Advertisment

କାହିଁକି ଫସର ଫାଟିଲା ଗୋ ଆଲିଙ୍ଗନ ଦିବସ?

ଏହା ପ୍ରକୃତି ଓ ପଶୁଙ୍କ ସହ ପୁନଃ ସମ୍ପର୍କିତ ହେବାର ସୁଯୋଗ ଦେବା ସହ ଏକାନ୍ତରେ ନିଜ ଜୀବନକୁ ପର୍ଯ୍ୟାଲୋଚନା କରି ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରଣ କରିବା ଲାଗି ଅବକାଶ ସୃଷ୍ଟି କରିଥାଏ। ଆମେରିକାରେ କିଛି ଗାଈ ଫାର୍ମ ଗୋ ଆଲିଙ୍ଗନ ପାଇଁ ଘଣ୍ଟା ପ୍ରତି ୭୫ରୁ ୨୦୦ ଡଲାର (ପ୍ରାୟ ୬,୦୦୦ରୁ ୧୬,୦୦୦ ଟଙ୍କା) ପର୍ଯ୍ୟନ୍ତ ନେଉଥିବାର ଜଣାପଡ଼େ।

Cow Hug

Cow Hug Day

Advertisment

ନବେ ଦଶକର ପ୍ରାରମ୍ଭରୁ ଦେଶରେ ଅର୍ଥନୈତିକ ଉଦାରୀକରଣ ବ୍ୟବସ୍ଥା ପ୍ରଚଳନ ସହ ‘ଭାଲେଣ୍ଟାଇନ ଡେ’ ପାଳନର ଲୋକପ୍ରିୟତା ମଧ୍ୟ ବଢ଼ି ବଢ଼ି ଚାଲିଥିଲା। କିଛି ବର୍ଷ ପରେ ଏହାକୁ ଅପସଂସ୍କୃତି କହି ବଜରଙ୍ଗ ଦଳ ପରି ମୌଳବାଦୀ ସଙ୍ଗଠନଗୁଡ଼ିକ ଏହାକୁ ହିଂସାତ୍ମକ ଭାବେ ତୀବ୍ର ବିରୋଧ କରିବାରେ ଲାଗିଲେ। ଏହା ସତ୍ତ୍ୱେ ଏହାର ପାଳନରେ ଉତ୍ସାହ ହ୍ରାସ ପାଇଲା ନାହିଁ। ୨୦୧୮ରେ ଭାରତୀୟ ଜନତା ଦଳ ତରଫରୁ ଏହି ଦିନଟିକୁ ‘ମାତୃ-ପିତୃ ଦିବସ’ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ ବି ରାଜସ୍ଥାନ ସରକାରଙ୍କ ଶିକ୍ଷାମନ୍ତ୍ରୀ ତାକୁ ଅଗ୍ରାହ୍ୟ କରି କହିଥିଲେ ଯେ ବାପା-ମା’ଙ୍କୁ କେବଳ ଗୋଟିଏ ଦିନ ସମ୍ମାନ ଜଣାଇ ଦାୟିତ୍ୱମୁକ୍ତ ହୋଇହେବନାହିଁ।

Advertisment

ବସ୍ତୁତଃ ‘ଭାଲେଣ୍ଟାଇନ ଡେ’ ପାଳନକୁ ଫିକା ପକାଇବା ଲାଗି ହୋଇଥିବା ଉଦ୍ୟମଗୁଡ଼ିକ ଆଶାନୁରୂପ ସଫଳତା ହାସଲ କରିବା ପରିବର୍ତ୍ତେ ‘ଭାଲେଣ୍ଟାଇନ ଡେ’ର ଲୋକପ୍ରିୟତା, ବିଶେଷ କରି ସହରାଞ୍ଚଳମାନଙ୍କରେ ବୃଦ୍ଧି ପାଇ ଚାଲିଛି। ଏକ ଆକଳନ ଅନୁସାରେ କେବଳ ୨୦୨୦ ମସିହା ଭାଲେଣ୍ଟାଇନ ଦିବସ ଦିନ ଭାରତରେ ୧୦ କୋଟିରୁ ଅଧିକ ଡଲାର (ପ୍ରାୟ ୮୦୦ କୋଟି ଟଙ୍କା)ର ଉପହାର ଦିଆନିଆ ହୋଇଥିଲା। ‘ଭାଲେଣ୍ଟାଇନ ଡେ’କୁ ବିରୋଧ କ୍ରମରେ ସଦ୍ୟତମ ପ୍ରୟାସ ହେଉଛି ଫେବୃଆରି ୧୪ ଦିନଟିକୁ ‘ଗୋ ଆଲିଙ୍ଗନ ଦିବସ’ (କାଓ ହଗ ଡେ) ରୂପେ ପାଳନ କରିବାର ଘୋଷଣା। ୨୦୨୩ରେ ଏହି ଦିନଟିକୁ ‘ଗୋ ଆଲିଙ୍ଗନ ଦିବସ’ (କାଓ ହଗ ଡେ) ରୂପେ ପାଳନ କରିବା ଲାଗି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭାରତୀୟ ପ୍ରାଣୀ ମଙ୍ଗଳ ବୋର୍ଡ଼ (ଏଡବଲ୍ୟୁବିଆଇ) ତରଫରୁ ଫେବୃଆରି 6ରେ ଏକ ନିର୍ଦ୍ଦେଶନାମା ଜାରି ହେବା ପରେ ତାହା ବିଭିନ୍ନ ମହଲରେ ଅତ୍ୟଧିକ ସମାଲୋଚନାର ଶରବ୍ୟ ହେଲା। ଶେଷରେ ପ୍ରାଣୀ ମଙ୍ଗଳ ବୋର୍ଡ ନିର୍ଦ୍ଦେଶନାମାଟିକୁ ପ୍ରତ୍ୟାହାର କରିବା ଲାଗି ଏକପ୍ରକାର ବାଧ୍ୟ ହେଲେ। ଫଳରେ ଏହି ପ୍ରୟାସ ମଧ୍ୟ ସଫଳ ହେଲାନାହିଁ।

ଆଜିକାଲି ବିଦେଶରେ ମଧ୍ୟ ଗାଈକୁ ଆଲିଙ୍ଗନ କରିବା, ଗେହ୍ଲା କରିବା ଇତ୍ୟାଦି ନିରାମୟ ଜୀବନ ଯାପନ ଲାଗି ଆବଶ୍ୟକ ବୋଲି ଗୃହୀତ ହେବାକୁ ଲାଗିଲାଣି। ସାଧାରଣତଃ କୁକୁର, ବିଲେଇ ଭଳି ପୋଷା ଜୀବଜନ୍ତୁଗୁଡ଼ିକ ମଣିଷକୁ ଚାପମୁକ୍ତ ହେବାରେ ସହାୟକ ହୋଇଥାଆନ୍ତି ବୋଲି ବିଶ୍ୱାସ କରାଯାଏ। କ୍ରମଶଃ ଗାଈ ଓ ଅନ୍ୟ ଜୀବଜନ୍ତୁମାନଙ୍କ ସହ ଆନ୍ତରିକ ସମ୍ପର୍କ ମଧ୍ୟ ମଣିଷକୁ ଚାପମୁକ୍ତ କରିପାରେ ବୋଲି ଜଣା ପଡ଼ିଲାଣି। ତେଣୁ ନେଦରଲାଣ୍ଡସ, ଆମେରିକା, ବ୍ରିଟେନ୍, ସ୍ୱିଜରଲାଣ୍ଡ ଭଳି ଦେଶଗୁଡ଼ିକରେ ଗାଈ ଆଲିଙ୍ଗନ ନିରାମୟ ଜୀବନ ଯାପନର ଅଂଶ ବିଶେଷ ବୋଲି ବହୁଳ ଭାବେ ସ୍ୱୀକୃତ ହେଲାଣି। ନେଦରଲାଣ୍ଡସରେ କେଉଁ କାଳରୁ ଗାଈକୁ ଆଲିଙ୍ଗନ କରିବା ଏକ ସମାଜ ସ୍ୱୀକୃତ ରୀତି ଭାବେ ଅନୁସୃତ ହୋଇଆସୁଛି ଯାହାକୁ ‘କୋଏ କେନଫଲେନ’ (koe knuffflen) ବୋଲି କୁହାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ନେଦରଲାଣ୍ଡସ୍ ବିଶ୍ୱର ଅନ୍ୟତମ ପ୍ରମୁଖ ଦୁଗ୍ଧ ଉତ୍ପାଦନକାରୀ ଓ ରପ୍ତାନୀକାରୀ ଦେଶ।

Advertisment

ତେବେ କୋଭିଡ଼ ମହାମାରି ସମୟରେ ସାରା ବିଶ୍ୱରେ ମଣିଷ ମଣିଷକୁ ଆଲିଙ୍ଗନ କରିବା ପାଇଁ ବାରଣ କରାଯାଉଥିଲା ବେଳେ ଲୋକମାନେ ଅତ୍ୟଧିକ ଚାପଗ୍ରସ୍ତ ରହୁଥିବାରୁ ୨୦୨୦ରେ ଗୋ ଆଲିଙ୍ଗନ ନିରାମୟ ଜୀବନ ଯାପନର ଏକ ମାଧ୍ୟମ ରୂପେ ବିଭିନ୍ନ ଦେଶରେ ଆଦୃତ ହେବାକୁ ଲାଗିଲା। ଗାଈ ଫାର୍ମକୁ ଯାଇ ସେଠାରେ ଗାଈଙ୍କ ଗହଣରେ ତିନି ଚାରି ଘଣ୍ଟା ସମୟ ବିତାଇବା ଦ୍ୱାରା ସେମାନେ ଚାପମୁକ୍ତ ହେଉଥିବାର ଅନୁଭବ କଲେ। ଗାଈଙ୍କ ପ୍ରତି ମମତା, ଏକ ଭିନ୍ନପ୍ରକାର ସୁଖ ଦେଲା ଯଦ୍ଦ୍ୱାରା ଶରୀରରେ ହରମୋନ କ୍ଷରଣ ହେଲା ଯାହା ଚାପହ୍ରାସ କରିବାରେ ସହାୟକ ହେଉଥିବାର ଜଣାପଡ଼ିଲା। ଆଲିଙ୍ଗନ କଲାବେଳେ ଗାଈଙ୍କର ବିଶାଳକାୟ ତଥା ଉଷୁମ ଶରୀର ଓ ଅପେକ୍ଷାକୃତ ଧୀର ହୃତସ୍ପନ୍ଦନ ମଣିଷକୁ ପ୍ରଶାନ୍ତିଦାୟକ ଅନୁଭବ ପ୍ରଦାନ କରିଥାଏ ବୋଲି କେତେକ ଅଧ୍ୟୟନରୁ ଜଣାପଡ଼ିଲା। ଗାଈକୁ କୁଣ୍ଢାଇ ଧରିଲେ ମଣିଷର ଅକ୍ସିଟୋସିନ ସ୍ତର ବୃଦ୍ଧି ପାଇଥାଏ ଯଦ୍ଦ୍ୱାରା ହରମୋନ କ୍ଷରଣ ହୋଇ ସାମାଜିକ ବନ୍ଧନ ଦୃଢ଼ କରିବା ଅନୁକୂଳ ହୋଇଥାଏ। ଏହା ମଣିଷକୁ ଚାପମୁକ୍ତ ହେବାରେ ସହାୟକ ହୋଇଥାଏ। ଏହା ପ୍ରକୃତି ଓ ପଶୁଙ୍କ ସହ ପୁନଃ ସମ୍ପର୍କିତ ହେବାର ସୁଯୋଗ ଦେବା ସହ ଏକାନ୍ତରେ ନିଜ ଜୀବନକୁ ପର୍ଯ୍ୟାଲୋଚନା କରି ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରଣ କରିବା ଲାଗି ଅବକାଶ ସୃଷ୍ଟି କରିଥାଏ। ଆମେରିକାରେ କିଛି ଗାଈ ଫାର୍ମ ଗୋ ଆଲିଙ୍ଗନ ପାଇଁ ଘଣ୍ଟା ପ୍ରତି ୭୫ରୁ ୨୦୦ ଡଲାର (ପ୍ରାୟ ୬,୦୦୦ରୁ ୧୬,୦୦୦ ଟଙ୍କା) ପର୍ଯ୍ୟନ୍ତ ନେଉଥିବାର ଜଣାପଡ଼େ।

ଗୋ ଆଲିଙ୍ଗନରୁ ଅନେକ ସୁଫଳ ମିଳୁଥିବାର କୁହାଯାଉଥିଲେ ବି ଆଜି ଯାଏଁ କୌଣସି ଦେଶରେ ‘ଗୋ ଆଲିଙ୍ଗନ ଦିବସ’ ପାଳନ ହୁଏନାହିଁ। ଭାରତରେ ଗୋ ଆଲିଙ୍ଗନ ରୀତିଟି ବ୍ୟାପକ ଆଦୃତି ଲାଭ କରି ଏ ଯାଏଁ ଏକ ଲୋକପ୍ରିୟ ଅବଧାରଣାର ରୂପ ନେଇ ନଥିବା ବେଳେ ଏକା ଥରେ ଏକ ଗୋ ଆଲିଙ୍ଗନ ଦିବସ ପାଳନର ସରକାରୀ ସ୍ତରରେ ଘୋଷଣା ଅବିଚାରିତ ପରି ମନେ ହୁଏ। ସେଥିପାଇଁ ପୁଣି ଫେବୃଆରି ୧୪ରେ ପାଳିତ ହେଉଥିବା ‘ଭାଲେଣ୍ଟାଇନ ଡେ’ ଦିନଟିକୁ ଚୟନ କରିବା ଦ୍ୱାରା ଏହା ମୁକାବିଲା ମନୋବୃତ୍ତି ନେଇ କରାଯାଇଥିବାର ଭୁଲ ବାର୍ତ୍ତାଟିଏ ଯାଇ, ତାକୁ ବିରୋଧ କରିବାକୁ ଖୋରାକ ଯୋଗାଇଲା। ‘ଗୋ ଆଲିଙ୍ଗନ ଦିବସ’ ପାଳନ ନିଷ୍ପତ୍ତି ଘୋଷଣା କଲା ବେଳେ ପଶୁମଙ୍ଗଳ ବୋର୍ଡ ତରଫରୁ କୁହାଯାଇଥଲା, “ଗୋ ଆଲିଙ୍ଗନ ଆବେଗାତ୍ମକ ସମୃଦ୍ଧି ଆଣିବା ସହ ବ୍ୟକ୍ତିଗତ ଓ ସାମୂହିକ ସୁଖ ବୃଦ୍ଧି କରିବ। ... ଗୋ ଆଲିଙ୍ଗନ ବୈଦିକ ପରମ୍ପରା ପ୍ରତି ଦେଖା ଦେଇଥିବା ବିପଦକୁ ଦୂର କରିବାରେ ସହାୟକ ହେବ। ଏହି ପରମ୍ପରା ପ୍ରାଚୀନ ହିନ୍ଦୁ ଧର୍ମଗ୍ରନ୍ଥ ବେଦରୁ ଉଦ୍ଭବ ହୋଇଥିଲେ ବି ‘ପାଶ୍ଚାତ୍ୟ’ ପ୍ରଭାବରେ ବିଲୁପ୍ତ ହେବାକୁ ବସିଲାଣି।” ଏଠାରେ ‘ପାଶ୍ଚାତ୍ୟ ପ୍ରଭାବ’ର ଉଲ୍ଲେଖ ‘ଭାଲେଣ୍ଟାଇନ ଡେ’ ସନ୍ଦର୍ଭରେ କରାଯାଇଥିବା ଜଣାପଡ଼େ। ଏଥି ପୂର୍ବରୁ କୌଣସି ସରକାରୀ ସଂସ୍ଥା ପ୍ରକାଶ୍ୟରେ ‘ଭାଲେଣ୍ଟାଇନ ଡେ’ ପାଳନ ବିରୁଦ୍ଧରେ ଟିପ୍ପଣୀ ଦେଇଥିବାର ନଜିର ନଥିଲା। ତେଣୁ ସାମାଜିକ ଗଣମାଧ୍ୟମଗୁଡ଼ିକରେ ଏଭଳି ନିଷ୍ପତ୍ତିର ବିରୋଧ ହେବା ସ୍ୱାଭାବିକ ଥିଲା। ଫଳରେ ‘ଗୋ ଆଲିଙ୍ଗନ ଦିବସ’ ପାଳନ ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହୃତ ହେଲା। ‘ଭାଲେଣ୍ଟାଇନ ଡେ’ ପାଳନକୁ ବିରୋଧ କରି ଫେବୃଆରି ୧୪ ଭିନ୍ନ ଅନ୍ୟ କୌଣସି ଦିନକୁ ‘ଗୋ ଆଲିଙ୍ଗନ ଦିବସ’ ପାଳନ ପାଇଁ ଚୟନ କରାଯାଇଥିଲେ ତାହା ହୁଏତ ଏତେ ବିରୋଧ ବା ସମାଲୋଚନାର ସମ୍ମୁଖୀନ ହୋଇନଥାନ୍ତା। ଏଥିରୁ ସ୍ପଷ୍ଟ ହେଲା ଯେ ଭଲ କାମଟିଏ ବି ମନ୍ଦ ଉଦ୍ଦେଶ୍ୟ ରଖି ଅବିଚାରିତ ଭାବେ କରାଗଲେ ତାହା ଜନସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ହୋଇନଥାଏ ଓ ତାହା ବିଫଳ ହୋଇଥାଏ।

ଗାଈଙ୍କୁ ନେଇ ଅନ୍ୟ ସରକାରୀ ସଂସ୍ଥାଙ୍କ ଦ୍ୱାରା ପୂର୍ବରୁ ମଧ୍ୟ ଅବିଚାରିତ କାର୍ଯ୍ୟକ୍ରମମାନ ଆୟୋଜିତ ହେବାର ଘୋଷଣା ହୋଇଛି ଯାହା ପରବର୍ତ୍ତୀ ସମୟରେ ସମାଲୋଚିତ ହୋଇ ପ୍ରତ୍ୟାହୃତ ହୋଇଛି ମଧ୍ୟ। ଫେବୃଆରି ୨୫, ୨୦୨୧ରେ କେନ୍ଦ୍ର ସରକାରଙ୍କ ‘ରାଷ୍ଟ୍ରୀୟ କାମଧେନୁ ଆୟୋଗ’ ଦ୍ୱାରା ଅନଲାଇନ ଯୋଗେ ଏକ ‘କାମଧେନୁ ଗୋବିଜ୍ଞାନ ପ୍ରଚାର ପ୍ରସାର ପରୀକ୍ଷା’ର ଆୟୋଜନ କରାଯାଇଥିଲା। ହିନ୍ଦୀ ଓ ଇଂରାଜୀ ଭାଷା ବ୍ୟତୀତ ଏହା ୧୨ଟି ଆଞ୍ଚଳିକ ଭାଷାରେ ମଧ୍ୟ ହୋଇଥାଆନ୍ତା। ତେବେ ପରୀକ୍ଷାର ପାଠ୍ୟକ୍ରମରେ ଗାଈର ଗୋବର ରେଡ଼ିଓଆକ୍ଟିଭ ବିକୀରଣରୁ ସୁରକ୍ଷା ପ୍ରଦାନ କରିବା, ଗାଈ କ୍ଷୀରରେ ସୁନାର ଅଂଶ ଥିବା, ଗୋ-ହତ୍ୟା ଯୋଗୁଁ ଭୂମିକମ୍ପ ହେଉଥିବା ଭଳି କେତେକ ବିଜ୍ଞାନ ଅସମର୍ଥିତ ଦାବି ସନ୍ନିବେଶିତ ହୋଇଥିବାରୁ ଏହା ବିବଦମାନ ହୋଇ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲା। ଫଳରେ କେନ୍ଦ୍ର ସରକାରଙ୍କ ପଶୁପାଳନ ମନ୍ତ୍ରାଳୟ ହସ୍ତକ୍ଷେପ କରି ପରୀକ୍ଷାଟିକୁ ସ୍ଥଗିତ କରିବାକୁ ବାଧ୍ୟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ପରୀକ୍ଷାର ପରିକଳ୍ପନା କରିଥିବା ଆୟୋଗର ଅଧ୍ୟକ୍ଷ ବଲ୍ଲଭ ଭାଇ କଥିରିଆ ଅବସର ଗ୍ରହଣ କରିସାରିଛନ୍ତି ଓ ଇତିମଧ୍ୟରେ ପ୍ରାୟ ୨ ବର୍ଷ ଅତିବାହିତ ହୋଇସାରିଥିଲେ ବି ସେହି ସ୍ଥଗିତ ପରୀକ୍ଷାଟି ଆଉ ଆୟୋଜିତ ହୋଇନାହିଁ। ଦେଶୀ ଗାଈଙ୍କ ସଂରକ୍ଷଣ ଓ ସଂବର୍ଦ୍ଧନ ଉଦ୍ଦେଶ୍ୟରେ ଫେବୃଆରି ୬, ୨୦୧୯ରେ ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ‘ରାଷ୍ଟ୍ରୀୟ କାମଧେନୁ ଆୟୋଗ’ର ପ୍ରତିଷ୍ଠା କରାଯାଇଥିଲା ଯାହା ପଶୁପାଳନ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଛି। କଥିରିଆ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ସେ ଅଧ୍ୟକ୍ଷ ଥିବା ସମୟରେ ଅକ୍ଟୋବର ୨୦୨୦ରେ ଏପରି ଏକ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ ଯେ ରାଜକୋଟସ୍ଥିତ ‘ଶ୍ରୀଜୀ ଗୋଶାଳା’ ଦ୍ୱାରା ଗାଈ ଗୋବରରୁ ଏକ ମୋବାଇଲ ଚିପ୍ ପ୍ରସ୍ତୁତ କରାଯାଇଛି ଯାହାର ନାମ ‘ଗୋସତ୍ତ୍ୱ କବଚ’ ରଖାଯାଇଛି। ଏବର ମୋବାଇଲ ଚିପଗୁଡ଼ିକରେ ହେଉଥିବା ବିକୀରଣ (ରେଡ଼ିଏସନ୍) ଜନିତ କୁପ୍ରଭାବ ପରି କୁପ୍ରଭାବ ଉପରୋକ୍ତ ଚିପର ବ୍ୟବହାରରେ ହେବନାହିଁ ବୋଲି ଦାବି କରାଯାଉଥିଲା। ବିଦେଶରୁ ଚିପ୍ ଆମଦାନି କରାଯାଇ ଦେଶରେ ମୋବାଇଲ ଫୋନ ନିର୍ମାଣ ଆଶାତୀତ ସଫଳତା ହାସଲ କରିଥିବାର କୁହାଯାଉଥିଲେ ବି ଭାରତରେ ତିଆରି ସେହି ବିକୀରଣମୁକ୍ତ ଗୋବରର ମୋବାଇଲ ଚିପ ସେଥିରେ ବ୍ୟବହୃତ ନହେବା ଚକିତ କରିଥାଏ।

ଭାରତୀୟ ସମ୍ୱିଧାନରେ ସ୍ଥାନିତ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ପରିଚ୍ଛେଦର ଅନୁଚ୍ଛେଦ ୫୧(କ) ଅନୁଯାୟୀ ନାଗରିକମାନେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ତାର୍କିକ ଓ ଯୁକ୍ତିସଙ୍ଗତ ଚିନ୍ତାଧାରାର ବିକାଶରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ହୋଇଥାଏ ଯେଉଁଥିରେ ପ୍ରଶ୍ନ ପଚାରି ତା’ର ଉତ୍ତର ଖୋଜିବା ଉପରେ ଗୁରୁତ୍ୱ ଦିଆଯାଇଥାଏ। ପଣ୍ଡିତ ଜବାହରଲାଲ ନେହରୁ ତାଙ୍କ ‘ଡିସକଭରି ଅଫ ଇଣ୍ଡିଆ’ ପୁସ୍ତକରେ ‘ବୈଜ୍ଞାନିକ ମନୋବୃତ୍ତି’କୁ ବ୍ୟାଖ୍ୟା କରି ଲେଖିଛନ୍ତି, “ଏହା ଏକ ଜୀବନ ଧାରଣର ଶୈଳୀ - ଚିନ୍ତା ଓ କାର୍ଯ୍ୟ କରିବାର ଏକ ବ୍ୟକ୍ତିଗତ ଏବଂ ସାମାଜିକ ପ୍ରକ୍ରିୟା ଯାହା ପ୍ରଶ୍ନ ପଚାରିବା, ବାସ୍ତବତାକୁ ଅନୁଧ୍ୟାନ କରିବା, ପରୀକ୍ଷା କରିବା, ଅନୁମାନକୁ ସିଦ୍ଧ କରିବା, ବିଶ୍ଳେଷଣ କରିବା ଓ ସୂଚାଇବା ଭଳି ବୈଜ୍ଞାନିକ ପଦ୍ଧତିଗୁଡ଼ିକର ଉପଯୋଗ କରିଥାଏ।” ଆସ୍ଥା ଓ ବିଶ୍ୱାସରେ ପ୍ରଶ୍ନ ପଚାରିବାର ଅବକାଶ ନଥିବାରୁ ତାହା ବୈଜ୍ଞାନିକ ମନୋବୃତ୍ତି ବିକାଶର ପରିପନ୍ଥୀ ହୋଇଥାଏ। ତେଣୁ ବୈଜ୍ଞାନିକ ଗବେଷଣା ବା ବିଶ୍ଳେଷଣ ଆଧାରରେ କୌଣସି ବିଷୟ ପ୍ରମାଣିତ ହୋଇ ନଥିଲେ କେବଳ ଆସ୍ଥା ଓ ବିଶ୍ୱାସ ଆଧାରରେ ତାକୁ ନାଗରିକଙ୍କ ଉପରେ ଲଦି ଦେବାର ସରକାରୀ ପ୍ରୟାସ ହେଲେ ତାହା ବୈଜ୍ଞାନିକ ମନୋବୃତ୍ତି ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ସରକାରୀ ସଂସ୍ଥାଗୁଡ଼ିକ ସେଥିରୁ ନିବୃତ୍ତ ରହିବା ଆବଶ୍ୟକ। ଦିବସ ପାଳନ ଉପରେ ଧ୍ୟାନ ନ ଦେଇ ଗବେଷଣା ମାଧ୍ୟମରେ ଗାଈଙ୍କ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ଅଧିକ ତଥ୍ୟ ଉପସ୍ଥାପନ କରାଯାଇପାରିଲେ ଗୋସମ୍ପଦର ସୁରକ୍ଷା ଓ ସଂବର୍ଦ୍ଧନ ସୁନିଶ୍ଚିତ ହେବାରେ ସହାୟକ ହୁଅନ୍ତା।

‘ଜୀବେ ଦୟା’ର ସିଦ୍ଧାନ୍ତରେ ବିଶ୍ୱାସ କରୁଥିବା ଭାରତୀୟ ସଂସ୍କୃତିରେ ଜୀବଜଗତର ପ୍ରତିଟି ପଶୁପକ୍ଷୀ, କୀଟପତଙ୍ଗ, ବୃକ୍ଷଲତାଙ୍କ ପ୍ରତି ଦୟା ମନୋଭାବ ପ୍ରଦର୍ଶିତ ହେବା ଆଶା କରାଯାଏ। ଏହି ଭଲପାଇବା କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରଜାତି ମଧ୍ୟରେ ସୀମିତ ନ ରହି ସମଗ୍ର ଜୀବଜଗତର ବିଭିନ୍ନ ପ୍ରଜାତିଙ୍କ ପ୍ରତି ପରିବ୍ୟାପ୍ତ ହେଲେ ତାହା ମଣିଷଠାରେ ଦୟା, କ୍ଷମା, ଆଦି ଗୁଣର ବିକାଶ ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୁଅନ୍ତା। ତାହା ହାସଲ କରିବା ପାଇଁ ହେଉଥିବା ପ୍ରତିଟି ଉଦ୍ୟମ ସ୍ୱାଗତଯୋଗ୍ୟ। ତେବେ ଧର୍ମ ଆଧାରରେ ଯଦି ସେହି କାର୍ଯ୍ୟଟି କରାଯାଏ ତେବେ ତାହା ରାଜନୈତିକ ଓ ଧାର୍ମିକ ଗୋଷ୍ଠୀଙ୍କ ଦ୍ୱାରା ହେବା ବିଧେୟ। ସରକାରୀ ସଂସ୍ଥା ସେଭଳି ପ୍ରୟାସଠାରୁ ଦୂରେଇ ରହିବା ଉଚିତ।

ସରଳ କୁମାର ଦାସ

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

Deshi Cows Valentine Day Cow Hug Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe