Nitish Kumar Photograph: (Internet)
ରବି ଦାସ
ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନର୍ ତାରିଖ ଘୋଷଣା କରିଦେବା ପରେ ନିର୍ବାଚନର ଗତି ଓ ଫଳାଫଳକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ନଭେମ୍ବର ୧୪ରେ ଭୋଟ୍ ଗଣତି ହେବା ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଗଣମାଧ୍ୟମର ପୃଷ୍ଠାରେ ସ୍ଥାନ ପାଇଚାଲିବ। ବିହାର ଉତ୍ତର ଭାରତର ଏପରି ଏକ ରାଜ୍ୟ ଯାହା ଆର୍ଥିକ ଦୃଷ୍ଟିରୁ ଦେଶର ଦରିଦ୍ରତମ ହେଲେ ମଧ୍ୟ ରାଜନୈତିକ ଓ ସାମାଜିକ ଦୃଷ୍ଟିରୁ ସବୁଠାରୁ ଆଗରେ ଥିବା ଏକ ରାଜ୍ୟ। ମହାତ୍ମା ଗାନ୍ଧୀ ତାଙ୍କର ସ୍ୱାଧୀନତା ସଂଗ୍ରାମର ଆନ୍ଦୋଳନ ମଧ୍ୟ ବିହାରରୁ ଆରମ୍ଭ କରିଥିଲେ। ଜୟପ୍ରକାଶ ଆନ୍ଦୋଳନର ଇତିହାସ ଏବେ ମଧ୍ୟ ଲୋକମାନଙ୍କ ଚିନ୍ତା ଓ ଚେତନାରେ ରହିଛି।
ବିହାରରେ ଜାତିଆଣ ରାଜନୀତି ସହିତ ସାମାଜିକ ନ୍ୟାୟ ଓ ଧର୍ମ ନିରପେକ୍ଷତାର ଏକ ପରୀକ୍ଷାଗାର ଭାବରେ ବିହାର ବରାବର କାର୍ଯ୍ୟ କରିଛି। ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାକୁ ବିହାରରେ ହିଁ ଅଟକାଇ ଦିଆଯାଇଥିଲା। କିନ୍ତୁ ସେହି ସମୟରୁ ବିହାର ରାଜନୀତିରେ ଯେଉଁ ପର୍ବର ସୂତ୍ରପାତ ହୋଇଛି, ସେଥିରେ ଗୋଟିଏ ପକ୍ଷରେ ଲାଲୁ ପ୍ରସାଦ ଯାଦବ ଓ ଅନ୍ୟପକ୍ଷରେ ନୀତୀଶ କୁମାର ବିହାର ପ୍ରମୁଖ ଦାବିଦାର ଭାବରେ ଉଭା ହୋଇଛନ୍ତି। ତାହା ଭିତରେ ଅବଶ୍ୟ ରାମବିଳାସ ପାଶ୍ୱାନଙ୍କର ଦଳିତ ରାଜନୀତି ବିହାର ରାଜନୀତିକୁ ଅନେକ ଭାବରେ ପ୍ରଭାବିତ କରିଛି। କିନ୍ତୁ ବିହାରରେ ସାମାଜିକ ନ୍ୟାୟ ଓ ଧର୍ମ ନିରପେକ୍ଷତାର ମୁଖ୍ୟ ପ୍ରବର୍ତ୍ତକ ଭାବରେ ଲାଲୁପ୍ରସାଦ ଯାଦବଙ୍କର ପ୍ରତିଷ୍ଠା ଗୋଟିଏ ସମୟରେ ସାରାଦେଶକୁ ପ୍ରଭାବିତ କରିଥିଲା। କିନ୍ତୁ ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ନେଇ ଲାଲୁପ୍ରସାଦ ଯାଦବ କ୍ରମାଗତ ଦୁଇଟି ନିର୍ବାଚନରେ ବିଜୟ ହାସଲ କରିବା ପରେ ରାଜ୍ୟ ଶାସନ ପାଇଁ ଶାସନ ବ୍ୟବସ୍ଥା ସହିତ ବିକାଶର ଏକ ପ୍ରମୁଖ ଧାରା ବୋଲି ସେ ସମ୍ଭବତଃ ଭୁଲିଗଲେ। ତାଙ୍କ ଶାସନକାଳରେ ଯେଉଁ ଅବସ୍ଥା ସୃଷ୍ଟି ହୋଇଥିଲା ତାହାକୁ ସୁଧାରିବା ପାଇଁ ସେ ଆଉ ବିଶେଷ ସୁଯୋଗ ପାଇଲେ ନାହିଁ। ତାଙ୍କ ବିରୋଧରେ ଗୋ-ଖାଦ୍ୟ ଦୁର୍ନୀତିରେ ମାମଲା ହେବା ଯୋଗୁ ସେ ଜେଲ୍ ଯିବାକୁ ପଡ଼ିବାରୁ ବିହାର ରାଜ୍ୟକୁ ସମ୍ଭାଳିବା ପାଇଁ ଦଳର ଅନ୍ୟ କୌଣସି ନେତାଙ୍କ ଉପରେ ଭରସା ନକରି ସେ ଆଦୌ ରାଜନୀତି ସହିତ ସଂପୃକ୍ତି ନଥିବା ନିଜ ପତ୍ନୀ ରାବିଡ଼ି ଦେବୀଙ୍କୁ ଦାୟିତ୍ୱ ଦେଲେ। ରାବିଡ଼ି ଦେବୀ ଶାସନର ବ୍ୟବସ୍ଥାକୁ ସମ୍ଭାଳିବାରେ ସେତେ ସଫଳ ନହେବାରୁ ବିହାରରେ ଜଙ୍ଗଲରାଜ ଚାଲିଥିବା ଆଖ୍ୟା ବିରୋଧୀମାନେ ଦେବାକୁ ସକ୍ଷମ ହେଲେ।
ଏହି ପରିସ୍ଥିତିରେ ଜନତା ଦଳରୁ ଲାଲୁଙ୍କ ସହିତ ମତପାର୍ଥକ୍ୟ ହେତୁ ଚାଲିଯାଇଥିବା ନୀତୀଶ କୁମାର ସେତେବେଳର ସମତା ପାର୍ଟି ନେତା ଜଜ୍ ପର୍ଣ୍ଣାଣ୍ଡିସ୍ଙ୍କ ସହିତ ମିଶି ବିହାରରେ ବିଜେପି ସହଯୋଗରେ ଏକ ବିଶ୍ୱସନୀୟ ବିକଳ୍ପ ଗଢ଼ିପାରିଲେ। କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଏ କ୍ଷେତ୍ରରେ ତାଙ୍କୁ ବିଶେଷ ସହାୟକ ହୋଇଥିଲା। ଫଳରେ ୨୦୦୫ରେ ଲାଲୁପ୍ରସାଦ ଯାଦବ ଓ ରାବିଡ଼ି ଦେବୀଙ୍କ ଶାସନର ଅବସାନ ଘଟାଇ ନୀତୀଶଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ବିହାରରେ ଏନ୍ଡିଏ ସରକାର ପ୍ରତିଷ୍ଠିତ ହେଲା। ସେହି ଦିନଠାରୁ ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଗାଦିରେ ବସିରହିଛନ୍ତି । ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇବା ପୂର୍ବରୁ ୨୦୦୪ରେ ଲୋକସଭା ନିର୍ବାଚନରେ ଜାମିନରେ ଆସିଥିବା ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ଚମତ୍କାର ଫଳ ପ୍ରଦର୍ଶନ କରିଥିଲେ। ଲାଲୁ କେନ୍ଦ୍ର ରେଳବାଇ ମନ୍ତ୍ରୀ ଭାବରେ ସଫଳତାର ସହିତ କାର୍ଯ୍ୟ କରିଥିଲେ ମଧ୍ୟ ଗୋ-ଖାଦ୍ୟ ମାମଲା ଦୁର୍ନୀତିରୁ ନିଜକୁ ମୁକୁଳାଇ ପାରିନଥିଲେ ଓ ବିହାରବାସୀ ପୁଣିଥରେ ତାଙ୍କୁ କ୍ଷମତା ଦେବାକୁ ଚାହିଁନଥିଲେ।
୨୦୧୪ରେ ନରେନ୍ଦ୍ର ମୋଦୀ କେନ୍ଦ୍ରରେ ସରକାର ଗଠନ କରିବା ସମୟରେ ନୀତୀଶ କୁମାର ଗୁଜୁରାଟରେ ତାଙ୍କର ଭୂମିକା ଯୋଗୁ ବିଜେପି ସହିତ ନଯାଇ ଏକାକୀ ନିର୍ବାଚନ ଲଢ଼ିଥିଲେ। ତା’ ସତ୍ତ୍ୱେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ମେଂଟ ଅପୂର୍ବ ସଫଳତା ହାସଲ କଲା। ନୀତୀଶ ଓ ଲାଲୁ ପରାସ୍ତ ହୋଇଗଲେ। ଏହା ସେମାନଙ୍କ ଭିତରେ ନୂଆ ଚିନ୍ତାଧାରାକୁ ଜନ୍ମଦେବାରୁ ୨୦୧୫ରେ ନୀତୀଶ କୁମାରଙ୍କ ଜେଡିୟୁ ଓ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ମେଂଟ ଗଠନ କରି ବିଧାନସଭା ନିର୍ବାଚନରେ ବିପୁଳ ସଫଳତା ହାସଲ କଲେ। ଯେହେତୁ ଲାଲୁ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇସାରିଥିଲେ, ତେଣୁ ସେ ନିର୍ବାଚନ ଲଢ଼ୁନଥିଲେ। ତେଣୁ ତାଙ୍କ ସ୍ଥାନରେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଚେହେରା ତାଙ୍କ ପୁତ୍ର ତେଜସ୍ୱୀ ଯାଦବଙ୍କୁ ନୀତୀଶ ଉପମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କଲେ। କିନ୍ତୁ ସେମାନଙ୍କ ସରକାର କିଛି ଦିନ ଚାଲିବା ପରେ ତେଜସ୍ୱୀଙ୍କ ବିରୋଧରେ ଅଭିଯୋଗ ଆଣି ନୀତୀଶ କୁମାର ଲାଲୁଙ୍କ ସହିତ ମେଂଟକୁ ଭାଙ୍ଗି ପୁନର୍ବାର ଏନ୍ଡିଏ ମେଂଟକୁ ଫେରିଲେ। ବିଜେପି ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କଲେ।
ଏହି ଅବସ୍ଥାରେ ଲାଲୁପ୍ରସାଦ ଯାଦବ ପୁନର୍ବାର ଜେଲ୍ ଯିବା ଯୋଗୁ ରାଷ୍ଟ୍ରୀୟ ଜନତା ଦଳର ପୂରା ଦାୟିତ୍ୱ ତେଜସ୍ୱୀଙ୍କ ଉପରେ ପଡ଼ିଲା। ଆଶ୍ଚର୍ଯ୍ୟର କଥା ତେଜସ୍ୱୀଙ୍କ ନେତୃତ୍ୱରେ ବିହାରରେ କଂଗ୍ରେସ ଓ ବାମପନ୍ଥୀମାନଙ୍କୁ ନେଇ ଯେଉଁ ମହାଗଠବନ୍ଧନ ହେଲା ତାହା ୨୦୨୦ ନିର୍ବାଚନରେ କ୍ଷମତା ଦଖଲ ନକଲେ ମଧ୍ୟ ଅସମ୍ଭବ ସଫଳତା ହାସଲ କଲେ। ନୀତୀଶଙ୍କ କ୍ଷମତା ଯଥେଷ୍ଟ କମିଗଲେ ମଧ୍ୟ ବିଜେପି ପୁନର୍ବାର ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ କଲେ। କିନ୍ତୁ ୨୦୨୦ ନିର୍ବାଚନରେ ରାମବିଳାସଙ୍କ ପୁତ୍ର ଚିରାଗ ପାଶ୍ୱାନ କେବଳ ନୀତୀଶଙ୍କୁ ହରାଇବା ପାଇଁ ଯେଉଁ କୌଶଳ ନେଇଥିଲେ ତାହାକୁ ନୀତୀଶ ବୁଝିପାରିଥିଲେ। ସେହି କାରଣରୁ ୨୦୨୨ ପୂର୍ବରୁ ନୀତୀଶ ଏନ୍ଡିଏ ଛାଡ଼ି ମହାଗଠବନ୍ଧନକୁ ଫେରିଆସି ପୁନର୍ବାର ଏହି ମେଂଟର ମୁଖ୍ୟମନ୍ତ୍ରୀ ହେଲେ। ତେଜସ୍ୱୀ ଯାଦବ ଏହି ମନ୍ତ୍ରୀ ମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଭୂମିକାରେ ରହି ୨୦୨୦ ନିର୍ବାଚନରେ ନିଯୁକ୍ତି ପାଇଁ ସେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କଲେ। ନୀତୀଶ କୁମାର ଯଦିଓ ମୁଖ୍ୟମନ୍ତ୍ରୀ ଥିଲେ ଓ ତାଙ୍କ ବିନା ଅନୁମତିରେ କିଛି ହେଉନଥିଲା ତଥାପି ତେଜସ୍ୱୀ ଏହି ନିଯୁକ୍ତିକୁ ତାଙ୍କ ଉଦ୍ୟମରେ ହେଉଥିବା ଦାବି କଲେ।
ଏହି ମେଂଟ ବିହାରରେ ନିଜର ଶକ୍ତି ବଢ଼ାଇବା ସହିତ ଜାତୀୟ ସ୍ତରରେ ମୋଦୀଙ୍କ ବିକଳ୍ପ ସୃଷ୍ଟି ପାଇଁ ଏକ ନୂଆ ମେଂଟର ପରିକଳ୍ପନା କଲେ। ଫଳରେ ନୀତୀଶଙ୍କ ଆହ୍ୱାନକ୍ରମେ ପ୍ରଥମ ଇଣ୍ଡିଆ ବୈଠକ ପାଟଣାରେ ଅନୁଷ୍ଠିତ ହେଲା। ସାମାଜିକ ନ୍ୟାୟ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ବିହାରରେ ନୀତୀଶ କୁମାରଙ୍କ ଏହି ସରକାର ଏକ ଜାତିଗତ ଜନଗଣନା କରି ସାମାଜିକ ଦୃଷ୍ଟିରୁ ବିଭିନ୍ନ ବର୍ଗମାନଙ୍କର ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କଲେ। ସେଥିରେ ଦେଖାଗଲା ଯେ, ବିହାରରେ ପଛୁଆବର୍ଗ ଓ ଅତି ପଛୁଆବର୍ଗ ଶ୍ରେଣୀର ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୬୫ ଭାଗ। ଏ ସଂକ୍ରାନ୍ତୀୟ ଜାତୀୟ ରାଜନୀତି ପାଇଁ ନୀତୀଶ କୁମାର ଏକ ବଡ଼ ଖୋରାକ ଯୋଗାଇ ଦେଲେ। କିନ୍ତୁ ଇଣ୍ଡିଆ ମେଂଟର ଆବାହକ ଭାବରେ ନୀତୀଶ କୁମାରଙ୍କୁ ସ୍ଥାନୀତ କରିବାରେ ବିଳମ୍ବ ଓ କଂଗ୍ରେସର ହାଲକା ମନୋଭାବ ଦେଖି ନୀତୀଶ କୁମାର ମହାଗଠବନ୍ଧନରୁ ବିଦାୟ ନେଇ ପୁନର୍ବାର ଏନ୍ଡିଏରେ ଯୋଗଦେଲେ ଓ ମୁଖ୍ୟମନ୍ତ୍ରୀ ରହିଲେ। ୨୦୨୪ ଲୋକସଭା ନିର୍ବାଚନରେ ବିହାରରେ ଏନ୍ଡିଏ ଭଲ ସଫଳତା ପାଇଲା ଓ ଜେଡିୟୁକୁ ୧୧ଟି ଲୋକସଭା ଆସନ ମିଳିବା ସହିତ ଜାତୀୟ ସ୍ତରରେ ବିଜେପିର ଆସନ ସଂଖ୍ୟା ୨୪୦କୁ ଖସିଆସିବା ଫଳରେ କେନ୍ଦ୍ର ସରକାରରେ ଜେଡିୟୁ ବା ନୀତୀଶଙ୍କ ସମର୍ଥନ ଏକ ନିର୍ଣ୍ଣାୟକ ହୋଇଗଲା।
ନୀତୀଶ କୁମାର କ୍ରମାଗତ ଭାବରେ ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିବା ସହିତ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କ ବିରୋଧରେ ଏକ ସରକାରୀ ବିରୋଧୀ ବାତାବରଣ ରହିଛି। ସେଥିପାଇଁ ନିର୍ବାଚନ ପୂର୍ବରୁ ଯେତେଗୁଡ଼ିଏ ଜନମତ ସର୍ଭେ କରାଯାଉଛି, ସେଥିରେ ରାଜ୍ୟରେ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ନାମ ତୃତୀୟ ସ୍ଥାନରେ ଅଛି। ଲାଲୁ ଯାଦବଙ୍କ ଶାସନ ସମୟର ଗୁଣ୍ଡାରାଜ୍ ସ୍ଳୋଗାନ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ତେଜସ୍ୱୀ ଯାଦବଙ୍କୁ ପ୍ରାୟ ୩୫ ଭାଗରୁ ଅଧିକ ଲୋକ ପସନ୍ଦ କରୁଛନ୍ତି। ଯେଉଁଠାରେ ଦ୍ୱିତୀୟ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବରେ ନୂଆ ହୋଇ ଗଢ଼ାହୋଇଥିବା ଜନ ସୁରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋରଙ୍କୁ ପ୍ରାୟ ୨୨ ଭାଗ ଲୋକ ସମର୍ଥନ କରୁଛନ୍ତି। ନୀତୀଶଙ୍କ ପାଇଁ ଏ କ୍ଷେତ୍ରରେ ସମର୍ଥନ ମାତ୍ର ଶତକଡ଼ା ୧୮ରେ ରହିଛି। ଅବଶ୍ୟ ଏନ୍ଡିଏ ସହିତ ଥିବା ଏଲ୍ଜେପିର ନେତା ଚିରାଗ୍ ପାଶ୍ୱାନଙ୍କୁ ଶତକଡ଼ା ୯ ଭାଗ ଓ ବିଜେପି ନେତା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରତି ଶତକଡ଼ା ୯ ଭାଗ ସମର୍ଥନ ରହିଛି।
ଲାଲୁ ଯାଦବ ଶାସନ ସମୟର ବୋଝ ତେଜସ୍ୱୀ ଯାଦବଙ୍କ ଉପରେ ପଡୁଥିଲେ ମଧ୍ୟ ସେ ଯେଉଁ ଦୁଇଥର ନୀତୀଶ କୁମାରଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେଥିରେ ସାଧାରଣ ଲୋକ ତାଙ୍କ ଶାସନକୁ ପସନ୍ଦ କରିଛନ୍ତି। ଯେହେତୁ ଲାଲୁଙ୍କ ବିରୋଧରେ ଗୋ-ଖାଦ୍ୟ ଦୁର୍ନୀତି ଅଭିଯୋଗ ରହିଥିଲା, ତେଣୁ ନୀତିଶଙ୍କ ଶାସନ କାଳରେ ହୋଇଥିବା ଦୁର୍ନୀତି କାର୍ଯ୍ୟଗୁଡ଼ିକ ଉପରେ ତେଜସ୍ୱୀ ଯାଦବ ବଡ଼ ଧରଣର ପ୍ରସଙ୍ଗ ନ ଉଠାଇ ବେକାରୀ, ନିଯୁକ୍ତି, ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି। ଏହା ଯେ କେହି ସ୍ୱୀକାର କରିବ ଯେ, ବିହାରରେ ବେକାରୀ ସବୁଠାରୁ ବଡ଼ ସମସ୍ୟା। କିନ୍ତୁ ଦୁର୍ନୀତି ବିରୋଧରେ ପ୍ରଶାନ୍ତ କିଶୋର ସିଧାସଳଖ ଭାବରେ ଅଭିଯୋଗ ଉଠାଇ ବିଜେପିର ରାଜ୍ୟ ସଭାପତି ଓ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏପରିକି ଜେଡିୟୁ ନେତା ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ବିରୋଧରେ ମଧ୍ୟ ସେ ତଥ୍ୟପୂର୍ଣ୍ଣ ଭାବରେ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗଗୁଡ଼ିକୁ ବିଜେପି ଓ ଜେଡିୟୁ ଖଣ୍ଡନ କରିପାରି ନାହାନ୍ତି। ଯଦିଓ ଏ ସଂକ୍ରାନ୍ତରେ କିଛି ମାମଲା ହେଲାଣି।
ବିହାର ମୁଖ୍ୟତଃ ଏକ ଜାତିଭିତ୍ତିକ ରାଜନୈତିକ ବ୍ୟବସ୍ଥା ହୋଇଥିବାରୁ ଯେଉଁଠାରୁ ଶତକଡ଼ା ୫୭ ଭାଗ ଭୋଟର୍ ଜାତି ଆଧାର ଉପରେ ଭୋଟ୍ ଦିଅନ୍ତି, ତାହାକୁ ଦୃଷ୍ଟିରେ ରଖି ନୀତୀଶ କୁମାର ଏନ୍ଡିଏ ମେଂଟରେ ସବୁ ସାମାଜିକ ଗୋଷ୍ଠୀର ପ୍ରତିନିଧିତ୍ୱ ପାଇଁ ଜୋର୍ ଦେଇଛନ୍ତି। ବିହାରରେ ସବୁଠାରୁ ପ୍ରଭାବଶାଳୀ ଅତି ପଛୁଆବର୍ଗ ଯାହାର ସଂଖ୍ୟା ଜନଗଣନା ସର୍ଭେ ଅନୁସାରେ ଶତକଡ଼ା ୩୬ ତାହାକୁ ଅନେକ ଭାବରେ ନିଜ ସହିତ ରଖିଛନ୍ତି। ତାଙ୍କର ଆଉ ଏକ ବିଶେଷତ୍ୱ ହେଉଛି ଯେ, ଏନ୍ଡିଏ ଶାସନ ବା ଯେକୌଣସି ଶାସନରେ ସେ ମୁଖ୍ୟମନ୍ତ୍ରୀ ପଦରେ ରହି ଘରୋଇ ବିଭାଗ ନିୟନ୍ତ୍ରଣରେ ଥିବାରୁ ବିଜେପି ସାଂପ୍ରଦାୟିକ ଧ୍ରୁବୀକରଣ ପାଇଁ ଯେଉଁ ପ୍ରକାର କାର୍ଯ୍ୟ ବା ହିଂସା କରନ୍ତି ତାହା ବିହାରରେ କମ୍ ଘଟୁଛି। ତେଣୁ ସଂଖ୍ୟାଲଘୁମାନଙ୍କର ତାଙ୍କ ଉପରେ ବିଶ୍ୱାସ ଅଛି। ତେଣୁ ଏନ୍ଡିଏରେ ବିଜେପି ଥିବାରୁ ସଂଖ୍ୟାଲଘୁମାନଙ୍କର ଭୟ ଦୂର କରିବା ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ରୁହନ୍ତୁ ବୋଲି ସେମାନେ ଚାହିଁ ଆସୁଛନ୍ତି।
ବିଜେପିର ବିହାରରେ ସବୁଠାରୁ ବଡ଼ ଅସୁବିଧା ଯେ, ସେମାନଙ୍କ ପଛରେ ଉଚ୍ଚବର୍ଗର ସମର୍ଥନ ସତ୍ତ୍ୱେ ଜଣେ ରାଜ୍ୟ ସ୍ତରୀୟ ଗ୍ରହଣଯୋଗ୍ୟ ନେତୃତ୍ୱ ଦଳରେ ନାହିଁ। ସମ୍ରାଟ ଚୌଧୁରୀଙ୍କୁ ପ୍ରତିଷ୍ଠା ପାଇଁ ବିଜେପିରେ ଉଦ୍ୟମ ସଫଳ ହୋଇନାହିଁ। ଅପରପକ୍ଷରେ ପ୍ରଥମ ଥର ପାଇଁ ମହାଗଠବନ୍ଧନରେ ଯାଦବ ମୁସ୍ଲିମ୍ ସମର୍ଥନ ଯାହାକି ବିହାରରେ ପ୍ରାୟ ଶତକଡ଼ା ୩୦ ଭାଗ ବାହାରେ ଆଉ ୧୫ ଭାଗ ସମର୍ଥନ ହାସଲ କରିବା ପାଇଁ ଦଳିତ, ଅନ୍ୟ ପଛୁଆବର୍ଗ, ବାମପନ୍ଥୀମାନଙ୍କୁ ମହାଗଠବନ୍ଧନରେ ସାମିଲ କରାଯାଇଛି। କିନ୍ତୁ ନିର୍ବାଚନ ଘୋଷଣାର ଠିକ୍ ପୂର୍ବରୁ ନୀତୀଶ କୁମାର ମହିଳାମାନଙ୍କୁ ରୋଜଗାର ପାଇଁ ୧୦ ହଜାର ଟଙ୍କା ସହିତ ବେକାରମାନଙ୍କୁ ୧୦୦୦ ଟଙ୍କାର ଭତ୍ତା ଓ ବୁଢ଼ାବୁଢ଼ୀମାନଙ୍କର ଭତ୍ତା ବଢ଼ାଇଦେବା ଫଳରେ ମହିଳାମାନଙ୍କ ସହିତ ଏକ ବଡ଼ ଧରଣର ଲାଭାର୍ଥୀ ଗୋଷ୍ଠୀ ନୀତିଶ ବା ଏନ୍ଡିଏ ପଛରେ ଛିଡ଼ା ହୋଇଛି। ନୀତୀଶଙ୍କ ଅନ୍ୟାନ୍ୟ ଦୁର୍ବଳତାକୁ ଏହି ୩୫ ହଜାର କୋଟି ଟଙ୍କାର ସରକାରୀ ଅର୍ଥ ବଂଟନ ବଦଳାଇ ଦେବ ବୋଲି ଏନ୍ଡିଏ ଆଶା କରିଛି।
ଫୋ- ୯୪୩୭୪୦୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/13/nitish-kumar-2025-10-13-11-53-22.jpeg)