ୱାକଫ୍ ଦକ୍ଷତା ବଢ଼ିବାରେ ମୁସ୍‌ଲିମ୍ ଭୟଭୀତ କାହିଁକି?

ଏହା କେହି ବି ଅସ୍ୱୀକାର କରିବେ ନାହିଁ ଯେ, ୱାକଫ୍ ପରିଚାଳନାରେ ଦୁର୍ବଳତା ଯୋଗୁ ୱାକଫ୍ ସଂପତ୍ତିଗୁଡ଼ିକ ଠିକଣା ବିନିଯୋଗ ହୋଇପାରୁନାହିଁ। ହେଲେ ମୋଦୀ ସରକାର ୱାକଫ୍ ଆଇନର ସଂଶୋଧନ ପାଇଁ ଏଥର ଆଣିଥିବା ସଂଶୋଧନ ପ୍ରସ୍ତାବ ବିରୋଧରେ ସାରା ଦେଶର ମୁସ୍‌ଲିମ୍ ସମାଜ ଭୟଭୀତ ହୋଇଯାଇଛନ୍ତି।

Waqf Board

  • Published: Friday, 04 April 2025
  • , Updated: 04 April 2025, 05:22 PM IST

ରବି ଦାସ

ୱାକଫ୍‌ର ପ୍ରକୃତ ଅର୍ଥ ହେଉଛି ଦାନ। ମୁସ୍‌ଲିମ୍ ଧର୍ମରେ ପ୍ରତ୍ୟେକ ବ୍ୟକ୍ତି ଯାହା ଆୟ କରନ୍ତି ସେଥିରୁ ଗୋଟିଏ ଅଂଶ ସେହି ଧର୍ମରେ ଥିବା ଗରିବ, ନିଃସହାୟ, ଅସହାୟ ଓ ଅନାଥ, ବିଧବା ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଆଲ୍ଲାଙ୍କ ନାମରେ ଦାନ କରନ୍ତି। ଯାହାକୁ ୱାକଫ୍ ବୋଲି କୁହାଯାଉଛି। ଯେହେତୁ ଏହା ମୁସ୍‌ଲିମ୍ ସଂପ୍ରଦାୟ ସହିତ ଜଡ଼ିତ, ସେହେତୁ ଏହି ଦାନ ସୂତ୍ରରୁ ହାସଲ ହେଉଥିବା ଜମି, ସଂପତ୍ତି ଓ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ବହୁ ବର୍ଷ ଧରି ଏଥିପାଇଁ ନିୟମ ଓ ଆଇନ କରାଯାଇଛି। ସ୍ୱାଧୀନତା ପୂର୍ବରୁ ବ୍ରିଟିଶ୍ ସରକାର ସମୟରେ ମଧ୍ୟ ଏହି ସଂପତ୍ତି ପରିଚାଳନା ପାଇଁ ଆଇନ କରାଯାଇଥିଲା। କିନ୍ତୁ ଦେଶ ସ୍ୱାଧୀନ ହେବା ପରେ ୧୯୫୪ ସ୍ୱତନ୍ତ୍ର ଭାବରେ ୱାକଫ୍ ବ୍ୟବସ୍ଥା ପରିଚାଳିତ ପାଇଁ ଆଇନ ପ୍ରଣୟନ ହେଲା।

ୱାକଫ୍‌ର ବିଶେଷତ୍ୱ ହେଲା ଯେ, ଏଥିପାଇଁ ଯେଉଁମାନେ ଦାନ କରନ୍ତି ସେଥିରେ ସେମାନଙ୍କର ପରିବାର ଆଉ ଭବିଷ୍ୟତରେ ଦାବିଦାର ହୁଅନ୍ତି ନାହିଁ। କିନ୍ତୁ ଏହି ସଂପତ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବରେ ମୁସ୍‌ଲିମ୍ ସଂପ୍ରଦାୟର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସହାୟତା କରନ୍ତି। ଏପରିକି ଏହି ସଂପତ୍ତି ଉପରେ ଥିବା ମସ୍‌ଜିଦ୍ ଓ କବରଖାନା ପ୍ରଭୃତିରୁ ମିଳୁଥିବା ଆୟ ଦଳିତ ଶ୍ରେଣୀ ପାଇଁ ବିନିଯୋଗ ହୁଏ। ଦେଶର ଅନ୍ୟ ଧର୍ମମାନଙ୍କରେ ମଧ୍ୟ ଠାକୁରଙ୍କ ନାମରେ ଦାନ ବ୍ୟବସ୍ଥା ଅଛି। ହିନ୍ଦୁ ମନ୍ଦିର ପରିଚାଳନା ସବୁ ଏହି ସଂପତ୍ତି ବଳରେ କରାଯାଏ। ପ୍ରତ୍ୟେକ ଦେବ ଅନୁଷ୍ଠାନ ପାଇଁ ବିଭିନ୍ନ ପ୍ରକାର ଆଇନ ସବୁ ରାଜ୍ୟରେ ରହିଛି। ସେମାନଙ୍କ ପାଖରେ ମଧ୍ୟ ସୁନା, ରୂପା ଠାରୁ ଆରମ୍ଭ କରି ବିପୁଳ ପରିମାଣର ଜମିବାଡ଼ି ରହିଛି। ସେହିପରି ଶିଖ୍‌ମାନଙ୍କର ମଧ୍ୟ ସେହି ବ୍ୟବସ୍ଥା ଅଛି ଓ ଖ୍ରୀଷ୍ଟିଆନ୍‌, ଜୈନ୍ ଓ ବୌଦ୍ଧମାନଙ୍କର ସେହିପରି ସଂପତ୍ତି ସବୁ ରହିଛି।

ୱାକଫ୍ ସଂପତ୍ତି ସବୁ ଏକତ୍ର ଭାବରେ ବିଚାର କରାଯାଉଥିବାରୁ ସେମାନଙ୍କ ହାତରେ ପ୍ରାୟ ୮.୭ ଲକ୍ଷ ଏକରର ଅଚଳ ସଂପତ୍ତି ବା ଜମି ରହିଥିବା ଦେଖାଯାଉଛି। ଦେଶରେ ଯଦି ରେଳବାଇ ଓ ଦେଶରକ୍ଷା ବିଭାଗକୁ ହିସାବକୁ ନିଆଯାଏ ତେବେ ୱାକଫ୍ ହାତରେ ତୃତୀୟ ବହତ୍ତମ ଜମି ରହିଥିବା ଦର୍ଶାଯାଉଛି। ଏହି ସଂପତ୍ତିଗୁଡ଼ିକର ପରିଚାଳନା ପାଇଁ ୱାକଫ୍ ବୋର୍ଡର ବ୍ୟବସ୍ଥା କରାଯାଇଛି। ଏହିକ୍ରମରେ ୧୯୯୫ରେ ୱାକଫ୍ ସଂକ୍ରାନ୍ତୀୟ ଏକ ଆଇନ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକରିବା ଆରମ୍ଭ କରିଛି। ତଥାପି ଏହି ଆଇନ ସତ୍ତ୍ୱେ ଏତେ ବଡ଼ ୱାକଫ୍ ସଂପତ୍ତିର ଠିକଣା ବିନିଯୋଗ ହୋଇପାରିନାହିଁ। ଏହି ଜମିର ବହୁ ପରିମାଣର ବିଭିନ୍ନ ବ୍ୟକ୍ତି ଏପରିକି ସରକାର ମଧ୍ୟ ଜବରଦଖଲ କରି ଅଛନ୍ତି। ଫଳରେ ଏହିସବୁ ସଂପତ୍ତିରୁ ଯେତିକି ରୋଜଗାର ହେବା କଥା ତାହା ହୋଇପାରୁନାହିଁ। ସାଚାର୍ କମିଟି ମଧ୍ୟ ଏହି ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବରେ କେତେକ ତଥ୍ୟ ଉପସ୍ଥାପିତ କରିଥିଲେ। ସେହି କ୍ରମରେ ୟୁପିଏ ସରକାର ଶେଷ ହେଲା ବେଳକୁ ୨୦୧୩ରେ ୱାକଫ୍ ଆଇନରେ ଏକ ସଂଶୋଧନ କରାଯାଇଥିଲା। ଯାହାକୁ ସେତେବେଳେ ପ୍ରାୟ ସବୁ ପକ୍ଷ ସମର୍ଥନ କରିଥିଲେ।

ଏହା କେହି ବି ଅସ୍ୱୀକାର କରିବେ ନାହିଁ ଯେ, ୱାକଫ୍ ପରିଚାଳନାରେ ଦୁର୍ବଳତା ଯୋଗୁ ୱାକଫ୍ ସଂପତ୍ତିଗୁଡ଼ିକ ଠିକଣା ବିନିଯୋଗ ହୋଇପାରୁନାହିଁ। ହେଲେ ମୋଦୀ ସରକାର ୱାକଫ୍ ଆଇନର ସଂଶୋଧନ ପାଇଁ ଏଥର ଆଣିଥିବା ସଂଶୋଧନ ପ୍ରସ୍ତାବ ବିରୋଧରେ ସାରା ଦେଶର ମୁସ୍‌ଲିମ୍ ସମାଜ ଭୟଭୀତ ହୋଇଯାଇଛନ୍ତି। ଯଦିଓ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ମୁସ୍‌ଲିମ୍ ସଂପ୍ରଦାୟର ମଙ୍ଗଳ ପାଇଁ ବିଶେଷ ଭାବରେ ଏହି ସଂପ୍ରଦାୟର ଥିବା ଗରିବ ଲୋକ, ଅସହାୟ, ବିଧବା ଓ ଦୁର୍ବଳ ଶ୍ରେଣୀର ସୁବିଧା ପାଇଁ କାର୍ଯ୍ୟକରିବା ନିମନ୍ତେ ୱାକଫ୍ ସଂପତ୍ତି ପରିଚାଳନାରେ ଦକ୍ଷତା ବଢ଼ାଇବା ପାଇଁ ଏହି ସଂଶୋଧନ ଅଣାଯାଇଛି।

ପାର୍ଲାମେଂଟର ଉଭୟ ଗୃହରେ ଏହା ପାରିତ ହୋଇଥିଲେ ମଧ୍ୟ ଦେଶର ମୁସ୍‌ଲିମ୍ ସଂପ୍ରଦାୟ ଭୟଭୀତ। କାରଣ ସେମାନଙ୍କ ହିସାବରେ ମୋଦୀ ସରକାର ଗତ ୧୦ ବର୍ଷ ଭିତରେ ସେମାନଙ୍କ ପାଇଁ କୌଣସି ପ୍ରକାର ମଙ୍ଗଳକର କାର୍ଯ୍ୟ କରିନାହିଁ। ବରଂ ସେମାନଙ୍କୁ ଭୟଭୀତ କରିବା ପାଇଁ ଗୋମାଂସ ନେଇ ଭିଡ଼ ହତ୍ୟା, ଲଭ୍‌ ଜିହାଦ୍‌, ମୁସ୍‌ଲିମ୍‌ମାନଙ୍କ ଘର ଉପରେ ବୁଲ୍‌ଡୋଜର୍ ଲଗାଇ ଧ୍ୱଂସ କରିବା, ସେମାନଙ୍କୁ ଆତଙ୍କବାଦୀର ଆଖ୍ୟା ଦେଇ ପୋଲିସ୍ ଗୁଳିରେ ମାରିବା, ସେମାନଙ୍କ ଧର୍ମନୁଷ୍ଠାନ ଓ ମସ୍‌ଜିଦ୍ ଭିତରେ ଶିବ ଲିଙ୍ଗ ଓ ମନ୍ଦିରର ସନ୍ଧାନ ପାଇଁ ବିବାଦ କରିବା ଓ ଶେଷରେ ମୁସ୍‌ଲିମ୍ ପର୍ବରେ ସେମାନଙ୍କୁ ରାସ୍ତାରେ ଧର୍ମପାଳନ ନକରିବା ପାଇଁ ଚେତାବନୀ ଦେବା ଅଥଚ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ସମ୍ବିଧାନ ଆଧାରରେ ସ୍ୱାଧୀନତା ପ୍ରଦାନ କରିବା ଘଟଣାଗୁଡ଼ିକ ଦେଖି ମୁସ୍‌ଲିମ୍ ସଂପ୍ରଦାୟ ନିଜକୁ ଅସହାୟ ମନେକରୁଛନ୍ତି। ଏପରିକି ସେମାନଙ୍କୁ ଦେଶରେ ଦ୍ୱିତୀୟ ଶ୍ରେଣୀ ନାଗରିକ କରିଦିଆଯାଇଥିବା ସେମାନେ ଅନୁଭବ କରୁଛନ୍ତି।

ସିଏଏ ଠାରୁ ଆରମ୍ଭ କରି ବିଭିନ୍ନ ଘଟଣାରେ ମୁସ୍‌ଲିମ୍ ସଂପ୍ରଦାୟ ସରକାରଙ୍କ ଠାରୁ ଦୂରକୁ ଚାଲିଯାଇଛନ୍ତି । କଂଗ୍ରେସକୁ ବା ଅନ୍ୟ ଦଳମାନଙ୍କୁ ମୁସ୍‌ଲିମ୍ ତୁଷ୍ଟିକରଣ ଅଭିଯୋଗରେ ଅଭିଯୁକ୍ତ କରାଯିବା ଯଥାର୍ଥ ହେଲେ ମଧ୍ୟ ମୋଦୀ ସରକାରଙ୍କ କାର୍ଯ୍ୟକଳାପ ମୁସ୍‌ଲମାନ୍‌ଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି କରିଥିବା ସେମାନେ ଖୋଲାଖୋଲି ଅଭିଯୋଗ କରୁଛନ୍ତି। ବିଜେପି ସାରାଦେଶରେ ସବୁଠାରୁ ବଡ଼ ରାଜନୈତିକ ଦଳ, କେନ୍ଦ୍ର ସମେତ ଦେଶର ଅଧିକାଂଶ ରାଜ୍ୟରେ ଏହାର ସରକାର ଅଛି। ତଥାପି ଏହି ଦଳର ଜଣେ ହେଲେ ମୁସ୍‌ଲିମ୍ ସଦସ୍ୟ ସାଂସଦ ନାହାନ୍ତି। ସେହି କାରଣରୁ ମୋଦୀ ସରକାରଙ୍କୁ ସେମାନେ ଭୟ କରିବା ସ୍ୱାଭାବିକ।

ଏହିପରି ଏକ ବାତାବରଣରେ ୱାକଫ୍‌ର ପରିଚାଳନା ଦକ୍ଷତା ବଢ଼ାଇବା ପାଇଁ ଆସିଥିବା ସଂଶୋଧନ ପ୍ରସ୍ତାବ ଉପରେ ପାର୍ଲାମେଂଟ ଯୁଗ୍ମ ସଂସଦୀୟ କମିଟିରେ ତୀବ୍ର ମତଭେଦ ସତ୍ତ୍ୱେ ସଂଖ୍ୟାଗରିଷ୍ଠ ମତରେ ଆଧାରିତ ରିପୋର୍ଟ ଉପରେ ୱାକଫ୍ ସଂଶୋଧିତ ବିଲ୍ ଅଣାଯାଇଛି। ଯୁଗ୍ମ ସଂସଦୀୟ କମିଟିରେ ଯେଉଁ ମତଭେଦ ଥିଲା ତାହା ପାର୍ଲାମେଂଟର ଭୋଟ୍ ଗ୍ରହଣରେ ମଧ୍ୟ ରୂପାନ୍ତରୀତ ହୋଇଛି। ୱାକଫ୍ ସମ୍ପୂର୍ଣ୍ଣ ଭାବରେ ଏକ ବ୍ୟବସ୍ଥା, ଯାହା ଇସ୍‌ଲାମିକ ଆଇନ୍ ଓ ପରମ୍ପରା ଆଧାରିତ। ଜଣେ ମୁସଲ୍‌ମାନ୍ ଦ୍ୱାରା ମସ୍‌ଜିଦ୍‌, ସ୍କୁଲ୍‌, ହସ୍ପିଟାଲ୍ ଓ ଅନ୍ୟାନ୍ୟ ସର୍ବସାଧାରଣ ଅନୁଷ୍ଠାନ ନିର୍ମାଣ ଲାଗି ଦାତବ୍ୟ କିମ୍ବା ଧାର୍ମିକ ଉଦ୍ଦେଶ୍ୟରେ ଦିଆଯାଉଥିବା ଦାନକୁ ୱାକଫ୍ ବୁଝାଏ। ଏହି ଦାନର ବିଶେଷତ୍ୱ ହେଲା ଯେ, ଏହାକୁ ବିକ୍ରି କରାଯାଇପାରିବ ନାହିଁ। ଉପହାର ଦିଆଯାଇ ପାରିବନାହିଁ। ଏହାର କେହି ଉତ୍ତରାଧିକାରୀ ହୋଇପାରିବେ ନାହିଁ। ଯେହେତୁ ଆଲ୍ଲା ସବୁଦିନ ପାଇଁ ରହିଥାନ୍ତି ସେହିପରି ଭାବରେ ୱାକଫ୍ ସଂପତ୍ତି ସବୁଦିନ ରହିଥାଏ। ଅର୍ଥାତ୍ ୱାକଫ୍ ସଂକ୍ରାନ୍ତୀୟ ଯାହା ନିଷ୍ପତି ହେବ ତାହା ଇସ୍‌ଲାମ୍ ଆଧାରିତ ବ୍ୟବସ୍ଥା ଅନୁଯାୟୀ କରାଯିବ।

ଦେଶର ସମ୍ବିଧାନରେ ଧାର୍ମିକ ସ୍ୱାଧୀନତାର ମୌଳିକ ଅଧିକାର ସହିତ ଧର୍ମ ଅନୁଷ୍ଠାନ ପରିଚାଳନାର ଏକ ସ୍ୱାଧୀନତା ରହିଛି। ସେହିକ୍ରମରେ ଯେହେତୁ ଅନ୍ୟ କୌଣସି ଧର୍ମ ଆଧାରିତ ବ୍ୟବସ୍ଥାରେ ସେହି ଧର୍ମ ବ୍ୟତୀତ ଅନ୍ୟ କାହାରିକୁ ସେହି ଧର୍ମ ପରିଚାଳନାର ମୁଖ୍ୟ ଭାବରେ ରଖାଯାଉନାହିଁ ସେହି ପରମ୍ପରା ୱାକଫ୍ କ୍ଷେତ୍ରରେ ମଧ୍ୟ ହେବା ନିହାତି ଜରୁରୀ। ୱାକଫ୍‌ର ରାଜ୍ୟ ବୋର୍ଡ ଓ ଜାତୀୟ ବୋର୍ଡରେ ଯେଉଁମାନେ ମନୋନୀତ ହୁଅନ୍ତି, ସେମାନେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ହୁଅନ୍ତି। ତେଣୁ ଏହିସବୁ ସଂସ୍ଥା ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ ବୋଲି ଆଦୌ କୁହାଯାଇପାରିବ ନାହିଁ। ଏଥିରେ ଥିବା ମନୋନୀତ ଅଧିକାରୀମାନେ ସରକାରୀ ଅଧିକାରୀ ବା ନ୍ୟାୟପାଳିକାର କର୍ମକର୍ତ୍ତା ହେଲେ ମୁସ୍‌ଲିମ୍ ଆଧାରିତ ବ୍ୟବସ୍ଥା ଅନୁସାରେ ଏହାର ପରିଚାଳନା ହେଉଥିବାରୁ ସେହି ଧର୍ମର ଲୋକମାନେ ହିଁ ମୁଖ୍ୟ ପରିଚାଳକ ଭାବରେ କାମ କରନ୍ତି।

ୱାକଫ୍‌ର ପ୍ରାୟ ୭ ଭାଗ ଜମି ବିଭିନ୍ନ ଲୋକମାନଙ୍କର ଜବରଦଖଲରେ ଅଛି। ପ୍ରାୟ ୨ ଭାଗ ଜମି ଉପରେ ମାମଲା ଚାଲିଛି। କିନ୍ତୁ ସରକାର ସୁପ୍ରିମ୍‌କୋର୍ଟ ଆଗରେ ଶପଥପାଠ କରିଛନ୍ତି ଯେ, ୱାକଫ୍‌ର ପ୍ରାୟ ୯୮ ଭାଗ ଜମିର ଡିଜିଲାଇଜେସନ୍ ହୋଇଯାଇଛି। ଅର୍ଥାତ୍ ଏହିସବୁ ଜମିଗୁଡ଼ିକ ବିବାଦମୁକ୍ତ କରାଯାଇପାରିବ। ଅସଲ କଥା ହେଉଛି ଯେ, ଏହି ପରିଚାଳନା ବ୍ୟବସ୍ଥାରେ ଜାତୀୟ ସ୍ତରରେ ଅଣମୁସ୍‌ଲିମ୍ ମାନଙ୍କୁ ସୁଯୋଗ ଦିଆଯିବା ଛଡ଼ା ୱାକଫ୍ ସଂପତ୍ତି ନେଇ ୱାକଫ୍ ବୋର୍ଡର ନିଷ୍ପତିକୁ ଅକାମୀ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଏହା ଚିହ୍ନଟ ପାଇଁ କ୍ଷମତା ପ୍ରଦାନ କରିବା। ତେଣୁ ଅନେକ ମୁସଲ୍‌ମାନ୍ ଭାବୁଛନ୍ତି ଯେ, ୱାକଫ୍ ସଂପତ୍ତିକୁ ଅନ୍ୟମାନଙ୍କୁ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। କିନ୍ତୁ ଏହି ସନ୍ଦେହ କେବଳ ଆଇନ ଯୋଗୁଁ ହେଉନାହିଁ । କ୍ରମାଗତ ଭାବରେ ୧୦ ବର୍ଷ ହେଲା ମୁସଲ୍‌ମାନଙ୍କ ବିରୋଧରେ ବିଭିନ୍ନ କାର୍ଯ୍ୟ ହୋଇଥିବାରୁ ମୁସଲ୍‌ମାନଙ୍କର ଭୟ ଯେ, ଏହି ଆଇନ ମଧ୍ୟ ସେମାନଙ୍କ ବିରୋଧରେ ଲଗାଯିବ। ଏହି ବ୍ୟବସ୍ଥା ବିଶେଷ ଭାବରେ ଉତ୍ତରପ୍ରଦେଶ, ବିହାର ଓ କର୍ଣ୍ଣାଟକ ପ୍ରଭୃତି ରାଜ୍ୟରେ ସଂପ୍ରଦାୟିକ ଧ୍ରୁବୀକରଣର ବ୍ୟବସ୍ଥାକୁ ଆହୁରି ବଢ଼ାଇଦେବ। ଯଦି ଏହି ଆଇନ ବା ସଂଶୋଧନ ମୁସ୍‌ଲିମ୍ ସଂପ୍ରଦାୟର ନେତା ଓ ଧର୍ମ ନିରପେକ୍ଷ ଦଳମାନଙ୍କର ସହମତିରେ କାର୍ଯ୍ୟକାରୀ ହୋଇଥାନ୍ତା କିମ୍ବା ଯୁଗ୍ମ ସଂସଦୀୟ କମିଟିରେ ବିରୋଧୀ ପକ୍ଷ ଦେଇଥିବା ପ୍ରସ୍ତାବଗୁଡ଼ିକ ଭିତରୁ କେତେକ ସଂଶୋଧିତ ବିଲ୍‌ରେ ସ୍ଥାନୀତ ହୋଇଥାନ୍ତା ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ବାସ୍ତବିକ ଏହି ସଂଶୋଧନ ବିଲ୍ ସିଏଏ ପରି ଧ୍ରୁବୀକରଣ ରାଜନୀତିକୁ ଆହୁରି ଜୋର୍‌ଦାର୍ କରିଛି।

ମୋ- ୮୦୧୮୦୯୪୪୫୫

Related story