେ ପଶୁମାନଙ୍କ ପାଇଁ ଖାଦ୍ୟ ଉପଯୋଗୀ ସମୁଦ୍ର ପ୍ରସ୍ତୁତ ୩ ହଜାର ୪୦୦ ମେଟ୍ରିକ୍ ଟନ ଲୁଣ ଆମଦାନୀ ହୋଇଥାଏ। ଏକଦା ଭାରତ ଇତିହାସରେ ‘ଲୁଣ’ ଗାନ୍ଧୀ ଗୋପବନ୍ଧୁଙ୍କ ରାଜ୍ୟ ଗୁଜୁରାଟ, ଓଡ଼ିଶାରେ ଉତ୍ପାଦିତ ହୋଇ ଦେଶ ଭିତରେ ଓ ବିଦେଶକୁ ଯାଉଥିଲା। ଲୁଣକୁ ନେଇ ଗୋଟିଏ ସମୟରେ ବିଶେଷ ଔପନିବେଶିକ ଶାସନ ବିରୁଦ୍ଧରେ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି ଲୁଣମରା ଆନ୍ଦୋଳନ ଭାରତର ମୁକ୍ତି ସଂଗ୍ରାମ ଇତିହାସରେ ବିଶେଷ ଅଧ୍ୟାୟ ସୃଷ୍ଟି କରିଥିଲା। ଏବେ ରାଜ୍ୟର ଆବଶ୍ୟକ ସମସ୍ତ ୭ ଲକ୍ଷ ଟନ୍ ଲୁଣ ଗୁଜୁରାଟ, ତାମିଲ୍ନାଡ଼ୁ, ପୁଡ଼ୁଚେରୀରୁ ଆସୁଛି। ରାଜ୍ୟର ଉତ୍ପାଦନ ପ୍ରାୟ ବନ୍ଦ ହୋଇଯାଇଛି। ରାଜ୍ୟରେ ପ୍ରକୃତିଦତ୍ତ ସମୁଦ୍ର ତଟଭୂମି ୪୮୦ କି.ମି. ସ୍ଥଳ ଭାଗରେ ଏବେ ଲୁଣ ମାରିବା ବ୍ୟବସ୍ଥା ଲୋପ ପାଇଯାଇଛି। ଟାଟା କମ୍ପାନୀ ପ୍ରସ୍ତୁତ ଆଇଓଡ଼ାଇଜଡ୍ ଯୁକ୍ତ ପ୍ୟାକେଟ୍ ଲୁଣ ସଂପୂର୍ଣ୍ଣ ବଜାର ଦଖଲ କରିଛି। ଟାଟା ଏ ରାଜ୍ୟର ମୂଲ୍ୟବାନ ଖଣିଜ ପଦାର୍ଥ ନେଇ ନିଜର ସଂପତ୍ତି ବୃଦ୍ଧି କରିଥିବାବେଳେ ରାଜ୍ୟବାସୀଙ୍କ ପ୍ରତି ଏପରି ଅବହେଳାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାରେ ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ଉପକୂଳ ଥିବାବେଳେ ୧୧ ବର୍ଗ କିଲୋମିଟର ପରିମିତ ଲବଣାକ୍ତ ହ୍ରଦ ଚିଲିକା ରହିଛି। ପ୍ରକୃତିଦତ୍ତ ଏହି ସଂପଦଭରା ଜଳରାଶିକୁ ବ୍ୟବହାର କରିପାରିଲେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଲୁଣ ଆମଦାନୀ ହେଇପାରନ୍ତା। ମରାଯାଉଥିବା ଲୁଣକୁ ମୂଲ୍ୟଯୁକ୍ତ ତଥା ଶିଳ୍ପ, ପଶୁ, ମଣିଷଙ୍କର ଆବଶ୍ୟକତା ପୂରଣରେ ସହାୟକ ହୁଅନ୍ତା।
ଏକତରଫରେ ବିଦେଶରେ ବୁଲି ନିଜ ମାଟିତଳ ସଂପଦ ଦେଖାଇ ମାଟିଝଡ଼ା କାରଖାନା ବସାଇବାର ଉଦ୍ୟମ ଚାଲୁଥିବାବେଳେ ଅନ୍ୟପଟରେ ସମସ୍ତଙ୍କର ଆବଶ୍ୟକ ଲୁଣ ପାଇଁ ଅନ୍ୟ ରାଜ୍ୟର କାରଖାନା ଉପରେ ନିର୍ଭରଶୀଳ ହେବା ଫଳରେ ପ୍ରତିଦିନ ରାଜ୍ୟରୁ କୋଟି କୋଟି ଟଙ୍କା ବାହାରକୁ ଚାଲିଯାଉଛି। ଔପନିବେଶୀୟ ଲୁଣ୍ଠନ ପୂର୍ବଠାରୁ ଅଧିକ ବୃଦ୍ଧି ପାଇବାରେ ଲାଗିଛି। ଆମେ ଦେଖୁଛେ, ଚାହିଁ ରହିଛେ। ସମ୍ବାଦ-ବିସମ୍ବାଦର ଚର୍ଚ୍ଚା ଭିତରେ ଅନେକ ଯନ୍ତ୍ରଣା ଚିନ୍ତାଶୀଳ ନାଗରିକଙ୍କୁ ବ୍ୟଥିତ ନିଶ୍ଚୟ କରୁଛି।
ପଞ୍ଚାନନ କାନୁନ୍ଗୋ, ପୂର୍ବତନ ଅର୍ଥମନ୍ତ୍ରୀ
ଫୋ- ୯୪୩୮୩୬୦୮୪୯
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।