ସେଦିନ କାହିଁକି କାନ୍ଦିଲେ କର୍ଣ୍ଣେଲ ଦିଲ୍ଲୀପ ଭେଙ୍ଗସରକାର?

ଜଣେ ଦୁର୍ଦ୍ଧଷ ବ୍ୟାଟର ହିସାବରେ ତାଙ୍କର ପ୍ରସିଦ୍ଧି ଥିଲା। ତେବେ ତାଙ୍କ କ୍ୟାରିୟରରେ ଏପରି ଏକ ସମୟ ଆସିଥିଲା ଯେଉଁଥିପାଇଁ ତାଙ୍କୁ କାନ୍ଦିବାକୁ ପଡ଼ିଥିଲା। ତେବେ ଏହା କୌଣସି ଅର୍ନ୍ତଜାତୀୟ ମ୍ୟାଚ୍ ପାଇଁ ନୁହେଁ, ବରଂ ଗୋଟିଏ ରଣଜୀ ଟ୍ରଫି ମ୍ୟାଚ୍ ପାଇଁ। ଘଟଣାଟି କ’ଣ ଥିଲା ତାହା ଆସନ୍ତୁ ଜାଣିବା।

Dillip Vengsarkar

  • Published: Wednesday, 17 May 2023
  • , Updated: 17 May 2023, 01:04 PM IST

News highlights

  • ସେଦିନ ପଡ଼ିଆରେ କାନ୍ଦିଥିଲେ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଖେଳାଳି ଦିଲ୍ଲୀପ ଭେଙ୍ଗସରକାର!
  • କର୍ଣ୍ଣେଲ ନାମରେ ଖ୍ୟାତ ଏହି ଖେଳାଳି କ୍ୟାରିଅର ଶେଷ ଆଡ଼କୁ ଗୋଟେ ରଣଜୀ ଟ୍ରଫି ମ୍ୟାଚ୍‌ରେ କାନ୍ଦିଲେ କାହିଁକି?
  • କ’ଣ ଥିଲା ସେହି ରଣଜୀ ଟ୍ରଫି ମ୍ୟାଚର ଗୁରୁତ୍ୱ?

ଦିଲ୍ଲୀପ ଭେଙ୍ଗସରକାରଙ୍କୁ ଭାରତୀୟ କ୍ରିକେଟପ୍ରେମୀମାନେ କର୍ଣ୍ଣେଲ ନାମରେ ଜାଣନ୍ତି। ରାହୁଲ ଦ୍ରାବିଡ଼ ଭାରତୀୟ ମିଡ୍‌ଲ ଅର୍ଡରରେ ଯୋଗଦେବା ପୂର୍ବରୁ ସେ ହିଁ ପ୍ରକୃତରେ ଥିଲେ ଦଳର ନିର୍ଭରଯୋଗ୍ୟ ତିନି ନମ୍ବର ବ୍ୟାଟ୍ସମ୍ୟାନ। ଉଭୟ ଟେଷ୍ଟ ଏବଂ ଏକଦିବସୀୟରେ ସେ ଭାରତ ପକ୍ଷରୁ ପାଖାପାଖି ଷୋଳ ବର୍ଷ କ୍ରିକେଟ୍ ଖେଳି ଏକାଧିକ ରେକର୍ଡ ସ୍ଥାପନ କରିଥିଲେ। ୧୯୭୫ -୭୬ ବେଳକୁ ଯଦିଓ ସେ ଜଣେ ଓପନର ଭାବେ ବ୍ୟାଟିଂ ଆରମ୍ଭ କରିଥି୍ଲେ ତେବେ ସେ କ୍ୟାରିୟରର ଅଧିକାଂଶ ସମୟ ନମ୍ବର ୩ କିମ୍ବା ନମ୍ବର ୪ରେ ବ୍ୟାଟିଂ କରିଥିଲେ।

ଜଣେ ଦୁର୍ଦ୍ଧଷ ବ୍ୟାଟର ହିସାବରେ ତାଙ୍କର ପ୍ରସିଦ୍ଧି ଥିଲା। ତେବେ ତାଙ୍କ କ୍ୟାରିୟରରେ ଏପରି ଏକ ସମୟ ଆସିଥିଲା ଯେଉଁଥିପାଇଁ ତାଙ୍କୁ କାନ୍ଦିବାକୁ ପଡ଼ିଥିଲା। ତେବେ ଏହା କୌଣସି ଅର୍ନ୍ତଜାତୀୟ ମ୍ୟାଚ୍ ପାଇଁ ନୁହେଁ, ବରଂ ଗୋଟିଏ ରଣଜୀ ଟ୍ରଫି ମ୍ୟାଚ୍ ପାଇଁ। ଘଟଣାଟି କ’ଣ ଥିଲା ତାହା ଆସନ୍ତୁ ଜାଣିବା।

୧୯୯୧ ମସିହାର କଥା। ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଦୁଇ ସଦସ୍ୟ କପିଳ ଦେବ ଏବଂ ଭେଙ୍ଗସରକାର ସେତେବେଳେ ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିବାକୁ ବସିଥାଆନ୍ତି। ତେବେ ଅବସର ନେବା ପୂର୍ବରୁ ଜାତୀୟ ସ୍ତରର ପ୍ରସିଦ୍ଧ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ପ୍ରତିଯୋଗିତା ରଣଜୀ ଟ୍ରଫିକୁ ଆଉ ଥରେ ଲେଖାଏଁ ଜିତିବାକୁ ଚାହୁଁ ଥଆନ୍ତି। ସେତେବେଳକୁ କପିଳଙ୍କୁ ୩୩ ଏବଂ ଭେଙ୍ଗସରକାରଙ୍କୁ ୩୫ ବର୍ଷ ବୟସ।

ଭେଙ୍ଗସରକାର କିଛି ବର୍ଷ ତଳେ ନିଜର ବ୍ୟାଟିଂରେ ଯେଉଁଭଳି ସଫଳତା ପାଇଥିଲେ ତାହା ୧୯୯୦ ବେଳକୁ ନଥିଲା। ବରଂ ତାଙ୍କ ପ୍ରଦର୍ଶନ ନିମ୍ନଗାମୀ ହୋଇ ଚାଲିଥିଲା। ଯଦିଓ ତାଙ୍କ ଟେକନିକକୁ ନେଇ କେବେ ବି କାହାର କୌଣସି ସଂଦେହ ନଥିଲା ତେବେ ବଢ଼ି ଚାଲିଥିବା ବୟସ ଏବଂ ଯୁବ ବ୍ୟାଟ୍ସମ୍ୟାନଙ୍କ ଆବିର୍ଭାବ ଭେଙ୍ଗସରକାରଙ୍କର ବାଟ ବନ୍ଦ କରିଦେବା ଉପରେ। ଇଂଲଣ୍ଡ ବିପକ୍ଷରେ ଇଂଲଣ୍ଡରେ ସାଧାରଣ ଭାବରେ ବେଶ୍ ଭଲ ପ୍ରଦର୍ଶନ କରିପାରୁଥିବା ଦିଲ୍ଲୀପ୍ ୧୯୯୦ରେ ବି ଖରାପ ପ୍ରର୍ଦଶନ କରିଥିଲେ। ଦିଲ୍ଲୀପ୍ ଆଶା କରୁଥିଲେ ଯେ ଯଦି ରଣଜୀ ଟ୍ରଫିର ଫାଇନାଲରେ ଭଲ ପ୍ରଦର୍ଶନ କରନ୍ତି ତେବେ ଏହାକୁ ଆଧାର କରି ସେ ବେଶ୍ କିଛି ସିରିଜ୍ ଯାଏ ନିଜ କ୍ୟାରିୟରକୁ ବଂଚାଇ ରଖିପାରିବେ। ବମ୍ବେ ଦଳର ଅଧିନାୟକ ସଂଜୟ ମଂଜରେକର। ସେତେବେଳେ ସଚିନ୍ ବି ଥିଲେ, ଆଉ ଥିଲେ ଦିଲ୍ଲୀପ ଭେଙ୍ଗସରକାର।

ଦିଲ୍ଲୀପଙ୍କ ଆଗରେ ପ୍ରାଚୀର ପରି ଠିଆ ହୋଇଥିଲେ କପିଳ ପାଜିଙ୍କ ହରିୟାଣା ଦଳ। କପିଳ ଦେବ ବିଶ୍ୱ କପ୍ ଜିତି ସାରିଥିଲେ ବି କେବେ ବି ରଣଜୀ ଟ୍ରଫି ଜିତିପାରିନଥିଲେ। କପିଳ ବେଙ୍ଗଲ ବିପକ୍ଷରେ ସେମିଫାଇନାଲରେ ପାଂଚ ୱିକେଟ୍ ନେବା ସହ ଶତକ ବି ହାସଲ କରିଥିଲେ। କପିଲ୍ ବି ଚାହୁଁଥିଲେ ଘରୋଇ କ୍ରିକେଟର ଏହି ଟ୍ରଫି ତାଙ୍କ ଟ୍ରଫି କ୍ୟାବିନେଟକୁ ଆସୁ। କପିଳଙ୍କ ଦଳରେ ଥିଲେ ବିଜୟ ଯାଦବ ଏବଂ ଅଜୟ ଜାଡେଜାଙ୍କ ପରି ଖେଳାଳୀ। ବୋଲିଂ ସଂଭାଳୁଥି୍ଲେ ନିଜେ କପିଲ ଦେବ ଆଉ ଚେତନ ଶର୍ମା।

ପ୍ରଥମ ଇନିଂସରେ ହରିୟାଣା କରିଥିଲା ୫୨୨ ରନ୍। ଓପନର ଦୀପକ ଶର୍ମାଙ୍କର ୧୯୯, ଅଜୟ ଜାଡେଜାଙ୍କ ୯୪ ଓ ଚେତନ ଶର୍ମାଙ୍କର ୯୮ ରନର ଇଂନିସ୍ ହରିୟାଣାକୁ ବେଶ୍ ବିଶାଳ ସ୍କୋର ଦେଇଥିଲା। ଲାଗୁଥିଲା କିଛି ନ ହେଲେ ବି ହରିୟାଣା ପ୍ରଥମ ଇଂନିସ୍ ଲିଡ୍ ଭିତ୍ତିରେ ମ୍ୟାଚ୍ ଜିତିଯିବ। ବମ୍ବେର କ୍ଷେତ୍ର ରକ୍ଷଣ ବହୁତ ସାଧାରଣ ଥିଲା। ମୋଟ୍ ଉପରେ ବମ୍ବେର ଖେଳାଳୀମାନେ ଆଠଟି କ୍ୟାଚ ଛାଡ଼ିଥିଲେ। ହେଲେ ବମ୍ବେ ବି ଜୋରଦାର କମ୍‌ବ୍ୟାକ୍ କଲା। ଲାଲାଚାନ୍ଦ ରାଜପୁତ୍ ଏବଂ ସଂଜୟ ପାଟିଲଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଦଳ କରିଥିଲା ୪୧୦। ଲାଗୁଥିଲା ମ୍ୟାଚରୁ ଫଳାଫଳ ମିଳିବ ନାହିଁ। ହରିୟାଣା ବୋଧହୁଏ ପ୍ରଥମ ଇନିଂସ୍ ଆଗୁଆ ଭିତ୍ତିରେ ମ୍ୟାଚ୍ ଜିତିଯିବ। ତେବେ ବିଧିର ବିଧାନ କିଛି ଅଲଗା ଥିଲା।

ଉଭୟ ଦଳର ପ୍ରଥମ ଇଂନିସ୍ ସରିଲା ବେଳକୁ ତିନି ଦିନ ସରିଯାଇଥାଏ। ହରିୟାଣା ପୁଣି ୮୭ ଓଭର ବ୍ୟାଟିଂ କରି ୨୪୨ ରନ କରି ଅଲ ଆଉଟ୍ ହୋଇଯାଇଥିଲା। ଏହା ବି ସଂଭବ ହୋଇଥିଲା ଅଜୟଙ୍କର ଅପରାଜିତ ୬୦ ରନ୍ ଇନିଂସ୍ ଏବଂ ଶେଷ ଦୁଇ ୱିକେଟରେ ଅଜୟଙ୍କ ସହ ଅନ୍ୟମାନଙ୍କର ୮୮ ରନର ପାର୍ଟନରଶିପ ଯୋଗୁଁ। ମୁମ୍ବାଇ ପାଖରେ ଲକ୍ଷ୍ୟ ଥିଲା ୩୫୫ ରନର, ତାହା ପୁଣି କେବେଳ ୧୯୦ ମିନିଟ୍ ଏବଂ ୨୦ ଓଭରର ମାଣ୍ଡାଟୋରୀ ଓଭର ମଧ୍ୟରେ। ଭାରତରେ ପଂଚମ ଦିନର ପିଚରେ କେହି ବି ଏତିକି ରନ ଏତେ କମ୍ ସମୟ ମଧ୍ୟରେ କରିବାକୁ ସାହାସ କରିବେ ନାହିଁ। ହରିୟାଣା ପ୍ରଥମ ଇନିଂସ୍ ଲିଡ୍ ଭିତ୍ତିରେ ଏହି ମ୍ୟାଚ୍ ଜିତିବାର ସୁଯୋଗ ଥିଲା। ତେଣୁ ବମ୍ବେ ପାଖରେ ଏହି ରନକୁ ପିଛା କରି ରେକର୍ଡ ସୃଷ୍ଟି କରିବା କିମ୍ବା ଅସ୍ତ୍ର ତ୍ୟାଗ କରି କେବଳ ସମୟ କାଟିବା ପାଇଁ ଖେଳିବା ପରି ଦୁଇଟି ଉପାୟ ଥିଲା। ତେବେ ସେମାନେ ପ୍ରଥମଟିକୁ କରିବାକୁ ପସନ୍ଦ କଲେ।

ବମ୍ବେର ଆରମ୍ଭ ଭଲ ନଥିଲା। ଦଳର ଦୁଇ ଓପନର ଲାଲଚାନ୍ଦ ରାଜପୁତ, ଶିଶିର ହଟଙ୍ଗଡି ଏବଂ ଅଧିନାୟକ ସଂଜୟ ମଂଜରେକର ଆଉଟ୍ ହୋଇ ଫେରିଲାବେଳକୁ ଦଳର ସ୍କୋର ପଚାଶ ବି ଛୁଇଁ ନାହିଁ। ତେବେ ଦିଲ୍ଲୀପ୍ ଭେଙ୍ଗସରକାର ଏବଂ ସଚିନ୍ ତେନ୍ଦୁଲକର ପିଚରେ ଯୋଗଦେଲା ପରେ ଖେଳର ଗତିପଥ ବଦଳିଗଲା। ଉଭୟ ଯେ କେବଳ ୱିକେଟ୍ ବଂଚାଇଲେ ତାହା ନୁହେଁ ବରଂ ପଡ଼ିଆର ଚାରି ଦିଗକୁ ଷ୍ଟ୍ରୋକ୍ ଖେଳି ଚାଲିଲେ। ଯୋଗେନ୍ଦ୍ର ଭଣ୍ଡାରୀଙ୍କ ବଲରେ ଜାଡେଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହେବା ପୂର୍ବରୁ ସଚିନ କରିଥିଲେ ୯୬ ରନ, ଏହାପୁଣି ମାତ୍ର ୭୫ଟି ବଲରେ। ଦଳର ସ୍କୋର ଥିଲା ୧୬୮ ରନ। ଦିଲ୍ଲୀପ୍ ଭେଙ୍ଗସରକାର ତଥାପି ପଚାଶ କରିପାରିନଥିଲେ। ତା’ ପରେ ଆସିଲେ ବିନୋଦ କାମ୍ବଲୀ। ସେ ଅଜୟ ଜାଡେଜାଙ୍କ ହାତରେ କଟ୍ ଏଣ୍ଡ ବୋଲ୍ଡ ହୋଇ ଆଉଟ୍ ହେବା ପୂର୍ବରୁ କରିଥିଲେ ୪୫ ରନ୍। ଦଳ ୨୪୯ ରନ କରି ସାରିଥିଲା।

ଏତେବେଳେକୁ ଶେଷ କୋଡ଼ିଏ ମାଣ୍ଡାଟୋରୀ ଓଭରର ଖେଳ ଆରମ୍ଭ ହୋଇ ସାରିଥାଏ। ସେତେବେଳକୁ ଶେଷ ୨୦ ଓଭରରେ ବମ୍ବେକୁ ହାସଲ କରିବାର ଥାଏ ୧୧୪ ରନ। ହାରାହାରି ଓଭର ପିଛା ୫.୭ ରନ ଆବଶ୍ୟକ। ସେତେବେଳେ ଟି୨୦ ଆସିନଥିଲା କି ପ୍ରତି ଓଭରରେ ଛକା ଚୌକା ମାରିବା ଏତେ ସହଜ ନଥିଲା।

ତା’ ପରେ ଦିଲ୍ଲୀପ୍ ଖେଳିଲେ ଭାରତୀୟ ଘରୋଇ କ୍ରିକେଟର ଅନ୍ୟତମ ସର୍ବଶ୍ରେଷ୍ଠ ପାଳି। ସମୟ ସରି ଆସୁଥିଲା। ବ୍ୟାଟ୍ସମ୍ୟାନ୍ ସବୁ ଆଉଟ୍ ହୋଇ ଗୋଟିଏ ପରେ ଗୋଟିଏ ପାଭଲିୟନ ଫେରି ଯାଉଥିଲେ। ଅଥଚ କର୍ଣ୍ଣେଲ୍ ନିଜର ଲଢ଼େଇ ଜାରୀ ରଖିଥିଲେ। ଗୋଟିଏ ପରେ ଗୋଟିଏ ସଟ୍ ତାଙ୍କ ପ୍ରତିବଦ୍ଧତା ଦେଖାଉଥିଲା। ପ୍ରତି ୱିକେଟ୍ ପଡ଼ିବା ପରେ ଲାଗୁଥିଲା ନା ବମ୍ବେ ଏଥର ରଣଜୀ ଟ୍ରଫି ଜିତିପାରିବ ନାହିଁ। ହେଲେ ଦିଲ୍ଲୀପଙ୍କ ସଟ୍ ଦେଖି ଲାଗୁଥିଲା ଯେ ସତେ ଯେପରି ସେ ହରିୟାଣା ହାତକୁ ରଣଜୀ ଟ୍ରଫି ଟେକି ଦେବାକୁ ରାଜି ନାହାନ୍ତି। ୱିକେଟ୍ କିପର ଚନ୍ଦ୍ରକାନ୍ତ ପଣ୍ଡିତ କଲେ ୧୨ ରନ୍। ରାଜୁ କୂଲକର୍ଣ୍ଣୀ ୪ ରନରେ ରନ ଆଉଟ୍ ହେଲେବେଳକୁ ଦଳର ସ୍କୋର ୭ ୱିକେଟରେ ୨୯୦ ରନ୍। ଲକ୍ଷ୍ୟ ୬୫ ରନ ଦୂରରେ, ଆଉ ପାଖରେ ସେମିତି ଜଣାଶୁଣା ବ୍ୟାଟ୍ସମ୍ୟାନ୍ ନାହାନ୍ତି।

କର୍ଣ୍ଣେଲ ନିଜେ ଖେଳିଲେ, ବଡ଼ ସଟ ଖେଳିଲେ, ଷ୍ଟ୍ରାଇକ୍ ରୋଟେଟ୍ କଲେ। ଲାଗିଲା ଏଇ ଦେଖୁ ଦେଖୁ ବମ୍ବେ ରଣଜୀ ଟ୍ରଫିର ଫାଇନାଲ ଜିତିଯିବ। ଷ୍ଟାଡିୟମ ଭିତରେ ତଥାପି କୋଡ଼ିଏ ହଜାରରୁ ଅଧିକ ଲୋକ। ସମସ୍ତେ ଭେଙ୍ଗସରକାରଙ୍କର ବ୍ୟାଟିଂରେ ସ୍ତବ୍ଧ। ଦଳର ୮ ୱିକେଟ୍ ଗଲା ୩୦୦ ରନରେ, ଆଉଟ୍ ହେଲେ ସଲିଲ୍ ଆଙ୍କୋଲା। ନବମ ୱିକେଟ୍ ଗଲା ୩୦୫ରେ, ଦଳର ପ୍ରମୁଖ ପେସ୍ ବୋଲର ସଂଜୟ ପାଟିଲ ବ୍ୟକ୍ତିଗତ ଭାବେ ଦୁଇ ରନ କରି ରନ ଆଉଟ୍ ହେଲେ। ସେତେବେଳେକୁ ବମ୍ବେ ସମର୍ଥକ ନର୍ଭସ ହୋଇ ପଡ଼ିବା ସ୍ୱଭାବିକ। ଆବେ କୁରୁଭିଲ୍ଲା ବ୍ୟାଟିଂ କରିବାକୁ ଆସିଲାବେଳକୁ ଦଳ ଆହୁରି ପଚାଶ ରନ ଦରକାର କରୁଥିଲା। ଅଫ ସ୍ପିନର ଯୋଗେନ୍ଦ୍ର ଭଣ୍ଡାରୀଙ୍କର ଗୋଟିଏ ଓଭରରେ ତିନୋଟି ଛକା ଏବଂ ୨ଟି ଚୌକା ମାରି କର୍ଣ୍ଣେଲ ଦିଲ୍ଲୀପ୍ ଭେଙ୍ଗସରକାର ଦେଖାଇଦେଲେ ଯେ ସେ କୌଣସି ପରିସ୍ଥିତିରେ ବି ହରିୟାଣାକୁ ଏକୁଟିଆ ବାଟ ଛାଡ଼ିବେ ନାହିଁ।

ଆବେ କୁରୁଭିଲ୍ଲାଙ୍କୁ ସାଥୀ କରି ଦିଲ୍ଲୀପ ଶେଷ ୱିକେଟ୍ ପାଇଁ ଯୋଡ଼ିଥିଲେ ୪୭ ରନ। ଭେଙ୍ଗସରକାରଙ୍କର ଜଂଘ ଆଘାତପ୍ରାପ୍ତ ହୋଇଥିବାରୁ ତାଙ୍କ ପାଇଁ ଲାଲଚାନ୍ଦ ରାଜପୁତ୍ ରନର ହିସାବରେ ଦୌଡ଼ିଥିଲେ। ଏଥିରେ କେବଳ କୁରୁଭିଲ୍ଲା କରିଥିଲେ ୫ ରନ। ଶେଷ ଖେଳାଳୀଭାବେ କୁରୁଭିଲ୍ଲା ରନ ଆଉଟ ହୋଇ ପାଭଲିଆନ ଫେରିଲା ବେଳକୁ କରିଥିଲେ ମାତ୍ର ୫ ରନ। ବମ୍ବେ ୩୫୨ ରନରେ ଅଲଆଉଟ୍ ହୋଇଗଲା। କୁରୁଭିଲ୍ଲାଙ୍କୁ ସର୍ଟ ଫାଇନ୍ ଲେଗ୍ ଅଂଚଳରୁ ଦୌଡ଼ି ଆସି ଅମରଜିତ୍ କେପି ନନ୍ ଷ୍ଟ୍ରାଇକର ଏଣ୍ଡରେ ରନ୍ ଆଉଟ୍ କରି ବମ୍ବେ ଆଶାରେ ଧୂଳି ପକାଇଦେଲେ। ସେ ଲାଲାଚାନ୍ଦ ରାଜପୁତଙ୍କ ରନ ନେବାର କଲକୁ ଶୁଣି ପାରିଲେ ସତ ହେଲେ ସଟ୍ ଖେଳି ବଲ ଆଡ଼େ ଦେଖୁଥିବାରୁ ରନ୍ ନେବା ପାଇଁ ଆରମ୍ଭରେ ବିଳମ୍ବ କଲେ। ସେପଟେ ସ୍କୋୟାରଲେଗ୍ ଅମ୍ପାୟାର ପାଖରେ ଥିବା ଦିଲ୍ଲୀପ ଭେଙ୍ଗସରକାର କୁରୁଭିଲ୍ଲା ଆଉଟ୍ ହେବା ପରେ ନିଜେ ପଡ଼ିଆରେ ଗଡ଼ିଗଲେ। ଶେଷ ୱିକେଟର ପତନ ପରେ ପରେ ଦିଲ୍ଲୀପ ପିଚ୍ ଉପରେ ଆଣ୍ଠେଇ ପଡ଼ି ଅବୋଧ ଶିଶୁଟିଏ ପରି କଇଁ କଇଁ ହୋଇ କାନ୍ଦିଲେ। କେବଳ ସେତିକି ନୁହେଁ, ସେଠାରେ ଉପସ୍ଥିତ ଲୋକମାନଙ୍କ ମଧ୍ୟରୁ ଶତକଡ଼ା ନବେ ଭାଗ କାନ୍ଦୁଥିଲେ ବୋଲି ଉପସ୍ଥିତ ଦର୍ଶକମାନେ ପରେ କହିଥିଲେ। ହରିୟାଣା ୨ ରନରେ ପ୍ରଥମ ଥର ପାଇଁ ରଣଜୀ ଚମ୍ପିୟାନ ହେଲା।

ଏଇଥିପାଇଁ ତ କ୍ରିକେଟ ଏତେ ଲୋକପ୍ରିୟ! ଗୋଟିଏ କ୍ରିୟା ଏକ ସମୟରେ ସମର୍ଥକ ଏବଂ ବିରୋଧୀଙ୍କ ପାଖରେ ଦୁଇଟି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆଦାୟ କରିବାରେ ସକ୍ଷମ। ମେ ୩ରୁ ୭ ଭିତରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚର ଶେଷ ଦିନରେ ଘରୋଇ କ୍ରିକେଟରେ ବମ୍ବେର ଆଧିପତ୍ୟକୁ ପଦାନତ କରି ହରିୟାଣା ରଣଜୀରେ ନିଜ ପାଇଁ ଚାମ୍ପିୟାନର ଟ୍ୟାଗ୍ ସଂଗ୍ରହ କରି ନେଇଥିଲା। ବମ୍ବେ ଏ ପରାଜୟକୁ ଅନେକ ଦିନ ଯାଏ ହଜମ କରିପାରିନଥିଲା। ଏହାକୁ ରଣଜୀ ଟ୍ରଫି ଇତିହାସରେ ସବୁଠାରୁ ଅଧିକ ପ୍ରତିଦ୍ୱନ୍ଦିତାମୂଳକ ଫାଇନାଲ ମ୍ୟାଚ୍ ମଧ୍ୟରୁ ଅନ୍ୟତମ ହିସାବରେ ଗଣାଯାଏ।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

Related story