/odisha-reporter/media/media_files/2025/09/29/sonam-wangchuk-2025-09-29-18-06-29.jpg)
Climate Crusader Sonam Wangchuk Photograph: (Internet)
ଜାନକୀଶ ବଡପଣ୍ଡା
ସେପ୍ଟେମ୍ବର ୨୬ ତାରିଖରେ ଲଦାଖର ବିଶିଷ୍ଟ ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ, ୧୯୮୦ ବଳରେ ଗିରଫ କରାଯାଇଛି। ସଦ୍ୟତମ ଖବର ଅନୁସାରେ ତାଙ୍କୁ ସାଧାରଣ ଶୃଙ୍ଖଳା ବିପର୍ଯ୍ୟସ୍ତ କରିଥିବା କାରଣରୁ ଅଟକ ରଖାଯାଇ ଯୋଧପୁର କେନ୍ଦ୍ରୀୟ କାରାଗାରରେ ରଖାଯାଇଛି।
ଲଦାଖକୁ ରାଜ୍ୟ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ସୋନମ ୱାଙ୍ଗଚୁକଙ୍କୁ ପୁଲିସ ଗିରଫ କରିଛି। ସେ ଭାଷଣ ଜରିଆରେ ଉସକାଇଥିବା ଯୋଗୁ ବିକ୍ଷୋଭକାରୀମାନେ ଉଗ୍ର ରୂପ ଧାରଣ କରି ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ଘଟାଇଥିଲେ ବୋଲି ଅଭିଯୋଗ ହୋଇଛି। ବିକ୍ଷୋଭ ହିଂସାତ୍ମକ ହେବାରେ ଅନେକ ପୁଲିସ ଓ ସିଆରପିଏଫ ଯବାନ ଆହତ ହୋଇଥିଲେ। ସେହିପରି ପୁଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୂରା ଲଦାଖରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏହାର ଦିନକ ପୂର୍ବରୁ ୱାଙ୍ଗଚୁକଙ୍କ ଅଣ ଲାଭକାରୀ ସଙ୍ଗଠନ ‘ଲଦାଖ ଛାତ୍ର ଏବଂ ସାଂସ୍କୃତିକ ଆନ୍ଦୋଳନ' (ସେକମଲ୍) ପଞ୍ଜିକରଣକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରଦ୍ଦ କରିଥିଲେ। ବିଦେଶୀରୁ ପାଣ୍ଠି ସଂଗ୍ରହ ଆଇନ ବଳରେ ଏହାର ଲାଇସେନ୍ସକୁ ବାତିଲ କରାଯାଇଥିଲା। ବିଦେଶରୁ ପାଣ୍ଠି ସଂଗ୍ରହରେ ବ୍ୟାପକ ହେରଫେର ଅଭିଯୋଗ ମଧ୍ୟ ୱାଙ୍ଗଚୁକଙ୍କ ବିରୋଧରେ ଆସିଛି। ଏହାର ତଦନ୍ତ ଏବେ ସିବିଆଇ ଆରମ୍ଭ କରିଛି।
... କେ ବୋଲଇ ମୁହିଁ ଅଟଇ ପୁଲିସ, ବିନା ମେଘେ ସୃଜି ପାରଇ କୁଳିଶ ...! ୨୦୧୮ରେ ରମଣ ମାଗସେସେ ସମ୍ମାନରେ ସମ୍ମାନୀତ ହୋଇଥିବା ୱାଙ୍ଗଚୁକଙ୍କ ବିରୋଧରେ ପୁଲିସ ପକ୍ଷରୁ ଏହି ସବୁ ଅଭିଯୋଗ ଆସିଥିଲେ ହେଁ ଏସବୁର ସତ୍ୟତା ଉପରେ ପ୍ରଶ୍ନଚିହ୍ନ ଆସିବା ସ୍ୱାଭାବିକ। ୱାଙ୍ଗଚୁକଙ୍କ କହିବା କଥା ଯେ ତାଙ୍କ ଅଣଲାଭକାରୀ ସଙ୍ଗଠନ ‘ସେକମଲ୍’ ବିଦେଶୀ ପାଣ୍ଠି ଗ୍ରହଣ କରେନାହିଁ; ଯଦିଓ ମିଳିତ ଜାତିସଂଘ, ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀର କିଛି ସଂସ୍ଥା ସହ ବିଧି ସମ୍ମତ ବ୍ୟବସାୟିକ ନେଣଦେଣ କରି ଆଇନ୍ ମାନି ସମସ୍ତ ଟିକସ ପୈଠ କରି ଆସିଛି।
କେନ୍ଦ୍ର ଶାସିତ ଲଦାଖର ରାଜଧାନୀ ଲେହ ସହରରେ ଗଠିତ ଲେହ ଆପେକ୍ସ ବଡି(ଲାବ୍) ଦୀର୍ଘ ଦିନ ହେଲାଣି ଲଦାଖକୁ ରାଜ୍ୟ ମାନ୍ୟତା ଦେବାକୁ ଦାବି କରି ଚାଲିଛି। ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ସେପ୍ଟେମ୍ବର ୧୦ ତାରିଖ ଠାରୁ ଲଦାଖ ପାଇଁ ରାଜ୍ୟ ପାହ୍ୟା ଦାବି କରି ଆମରଣ ଅନଶନ କରୁଥିବା ୧୫ ଜଣ ଯୁବ ଅନଶନକାରୀଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୱାଙ୍ଗଚୁକ ସେପ୍ଟେମ୍ବର ୨୪ ତାରିଖ ବୁଧବାର ଦିନ ନିଜର ଅନଶନ ପ୍ରତ୍ୟାହାର କରିନେଇ ଥିଲେ ମଧ୍ୟ ଦାବିକୁ ଶାଣିତ କରିବା ପାଇଁ ‘ଏଲଏବି’ର ଯୁବ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ବି ଦିଆଯାଇଥିଲା। କିନ୍ତୁ ଏହି ଶୋଭାଯାତ୍ରା ବେଳେ ହଠାତ୍ ହିଂସାକାଣ୍ଡ ଘଟିଗଲା। ବିକ୍ଷୋଭ ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ୱାଙ୍ଗଚୁକ କହିଥିଲେ ହେଁ କିଛି ଯୁବକ ପଥର ମାଡ଼ କରିଥିଲେ। ଏଥିଯୋଗୁ ପୋଲିସ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ଲେହରେ ଥିବା ଭାଜପା କାର୍ଯ୍ୟାଳୟରେ ଭଙ୍ଗାରୁଜା କରି ସେଠାରେ ନିଆଁ ଲଗାଇ ଦେଇଥିଲେ ଏବଂ ଗୋଟିଏ ପୋଲିସ ଗାଡ଼ିକୁ ମଧ୍ୟ ସେମାନେ ଜାଳି ଦେଇଥିଲେ। ବିକ୍ଷୋଭ ହିଂସାତ୍ମକ ହୋଇ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ସୁରକ୍ଷା କର୍ମୀଙ୍କ ସମେତ ପ୍ରାୟ ୧୫୦ ଜଣ ଆହତ ହୋଇଥିଲେ।
୨୦୧୧ ଜନଗଣନା ଅନୁଯାୟୀ ଲଦାଖର ମୋଟ ଜନସଂଖ୍ୟା ଥିଲା ୨,୭୪,୨୮୯। ପାକିସ୍ତାନ ଏବଂ ଚୀନର ସୀମା ଛୁଉଁଥିବା ଏହା ଏକ ଉଚ୍ଚ ମରୁଭୂମି ଅଞ୍ଚଳ। ଲଦାଖର ପ୍ରାୟ ଅଧା ବାସିନ୍ଦା ମୁସଲିମ ଓ ୪୦ ପ୍ରତିଶତ ବୌଦ୍ଧଧର୍ମୀ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ଲଦାଖକୁ ପର୍ଯ୍ୟଟକ ପ୍ରାୟ ଆସୁନଥିଲେ। ଧାରା ୩୭୦ ଅନୁଯାୟୀ ଜମ୍ମୁ ଏବଂ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତାକୁ ୫ ଅଗଷ୍ଟ ୨୦୧୯ରେ ସଂସଦ ଦ୍ୱାରା ଉଚ୍ଛେଦ କରାଯାଇ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ - ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପରିଣତ କରାଯାଇଥିଲା। ୩୭୦ ଧାରା ଉଠିଯାଇଥିବାରୁ ଦେଶର ବୃହତ୍ ବାଣିଜ୍ୟ ବ୍ୟବସାୟ ସଂସ୍ଥାମାନେ ଲଦାଖର ସ୍ଥାନୀୟ ଅଧିବାସୀଙ୍କଠାରୁ ଜମି କିଣିନେବେ ଏବଂ ନିଯୁକ୍ତି ସୁଯୋଗ ଛଡ଼ାଇ ନେବେ ବୋଲି ସେବେଠୁ ଅପପ୍ରଚାର ଚାଲିଥିଲା। ସେଥିପାଇଁ ଗତ ପାଞ୍ଚ ବର୍ଷ ଧରି ନାଗରିକ ସମାଜର ବିଭିନ୍ନ ଗୋଷ୍ଠୀ ଲଦାଖ ପାଇଁ ଜମି, ସମ୍ବଳ ଏବଂ ନିଯୁକ୍ତି ସୁରକ୍ଷା ଦାବି କରିଆସୁଥିଲେ।
ସେପ୍ଟେମ୍ବର ୧୦ ତାରିଖରେ, ଲେହ ଆପେକ୍ସ ବଡି (ଲାବ୍) ଏବଂ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ (କେଡିଏ) ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଆଲୋଚନା କରିବା ଦାବିରେ ସୋନମ୍ ୱାଙ୍ଗଚୁକ୍ ନିଜର ୧୫ ଜଣିଆ ଗୋଷ୍ଠୀ ସହିତ ୩୫ ଦିନିଆ ଅନଶନ ଘୋଷଣା କରିଥିଲେ। ସେମାନଙ୍କର ଚାରୋଟି ଦାବି ଥିଲା: ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା (ଆଦିବାସୀ ମାନ୍ୟତା), ରାଜ୍ୟ ମାନ୍ୟତା, ଲେହ ଏବଂ କାର୍ଗିଲ ପାଇଁ ପୃଥକ ଲୋକସଭା ଆସନ ଏବଂ ସରକାରୀ ଚାକିରୀରେ ରହିଥିବା ଖାଲିସ୍ଥାନ ପୂରଣ।
ପୂର୍ବରୁ ଜାନୁଆରୀ ୨୦୨୩ରେ କାର୍ଗିଲ ଏବଂ ଲେହରେ ସାମ୍ବିଧାନିକ ସୁରକ୍ଷା, ଭୂମି ସୁରକ୍ଷା, ସଂସ୍କୃତି ସଂରକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଦାବିରେ ଗୋଷ୍ଠୀମାନଙ୍କ ଦ୍ୱାରା ଅଭିଯାନ ଆରମ୍ଭ ହେବା ପରେ କେନ୍ଦ୍ର ଗୃହବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନେତୃତ୍ୱରେ ଏକ ଉଚ୍ଚ-କ୍ଷମତାପ୍ରାପ୍ତ କମିଟି ଗଠନ କରିଥିଲେ। କମିଟିରେ ଲ୍ୟାବ୍, କେଡିଏ ଏବଂ ନାଗରିକ ସମାଜରୁ ପ୍ରତିନିଧିମାନେ ରହିଥିଲେ। ଅଭିଯୋଗ ହେଲା ଯେ, ଏହି କମିଟିରେ କେବଳ ସରକାର ସମର୍ଥକ ସଦସ୍ୟମାନଙ୍କୁ ବାଛି ନିଆଯାଇଛି। ସେଥିପାଇଁ ୨୦୨୩ ନଭେମ୍ବର ମାସରେ କମିଟି ପୁନଃଗଠିତ ହୋଇଥିଲା। କମିଟି ଦାବି କରୁଥିଲା ଯେ, ଲଦାଖ ଅଞ୍ଚଳର ଅନନ୍ୟ ସଂସ୍କୃତି ଏବଂ ଭାଷାକୁ ଏହାର ଭୌଗୋଳିକ ସ୍ଥିତି ଏବଂ ରଣନୈତିକ ଗୁରୁତ୍ୱକୁ ବିଚାରକୁ ନେଇ ସୁରକ୍ଷା ଦେବା ପାଇଁ ପଦକ୍ଷେପ; ଲଦାଖର ଲୋକଙ୍କ ପାଇଁ ଜମି ଏବଂ ନିଯୁକ୍ତିର ସୁରକ୍ଷା ସୁନିଶ୍ଚିତ କରିବା, ଅନ୍ତର୍ଭୁକ୍ତ ବିକାଶ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ, ସ୍ୱୟଂଶାସିତ ପାର୍ବତ୍ୟ ଜିଲ୍ଲା ପରିଷଦର ସଶକ୍ତିକରଣ ଏବଂ ଏଥିପାଇଁ ସାମ୍ବିଧାନିକ ସୁରକ୍ଷା। ମାର୍ଚ୍ଚ ୨୦୨୪ରେ ଆଲୋଚନା ବିଫଳ ହେବାରୁ ୨୦୨୪ ଅକ୍ଟୋବରରେ ସୋନମ୍ ୱାଙ୍ଗଚୁକ୍ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦିଲ୍ଲୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କଲେ। କେନ୍ଦ୍ର ଗୃହ ବିଭାଗ ଆଲୋଚନା ଆରମ୍ଭ କରିବାକୁ ରାଜି ହେଲେ। ଲେହ ଏବଂ କାରଗିଲର ନେତାମାନଙ୍କୁ ନେଇ କମିଟି ୨୦୨୪ ଡିସେମ୍ବର ୩ରେ ବୈଠକ କରିଥିଲେ। ତା’ପରେ ୨୦୨୫ ଜାନୁଆରୀ ୧୫ ଏବଂ ମଇ ୨୭ ତାରିଖରେ ଆଲୋଚନା କରିବା ପରଦିନ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ମାର୍ଚ୍ଚ ଏବଂ ମଇ ମାସରେ ଅନୁଷ୍ଠିତ ଆଲୋଚନା ଅନୁସାରେ କେନ୍ଦ୍ର ସରକାର ଡ୍ରାଫ୍ଟ ନିୟମଗୁଡ଼ିକୁ ଗ୍ରହଣ କରିଥିଲେ ଏବଂ ଅଧିସୂଚିତ ମଧ୍ୟ କରିଥିଲେ। ଏଥିରେ ସାମିଲ ଥିଲା ସ୍ଥାନୀୟ ଲୋକଙ୍କ ପାଇଁ ୮୫ ପ୍ରତିଶତ ସଂରକ୍ଷଣ, ସ୍ଥାନୀୟ ବାସିନ୍ଦା ମାନ୍ୟତା ପାଇଁ ଅନ୍ତତଃ ୧୫ ବର୍ଷ ରହୁଥିବାର ଆବଶ୍ୟକତା, ପାହାଡ଼ି ପରିଷଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଏବଂ ପାଞ୍ଚଟି ଭାଷାକୁ ସରକାରୀ ସ୍ୱୀକୃତି।
ଜୁନ ୩ ତାରିଖରେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପାଇଁ ଚାରୋଟି ନିୟମାବଳୀ ରାଷ୍ଟ୍ରପତି ଅଧିସୂଚିତ କରିଥିଲେ। ଏଥିରେ ଲଦାଖ ପାଇଁ ସଂରକ୍ଷଣ, ଭାଷା, ବାସସ୍ଥାନ ଏବଂ ପାହାଡ଼ ପରିଷଦର ଗଠନ ଉପରେ ନୂତନ ନୀତି ପ୍ରଣୟନ, ଲଦାଖବାସୀଙ୍କ ପାଇଁ ସରକାରୀ ଚାକିରିରେ ୮୫ ପ୍ରତିଶତ ସଂରକ୍ଷଣ କରାଯାଇଥିଲେ ବି ଅଭିଯୋଗ ହେଲା ଯେ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାର ସେମାନଙ୍କର ମୂଳ ଦାବି ସରକାର ଗ୍ରହଣ କରିନାହାନ୍ତି।
ଲାଦାଖରେ ସୃଷ୍ଟ ପରିବେଶଗତ ସମସ୍ୟା ଏବଂ ସାମ୍ବିଧାନିକ ଦାବିଗୁଡ଼ିକର ସମାଧାନ ପାଇଁ ୱାଙ୍ଗଚୁକଙ୍କ ସମେତ ୧୦୦ରୁ ଅଧିକ ଲଦାଖବାସୀ ୨୦୨୪ମସିହା ସେପ୍ଟେମ୍ବର ପହିଲାରୁ ଦିଲ୍ଲୀ ଅଭିମୁଖେ ଏକ ହଜାର କିଲୋମିଟର ଯାତ୍ରା ଆରମ୍ଭ କରିଥିଲେ। ଦିଲ୍ଲୀ ସୀମା ନିକଟରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଅନୁଯାୟୀ ସଭା ନିଷେଧ କରାଯାଇଥିଲା ଏବଂ ଆଇନ୍ ଉଲ୍ଲଂଘନ କରିବା ଅଭିଯୋଗରେ ସେମାନଙ୍କୁ ଅକ୍ଟୋବର ପହିଲା ତାରିଖରେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ ରଖାଯାଇଥିଲା।
ହ୍ୟୁମାନ୍ ରାଇଟ୍ସ ୱାଚ୍ କହିଛି ଯେ ‘ଭାରତ ସରକାର ବିଦେଶୀ ମୁଦ୍ରା ନିୟନ୍ତ୍ରଣ ଆଇନ୍ (ଏଫସିଆରଏ) ପ୍ରୟୋଗ କରି ନାଗରିକ ସମାଜ ଗଢ଼ିଥିବା ସଂସ୍ଥାଗୁଡ଼ିକୁ କ୍ରମାଗତ ଭାବରେ ଆକ୍ରମଣ କରିଆସୁଛନ୍ତି, ଆର୍ଥିକ ତଦନ୍ତକୁ ପ୍ରଭାବିତ କରିଛନ୍ତି ଏବଂ ଏପରିକି ଆତଙ୍କବାଦ ବିରୋଧୀ ଆଇନ ମଧ୍ୟ ବ୍ୟବହାର କରିଛନ୍ତି। କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାଧାରଣ କର୍ମୀ, ସାମ୍ବାଦିକ, ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ସମାଲୋଚକଙ୍କୁ ଗିରଫ କରିବା ପାଇଁ କଠୋର ଆଇନ ବ୍ୟବହାର କରିଆସୁଛନ୍ତି, ଏବଂ ପରିବେଶ କର୍ମୀମାନଙ୍କୁ ମଧ୍ୟ ବିନା କାରଣରେ ଜେଲରେ ରଖୁଛନ୍ତି। ସେମାନଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗ ମଧ୍ୟ ଅଣାଯାଉଛି। କର୍ତ୍ତୃପକ୍ଷମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ରୋକିବା, ଇଣ୍ଟରନେଟ୍ ବ୍ଲାକଆଉଟ୍ କରିବା ଏବଂ ସାମାଜିକ ଗଣମାଧ୍ୟମକୁ ସେନ୍ସର କରି ନିୟମିତ ଭାବରେ ଭିନ୍ନମତବାଦୀଙ୍କୁ ଅପରାଧୀ ଭାବେ ଉପସ୍ଥାପିତ କରିବା ଫଳରେ ଅନାବଶ୍ୟକ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି ଏବଂ ଯୁବସମାଜ ହିଂସାକୁ ଆଦରି ନେଉଛନ୍ତି।
ଅଭିଯୋଗ ହେଉଛି ଯେ ସୋନମ ୱାଙ୍ଗଚୁକ ପାକିସ୍ତାନରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ବାଂଲାଦେଶ ମଧ୍ୟ ଯାଇଥିଲେ। ଗିରଫ ହୋଇଥିବା ଜଣେ ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସହ ୱାଙ୍ଗଚୁକ ଯୋଗାଯୋଗରେ ଉପରେ ତଦନ୍ତ ଚାଲିଛି। କୁଆଡ଼େ ଲେହ ହିଂସାକୁ ୱାଙ୍ଗଚୁକ ହିଁ ଉସାଇକାଇ ଥିଲେ। ଲାଦାଖର ପୋଲିସ ମୁଖ୍ୟଙ୍କ କହିବା କଥା ଯେ କେନ୍ଦ୍ର ସହିତ ରାଜ୍ୟ ମାନ୍ୟତା ଦାବି ସମ୍ପର୍କିତ ଆଲୋଚନା ହେବାକୁ ଅଛି। ଏହାକୁ ଭଣ୍ଡୁର କରିବା ପାଇଁ ୱାଙ୍ଗଚୁକ ଉଦ୍ୟମ କରୁଥିଲେ। ସୀମା ଆରପଟ ଶତ୍ରୁଙ୍କ ସହ ଅବୈଧ ସମ୍ପର୍କ ରଖୁଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ନଜରରେ ରଖିଛି। ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଲୋକଙ୍କୁ ଉସକାଇବା ହିଁ ସୋନମ ୱାଙ୍ଗଚୁକଙ୍କ ପୁରୁଣା ଅଭ୍ୟାସ।
ଅଭିଯୋଗ ସତ ହୋଇଥିଲେ ସାଂଘାତିକ। ତାହା ହୋଇ ନଥିଲେ, ମିଛ ଅଭିଯୋଗରେ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀ ବିଶ୍ୱ ସମୁଦାୟ ଆଗରେ ଭାରତର ଭାବମୂର୍ତ୍ତୀକୁ ନିନ୍ଦିତ କରିବ। ଜଣେ ପ୍ରତିଭାବାନ, ପ୍ରେରଣାଦାୟୀ ଭାରତୀୟଙ୍କ ସ୍ୱାଧୀନ ମତପ୍ରକାଶ ଯେ ବିଶ୍ୱଗୁରୁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏହା ସଭିଏଁ ଜାଣିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ଭାରତୀୟ ଦେଶର ସମ୍ପତ୍ତି, ତାହା ବୁଝି ପାରିବା ମଧ୍ୟ ଅଧିକ ମହତ୍ୱପୂର୍ଣ୍ଣ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
