କାହିଁକି ହେଲାନି 'ତିନଶୋ ସତର୍'?

ନିର୍ବାଚନ ଫଳାଫଳ ଉପରେ ସମୀକ୍ଷା କରୁଥିବା ସମସ୍ତ ବିଶ୍ଳେଷକଙ୍କୁ ଚକିତ କରି ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଆସିଲା। ଭାରତୀୟ ଜନତା ପାର୍ଟି ଲୋକସଭାରେ 'ତିନଶୋ ସତର୍' କଥା ଛାଡ଼ନ୍ତୁ, ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ମଧ୍ୟ ବିଫଳ ହେଲା। ଆଉ ୩୨ଟି ଆସନ ପାଇ ଥିଲେ ଭାଜପାର ଆସନ ମ୍ୟାଜିକ୍ ସଂଖ୍ୟା ୨୭୨ରେ ପହଞ୍ଚି ପାରିଥାଆନ୍ତା।

BJP Electoral Symbol

  • Published: Monday, 08 July 2024
  • , Updated: 08 July 2024, 05:11 PM IST

ଜାନକୀଶ ବଡ଼ପଣ୍ଡା

ନିର୍ବାଚନ ଫଳାଫଳ ଉପରେ ସମୀକ୍ଷା କରୁଥିବା ସମସ୍ତ ବିଶ୍ଳେଷକଙ୍କୁ ଚକିତ କରି ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଆସିଲା। ଭାରତୀୟ ଜନତା ପାର୍ଟି ଲୋକସଭାରେ 'ତିନଶୋ ସତର୍' କଥା ଛାଡ଼ନ୍ତୁ, ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ମଧ୍ୟ ବିଫଳ ହେଲା। ଆଉ ୩୨ଟି ଆସନ ପାଇ ଥିଲେ ଭାଜପାର ଆସନ ମ୍ୟାଜିକ୍ ସଂଖ୍ୟା ୨୭୨ରେ ପହଞ୍ଚି ପାରିଥାଆନ୍ତା। ୨୦୧୯ ତୁଳନାରେ ୬୩ଟି ଆସନ ହରାଇଥିବା ଏହି ଜାତୀୟ ଦଳ ୨୦୨୪ ନିର୍ବାଚନରେ ୨୪୦ଟି ଆସନରେ ସୀମିତ ହୋଇ ରହିଗଲା। ଭାଜପା ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) 'ଚାରଶୋ ପାର୍' କରି ନପାରି ୨୯୩ ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହେଲା। ସମାଲୋଚକଙ୍କ ପୂର୍ବାନୁମାନକୁ ଭୁଲ ସାବ୍ୟସ୍ତ କରି ଇଣ୍ଡି ମେଣ୍ଟ, ବହୁତ ଭଲ ପ୍ରଦର୍ଶନ କରିଛି। ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଗଠବନ୍ଧନ ଯୁଗକୁ ଫେରିବାକୁ ଦେଶକୁ ବସ୍ତୁତଃ ବାଧ୍ୟ କରିଛି। ଭାଜପାକୁ ଏବେ ଏନଡିଏର ଦୁଇ ପ୍ରମୁଖ ସହଯୋଗୀ ଜନତା ଦଳ (ୟୁନାଇଟେଡ୍)ର ନୀତୀଶ କୁମାର ଏବଂ ତେଲୁଗୁ ଦେଶମ ପାର୍ଟିର ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଖୁସିରେ ଖୁସି ହୋଇ ସରକାର ଚଳାଇବାକୁ ପଡ଼ିବ।

ନିର୍ବାଚନ ପ୍ରଚାର କାଳରେ ଭାଜପା ଏକାକୀ ୩୭୦ ଆସନ ଓ ଏନଡିଏ ୪୦୦ ଆସନ ଅତିକ୍ରମ କରିବ ବୋଲି ଆସ୍ଫାଳନ କରିଥିଲା। ଏଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା, ମୋଦି ଲହର ଓ ମୋଦି ଗ୍ୟାରେଣ୍ଟି ପ୍ରତି ସମର୍ଥନ ଜଣାଇ ଦେଶର ଜନତା କାହିଁକି ଭାଜପାକୁ ଏକାକୀ ସରକାର ଗଢ଼ିବାକୁ ଜନମତ ଦେଲେନାହିଁ? ଏହି ନିର୍ବାଚନ ହେଉଛି ଏଭଳି ଏକ ବିରଳ ନିର୍ବାଚନ ଯାହାର ବିଭିନ୍ନ ଦିଗ ଉପରେ ଗବେଷଣା କରାଯିବା ଆବଶ୍ୟକ।

ଭାଜପା ୨୦୧୯ ନିର୍ବାଚନରେ ଉତ୍ତର ଭାରତରେ ୮୧ ପ୍ରତିଶତ ଆସନ ଏବଂ ପଶ୍ଚିମ ଭାରତରେ ୬୫ ପ୍ରତିଶତ ଆସନରେ ବିଜୟ ଲାଭ କରିବାର ଗୌରବ ଅର୍ଜନ କରିଥିଲା। ଏହାର ସହଯୋଗୀମାନେ ଏହି ଦୁଇ ଅଞ୍ଚଳରେ ଯଥାକ୍ରମେ ୧୪ ଏବଂ ୨୩ ପ୍ରତିଶତ ଆସନରେ ଜିତିଥିଲେ। ତେବେ ଏଥର ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ, ଗୁଜରାଟ, ହିମାଚଳ ପ୍ରଦେଶ, ଦିଲ୍ଲୀ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଝାରଖଣ୍ଡରେ ବିପକ୍ଷ ଦଳମାନେ ଏନଡିଏ ମେଣ୍ଟକୁ କ୍ଷତି ପହଞ୍ଚାଇବେ ବୋଲି ସମସ୍ତେ ଆଶଙ୍କା କରିଥିଲେ। ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ଏହି କ୍ଷତି ପୂରଣ କରିବାକୁ ଭାଜପା ଆଶା କରିଥିଲା। ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହୋଇସାରିଥିବାରୁ ଉତ୍ତର ପ୍ରଦେଶର ଆସନଗୁଡ଼ିକୁ ବଜାୟ ରଖିବ ବୋଲି ବଡ଼ ଆଶା କରିଥିଲା ଭାଜପା। ଦାକ୍ଷିଣାତ୍ୟ ରାଜ୍ୟରେ ବିଜେପିର ଖାତା ଖୋଲିବା ଆଶାରେ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁ ଏବଂ କେରଳରେ ବଡ଼ ଧରଣର ନିର୍ବାଚନ ଅଭିଯାନ ଚଳାଇଥିଲେ।

୨୦୧୪ରେ ଉତ୍ତର ଏବଂ ପଶ୍ଚିମ ଭାରତରେ ଭାଜପା ଚମତ୍କାର ପ୍ରଦର୍ଶନ କରିଥିଲା। କିନ୍ତୁ ୨୦୧୯ରେ ଭାଜପା ୨୦୧୪ରେ ଜିତିଥିବା ୨୮୨ ଆସନ ମଧ୍ୟରୁ ୩୪ଟି ଆସନ ଏନଡ଼ିଏର ସହଯୋଗୀ ଦଳମାନଙ୍କ ପାଇଁ ଛାଡ଼ିବାକୁ ପଡ଼ିଲା। ଏହି କ୍ଷତିକୁ ଭରଣା କରିଦେଇଥିଲେ ମୁଖ୍ୟତଃ ପଶ୍ଚିମ ବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ହରିୟାଣା ଏବଂ ତେଲଙ୍ଗାନା। ୨୦୧୯ ଧାରାକୁ ଦୃଷ୍ଟିରେ ରଖି ଭାଜପା ୨୦୨୪ରେ ନିଜର ୩୦୩ ଆସନ ମଧ୍ୟରୁ ୩୭ଟି ଆସନ ହରାଇବ ବୋଲି ଆଗୁଆ ଆଶଙ୍କା କରି ଅନ୍ୟ ଅଣ ପାରମ୍ପରିକ ରାଜ୍ୟଗୁଡ଼ିକରୁ ଆସନ ଜିତି କ୍ଷତିଭରଣା କରିବାକୁ ଆଶା କରିଥିଲା। ସବୁଠାରୁ ଖରାପ ପରିସ୍ଥିତିରେ ବି ଏକାକୀ ଭାଜପା ୨୬୬ ଆସନରେ ବିଜୟୀ ହେବ ବୋଲି ହିସାବ କରିଥିଲା। ଏହା ସଂଖ୍ୟା ଗରିଷ୍ଠତାର (୨୭୨) ନିକଟତର ଆସନ ସଂଖ୍ୟା। କିନ୍ତୁ ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗରେ ଆସନ ସଂଖ୍ୟା ବଢିବା ପରିବର୍ତ୍ତେ ହ୍ରାସ ପାଇଲା ଏବଂ ଭାଜପାକୁ ମାତ୍ର ୨୪୦ ଆସନରେ ସୀମିତ ରହିବାକୁ ବାଧ୍ୟ କଲା। ଭାଜପା ପାଇଁ ସମସ୍ୟା ଆହୁରି ଜଟିଳ ହୋଇଗଲା।

ଉତ୍ତର ପ୍ରଦେଶରେ କାହିଁକି ବିଜେପିର ଏଭଳି ଦୟନୀୟ ସ୍ଥିତି ସୃଷ୍ଟି ହେଲା? ଏହାର ଉତ୍ତର ହୁଏତ ଖୋଜିବାକୁ ପଡ଼ିବନି, କାହିଁକି ନା ଏହା ସ୍ପଷ୍ଟ ଦୃଶ୍ୟମାନ। ସେଠାରେ ଭାଜପା ନିଜ ଗୋଡ଼ରେ କୁରାଢ଼ୀ ମାରିଛି; ଯଦିଓ ମୋଦି-ଯୋଗୀ ଯୋଡ଼ି ଯଥା ସମ୍ଭବ ଉଦ୍ୟମ କରିଥିଲେ। କୁହାଯାଉଛି ଯେ, ଉପଯୁକ୍ତ ପ୍ରାର୍ଥୀ ଚୟନ କରା ଯାଇନଥିଲା। ଏହା ଲୋକପ୍ରିୟତା ହରାଇ ସାରିଥିବା ଅହଙ୍କାରୀ ସାଂସଦମାନଙ୍କୁ ପୁନର୍ବାର ପ୍ରାର୍ଥୀ କରିଥିଲା ବେଳେ ସମାଜବାଦୀ ପାର୍ଟି ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଶକ୍ତିଶାଳୀ ପ୍ରାର୍ଥୀ ଦେଇଥିଲା।

ଭାଜପା କେତେକ ସ୍ଥାନରେ ସ୍ଥାନୀୟ ଲୋକପ୍ରିୟ କର୍ମୀଙ୍କ ଉପରେ ଭରସା ନକରି ଆମଦାନୀକରା ନେତାଙ୍କୁ ପ୍ରାର୍ଥୀ କରିଥିଲା। ଫଳରେ ସ୍ଥାନୀୟ କର୍ମୀମାନେ ପ୍ରାର୍ଥୀଙ୍କ ପାଇଁ କାମ କରିନଥିଲେ। ଉତ୍ତର ପ୍ରଦେଶରେ ଦେଶର ଅନ୍ୟାନ୍ୟ ପ୍ରଦେଶ ଭଳି ନିଯୁକ୍ତି ବଡ଼ ପ୍ରସଙ୍ଗ ଥିଲା। ସୈନ୍ୟ ବାହିନୀରେ ଯୋଗଦେବାକୁ ଆଗ୍ରହୀ ଯୁବକମାନେ ଅଗ୍ନିବୀର ଯୋଜନା କାରଣରୁ ଅସୁଖୀ ଥିଲେ। ତହିଁରେ ପୋଲିସ୍ ଚାକିରୀ ପାଇଁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହେବାରୁ ଗାଁ ଯୁବକମାନେ ଅସନ୍ତୁଷ୍ଟ ହୋଇଗଲେ। ନିଯୁକ୍ତି ସୃଷ୍ଟି ପାଇଁ ଯୋଗୀ ସରକାର ବିଜ୍ଞାପନ ମଧ୍ୟ ଦେଉ ନଥିଲେ, ଯାହା ନିରାଶା ସୃଷ୍ଟି କଲା। ଲକ୍ଷ୍ୟଣୀୟ କଥାଟି ଥିଲା ହିନ୍ଦୁମାନଙ୍କ କମ୍ ମତଦାନ। ଭାଜପାର ନିଶ୍ଚିତ ବିଜୟ ଆଶାରେ ଅନେକ ହିନ୍ଦୁ ମତଦାନ କେନ୍ଦ୍ରକୁ ଗଲେ ନାହିଁ। ଅଥଚ ଇସଲାମୀୟ ଭୋଟର ପ୍ରାୟ 100 ପ୍ରତିଶତ ମତଦାନ କରିଥିଲେ। ସେମାନଙ୍କ ପରିବହନ ଖର୍ଚ୍ଚ ଉଠାଇଥିଲେ କଂଗ୍ରେସ ଏବଂ ଏସପି! ଜାତି ରାଜନୀତି ଏଥର କାମ କଲା। ସେଥିପାଇଁ ଗ୍ରାମୀଣ ଅଞ୍ଚଳରେ ଭାଜପା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି। ଯେଉଁଠି ହାରିଯାଇଛି, ସେଠାରେ ମତ ବ୍ୟବଧାନ ବହୁତ କମ।

ବିଜୟ ସମ୍ଭାବନା ଥିବା ଉପଯୁକ୍ତ ପ୍ରାର୍ଥୀଙ୍କୁ ଯୋଗୀ ଆଦିତ୍ୟନାଥ ବହୁତ ଭଲ ଭାବରେ ଜାଣିଥିଲେ। କେଉଁ ନେତାଙ୍କୁ ପ୍ରାର୍ଥୀ କରାଗଲେ ଭାଜପା ମତଦାତାଙ୍କ ବିଶ୍ୱାସ ଜିଣି ପାରିବ ତାହା ସେ ସଠିକ ନିର୍ଣ୍ଣୟ କରିଥିଲେ। କିନ୍ତୁ ଯୋଗୀଙ୍କ ସୁପାରିଶକୁ ଅଣଦେଖା କରି ପାର୍ଟି ଲୋକଙ୍କ ପ୍ରିୟଭାଜନ ନଥିବା କିଛି ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଥିଲା। ଏହାର ପରିଣାମ ହେଲା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ। ମନୋନୀତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ରାଜ୍ୟର ଦଳୀୟ କର୍ମୀ ଆଗ୍ରହ ଦେଖାଇ ନଥିଲେ। ଫଳରେ ପୂର୍ବ-ଉତ୍ତର ପ୍ରଦେଶରେ ଭାଜପାକୁ ଅନେକ ଆସନ ହରାଇବାକୁ ପଡ଼ିଲା। ମତଦାତାମାନେ ପ୍ରଶ୍ନ ଉଠାଉଥିଲେ ଯେ, ଯୋଗୀ ଏବଂ ମୋଦିଙ୍କ ସୁଶାସନ ସତ୍ତ୍ୱେ ନିର୍ବାଚିତ ଅଯୋଗ୍ୟ ସାଂସଦମାନେ, ସ୍ଥାନୀୟ ସମସ୍ୟା ଗୁଡ଼ିକର ସମାଧାନ କିପରି କରିପାରିବେ? ଯୋଗୀ ଓ ମୋଦିଙ୍କ ସପକ୍ଷରେ ଜନ ସମର୍ଥନ ଥିଲେ ବି ଅଯୋଗ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ନରହିବାରୁ ଭାଜପାର ବିପର୍ଯ୍ୟୟ ହେଲା। ଯେଉଁ ଉତ୍ତର ପ୍ରଦେଶ ଭାଜପାକୁ ୨୦୧୪ ଓ ୨୦୧୯ ନିର୍ବାଚନରେ ବିପୁଳ ସମର୍ଥନ ଦେଇଥିଲା, ସେହି ପ୍ରଦେଶ ଭାଜପା ଆଡୁ ମୁହଁ ଫେରାଇ ନେଲା।

ଯୋଗୀ ଆଦିତ୍ୟନାଥଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ସରକାରୀ କର୍ମଚାରୀଙ୍କୁ ସଠିକ୍ ଭାବରେ କାମ କରିବାକୁ ପଡୁଛି। ପୂର୍ବରୁ କର୍ମଚାରୀମାନେ ସରକାରଙ୍କ ଗେହ୍ଲାପୁଅ ଥିଲେ। କାମ ନକଲେ ବି ପ୍ରତିମାସରେ ଦରମା ଗଣ୍ଡାକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯାଉଥିଲା। ଏବେ ବାୟୋମେଟ୍ରିକ୍ ହାଜିରା ସହିତ ସେମାନଙ୍କୁ ଉତ୍ତରଦାୟୀ ହେବାକୁ ପଡୁଛି। ତେଣୁ, ସରକାରୀ କର୍ମଚାରୀ ଭାଜପା ଉପରେ ରାଗ ଶୁଝାଇଲେ। ଏମାନଙ୍କ ସହ ଶକ୍ତିଶାଳୀ ଜମି ମାଫିଆ ଗୋଷ୍ଠୀ ସାମିଲ ହୋଇଥିଲେ। ବେଆଇନ ଭାବେ ସରକାରୀ ଜମି କିମ୍ବା ଗରିବ ଲୋକଙ୍କ ଜମି ଜବରଦଖଲ କରିପାରୁ ନଥିବାରୁ ସେମାନେ କ୍ଷୁବ୍ଧ ଥିଲେ।

କୁହାଯାଉଛି ଯେ, ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତାକୁ ନେଇ ମୋଦୀ ଏବଂ ଶାହା ଅତ୍ୟନ୍ତ ଅସୁରକ୍ଷିତ ମନେ କରୁଥିଲେ। ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ସମୟରେ ସମସ୍ତ ଶ୍ରେୟ ମୋଦୀ ନେଉଥିବା ବେଳେ ଯୋଗୀଙ୍କ ଅବଦାନକୁ ଅଣଦେଖା କରାଯାଉଥିବା ଉତ୍ତର ପ୍ରଦେଶ ମତଦାତାଙ୍କୁ ହତାଶ କରିଥିଲା। ଯୋଗୀ ଆଦିତ୍ୟନାଥ ବ୍ରିଜ ଭୂଷଣ ଏବଂ ଅଜୟ ତେନିଙ୍କ ପରି ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଚାହୁଁଥିଲେ ହେଁ ସେମାନଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେଇଥିଲେ, ଯାହା ଫଳରେ ଜାଠ ସମୁଦାୟ ଭାଜପା ବିରୋଧରେ ଗଲେ। କୁହାଯାଉଛି ଯେ, କୁଆଡ଼େ ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କ ବଦଳରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କଲାପରି ଉତ୍ତର ପ୍ରଦେଶରେ ମଧ୍ୟ ସମାନ ନୀତି ପ୍ରୟୋଗ କରିବାକୁ ଚାହୁଁଥିଲେ ମୋଦି-ଶାହ ଯୋଡି। ମାଗଣା ରାସନ, ମାଗଣା ଗୃହ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନାକୁ ଆଧାର କରି ତୁଷ୍ଟିକରଣ ରାଜନୀତି ମଧ୍ୟ ଜନସମର୍ଥନ ପାଇଲା ନାହିଁ।

ଅନେକ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ରାମଲାଲାଙ୍କ ମନ୍ଦିର ନିର୍ମାଣ ଭଳି ଆଖିଦୃଶିଆ କାର୍ଯ୍ୟକ୍ରମ ସତ୍ତ୍ୱେ ଅଯୋଧ୍ୟାରେ କିପରି ଭାଜପା ପ୍ରାର୍ଥୀ ହାରିଗଲେ। ସେଠାରେ ସମସ୍ୟା ଥିଲା ଜାତିବାଦ ରାଜନୀତି। ସମାଜବାଦୀ ପାର୍ଟି ସେଠାରେ ବରିଷ୍ଠ 'ପାସି' ନେତା ଅୱଧେଶ ପ୍ରସାଦଙ୍କୁ ପ୍ରାର୍ଥୀ କରିଥିଲା। ଅଯୋଧ୍ୟା (ଫୈଜାବାଦ) ସଂସଦୀୟ କ୍ଷେତ୍ରରେ ଥିବା ମିଲ୍କିପୁର, ରୁଦାଲି ଏବଂ ବାଇକାପୁରରେ ଅଧିକ ସଂଖ୍ୟକ ଅନୁସୂଚିତ ଜାତି, ଯାଦବ ଏବଂ ଅନ୍ୟାନ୍ୟ ଦଳିତ ବାସ କରନ୍ତି। ଏହା ସହିତ, ଓବିସି ବର୍ଗର କୁର୍ମି ଜାତିର ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ। ଅଯୋଧ୍ୟାରେ ଭାଜପା ଲାଲୁ ସିଂଙ୍କୁ ପୁଣିଥରେ ପ୍ରାର୍ଥୀ କଲା। ସେ ଏକ ପସନ୍ଦଯୋଗ୍ୟ ଚେହେରା ନଥିଲେ। ଆଶା କରା ଯାଉଥିଲା ଯେ ଏଥର ତାଙ୍କ ବଦଳରେ ଅନ୍ୟ କେହି ପ୍ରାର୍ଥୀ ହେବେ। କିନ୍ତୁ କେନ୍ଦ୍ରୀୟ ଭାଜପା ତାଙ୍କୁ ପୁଣି ଥରେ ପ୍ରାର୍ଥୀ କଲା। ମୋଦି ଓ ଯୋଗୀଙ୍କ ଲୋକପ୍ରିୟତା ସତ୍ତ୍ୱେ କେବଳ ଭୁଲ ପ୍ରାର୍ଥୀ ଓ ଜାତି-ଗଣିତ କାରଣରୁ ସେଠାରେ ପରାସ୍ତ ହେଲା ଭାଜପା। ଉତ୍ତର ପ୍ରଦେଶରେ ବିରାଟ ଧକ୍କା ପାଇଲା ପାର୍ଟି। ଅଯୋଧ୍ୟା ଆସନ (ଫୈଜାବାଦ) ସମେତ ୨୯ଟି ଆସନ ହରାଇଲା।

ଭାଜପା ୨୦୧୯ ନିର୍ବାଚନରେ ଓଡ଼ିଶାରେ ପାଇଥିଲା ୮ଟି ଆସନ। ଏଥର ଅଧିକ ୧୨ଟି ସାଂସଦ ଆସନ ଅଧିକାର କଲା। ଏକା ସାଥିରେ ହେଉଥିବା ବିଧାନସଭା ନିର୍ବାଚନରେ ମଧ୍ୟ ବିଜେଡ଼ିକୁ ପରାସ୍ତ କରି ଓଡ଼ିଶାରେ ସରକାର ଗଠନ କଲାI ସେହିଭଳି ଭାରତ ରାଷ୍ଟ୍ର ସମିତି ହାତରୁ ଭାଜପା ତେଲଙ୍ଗାନାରେ ଚାରିଟି ଆସନ ଛଡ଼ାଇ ନେଇଥିଲା ବେଳେ ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ସହଯୋଗରେ ତିନୋଟି ଅଧିକ ଆସନ ପାଇଲା। ପଶ୍ଚିମ ବଙ୍ଗରେ ପୂର୍ବାପେକ୍ଷା ଛଅଟି ଆସନ ହରାଇଲା। ହରିୟାଣାରେ ଜାଠମାନଙ୍କ ଅସନ୍ତୋଷ କାରଣରୁ ପାଞ୍ଚଟି ଆସନ ହରାଇଲା। ବିହାରରେ ମଧ୍ୟ ଏହା ଇଣ୍ଡି ମେଣ୍ଟଠାରୁ ପାଞ୍ଚଟି ଆସନ କମ ପାଇଗଲା। ମହାରାଷ୍ଟ୍ର ମତଦାତା ଯୋଡ଼-ତୋଡ଼ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବାରୁ ଭାଜପା ଚଉଦଟି ଆସନ ହରାଇଲା। ରାଜସ୍ଥାନରେ ରାଜପୁତଙ୍କ କ୍ରୋଧ ଏବଂ ଟିକେଟ୍ ଆବଣ୍ଟନରେ ସମନ୍ୱୟ ଅଭାବରୁ ଦଶଟି ଆସନ ହରାଇଲା। କର୍ଣ୍ଣାଟକରେ କଂଗ୍ରେସ-ସରକାରଙ୍କ କିଛି କଲ୍ୟାଣକାରୀ ଯୋଜନା ଯୋଗୁଁ ଏହା ଆଠଟି ଆସନ ହରାଇଲା। ଗିରଫ ପରେ ହେମନ୍ତ ସୋରେନଙ୍କ ପ୍ରତି ସହାନୁଭୂତି ବୃଦ୍ଧି ପାଇବାରୁ ଝାରଖଣ୍ଡରେ ଏହା ତିନୋଟି ଆସନ ହରାଇଲା।

ଭୋଟ୍ ପ୍ରତିଶତ ଦୃଷ୍ଟିରୁ ଦେଖିଲେ ଭାଜପା ୟୁପି, ହରିୟାଣା, ଝାରଖଣ୍ଡ, କର୍ଣ୍ଣାଟକ, ମଣିପୁର ଏବଂ ରାଜସ୍ଥାନରେ ବିପୁଳ ଭୋଟ୍ ହରାଇଥିବାବେଳେ ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ଅଧିକ ଭୋଟ ହାତେଇବାରେ ସକ୍ଷମ ହୋଇଛି। ଭାଜପା ୨୦୧୪, ୨୦୧୯ ଓ ୨୦୨୪ରେ ଉତ୍ତର ପ୍ରଦେଶରୁ ଯଥାକ୍ରମେ ୨୫, ୨୦ ଓ ୧୪ ପ୍ରତିଶତ ଭୋଟ ପାଇ ନିଜର ଭୋଟ ହାର କମାଇ ଚାଲିଛି। ସେଠାରେ ଯଦି ଏପରି ବିପର୍ଯ୍ୟୟ ହୋଇ ନଥାନ୍ତା, ଭାଜପା ସମୁଦାୟ ୨୬୯ ଆସନ ଜିତିପାରି ଥାଆନ୍ତା।

ଆଗାମୀ ପାଞ୍ଚ ବର୍ଷ କାଳ କିଭଳି ଭାବେ ଭାଜପା ସ୍ୱପ୍ନର 'ବିକଶିତ ଭାରତ' ସାକାର କରିବ ତାହା ହିଁ ହେବ ଏକ କଠିଣ ପରୀକ୍ଷା। ଏହି ପରୀକ୍ଷାରେ ସଫଳତା ପାଇ ପାରିଲେ ଭାରତୀୟ ଗଣତନ୍ତ୍ରରେ ଏକ ବିରାଟ ପରିବର୍ତ୍ତନ ସମ୍ଭବ ହେବ।

ଫୋ- ୯୪୩୮୨ ୯୯୦୩୭

Related story