/odisha-reporter/media/post_attachments/uploadimage/library/16_9/16_9_0/IMAGE_1686125645.jpg)
Javagal Srinath
ସେ ପେସ୍ ବୋଲର୍ ହୁଅନ୍ତୁ କିମ୍ବା ସ୍ପିନ ବୋଲର୍, ସମସ୍ତଙ୍କର ଲକ୍ଷ୍ୟ ହେଉଛି ୱିକେଟ୍ ନେବା। ବୋଲିଂରେ କମ୍ରୁ କମ୍ ରନ ଦେଇ ୱିକେଟ୍ ନେଉଥିବା ବୋଲର ବୋଲିଂରେ ସଫଳତା ପାଇବା ସହ ଦଳରେ ନିଜର ସ୍ଥାନ ପକ୍କା କରିଥାଏ। ଏଥିପାଇଁ ବୋଲରମାନେ ନିଜର ବୋଲିଂରେ ବିବିଧତା ଆଣିବା ସହ ୱିକେଟ୍ ପାଇବା ପାଇଁ ପଡ଼ିଆ ସଜ୍ଜାରେ ପରିବର୍ତ୍ତନ କରିଥାଆନ୍ତି। ତେବେ ଏମିତି କମ୍ ଉଦାହରଣ ଥିବ ଯେଉଁଠି ବୋଲର ଜଣଙ୍କ ବୋଲିଂ କରିବାକୁ ବାଧ୍ୟ ତ ହେବ, ହେଲେ ତାର ମୁଖ୍ୟ କାମ ହେବ ବୋଲିଂ ଦ୍ୱାରା ବ୍ୟାଟ୍ସମ୍ୟାନଙ୍କୁ ଆଉଟ ନ କରିବା! ଏମିତି ଏକ ଘଟଣା ଥରେ ଭାରତୀୟ କ୍ରିକେଟ୍ରେ ଘଟିଥିଲା, ଯେଉଁଠି ବୋଲର ଜଣଙ୍କ ବୋଲିଂ କରି ୱିକେଟ୍ ନେବା ଅପେକ୍ଷା ବୋଲିଂ ବଳରେ ଅପରପକ୍ଷର ବ୍ୟାଟ୍ସମ୍ୟାନଙ୍କୁ ଆଉଟ ନ କରିବା ପାଇଁ ଚେଷ୍ଟା କରିବା ପାଇଁ ବାଧ୍ୟ ହୋଇଥିଲେ। ତେବେ ଏପରି ଏକ ଘଟଣା ଯୋଗୁଁ ପରେ ଯେଉଁ ବିଶ୍ୱ କିର୍ତ୍ତୀମାନ ସ୍ଥାପନ ହେଲା ସେଥିପାଇଁ ସମସ୍ତେ ଏହି ୱିକେଟ୍ ନେଇ ନଥିବା ବୋଲରଙ୍କୁ ସାବାସୀ ଦେଲେ। ହଁ, ଆମେ ଆଜି ଭାରତର ଦୁଇ ମହାନ ବୋଲର କୁମ୍ବଲେ, ଶ୍ରୀନାଥ ଏବଂ ୧୯୯୯ର କୋଟଲା ଟେଷ୍ଟର କାହାଣୀ କହିବାକୁ ଯାଉଛୁ।
୧୯୯୯ରେ ଫିରୋଜ ଶାହା କୋଟଲା ଟେଷ୍ଟରେ ଭାରତ ସାମନା କରୁଥାଏ ନିଜର ଚିରପରିଚିତ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ଯୁଦ୍ଧ ଯୋଗୁଁ ଏହି ଦୁଇ ଦେଶ ମଧ୍ୟରେ ଖୁବ୍ କମ୍ କ୍ରିକେଟ ଖେଳ ହୋଇଥାଏ। ପୁଣି ଉଭୟ ଦେଶର ରକ୍ତାକ୍ତ ବିଭାଜନର ଇତିହାସ, ଏକା ପରି ଭୂଗୋଳ ଏବଂ ସମାନ ସଂସ୍କୃତିକ ପୃଷ୍ଠଭୂମି ଯୋଗୁଁ ଯେତେବେଳେ ବି ଭାରତ ପାକିସ୍ତାନ ମ୍ୟାଚ୍ ହୁଏ ସେତେବେଳେ ଏହି ମ୍ୟାଚ୍ ସବୁ ବେଶ୍ ରୋମାଂଚକର ଏବଂ ଲୋକପ୍ରିୟ ହୋଇଥାଏ। ଏହି ସିରିଜ ଦୁଇ ଟେଷ୍ଟ ବିଶିଷ୍ଟ ଥାଏ ଏବଂ ଭାରତ ପ୍ରଥମ ଟେଷ୍ଟକୁ ୧୨ ରନରେ ହାରି ସାରିଥାଏ। ତେଣୁ କୋଟଲାରେ ଜିତି ସିରିଜ ବରାବର କରିବା ଛଡ଼ା ଅନ୍ୟ ଉପାୟ ନ ଥାଏ।
ଭାରତର ପ୍ରଥମ ଇଂନିସ୍ର ୨୫୨ ରନ ଜବାବରେ ପାକିସ୍ତାନ ସ୍କୋର କଲା ୧୭୨ ରନ୍। ଭାରତ ପାଖରେ ପାଖାପାଖି ୯୦ ରନର ଅଗ୍ରଣୀ ଥାଏ। ଭାରତ ଦ୍ୱିତୀୟ ଇନିଂସ୍ରେ କଲା ୩୩୯ ରନ। ସଦାଗୋପନ ରମେଶଙ୍କ ଆକର୍ଷଣୀୟ୯୬ ରନ ଏବଂ ଶ୍ରୀନାଥଙ୍କର ୪୯ ରନ ବ୍ୟତୀତ ଗାଙ୍ଗୁଲୀଙ୍କର ୬୨ ରନ୍ର ନଟ ଆଉଟ୍ ଇଂନିସ୍ ଯୋଗୁଁ ପାକିସ୍ତାନ ପାଖରେ ଟେଷ୍ଟ ସହ ସିରିଜ ବିଜୟ ପାଇଁ ୫୩୦ ରନର ଲକ୍ଷ୍ୟ ରହିଲା। ଭାରତ ପାଖରେ ମ୍ୟାଚ୍ ଜିତିବା ପାଇଁ ପାଖାପାଖି ଦେଢ଼ ଦିନରୁ ବି ଅଧିକ ସମୟ ଥିଲା।
ପାକିସ୍ତାନ ଦ୍ୱିତୀୟ ଇନିଂସ ଆରମ୍ଭ କଲା ବେଶ୍ ଆକ୍ରମଣାତ୍ମକ ଢଙ୍ଗରେ। ଶହୀଦ୍ ଆଫ୍ରିଦି ଏବଂ ସଇଦ ଅନୱରଙ୍କ ଯୋଡ଼ି ପ୍ରଥମ ୱିକେଟ୍ରୁ ହିଁ ଉଠାଇନେଲେ ୧୦୧ ରନ୍। ୱିକେଟରେ ଅସମତଳ ବାଉନ୍ସ ଥିଲା। ଗୋଟିଏ ସ୍ଥାନରେ ବଲ୍ ପଡୁଥିଲେ ବି ବଲ୍ ଉଚ୍ଚାନୀଚ୍ଚା ରହୁଥିଲା। ଏଭଳି ପିଚ୍ରେ କୁମ୍ବଲେ ବେଶ୍ ମାରାତ୍ମକ ହୋଇ ଉଠନ୍ତି। ପିଚ୍ରୁ ଟର୍ନ ନ ମିଳିଲେ ବି କୁମ୍ବଲେ ବୋଲିଂରେ ମାରାତ୍ମକ ହୋଇପଡ଼ନ୍ତି, କାରଣ ତାଙ୍କର ବୋଲିଂରେ ବିବିଧତା ପ୍ରଚୁର ଥାଏ। ତଥାପି ମଧ୍ୟାହ୍ନ ଭୋଜନ ଶେଷ ସୁଦ୍ଧା ଭାରତକୁ କୌଣସି ୱିକେଟ୍ ମିଳି ନଥିଲା।
ତେବେ ମଧ୍ୟାହ୍ନ ଭୋଜନ ପରେ ଭାରତର ଭାଗ୍ୟ ବଦଳିଗଲା। କୁମ୍ବଲେ ନିଜର ବୋଲିଂ ପାର୍ଶ୍ୱ ପରିବର୍ତ୍ତନ କଲେ। ତାପରେ ଭାରତର ଭାଗ୍ୟ ବଦଳିଗଲା। କୁମ୍ବଲେ ପ୍ରଥମେ ହାସଲ କଲେ ଆଫ୍ରିଦିଙ୍କ ୱିକେଟ୍। ସେହି ୱିକେଟ୍ର ଠିକ୍ ପର ବଲରେ ଇଜାଜ୍ ଅହମ୍ମଦ ଆଉଟ୍ ହେଲେ କୁମ୍ବଲେଙ୍କ ଦ୍ୱାରା। ତା’ ପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ କୁମ୍ବଲେ ଭାରତକୁ ବିଜୟ ଆଡ଼କୁ ନେଇ ଚାଲିଲେ। ମଧ୍ୟାହ୍ନ ଭୋଜନ ଏବଂ ଚା ପାନ ବିରତି ମଝିରେ ପଡୁଥିବା ୩୦ ଓଭର ମଧ୍ୟରୁ କୁମ୍ବଲେ ଗୋଟିଏ ପାର୍ଶ୍ୱରୁ ଏକାଦିକ୍ରମେ ପନ୍ଦର ଓଭର ପକାଇଲେ। ଚାପାନ ବିରତି ବେଳକୁ ପାକିସ୍ତାନ ୬ ୱିକେଟ୍ ହରାଇ ସାରିଥିଲା। କୁମ୍ବଲେ ସବୁଯାକ ୱିକେଟ୍ ହାତେଇ ନେଇଥିଲେ।
ଚା ପାନ ବିରତି ପରେ କୁମ୍ବଲେ ପୁଣି ବୋଲିଂ ଜାରୀ ରଖିଲେ। ସପ୍ତମ ୱିକେଟ୍ରେ ସଲିମ୍ ମଲ୍ଲିକ୍ ଏବଂ ୱାସିମ ଆକ୍ରମ ଯୋଡ଼ିଥିଲେ ୫୮ ରନ୍। ସଲିମ୍ ମଲ୍ଲିକଙ୍କୁ ଆଉଟ୍ କରି କୁମ୍ବଲେ ଏହି ଯୋଡ଼ିକୁ ଭାଙ୍ଗିଦେଲେ। ଅଷ୍ଟମ ଏବଂ ନବମ ୱିକେଟ ବି ମିଳିଲା କୁମ୍ବଲେଙ୍କୁ, ତାହା ପୁଣି ସମାନ ସ୍କୋରରେ। ଦ୍ରାବିଡ଼ଙ୍କୁ କ୍ୟାଚ୍ ଦେଇ ମୁସ୍ତାକ ଅହମ୍ମଦ ଆଉଟ ହେଲେ ଇନିଂସ୍ର ୫୯ତମ ଓଭରର ୫ମ ବଲରେ। ସେହି ଓଭରର ଶେଷ ବଲରେ ଆଉଟ୍ ହେଲେ ସାକଲେନ୍ ମୁସ୍ତାକ। କୁମ୍ବଲେଙ୍କ ଖାତାରେ ପଡ଼ିଥିଲା ସମସ୍ତ ୯ ଗୋଟି ୱିକେଟ୍।
କୁମ୍ବଲେ ଭାରତ ପାଇଁ ଇତିହାସ ସୃଷ୍ଟି କରିବାକୁ ଯାଉଥିଲେ। ଭାରତର କୌଣସି ବୋଲର ଟେଷ୍ଟ କ୍ରିକେଟ୍ର ଗୋଟିଏ ଇନିଂସରେ ଦଶ ୱିକେଟ୍ ନେବାର ସୁଯୋଗ ପାଇନଥିଲେ। ବିଶ୍ୱ କ୍ରିକେଟ୍ରେ ଏମିତି ବିରଳ ଘଟଣା ଆଗରୁ କେବଳ ଗୋଟିଏ ଥର ହିଁ ହୋଇଥିଲା। ଇଂଲଣ୍ଡର ଜିମ୍ ଲେକର ୧୯୫୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ମଚେଂଷ୍ଟରଠାରେ ଖେଳି ଗୋଟିଏ ପାଳିରେ ଦଶ ୱିକେଟ ହାସଲ କରିଥିଲେ। ସେପରି ବିରଳ ଘଟଣା ବିଶ୍ୱ କ୍ରିକେଟରେ କେବଳ ସେହି ଥରକ ଘଟିଥିଲା।
ଭାରତ ପକ୍ଷରୁ ଜସୁ ପଟେଲ, ସୁଭାଷ ଗୁପ୍ତେ ଏବଂ କପିଲ ଦେବ ଆଗରୁ ଗୋଟିଏ ଇନିଂସରେ ନ ୱିକେଟ୍ ପାଇଥିଲେ ମଧ୍ୟ କେବେ ବି କାହା ଭାଗ୍ୟରେ ଦଶ ୱିକେଟ୍ ନେବାର ସୁଯୋଗ ମିଳିନଥିଲା। ଏବେ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଏହି ବିରଳ ରେକର୍ଡ କ୍ଲବ୍ରେ ସାମିଲ ହେବାକୁ ଯାଉଥିଲେ। ତେବେ ୯ମ ୱିକେଟ୍ଟି କୁମ୍ବଲେ ତାଙ୍କର ସେହି ଓଭରର ଶେଷ ବଲରେ ପାଇଥିବାରୁ ତାଙ୍କୁ ଆଉ ଗୋଟିଏ ଓଭର ଅପେକ୍ଷା କରିବାକୁ ପଡ଼ିଲା।
ଏହି ଇଂନିସ୍ର ୬୦ତମ ଓଭର ବୋଲିଂ କଲେ ଭାରତର ଅନ୍ୟତମ ସ୍ପିଡଷ୍ଟାର ଜାଭାଗଲ ଶ୍ରୀନାଥ। ଏହି ଓଭରରେ ତାଙ୍କ କାମ ଥିଲା ଯେ ସେ ବୋଲିଂ କରିବାକୁ ଥିବା ଛଅଟି ବଲରେ ଯେପରି ୱିକେଟ୍ ନପଡ଼େ। ଏପରି ହେଲେ କୁମ୍ବଲେ ପରବର୍ତ୍ତୀ ବୋଲର ଭାବେ ବୋଲିଂ କରି ୱିକେଟ୍ ହାସଲ କରିପାରିବେ ଏବଂ ନିଜର ଲକ୍ଷ୍ୟସ୍ଥଳରେ ପହଁଚି ଭାରତ ପାଇଁ ଇତିହାସ ଲେଖି ପାରିବେ।
ଶ୍ରୀନାଥଙ୍କ ପାଇଁ ସମସ୍ୟା ଥିଲା ଯେ ସେ ଭଲ ସୁଇଂ ବୋଲିଂ କରିପାରୁଥିଲେ। ଉଭୟ ଇନସୁଇଂ ଏବା ଆଉଟ ସୁଇଂ ବୋଲିଂରେ ଶ୍ରୀନାଥ ବେଶ୍ ପଟୁତା ହାସଲ କରିଥିଲେ। ପୁଣି ୱିକେଟ୍ ମଧ୍ୟରେ ବଲ ରଖିଲେ ବ୍ୟାଟ୍ସମ୍ୟାନ୍ ସଟ ଖେଳିବାକୁ ଯାଇ ବୋଲ୍ଡ କିମ୍ବା ଏଲବିଡବ୍ଲୁ ଆଉଟ୍ ହୋଇଯିବାର ସଂଭାବନା ଥାଏ। ଏପରି ସ୍ଥିତିରେ ଶ୍ରୀନାଥ କଣ ବୋଲିଂ କରିବେ ତାହା ସମସ୍ତେ ଦେଖିବାକୁ ଅପେକ୍ଷା କଲେ।
ଶ୍ରୀନାଥ ଲମ୍ବା ରନ ଅପ ନେଇ ଆସିଲେ। ତାଙ୍କୁ ଛଅଟା ଯାକ ବଲ ପାଖାପାଖି ସମାନ ଲେନ୍ଥରେ ଅଫ ଷ୍ଟମ୍ପର ବହୁତ ବାହାରେ ବୋଲିଂ କରିବାକୁ ପଡ଼ିଲା। କୌଣସି ବ୍ୟାଟ୍ସମ୍ୟାନ ଆଉଟ ହେଲେ ନାହିଁ। ଶ୍ରୀନାଥ ବୋଲିଂ କରିବାର ଯେଉଁ କଳା କୌଶଳ ଶିଖିଥିଲେ ତାହା ତାଙ୍କୁ ସେହି ଓଭର ପାଇଁ ଭୁଲିବାକୁ ପଡିଥିଲା। ଦର୍ଶକ ଖୁସିରେ ନାଚିଲେ। ଅନେକ ପ୍ରାର୍ଥନା କରୁଥିଲେ ଯେ କେମିତି ହେଲେ କୁମ୍ବଲେ ପାକିସ୍ତାନର ଶେଷ ୱିକେଟ୍ ହାସଲ କରନ୍ତୁ। ତେବେ ସାମନାରେ ଥିଲେ ୱାସିମ୍ ଆକ୍ରମଙ୍କ ପରି ଅଭିଜ୍ଞ ଅଲ ରାଉଣ୍ଡର ଯିଏ ଆବଶ୍ୟକତା ଅନୁଯାୟୀ ବ୍ୟାଟିଂ କରିବାର ଦକ୍ଷତା ରଖୁଥିଲେ। ୬୧ତମ ଓଭର ବୋଲିଂ କରିବାକୁ କୁମ୍ବଲେ ଆସିଲେ।
ଏହି ଓଭରର ତୃତୀୟ ବଲରେ ହିଁ କୁମ୍ବଲେ ଲକ୍ଷ୍ମଣଙ୍କ ହାତରେ କ୍ୟାଚ୍ କରାଇ ୱାସିମ୍ ଆକ୍ରମଙ୍କୁ ପାଭଲିୟନ ଫେରାଇଦେଲେ। କୁମ୍ବଲେ ପ୍ରଥମ ଭାରତୀୟ ଏବଂ ବିଶ୍ୱର ଦ୍ୱିତୀୟ ବୋଲର ଭାବେ ଗୋଟିଏ ପାଳିର ସମସ୍ତ ଦଶ ୱିକେଟ ହାସଲ କଲେ। ପରବର୍ତ୍ତୀ ସମୟରେ ଏହି ମ୍ୟାଚ୍ କଥା ଯେତେବେଳେ ବି ଆଲୋଚନା ହୁଏ କୁମ୍ବଲେଙ୍କ ଦଶ ୱିକେଟ୍ ସହ ଶ୍ରୀନାଥଙ୍କର ଏହି ୱିକେଟ୍ ବିହୀନ ଓଭରର ଚର୍ଚ୍ଚା ବି ହୁଏ। ସବୁବେଳେ ଯେ ୱିକେଟ୍ଯୁକ୍ତ ଓଭର ଲୋକପ୍ରିୟ ହେବ ତାହା ନୁହେଁ ବରଂ ଅନେକ ସମୟରେ ୱିକେଟ୍ ବିହୀନ ଓଭର ଗୁଡ଼ିକର ମଧ୍ୟ ପ୍ରାସଙ୍ଗିକତା କ୍ରିକେଟରେ ଥାଏ, ତାହା ପୁଣିଥରେ ପ୍ରମାଣିତ ହୋଇଗଲା। ଏଇଥିପାଇଁ ତ କ୍ରିକେଟ୍ ଏତେ ପ୍ରସିଦ୍ଧ, ଏତେ ଲୋକପ୍ରିୟ।
ଏହି ଘଟଣାର ଅନେକ ବର୍ଷ ପରେ ଥରେ ଗୋଟିଏ କ୍ରିକେଟ୍ ସାକ୍ଷାତକାରରେ ଜିମ୍ବାୱେର ପୂର୍ବତନ ଫାଷ୍ଟ ବୋଲର ପୁମେମାଲ ବାଙ୍ଗୱାଙ୍କୁ ସାକ୍ଷାତକାର ଦେଇ କୁମ୍ବଲେ କହିଥିଲେ ଯେ ଶ୍ରୀନାଥଙ୍କ ବୋଲିଂ ଚାଲୁଥିଲାବେଳେ ସେ ନର୍ଭସ ଥିଲେ ସତ, ହେଲେ ଏପରି ଷ୍ଟମ୍ପ ବାହାରେ ବୋଲିଂ କରିବାକୁ ସେ କେବେହେଲେ ଶ୍ରୀନାଥଙ୍କୁ ଅନୁରୋଧ କରିନଥିଲେ। ସେ ଜାଣିଥିଲେ ଯେ ୬୧ତମ ଓଭରରେ ହିଁ ଏହି ମ୍ୟାଚ୍କୁ ଶେଷ କରିବା ଦରକାର ଥିଲା। ନହେଲେ ପରବର୍ତ୍ତୀ ଓଭର ଆଉ କାହାକୁ ବୋଲିଂ ଦେଲାବେଳେ ସେ ବି ୱିକେଟ୍ ବିହୀନ ଓଭରଟିଏ କାଢ଼ିବାର ଚାପ ଅନୁଭବ କରିଥାଆନ୍ତା।
କୁମ୍ବଲେଙ୍କର ଏହି ଅଭୂତପୂର୍ବ ପ୍ରଦର୍ଶନ ଆଧାରରେ ଭାରତ ପାକିସ୍ତାନକୁ ୨୧୨ ରନର ବ୍ୟବଧାନରେ ହରାଇବା ସହ ସିରିଜ ବରାବର କରି ନିଜର ସମ୍ମାନ ବଂଚାଇବାର ସୁଯୋଗ ପାଇଥିଲା।
ରୁଦ୍ର ପ୍ରସନ୍ନ ରଥ
ଫୋ- ୭୯୭୮୬୭୧୭୭୬
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
