8mn-90
ମାୟାଧର ନାୟକ
ବିଶ୍ୱର ସୃଷ୍ଟିଠୁଁ ଆଜି ଅବଧି ଅନେକ ବିଚିତ୍ର ଓ ବୈଚିତ୍ର୍ୟମୟ ଘଟଣାମାନ ଘଟିଚାଲିଛି। ବିଗତ ୩୦୦ ବର୍ଷ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ପରେ ଏକବିଂଶ ଶତାଦ୍ଦୀର ଆରମ୍ଭରେ ଅତ୍ୟନ୍ତ ଦ୍ରୁତଭାବେ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ପରିବର୍ତନ ହେବାରେ ଲାଗିଛି। ଅନ୍ୟାୟ, ଅତ୍ୟାଚାର, ଶୋଷଣ, କଷଣ ଓ ଦମନ ବିରୋଧରେ ଜନ ବିସ୍ଫୋରଣ କେବେ ହେବ, ତାହା ଘଂଟ ବାଡେଇ କହି ହେବନି। ଯେବେ ହେଉଛି, ଭୟଙ୍କର ରୂପ ନେଇ ଆସୁଛି।
ଲକ୍ଷ ଲକ୍ଷ ଜନଗଣଙ୍କ ଅସନ୍ତୋଷର ଅନ୍ତଃସ୍ୱର ସ୍ୱତଃସ୍ଫୂର୍ତ ଆନ୍ଦୋଳନର ଜୁଆରରେ ହୁଏତ ଶାସକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ, ଶାସକ ଓ ଶାସନ ବଦଳିଯାଇପାରେ; କିନ୍ତୁ ସଠିକ୍ ନୀତି, ନେତା, ନେତୃତ୍ୱ ଓ ସଂଗଠନ ଅଭାବରୁ ପୁନଶ୍ଚ ଜନଗଣ ବିପଦରେ ପଡୁଛନ୍ତି। ଗଣତନ୍ତ୍ର, ସମାଜତନ୍ତ୍ର ନାଁରେ ଫାସିତନ୍ତ୍ର, ସ୍ୱୈରତନ୍ତ୍ର, କଳାତନ୍ତ୍ର, ଭ୍ରଷ୍ଟତନ୍ତ୍ର, ଦଲାଲିତନ୍ତ୍ର, ପୁଞ୍ଜିତନ୍ତ୍ର ଚାଲୁଛି, ଯାହା ଏବେ ବିଶ୍ୱର ବିଭିନ୍ନ ଦେଶରେ ଦୃଶ୍ୟମାନ।
ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ଅକପଟ, ଅନାବିଳ, ଅନୁପ୍ରେରିତ ହୋଇଥିଲା ପ୍ରାଚୀନ ଯୁଗର ଜନଜୀବନ। ଧୀରେ ଧୀରେ ଧର୍ମ, ଅନ୍ଧବିଶ୍ୱାସର ବନ୍ଧନୀରେ ଛନ୍ଦି ହେଲା – ବନ୍ଦୀ ହେବାକୁ ଆରମ୍ଭ କଲା ସମାଜ। ଦାସ ପ୍ରଥା, ସାମନ୍ତବାଦ କୃଷିଭିତିକ ସମାଜ, ଶିଳ୍ପ ବିପ୍ଲବ, ପୁଞ୍ଜିବାଦ, ସାମ୍ରାଜ୍ୟବାଦ, ଫାସିବାଦ, ଗଣତନ୍ତ୍ର, ସମାଜବାଦ, ସଂଶୋଧନବାଦ, ଆଧ୍ୟାତ୍ମିକବାଦ, ସବୁକିଛି ଭୋଗିଲାଣି ଏଇ ଧରାପୃଷ୍ଠରେ ମଣିଷ ସମାଜ। ଆଜି ଆଉ କୌଣସି ‘ବାଦ’ କାମ କରୁନି। କେବଳ ସାମ୍ୟବାଦର ସ୍ୱାଦ ସମାଜ ଚାଖିବାକୁ ବାକି ଅଛି।
ବିଶ୍ୱର ଦୁଇ ଶିବିର –ଆମେରିକା ନେତୃତ୍ୱରେ ସାମ୍ରାଜ୍ୟବାଦୀ ଶିବିର, ସୋଭିଏତ୍ ରୁଷ ନେତୃତ୍ୱରେ ସମାଜବାଦୀ ଶିବିର ବେଶିଦିନ ତିଷ୍ଠିଲା ନାହିଁ। ଏହି ଦୁଇ ଶିବିର ବ୍ୟତୀତ ଅନ୍ୟ ବିକାଶଶୀଳ, ଅନୁନ୍ନତ, ଏକଛତ୍ରବାଦୀ, ଦେଶ ସମୂହ ତୃତୀୟ ବିଶ୍ୱରେ ଥିଲେ – ଏମାନଙ୍କ ଅବସ୍ଥା ମଧ୍ୟ ଘାଏଲ ହୋଇଗଲା। ପୂର୍ବରୁ ଯେତେ ଯୁଦ୍ଧ ହୋଇଛି - ନାରୀ ଓ ଜମି ଥିଲା ମୂଳକାରଣ। ପରେ ପରେ ସାମ୍ରାଜ୍ୟ ଦଖଲ ନିଶା ଏବେ ସଂପତି ଦଖଲ ପାଇଁ ଅତ୍ୟାଧୁନିକ ମାରଣାସ୍ତ୍ରରେ ଭୟଙ୍କର ଯୁଦ୍ଧ ଚାଲିଛି।
ସଂପ୍ରତି ବିଶ୍ୱ ଅର୍ଥନୈତିକ ସଂକଟ ଭୟଙ୍କର ରୂପ ପ୍ରଦର୍ଶନ କରିସାରିଲେଣି। ୨୦୦୮ରୁ ଆରମ୍ଭ ହୋଇଥିବା ବିଶ୍ୱବ୍ୟାପୀ ଅର୍ଥନୈତିକ ମାନ୍ଦାବସ୍ଥା ୨୦୨୧ରେ ମଧ୍ୟ ସୁଧୁରିବାର କୌଣସି ଲକ୍ଷଣ ଦେଖାଯାଉନି। ବିଶ୍ୱର ସର୍ବବୃହତ ଧନୀରାଷ୍ଟ୍ର ଆମେରିକା, ଚୀନ୍, ଜାପାନ, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନ, ଭାରତ ପ୍ରମୁଖ ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ସ୍ତରକୁ ଗତି କରିଛି।
ଦଳେ ୱାଲ ଷ୍ଟ୍ରିଟ୍ ଦଖଲ କର ପ୍ରତିବାଦ ମେଳାରେ ବିଦ୍ରୋହୀମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି। ବଦାନ୍ୟ ଲୋକେ ଥଣ୍ଡା ପାଇଁ କମଳ, ବର୍ଷାପାଇଁ ଆଚ୍ଛାଦନ, ଖାଦ୍ୟ ସବୁକିଛି ପହଂଚାଇ ଦେଉଛନ୍ତି। ଆମେରିକାର ମୁନାଫାଖୋରମାନଙ୍କ ଆଡ୍ଡା, ପୁଞ୍ଜିବାଦର ଆଡ୍ଡା, ୱାଲଷ୍ଟ୍ରିଟକୁ ଦଖଲ କର ସମାବେଶରେ ସାରାଦେଶରୁ ଲୋକେ ଛୁଟୁଛନ୍ତି। ସେମାନେ ଦାବୀ କରୁଛନ୍ତି – ବର୍ଷ ବର୍ଷ ଧରି ତୁମର ଲୋଭ, ମୁନାଫା ପାଇଁ ଦେଶକୁ ବରବାଦ କରିଦେଲଣି। ଆମେ ଚାହୁଁ – ଏ ବ୍ୟବସ୍ଥାର ସଂପୂର୍ଣ୍ଣ ପରିବର୍ତନ।
ସାଧାରଣ ମଣିଷର ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ଦେଶର ଏକଭାଗ ପୁଞ୍ଜିପତି ୯୯ ଭାଗ ଲୋକଙ୍କ ଉପରେ ଶାସନ ଚଳାଇଥିବାରୁ କ୍ରମଶ ଅଶାନ୍ତି ଅସନ୍ତୋଷର ବହ୍ନି ପ୍ରଜ୍ୱଳିତ ହେବାରେ ଲାଗିଛି। ପୂର୍ବରୁ ଯେତେ ଜନବିକ୍ଷୋଭ ହୋଇଛି – ସେଥିରେ କୌଣସି ନା କୌଣସି ଦାବୀ ଥିଲା; ଯେପରି ଇରାକରେ ଯୁଦ୍ଧ ବନ୍ଦ କରିବା; କିନ୍ତୁ ଏବେ କୌଣସି ଦାବୀ ନୁହେଁ, ବରଂ ଅସନ୍ତୋଷର ପରିପ୍ରକାଶ ପାଇଁ ସହରର କୌଣସି ଅଂଶକୁ ଦଖଲ କରିବା ପାଇଁ ପରିକଳ୍ପନା କରାଯାଇଛି।
‘ଦଖଲ କର’ ଆନ୍ଦୋଳନରେ ଭିନ୍ନ ଭିନ୍ନ ଗୋଷ୍ଠୀ ମତାବଲମ୍ବୀ ମଣିଷ ଯୋଗଦେଉଛନ୍ତି। ଏହି ଆନ୍ଦୋଳନର କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ନାହିଁ, କିମ୍ବା ନେତୃତ୍ୱ ନାହିଁ, ଦାବୀ ନାହିଁ, ତଥାପି ଏ ଆନ୍ଦୋଳନ ନିଉୟର୍କ ଲସ୍ ଏଜେଂଲସ୍, ବଷ୍ଟନ ସହରରେ ଆରମ୍ଭ ହୋଇଯାଇଛି। ଆନ୍ଦୋଳନକାରୀମାନେ ‘ଫେସ୍ବୁକ୍’, ‘ଟୁଇଟର’ ଭଳି ସାମାଜିକ ସଂଯୋଗ ପ୍ରଯୁକ୍ତି ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏ ଆନ୍ଦୋଳନର ଭବିଷ୍ୟତ ସଂପର୍କରେ ଅନେକ ଏବେବି ସନ୍ଦୀହୀନ।
ଆମେରିକାରୁ ଆରମ୍ଭ ହୋଇଥିବା ‘ଦଖଲ କର’ ଆନ୍ଦୋଳନ ଏବେ ସୁଦ୍ଧା ୯୦ ଦେଶରେ ଏପରିକି ବିଶ୍ୱବ୍ୟାପୀ ବିସ୍ତାରଲାଭ କରିପାରେ। ଏହି ଆନ୍ଦୋଳନ ମୂଳରେ ଅନେକ କାରଣ ଅଛି। ବହୁରାଷ୍ଟ୍ରୀୟ ବାଣିଜ୍ୟ ସଂସ୍ଥା, ବ୍ୟାଙ୍କ, ଅର୍ଥଲଗାଣକାରୀ ସଂସ୍ଥାର ଅତ୍ୟଧିକ ଲାଭର ଲାଳସା ହିଁ ଅର୍ଥନୀତିର ଅବକ୍ଷୟ ତଥା ବିତୀୟ ବ୍ୟବସ୍ଥାର ବିପର୍ଯ୍ୟୟ ଡାକିଆଣିଛି। କିନ୍ତୁ ‘ଦଖଲ କର’ ଆନ୍ଦୋଳନ ଏପର୍ଯ୍ୟନ୍ତ ପୁଞ୍ଜିବାଦୀ ବିରୋଧୀ ଆନ୍ଦୋଳନ ହୋଇନି।
ଏହି ପ୍ରତିବାଦରେ ବିଦ୍ରୋହୀମାନେ ଦଖଲ କର ସ୍ଥଳକୁ ନିଜ ଘର ଭଳି ଗଢିଛନ୍ତି। କେଉଁଠି ଆଲୋଚନା, କେଉଁଠି ଲାଇବ୍ରେରୀରେ ହଜାର ହଜାର ପୁସ୍ତକ, ପତ୍ରପତ୍ରିକା, ଟେଲିଭିଜନ, କମ୍ପ୍ୟୁଟର ଆଉ କେଉଁଠି ନାଚଗୀତ, ସ୍ଥାନେସ୍ଥାନେ ଆନ୍ଦୋଳନ ସଂପର୍କରେ ଆଲୋଚନା, ଭାଷଣ ଚାଲିଛି। ଆମେରିକା ପୁଞ୍ଜିବାଦର ଛାତି ଉପରେ ବିପ୍ଲବର ଜୁଆର। ବହିପଢା ଚାଲିଛି - ପ୍ଲାକାର୍ଡ ଲେଖାଚାଲିଛି, କ୍ଲାନ୍ତ ହେଲେ ଶୋଇପଡୁଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଫେସରମାନେ ଆସି ଭାଷଣ ଦେଉଛନ୍ତି। କ୍ରମେ ୱାଲ ଷ୍ଟ୍ରିଟ୍ ଦଖଲକର ଆନ୍ଦୋଳନ ସଂଗଠିତ ହେବାରେ ଲାଗିଛି। ଆନ୍ଦୋଳନ ଅହିଂସାଭାବେ ଚାଲିଛି। ସରକାରୀ ଦମନ ଆରମ୍ଭ ହେଲେ ହୁଏତ ଆମେରିକାର ମୁଖ୍ୟ ସହରଗୁଡିକରେ ରକ୍ତନଦୀ ବୋହିପାରେ। ଏବେବି କଳା-ଗୋରା ଭେଦଭାବ ରହିଛି। ସ୍ଥାନେସ୍ଥାନେ ସଂଘର୍ଷ ମଧ୍ୟ ଲାଗିରହିଛି।
ଛାତ୍ରମାନଙ୍କ ଉପରେ ଋଣଭାର ଚାପିହୋଇଯାଉଛି। ବହୁ ପରିବାର ଗୃହଋଣ ପରିଶୋଧ କରି ନପାରି ଗୃହହରା ହୋଇଛନ୍ତି। ବେକାରି ବା ଅର୍ଦ୍ଧବେକାରି ଯୋଗୁ ସମାଜରେ ନିରାପତ୍ତା ପ୍ରତି ବିପଦ ଦେଖାଦେଇଛି। ସମାଜରେ କଲ୍ୟାଣମୂଳକ ପ୍ରକଳ୍ପଗୁଡିକ ବନ୍ଦ ହେବାରେ ଲାଗିଛି। ଗରିବ ପରିବାର ଗୁଡିକ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ସବୁ ନାନାବିଧ କାରଣ ଯୋଗୁ ‘ଦଖଲ କର’ ଆନ୍ଦୋଳନ ବଢିଚାଲିଛି। ଆଜି ହୁଏତ ଏ ଆନ୍ଦୋଳନର ନେତୃତ୍ୱ ନାହିଁ, କାଲି କିନ୍ତୁ ଏହି ଆନ୍ଦୋଳନରୁ ଶହଶହ ନେତା ବାହାରିବେ।
ଆମେରିକା ଏବେ ନିଜର ଆସୁରିକତାକୁ ତତ୍ତ୍ୱ ଓ ତଥ୍ୟର ପୁଟ ଚଢାଇ ଅଭୂତପୂର୍ବ ଅର୍ଥନୈତିକ ଅଭାବ ଆତଙ୍କ ପାଇଁ ବିଶ୍ୱରଂଗମଂଚରେ ଯେତେ କୁମ୍ଭୀର କାନ୍ଦଣା କାନ୍ଦିଲେ ବି ତା’ର ଏ କୂଟନୈତିକ କ୍ରନ୍ଦନ ‘ଲୁଚିଚି ନା ଗୋଡ ଦୁଇଟା ଦିଶୁଚି’ ଭଳି ତାକୁ ପଦାରେ ପକାଇ ଦେବାକୁ ଯାଉଛି ଅଦୂର ଭବିଷ୍ୟତରେ। ଯେଉଁ ଆମେରିକା ସମଗ୍ର ବିଶ୍ୱରେ ବିଭିନ୍ନ ଦେଶରେ ସଂପତି ପାଇଁ ଭୟଙ୍କର କୂଟନୀତି ଚଳାଇ କେଉଁଠି ଯୁଦ୍ଧ କେଉଁଠି ଗୃହଯୁଦ୍ଧ କରାଇଛି – ସେହି ଆମେରିକାରେ ଅସନ୍ତୋଷର ଅନ୍ତଃସ୍ୱର ଆଜି ସମଗ୍ର ବିଶ୍ୱରେ ପ୍ରତିଫଳିତ ହେବାରେ ଲାଗିଛି। ସମଗ୍ର ବିଶ୍ୱ ବଦଳିବାକୁ ଆଉ ବେଶୀ ସମୟ ଲାଗିବ ନାହିଁ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/8mn-90.jpg)