ଦେବ ରଞ୍ଜନ
ଭୁବନେଶ୍ୱର ରାସ୍ତାର ଉଭୟ ପାର୍ଶ୍ଵରେ ବିରାଟ ବିରାଟ ହୋର୍ଡିଙ୍ଗ ଲାଗିଛି। ମୁଖ୍ୟମନ୍ତ୍ରୀ ହାତ ଉପରେ ହାତ ରଖି ବିଶ୍ଵ କପ ହକି ୨୦୨୩ର ବାର୍ତ୍ତା ଦେଉଛନ୍ତି। ଏଥିଲାଗି ଅନୁଷ୍ଠିତ ହୋଇଥିଲା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ନିର୍ବାଚିତ ସରକାର କୌଣସି ଇଭେଣ୍ଟର କର୍ପୋରେଟ ମ୍ୟାନେଜରଠାରୁ ବି କମ ନଥିଲେ। ବିଦେଶ ଓ ବଲିଉଡର ଅନେକ ନାମୀଦାମୀ କଳାକାର ବ୍ୟକ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ। ରାଜ୍ୟ ବଜେଟରୁ କୋଡ଼ିଏ କୋଟି ଟଙ୍କା ଖର୍ଚ୍ଚ ହେବା କଥା ବିରୋଧୀ କହିଲେ।
ଗଣମାଧ୍ୟମ କହିଲା ଓଡ଼ିଶାକୁ ହକିର ଜ୍ଵର ଲାଗିଗଲା। ରାଜ୍ୟର ୫୦ ଲକ୍ଷ ସାମାଜିକ ଭତ୍ତା ହିତାଧିକାରୀ ମାସିକ ୫୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି ଲାଗି କରୁଥିବା ଦାବି, ଅଙ୍ଗନବାଡ଼ି କର୍ମୀଙ୍କ ମାସକୁ ୧୮,୦୦୦ ଟଙ୍କା ଦରମା ବୃଦ୍ଧି ଦାବି, ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ଦାବି ଇତ୍ୟାଦି ସରକାରଙ୍କ ଦୃଷ୍ଟିରେ ଯଥାର୍ଥ ନଥିଲା। କେବଳ ନିର୍ବାଚନ ଜିତିବା ମୁଖ୍ୟମନ୍ତ୍ରୀଙ୍କ ଲାଗି ପ୍ରଥମିକତା ରହିଲା।
ଏହି ବିଶ୍ଵକପ ହକିର ଆୟୋଜନ ଭିତରେ ମୁଁ କିନ୍ତୁ ଉତ୍ତର ଖୋଜୁଛି ଏକ ପ୍ରଶ୍ନର, ଓଡ଼ିଆ ଯୁବକ ବିଶ୍ଵରଞ୍ଜନଙ୍କ ଦ୍ଵାରା ନିର୍ମିତ ବୃତ୍ତଚିତ୍ର ବା ଡକ୍ୟୁମେଣ୍ଟରୀ ଫିଲ୍ମ ‘ଟ୍ରାଇବାଲ ସ୍କୁପ’ ବା ଆଦିବାସୀଙ୍କ ଖାଡ଼ିକୁ କେହି କେଉଁଠି ମନେପକାଉ ନାହାନ୍ତି କାହିଁକି? ଅନୁଗୁଳର ଯୁବକ ବିଶ୍ଵରଞ୍ଜନ ତିଆରି କରିଥିବା ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ସୁନ୍ଦରଗଡ଼ର ହକି ଉପରେ ପର୍ଯ୍ୟବସିତ।
‘ଟ୍ରାଇବାଲ ସ୍କୁପ’ର ପ୍ରଥମ ପ୍ରିମିୟର ଶୋ ହୋଇଥିଲା ଭୁବନେଶ୍ଵରର ଜୟଦେବ ଭବନରେ, ପୂର୍ବ ବିଶ୍ଵ ହକିକପର (୨୦୧୮) ଠିକ ପୂର୍ବରୁ। ଆନ୍ତର୍ଜାତିକ ହକି ଜଗତର ଅନେକ ଦିଗ୍ଗଜ ସେଦିନ ଏହି ପ୍ରିମିୟର ଶୋ’ରେ ଉପସ୍ଥିତ ଥିଲେ। ମୁଁ ମଧ୍ୟ ବହୁ ପୂର୍ବରୁ ଜୟଦେବ ଭବନରେ ପହଞ୍ଚିଥିଲି। ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ରହି ନିର୍ମାତାଙ୍କୁ ଏକ ଭଲ ଫିଲ୍ମ କରିଥିବା ହେତୁ ନିଜର ଖୁସି ବ୍ୟକ୍ତ କରିଥିଲି। ଆଶା କରୁଥିଲି, ଏହାକୁ ନେଇ କିଛି ଚର୍ଚ୍ଚା ହେବ। ଏ ଭିତରେ ଗୋଟିଏ ବିଶ୍ଵ କପ ଯାଇ ପୁଣି ଆଉ ଏକ ବିଶ୍ଵ କପ ଆସି ହାଜର ହୋଇଗଲା। ସେଥର ବି ଓ ଏଥର ବି କେହି କିନ୍ତୁ ‘ଟ୍ରାଇବାଲ ସ୍କୁପ’କୁ ମନେପକାଇଲେ ନାହିଁ। ସମସ୍ତେ ନୀରବ।
‘ଟ୍ରାଇବାଲ ସ୍କୁପ’ ଦାବି କରେ ଯେ ଗଲା ତିରିଶ ବର୍ଷ ମଧ୍ୟରେ ଅନ୍ୟୁନ ୫୦ ଜଣ ଆନ୍ତର୍ଜାତିକ ହକି ପ୍ଲେୟାର କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ସୃଷ୍ଟି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦିଲ୍ଲୀପ ତିର୍କି, ଇଗନେଶ୍ ତିର୍କି, ପ୍ରବୋଧ ତିର୍କି, ଲାଜାରୁସ୍ ବାର୍ଲା, ଦୀପସାନ୍ ତିର୍କି ପ୍ରମୁଖ ଅଛନ୍ତି। ସେହିପରି ମହିଳା ହକି ଟିମ ୩୬ ବର୍ଷ ପରେ ରିଓ ଅଲମ୍ପିକରେ (୨୦୧୬) ଖେଳିବା ଲାଗି ଯୋଗ୍ୟ ବିବେଚିତ ହେଲା। ଖେଳୁଥିବା ଏଗାର ଜଣ ଖେଳାଳିଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ରୁ ୪ ଜଣ ଖେଳାଳି ଥିଲେ। ସେମାନେ ହେଲେ ସୁନୀତା ଲାକ୍ରା, ଲିଲିମା ମିଞ୍ଜ, ଦୀପ ଗ୍ରେସ ଏକକା ଓ ନମୀତା ଟୋପ୍ପୋ।
ପୂର୍ବଠାରୁ ଏଥର ବିଶ୍ଵକପ ଆୟୋଜନରେ ଅଧିକ ମାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରାସ୍ତା ଘାଟରେ ଦେଖିବାକୁ ମିଳୁଛି। ଏହାକୁ ନେଇ ବିବାଦ ଏଭଳି ହେଲା ଯେ ପ୍ରଧାନମନ୍ତ୍ରୀଙ୍କ ଫୋଟୋ ଯେ କାହିଁକି ରହିବ ନାହିଁ ତାହାକୁ ନେଇ ପୁଣି ନୂଆ ବିବାଦ ଦେଖାଗଲା। କିନ୍ତୁ ହକିର ଯେଉଁ ପରିଚୟ ସୁନ୍ଦରଗଡ଼, ସେହି ଜିଲ୍ଲାର ଆଦିବାସୀ ଗୋଷ୍ଠୀ, ସେମାନଙ୍କ ଦୈନନ୍ଦିନ ଜୀବନରେ ହକିର ମହତ୍ଵ ଏ ସବୁ ପ୍ରସଙ୍ଗ ନିରବୀ ଗଲାଣି। ଓଡ଼ିଶାକୁ ବିଶ୍ଵକପ ଆୟୋଜନର ଭିତ୍ତିଭୂମି ତିଆରି କରିଥିବା ସୁନ୍ଦରଗଡ଼ର ସେହି ଖେଳାଳି, ତାଙ୍କ କୋଚ, ସମଗ୍ର ଜିଲ୍ଲାର ଚିତ୍ର କିଛି ବି କେଉଁ ହୋର୍ଡିଙ୍ଗରେ ଦେଖାଯାଉ ନାହିଁ।
ଅଜୀବ ଦାସ୍ତାନ୍ ହୈ ୟେ, କାହାଁ ସୁରୁ କାହାଁ ଖତମ, ୟେ ମଞ୍ଜିଲେ ହେଁ କୌନସି, ନ ଓ ସମଝ ସକେ ନ ହମ। ଶୈଳେନ୍ଦ୍ରଙ୍କ ଦ୍ଵାରା ଲିଖିତ ଏହି ଶାୟରୀଟି ଆଜି ମନେପଡୁଛି।
‘ଟ୍ରାଇବାଲ ସ୍କୁପ’ରେ ପୁରାତନ ଖେଳାଳି ମାଇକେଲ କିଣ୍ଡୋ ନିଜର ସାକ୍ଷାତକାରରେ ସୁନ୍ଦରଗଡ଼ରେ ହକିର ଇତିହାସ ବର୍ଣ୍ଣନା କରିବାକୁ ଯାଇ କୁହନ୍ତି, ‘ବ୍ରିଟିଶଙ୍କ ସହିତ ଖ୍ରୀଷ୍ଟିୟାନ ମିସନାରୀମାନେ ଏଠାକୁ ଧର୍ମ ପ୍ରଚାର ଲାଗି ଆସିଥିଲେ। ସେ ପ୍ରଥମେ ଲୋକଙ୍କୁ ଏକାଠି କରିବା ଲାଗି ଆମ ଅଞ୍ଚଳରେ ହକିକୁ ପ୍ରବେଶ କରାଇଲେ। ପ୍ରଥମେ ଗାଁ ଲୋକେ ଡରୁଥିଲେ। କିନ୍ତୁ ବିଭିନ୍ନ ଟୁର୍ନାମେଣ୍ଟ ସବୁ ହେଲା ଓ ସେଥିରେ ପୁରଷ୍କାର ଭାବରେ ଖାସି (ଛେଳି) ଓ କୁକୁଡ଼ା ଦିଆଗଲା। ଏହା ଖେଳରେ ଅଧିକ ଉତ୍ସାହ ଭରିଦେଲା। ଗାଁର ଯୁବକମାନେ ଛେଳି କି କୁକୁଡ଼ା ଜିତିକରି ଆସିଲେ ଗାଁରେ ଉତ୍ସବ ହେଉଥିଲା’
ଟ୍ରାଇବାଲ ସ୍କୁପ ଗଲା ଚାରି ବର୍ଷ ମଧ୍ୟରେ ଇଟାଲୀର ସ୍ପୋର୍ଟ୍ସ ଫିଲ୍ମ ଫେଷ୍ଟିଭାଲ, କଲିକତାର ତୃତୀୟ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ, ଜର୍ମାନୀର ଗୋଲ୍ଡେନ ଫିଲ୍ମ ଫେଷ୍ଟିଭାଲ, କେରଳର ଏଗାରତମ ଅନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ, ଭୁବନେଶ୍ୱର ଓ ଚେନ୍ନାଇ ଫିଲ୍ମ ଫେଷ୍ଟିଭାଲ ଇତ୍ୟାଦିରେ ପ୍ରଦର୍ଶିତ ହୋଇସାରିଛି।
ହକି ଇଣ୍ଡିଆ ନିଜ ଫେସବୁକ ପୃଷ୍ଠାରେ ଇଂରାଜୀରେ ଲେଖୁଛି, "The Tribal Scoop", a documentary portraying the importance of hockey in the lives of the people who reside in Sundargarh, Odisha, is making waves across film festivals in India and abroad due to its inspirational themes and realism of the rural way of life showcased. (“ଟ୍ରାଇବାଲ ସ୍କୁପ” ଫିଲ୍ମ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ଲାଗି ହକି ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଉଛି। ଗ୍ରାମ୍ୟ ଜୀବନର ବାସ୍ତବତା ଓ ଉସ୍ଛାହପ୍ରଦ ବିଷୟବସ୍ତୁ ଲାଗି ଏହି ଫିଲ୍ମ ଆଜି ଦେଶ ଓ ବିଦେଶର ଅନେକ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସିତ ହେବାରେ ଲାଗିଛି।)
ହକି ଇଣ୍ଡିଆ ଏହି ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ, ଓଡ଼ିଶା ସରକାରଙ୍କୁ ମଧ୍ୟ ଟ୍ୟାଗ କରୁଛି। ଏହାପରେ ବି “ଟ୍ରାଇବାଲ ସ୍କୁପ” କୁ ଓଡ଼ିଶାବାସୀଙ୍କୁ ଅପରିଚିତ ରଖିଦିଆଯାଉଛି। କାହିଁକି?
ସୁନ୍ଦରଗଡ଼ର କାର୍ସାମାଳ ଅଞ୍ଚଳକୁ ୧୯୦୮ ମସିହାରେ ଖ୍ରୀଷ୍ଟିୟାନମାନେ ପ୍ରଥମେ ଆସିଥିଲେ ବୋଲି ଇତିହାସ କୁହେ। ସେହି ଦିନଠାରୁ ସମ୍ଭବତଃ ହକି ସୁନ୍ଦରଗଡ଼ର ଅଂଶ ହୋଇଯାଇଛି। ସୁନ୍ଦରଗଡ଼ର ତିନୋଟି ବ୍ଲକ ଯଥା ବାଲିଶଙ୍କରା, ବୀରମିତ୍ରପୁର ଓ ଗୁରୁଣ୍ଡିଆ ବ୍ଲକରୁ ଅଧିକ ସଂଖ୍ୟାରେ ହକି ଖେଳାଳି ସୃଷ୍ଟି ହୋଇଛନ୍ତି।
ଫିଲ୍ମ କୁହେ ଯେ ହକି ସୁନ୍ଦରଗଡ଼ରେ ପ୍ରୋଫେସାନାଲ ଖେଳ ଭାବରେ ରୂପ ନେଲା ଯେବେ ୧୯୮୫ ମସିହାରେ ତତ୍କାଳୀନ ରାଜ୍ୟ ସରକାର ପ୍ରଥମେ ସ୍ପୋର୍ଟ୍ସ ହଷ୍ଟେଲ ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲେ ଓ ପରେ ପରେ କେନ୍ଦ୍ର ସରକାର ମଧ୍ୟ ଆଉ ଏକ ସ୍ପୋର୍ଟ୍ସ ହଷ୍ଟେଲ ଖୋଲିଲେ।
ଆଦିବାସୀ ଯୁବକ ଯୁବତୀ କେବଳ ଗଣ୍ଡେ ଖାଦ୍ୟ ଠିକରେ ମିଳିବ ଓ ପାଠ ପଢ଼ିପାରିବେ ସେଥିଲାଗି ପ୍ରଶିକ୍ଷଣ ଶିବିର ଆଗରେ ଲମ୍ବା ଧାଡ଼ିରେ ଠିଆ ହେବା ଓ ଫର୍ମ ଭର୍ତ୍ତି କରିବାର କଥା ପୂର୍ବତନ ସ୍ପୋର୍ଟ୍ସ ଅଧିକାରୀ ଅଭୟ ପଟ୍ଟନାୟକ ଫିଲ୍ମରେ ସାକ୍ଷାତକାରରେ କୁହନ୍ତି।
ଯଦି ଏହା ସତ ତେବେ ଏକ ଆଦିବାସୀ ବହୁଳ ଜିଲ୍ଲାର ସ୍ଥିତି ଏପରି ହେଲା କାହିଁକି?
ସ୍ପୋର୍ଟ୍ସ ହଷ୍ଟେଲର ବାସିନ୍ଦା ଓ ଫିଲ୍ମର ଏକ ଚରିତ୍ର ହେଲେ ବିମଳା। ବିମଳାଙ୍କ ମା’ ହାଣ୍ଡିଆ ବିକନ୍ତି। ବାପା କୁଲି ଯା’ନ୍ତି। ଡ୍ରାଇଭର ଥିଲେ। ଏବେ କାମ ନାହିଁ। ପରିବାର ସ୍ଥିତି ଅବର୍ଣ୍ଣନୀୟ। ଉଭୟ ବାପା ଓ ମା’ ବିମଳା ଜଣେ ସଫଳ ହକି ଖେଳାଳି ହୋଇପାରିଥିବା ହେତୁ ଅନେକ ଖୁସି। କିନ୍ତୁ ନିଜର ଦୁଃଖର ଦିନ ସେମାନଙ୍କୁ ବ୍ୟସ୍ତ କରୁଛି।
ସେହିଭଳି ଫିଲ୍ମର ଅନ୍ୟ ଏକ ଚରିତ୍ର ହେଲେ ତିଳେଶ୍ଵର ମାଝୀ ଯିଏ ଜଙ୍ଗଲ ଜମିରେ ଚାଷ କରୁଥିବା କାରଣରୁ ବର୍ଷେ ଜେଲ ଖଟି ଜାମିନରେ ଆସିବା କଥା ଫିଲ୍ମରେ କୁହନ୍ତି। ଫିଲ୍ମ ପୁଣି ଦର୍ଶାଉଛି ଯେ ସୁନ୍ଦରଗଡ଼ରେ କୋଇଲା, କ୍ରୋମାଇଟ, ଲୁହା, ମାଙ୍ଗାନିଜ, ଡୋଲୋମାଇଟ ନେବା ଲାଗି କମ୍ପାନୀଙ୍କ ଲମ୍ବା ଧାଡ଼ି ଲାଗିଛି।
ସୁନ୍ଦରଗଡ଼ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ମଧ୍ୟରେ ଆସୁଛି।
ଫିଲ୍ମ ପୁଣି ସୂଚାଏ ଯେ ସରକାରୀ ଅଧିକାରୀମାନେ ସମ୍ବିଧାନ ଉଲ୍ଲଂଘନର ରାସ୍ତା ଦେଖାଉଛନ୍ତି। ଗ୍ରାମସଭାରେ ମିଛ ଦସ୍ତଖତରେ ଓ ପ୍ରଯୋଜିତ ଜନ ଶୁଣାଣୀରେ ବାହାର ଲୋକଙ୍କୁ ପ୍ରବେଶ କରାଇ ପରିବେଶ ଅନୁମତି ପତ୍ର କମ୍ପାନୀମାନେ ନେଇଯାଉଛନ୍ତି। ସେମାନେ ପୁଣି ଲୋକଙ୍କ ଚାଷକୁ ଯାଉଥିବା ନାଳରୁ ପାଣି ଶୋଷି ନେଉଛନ୍ତି, ବିନା ଗ୍ରାମସଭା ନିଷ୍ପତ୍ତିରେ। ଲୋକେ ପଞ୍ଜାବ, ଦିଲ୍ଲୀ, କାଶ୍ମୀର ପର୍ଯ୍ୟନ୍ତ ଦାଦନ ଖଟିବାକୁ ଯାଉଛନ୍ତି। ପୁଣି ସେହି ଦାଦନ ଯାଇଥିବା ପରିବାର, ଜେଲ ଯାଇଥିବା ପରିବାର ଓ ଜଙ୍ଗଲର ସୁରକ୍ଷା ଲାଗି ଆନ୍ଦୋଳନ କରୁଥିବା ପରିବାରର ପୁଅ ଝିଅ ହକି ହଷ୍ଟେଲ ମାଧ୍ୟମରେ ଆନ୍ତର୍ଜାତିକ ଖେଳାଳି ପାଲଟୁଛନ୍ତି।
ଏହି ହେତୁ ଅଦ୍ଭୁତ ଦ୍ଵନ୍ଦ୍ୱ ମଧ୍ୟରେ ସୁନ୍ଦରଗଡ଼ର ହକି ଖେଳାଳି ଯାଉଥିବା କଥା ଫିଲ୍ମରେ ପରୋକ୍ଷରେ ଦର୍ଶାଇ ଦିଆଯାଉଛି। ସେମାନଙ୍କ ପରିବାର ଗୋଟିଏ ପଟରେ ଖଣି କମ୍ପାନୀଙ୍କ ଶୋଷଣ ବିରୁଦ୍ଧରେ ପ୍ରତିବାଦ ଜାରି ରଖିଛନ୍ତି ଓ ଅନ୍ୟପଟରେ ସେହି ଆଦିବାସୀପିଲାମାନେ ଖାଦ୍ୟ ଓ ପାଠ ଲାଗି ସ୍ପୋର୍ଟ୍ସ ହଷ୍ଟେଲରେ ସାମିଲ ହେଉଛନ୍ତି ଓ ଦେଶ ଲାଗି ଆନ୍ତର୍ଜାତିକ ମ୍ୟାଚ ଜିତୁଛନ୍ତି, ତାହାକୁ ଫିଲ୍ମ ଉପସ୍ଥାପନ କରିପାରିଛି।
ସୁନ୍ଦରଗଡ଼ରେ ଖଣି ବ୍ୟବସାୟ କରୁଥିବା ଅନେକ ଖଣି କମ୍ପାନୀଙ୍କ ପ୍ରଯୋଜନା ବିନା ଆନ୍ତର୍ଜାତିକ ହକି ମ୍ୟାଚ ଆୟୋଜନ ଅସମ୍ଭବ ବୋଲି ରାଜ୍ୟ ସରକାର ସୂଚାଉଥିଲା ବେଳେ ଖଣି କମ୍ପାନୀମାନଙ୍କୁ ପ୍ରବେଶ ଅନୁମତି ଦେଇ ଯେଉଁମାନେ ଦେଶର ହକି ଟିମକୁ ସର୍ବାଧିକ ଖେଳାଳି ଦେଇଛନ୍ତି, ସେହି ଆଦିବାସୀଙ୍କ ଜୀବନକୁ ଅଧିକ ଦୁର୍ବିସହ କରିଚାଲିଛନ୍ତି।
ଏହାକୁ ଦେଖାଉଥିବା କାରଣରୁ ‘ଟ୍ରାଇବାଲ ସ୍କୁପ’ ଉଭୟ ରାଜ୍ୟ ସରକାର ଓ ଗଣମାଧ୍ୟମ ଲାଗି ଅଲୋଡ଼ା ପାଲଟିଗଲା।
ଯଦି ହକି ପଛରେ ରହିଥିବା ସମଗ୍ର ସୁନ୍ଦରଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମସ୍ତ ଶ୍ରେୟ ନଦିଅନ୍ତି, ନିଜର ବିନମ୍ରତା ଭାବନାର ପ୍ରକାଶ ନକରନ୍ତି, ରାଜ୍ୟ ବଜେଟରେ କେବଳ ନିଜର ପ୍ରଚାର କରିବସନ୍ତି ତେବେ ହକି ପ୍ରତି ଥିବା ଉତ୍ସାହ ଏହି ସରକାର ସମୟରେ ସରିଯିବ।
ହକି ଯଦି ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପରିଚୟ ହୁଏ ତେବେ ପୁଣି ନୂଆ ସରକାର ଆସିଲେ ସେ ହକିକୁ ନିଜର ଶତ୍ରୁ ମନେକରିବା ସ୍ଵାଭାବିକ ହେବ। ସେ ସମସ୍ତ ସରକାରୀ ପ୍ରୋତ୍ସାହନକୁ ହଟାଇବା ଲାଗି ମନସ୍ଥ କରିବେ। “ଟ୍ରାଇବାଲ ସ୍କୁପ” ଅନୁସାରେ ଯଦି ସୁନ୍ଦରଗଡ଼ର ଅନ୍ତର୍ନିହିତ ସମସ୍ୟାର ସମାଧାନ କରାନଯାଉଛି ତେବେ ମଧ୍ୟ ସୁନ୍ଦରଗଡ଼ ହକି ମାନଚିତ୍ରରୁ ନିଶ୍ଚିତ ହଜିଯିବ।
ମୋବାଇଲ- ୮୪୫୬୯୩୧୪୨୩
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।