ବିଚାର ବ୍ୟବସ୍ଥାର ପାତରଅନ୍ତର- ମୃତ୍ୟୁଦଣ୍ଡ

ଯଦି କୁହାଯାଏ ଯେ ଫାଶି ଦଣ୍ଡାଦେଶ ନିଶ୍ଚିତ ରୂପେ ଅପରାଧର ମାତ୍ରାକୁ କମାଇବାରେ ସାହାଯ୍ୟ କରିବ ତେବେ ତାହା ଭ୍ରାନ୍ତ ଧାରଣାI ଏହା ଯଦି ସତ ତେବେ ସତୁରୀ ଦଶକରେ ନାଭାଲ ଅଫିସରଂକ ପୁତ୍ରକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ହେତୁ ରଂଗା ଓ ବିଲ୍ଲାଂକୁ ଫାଶି ଦିଆଯିବା ପରେ ଦେଶରେ ଆଉ ସେଭଳି ଘଟଣା ହୁଏତ ହୋଇନଥାନ୍ତା। ଆମ ଦେଶରେ ଦୁଷ୍କର୍ମ ଅପରାଧରେ ୨୦୧୨ ମସିହାରୁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଆସୁଛି। ଅଥଚ ଜାତୀୟ କ୍ରାଇମ୍‌ ରେକର୍ଡ଼ ବ୍ୟୁରୋ ତଥ୍ୟ ଅନୁସାରେ ସମୁଦାୟ ଦୁଷ୍କର୍ମ ଘଟଣା ଏହା ପରେ ବି ବଢ଼ିଚାଲିଛି।

Death Sentence

Is Death Sentence Civil?

Debendra Prusty
  • Published: Monday, 06 February 2023
  • Updated: 06 February 2023, 03:37 PM IST

News Highlights

  • ମୃତ୍ୟୁଦଣ୍ଡ ଦିଆଯିବା ଫଳରେ ଯେଉଁ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯାଉଛି ତାହା କମୁଛି କି?
  • ମୃତ୍ୟୁଦଣ୍ଡ ଦେବାରେ ବିଚାରପତିଙ୍କ ମଧ୍ୟରେ ଅନେକ ଭିନ୍ନତା କାହିଁକି?
  • ମୃତ୍ୟୁଦଣ୍ଡ ଯଦି ସମାଜକୁ ଉତ୍ତମ ବାର୍ତ୍ତା ଦେଉଛି ତେବେ ତାହା ଉପରେ କେବଳ ବିଚାରପତିମାନଙ୍କର ଏକଚାଟିଆ ଅଧିକାର କାହିଁକି ରହିବ?

Sports

Latest News

ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ହତ୍ୟା କରିବା ଯେ ଅପରାଧ ଏକଥା ସାରା ଦୁନିଆ ଜାଣିଛି। କିନ୍ତୁ ଅପରାଧୀକୁ ଦଣ୍ଡ ଦେବା ନାମରେ ଜଣେ ଅନ୍ୟ ଜଣକୁ ଫାଶୀଦଣ୍ଡ ବା ମୃତ୍ୟୁଦଣ୍ଡ ଶୁଣାଇବାକୁ ନ୍ୟାୟ ବ୍ୟବସ୍ଥା କୁହାଯିବା ପରିତାପର ବିଷୟ। ହେଲେ, ଏହା ଦୁଇ ପ୍ରକାରର ନ୍ୟାୟ ବ୍ୟବସ୍ଥା ଆମ ସମାଜରେ ସୃଷ୍ଟି କରୁଛି।

ପ୍ରଥମ ନ୍ୟାୟ ବ୍ୟବସ୍ଥା ହେଲା ଯେ କୌଣସି ସାଧାରଣ ମଣିଷ ଯେବେ ଅନ୍ୟ ଏକ ମଣିଷକୁ ପୂର୍ବ ଶତ୍ରୁତା ହେତୁ ହେଉ, ପ୍ରମାଣ ନଷ୍ଟ ଲାଗି ହେଉ ବା ଅନ୍ୟ କୌଣସି କାରଣରୁ ହେଉ, ହତ୍ୟା କରୁଛି ସେତେବେଳେ ସେ ମଧ୍ୟ କିଛି ଯୁକ୍ତି ନିଜ ସପକ୍ଷରେ ରଖୁଛି। ସେଭଳି ଯୁକ୍ତି ସେହି ବ୍ୟକ୍ତି ଲାଗି ଉପଯୁକ୍ତ ନ୍ୟାୟ, ଯଦିଓ ତାହା ଆଇନ ଦୃଷ୍ଟିରେ ଅପରାଧ। ଦ୍ଵିତୀୟ ହେଲା, ବିଚାରପତି ଶୁଣାଉଥିବା ମୃତ୍ୟୁଦଣ୍ଡ ଯାହା ଏକ ହତ୍ୟା ହୋଇ ମଧ୍ୟ ଦେଶର ଆଇନ ଦୃଷ୍ଟିରେ ଗ୍ରହଣୀୟ ନ୍ୟାୟବ୍ୟବସ୍ଥା। କିନ୍ତୁ ଉଭୟ ସ୍ଥଳରେ ସମାଜ ନିଜର ଜଣେ ସଦସ୍ୟକୁ ହରାଉଛି। ଆମର ସାମାଜ ଏହି ଉଭୟ ପ୍ରକାରର ମୃତ୍ୟୁଦଣ୍ଡକୁ ଗ୍ରହଣ କରୁନାହିଁ।

ଦେଶର ବିଭିନ୍ନ ବିଚାରାଳୟ ଦ୍ଵାରା ଗଲା ବର୍ଷ (୨୦୨୨) ସମୁଦାୟ ୧୬୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିବାର ତଥ୍ୟ ଦିଲ୍ଲୀର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରସ୍ତୁତ ରିପୋର୍ଟରେ ପ୍ରକାଶ ପାଏ। ଏହା ଗଲା କୋଡ଼ିଏ ବର୍ଷ ମଧ୍ୟରେ ସର୍ବାଧିକ। କୌଣସି ବି ଅପରାଧୀକୁ ମୃତ୍ୟୁଦଣ୍ଡ ଦେବା ଦ୍ଵାରା କ’ଣ ସେହି ଅପରାଧ ସତରେ ସମାଜରେ ବନ୍ଦ ହୋଇଯାଇଥାଏ? ୨୦୧୬ ମସିହା ପରଠାରୁ ଧର୍ଷଣ ଅପରାଧରେ ଅଧିକରୁ ଅଧିକ ସଂଖ୍ୟକ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇ ଦିଆଯାଉଛି। ଏପରିକି ୨୦୨୨ ମସିହାରେ ମଧ୍ୟ ସମୁଦାୟ ୧୬୫ ଜଣଙ୍କ ମଧ୍ୟରୁ ୫୧% ‘ଅଭିଯୁକ୍ତ’ ଧର୍ଷଣ ଅପରାଧ ଲାଗି ଓ ୩୩% ହତ୍ୟା ଅପରାଧ ଲାଗି ମୃତ୍ୟୁଦଣ୍ଡ ବିଭିନ୍ନ କୋର୍ଟ ଦ୍ଵାରା ଶୁଣାଇ ଦିଆଯାଇଛି।

ଯଦି କୁହାଯାଏ ଯେ ଫାଶି ଦଣ୍ଡାଦେଶ ନିଶ୍ଚିତ ରୂପେ ଅପରାଧର ମାତ୍ରାକୁ କମାଇବାରେ ସାହାଯ୍ୟ କରିବ ତେବେ ତାହା ଭ୍ରାନ୍ତ ଧାରଣାI ଏହା ଯଦି ସତ ତେବେ ସତୁରୀ ଦଶକରେ ନାଭାଲ ଅଫିସରଂକ ପୁତ୍ରକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ହେତୁ ରଂଗା ଓ ବିଲ୍ଲାଂକୁ ଫାଶି ଦିଆଯିବା ପରେ ଦେଶରେ ଆଉ ସେଭଳି ଘଟଣା ହୁଏତ ହୋଇନଥାନ୍ତା। ଆମ ଦେଶରେ ଦୁଷ୍କର୍ମ ଅପରାଧରେ ୨୦୧୨ ମସିହାରୁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଆସୁଛି। ଅଥଚ ଜାତୀୟ କ୍ରାଇମ୍‌ ରେକର୍ଡ଼ ବ୍ୟୁରୋ ତଥ୍ୟ ଅନୁସାରେ ସମୁଦାୟ ଦୁଷ୍କର୍ମ ଘଟଣା ଏହା ପରେ ବି ବଢ଼ିଚାଲିଛି।

ଏବେ ସମୁଦାୟ ଭାରତର ବିଭିନ୍ନ ଜେଲରେ ୫୩୯ ଜଣ ବନ୍ଦୀ ଅଛନ୍ତି ଯାହାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇ ଦିଆଯାଇଛି ଓ ସେମାନଙ୍କ ବିଚାର ଉପର କୋର୍ଟରେ ଚାଲିଛି ଅଥବା ରାଷ୍ଟ୍ରପତିଙ୍କ ନିକଟରେ ସେମାନଙ୍କ କ୍ଷମାଯାଚିକା ବିଚାରାଧୀନ ଅବସ୍ଥାରେ ରହିଛି। ସୁପ୍ରିମ କୋର୍ଟ ଫାଶୀଦଣ୍ଡ ଶୁଣାଇ ଦିଆଯିବା ପୂର୍ବରୁ ଅଭିଯୁକ୍ତର ଜେଲ ରେକର୍ଡ ଓ ମାନସିକ ସ୍ଥିତି ଜନିତ ରିପୋର୍ଟ ଉପରେ ଗୁରୁତ୍ଵ ଦେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ((ମନୋଜ ବନାମ ମଧ୍ୟପ୍ରଦେଶ ସରକାର) ଗଲା ବର୍ଷ ମଇ ମାସରେ ଆଣିଛନ୍ତି। କିନ୍ତୁ ଏଭଳି ବ୍ୟବସ୍ଥାର ସଂପୂର୍ଣ୍ଣ ଉଚ୍ଛେଦ ଲାଗି ପଦକ୍ଷେପ ନିଆଯାଉନାହିଁ।

ସାମୂହିକ ବିବେକ:

ସୁପ୍ରିମ କୋର୍ଟ ଫାଶି ଶୁଣାଇ ଦିଆଯାଉଥିବା ବ୍ୟକ୍ତିର ଅପରାଧକୁ କେତେବେଳେ “ବିରଳତମ” ଉଲ୍ଲେଖ କରିଛନ୍ତି ତ ପୁଣି କେଉଁଠି “ସାମୂହିକ ବିବେକ” (Collective conscience), “ବୈଚାରିକ ବିବେକ” (Judicial conscience) ଅବା ‘ଦେଶଦ୍ରୋହୀ’ ଆଧାରରେ ତଳ କୋର୍ଟର ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି। ସମୟ ସମୟରେ ସରକାର ମଧ୍ୟ ଫାଶିଦଣ୍ଡାଦେଶର ରାଜନୈତିକ ସୁବିଧା ମଧ୍ୟ ନେଇଛନ୍ତି ଯାହା ପଶ୍ଚିମ ବଙ୍ଗରେ ଧନଞ୍ଜୟ କେସ (୨୦୦୪) ଓ କାଶ୍ମୀରର ଆଫଜଲ ଗୁରୁଙ୍କ (୨୦୧୩) ଫାଶୀଦଣ୍ଡାଦେଶ କ୍ଷେତ୍ରରେ ହୋଇଛି।

ପଶ୍ଚିମ ବଂଗର ଧନଂଜୟ ଚାଟାର୍ଜୀଂଙ୍କୁ ହେତାଲ ପାରେଖ (୧୮ ବର୍ଷ) ଧର୍ଷଣ ଓ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇ ୨୦୦୪ ମସିହାରେ ଫାଶି ଦିଆଯାଇଥିଲା। ହେତାଲ ପାରେଖଙ୍କ ହତ୍ୟାକାରୀ ଯେ ଧନଞ୍ଜୟ ନୁହନ୍ତି, ଅନ୍ୟ କେହି ଏହା ବାଣୀ ସୁବ୍ରମନ୍ୟମ ନିଜର ବୃତ୍ତଚିତ୍ର “The Death of Us”ରେ ଦାବି କରନ୍ତି।

ଦିଲ୍ଲୀର “ନିର୍ଭୟା” କେସରେ ଦିଆଯାଇଥିବା ମୃତ୍ୟୁଦଣ୍ଡ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଲା ବେଳେ “ନିର୍ଭୟା”ର ଯୌନାଂଗରେ ଲୁହାରଡ଼ ଭର୍ତ୍ତି କରାଯିବା କଥାକୁ ନିଜର ୪୦୦ ପୃଷ୍ଠାର ରାୟରେ ୧୦୪ ଥର ଉଲ୍ଲେଖ ରଖି ଏହାକୁ “ବିରଳରୁ ବିରଳତମ ଘଟଣା” ଦର୍ଶାଇଛନ୍ତିI ନିର୍ଭୟାଙ୍କ ହତ୍ୟାକାରୀକୁ ଫାଶିଦେବା ଲାଗି ଦେଶରେ ଏକ ବିରାଟ ସଂଖ୍ୟକ ଲୋକ ୨୦୧୩ ମସିହାରେ ରାସ୍ତାକୁ ଆସିଥିଲେ। ଏହି କେସରେ ଜିଲ୍ଲା ଜଜଙ୍କଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସମସ୍ତେ “ସାମୂହିକ ବିବେକ” ପ୍ରସଂଗ ବାରମ୍ବାର ଉତ୍ଥାନ କରିଛନ୍ତି।

ଧନଂଜୟଙ୍କ କେସରେ ବାରମ୍ବାର ସେହି “ସାମୂହିକ ବିବେକ” ପ୍ରସଂଗ ହିଁ ଫାଶିର ମୁଖ୍ୟକାରଣ ପାଲଟିଛି। ପଶ୍ଚିମ ବଙ୍ଗରେ ଧନଞ୍ଜୟଙ୍କୁ ଫାଶୀ ଦେବା ସପକ୍ଷରେ ଲୋକଙ୍କ ଦାବି ଉଠିଥିଲା। ଅଥଚ ହେତାଲଙ୍କ ଶବ ବ୍ୟବଛେଦ ରିପୋର୍ଟରେ ଦୁଷ୍କର୍ମର କୌଣସି ଚିହ୍ନ ନଥିଲା। ସୁପ୍ରିମ କୋର୍ଟ ଅଫଜାଲ ଗୁରୁଙ୍କ ମୃତ୍ୟୁଦଣ୍ଡ କାଏମ ରଖିବା ସମୟରେ ପାର୍ଲାମେଣ୍ଟ ଆକ୍ରମଣ ପଛରେ ସତରେ ଗୁରୁଙ୍କ ସମ୍ପୃକ୍ତିର ତଥ୍ୟଗତ ପ୍ରମାଣ କିଛି ପାଇ ନାହାନ୍ତି। ସେଠାରେ ମଧ୍ୟ “ସାମୂହିକ ବିବେକ” କଥା ଉଲ୍ଲେଖ ରହିଛି। ୨୦୧୩ ମସିହାରେ ଦେଶର ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଆଫଜଲଙ୍କୁ ଫାଶୀ ଦେବା ଲାଗି ସରକାରଙ୍କ ଉପରେ ଚାପ ସୃଷ୍ଟି କରିଆସୁଥିଲେ।

ଫାଶୀଦଣ୍ଡ ସପକ୍ଷରେ ଯୁକ୍ତି କରିବାକୁ ଯାଇ ଦେଶର ଅନେକ ବ୍ୟକ୍ତି, ରାଜନୈତିକ ଦଳ ଓ ଅନୁଷ୍ଠାନ ପ୍ରତିଶୋଧକୁ ଦେଶର ନ୍ୟାୟ ବ୍ୟବସ୍ଥାରେ ଉପଯୁକ୍ତ ରାସ୍ତା ବୋଲି ପରୋକ୍ଷରେ ଯୁକ୍ତି କରନ୍ତି। ଅପରାଧରେ ଶିକାର ହୋଇଥିବା ବ୍ୟକ୍ତିର ପରିବାର ଯେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବା ଦ୍ଵାରା ନ୍ୟାୟ ପାଇବେ ତାହା ସେମାନେ ତର୍କ କରନ୍ତି। ଯଦି ଭାବାବେଗ ଓ ପ୍ରତିଶୋଧ ଭାରତୀୟ ବିଚାର ବ୍ୟବସ୍ଥାର ଅଂଶ ହୁଏ ତେବେ ଏହା ରାଜ ପରିବାରର ନ୍ୟାୟ ବ୍ୟବସ୍ଥାଠାରୁ ଅଲଗା, ଏକ ଗଣତାନ୍ତ୍ରିକ ଦେଶର ନ୍ୟାୟ ବ୍ୟବସ୍ଥା ବୋଲି କୁହାଯାଇପାରିବ କି?

ଯଦି ଫାଶି ଦଣ୍ଡାଦେଶ ଦ୍ୱାରା ସମାଜକୁ ଏକ ଉତ୍ତମ ବାର୍ତ୍ତା ଯାଉଛି ବୋଲି କୁହାଯାଏ ତେବେ ସେହି ଅଧିକାର କେବଳ ବିଚାରପତିଙ୍କର କାହିଁକି ରହିବ, ତାହା ସମସ୍ତଂକୁ ମିଳିବା ଉଚିତ ନୁହେଁ କି?

ଯଦି କୌଣସି ଗରୀବ ଲୋକର ଘରବାଡ଼ି ଜମିକୁ କୌଣସି ଖଣି ଅଥବା କାରଖାନା ମାଲିକ ନେଇଯାଉଥାଏ ଓ ଏହି ହେତୁ ସେହି ଦଳିତ/ଆଦିବାସୀ/ଗରୀବ ଲୋକଟି ଯଦି ସେହି ଜମି ହଡ଼ପକାରୀ ଖଣି ମାଲିକ ଅଥବା କାରଖାନା ମାଲିକକୁ ହତ୍ୟା କରେ ତେବେ ତାହା କ’ଣ ସମାଜକୁ ଉତ୍ତମ ବାର୍ତ୍ତା ଦେବ ନାହିଁ କି?

ଯଦି ଅଙ୍ଗନବାଡି ଗୃହ ଭାଙ୍ଗିବା ହେତୁ ନିଜର ଏକମାତ୍ର ଛୁଆର ମୃତ୍ୟୁରେ ମ୍ରିୟମାଣ ପିତା ତାହାର ଇଂଜିନିୟର ବା କଣ୍ଟ୍ରାକ୍ଟରକୁ ହତ୍ୟାକରେ ଅଥବା ଅବହେଳା ହେତୁ ମୃତ୍ୟୁବରଣ କରିଥିବା ରୋଗୀର ସମ୍ପର୍କୀୟ ଯଦି ଡାକ୍ତରଂକୁ ହତ୍ୟାକରେ ତେବେ ତାହା କଣ ସମାଜକୁ ଠିକ ବାର୍ତ୍ତା ଦେବ ନାହିଁ? ଏସମସ୍ତ ଘଟଣାକୁ କାହିଁକି ଅପରାଧ କହିବା? କାହିଁକି ସମାଜରେ ନ୍ୟାୟ ପାଇବା ପାଇଁ ଏହାକୁ ବ୍ୟାକୁଳତା ପର୍ଯ୍ୟାୟଭୁକ୍ତ ନକରିବା ଅଥଚ ବିଚାରପତି ସେହି “ସାମୂହିକ ବିବେକ” ଆଧାରରେ ଶୁଣାଉଥିବା ମୃତ୍ୟୁଦଣ୍ଡକୁ କାହିଁକି ଆଇନ ଅନୁମୋଦିତ ନ୍ୟାୟ କହିବା?

କୌଣସି ସମାଜରେ, ତାହା ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥା ହୋଇଥାଉ ଅଥବା ସାମାଜବାଦୀ ରାଷ୍ଟ୍ର, କୌଣସି ମଣିଷର ଜୀବନ ନେବାର ଅଧିକାର କୌଣସି ବ୍ୟକ୍ତି ବା ଅନୁଷ୍ଠାନର ରହିବା ଉଚିତ ନୁହେଁ। ସମ୍ବିଧାନର ଧାରା ୨୧ରେ ଏକଥା ପ୍ରାବଧାନ ରହିଲା ଯେ କୌଣସି ବ୍ୟକ୍ତିକୁ ତା’ର ବଞ୍ଚିବାର ଅଧିକାରଠାରୁ କେହି ବଞ୍ଚିତ କରିପାରିବେ ନାହିଁ। କିନ୍ତୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା କାଏମ ରଖିବା ଦ୍ଵାରା ଏଭଳି ଅଧିକାର ବାମ ହାତରେ ଦେଇ ପୁଣି ତାହାକୁ ଡାହାଣ ହାତରେ ନେଇଯିବା ଭଳି ହେଉଛି।

ଭିନ୍ନଭିନ୍ନ ଓ ପାତରଅନ୍ତର ବିଚାର :

ସ୍ଵାଧୀନତା ଆନ୍ଦୋଳନ କାଳରେ ଭାରତୀୟ ଜାତୀୟ କଂଗ୍ରେସର କରାଚୀ ଅଧିବେଶନରେ (୧୯୩୧) ନୂତନ ଭାରତର ରୂପରେଖ ସମ୍ପର୍କରେ କେତେକ ନିଷ୍ପତ୍ତି ନିଆଯାଇଥିଲା। ସେହି ବର୍ଷ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଲାହୋର ଷଡ଼ଯନ୍ତ୍ର ମାମଲାରେ ଫାଶୀଦଣ୍ଡ ଦିଆଯାଇଥାଏ। କରାଚୀ ଅଧିବେଶନରେ ନିଷ୍ପତ୍ତି ନିଆଯାଇଥିଲା ଯେ ସ୍ଵାଧୀନ ଭାରତରେ ମୃତ୍ୟୁଦଣ୍ଡ ବ୍ୟବସ୍ଥାକୁ ନୂତନ ନ୍ୟାୟ ବ୍ୟବସ୍ଥାରୁ ବାଦ ଦିଆଯିବ। ଯଦିଓ ବିଭିନ୍ନ ରାଜନୈତିକ ଦଳ ଏହି ୭୫ ବର୍ଷ ମଧ୍ୟରେ ଦେଶର କ୍ଷମତାରେ ଅଧିଷ୍ଠିତ ହୋଇସାରିଲେଣି (ସମସ୍ତେ ଭଗତ ସିଂଙ୍କୁ ନିଜର ଆଦର୍ଶ ମଧ୍ୟ କରିଛନ୍ତି) କିନ୍ତୁ ଏହି ବ୍ୟବସ୍ଥାକୁ କେହି ବି ବାଦ ଦେଉନାହାନ୍ତି।

୧୯୮୦ ମସିହାରେ ସୁପ୍ରିମକୋର୍ଟ ବଚନ ସିଂ ବନାମ ପଂଜାବ ସରକାର କେସରେ ସମ୍ବିଧାନର ଧାରା ୨୧କୁ ବ୍ୟାଖ୍ୟାକରି “ବିରଳରୁ ବିରଳତମ ଘଟଣାରେ” ଫାଶିଦେବାର ଅଧିକାର ଜିଲ୍ଲା ଜଜଙ୍କର ରହିଥିବା ଦର୍ଶାଇଲେ। ସୁପ୍ରିମକୋର୍ଟ୍ଂକ ମତ ଅନୁସାରେ, ଏହାପରେ ଉପର କୋର୍ଟ ଚାହିଁଲେ ଫାଶିଦଣ୍ଡକୁ କାଏମ ରଖିପାରିବେ ନଚେତ ବଦଳାଇପାରିବେ।

ଏହି ବଚନ ସିଂ ବନାମ ପଂଜାବ ସରକାର ରାୟରେ ସୁପ୍ରିମକୋର୍ଟ ଏକଥାକୁ ସ୍ୱୀକାର କରିଛନ୍ତି, “ନିଷ୍ପତ୍ତି ନେବାର ପ୍ରକ୍ରିୟା ଜଣେ ବିଚାରପତି ପାଇଁ ସର୍ବଦା ବାସ୍ତବ ତଥ୍ୟ ଆଧାରିତ ହୋଇନପାରେ।” ମାନ୍ୟବର କୋର୍ଟ ମୃତ୍ୟୁଦଣ୍ଡକୁ ସେସନ୍ସ ଜଜଙ୍କ ନିଜସ୍ୱ ବିବେକ ଅନୁସାରେ ମୃତ୍ୟୁଦଣ୍ଡ ଶୁଣାଇବାର ଅଧିକାର ରହିଥିବା କଥା କହିଛନ୍ତି। ତେଣୁ ଏହା ବିଚାରପତିଙ୍କ ବ୍ୟକ୍ତିଗତ ବିଷୟ ହୋଇଯାଉଛି, ଏଥିଲାଗି କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନାହିଁ।

ଏସିଆନ ସେଣ୍ଟର ଅଫ ହ୍ୟୁମାନ ରାଇଟ୍ସ ନିଜର ସେହି ମୃତ୍ୟୁଦଣ୍ଡ ସମ୍ପର୍କିତ ରିପୋର୍ଟରେ ଦୁଇ ବିଚାରପତିଂକ ମଧ୍ୟରେ ମୃତ୍ୟୁଦଣ୍ଡ ସମ୍ପର୍କରେ ଥିବା ଦୁଇ ଭିନ୍ନ ରାୟକୁ ତୂଳନାତ୍ମକ ଭାବରେ ଦର୍ଶାଇ ଏକଥାକୁ ଦୃଢ଼ତାର ସହିତ କହିବାକୁ ଚାହିଁଛି ଯେ ଏହି ମୃତ୍ୟୁଦଣ୍ଡ ରାୟ କେତେ ବ୍ୟକ୍ତିକୈନ୍ଦ୍ରିକ। ସୁପ୍ରିମକୋର୍ଟରେ ସମାନ ସମୟରେ ଦୁଇ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଓ ଜଷ୍ଟିସ ଏମ୍‌.ବି. ଶାହା ନିଜ କାର୍ଯ୍ୟକାଳ ସମୟରେ ସମୁଦାୟ ୪୮ଟି ମୃତ୍ୟୁଦଣ୍ଡ ସମ୍ପର୍କିତ କେସର ବିଚାର କରିଛନ୍ତି।

ଜଷ୍ଟିସ ଅରିଜିତ ପଶାୟତ ବିଚାର କରିଥିବା ସମୁଦାୟ ୩୩ଟି କେସ ମଧ୍ୟରୁ ୧୫ଟି କେସରେ ସେ ତଳକୋର୍ଟର ମୃତ୍ୟୁଦଣ୍ଡ ଆଦେଶକୁ କାଏମ ରଖିଥିଲା ବେଳେ ତିନୋଟି କେସରେ ଅପରାଧୀକୁ କାହିଁକି ମୃତ୍ୟୁଦଣ୍ଡ ଦିଆନଯିବ (ସେସନ୍ସ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ ବି ହାଇକୋର୍ଟ ପରିବର୍ତ୍ତନ କରିଥିବା କାରଣରୁ) ତାହାର ପୁନର୍ବିଚାର ପାଇଁ ହାଇକୋର୍ଟକୁ ପୁନଃ ବିଚାର ପାଇଁ ପଠାଇଛନ୍ତି। ଅଥଚ ଜଷ୍ଟିସ ଶାହା ବିଚାର କରିଥିବା ସମୁଦାୟ ୧୫ଟି କେସରେ କାହାରିକୁ ବି ମୃତ୍ୟୁଦଣ୍ଡ ଶୁଣାଇନାହାନ୍ତି। ଉଭୟ ସମାନ ସମୟରେ ଓ ସମାନ ସ୍ଥାନରେ ଥାଇ ମଧ୍ୟ ଉଭୟ ମାନ୍ୟବର ବିଚାରପତି ଭିନ୍ନ ଭିନ୍ନ ରାୟ ଦେବା ଦ୍ଵାରା ଅପରଧୀ ମରିବ କି ବଞ୍ଚିବ ତାହା କେଉଁ ବିଚାରପତିଙ୍କ ବେଞ୍ଚରେ ପଡିବ ତାହା ଉପରେ ନିର୍ଭର କରୁଛି।

ତଥ୍ୟ କହୁଛି ଯେ ୨୦୦୦ରୁ ୨୦୧୫ ମସିହା ମଧ୍ୟରେ ମୃତ୍ୟୁଦଣ୍ଡ ଶୁଣାଯାଇଥିବା ସମସ୍ତ ଅପରାଧୀଙ୍କ ମଧ୍ୟରେ ୭୫% ହେଉଛନ୍ତି ଆର୍ଥିକ ଅନଗ୍ରସର ବର୍ଗର। ସେମାନେ ନାବାଳକ ଥିଲା ବେଳେ ସ୍କୁଲ ଯିବା ବଦଳରେ ଦିନ ମଜୁରୀଆ ଥିଲେ। ସେହିପରି ୮୦% ‘ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀ’ ସ୍କୁଲ ଶିକ୍ଷା ସମାପ୍ତି ମଧ୍ୟ କରିନାହାଁନ୍ତି। ପୁଣି ସେହି ‘ଅପରାଧୀ’ଙ୍କ ମଧ୍ୟରୁ ୪୮% ହେଉଛନ୍ତି କେବଳ ଦଳିତ ଓ ଧାର୍ମିକ ସଂଖ୍ୟାନ୍ୟୁନ ଗୋଷ୍ଠିର। ଏହା ‘ଡେଥ ପେନାଲ୍ଟି ରିସର୍ଚ ପ୍ରୋଜେକ୍ଟ - ୨୦୧୬’ ରିପୋର୍ଟରେ ପ୍ରକାଶିତ ହୋଇଥିଲା। ଏହା ପରେ ସଦ୍ୟତମ ଅନୁସନ୍ଧାନ ହୋଇନାହିଁ।

ଆମର ସମାଜ ଜାତି, ଧର୍ମ, ଧନୀ ଗରିବ, ଲିଙ୍ଗ ଓ ଆଞ୍ଚଳିକ ମନୋଭାବ ଦ୍ଵାରା ବେଶ ବିଭାଜିତ। ସମାଜ ଯେତେବେଳେ ବିଭାଜିତ ସେତେବେଳେ ବିଚାରପତିଙ୍କ ମାନସିକତା ମଧ୍ୟ ବିଭାଜିତ ହେବା ସ୍ଵାଭାବିକ। ଦେଶର ଆଇନ ବ୍ୟବସ୍ଥାରେ କ୍ରମଶଃ ଏହା ଦେଖାଯାଇଛି ଯେ, ଫାଶି ପାଇଥିବା ଅଥବା ଫାଶିଦଣ୍ଡ ଶେଷ ପର୍ଯ୍ୟନ୍ତ କାଏମ ରହିଥିବା “ଦୋଷୀ” ବ୍ୟକ୍ତିର ଦୋଷାବହ କାର୍ଯ୍ୟର ଜଘନ୍ୟତା ଅପେକ୍ଷା ବ୍ୟକ୍ତିର ଧର୍ମ (ହିନ୍ଦୁ କି ଅଣ-ହିନ୍ଦୁ), ଜାତି (ନିମ୍ନ), ଶ୍ରେଣୀ (ଗରୀବ) ଓ ରାଜନୈତିକ ପ୍ରଭାବ(ହୀନତା) ବିଶେଷ ଭାବରେ ଦାୟୀ ହୋଇ ରହିଆସିଛି।

ବିଶ୍ଵବ୍ୟାପୀ ବିଭିନ୍ନ ଗଣତାନ୍ତ୍ରିକ ସଂଗଠନମାନଙ୍କ କ୍ରମାଗତ ପ୍ରଚେଷ୍ଟା ହେତୁ ଆଜିର ବିଶ୍ଵରେ ଇଉରୋପର ୪୭ଟି ଦେଶ ସମେତ ୧୪୨ଟି ଦେଶରେ ମୃତ୍ୟୁଦଣ୍ଡ ବନ୍ଦ ହୋଇଥିବା ବେଳେ ଭାରତ, ଚୀନ, ଜାପାନ, ଆମେରିକା, ପାକିସ୍ତାନ ସମେତ ୫୬ଟି ଦେଶରେ ଏହା ଏବେ ବି କାଏମ ରହିଛି।

ଆମର ସମାଜର ବିଭିନ୍ନ ଗଣଅନୁଷ୍ଠାନ, ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳ ମୃତ୍ୟୁଦଣ୍ଡର ଉଚ୍ଛେଦ ଲାଗି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଜରୁରୀ। ସମାଜରେ ଘଟୁଥିବା ଅପରାଧର କାରଣ ଖୋଜିବା ଦିଗରେ ସରକାର ଓ ଆମର ସମାଜ ମନୋନିବେଶ କରିବା ଆବଶ୍ୟକ। ଏହା ଦ୍ଵାରା ବରଂ ପୀଡ଼ିତା/ପୀଡ଼ିତମାନେ ନିର୍ଭୟରେ ଏହି ସମାଜରେ ବିଚରଣ କରିପାରିବେ ଓ ଆମକୁ ଏକ ପାରସ୍ପରିକତା ପୂର୍ଣ୍ଣ ସମାଜ ମିଳିପାରିବ।

ଦେବ ରଞ୍ଜନ

ମୋବାଇଲ: ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos