/odisha-reporter/media/post_attachments/uploads/2021/09/5bn-1.jpg)
5bn
ଦେବେନ୍ଦ୍ର ପୃଷ୍ଟି
ଏଇ କେଇ ଦିନ ଭିତରେ ଗୋଟିଏ ବଡ଼ ଖବର ସମସ୍ତଙ୍କ ନଜରକୁ ଆସିଥିବ। କିନ୍ତୁ ଏହା ଏକ ଛୋଟ ପ୍ରସଙ୍ଗ ହୋଇ ରହିଗଲା। ପ୍ରସଙ୍ଗଟି ହେଉଛି ଆଇପିଏସ ଅଫିସର ଏନବି ଭାରତୀଙ୍କ ନିଖୋଜ ଖବର। ଓଡ଼ିଶା ସରକାର ତାଙ୍କର ଠା ଠିକଣା ପାଉ ନାହାନ୍ତି। ସେ ବି ସରକାରଙ୍କୁ କିଛି ଜଣାଉ ନାହାନ୍ତି। ତେଣୁ ସେ ବଞ୍ଚିଛନ୍ତି କି ମରିଛନ୍ତି, ତାଙ୍କୁ କୌଣସି ମାଫିଆ ହତ୍ୟା କରିଛି କି ସେ ସଂସାର ମାୟା ତୁଟାଇ ସନ୍ନ୍ୟାସିନୀ ହୋଇଯାଇଛନ୍ତି, ଏଯାଏଁ କିଛି ଜଣାପଡ଼ି ନାହିଁ।
ଓଡ଼ିଶା ପୁଲିସ ସେବାରେ ଏନବି ଭାରତୀ କୌଣସି ତଳସ୍ତରିଆ ଚୌକିଆ କି ଅର୍ଦ୍ଦଳି ନୁହନ୍ତି। ସେ ୧୯୯୮ ବ୍ୟାଚ୍ର ଜଣେ ଆଇପିଏସ ଅଫିସର। ଓଡ଼ିଶା ଶାସନରେ ତାଙ୍କର ଶେଷ ପଦବୀ ହେଉଛି ଇନିସପେକ୍ଟର ଜେନେରାଲ ଏରଆରପିସି ଅର୍ଥାତ ଓଡ଼ିଶା ପୁଲିସରେ ଥିବା ମାନବାଧିକାର ସୁରକ୍ଷା ପ୍ରକୋଷ୍ଠର ଆଇଜି ପାହ୍ୟା।
ଏବେ ଖବର ପ୍ରକାଶ ପାଇଛି ଯେ ସେ ଦୁଇ ବର୍ଷ ହେଲା ନିଖୋଜ। ରାଜ୍ୟ ପୁଲିସ ପ୍ରଶାସନ ତାଙ୍କର କିଛି ଠା ଠିକଣା ପାଉନି। କି ଆଶ୍ଚର୍ଯ୍ୟ କଥା! ଏତେ ବଡ଼ ପୁଲିସ ଅଫିସର! ଏତେ ବଡ଼ ପଦ! ଦି’ ବର୍ଷ ହେଲା ନିଖୋଜ ଅଥଚ ସରକାର ତାଙ୍କୁ ଖୋଜିବାକୁ ଯଥାବିଧି ତଦନ୍ତ ଆରମ୍ଭ ନକରି ନୋଟିସ ପଠାଉଛନ୍ତି! ସରକାର କହୁଛନ୍ତି, ଭାରତୀଙ୍କ ସମସ୍ତ ଜଣା ଠିକଣାରେ ନୋଟିସ ପଠାଯାଇଥିଲା, ଫେରି ଆସିଲା। ତାଙ୍କ ଇମେଲ୍ ଠିକଣାରେ ନୋଟିସ ଗଲା ସେ ପାଇଲେ କି ନାହିଁ ଜଣାପଡ଼ିଲାନି। ତେଣୁ ଏବେ ସରକାର ଖବରକାଗଜରେ ସାଧାରଣ ନୋଟିସ ଦେଇଛନ୍ତି। କୁହାଯାଇଛି ସେ ଯେଉଁଠିଥିଲେ ବି ୨୦୨୧ ଅକ୍ଟୋବର ୨୦ ତାରିଖ ଦିନ ଆସି ହାଜର ହୁଅନ୍ତୁ।
କହିଲେ ଦେଖି, ସେ ଯଦି ଆମର କି ଆପଣଙ୍କର ଝିଅ ହୋଇଥାନ୍ତେ... ଆମେ କ’ଣ ଏଯାଏଁ ଚୁପ୍ ବସିଥାନ୍ତେ? ଥାନାରେ ଏତଲା ଦେଇ ନଥାନ୍ତେ? ଏତେ ଲୋକ ସେମାନଙ୍କ ନିଜ ଲୋକଙ୍କ ନିଖୋଜ ହେବା ନେଇ ଥାନାରେ ଏତଲା ଦେଉଛନ୍ତି, ଏତଲା ଦେଲା ପରେ ପୁଲିସ ତଦନ୍ତ କରୁଛି, କେଉଁଠି ଶୀଘ୍ର କେଉଁଠି ବିଳମ୍ବରେ ହଜିଲା ଲୋକ ମିଳି ଯାଉଛନ୍ତି। କେତେକ ସ୍ଥଳେ ଅବଶ୍ୟ ତଦନ୍ତ ସରୁନାହିଁ କି ହଜିଲା ଲୋକର ଠାବ ମିଳୁନାହିଁ। ଆମ ପୁଲିସ ପ୍ରଶାସନରେ ଚାଲିଥିବା ପାତରଅନ୍ତର ନୀତି ନେଇ ଯାହାର ଯେତେ ପ୍ରଭାବ ତାଙ୍କର କେହି ନିଖୋଜ ହେବା ଘଟଣା ସେତେ ଅଧିକ ଚର୍ଚ୍ଚିତ ଓ ପୁଲିସର ସେତେ ଅଧିକ ତନାଘନା। ତେବେ ଲୋକେ ନିଖୋଜ ହେଲେ ପୁଲିସ ଖୋଜେ, ପୁଲିସ ନିଖୋଜ ହେଲେ ଖୋଜିବ କିଏ? ସରକାର ଭାବୁଛନ୍ତି କି ଲୋକେ?
ଆଇପିଏସ ଅଫିସର ଏନବି ଭାରତୀଙ୍କର ମାଲିକ ହେଲେ ଓଡ଼ିଶା ସରକାର। ନିର୍ଦ୍ଦିଷ୍ଟ ଭାବରେ ଓଡ଼ିଶାର ଗୃହ ବିଭାଗ। ଗୃହ ବିଭାଗର ସର୍ବୋଚ୍ଚ କର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯିଏ ସମଗ୍ର ଓଡ଼ିଶାକୁ ନିଜର ପରିବାର ବୋଲି ପ୍ରଚାର କରନ୍ତି। ମୋ ପରିବାର, ମୋ ସରକାର ପରି ପ୍ରଚାର ଅଭିଯାନ ଚଳାନ୍ତି। ତାଙ୍କ ତଳେ ଅଛନ୍ତି ଗୃହ ସଚିବ, ତାଙ୍କ ତଳେ ପୁଲିସ ମହାନିର୍ଦ୍ଦେଶକ ବା ଡିଜି, ଡିଜିଙ୍କ ତଳେ ଏଡିଜି। ଏନବି ଭାରତୀଙ୍କ ଉପରେ ଗଣିଲେ ଏମିତି ତିନି ଚାରି ଜଣ ଅଧିକାରୀ ଓ ମନ୍ତ୍ରୀ ରହିଥିବେ। ଦି ବର୍ଷ ହେଲାଣି କେହି ତାଙ୍କର ଖୋଜଖବର ନେଲେନି କାହିଁକି? ସେ ଯଦି ଦି ବର୍ଷ ହେଲା ନିଖୋଜ ତେବେ ରାଜ୍ୟ ପୁଲିସରେ ରାଜ୍ୟର ମାନବାଧିକାର ସୁରକ୍ଷା କଥା ବୁଝିଥିଲେ କିଏ? ନା ଅନେକ କ୍ଷେତ୍ରରେ ମାନବାଧିକାର ଉଲ୍ଲଙ୍ଘନ ନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟ ଥିଲା? ଏମିତି ଅନେକ ପ୍ରଶ୍ନ ଉଠିପାରେ।
ସେ ଅଫିସକୁ ଯେଉଁ ଦିନଠାରୁ ଆସୁ ନଥିବେ ସେହି ଦିନଠାରୁ ଏହା ତାଙ୍କର ସହକର୍ମୀ ଓ ହାକିମମାନଙ୍କୁ ଜଣାଥିବ। ସେମାନେ ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ? ସେ ଦି ବର୍ଷ ହେଲା ନିଖୋଜ ଥିଲେ ବି ତାଙ୍କ ବ୍ୟାଙ୍କ ଖାତାରେ ଦରମା ଟଙ୍କା ଜମା ହୋଇଛି କି? ସେ ନିଖୋଜ ନା ଅପହୃତ? ମୃତ ନା ଜୀବୀତ? ଧରନ୍ତୁ ସେ ଜଣେ ପୁଲିସ ଅଧିକାରୀ ନୁହନ୍ତି, ଜଣେ ବିଧାୟକ କି ମନ୍ତ୍ରୀ.. ତା ହେଲେ? କଥା କ’ଣ ଏମିତି ଚୁପଚାପ ରହିଥାନ୍ତା?
ଯେଉଁ ସରକାର ଏଭଳି ଜଣେ ଉଚ୍ଚ ପଦସ୍ଥ ମହିଳା ଆଇପିଏସ ଅଧିକାରୀଙ୍କ ପତ୍ତା ଓ ନିରାପତ୍ତା ନେଇ ଦି ବର୍ଷ ହେଲା କୌଣସି ତନାଘନା କରିନାହାନ୍ତି ସେହି ସରକାର କେମିତି ନୟାଗଡ଼ର ପରୀ, କୁନ୍ଦୁଲିର କନ୍ୟା, ପିପିଲିର ବେବିନା, ଧର୍ମଶାଳାର ସ୍ମିତା ଓ ଅନ୍ୟ ବହୁ ଅଞ୍ଚଳର ମିତା, ମମତା ଆଦି ଝିଅମାନଙ୍କ କଥା ବୁଝିଥିବେ ଏଇଥିରୁ ଅନୁମେୟ। ଆଉ ଯଦି ଏହା ହୋଇପାରେ ଯେ ଏନବୀ ଭାରତୀ ନିଜର କୌଣସି ବ୍ୟକ୍ତିଗତ କାରଣରୁ ଅଫିସ ଆସୁ ନାହାନ୍ତି ତେବେ, ସରକାର ଏଯାଏଁ ତାଙ୍କୁ ଚାକିରିରେ ରଖିଛନ୍ତି କାହିଁକି? କେଉଁ ମୋହବତରେ? ତାଙ୍କ ବାବଦରେ ଯାହା ଖର୍ଚ୍ଚ ହେଉଥିବ ତାହା କ’ଣ ଡିଜି, ସଚିବ ବା ମନ୍ତ୍ରୀ ତାଙ୍କ ଘରବାଡ଼ି ବିକି ଦେଉଛନ୍ତି? ତାହା ତ ଲୋକଙ୍କର ଟିକସ ଟଙ୍କା। ଲୋକେ ତ ହେଲେ ସରକାରଙ୍କ ମାଲିକ। ମାଲିକଙ୍କର ଝାଳବୁହା ଟଙ୍କାକୁ ଏମିତି ବଦଖର୍ଚ୍ଚ କରିବାକୁ କିଏ କାହାକୁ ଅନୁମତି ଦେଲା?
ଏକଥା ଟିକେ ଭାବନ୍ତୁ। ଆମ ସରକାର କେମିତି ଚାଲିଛି? କେମିତି ଲୋକଙ୍କ ଟଙ୍କା ବରବାଦ ହେଉଛି? କେମିତି ଲୋକଙ୍କ ସେବା ପାଇଁ ନିଯୁକ୍ତ ନେତା ଓ ବାବୁମାନେ ଫୁଲାଫାଙ୍କିଆ କାମ କରି ଲକ୍ଷଲକ୍ଷ ଟଙ୍କା ଦରମା ନଉଛନ୍ତି? ଆଇପିଏସ ଏନବି ଭାରତୀ ନିଖୋଜ ହେବା ଘଟଣା ସରକାରଙ୍କ ପାଇଁ ଛୋଟ କଥାଟିଏ ହୋଇପାରେ, କିନ୍ତୁ ତାଙ୍କୁ ଦି ବର୍ଷ ଧରି ନଖୋଜିବା ଓ ଚାକିରିରେ ବରକରାର ରଖିବା ନିଶ୍ଚୟ ଏକ ବଡ଼ ଅବହେଳା। ସେ ଯଦି କୌଣସି ଘରୋଇ କମ୍ପାନୀରେ ଚାକିରି କରିଥାନ୍ତେ ତେବେ ଆଜି ଯାଏଁ ତାଙ୍କ ଚାକିରି ଥାଆନ୍ତା କି?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
