ଓଡ଼ିଶାରେ ସ୍ୱାଭାବିକ ଭାବରେ ଲୋକସଭାର ସାଧାରଣ ନିର୍ବାଚନ ସହିତ ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୪ ମଇ ପୂର୍ବରୁ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ଗତ କିଛି ମାସ ହେଲା ଓଡ଼ିଶାରେ ବିଧାନସଭା ନିର୍ବାଚନ ୬ ମାସ ଆଗରୁ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ କରାଇବା ପାଇଁ ଉଦ୍ୟମ ଚାଲିଥିବାର ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଗତ କିଛି ଦିନ ଭିତରେ ଏହି ଚର୍ଚ୍ଚା ଅଧିକ ତୀବ୍ର ହୋଇଛି।
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୦୦ ମସିହାରେ ବିଜେଡି-ବିଜେପି ସରକାର ପ୍ରତିଷ୍ଠିତ ହେଲା ପରେ ସ୍ୱାଭାବିକ ଭାବରେ ୨୦୦୫ରେ ବିଧାନସଭା ନିର୍ବାଚନ ହେବା କଥା। କିନ୍ତୁ ସେତେବେଳେ ଏନଡିଏର ଅଂଶୀଦାର ଥିବା ବିଜୁ ଜନତା ଦଳ ୨୦୦୪ରେ ଯେତେବେଳେ ବାଜପେୟୀଙ୍କ ସରକାର ଲୋକସଭାର ସାଧାରଣ ନିର୍ବାଚନ ପାଇଁ ଆହ୍ୱାନ ଦେଲେ ସେତେବେଳେ ବିଧାନସଭାର କାର୍ଯ୍ୟକାଳ ଆଉ ଏକ ବର୍ଷ କାଳ ଥିଲେ ମଧ୍ୟ ୨୦୦୪ ଲୋକସଭା ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିଷ୍ପତ୍ତି ଗ୍ରହଣ କଲେ। ଉଭୟ ବିଜେଡି-ବିଜେପିର ମିଳିତ ସରକାର ଥିବାରୁ ବିଜେପି ମଧ୍ୟ ଏହି ମତ ସହିତ ଏକମତ ହୋଇଥିଲା। ବାଜପେୟୀଙ୍କ ନେତୃତ୍ୱର ଆକର୍ଷଣ ଓଡ଼ିଶାରେ ସେତେବେଳକୁ ଆଦୌ କମିନଥିଲା। ସେତେବେଳେ ଓଡ଼ିଶାରେ କୁହାଗଲା ଯେ ଦୁଇଟି ନିର୍ବାଚନ ଗୋଟିଏ ବର୍ଷ ବ୍ୟବଧାନରେ କରାଯିବା ଫଳରେ ରାଜ୍ୟର ଅଧିକ ଖର୍ଚ୍ଚ ହେଉଛି ଓ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହା ବେଶ୍ ଗ୍ରହଣୀୟ ଯୁକ୍ତି ହୋଇଥିଲା। ସେହି ନିର୍ବାଚନରେ ଲୋକସଭାରେ ବିଜେଡି-ବିଜେପି ମେଂଟ ସଫଳତା ପାଇଥିଲେ ମଧ୍ୟ ବିଧାନସଭାରେ ବିଜେପିଠାରୁ ବିଜେଡି ଅଧିକ ସଫଳତା ପାଇଥିଲା।
ସେହିକ୍ରମରେ ବିଜେଡି ୨୦୦୯ ନିର୍ବାଚନ ବେଳକୁ ଓଡ଼ିଶାରେ ବିଜେପି ସହିତ ମେଂଟ ଭାଙ୍ଗିଦେଲା। ଏନଡିଏରୁ ମଧ୍ୟ ବିଜେଡି ଅଲଗା ହୋଇଯାଇ ପ୍ରଥମ ଥର ପାଇଁ ବାମଦଳଙ୍କ ସହିତ ମିଶି ୨୦୦୯ ନିର୍ବାଚନ ଲଢ଼ିଥିଲା। ଏଥିରେ ମଧ୍ୟ ବିଜେଡିକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାଠାରୁ ଯଥେଷ୍ଟ ଅଧିକ ଆସନ ମିଳିଥିଲା। ସେହିକ୍ରମରେ ୨୦୧୪ ଓ ୨୦୧୯ରେ ଓଡ଼ିଶାରେ ଲୋକସଭା ନିର୍ବାଚନ ସହିତ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ଦୁଇ ନିର୍ବାଚନରେ ବିଜେଡି ଏକାକୀ ନିର୍ବାଚନକୁ ଯାଇ ବିପୁଳ ସଂଖ୍ୟା ଗରିଷ୍ଠତା ବିଧାନସଭାରେ ହାସଲ କରିଛି।
୨୦୧୪ରେ କଂଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବରେ ବିଧାନସଭାରେ ୧୬ଟି ଆସନ ପାଇଥିବା ସମୟରେ ଲୋକସଭାରେ ୨୦୦୯ରେ ପାଇଥିବା ୬ଟି ଆସନ ମଧ୍ୟରୁ କୌଣସି ଗୋଟିଏ ହେଲେ ହାସଲ କରିପାରିନଥିଲା। ବିଧାନସଭାରେ ବିଜେପିର ସଭ୍ୟ ସଂଖ୍ୟା ୧୦ ହୋଇଥିବା ବେଳେ ଲୋକସଭାରେ ଏହା ଗୋଟିଏ ଆସନ ପାଇଥିଲା। କିନ୍ତୁ ୨୦୧୯ରେ ବିଜେଡି ବିଧାନସଭାରେ ପୂର୍ବ ପ୍ରାଧାନ୍ୟକୁ ବଜାୟ ରଖିଲେ ମଧ୍ୟ ଲୋକସଭାରେ ଏହାର ଆସନ ସଂଖ୍ୟା ୮ଟି କମିଯାଇଥିଲା। ଏଥିମଧ୍ୟରୁ ୭ଟି ବିଜେପି ଓ ଗୋଟିଏ କଂଗ୍ରେସ ହାତକୁ ଯାଇଥିଲା। ବିଧାନସଭାରେ ପ୍ରଥମ ଥର ପାଇଁ ବିଜେପି ୨୩ଟି ଆସନ ସହିତ ମୁଖ୍ୟ ବିରୋଧୀ ଦଳରେ ପରିଣତ ହେଲାବେଳେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଯାଇ ମାତ୍ର ୯ଟି ଆସନ ପାଇଥିଲା।
୨୦୧୯ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଲୋକସଭାରେ ୩୦୦ରୁ ଅଧିକ ଆସନ ଲାଭ କରି ଏକ ବିପୁଳ ବିଜୟ ହାସଲ କଲାପରେ ବିଜେଡି ସାମାନ୍ୟ ଭୟଭୀତ ହୋଇଥିଲା। ସେଥିପାଇଁ ୨୦୧୯ ନିର୍ବାଚନ ପରେ ପରେ ହୋଇଥିବା ରାଜ୍ୟସଭାର ଦୁଇଟି ଉପ-ନିର୍ବାଚନରେ ରାଜ୍ୟର ଜଣେ ସଦସ୍ୟ ପଠାଇବା ପାଇଁ ବିଜେପିର କୌଣସି ସଂଖ୍ୟା ନଥିଲେ ମଧ୍ୟ ବିଜେଡି ନିଜଆଡୁ ଘୋଷଣା କରି ଗୋଟିକରେ ନିଜ ପ୍ରାର୍ଥୀ ପଠାଇ ଅନ୍ୟ ଆସନରେ ବିଜେପି ପ୍ରାର୍ଥୀ ଅଶ୍ୱୀନ ବୈଷ୍ଣବଙ୍କୁ ସମର୍ଥନ କରିବାରୁ ଦୁଇଜଣ ଯାକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। କେନ୍ଦ୍ର ସରକାର ୨୦୧୯ ପରେ ନେଇଥିବା ସମସ୍ତ ବିବାଦୀୟ ଆଇନ୍ ଓ ନୀତିଗୁଡ଼ିକରେ ବିଜେଡି ସଂପୂର୍ଣ୍ଣ ଭାବରେ ସମର୍ଥନ କରିଆସିଛି। ଏପରିକି କୃଷି ଆଇନକୁ ମଧ୍ୟ ବିଜେଡି ସମର୍ଥନ କରିଥିଲା। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ କୌଣସି ଦ୍ୱିଧା ନରଖି ବିଜେଡି ନିଜଆଡୁ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଜ୍ଞାପନ କରିଥିଲା। ଅପରପକ୍ଷରେ ୨୦୧୯ ନିର୍ବାଚନ ପରେ ରାଜ୍ୟରେ ଯେତେଗୁଡ଼ିଏ ଉପ-ନିର୍ବାଚନ ହୋଇଛି କେବଳ ଧାମନଗରକୁ ଛାଡ଼ିଦେଲେ ସବୁଠାରେ ବିଜେଡି ନିର୍ବାଚିତ ହୋଇଛି। ଏପରିକି ଅନେକ ଉପ-ନିର୍ଚାଚନରେ ବିଜେଡି ଓ ବିଜେପି ଭିତରେ ଭୋଟ ତାରତମ୍ୟ ଖୁବ୍ ଅଧିକ ହୋଇଛି। ସମ୍ଭବତଃ ଏହିସବୁ ଅବସ୍ଥା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପରେ କେବଳ ଫନିରେ ଆକାଶମାର୍ଗରେ ଓଡ଼ିଶା ପରିଦର୍ଶନ କରିବା ବ୍ୟତିତ କୌଣସି କାର୍ଯ୍ୟକ୍ରମରେ ଓଡ଼ିଶା ଆସିନାହାନ୍ତି।
ବିଜେଡି ପକ୍ଷରୁ ଏବେ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବରେ ଜାତୀୟ ସ୍ତରରେ ବିରୋଧୀ ଏକତା ପାଇଁ ଚାଲିଥିବା ଉଦ୍ୟମରେ ସେ ସାମିଲ ହେବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଏପରିକି ନୀତୀଶ କୁମାରଙ୍କ ଓଡ଼ିଶା ଗସ୍ତ ତାଙ୍କ ଉପରେ କୌଣସି ପ୍ରଭାବ ପକାଇନାହିଁ। ଜାତୀୟ ସ୍ତରରେ ଓ ବିଶେଷଭାବରେ କର୍ଣ୍ଣାଟକ ନିର୍ବାଚନ ପରେ ବିରୋଧୀ ଏକତା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବାରୁ ଏଥିରେ ସାମିଲ ହେଉନଥିବା ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱ ବିଜେପି କେନ୍ଦ୍ରୀୟ ନେତାଙ୍କ ପାଇଁ ବଢ଼ିଯାଇଛି। ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା ନେଇ କେନ୍ଦ୍ର ନେତୃମଣ୍ଡଳୀ ଅବଗତ ଅଛନ୍ତି। ସେଥିପାଇଁ ତାଙ୍କର ଅନେକ କାର୍ଯ୍ୟ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଜରିଆରେ କରୁଛନ୍ତି। କିନ୍ତୁ ନବୀନଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ଅକ୍ଷୁଣ୍ଣ ଥିବାରୁ ବିଜେଡିକୁ ପଞ୍ଚାୟତ ଓ ପୌର ନିର୍ବାଚନ ଏପରିକି ଉପ-ନିର୍ବାଚନ ଜିଣିବାରେ କୌଣସି ଅସୁବିଧା ହେଉନାହିଁ। କିନ୍ତୁ ନବୀନ ପଟ୍ଟନାୟକଙ୍କ ଜାତୀୟ ରାଜନୈତିକ ଆଭିମୁଖ୍ୟ ସମଦୂରତା ନ୍ୟାୟରେ ଯେପରି ଚାଲିଛି ସେଥିରେ ଲୋକସଭା ନିର୍ବାଚନରେ ଯେଉଁଠାରେ ଜାତୀୟ ପ୍ରସଂଗ ମୁଖ୍ୟତଃ ଆସିବ ସେଠାରେ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରବାଦୀ ଆଭିମୁଖ୍ୟକୁ ବିଜେଡି ମୁକାବିଲା କରିପାରିବ ନାହିଁ।
ଏହି ଘଟଣାଚକ୍ରକୁ ଦେଖି ବିଜେଡି ଯଦି ଜାତୀୟ ରାଜନୀତିଠାରୁ ଅଲଗା ହୋଇ ରାଜ୍ୟ ବିଧାନସଭା ନିର୍ବାଚନ ପ୍ରସଂଗକୁ ଯାଉଛି, ସେଠାରେ ବିଜେଡିର ପ୍ରଭାବ ଅଧିକ ରହିବ। ଯେହେତୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଲୋକସଭା ପାଇଁ ପ୍ରଥମ ଲକ୍ଷ୍ୟ ରଖିଛନ୍ତି, ସେହେତୁ ଓଡ଼ିଶା ବିଧାନସଭା ନିର୍ବାଚନ ଉପରେ ସେମାନେ କମ୍ ଗୁରୁତ୍ୱ ଦେଇ ଲୋକସଭା ନିର୍ବାଚନରେ ବିଜେଡି ସେହିପରି ଆଭିମୁଖ୍ୟ ପ୍ରଦର୍ଶନ କରିବେ ବୋଲି ଆଶାପୋଷଣ କରିବାର ସମ୍ଭାବନା ରହିଛି। ଯଦି କୌଣସି ସୂତ୍ରରେ ବିଜେଡି ଓ ବିଜେପି ଭିତରେ ସର୍ବୋଚ୍ଚ ସ୍ତରରେ କିଛି ବୁଝାମଣା ହୁଏ, ତେବେ ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଧାନସଭା ନିର୍ବାଚନ କରିବା ପାଇଁ ଆଗ୍ରହୀ ହୋଇପାରନ୍ତି। ବିଜେପିର ରାଜ୍ୟ ନେତୃତ୍ୱକୁ ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ ମୁକାବିଲା କରିବାକୁ ପଡ଼ିବ। ଏଥିରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପୂରା ଦମ୍ରେ ସହାୟତା ନକରି ସେହି ସମୟରେ ହେଉଥିବା ଅନ୍ୟ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ପୂରାପୂରି ଧ୍ୟାନ ଦେବେ। କାରଣ ସେହିସବୁ ରାଜ୍ୟରେ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ଭାବରେ ରହିଛି। ଅପରପକ୍ଷରେ ଓଡ଼ିଶାରେ କଂଗ୍ରେସ ଦଳର କୌଣସି ଅଗ୍ରଗତି ହେଉନଥିବା ବାରମ୍ବାର ବିଧାନସଭା ଉପନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି। ଏଣୁ ଜାତୀୟ ସ୍ତରରେ ବିଜେପି ପାଇଁ ମୁଖ୍ୟ ଆବଶ୍ୟକତା ହେଉଛି ଲୋକସଭାରେ ଦଳର ସଂଖ୍ୟା ବଢ଼ାଇବା ଓ କଂଗ୍ରେସକୁ ସୀମିତ କରି ରଖିବା।
ଓଡ଼ିଶାରେ ବିଧାନସଭା ନିର୍ବାଚନ ଆଗୁଆ ହେବାର ଅନ୍ୟ ଏକ କାରଣ ହୋଇପାରେ ଯେ ଶୀତଦିନେ ନିର୍ବାଚନ ପ୍ରଚାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସ୍ୱାସ୍ଥ୍ୟଗତ କାରଣରୁ ଯେତିକି ସୁବିଧା ହେବ ଏପ୍ରିଲ-ମଇରେ ପ୍ରଚାର ସେତିକି ଅସୁବିଧା ସୃଷ୍ଟି କରିବ। ଏଣୁ ଓଡ଼ିଶାରେ ଆଗୁଆ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଅନୁକୂଳ ବାତାବରଣ ରହିଛି। କିନ୍ତୁ ଅସଲ ନିଷ୍ପତ୍ତି ନବୀନ ପଟ୍ଟନାୟକଙ୍କୁ ନେବାକୁ ପଡ଼ିବ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଫର୍ମୂଲାକୁ ଗ୍ରହଣ କରୁଥିବାର ସଂକେତ ମିଳିଲେ ନବୀନଙ୍କ ନିଷ୍ପତ୍ତି ସେହି ଅନୁସାରେ ହେବ।
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫