Advertisment

ଟ୍ରମ୍ପଙ୍କ ଭାରତ ବିରୋଧୀ ଅଭିଯାନ କାହିଁକି?

ଟ୍ରମ୍ପ ଗୋଟିଏ ପକ୍ଷରେ ପାକିସ୍ତାନକୁ ଏକାନ୍ତ ସହଯୋଗୀ ଭାବରେ ବିଚାର କରିବା ସହିତ ଚୀନ୍ ସହିତ କୌଣସି ଶତ୍ରୁତା ନଥିବା ପ୍ରକାଶ କରିବା ଦ୍ୱାରା ଭାରତୀୟ ବୈଦେଶିକ ନୀତି ନିଶ୍ଚିନ୍ତ ଭାବରେ ଅସୁବିଧାର ସମ୍ମୁଖୀନ ହେବ।

author-image
Rabi Das
modi trump

Modi And Trump Photograph: (Internet)

ରବି ଦାସ    

ଭାରତ ଓ ଆମେରିକା ବିଶ୍ୱର ଦୁଇଟି ବଡ଼ ଗଣତନ୍ତ୍ର। ସୋଭିଏତ୍ ୟୁନିୟନ୍‌ର ଅବସାନ ପରେ ଓ ଭାରତ ୧୯୯୧ରେ ମୁକ୍ତ ବଜାର ଅର୍ଥନୀତିକୁ ଗ୍ରହଣ କରି ଆର୍ଥିକ ସଂସ୍କାର ଆରମ୍ଭ କରିବା ଦିନଠାରୁ କ୍ରମାଗତ ଭାବରେ କେନ୍ଦ୍ରରେ ଯେଉଁ ସରକାରମାନେ ରହିଛନ୍ତି ସେମାନଙ୍କର ବୈଦେଶିକ ନୀତିରେ ଆମେରିକା ସହିତ ଭଲ ସମ୍ପର୍କ ସ୍ଥାପନ କରିବା ଏକ ପ୍ରାରମ୍ଭିକ ଲକ୍ଷ୍ୟ ଭାବରେ ରହିଆସିଛି। ଏକବିଂଶ ଶତାବ୍ଦୀରେ ଭାରତର ଅର୍ଥନୀତି କ୍ରମାଗତ ଭାବରେ ଅଗ୍ରଗତି ଲାଭ କରିବା ସହିତ ବିଶ୍ୱ ଅର୍ଥନୀତି ଓ ବଜାରରେ ଭାରତର ସ୍ଥାନ ବଢ଼ିବାରେ ଲାଗିଛି। 

Advertisment

ଏସିଆ ମହାଦେଶରେ ଚୀନ୍ ଭାରତର ପଡ଼ୋଶୀ ଓ ଲୋକସଂଖ୍ୟା ଓ ସ୍ଥିରତା ଦୃଷ୍ଟିରୁ ଭାରତ ହିଁ କେବଳ ଚୀନ୍‌ର ସମକକ୍ଷ ହୋଇପାରିବ ବୋଲି ବିଶ୍ୱାସ ରହିଛି। ଯଦିଓ ଚୀନ୍ ଆର୍ଥିକ ସଂସ୍କାର ଭାରତ ଆରମ୍ଭ କରିବାର ୧୧ ବର୍ଷ ପୂର୍ବରୁ ଆରମ୍ଭ କରି ଦ୍ରୁତ ଆର୍ଥିକ ପ୍ରଗତି ହାସଲ କରିଛି। ଚୀନ୍‌ର କମ୍ୟୁନିଷ୍ଟ ଶାସନ ବ୍ୟବସ୍ଥା ଓ ଭାରତର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଭିତରେ ରହିଥିବା ତାରତମ୍ୟ ସତ୍ୱେ ବିଗତ ୨୦ ବର୍ଷ ଭିତରେ ଭାରତ ଆର୍ଥିକ ପ୍ରଗତି ହାର ବୃଦ୍ଧି କରିପାରିଛି। ଫଳରେ ବିଶ୍ୱ ଅର୍ଥନୀତିରେ ଭାରତ ଏକ ପ୍ରକାର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। କିନ୍ତୁ ଏବେ ବି ଚୀନ୍ ଆର୍ଥିକ କ୍ଷେତ୍ରରେ ଭାରତଠାରୁ ୪ ଗୁଣ ଆଗରେ ରହିଛି। କୋଭିଡ୍ ପରେ ବିଶ୍ୱ ଅର୍ଥନୀତିରେ ଯେଉଁ ଅବସ୍ଥା ଦେଖାଦେଇଥିଲା, ସେଥିରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଏବେ ସବୁଠାରୁ ଆଗରେ ଅଛି। 

ଗଣତାନ୍ତ୍ରିକ ଭିତ୍ତିଭୂମି ଯୋଗୁ ଭାରତ ଏସିଆ ମହାଦେଶରେ ଆମେରିକାର ଏକ ପ୍ରକୃତ ବନ୍ଧୁ ରାଷ୍ଟ୍ର ଭାବରେ କାମ କରିପାରିବ ବୋଲି ଆମେରିକା ବିଚାର କରିଆସିଥିଲା। ଏପରିକି ବିଶ୍ୱ ସାମରିକ ଶକ୍ତି ଓ ଅର୍ଥନୀତି କ୍ଷେତ୍ରରେ ଚୀନ୍ ଏକ ପ୍ରତିଦ୍ୱନ୍ଦୀ ରାଷ୍ଟ୍ର ଭାବରେ ଉଭୟ ହୋଇଥିବାରୁ ପ୍ରଶାନ୍ତ ମହାସାଗର ଓ ଭାରତୀୟ ମହାସାଗରରେ ଆମେରିକାର ସ୍ୱାର୍ଥରକ୍ଷା କରିବା ସହିତ ଚୀନ୍‌କୁ ବିଭିନ୍ନ କ୍ଷେତ୍ରରେ ମୁକାବିଲା କରିବାରେ ଭାରତ ଏକ ପ୍ରମୁଖ ଦେଶ ଭାବରେ ବିବେଚିତ ହେଉଥିଲା। ସେହିକ୍ରମରେ ଆମେରିକାର ଉଦ୍ୟମକ୍ରମେ ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ସହିତ କ୍ୱାଡ୍ ମେଣ୍ଟ ସମ୍ଭବ ହୋଇଥିଲା। 

Advertisment

ଗତ ୧୧ ବର୍ଷ ହେଲା ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି। ମୋଦୀଙ୍କ ସହିତ ବିଶ୍ୱନେତାମାନଙ୍କର ଭଲ ସମ୍ପର୍କ ରହିଥିବା ନେଇ ବେଶ୍ ପ୍ରଚାର ବି ହୋଇଛି। ଏପରିକି ବାଇଡେନ୍ ଶାସନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ, ସେତେବେଳେ ମୋଦୀଙ୍କ ସହିତ ଟ୍ରମ୍ପଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିଲା। ମୋଦୀ ବ୍ୟକ୍ତିଗତ ଭାବରେ ଆମେରିକା ଯାଇ ହାଓଡି ମୋଦୀ ଜରିଆରେ ଟ୍ରମ୍ପଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ। ଗୁଜୁରାଟରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସେହି ପ୍ରକ୍ରିୟାରେ ଦୁଇଦେଶ ଭିତରେ ବନ୍ଧୁତାର ଆଉ ଏକ ନିଦର୍ଶନ ବୋଲି କୁହାଯାଉଥିଲା। ୨୦୨୦ରେ ଟ୍ରମ୍ପ ନିର୍ବାଚନ ହାରିଯିବା ପରେ ବାଇଡେନ୍ ପ୍ରଶାସନ ସହିତ ମଧ୍ୟ ମୋଦୀଙ୍କର ସମ୍ପର୍କ ମଧ୍ୟ ବଢ଼ିଥିଲା। ପରେ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପାଇଁ ପ୍ରଚାର କରିବା ସମୟରେ ମୋଦୀଙ୍କ ସମର୍ଥକମାନେ ତାଙ୍କର ବିଜୟ ପାଇଁ ଉତ୍ସବ ପାଳନ କରିଥିଲେ। ଅଥଚ ଆଶ୍ଚର୍ଯ୍ୟଜନକ ଭାବରେ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ହଠାତ୍ ମନୋଭାବର ପରିବର୍ତ୍ତନ କରି ଭାରତକୁ ବସ୍ତୁତଃ ଏକ ଶତ୍ରୁ ରାଷ୍ଟ୍ର ଭାବରେ ବିବେଚନା କରିବା ଆରମ୍ଭ କରିଛନ୍ତି। ଯାହା ମୋଦୀ ସମର୍ଥକ ଭାରତୀୟମାନଙ୍କୁ ଅଡୁଆରେ ପକାଇଦେଇଛି। 

କାହିଁକି ହଠାତ୍ ଟ୍ରମ୍ପ ଭାରତ ବିରୋଧୀ ଏପରିକି ମୋଦୀ ବିରୋଧୀ ଭାବରେ କାମ କରୁଛନ୍ତି ତାହା ବୁଝିବା ମୁସ୍‌କିଲ୍ ହୋଇଯାଇଛି। ଟ୍ରମ୍ପଙ୍କର ଆମେରିକାକୁ ବଡ଼ କରିବା ଲକ୍ଷ୍ୟରେ ଯେଉଁସବୁ କାର୍ଯ୍ୟ ଚଳାଇଛନ୍ତି ସେଥିରେ ଭାରତୀୟମାନଙ୍କ ବିରୋଧରେ ଏକ ମତ ରହିଥିବା ଜଣାପଡୁଛି। ଯଦିଓ ଟ୍ରମ୍ପ ଶାସନ କ୍ଷମତାକୁ ଆସିବା କ୍ଷଣି ଆମେରିକାର ଆର୍ଥିକ ଶକ୍ତି ବଳରେ ଟାରିଫ୍‌କୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରି ଆମେରିକାର ଅନେକ ବନ୍ଧୁ ରାଷ୍ଟ୍ରଙ୍କୁ ମଧ୍ୟ ଆମେରିକାର ଜିଦ୍ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି। ଯଦିଓ ଆମେରିକାର ଅର୍ଥନୀତିରେ ଓ ପ୍ରଗତିରେ ଭାରତୀୟମାନଙ୍କର ଏକ ଯୋଗଦାନ ରହିଛି। ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷିତ ଭାରତୀୟ ଆମେରିକା ବାସିନ୍ଦା ହୋଇ ସେଠାରେ ଇନୋଭେସନ୍ ଓ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରି ଆମେରିକା ଅର୍ଥନୀତିକୁ ସାହାଯ୍ୟ କରୁଛନ୍ତି। କେବଳ ସେତିକି ନୁହେଁ ସେମାନଙ୍କ ଛଡ଼ା ଆମେରିକୀୟ ଇନ୍‌ଫର୍‌ମେସନ୍ ଟେକ୍ନୋଲୋଜି କ୍ଷେତ୍ରରେ ବହୁ ଭାରତୀୟ ଭିସା ନେଇ ସେଠାରେ କାମ କରି ଆମେରିକା ଅର୍ଥନୀତିକୁ ସାହାଯ୍ୟ କରୁଛନ୍ତି। ତା’ ଛଡ଼ା ଆମେରିକା ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଦେଶର ଯେତେ ଛାତ୍ର ଅଧ୍ୟୟନ କରୁଛନ୍ତି ସେଥିରେ ଭାରତୀୟମାନଙ୍କ ସଂଖ୍ୟା ସବୁଠାରୁ ଅଧିକ। ଅଧିକାଂଶ ଯୁବ ଭାରତୀୟମାନଙ୍କର ଆମେରିକାରେ କାମ କରିବା ଓ ପଢ଼ିବା ଏକ ଲକ୍ଷ୍ୟ ଭାବରେ ରହିଆସିଛି। 

ଭାରତ ଆମେରିକା ଭିତରେ ଏତେ ଭଲ ସମ୍ପର୍କ ସତ୍ୱେ ଡୋନାଲ୍ଡ ଟ୍ରମ୍ପ ବେଆଇନ୍ ଭାବରେ ଆମେରିକା ପ୍ରବେଶ କରିଥିବା ଭାରତୀୟମାନଙ୍କ ପ୍ରତି ବ୍ୟବହାର ଠାରୁ ଆରମ୍ଭ କରି ଭିସାରେ ଆମେରିକାରେ ଯାଇ ବିଭିନ୍ନ କାରିଗରୀ ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କର ଭିସା ଫି’କୁ ଅସମ୍ଭବ ଭାବରେ ବଢ଼ାଇ ଦେଇଛନ୍ତି। ଏପରିକି ଆମେରିକା ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ରମାନଙ୍କ ପ୍ରତି ଥିବା ଆଦର ଭାବ କମିବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ପୂର୍ବରୁ ଆମେରିକା ସରକାର ପାକିସ୍ତାନକୁ ଏକ ସନ୍ତ୍ରାସବାଦୀ ସୃଷ୍ଟିକାରୀ ଦେଶ ଭାବରେ ବିଚାର କରୁଥିଲା ସେଥିରେ ହଠାତ୍ ପରିବର୍ତ୍ତନ କରିଛି। ପହେଲଗାମ୍ ଆତଙ୍କବାଦୀ ଘଟଣାରେ ଭାରତ ଅପରେସନ୍ ସିନ୍ଦୂର କରିବା ସମୟରେ ଆମେରିକାର ମନୋଭାବ ହଠାତ୍ ପାକିସ୍ତାନ ପଟକୁ ଚାଲିଯିବା ଓ ଦୁଇଦେଶ ଭିତରେ ଅସ୍ତ୍ରବିରତି ପାଇଁ ଆମେରିକା ଚାପ ପକାଇଥିବା କଥାକୁ ବାରମ୍ବାର କହୁଛି। ଯଦିଓ ଭାରତ ନିଜସ୍ୱ ବିଚାରରେ ଓ ପାକିସ୍ତାନର ଅନୁରୋଧ କ୍ରମେ ଅସ୍ତ୍ରବିରତି ବ୍ୟବସ୍ଥାରେ ରାଜି ହୋଇଥିବା ବାରମ୍ବାର କହୁଛି ଓ ଦୁଇଦେଶ ଭିତରେ ଭାରତ କୌଣସି ମଧ୍ୟସ୍ଥତା ନଥିବା କଥାକୁ ଏକ ଜାତୀୟ ନୀତି ଭାବରେ ଗ୍ରହଣ କରିଛି ତାହାକୁ ଆମେରିକା ଏଡ଼ାଇ ଦେବାର ଉଦ୍ୟମ କରୁଛି। 

କେବଳ ସେତିକି ନୁହେଁ, ଅପରେସନ୍ ସିନ୍ଦୂରର ପ୍ରକୃତ ପାକିସ୍ତାନୀ ନାୟକ ଯଦି ଦେଖାଯାଏ ତେବେ ସେ ହେଉଛନ୍ତି ପାକିସ୍ତାନର ସାମରିକ ମୁଖ୍ୟ ଅସିମ୍ ମୁନୀର୍‌। ତାଙ୍କୁ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍‌କୁ ନିମନ୍ତ୍ରଣ କରିବା ଓ ପାକିସ୍ତାନ ପକ୍ଷରୁ ତାଙ୍କୁ ବିଶ୍ୱ ନୋବେଲ୍ ଶାନ୍ତି ପୁରଷ୍କାର ପାଇଁ ପ୍ରସ୍ତାବ ଦେବାରେ ଅଭିଭୂତ ହୋଇ ଟ୍ରମ୍ଫ ସମସ୍ତ ପ୍ରକାର କାର୍ଯ୍ୟ ପାକିସ୍ତାନ ସପକ୍ଷରେ ଆରମ୍ଭ କରିଛନ୍ତି। ମୁନୀର୍‌ଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଯୋଗୁ ସାଉଦି ଆରବ ରାଷ୍ଟ୍ର ପାକିସ୍ତାନ ସହିତ ଦେଶରକ୍ଷା ରାଜିନାମା ସ୍ୱାକ୍ଷର କରିଛି। ଟ୍ରମ୍ପ ଚଳାଇଥିବା ଟାରିଫ୍ ଯୁଦ୍ଧରେ ଭାରତ ଉପରେ ୫୦ ପର୍ସେଣ୍ଟ ଟାରିଫ୍ କରାଯାଇଥିବା ସମୟରେ ପାକିସ୍ତାନ ଉପରେ ମାତ୍ର ୧୯ ପର୍ସେଣ୍ଟ ଟାରିଫ୍ ଲଗାଯାଇଛି। କେବଳ ସେତିକି ନୁହେଁ, ବଙ୍ଗଳାଦେଶ ଓ ଭିଏତ୍‌ନାମା ଉପରେ ମଧ୍ୟ ଟାରିଫ୍ ହ୍ରାସ କରି ଭାରତଠାରୁ ଯଥେଷ୍ଟ କମ୍ ଟାରିଫ୍ ଲାଗୁ କରାଯାଇଛି। କୁହାଯାଉଛି ଯେ, ରୁଷ୍ ଠାରୁ ଭାରତ ତେଲ ଖରଦି କରୁଥିବା ଦୃଷ୍ଟିରୁ ଭାରତ ଉପରେ ୨୫ ପର୍ସେଣ୍ଟ ଉପରେ ଆଉ ୨୫ ପର୍ସେଣ୍ଟ ଟାରିଫ୍ ଲଗାଯାଇଛି। ଭାରତ ଯଦିଓ ରୁଷ୍‌ରୁ ତେଲ କିଣିବା ହ୍ରାସ କରିବା ଆରମ୍ଭ କରିଛି କିନ୍ତୁ ଭାରତ ବିରୋଧରେ ଟ୍ରମ୍ପଙ୍କ କ୍ରୋଧ କମିନାହିଁ। 

ଯଦିଓ ଟ୍ରମ୍ପ ବାରମ୍ବାର ମୋଦୀଙ୍କୁ ତାଙ୍କର ବନ୍ଧୁ ବୋଲି ସମ୍ବୋଧନ କରୁଛନ୍ତି, ତେବେ ତାଙ୍କର ଆଚରଣ ଯୋଗୁ ନରେନ୍ଦ୍ର ମୋଦୀ ଗାଜା ଶାନ୍ତି ପ୍ରକ୍ରିୟାର ସମ୍ମିଳନୀକୁ ନିଜେ ଗଲେ ନାହିଁ। ଯଦିଓ ମଧ୍ୟପ୍ରାଚ୍ୟରେ ଓ ଗାଜା ସଂକ୍ରାନ୍ତରେ ଭାରତର ନିର୍ଦ୍ଦିଷ୍ଟ ରାଜନୈତିକ ଓ ବୈଦେଶିକ ଆଭିମୁଖ୍ୟ ବରାବର ରହିଆସିଛି। ସେହିପରି ଟ୍ରମ୍ପଙ୍କ ଆଚରଣ ଯୋଗୁ ମାଲେସିଆରେ ହୋଇଥିବା ଏସିଆନ୍ ଶୀର୍ଷ ବୈଠକକୁ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମଧ୍ୟ ନଯାଇ ଆଭାସ ମାଧ୍ୟମରେ ଭାଷଣ ଦେଲେ। କୁହାଯାଉଛି ଯେହେତୁ ଟ୍ରମ୍ପ ସେଠାରେ ଉପସ୍ଥିତ ଥିଲେ, ସେଥିପାଇଁ ମୋଦୀ ସେଠାକୁ ଗଲେ ନାହିଁ। ଯଦିଓ ଭାରତୀୟ ବୈଦେଶିକ ନୀତିରେ ଲୁକ୍ ଇଷ୍ଟ ଏକ ମୁଖ୍ୟ ଧାର ଭାବରେ ରହିଛି। ଟ୍ରମ୍ପ ଏହି କ୍ରମରେ ଜାପାନ, ଦକ୍ଷିଣ କୋରିଆ ପ୍ରଭୃତି ଦେଶରେ ଗସ୍ତ କରି କେବଳ ଆମେରିକା ପାଇଁ ଏହି ଭୂଖଣ୍ଡରେ ପ୍ରଭୁତ୍ୱ ହାସଲ ପାଇଁ ବ୍ୟବସ୍ଥା କରିବା ସହିତ ଭାରତୀୟ ବାଣିଜ୍ୟ କାରବାରକୁ କେତେ ସଂକୁଚିତ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେଇଛନ୍ତି। 

ଆଶ୍ଚର୍ଯ୍ୟର କଥା ଏହିକ୍ରମରେ ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହିତ ସାକ୍ଷାତ କରି ଚୀନ୍ ଉପରେ ଟାରିଫ୍‌କୁ ୪୭ ପର୍ସେଣ୍ଟକୁ ଖସାଇ ଦେଇଛନ୍ତି। ଯଦିଓ ଚୀନ୍ ହିଁ ରୁଷ୍ ଠାରୁ ସର୍ବାଧିକ ତୈଳ ଖର୍ଦ୍ଦ କରୁଛି। ଅବଶ୍ୟ ଚୀନ୍‌ରୁ ବିରଳ ମୃତ୍ତିକା ନେବା ପାଇଁ ଥିବା କଟକଣାକୁ ୧ ବର୍ଷ କୋହଳ କରିଦେବା ପାଇଁ ଚୀନ୍ ଠାରୁ ଏକ ବଡ଼ ଫାଇଦା ହାସଲ କରିଛନ୍ତି। ଚୀନ୍ ସହିତ ଆମେରିକା ବନ୍ଧୁତା ଚାହୁଁଥିବା ଟ୍ରମ୍ପ କହିବାରେ ହେଳା କରିନାହାନ୍ତି। ଯଦି ଆମେରିକା ପାଇଁ ଚୀନ୍ ଏକ ପ୍ରତିଦ୍ୱନ୍ଦୀ ରାଷ୍ଟ୍ର ଭାବରେ ଟ୍ରମ୍ପ ବିଚାର ନକରନ୍ତି, ତେବେ ଆମେରିକା ପାଇଁ ଭାରତର ଆବଶ୍ୟକତା ନିଶ୍ଚିନ୍ତ କମିଯିବ। 

ଟ୍ରମ୍ପ ଗୋଟିଏ ପକ୍ଷରେ ପାକିସ୍ତାନକୁ ଏକାନ୍ତ ସହଯୋଗୀ ଭାବରେ ବିଚାର କରିବା ସହିତ ଚୀନ୍ ସହିତ କୌଣସି ଶତ୍ରୁତା ନଥିବା ପ୍ରକାଶ କରିବା ଦ୍ୱାରା ଭାରତୀୟ ବୈଦେଶିକ ନୀତି ନିଶ୍ଚିନ୍ତ ଭାବରେ ଅସୁବିଧାର ସମ୍ମୁଖୀନ ହେବ। ଆମେରିକା ଓ ବିଶେଷ ଭାବରେ ଟ୍ରମ୍ପଙ୍କ ଆଚରଣରୁ ଗୋଟିଏ କଥା ସ୍ପଷ୍ଟ ଯେ, ଭାରତୀୟ ମହାଦେଶରେ ଓ ବିଶେଷ ଭାବରେ ଦକ୍ଷିଣ ପୂର୍ବ ଏସିଆରେ ଭାରତର ଗୁରୁତ୍ୱକୁ ହ୍ରାସ କରିବା ପାଇଁ ସେ ପ୍ରଚେଷ୍ଟା ଚଳାଇଛନ୍ତି। କିନ୍ତୁ ଭାରତ ପରି ୧୪୦ କୋଟିର ଦେଶ ଯେଉଁଠାରେ ଦକ୍ଷ ମାନବ ଶକ୍ତିର ଅଭାବ ନାହିଁ ଓ ଯେଉଁଠାରେ ଆର୍ଥିକ ପ୍ରଗତିହାର ବିଶ୍ୱର ଅନ୍ୟ ଦେଶମାନଙ୍କ ଠାରୁ ଅଧିକ ରହିଛି ସେଠାରେ ଏହି ଦେଶକୁ ଏଡ଼ାଇ ଯିବା ପାଇଁ ଆମେରିକାର ପ୍ରୟାସ କେତେଦୂର ସଫଳ ହେବ ତାହା ଏକ ବଡ଼ ପ୍ରଶ୍ନ? ତେବେ, ଭାରତକୁ ଏହା ଅଧିକ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଯୋଗାଇବ। କିନ୍ତୁ ଗୋଟିଏ କଥା ଏବେ ବି ଅସ୍ପଷ୍ଟ ଯେ, ଟ୍ରମ୍ପଙ୍କର କ୍ରୋଧ ଭାରତ ବିରୋଧରେ ନା ମୋଦୀଙ୍କ ବିରୋଧରେ। ବିଶ୍ୱର ଦୁଇଟି ବୃହତ ଗଣତନ୍ତ୍ର ଏପରି ଭାବରେ ଛକାପଞ୍ଝା ଅବସ୍ଥାରେ କେତେଦିନ ଗତି କରିବେ?

ଫୋ- ୯୪୩୭୪୦୪୪୫୫

China Narendra Modi Donald Trump India-Pakistan Asim Munir