ସମ୍ବିଧାନ ଦିବସ କାହିଁକି?

  • ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ନଭେମ୍ବର ୨୬ ତାରିଖରେ ଆମେ ସମ୍ବିଧାନ ଦିବସ ପାଳନ କରୁଛେ। କାରଣ ଏହି ଦିନରେ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ଭାରତୀୟ ସମ୍ବିଧାନ ଗୃହୀତ ହୋଇଥିଲା। ଏହି ଦିନକୁ ଭାରତୀୟ ସମ୍ବିଧାନର ଜନ୍ମ ଦିବସ ରୂପେ ଗ୍ରହଣ କରାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂବିଧାନ ପ୍ରଣେତା ଡଃ. ଆମ୍ବେଦକରଙ୍କର ୧୨୫ତମ ଜନ୍ମ ବର୍ଷରେ ମଧ୍ୟ ପ୍ରଦେଶରେ ଇନ୍ଦୋର କ୍ୟାଂଟନମେଂଟର ମହୋ ଠାରେ ତାଙ୍କର ଭବ୍ୟ ପ୍ରତିମୂର୍ତି ଷ୍ଟ୍ୟାଚ୍ୟୁ ଅଫ ଇକ୍ୱାଆଲିଟିର ଶିଳାନ୍ୟାସ ଅବସରରେ ୧୯ ଅକ୍ଟୋବର ୨୦୧୫ରେ, ନଭେମ୍ବର ୨୬କୁ ସଂବିଧାନ ଦିବସ ରୂପେ ପାଳନ କରିବା ପାଇଁ ସରକାରଙ୍କର ସଂକଳ୍ପ ଘୋଷଣା କରିଥିଲେ। ଅକ୍ଟୋବର ୨୯ରେ ଭାରତ ସରକାରଙ୍କର ଗେଜେଟରେ ଏହା ପ୍ରକାଶ ପାଇଥିଲା। ଏଥିରେ ସଂବିଧାନ, ସଂବିଧାନର ରଚୟିତା ଓ ଶାସନ ବ୍ୟବସ୍ଥାରେ ସଂବିଧାନର ଗୁରୁତ୍ୱ ଉପଲବଧି ପୂର୍ବକ ସାଂବିଧାନିକ ମୂଲ୍ୟବୋଧ ପ୍ରତି ଜନସାଧାରଣଙ୍କ ସଚେତନତା ବୃଦ୍ଧି ପାଇଁ ଆହ୍ୱାନ ଦିଆଯାଇଥିଲା।

ଏକଥା କହିବା ନିଷ୍ପ୍ରୟୋଜନ ଯେ ଭାରତ ଭଳି ଧର୍ମ, ଜାତି, ସଂପ୍ରଦାୟ, ଭାଷା, ସଂସ୍କୃତି ଓ ଆଂଚଳିକତାବାଦକୁ ନେଇ ବହୁଧା ବିଭକ୍ତ ଦେଶକୁ ଆମ ସଂବିଧାନ ହିଁ ଏକତା ସୂତ୍ରରେ ବାନ୍ଧି ରଖିଛି। ସଂବିଧାନ ଉପରେ ସମସ୍ତ ଅତ୍ୟାଚର ସତ୍ତ୍ୱେ, ଏବେ ମଧ୍ୟ ଆମ ସଂବିଧାନ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ସଂବିଧାନର ମାନ୍ୟତା ପାଇଆସୁଛି।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ ଭାରତବର୍ଷରେ ପ୍ରଥମ କରି ଶହୀଦ ଭଗତ ସିଂହ ହିଁ ସଂପୂର୍ଣ୍ଣ ସ୍ୱାଧୀନତା ଆନ୍ଦୋଳନର ଭିତ୍ତି ସ୍ଥାପନ କରିଥିଲେ। ୧୯୨୭ ମସିହାରେ ସେ ଆନୁଷ୍ଠା।ନିକ ଭାବେ, “ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପ୍ଲବିକ୍ ଆସୋସିଏସନରେ ଭାରତର ସଂପୂର୍ଣ୍ଣ ସ୍ୱାଧୀନତା ଦାବିକରି ଏକ ପ୍ରସ୍ତାବ ପାରିତ କରାଇଥିଲେ। କିନ୍ତୁ ମହାତ୍ମା ଗାନ୍ଧୀଙ୍କ ବିରୋଧ ଯୋଗୁଁ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। (ରାଜମୋହନ ଗାନ୍ଧୀ, ‘ପଟେଲ: ଏ ଲାଇଫ୍,’ ପୃଷ୍ଠା। ୧୭୧)। ଅନ୍ୟ ପକ୍ଷରେ ୧୯୨୮ ଅଗଷ୍ଟ ୨୮ରେ କଂଗ୍ରେସ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକରେ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଏବଂ ଜବାହରଲାଲଙ୍କ ସଂପାଦକତ୍ୱରେ ଭାରତ ପାଇଁ ଇଂରେଜ ସରକାରଙ୍କ ଅଧୀନରେ ସ୍ୱାୟତ୍ତ ଶାସନ ଦାବୀ କରି ଭାରତ ପାଇଁ ଶାସନ ଖସଡ଼ା ପ୍ରସ୍ତୁତ କରିବା ପାଇଁ ଦାବୀ କରାଯାଇଥିଲା। (ନେହେରୁ ରିପୋର୍ଟ, ସେଂଟର ଫର ଲ ଆଣ୍ଡ ପଲିସି ରିସର୍ଚ୍ଚ, ପୁନଃ ସଂସ୍କରଣ, ତା ୬.୧.୨୦୧୮)। ସେତେବେଳେ ଶକ୍ତି ଦ୍ୱାରା ସ୍ୱାଧୀନତା ହାସଲ କରିବାକୁ ଚାହୁଁଥିବା ବିପ୍ଳବୀ ଗୋଷ୍ଠୀ ଦ୍ୱାରା ଏହା ପ୍ରବଳ ସମାଲୋଚିତ ହୋଇଥିଲା। ତେଣୁ ବାଧ୍ୟ ହୋଇ କଂଗ୍ରେସ ୧୯୨୯ ଅଗଷ୍ଟରେ ପୁନଶ୍ଚ ତଥାକଥିତ ସର୍ବଦଳୀୟ ବୈଠକରେ ଭାରତ ପାଇଁ ଅଧିକ ସ୍ୱାଧୀନତା ଦାବି କରି ଏକ ସଂଶୋଧିତ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟରେ ସଂସଦୀୟ ବ୍ୟବସ୍ଥା ସହିତ ୨୨ଟି ବିଭାଗ ଓ ୮୭ଟି ଧାରା ରହିଥିଲା। (ଅଷ୍ଟିନ ଗ୍ରାନ୍ଭିଲେ, ଅକ୍ସଫୋର୍ଡ ଦି ଇଣ୍ଡିଆନ କନ୍ଷ୍ଟିଚ୍ୟୁସନ: କର୍ଣ୍ଣର ଷ୍ଟୋନ ଅଫ୍ ଏ ନ୍ୟାସନ ଦ୍ରଷ୍ଟବ୍ୟ) ଏହାକୁ ନେଇ ମଧ୍ୟ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବାରୁ ୧୯୩୦ ମସିହା ଜାନୁଆରୀ ୨୬ରେ ପୂର୍ଣ୍ଣ ସ୍ୱରାଜ ଦାବି କରାଗଲା। (ଡିକ୍ଲାରେସନ ଅଫ ପୂର୍ଣ୍ଣ ସ୍ୱରାଜ୍ୟ, ଇଣ୍ଡିଆନ ନ୍ୟାସନ୍ୟାଲ କଂଗ୍ରେସ, ୧୯୩୦)। ସେହି ବର୍ଷଠାରୁ ୧୯୪୭ ପର୍ଯ୍ୟନ୍ତ ବିନା ସ୍ୱାଧୀନତା ବା ବିନା ସାର୍ବଭୌମତ୍ୱରେ ପ୍ରତିବର୍ଷ ଜାନୁଆରୀ ୨୬ରେ କଂଗ୍ରେସ ସ୍ୱାଧୀନତା ଦିବସ ରୂପେ ପାଳନ କରି ଆସୁଥିଲା।

ସେଥିପାଇଁ ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ୧୯୪୯ ନଭେମ୍ବର ୨୬ରେ ସଂବିଧାନ ପ୍ରଣୟନ ସଭା ଦ୍ୱାରା ଗୃହୀତ ହୋଇସାରିଥିଲେ ମଧ୍ୟ ପୂର୍ଣ୍ଣ ସ୍ୱରାଜ୍ୟ ଘୋଷଣାର ଦିନ ଜାନୁଆରୀ ୨୬କୁ ସ୍ମରଣୀୟ କରି ରଖିବା ପାଇଁ ଭାରତ ସରକାର ଆନୁଷ୍ଠା।ନିକ ଭାବେ ସଂବିଧାନ ପ୍ରଣୟନ ସଭାଠାରୁ ସଂବିଧାନର ପ୍ରତିଲିପି ଗ୍ରହଣ ନକରି ସଂବିଧାନ ପ୍ରଣୟନ ସଭାକୁ ଆନୁଷ୍ଠାନିକ ଭାବେ ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ସଂବିଧାନର ଦୁଇଟି ପ୍ରତିଲିପି ଉଭୟ ହିନ୍ଦୀ ଓ ଇଂରେଜୀରେ ଦେବାକୁ କହିଥିଲେ। ତାହା ହିଁ ହେଲା। ସେହିଦିନ ଡଃ. ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ସଂବିଧାନ ପ୍ରଣୟନ ସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଆହୁତ ହୋଇଥିଲା। ସଦସ୍ୟମାନେ ସଂବିଧାନ ନାମରେ ଶପଥ ନେବା ପରେ ସଂବିଧାନର ପ୍ରତିଲିପିରେ ନିଜ ନିଜର ଦସ୍ତଖତ କରିଥିଲେ। ଏହି ଦିନ ‘ଜନ ଗଣ ମନ ଅଧିନାୟକ’କୁ ଜାତୀୟ ସଂଗୀତର ମାନ୍ୟତା ଦିଆଯାଇଥିଲା। ସେଦିନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ “ସଂବିଧାନ ପ୍ରଣୟନ ସଭା” ୧୯୫୦, ଜାନୁଆରୀ ୨୬ରୁ “ପ୍ରୋଭିଜନାଲ ପାର୍ଲିଆମେଣ୍ଟ” ବା ପ୍ରୋଭିଜନାଲ ଲୋକସଭା ନାମରେ କ୍ଷମତାସୀନ ହେଲା।

୧୯୫୦ ଜାନୁଆରୀ ୨୬ରେ ଭାରତକୁ ସଂଘୀୟ ସଂସଦୀୟ ସାଧାରଣତନ୍ତ୍ର ରୂପେ ଘୋଷଣା କରାଯାଇଥିଲା। (କନସ୍ଟିଚୁଏଣ୍ଟ ଆସାମ୍ଳବୀ ଡିବେଟ୍, ୨୪ ଜାନୁଆରୀ ୧୯୫୦)। ସେହିଭଳି ଭାରତକୁ ସ୍ୱାଧୀନତା ଦେବା ପାଇଁ ବ୍ରିଟିଶ୍ ପାର୍ଲିୟାମେଣ୍ଟରେ ଇଣ୍ଡିଆ ଇଣ୍ଡିପେଣ୍ଡସନ୍ସ୍ ଆକ୍ଟ ୧୯୪୭ ପାରିତ ହୋଇ ୧୯୪୭ ଜୁଲାଇ ୧୮ରେ ରାଜକୀୟ ସ୍ୱୀକୃତି ଲାଭକରି ଆଇନରେ ପରିଣତ ହେଲା। ତାହାର ୨୭ ଦିନ ପରେ ଅଗଷ୍ଟ ୧୫ରେ କ୍ଷମତାର ହସ୍ତାନ୍ତରଣ ଉତ୍ସବରେ ଭାରତକୁ ଯଥାର୍ଥରେ ସ୍ୱାଧୀନତା ମିଳିଲା। ସ୍ୱାଧୀନତା ଦିବସ ଭାବେ ଅଗଷ୍ଟ ୧୫ ଓ ପରେ ଜାନୁଆରୀ ୨୬କୁ ସାଧାରଣତନ୍ତ୍ର ଦିବସ ରୂପେ ଦୁଇଟି ଦିନକୁ ଜାତୀୟ ଦିବସ ରୂପେ ମାନ୍ୟତା ଦିଆଗଲା। କିନ୍ତୁ ସମ୍ବିଧାନର ଜନ୍ମ ଦିବସ ନଭେମ୍ବର ୨୬ ତାରିଖ ବିସ୍ମୃତିର ଅନ୍ଧକାରରେ ହଜିଗଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଜସ୍ର ଧନ୍ୟବାଦ ସେ ଏହି ଦିବସ ମହାନତାକୁ ପୁନଃ ସଂସ୍ଥାପିତ କରି ସମ୍ବିଧାନ ପ୍ରତି ଏକ ଜନ ଜାଗରୁକତା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି।

ଏବେ ସମ୍ବିଧାନ ପ୍ରଣୟନ ସଭା ଓ ସମ୍ବିଧାନ ପ୍ରସ୍ତୁତି ସମ୍ପର୍କରେ ସମ୍ୟକ ଆଲୋଚନା କରିବା। ଅଖଣ୍ଡ ଭାରତରେ ଥିବା ସମସ୍ତ ପ୍ରଦେଶରୁ ୨୯୨ ଜଣ, ମୁଖ୍ୟ ଆୟୁକ୍ତ ଶାସିତ ରାଜ୍ୟରୁ ୪ ଜଣ ଏବଂ ଦେଶୀୟ ରାଜ୍ୟମାନଙ୍କ ଦ୍ୱାରା ମନୋନୀତ ହୋଇ ୯୩ ଜଣ ଏହିପରି ମୋଟ ୩୮୯ ଜଣ ସଦସ୍ୟ ସମ୍ବିଧାନ ପ୍ରଣୟନ ସଭାକୁ ନିର୍ବାଚିତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୫ ଜଣ ମହିଳା ଥିଲେ ଓ ସେତେବେଳେ ଓଡ଼ିଶାରୁ ୧୪ ଜଣ ସଦସ୍ୟ ସଂବିଧାନ ପ୍ରଣୟନ ସଭାକୁ ନିର୍ବାଚିତ ହୋଇଥିଲେ। ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ଅଧିବେଶନ ୯ ଡିସେମ୍ବର ୧୯୪୬ରେ ବସିଥିଲା। କିନ୍ତୁ ମୁସିଲିମ୍ ଲିଗ୍ ପ୍ରସ୍ତାବିତ ପାକିସ୍ତାନ ପାଇଁ ଅଡ଼ି ବସିବାରୁ ପ୍ରସ୍ତାବିତ ଭାରତ ବର୍ଷର ୧୨ଟି ରାଜ୍ୟରୁ ନିର୍ବାଚିତ ୨୨୭ ଓ ୭୦ଟି ଦେଶୀୟ ରାଜ୍ୟର ପ୍ରତିନିଧି ଭାବେ ମନୋନୀତ ୭୦ ଜଣ ଏହିପରି ୨୯୯ ସଦସ୍ୟଙ୍କୁ ନେଇ ଭାରତ ପାଇଁ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଗଲା। ଏହାର ପ୍ରଥମ ଅଧିବେଶନରେ ଡ଼. ରାଜେନ୍ଦ୍ର ପ୍ରସାଦ ଅଧ୍ୟକ୍ଷ ଓ ବଙ୍ଗଳାର ହରେନ୍ଦ୍ର କୁମାର ମୁର୍ଖାଜୀ ଉପଧ୍ୟାକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସମ୍ବିଧାନ ପ୍ରସ୍ତୁତି ପାଇଁ ୨୨ ଗୋଟି କମିଟି ଗଠନ କରାଯାଇଥିଲେ ମଧ୍ୟ ଚିଠା ପ୍ରସ୍ତୁତି କମିଟି ସବୁଠାରୁ ପ୍ରମୁଖ ଥିଲା। ଏହି କମିଟିର ଅଧ୍ୟକ୍ଷ ରୂପେ ଡ଼. ଭୀମରାଓ ରାମ୍ଜୀ ଆମ୍ବେଦକର ନିଯୁକ୍ତି ପାଇଥିଲେ। ଅନ୍ୟ ୬ ଜଣ ସଦସ୍ୟ ହେଲେ କେ.ଏମ୍. ମୁନସି, ମହମ୍ମଦ ସର୍ଦ୍ଦାଉଲ୍ଲା, ଆଲ୍ଲାଦି କୃଷ୍ଣସ୍ୱାମୀ ଆୟର, ଗୋପାଳସ୍ୱାମୀ ଆୟାଙ୍ଗାର, ବି.ଏଲ ମିତର ଓ ତାଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ଏନ୍. ମାଧବ ରାଓ ଏବଂ ଡି.ପି ଖୈତାନ ଓ ତାଙ୍କ ମୃତ୍ୟୁ ପରେ ଟି ଟି କୃଷ୍ଣାମାଚାରୀ। ଅନ୍ୟ କମିଟିଗୁଡିକରେ ଅଧ୍ୟକ୍ଷ ରୂପେ ଡ଼. ରାଜେନ୍ଦ୍ର ପ୍ରସାଦ, ଜବାହାରଲାଲ ନେହୁରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଜେ ବି କୃପାଳିନୀ, ହିରେନ୍ଦ୍ର କୁମାର ମୁର୍ଖାଜୀ, ଗୋପୀନାଥ ବରଦୋଳଇ, ଏ ଭି ଥାକରେ, ଜି ବି ମାଲଭଙ୍କର, ବି ପି ସୀତାରମାୟା, କେ.ଏମ୍ ମୁନସୀ ଓ ଏମ୍. ସୀତାନାରାୟଣ ପ୍ରମୁଖ ନେତାମାନେ ରହିଥିଲେ।

ଭାରତୀୟ ସମ୍ବିଧାନରେ ୨୨ଟି ବିଭାଗ, ୩୯୫ଟି ଧାରା ଓ ୮ଟି ତାଲିକା ରହିଥିଲା। ଏହାକୁ ପୃଥିବୀର ସବୁଠାରୁ ଦୀର୍ଘତମ ଲିଖିତ ସମ୍ବିଧାନର ମାନ୍ୟତା ଦିଆଯାଇଛି। ସଂସଦରେ ଦୁଇଟି ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ର ପରିଚାଳନା ପାଇଁ କାର୍ଯ୍ୟ ପାଳିକା, ବିଧାନ ପାଳିକା ଓ ନ୍ୟାୟ ପାଳିକାର ଗଠନ ଓ କ୍ଷମତା ପରିସର ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଷ୍ଟ୍ର ଓ ପ୍ରଦେଶ ଗୁଡିକର କ୍ଷମତା, ନାଗରିକତା ଗ୍ରହଣ, ମୌଳିକ ଅଧିକାର, ରାଷ୍ଟ୍ର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ ସମ୍ପର୍କରେ ବ୍ୟାପକ ଆଲୋଚନା ରହିଛି। ଆବଶ୍ୟକ ସ୍ଥଳେ ସମ୍ବିଧାନର ସଂଶୋଧନର ବ୍ୟବସ୍ଥା ମଧ୍ୟ ରହିଛି। ବିଗତ ୭୫ ବର୍ଷ ଭିତରେ ଭାରତୀୟ ସମ୍ବିଧାନ ଉପରେ ଚରମ ଅତ୍ୟାଚାର କରାଯାଇଛି। ବାରମ୍ବାର ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ଭାଙ୍ଗି ଏକ ସମୟରେ ସଂସଦ ଓ ବିଧାନସଭାର ନିର୍ବାଚନ ହେବା ବ୍ୟବସ୍ଥା ଓ ପରମ୍ପରାକୁ ଭାଙ୍ଗିଦିଆଯାଇଛି। ଜରୁରୀ ପରିସ୍ଥିତି ଜାରିକରି ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୭୬ ନଭେମ୍ବରରେ ବିନା ବିରୋଧୀ ଦଳ ଓ ବିନା ଆଲୋଚନାରେ ୪୨ତମ ସମ୍ବିଧାନ ସଂଶୋଧନ ଜରିଆରେ ଏକାବେଳକେ ୬୦ରୁ ଉର୍ଦ୍ଧ୍ୱ ଧାରାକୁ ପ୍ରଭାବିତ କରିଛନ୍ତି। କେତେକ ଧାରାକୁ ସମ୍ପୁର୍ଣ୍ଣ ନିରସ୍ତ୍ର କରାଯାଇଛି, କେତେକରେ ପରିବର୍ତ୍ତନ/ସଂଶୋଧନ/ବିଲୟ/ଆରୋପଣ କରାଯାଇଛି। ସମ୍ବିଧାନର ମୁଖବନ୍ଧ ସହିତ ମୌଳିକ ଢାଂଚାକୁ ମଧ୍ୟ ବଦଳାଇ ଦିଆଯାଇଛି। ମୌଳିକ ଅଧିକାରକୁ ନିରସ୍ତ୍ର କରିଯିବା ସହିତ ରାଷ୍ଟ୍ରନୀତି ପାଇଁ ଅଭିପ୍ରେତ ମାର୍ଗଦର୍ଶିକାକୁ ମଧ୍ୟ ବଦଳାଇ ଦିଆଯାଇଛି। ସଂବିଧାନ ବିଶେଷଜ୍ଞମାନେ ଏହି ପରିବର୍ତ୍ତନକୁ ଭାରତୀୟ ସମ୍ବିଧାନ ଉପରେ ଅନ୍ୟ ଏକ ମିନି ସମ୍ବିଧାନର ଆରୋପ ବୋଲି ସମାଲୋଚନା କରିଥାନ୍ତି। ଏହା ଯଥାର୍ଥରେ ଇଣ୍ଡିଆ ସମ୍ବିଧାନ ନହୋଇ ଇନ୍ଦିରା ସମ୍ବିଧାନରେ ପରିଣତ ହୋଇଥିଲା ବୋଲି ମଧ୍ୟ କୁହାଯାଇଥାଏ। ପରବର୍ତ୍ତି ସମୟରେ ଜନତା ପାର୍ଟି ସରକାର ୪୪ତମ ସମ୍ବିଧାନ ସଂଶୋଧନରେ କେତେକାଂଶରେ ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ପ୍ରୟାସ କରିଛନ୍ତି କିନ୍ତୁ ସଂବିଧାନର ପୂର୍ବାବସ୍ଥା ଫେରିନାହିଁ। ଏଭଳି ଦୁଷ୍କର୍ମ ପରେ ବି ଭାରତୀୟ ସମ୍ବିଧାନ ତିଷ୍ଠି ରହିଛି ଓ ଭାରତ ପାଇଁ ଫଳପ୍ରଦ ସମ୍ବିଧାନ ରୂପେ ଦେଶର କୋଟି କୋଟି ସାଧାରଣ ନାଗରିକଙ୍କର ଆସ୍ଥା ଭାଜନ ହୋଇପାରିଛି।

(ଲେଖକ ଜଣେ ସରକାରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ଉଚ୍ଚଶିକ୍ଷା ଉପନିର୍ଦ୍ଦେଶକ ଓ ବିଶିଷ୍ଠ  ନାଟ୍ୟକାର।)

ମୋବାଇଲ- ୯୩୩୭୧୨୦୨୫୫

ସୂର୍ଯ୍ୟ ନିଳୟ, ଜଗନ୍ନାଥ ବିହାର, ଭୁବନେଶ୍ୱର

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।