Advertisment

ପ୍ରଜ୍ଞାନ ଓଝାଙ୍କୁ ଗାଳି କରି ଭାରତକୁ ମ୍ୟାଚ୍‌ ଜିତାଇଲେ ଲକ୍ଷ୍ମଣ!

ସେଦିନ ଭାଙ୍ଗିପୁରାପ୍ପୁ ଭେଙ୍କଟସାଇ ଲକ୍ଷ୍ମଣ ବା ଭିଭିଏସ୍ ଲକ୍ଷ୍ମଣ ରାଗିଗଲେ। ସାଧାରଣତଃ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟିଂର ତ୍ରାଣକର୍ତ୍ତା ସାଜୁଥିବା ଲକ୍ଷ୍ମଣଙ୍କୁ ରାଗିବାର କେହି କେବେ ଦେଖିନଥାନ୍ତି। ସେଦିନ କେବଳ ତାଙ୍କ ସହ ବ୍ୟାଟିଂ କରୁଥିବା ଓଡ଼ିଆ ଖେଳାଳୀ ପ୍ରଜ୍ଞାନ ଓଝା ଗାଳି ଖାଇଲେ। ସେଇ ଗାଳି ମାତ୍ର କେଇ ମୂହୂର୍ତ୍ତ ପାଇଁ ଥିଲା। ଆଉ ଲକ୍ଷ୍ମଣ ସେହି ଗାଳି କରିବାର ମାତ୍ର ପାଂଚଟି ବଲ ପରେ ଭାରତୀୟ ଦଳକୁ ଭେଟିଦେଲେ ଏକ ଅବିସ୍ମରଣୀୟ ବିଜୟ।

author-image
Debendra Prusty
Pragyan Ojha

Pragyan Ojha

ରୁଦ୍ର ପ୍ରସନ୍ନ ରଥ

ସେଦିନ ଭାଙ୍ଗିପୁରାପ୍ପୁ ଭେଙ୍କଟସାଇ ଲକ୍ଷ୍ମଣ ବା ଭିଭିଏସ୍ ଲକ୍ଷ୍ମଣ ରାଗିଗଲେ। ସାଧାରଣତଃ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟିଂର ତ୍ରାଣକର୍ତ୍ତା ସାଜୁଥିବା ଲକ୍ଷ୍ମଣଙ୍କୁ ରାଗିବାର କେହି କେବେ ଦେଖିନଥାନ୍ତି। ସେଦିନ କେବଳ ତାଙ୍କ ସହ ବ୍ୟାଟିଂ କରୁଥିବା ଓଡ଼ିଆ ଖେଳାଳୀ ପ୍ରଜ୍ଞାନ ଓଝା ଗାଳି ଖାଇଲେ। ସେଇ ଗାଳି ମାତ୍ର କେଇ ମୂହୂର୍ତ୍ତ ପାଇଁ ଥିଲା। ଆଉ ଲକ୍ଷ୍ମଣ ସେହି ଗାଳି କରିବାର ମାତ୍ର ପାଂଚଟି ବଲ ପରେ ଭାରତୀୟ ଦଳକୁ ଭେଟିଦେଲେ ଏକ ଅବିସ୍ମରଣୀୟ ବିଜୟ। ଭାରତର ସେହି ଅବିସ୍ମରଣୀୟ ବିଜୟ ପରେ ପରେ ଲକ୍ଷ୍ମଣଙ୍କ ବ୍ୟାଟିଂ ଦକ୍ଷତାକୁ ନେଇ ଚର୍ଚ୍ଚା ତ ହୋଇଥିଲା ହେଲେ ତା ସହିତ ନିଜର ଧୈର୍ଯ୍ୟ ହରାଇ ପ୍ରଜ୍ଞାନକୁ ଗାଳି କରିଥିବା ସେହି କିଛି ସମୟର ଭିଜୁଆଲ୍ସ ଆଜି ବି ଅନେକ କ୍ରୀଡ଼ା ପ୍ରେମୀଙ୍କର ମନରେ ତାଜା ଭାବେ ଅଙ୍କିତ ହୋଇ ରହିଛି।

Advertisment

୫ ଅକ୍ଟୋବର, ୨୦୧୦। ସ୍ଥାନ ମୋହାଲୀ। ଭାରତ ଅଷ୍ଟ୍ରେଲିଆ କ୍ରିକେଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟର ଶେଷ ଦିନ। ଚତୁର୍ଥ ପାଳିରେ ଭାରତ ୨୧୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୨୪ ରନରେ ଆଠ ୱିକେଟ ହରାଇ ସାରିଥାଏ। ଯଦିଓ ଲକ୍ଷ୍ମଣ ଶେଷ ସ୍ପେଶାଲିଷ୍ଟ ବ୍ୟାଟର ଭାବେ ଉପସ୍ଥିତ ଥାଆନ୍ତି ତେବେ ତାଙ୍କ ସହିତ କେବଳ ଇଶାନ୍ତ ଶର୍ମା ଆଉ ପ୍ରଜ୍ଞାନ ଓଝାଙ୍କୁ ଛାଡ଼ିଦେଲେ ବ୍ୟାଟିଂ କରିବାକୁ ଅନ୍ୟ କେହି ବ୍ୟାଟର ନଥାନ୍ତି। ମୋଟାମୋଟି କହିବାକୁ ଗଲେ ଭାରତ ପ୍ରାୟ ମ୍ୟାଚ୍ ହାରି ସାରିଥାଏ। କେବଳ ଔପଚାରିକତା ଦୃଷ୍ଟିରୁ ଅଷ୍ଟ୍ରେଲିଆ ଦୁଇଟି ୱିକେଟ ନେବା ବାକିଥାଏ। ଦର୍ଶକମାନେ ବି ଜାଣି ସାରିଥାଆନ୍ତି ଯେ ଭାରତର ପରାଜୟ ଏକ ରକମ ନିଶ୍ଚିତ। କେବଳ ସମୟକୁ ଅପେକ୍ଷା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ପାଳିରେ କରିଥିଲା ୪୨୮ ରନ୍। ସେନ ୱାଟସନ ଶତକ ହାସଲ କରିଥିଲେ। ରିକି ପଂଟିଂ ଏବଂ ଟିମ୍ ପେନ୍ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ଜବାବରେ ମଧ୍ୟ ଭଲ ବ୍ୟାଟିଂ କରିଥିଲା। ସେହ୍ୱାଗ, ସଚିନ୍‌, ରହୁଳ ଦ୍ରାବିଡ୍ ଏବଂ ସୁରେଶ ରାଇନା ଅର୍ଦ୍ଧଶତକ ମାରିଥିଲେ। ଭାରତ ୪୦୫ ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୨୩ ରନର ଗୋଟିଏ ଛୋଟିଆ ଅଥଚ ମହତ୍ତ୍ୱ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା।

Advertisment

ଭାରତୀୟ ଉପମହାଦେଶର ପିଚ୍ ସବୁରେ ଚତୁର୍ଥ ଇନିଂସ୍ ସବୁରେ ୨୦୦ ରନରୁ ଅଧିକ ସଂଗ୍ରହ କରିବା ସବୁବେଳେ ଆହ୍ୱାନପୂର୍ଣ୍ଣ। ଏଣୁ ଭାରତ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଇନିଂସରେ ୨୦୦ ରନ ମଧ୍ୟରେ ରୋକିବା ଆବଶ୍ୟକ ଥିଲା। ଦ୍ୱିତୀୟ ଇନିଂସରେ ଭାରତ ଭଲ ପ୍ରଦର୍ଶନ ମଧ୍ୟ କଲା। ମାତ୍ର ୬୦ ଓଭର ଏବଂ ୧୯୨ ରନ୍ ମଧ୍ୟରେ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିଦେଲା। ଜାହୀର ଏବଂ ଈଶାନ୍ତକୁ ତିନି ୱିକେଟ୍ ଲେଖାଏଁ ମିଳିଲା। ଆଉ ବାକିଥିବା ଚାରି ୱିକେଟକୁ ହରଭଜନ ଏବଂ ପ୍ରଜ୍ଞାନ ନିଜ ନିଜ ମଧ୍ୟରେ ବାଂଟି ନେଇଥିଲେ। ଭାରତ ଜିତିବାକୁ ୨୧୬ ରନ୍ ଆବଶ୍ୟକ କରୁଥିଲା। ଭାରତ ପାଖରେ ପୂରା ଗୋଟିଏ ଦିନ ଏବଂ ଚତୁର୍ଥ ଦିବସର ୧୭ ଓଭର ଖେଳ ବାକିଥିଲା।

ଏହିପରି ଛୋଟିଆ ଲକ୍ଷ୍ୟକୁ ହାସଲ କରିବା ଶେଷ ଦିନରେ ବେଶ୍ କାଠିକର ପାଠ ହୋଇପଡ଼େ। ଛୋଟିଆ ଲକ୍ଷ୍ୟ ଭାବି ଅନେକ ସମୟରେ ବ୍ୟାଟରମାନେ ଅନାବଶ୍ୟକ ଭାବେ ବଡ଼ ସଟ ଖେଳି ୱିକେଟକୁ ଫୋପାଡ଼ି ଦିଅନ୍ତି ନତୁବା ବେଳେ ବେଳେ ପିଚରେ ପଂଚମ ଦିନରେ ହୋଇଥିବା ଛୋଟ ଛୋଟ ଖାଲ ଢିପ ସବୁ ବ୍ୟାଟରମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରେ। ଏଥିରୁ ପାର ପାଇବାର ଗୋଟିଏ ଚମତ୍କାର ସୂତ୍ର ଅଛି। ତାହା ହେଉଛି ପିଚ୍ ବେଶୀ ଖରାପ ହେବା ପୂର୍ବରୁ ଆପଣଙ୍କ ଓପନର ଧୂଆଁଧାର ଆରମ୍ଭ କରି ଯେତେ ସଂଭବ ରନ୍ ସଂଗ୍ରହ କରିବେ ଏବଂ ପରବର୍ତ୍ତୀ ସମୟରେ ଖେଳିବାକୁ ଆସୁଥିବା ବ୍ୟାଟରମାନଙ୍କ ମଧ୍ୟରୁ ଜଣେ ୱିକେଟର ଗୋଟିଏ ପଟୁ ଜଗି ରହିବାବେଳେ ଅନ୍ୟମାନେ ଆକ୍ରମଣ ଜାରୀ ରଖିବେ।

ଭାରତ ଦ୍ୱିତୀୟ ଇନିଂସର ପ୍ରଥମ ଓଭରରେ ଗୌତମ ଗାମ୍ଭୀରଙ୍କ ୱିକେଟ ହରାଇଲା। ସଂଧ୍ୟା ସୁଦ୍ଧା ୪ ୱିକେଟ୍ ବିନିମୟରେ ମାତ୍ର ୫୫ ରନ ସଂଗ୍ରହ କରିଥିଲା। ଏହି କ୍ରମରେ ଲକ୍ଷ୍ଣଣଙ୍କ ୱିକେଟ ମୂଲ୍ୟବାନ୍ ଥିବାରୁ ଭାରତ ତାଙ୍କ ୱିକେଟ୍ ବଂଚାଇବାକୁ ଯାଇ ଜହୀର ଖାନଙ୍କୁ ନାଇଟ୍ ୱାଚ୍ ମ୍ୟାନ୍ ଭାବେ ପଠାଇଲା। ଚତୁର୍ଥ ଦିନ ସଂଧ୍ୟା ବେଳକୁ ସଚିନ୍ ଏବଂ ଜହୀର ଅପରାଜିତ ହୋଇ ପାଭଲିୟନଙ୍କୁ ଫେରିଲେ। ଲୋକଙ୍କର ଆଶାଥିଲା ୨୧୬ ରନ୍ ଗୋଟିଏ ବଡ଼ ଟାରଗେଟ୍ ନୁହେଁ। ଯେହେତୁ ସଚିନ୍ ଏବଂ ଲକ୍ଷ୍ମଣଙ୍କ ସହ ଧୋନୀ ଅପରାଜିତ ଅଛନ୍ତି ତେଣୁ ଭାରତ ସହଜରେ ନ ହେଲେ ବି ଏହି ମ୍ୟାଚ୍‌ରେ ବିଜୟ ଲାଭ କରିବ।

ଟେଷ୍ଟର ନିର୍ଣ୍ଣାୟକ ଏବଂ ପଂଚମ ଦିନ ଖେଳ ହେଲା ୫ ଅକ୍ଟୋବର ଦିନ। ମ୍ୟାଚ୍ ଆରମ୍ଭର ପ୍ରଥମ ଘଂଟା ଭିତରେ ଜହୀର ଖାନ୍ ବ୍ୟକ୍ତିଗତ ଭାବେ ୧୦ ରନ୍ କରି ପଂଚମ ବ୍ୟାଟର ଭାବେ ଆଉଟ୍ ହେଲା ବେଳକୁ ଦଳର ସ୍କୋର ଥିଲା ୭୬ ରନ୍। ଏହା ପରେ ଲକ୍ଷ୍ମଣ ଏବଂ ସଚିନ୍ ମିଶି ଦଳର ସ୍କୋର ୧୧୯ ଯାଏ ନେଇଗଲେ। ସଚିନ୍ ଏଇଠି ଆଉଟ୍ ହୋଇଗଲେ ୩୮ ରନ୍ କରି। ଦଳର ସ୍କୋରରେ ଆଉ ମାତ୍ର ତିନି ରନ୍ ଯୋଡ଼ି ହୋଇଥିବା ବେଳେ ଧୋନୀ ବି ଆଉଟ୍ ହୋଇଗଲେ। ଭାରତୀୟ ଦଳର ବିଜୟ ଉପରେ ପ୍ରଶ୍ନବାଚୀ ଲାଗି ସାରିଥିଲା। ଏବେ କେବଳ ମ୍ୟାଚ୍ କେତେ ସମୟରେ ଶେଷ ହେବ ତାହା ଦେଖିବାକୁ ବାକିଥିଲା।

ସଚିନ୍ ଆଉଟ୍ ହେଲା ପରେ ଭାରତର ବିଜୟ ଆଶା ମରିଯାଏ। ଦର୍ଶକ ଷ୍ଟାଡିୟମ ଛାଡ଼ି ଦିଅନ୍ତି। ସେଦିନ ବି ସେମିତି ହେଲା। ତେବେ ସେଦିନ ସେତିକିରେ ମ୍ୟାଚ୍ ସରିନଥିଲା। ସେଦିନ ମ୍ୟାଚ୍ ଶେଷ ବେଳକୁ ଆଉ ଜଣେ ନୂଆ ହୀରୋ ଜନ୍ମ ନେଇ ସାରିଥିଲେ।

ପଡ଼ିଆକୁ ଓହ୍ଲାଇଲେ ଈଶାନ୍ତ ଶର୍ମା। ନବମ ବ୍ୟାଟ୍‌ର ଭାବେ। ଦିଲ୍ଲୀର ଏହି ଦୀର୍ଘକାୟ ବୋଲର ନିଜର ବ୍ୟାଟିଂ ଦକ୍ଷତା ପାଇଁ ସେତେ ପ୍ରସିଦ୍ଧ ନଥାନ୍ତି। ସେଦିନ ସେ ଖେଳିଲେ ନିଜ କ୍ରିକେଟ ଜୀବନର ସର୍ବଶ୍ରେଷ୍ଠ ପାଳି। ପଡ଼ିଆରେ ଲକ୍ଷ୍ମଣଙ୍କ ସହ ୧୦୬ ମିନିଟ୍ ଠିଅ। ହେଲେ। ୯୨ଟି ବଲ ଖେଳି କରିଥିଲେ ବହୁମୂଲ୍ୟ ୩୧ ରନ୍। ଏଥିରେ ୫ଟି ଚୌକା ସାମିଲ ଥିଲା। ବେନ ହିଲଫେନୌସଙ୍କ ବଲରେ ଏଲବିଡବ୍ଲୁ ଆଉଟ ହେଲାବେଳକୁ ଲକ୍ଷ୍ମଣଙ୍କ ସହ ଯୋଡ଼ି ସାରିଥିଲେ ୮୧ ବହୁମୂଲ୍ୟ ରନ୍। ଭାରତ ଯଦିଓ ବିଜୟଠୁ ଦୂରରେ ଥିଲା ତଥାପି ଭାରତ ବିଜୟ ପଥରେ ଥିଲା କେବଳ ଈଶାନ୍ତଙ୍କ ଏହି କ୍ଷୁଦ୍ର ଅଥଚ ବହୁମୂଲ୍ୟ ଇନିଂସ୍ ଯୋଗୁଁ।

ଇଶାନ୍ତ ଆଉଟ୍ ହେଲାବେଳକୁ ଦଳର ସ୍କୋର ଥିଲା ୨୦୫ ରନ୍। ଜିତିବାକୁ ତଥାପି ୧୧ ରନ୍ ଆବଶ୍ୟକ ଥିଲା। ଯଦିଓ ଲକ୍ଷ୍ମଣ ଭଲ ବ୍ୟାଟିଂ କରୁଥିଲେ ତେବେ ଅଷ୍ଟ୍ରେଲିଆର ବୋଲରଙ୍କୁ ଓଭରର ଶେଷ ବଲରେ ସିଙ୍ଗିଲ୍ସ ବାହାର କରି ନିଜ ପାଖରେ ନୂଆ ଓଭର ପାଇଁ ଷ୍ଟ୍ରାଇକ୍ ରଖିବା ସବୁବେଳେ ସଂଭବ ନଥିଲା। ଏଣୁ ପ୍ରଜ୍ଞାନଙ୍କୁ ବି କିଛି ବଲ ଖେଳିବାର ଥିଲା। ପ୍ରଜ୍ଞାନ ଏବଂ ଲକ୍ଷ୍ମଣ ମିଶି ମୋଟରେ ଖେଳିଥିଲେ ୨୦ଟି ବଲ। ସେଥିରେ ପ୍ରଜ୍ଞାନଙ୍କୁ ଖେଳିବାକୁ ପଡ଼ିଥିଲା ୧୦ଟି ବଲ୍। ଏଥିରୁ ପ୍ରଜ୍ଞାନ ଅଷ୍ଟ୍ରେଲିଆ ବୋଲରଙ୍କୁ ଆଉଟ୍ ହେବାର ସୁଯୋଗ ମଧ୍ୟ ଦେଇଥିଲେ।

ସେପଟେ ଲକ୍ଷ୍ମଣ ଆଘାତପ୍ରାପ୍ତ ହେବାରୁ ସୁରେଶ ରାଇନାଙ୍କୁ ରନର ଭାବେ ବ୍ୟବହାର କରୁଥିଲେ। ଅର୍ଥାତ ଲକ୍ଷ୍ଣଣ ବ୍ୟାଟିଂ କରୁଥିଲେ ଆଉ ତାଙ୍କ ପାଇଁ ବ୍ୟାଟିଂ ପଟରୁ ଦୌଡୁଥିଲେ ସୁରେଶ୍ ରାଇନା। ପଡ଼ିଆରେ ମୋଟ୍ ଉପରେ ତିନି ଜଣ ଖେଳାଳି ଥିଲେ। ନିୟମିତ ବ୍ୟାଟିଂ କରୁ ନଥିବା ପ୍ରଜ୍ଞାନଙ୍କ ପାଇଁ ଲକ୍ଷ୍ମଣ ଏବଂ ରାଇନାଙ୍କ ସହ ସମନ୍ୱୟ ରକ୍ଷା କରି ରନ୍ କରିବା ବେଶ୍ କଷ୍ଟକର ଥିଲା। ଆଉ ଏହା ବେଶ୍ ସ୍ୱାଭାବିକ ବି।

ଏହି ମ୍ୟାଚର ୫୭.୫ ଓଭରର ବଲ ଲକ୍ଷ୍ମଣ ଖେଳୁଥିଲେ। ଲକ୍ଷ୍ମଣ ଏକ ସଟ୍ ସିଧା ଖେଳିଲେ ମିଡ୍ ଅଫର ଡାହାଣକୁ। ସାଧାରଣତଃ ପଡ଼ିଆରେ ଫୂର୍ତ୍ତି ଦେଖାଉଥିବା ରାଇନା ରନ୍ ପାଇଁ ବାହାରିଗଲେ ପ୍ରଜ୍ଞାନଙ୍କ ପାଖକୁ। ତେବେ ପ୍ରଜ୍ଞାନ ରନ୍ ନେବା ପାଇଁ ବାହାରି ତ ଆସିଲେ ହେଲେ ବୋଧହୁଏ ସେ ଭାବିଲେ ଯେ ରନ୍ ନେବା ସଂଭବ ନୁହେଁ। ତେଣୁ ପୁଣି ନିଜ ଆଡ଼କୁ ଫେରିଲେ। ସେପଟେ ରାଇନ୍ ପ୍ରାୟ ପିଚର ଅଧାଅଧି ସ୍ଥାନରେ ପହଁଚି ଗଲେଣି। ତେବେ ଏହାକୁ ଦେଖି ଲକ୍ଷ୍ମଣ ଭୟଙ୍କର ରାଗିଗଲେ। ଓଝାଙ୍କୁ ଗାଳି ମଧ୍ୟ କଲେ। ଦିନ ତମାମ ବ୍ୟାଟିଂ କରି ଭାରତକୁ ବିଜୟ ଲାଭ କରିବାର ସ୍ଥିତିକୁ ନେଇ ଆସିଥିବା ଲକ୍ଷ୍ମଣ ପ୍ରଜ୍ଞାନଙ୍କର ଏହି ଛୋଟିଆ ଭୁଲକୁ କ୍ଷମା କରିବା ସ୍ଥିତିରେ ନଥିଲେ। କାରଣ ଲକ୍ଷ୍ମଣ ଜାଣିଥିଲେ ଯେ ଏବେ ବି ମ୍ୟାଚ୍ ଶେଷ ହୋଇନାହିଁ ଏବଂ ଏହି ଗୋଟିଏ ଛୋଟିଆ ଭୁଲ ଯୋଗୁଁ ଦୀର୍ଘ ଚାରି ଘଂଟା ଧରି ସେ ଆଉ ଈଶାନ୍ତ ଶର୍ମା କରିଥିବା ପରିଶ୍ରମ ବୃଥା ହୋଇଯିବ।

ଓଭର ମଝିରେ ଲକ୍ଷ୍ମଣ ଏବଂ ପ୍ରଜ୍ଞାନ ଓ ସୁରେଶ ରାଇନା ପୁଣି ଏକାଠି ହେଲେ। ଲକ୍ଷ୍ମଣ ପ୍ରଜ୍ଞାନଙ୍କ କାନ୍ଧରେ ହାତ ରଖି କିଛି ଗୋଟାଏ କଥା କହୁଥିବାର ଦେଖାଗଲା। ଏହି ଓଭର ଘଟଣାକ୍ରମେ ମ୍ୟାଚର ଶେଷ ଓଭର ପାଲଟିଗଲା। ମିଚେଲ ଜନସନଙ୍କ ଏହି ଓଭରରେ ଭାରତ ଗୋଟିଏ ଓଭର ଥ୍ରୋରେ ଅଷ୍ଟ୍ରେଲିଆଠାରୁ ଚାରି ରନ ପାଇଲା। ଆଉ ଗୋଟିଏ ବଲ ପରେ ପରେ ପ୍ରଜ୍ଞାନ ଓଝା ଭାରତ ପାଇଁ ଆବଶ୍ୟକୀୟ ଦୁଇ ରନ୍ ଲେଗ୍ ବାଇ ଭାବେ ସଂଗ୍ରହ କରିନେଲେ। ଶେଷ ୱିକେଟ୍ ବାକିଥାଇ ଭାରତ ବାଜିମାତ୍ କରିଦେଲା। ଲକ୍ଷ୍ମଣ ୭୩ ରନ୍ କରି ଅପରାଜିତ ରହିଲେ।

ଏହି ମ୍ୟାଚ୍ ଇଶାନ୍ତଙ୍କ ଲଢୁଆ ପ୍ରର୍ଦଶନ ଏବଂ ଲକ୍ଷ୍ମଣଙ୍କ ସୁଯୋଗ ବିହୀନ ୭୩ ରନ ପାଇଁ ଯେତିକି ମନେ ରହେ ଲକ୍ଷ୍ମଣ ବ୍ୟାଟ ଉପରକୁ କରି ଓଭର ମଝିରେ ପ୍ରଜ୍ଞାନ ଗାଳି କରୁଥିବାର ଦୃଶ୍ୟ ପାଇଁ ବି ଏବେ ବି ଦର୍ଶକଙ୍କ ମଧ୍ୟରେ ଆମୋଦର ଖୋରାକ ଯୋଗାଏ। ସର୍ବଦା ଶାନ୍ତ ରହୁଥିବା ଲକ୍ଷ୍ମଣଙ୍କ ଏହି ଗାଳି ପ୍ରଜ୍ଞାନଙ୍କର ହୁଏତ ଆଉ ମନେ ନଥିବ। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ମିଚେଲ ଜନସନଙ୍କ ବଲରେ ଦୁଇ ରନ ସଂଗ୍ରହ କରି ଭାରତକୁ ବିଜୟୀ କରାଇବାର ସେ ସୁଖଦ ସ୍ମୃତି ପ୍ରଜ୍ଞାନ ସବୁବେଳ ପାଇଁ ମନେ ରଖିବେ।

ଫୋ- ୭୯୭୮୬୭୧୭୭୬

Indian Cricket Team Cricket Cricket Fan