କାହିଁକି ‘ମାଳଦ୍ଵୀପ ବର୍ଜନକର’ ଅଭିଯାନ?

ଭାରତ ସବୁବେଳେ ମାଳଦ୍ଵୀପର ବନ୍ଧୁ ଭାବେ କାମ କରି ଆସିଛି। ସେଠାରେ ୧୯୮୮ ମସିହାରେ ସଂଘଟିତ ଏକ ବିଦ୍ରୋହକୁ ଭାରତ ଠିକଣା ସମୟରେ ଅପରେସନ କାକଟସ୍’ ମାଧ୍ୟମରେ ପ୍ରତିହତ କରିଥିଲା। ସ୍ଥାନୀୟ ସରକାରଙ୍କ ଅନୁରୋଧରେ ୨୦୦୯ ମସିହାରେ ପ୍ରଥମ କରି ମାଳଦ୍ଵୀପକୁ ଭାରତ ସୁରକ୍ଷା ବଳୟ ଭିତରକୁ ଆଣିଥିଲା। ୨୦୧୪ରେ ମାଲେଠାରେ ମଧୁର ପାନୀୟ ଜଳ ସଙ୍କଟ ଦେଖା ଦେଇଥିବା ବେଳେ ଭାରତ ତାହା ଯୋଗାଇଥିଲା। ଉନ୍ନତ ଚିକିତ୍ସା ସୁବିଧା ପାଇବା ଲାଗି ସେମାନେ ଭାରତ ଉପରେ ନିର୍ଭର କରିଥାଆନ୍ତି।

Maldives

  • Published: Friday, 12 January 2024
  • , Updated: 12 January 2024, 06:15 PM IST

ଜାନକୀଶ ବଡ଼ପଣ୍ଡା

ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପାଞ୍ଚ ଦିନିଆ ଚୀନ ଗସ୍ତରେ ଯିବା ପୂର୍ବରୁ ତାଙ୍କର ତିନି ଜଣ ଅତ୍ୟୁତ୍ସାହୀ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଉପରେ ଘୃଣା ମନ୍ତବ୍ୟ ଦେବା ମହାଙ୍ଗା ପଡ଼ିଛି ଭାରତ ମହାସାଗର ମଧ୍ୟରେ ଥିବା ଆମର ଏହି ପଡୋଶୀ ରାଷ୍ଟ୍ରକୁ। ଭାରତରେ ଆରମ୍ଭ ହୋଇଯାଇଛି ‘ବୟକଟ ମାଳଦ୍ଵୀପ’ ଅଭିଯାନ। ଏଥିପାଇଁ ଗତ ଚାରି ଦିନରେ ମାଳଦ୍ଵୀପର ଆତିଥ୍ୟ ଶିଳ୍ପ ପ୍ରାୟ ଶହେ କୋଟି ଟଙ୍କାର କ୍ଷତି କରିସାରିଲାଣି। ହୋଟେଲମାନଙ୍କରେ ପୂର୍ବରୁ ସଂରକ୍ଷିତ ୧୦,୫୦୦ରୁ ଅଧିକ କୋଠରୀ ଓ ଆଗୁଆ ବିମାନ ଟିକେଟ ଫେରେଇ ନେଲେଣି ଭାରତୀୟ ପର୍ଯ୍ୟଟକ। ଆଗକୁ ଏହା ବଢ଼ିବ ସିନା, କମିବାର ସମ୍ଭାବନା ନାହିଁ। ଅନ୍ୟ ପକ୍ଷରେ, ମାଳଦ୍ୱୀପ ରାଷ୍ଟ୍ରପତି ଚୀନର ରାଜଧାନୀ ବେଜିଂରେ ପହଞ୍ଚି ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଭେଟି ପର୍ଯ୍ୟଟନ ସହଯୋଗ ସମେତ ୨୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମାରେ ସ୍ୱାକ୍ଷର କରି ୧୨ ତାରିଖରେ ଫେରୁଛନ୍ତି। ମାଳଦ୍ୱୀପର ଜାତୀୟତା, ସ୍ୱାଧୀନତା ଓ ସାର୍ବଭୌମତ୍ଵକୁ ଚୀନ ସମର୍ଥନ କରେ ଓ ତାହାକୁ ସୁରକ୍ଷିତ କରିବାକୁ ସହଯୋଗ କରିବ ବୋଲି ଘୋଷଣା କରିଛନ୍ତି ଜିନପିଙ୍ଗ। 'ନେବର ଫାଷ୍ଟ' ନୀତି ଆପଣାଇ, ପଡ଼ୋଶୀ ଦେଶମାନଙ୍କୁ ଅଗ୍ରାଧିକାର ଦେଇ ଆସୁଥିବା ଭାରତ ବିରୋଧରେ ମାଳଦ୍ଵୀପବାସୀ ହାତରେ 'ଇଣ୍ଡିଆ ଆଉଟ' ପ୍ଲାକାର୍ଡ ଧରି ବିକ୍ଷୋଭ କରୁଥିବାରୁ ଚୀନର ସମ୍ପ୍ରସାରଣବାଦୀ ଚାଲରେ ମାଳଦ୍ଵୀପ କବଳିତ ହୋଇଯାଇଥିବାର ଦେଖିବାକୁ ମିଳୁଛି।

ପରମ୍ପରା ବଦଳାଇ ରାଷ୍ଟ୍ରପତି ମୋଇଜୁ ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତ ବଦଳରେ ତୁର୍କୀ ଓ ଚୀନକୁ ବାଛିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲାକ୍ଷାଦ୍ୱୀପ ଫଟୋ’କୁ ନେଇ ମାଳଦ୍ୱୀପ ସହ ସମ୍ପର୍କ ଖରାପ ହେବା ଏବେ ଆଉ ବିଦେଶ ନୀତି ଓ କୂଟନୈତିକ ସୀମା ସରହଦ ମଧ୍ୟରେ ସୀମିତ ହୋଇ ରହିନି। ଜାନୁଆରୀ ୨ ତାରିଖରୁ ମୋଦି ଲାକ୍ଷାଦ୍ୱୀପ ଯାଇ ନିଜର ଫଟୋ ଓ ଭିଡିଓଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ଭାରତୀୟମାନେ ମାଳଦ୍ୱୀପ ନଯାଇ ଲାକ୍ଷାଦ୍ୱୀପ ଯିବା ଆବଶ୍ୟକ ବୋଲି ମତ ଦେଲେଣି। ଏପରି କି ପର୍ଯ୍ୟଟକମାନେ ଗସ୍ତ ବାତିଲ କରୁଥିବା ଚିତ୍ର ପ୍ରକାଶ ପାଉଛି। ଯଦିଓ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ମନ୍ତ୍ରୀମାନଙ୍କୁ ସେମାନଙ୍କ ପଦରୁ ନିଲମ୍ବନ କରାଯାଇଛି, ତାହା ଭାରତକୁ ଖୁସି କରି ପାରିନି। ବିରୋଧୀ ଦଳ ନେତା ତଥା ମାଳଦ୍ୱୀପ ଗଣତାନ୍ତ୍ରିକ ଦଳ ଅଧ୍ୟକ୍ଷ ଫୟାଜ ଇସ୍ମାଇଲ ନିଜ ଦେଶର ସରକାରଙ୍କ ଉପରେ ବିଷେଦଗାର କରିଛନ୍ତି। ଭାରତ ଓ ମୋଦିଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ ଓ ସରକାର ଭାରତ ସହ ସମ୍ପର୍କରେ ସୁଧାର ଆଣନ୍ତୁ ବୋଲି ସେ ଦାବି କରିଛନ୍ତି।

ତେବେ, ପରମ୍ପରା ଉଲଂଘନ କରି ମାଳଦ୍ଵୀପ ରାଷ୍ଟ୍ରପତି ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତ ବଦଳରେ ଚୀନକୁ ବାଛିବା ଓ ମୋଦିଙ୍କ ‘ଲାକ୍ଷାଦ୍ୱୀପ ଫଟୋ’ ପଛର କାହାଣୀ ଅତ୍ୟନ୍ତ ରୋଚକ; ଯାହା ପ୍ରତ୍ୟେକ ଭାରତୀୟ ଜାଣିବା ଦରକାର।

ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଗତବର୍ଷ ନଭେମ୍ବର ମାସରେ କ୍ଷମତାକୁ ଆସିବା ପରେ ପରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତକୁ ସୈନ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ। ମୋଇଜୁଙ୍କୁ ନିର୍ବାଚିତ କରି ସ୍ଥାନୀୟ ଅଧିବାସୀ ତାଙ୍କ ଦେଶରେ କୌଣସି ପ୍ରକାର ବିଦେଶୀ ସାମରିକ ଉପସ୍ଥିତିକୁ ବରଦାସ୍ତ କରନ୍ତି ନାହିଁ ବୋଲି ମତ ଦେଇଛନ୍ତି। ତେଣୁ ଜନମତକୁ ସମ୍ମାନ ଜଣାଇ ଭାରତ ଯଥାଶୀଘ୍ର ନିଜର ସାମରିକ ଉପସ୍ଥିତି ପ୍ରତ୍ୟାହାର କରୁ ବୋଲି ମୋଇଜୁ କହିଥିଲେ।

ଭାରତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପବହୁଳ ରାଷ୍ଟ୍ରରେ ନିଜର ସାମରିକ ଉପସ୍ଥିତି ଭାରତ ପାଇଁ କୌଶଳଗତ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତର ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୭୫୦ କିଲୋମିଟର ଦୂରରେ ଭାରତ ମହାସାଗରରେ ଅବସ୍ଥିତ ପ୍ରାୟ ୧୧୦୦ଟି ଦ୍ଵୀପକୁ ନେଇ ମାଳଦ୍ୱୀପ ଗଠିତ। ଏଥିମଧ୍ୟରୁ ମାତ୍ର ୧୯୮ଟି ଦ୍ୱୀପରେ ଜନବସତି ଥିଲାବେଳେ ଅଧିକାଂଶ ଜନଶୂନ୍ୟ। ଏହାର ଭୂ-ଭାଗର କ୍ଷେତ୍ରଫଳ ମାତ୍ର ୩୦୦ ବର୍ଗ କିଲୋମିଟର ହୋଇଥିଲେ ହେଁ ପ୍ରାୟ ନବେ ହଜାର ବର୍ଗ କିଲୋମିଟରର ବିସ୍ତୀର୍ଣ୍ଣ ସାମୁଦ୍ରିକ ଅଞ୍ଚଳ ଉପରେ ଏହାର ସାର୍ବଭୌମତ୍ୱ ରହିଛି। ୧୯୬୫ରେ ଏହି ଦେଶ ଇଂଲଣ୍ଡ ନିକଟରୁ ସ୍ୱାଧୀନତା ହାସଲ କରିଥିଲା। ସେବେଠୁ ଭାରତ ସହ କ୍ରମାଗତ ଭାବେ ମାଳଦ୍ଵୀପ କୌଶଳଗତ, ସାମରିକ, ଅର୍ଥନୈତିକ ତଥା ସାଂସ୍କୃତିକ ସମ୍ପର୍କ ରକ୍ଷାକରି ଆସିଛି।

କିନ୍ତୁ ଗତ ଦୁଇ ଦଶନ୍ଧି ଧରି ମାଳଦ୍ଵୀପରେ ଭାରତ ବିରୋଧୀ ମନୋଭାବ ବୃଦ୍ଧି ପାଇଚାଲିଛି। ଏପରି ହେବା ପଛରେ ସ୍ଥାନୀୟ ଆଭ୍ୟନ୍ତରୀଣ ରାଜନୀତି ଅନେକାଂଶରେ ଦାୟୀ। ସେଠାରେ ଦୁଇଟି ମୁଖ୍ୟ ରାଜନୈତିକ ଦଳ ହେଲେ ଏମଡିପି ଓ ପିପିଏମ। ପୂର୍ବ ନିର୍ବାଚନରେ ଏମଡିପି ଦଳର ପ୍ରାର୍ଥୀ ଇବ୍ରାହିମ ମହମ୍ମଦ ସୋଲିହ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତତ୍କାଳୀନ ରାଷ୍ଟ୍ରପତି ତଥା ପିପିଏମ ଦଳର ନେତା ଅବଦୁଲ୍ଲା ୟାମିନ ହାରି ଯାଇଥିଲେ। ସୋଲିହଙ୍କ ପରିଚିତି ଭାରତ ସପକ୍ଷବାଦୀ ଓ ୟାମିନ ଚୀନ ସପକ୍ଷବାଦୀ ଭାବେ ପରିଚିତ। କ୍ଷମତାକୁ ଆସିଲା ପରେ ସୋଲିହଙ୍କ ଦ୍ୱାରା ୟାମିନଙ୍କ ବିରୋଧରେ ଥିବା ଦୁର୍ନୀତି ଓ ଅନ୍ୟାନ୍ୟ ମାମଲାଗୁଡ଼ିକର ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଧ୍ୟାନ ହଟାଇ ନିଜ ସପକ୍ଷରେ ଜନ ସମର୍ଥନ ଜୁଟାଇବା ପାଇଁ ଚୀନ-ସପକ୍ଷବାଦୀ ୟାମିନ ୨୦୨୦ ମସିହାରେ ‘ଭାରତକୁ ବିଦା କର’ (ଇଣ୍ଡିଆ ଆଉଟ) ଅଭିଯାନ ଆରମ୍ଭ କଲେ। ଏହି ଅଭିଯାନ ସମୟରେ କୁହାଗଲା ଯେ, ମାଳଦ୍ଵୀପରେ ଅବସ୍ଥାପିତ ଭାରତୀୟ ସୈନ୍ୟଙ୍କୁ ସେଠାରୁ ଭାରତ ହଟାଇ ନେଉ। ଭାରତ ସପକ୍ଷବାଦୀ ସୋଲିହ ସରକାର ଅହେତୁକ ପ୍ରତିକ୍ରିୟା ପ୍ରଦର୍ଶନ କରି 'ଇଣ୍ଡିଆ ଆଉଟ' ଅଭିଯାନକୁ ବେଆଇନ ଘୋଷଣା କରିଦେଲେ। ଫଳରେ ୟାମିନଙ୍କ ସପକ୍ଷରେ ଜନମତ କ୍ରମେ ବୃଦ୍ଧି ପାଇଲା।

କ୍ରମଶଃ ଭାରତ ବିରୋଧୀ ଜନମତ ବଢ଼ିଲା। ଅବସ୍ଥା ଏପରି ହେଲା ଯେ ୨୦୨୨ ମସିହା ଜୁନ ମାସ ୨୧ ତାରିଖରେ ଏକ ଫୁଟବଲ ଷ୍ଟାଡିଅମରେ ଆୟୋଜିତ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଚାଲିଥିଲା ବେଳେ କିଛି ମାଳଦ୍ଵୀପବାସୀ ଅତର୍କିତ ଭାବେ ଯୋଗ କରୁଥିବା ବ୍ୟକ୍ତିଙ୍କୁ ଆକ୍ରମଣ କଲେ। ସେମାନଙ୍କ ହାତରେ ଥିବା ପ୍ଲାକାର୍ଡରେ ଲେଖାଥିଲା ‘ଯୋଗ ଇସଲାମ ସିଦ୍ଧାନ୍ତର ପରିପନ୍ଥୀ’! ପୁଲିସ ବଳ ପ୍ରୟୋଗ କରି ଅବସ୍ଥା ନିୟନ୍ତ୍ରଣ କଲା। ଯାହା ଫଳରେ ଜନସାଧାରଣ ସରକାର ବିରୋଧୀ ହେବାକୁ ଲାଗିଲେ। ମାଳଦ୍ଵୀପର ସମ୍ୱିଧାନ ଅନୁଯାୟୀ ଏହା ଏକ ସୁନ୍ନୀ ଇସଲାମୀୟ ଦେଶ ହୋଇଥିବାରୁ ସେଠାରେ ଅନ୍ୟ ଧର୍ମାବଲମ୍ୱୀମାନେ ସର୍ବସାଧାରଣରେ ଧାର୍ମିକ କାର୍ଯ୍ୟକ୍ରମ କରିବା ସମ୍ପୂର୍ଣ୍ଣ ବେଆଇନ। ତେଣୁ ଯୋଗ ଦିବସ ପାଳନକୁ ଏକ ‘ଅଣ-ଇସଲାମୀୟ’ ଧାର୍ମିକ କାର୍ଯ୍ୟକ୍ରମ ଭାବେ ପ୍ରଚାର କରାଯାଇ ଦେଶବାସୀଙ୍କୁ ଭାରତ ବିରୋଧୀ ହେବାକୁ ପ୍ରରୋଚିତ କରାଗଲା। ଏପରି ହେଲା ଯେ, ଭାରତର ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଖବର ମିଳିଲା ମାତ୍ରେ, ମାଳଦ୍ଵୀପରେ ତାହାର ପ୍ରତିକ୍ରିୟା ଅନୁଭୂତ ହେଲା। ରାଷ୍ଟ୍ରପତି ୟାମିନ ୨୦୨୩ ନିର୍ବାଚନରେ ପୁନର୍ବାର ସରକାର ଗଢ଼ିବାକୁ ପ୍ରସ୍ତୁତି ଚଳାଇଥିଲାବେଳେ ଡିସେମ୍ୱର ୨୦୨୨ ମସିହାରେ ଏକ ଅଦାଲତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିର୍ବାଚନ ଲଢ଼ିବାକୁ ଯୋଗ୍ୟତା ହରାଇଲେ। ୟାମିନଙ୍କ ସ୍ଥାନରେ ଚୀନ ସପକ୍ଷବାଦୀ ଦଳ ପିପିଏମର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମହମ୍ମଦ ମୋଇଜୁ। ସେପ୍ଟେମ୍ୱର ୨୦୨୩ରେ ଅନୁଷ୍ଠିତ ନିର୍ବାଚନରେ ସେ ସୁଲିହଙ୍କୁ ହରାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ। ଶାସନ ଭାର ଗ୍ରହଣ କରିବା ମାତ୍ରେ ତାଙ୍କ ଆଚରଣ ଓ ଉଚ୍ଚାରଣରେ ଭାରତ ବିରୋଧୀ ମନୋଭାବ ସ୍ପଷ୍ଟ ଭାବେ ବାହାରକୁ ଆସିଲା। ସେଠାକାର ନବ ନିର୍ବାଚିତ ରାଷ୍ଟ୍ରପତି ପ୍ରଥମେ ଭାରତ ଗସ୍ତରେ ଯିବାର ପରମ୍ପରା ଥିଲା ବେଳେ ତାକୁ ଭଙ୍ଗ କରି ସେ ପ୍ରଥମ ସରକାରୀ ଗସ୍ତରେ ତୁର୍କୀକୁ ଯାଇଥିଲେ ଓ ତାହା ପରେ ଚୀନ ଗସ୍ତରେ ଯାଇଥିଲେ ବି ଭାରତ ଆସିନାହାନ୍ତି।

ମାଳଦ୍ଵୀପ ଭାରତଠାରୁ ଦୂରେଇ ଯାଉଛି କାହିଁକି? ଏହାକୁ ସମ୍ପ୍ରସାରଣବାଦୀ ଚୀନର ଏକ ଷଡ଼ଯନ୍ତ୍ରର ଅଂଶବିଶେଷ ଭାବେ ଆନ୍ତର୍ଜାତିକ କୂଟନୀତିଜ୍ଞମାନେ ମନେ କରୁଛନ୍ତି। ମାଳଦ୍ଵୀପର ନିକଟତର ହେବାକୁ ଚୀନର ‘ମୁକ୍ତା ହାର’ (ଷ୍ଟ୍ରିଙ୍ଗ ଅଫ୍ ପର୍ଲସ୍ ) କୌଶଳ ସଫଳ ହୋଇଛି। ଏହି କୌଶଳ ଅନୁଯାୟୀ ଭାରତ ଚାରି ପାଖରେ ରହିଥିବା ସମସ୍ତ ପଡ଼ୋଶୀ ଦେଶର ବନ୍ଦର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିକୁ ଚୀନ ନିଜ ନିୟନ୍ତ୍ରଣକୁ ନେଇ ଭାରତକୁ ଘେରି ରଖିବା ପାଇଁ ପ୍ରୟାସ କରୁଛି। ‘ମୁକ୍ତା ହାର’ କୌଶଳ ଅନ୍ତର୍ଗତ ବନ୍ଦରଗୁଡ଼ିକ ଚୀନର ମୁଖ୍ୟ ଭୂ-ଭାଗରୁ ଆରମ୍ଭ ହୋଇ ଆଫ୍ରିକାର ଜିବୁଟି (Djibouti) ବନ୍ଦର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଛି। ତଦନୁଯାୟୀ ପାକିସ୍ତାନର ଗ୍ୱାଦର, ଶ୍ରୀଲଙ୍କାର ହମ୍ୱନଟୋଟା, ମ୍ୟାନମାରର ସିଟ୍ଟୱେ, ବଙ୍ଗଳାଦେଶର ଚିଟ୍ଟାଗଙ୍ଗ ବନ୍ଦରଗୁଡ଼ିକୁ ଚୀନ ଅନେକାଂଶରେ ନିଜ ଅକ୍ତିଆରକୁ ନେଇସାରିଛି। ସେହି କ୍ରମରେ ମାଳଦ୍ଵୀପ ଚୀନର ନିକଟତର ହେଲେ ଯାଇ ମାଲେ ବନ୍ଦର ମଧ୍ୟ ଚୀନ ନିୟନ୍ତ୍ରଣକୁ ଆସିବ ବୋଲି ଚୀନ ଆଶାବାନ୍ଧି ବସିଛି। ଫଳରେ ଭାରତ ମହାସାଗରରେ ଚୀନ ନିଜର ବ୍ୟାବସାୟିକ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିପାରିବ।

ତାହାଛଡା, କେବଳ ଭୁଟାନକୁ ବାଦ ଦେଲେ ଭାରତର ଅନ୍ୟ ସବୁ ପଡ଼ୋଶୀ ରାଷ୍ଟ୍ର ଚୀନର ବିଆରଆଇ (ବେଲଟ ଆଣ୍ଡ ରୋଡ଼ ଇନିସିଏଟିଭ) ଯୋଜନାରେ ସାମିଲ ହୋଇସାରିଲେଣି, ଯେଉଁଥିରେ ଭିତ୍ତିଭୂମି ବିକାଶ ମାଧ୍ୟମରେ ଚୀନ ତା’ର ବ୍ୟାବସାୟିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ଏହି ଦେଶଗୁଡ଼ିକୁ ନିଜ ଆଡ଼କୁ ଆକର୍ଷିତ କରିଚାଲିଛି। ଭାରତ ଦ୍ରୁତଗତିରେ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ଭାବେ ପରିଚିତି ହାସଲ କରିବାକୁ ଯାଉଥିବାରୁ ଚୀନ ଭାରତକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ମନେକରୁଛି। ଏହା ଛଡ଼ା, ଭାରତର ବଢ଼ି ଚାଲିଥିବା ଗ୍ରହଣୀୟତା, 'ଆତ୍ମନିର୍ଭର ଭାରତ' କାର୍ଯ୍ୟକ୍ରମର ସଫଳତାରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ଚୀନ ନିଜର ବ୍ୟାବସାୟିକ ସ୍ୱାର୍ଥ ରକ୍ଷା ପାଇଁ ମାଳଦ୍ଵୀପରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଚାହୁଁଛି। ଶ୍ରୀଲଙ୍କା ଚୀନର ଋଣଯନ୍ତାରେ ପଡ଼ି ଛଟପଟ ହୋଇଥିବା ସତ୍ତ୍ୱେ ଭାରତର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଚୀନ ଆଡ଼କୁ ଢଳିବା ଭାରତର ବୈଦେଶିକ ନୀତିର ବିଫଳତା ନୁହେଁ, ବରଂ ଆର୍ଥିକ-ସମୃଦ୍ଧ ଚୀନର ସମ୍ପ୍ରସାରଣବାଦୀ ମାନସିକତା କାରଣରୁ ସୃଷ୍ଟ, ଏହା ସମସ୍ତେ ବୁଝିରଖିବା ଉଚିତ।

ଭାରତ ସବୁବେଳେ ମାଳଦ୍ଵୀପର ବନ୍ଧୁ ଭାବେ କାମ କରି ଆସିଛି। ସେଠାରେ ୧୯୮୮ ମସିହାରେ ସଂଘଟିତ ଏକ ବିଦ୍ରୋହକୁ ଭାରତ ଠିକଣା ସମୟରେ ଅପରେସନ କାକଟସ୍’ ମାଧ୍ୟମରେ ପ୍ରତିହତ କରିଥିଲା। ସ୍ଥାନୀୟ ସରକାରଙ୍କ ଅନୁରୋଧରେ ୨୦୦୯ ମସିହାରେ ପ୍ରଥମ କରି ମାଳଦ୍ଵୀପକୁ ଭାରତ ସୁରକ୍ଷା ବଳୟ ଭିତରକୁ ଆଣିଥିଲା। ୨୦୧୪ରେ ମାଲେଠାରେ ମଧୁର ପାନୀୟ ଜଳ ସଙ୍କଟ ଦେଖା ଦେଇଥିବା ବେଳେ ଭାରତ ତାହା ଯୋଗାଇଥିଲା। ଉନ୍ନତ ଚିକିତ୍ସା ସୁବିଧା ପାଇବା ଲାଗି ସେମାନେ ଭାରତ ଉପରେ ନିର୍ଭର କରିଥାଆନ୍ତି। ଭାରତରେ ସେଠାକାର ସାଧାରଣ ଓ ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ତାଲିମ ଦିଆଯାଏ। କରୋନା ସମୟରେ ମାଳଦ୍ଵୀପକୁ ମାଗଣାରେ ଟିକା ଓ ଔଷଧ ଯୋଗାଇ ଦେଇଥିଲା ଭାରତ। ‘ପ୍ରଥମେ ପଡ଼ୋଶୀ’ (ନେବରହୁଡ଼୍ ଫାଷ୍ଟ୍) ନୀତିକୁ ଅନୁସରଣ କରି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ମୈତ୍ରୀପୂର୍ଣ୍ଣ ସମ୍ପର୍କ ଗଢ଼ି ତୋଳିବା ପାଇଁ ମୋଦିଙ୍କ ନିଷ୍ଠା ସତ୍ତ୍ୱେ କେବଳ ଭାରତର ବିକାଶଧାରା ଚୀନର ଆଖିରେ ଶୁଖୁଆ କଣ୍ଟା ପରି ଫୋଡ଼ି ହୋଇ ରହିଛି। ଆଜି ବି ଅଧିକାଂଶ ମାଳଦ୍ଵୀପବାସୀ ଭାରତକୁ ଏକ ବିଶ୍ୱସ୍ତ ବନ୍ଧୁ ଭାବେ ଦେଖୁଥିବାରୁ ଭାରତ ଏହାର ସୁଯୋଗ ନେଇ ପୁରୁଣା ସଦଭାବକୁ ପୁନଃପ୍ରତିଷ୍ଠା କରିପାରିବ। ଏଥିପାଇଁ ଆବଶ୍ୟକ ବିଶ୍ୱାସ ଓ ପ୍ରୟାସ।

ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ସମଗ୍ର ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଗୁଗୁଲରେ ଲାକ୍ଷାଦ୍ଵୀପକୁ ୩୪ ହଜାର ଗୁଣ ଅଧିକ ଖୋଜିଛନ୍ତି ବିଶ୍ୱବାସୀ। ଫଳରେ, ମାଳଦ୍ଵୀପର ପର୍ଯ୍ୟଟନ ଶିଳ୍ପ ପରୋକ୍ଷରେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଭାରତରୁ ଯାଉଥିବା ପ୍ରାୟ ଦୁଇ ଲକ୍ଷରୁ ଅଧିକ ପର୍ଯ୍ୟଟକ ମାଳଦ୍ଵୀପ ନଗଲେ, ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପ ଏତେ ମାତ୍ରାରେ କ୍ଷତିଗ୍ରସ୍ତ ହେବ ଯେ, ଭାରତ ବିରୋଧି ତତ୍ତ୍ୱଙ୍କୁ ଲୋକେ ପେଟପାଟଣା କାରଣରୁ ବିରୋଧ କରିବେ। କେବଳ ସେତିକି ନୁହେଁ, ହାତରେ ନ ମାରି ଭାତରେ ମାରିବାର ସାମର୍ଥ୍ୟ ଭାରତ ପାଖରେ ରହିଛି। ସବୁବେଳେ 'ଭୋକାଲ ଫର ଲୋକାଲ' ବା ସ୍ଥାନୀୟ ଭିତ୍ତିଭୂମିକୁ ପ୍ରଶଂସା କରି ତାହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା କଥା କହୁଥିବା ଭାରତର ପ୍ରଧାନମନ୍ତ୍ରୀ ମୋଦି, ଜାନୁଆରୀ ଦୁଇ ତାରିଖରେ ଲାକ୍ଷାଦ୍ଵୀପ ଯାଇ ତାହାର ଶାନ୍ତ, ସୁନୀଳ ସମୁଦ୍ର କୂଳରେ ବୁଲି ଯେଉଁ ଫଟୋ ଓ ଦୃଶ୍ୟ ନିଜର ଏକ୍ସ କାନ୍ଥରେ ପରିବେଷଣ କଲେ, ତାହାର ପ୍ରଭାବ ପଡ଼ିଲା ଚୀନ ସରକାରଙ୍କ ସହଯୋଗରେ ଭାରତକୁ ଅପମାନିତ କରିବାକୁ ପ୍ରୟାସୀ ମାଳଦ୍ଵୀପ ରାଷ୍ଟ୍ରପତି ମୋଇଜୁଙ୍କ ଉପରେ। ସେଠାକାର ସରକାରଙ୍କ ମନ୍ତ୍ରୀ ଓ ଅନ୍ୟ କେତେକ ରାଜନୀତିଜ୍ଞ ମୋଦୀଙ୍କ ପ୍ରତି ଓ ଭାରତ ପ୍ରତି ଯେଉଁଭଳି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଛନ୍ତି, ତାହା ଭାରତ-ମାଳଦ୍ଵୀପ ସମ୍ପର୍କକୁ ଏକ ନୂତନ ନିମ୍ନ ସ୍ତରକୁ ନେଇ ଯାଇଥିବାରୁ ମାଳଦ୍ଵୀପ ସରକାର ତାହାକୁ ସୁଧାରିବା ପାଇଁ ଉଦ୍ୟମ ନକଲେ, କ୍ଷତି ହେବ କେବଳ ମାଳଦ୍ଵୀପର। ମୋଦି ଯେ ଆଗକୁ ମିନିକୟ ଦ୍ୱୀପରେ ଏକ ବୃହତ ବିମାନ ବନ୍ଦର, ଲାକ୍ଷାଦ୍ଵୀପରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ କରି ମାଳଦ୍ଵୀପ ସମେତ ଭାରତର ଶତୃତା କରୁଥିବା ସମସ୍ତ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ନୀରବ ଧମକ ଦେବେ, ତାହା ନିଶ୍ଚିତ। ଆଗାମୀ ଦିନରେ ବୟକଟ ମାଳଦ୍ଵୀପ ଜାରି ରହିବ କି ନାହିଁ, ତାହାର ଉତ୍ତର ମୋଇଜୁଙ୍କୁ ଦେବାକୁ ହେବ।

ଫୋ- ୯୪୩୮୨୯୯୦୩୭

Related story