ଅର୍ଥନୀତି ଯଦି ସୁସ୍ଥ, ଉତ୍କଟ ବେକାରୀ କାହିଁକି?

ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ବେକାରୀ ହାର ଶତକଡ଼ା ୧୫.୭ ପ୍ରତିଶତ ରହିଛି। ଯଦି ଦେଖାଯାଏ, ୧୯୭୭-୭୮ ପରଠାରୁ କ୍ରମାଗତ ଭାବରେ ଓଡ଼ିଶାରେ ବେକାରୀ ହାର ଉତ୍କଟ ଅବସ୍ଥାରେ ରହିଛି। ୨୦୨୧ର ସର୍ଭେ ଅନୁସାରେ ଓଡ଼ିଶାରେ ଶ୍ରମଶକ୍ତି ମୋଟ ରାଜ୍ୟର ଲୋକ ସଂଖ୍ୟାର ଶତକଡ଼ା ୩୧ ଭାଗ। ୨୦୧୯ରେ ଏହି ହାର ଶତକଡ଼ା ୩୨.୬ ଭାଗ ଥିଲା। ଶ୍ରମଶକ୍ତି କମିବା ସମୟରେ ବେକାରୀ ହାର ଶତକଡ଼ା ୧୦.୮ରୁ ୧୩.୭କୁ ୨୦୨୧ରେ ବଢ଼ିଛି।

Odisha Workforce

Odisha Workforce

Debendra Prusty
  • Published: Saturday, 18 March 2023
  • Updated: 18 March 2023, 03:23 PM IST

News Highlights

  • ଓଡ଼ିଶାର ଅର୍ଥନୀତି ବଢ଼ିବା ସହିତ ବେକାରୀ ବଢ଼ିବାର କାରଣ କ’ଣ?
  • ରାଜ୍ୟର ପ୍ରାୟ ୩୨ ପ୍ରତିଶତ ଯୁବକଯୁବତୀ କାମ ଖୋଜୁଥିଲାବେଳେ ପାଉଛନ୍ତି କେତେ?
  • ରାଜ୍ୟରେ ମଜୁରୀ କମ୍‌ ମିଳୁଥିବାରୁ ଦକ୍ଷିଣ ଭାରତକୁ ରୋଜଗାର ସନ୍ଧାନରେ ଯାଉଛନ୍ତି ଅଧିକ ଓଡ଼ିଆ।

Sports

Latest News

ଓଡ଼ିଶାରେ ଗତ ୨୩ ବର୍ଷ ହେଲା ଚାଲିଥିବା ନବୀନ ପଟ୍ଟନାୟକଙ୍କ ଶାସନରେ ଓଡ଼ିଶାର ଅର୍ଥନୀତି ସବଳ ହୋଇଛି ଓ ପ୍ରାୟ ଗତ ଦୁଇ ଦଶନ୍ଧି ହେଲା ରାଜ୍ୟରେ ବଳକା ରାଜସ୍ୱ ପ୍ରତି ବଜେଟରେ ପ୍ରଦର୍ଶିତ ହେଉଛି। ଯେଉଁ ରାଜ୍ୟରେ ବର୍ଷକୁ ୧୨ ହଜାର କୋଟି ଟଙ୍କାର ବଜେଟ୍ କରିବା ସମ୍ଭବ ହେଉନଥିଲା, ସେଠାରେ ଏବେ ବାର୍ଷିକ ବଜେଟ୍ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଅଥଚ ରାଜ୍ୟରେ ମୁଣ୍ଡପିଛା ଆୟ ଏବେବି ଜାତୀୟ ହାରଠାରୁ ପଛରେ ରହିଛି।

ଅସଲକଥା ହେଲା, ଓଡ଼ିଶାରେ ରାଜସ୍ୱ କ୍ଷେତ୍ରରେ ବଳକା ସ୍ଥିତିର ମୂଳ ଶକ୍ତି ହେଲା ଖଣି ଶିଳ୍ପ। ରାଜ୍ୟରେ ବିସ୍ତୃତ ଖଣିଜ ପଦାର୍ଥ ଯଥା- ଲୁହାପଥର, ମାଙ୍ଗାନିଜ୍, କ୍ରୋମାଇଟ୍, ବକ୍ସାଇଟ୍ ଓ କୋଇଲା ପ୍ରଭୃତିର ବ୍ୟାପକ ଉତ୍ତୋଳନ ଯୋଗୁ ରାଜ୍ୟର ଖଣି ରାଜସ୍ୱ ସହିତ ଖଣିଜ ପଦାର୍ଥ ପରିବହନ ପାଇଁ ବ୍ୟାପକ ବ୍ୟବସ୍ଥା ଯୋଗୁ ରାଜ୍ୟର ରାଜସ୍ୱ ସ୍ଥିତିରେ ଯେଉଁ ପରିବର୍ତ୍ତନ ହୋଇଛି ସେଥିରେ ରାଜ୍ୟର ପ୍ରକୃତ ଦାରିଦ୍ର୍ୟ ଓ ବେକାରୀ ଦୂର ହୋଇପାରି ନାହିଁ। ସରକାରୀ ତଥ୍ୟକୁ ଦେଖିଲେ ବେକାରୀ ଓଡ଼ିଶାର ଏକ ଚିର ଓ ଭୟାନକ ସମସ୍ୟା ହୋଇ ରହିଛି। ଉତ୍କଟ ବେକାରୀ ଯୋଗୁ ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ବେକାରୀ ହାର ଶତକଡ଼ା ୧୫.୭ ପ୍ରତିଶତ ରହିଛି। ଯଦି ଦେଖାଯାଏ, ୧୯୭୭-୭୮ ପରଠାରୁ କ୍ରମାଗତ ଭାବରେ ଓଡ଼ିଶାରେ ବେକାରୀ ହାର ଉତ୍କଟ ଅବସ୍ଥାରେ ରହିଛି। ୨୦୨୧ର ସର୍ଭେ ଅନୁସାରେ ଓଡ଼ିଶାରେ ଶ୍ରମଶକ୍ତି ମୋଟ ରାଜ୍ୟର ଲୋକ ସଂଖ୍ୟାର ଶତକଡ଼ା ୩୧ ଭାଗ। ୨୦୧୯ରେ ଏହି ହାର ଶତକଡ଼ା ୩୨.୬ ଭାଗ ଥିଲା। ଶ୍ରମଶକ୍ତି କମିବା ସମୟରେ ବେକାରୀ ହାର ଶତକଡ଼ା ୧୦.୮ରୁ ୧୩.୭କୁ ୨୦୨୧ରେ ବଢ଼ିଛି।

ଓଡ଼ିଶାରେ ବେକାରୀ ସଂଖ୍ୟା ଉତ୍କଟ ହେବା ପାଇଁ ମୁଖ୍ୟ କାରଣ ହେଲା ଯେ ଲୋକମାନଙ୍କୁ ଦକ୍ଷ ଶ୍ରମଶକ୍ତିରେ ପରିଣତ କରିବା ପାଇଁ ଯେଉଁ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବାକଥା, ତାହା ଦେଇନାହାନ୍ତି। ଯେହେତୁ ରାଜ୍ୟର ପ୍ରାୟ ୪୦ ଭାଗ ଲୋକ ଆଦିବାସୀ ଓ ଦଳିତ ଏବଂ ବାକି ୩୦ ଭାଗ ଅତ୍ୟଧିକ ଗରିବ ପଛୁଆ ଶ୍ରେଣୀ। ସେମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଯାହା ପ୍ରାଥମିକ ପର୍ଯ୍ୟାୟରେ କରାଯିବା କଥା ତାହା କରାଗଲା ନାହିଁ। ଖଣିଜ ଶିଳ୍ପର ବିକାଶ ସତ୍ତ୍ୱେ ଖଣି କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ସଂଖ୍ୟା ବଢ଼ିବା ପରିବର୍ତ୍ତେ ପ୍ରାୟ ୨୦ ହଜାର କମିଯାଇଛି। କାରଣ ଖଣି ଶିଳ୍ପର ଯାନ୍ତ୍ରିକରଣ ଫଳରେ ଶ୍ରମଶକ୍ତିର ନିୟୋଜନ କମିଛି। କରୋନା ସମୟରେ ୨୦୨୦ ଓ ୨୦୨୧ରେ ଲକ୍‌ ଡାଉନ୍ ଯୋଗୁ ବେକାରୀ ହାର ଶତକଡ଼ା ୨୨.୯ରେ ପହଞ୍ଚିଥିଲା। ଅର୍ଥାତ୍ ରାଜ୍ୟର ୧୫ ବର୍ଷରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମଧ୍ୟରୁ ପ୍ରତି ୧୦ ଜଣରେ ଦୁଇଜଣ ସଂପୂର୍ଣ୍ଣ ବେକାର ଥିଲେ। ଲକ୍‌ ଡାଉନ୍ ଚାଲିଯିବା ପରେ ବେକାରୀ ହାର ୨୦୨୧ ବେଳକୁ ଶତକଡ଼ା ୧୩.୭କୁ ପହଞ୍ଚିଥିଲା। ସର୍ଭେ ଅନୁସାରେ ୨୦୨୦-୨୧ରେ ଲକ୍‌ ଡାଉନ୍ ଯୋଗୁ ସେବା ଉଦ୍ୟୋଗରେ ବେକାରୀ ବଢ଼ିଥିଲା। କିନ୍ତୁ ଏବେ ପରିସ୍ଥିତି ସ୍ୱଭାବିକ ହେଲା ପରେ ମଧ୍ୟ ବେକାରୀ ହାର ୧୫.୭ ଭାଗ ରହିଛି।

ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ପକ୍ଷରେ ଶିକ୍ଷା ଓ ଦକ୍ଷତା ଅଭାବ ଏବଂ ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିଯୁକ୍ତି ବୃଦ୍ଧି ପାଇଁ ଚିନ୍ତାଶୂନ୍ୟତା ଯୋଗୁ ପ୍ରତ୍ୟେକ ବ୍ୟକ୍ତି ନିଜର ଆୟ ବୃଦ୍ଧି ପାଇଁ ସରକାରୀ ବା କ୍ଷମତାଧିକାରୀଙ୍କ ଉପରେ ନିର୍ଭର କରୁଛି। ନିକଟରେ ଡ୍ରାଇଭର ସଂଘ ଯେପରି ଭାବରେ ସରକାରଙ୍କୁ ଅଡୁଆରେ ପକାଇଲା, ତାହା ରାଜ୍ୟରେ ବେକାରୀର ଏକ ପ୍ରତିଫଳନ। ଅନ୍ୟକିଛି ନହେଲେ ମଧ୍ୟ ଡ୍ରାଇଭିଂ ଦକ୍ଷତା ସହଜରେ ହାସଲ ହୋଇପାରିବ ଭାବି ଅଧିକାଂଶ ବେକାର ଯୁବକ ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ଭିତରେ ବା ଯୁକ୍ତଦୁଇ ପଢ଼ୁଥିବା ଅବସ୍ଥାରେ ଡ୍ରାଇଭର ହୋଇ ରୋଜଗାର କରିବାକୁ ପସନ୍ଦ କରୁଛନ୍ତି। କାରଣ ଅନ୍ୟ କୌଣସି କାର୍ଯ୍ୟ ପାଇଁ ସେମାନଙ୍କର ଦକ୍ଷତା ନାହିଁ। ଏହି ଶ୍ରେଣୀର ଯେଉଁମାନେ ଡ୍ରାଇଭର ଭାବରେ ଅଭିଜ୍ଞତା ହାସଲ କରିପାରୁ ନାହାନ୍ତି, ସେମାନେ ଗୋଟିଏ ପନ୍ଥାରେ ରୋଜଗାର କରିବାକୁ ଚାହୁଁଛନ୍ତି, ତାହା ହେଉଛି ସହରମାନଙ୍କରେ କୌଣସି ଗୋଟିଏ ଛୋଟିଆ ସ୍ଥାନଟିଏ ହାସଲ କରି ପାନ ଦୋକାନ ବା ଜଳଖିଆ ଦୋକାନ କରିବା। ଏଥିପାଇଁ ସହରରେ ଛୋଟ ଘରଟିଏ ରାସ୍ତାକଡ଼ରେ ପାଇବା ସମ୍ଭବ ହେଉନଥିବାରୁ ବା ଭଡ଼ାଦେବା ପାଇଁ ସେମାନଙ୍କର ଶକ୍ତି ନଥିବାରୁ ରାସ୍ତାକଡ଼ରେ ବା ପାଚୋରୀ କଡ଼ରେ ଠେଲାଗାଡ଼ି ଜରିଆରେ ସେମାନେ ଛୋଟ ଦୋକାନଟିଏ କରି ଜୀବିକା କଟାଉଛନ୍ତି। ସେଥିପାଇଁ ବିଭିନ୍ନ ସହରର ଅଧିକାରୀମାନଙ୍କ ନିକଟରେ, ବିଧାୟକଙ୍କ ନିକଟରେ, ପୌରସଂସ୍ଥା କର୍ମକର୍ତ୍ତାଙ୍କ ନିକଟରେ କିମ୍ବା ପଞ୍ଚାୟତ ଅଧିକାରୀଙ୍କ ନିକଟରେ ହଜାର ହଜାର ସଂଖ୍ୟାରେ ଯୁବକ ଏହି ଦୋକାନ ପାଇଁ ଜାଗାଟିଏ ନିମନ୍ତେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛିଡ଼ା ହୋଇ ରହୁଛନ୍ତି।

ଓଡ଼ିଶାର ଉତ୍କଟ ବେକାରୀ ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ମହିଳାଙ୍କୁ ବିଭିନ୍ନ କର୍ମଧନ୍ଦାରେ ଯୋଡ଼ିବା ପାଇଁ ସରକାରୀ ପ୍ରୟାସ କରୁଥିବାର ପ୍ରଚାର କରାଯାଉଛି। ଏପରିକି ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭିତରୁ କେତେକ ଉଦ୍ୟୋଗୀ ଭାବରେ ପ୍ରତିଷ୍ଠାଲାଭ କରୁଥିବା ଓ ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଇଥିବା କଥା ପ୍ରଚାରିତ ହେଉଛି। ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନଙ୍କ ପାଇଁ ଏହା କିଛି ଶକ୍ତି ଯୋଗାଇଥିଲେ ମଧ୍ୟ ସହରାଞ୍ଚଳର ବେକାର ମହିଳାମାନଙ୍କ ପାଇଁ ଘରୋଇ କାମଧନ୍ଦା କରିବା ସେମାନଙ୍କ ମୁଖ୍ୟ ଆୟର ଭରସା ହୋଇଛି। ଏଥିରେ କମ୍ ପରିମାଣର ମଜୁରୀ ସହିତ ନିରାପତ୍ତା ପ୍ରତି ବିପଦ ରହିଛି।

ଅପରପକ୍ଷରେ ଯେଉଁମାନଙ୍କର ଗ୍ରାମମାନଙ୍କରେ କିଛି ଜମି ରହିଛି ଓ ଭଲ ଭବିଷ୍ୟତ ସନ୍ଧାନରେ ଯେଉଁମାନେ ସହରକୁ ଚାଲିଆସିଥିଲେ, ସେମାନଙ୍କ ଭିତରୁ କେତେକ ପୁଣି ଚାଷଜମିକୁ ଫେରିଯାଉଛନ୍ତି। ଯଦିଓ ଓଡ଼ିଶାରେ କୃଷି କ୍ଷେତ୍ରରେ ଆୟ ଭାରତର ଅନ୍ୟ ଯେ କୌଣସି ରାଜ୍ୟଠାରୁ କମ୍। ଅବଶ୍ୟ ସାରା ଦେଶରେ ମଧ୍ୟ କୃଷି କ୍ଷେତ୍ରରେ ନିଯୁକ୍ତି ଯାହା ୨୦୧୮-୧୯ରେ ଶତକଡ଼ା ୪୨.୫ ଭାଗ ଥିଲା ତାହା ୨୦୨୧-୨୨ରେ ଶତକଡ଼ା ୪୫.୫କୁ ବୃଦ୍ଧି ପାଇଛି। ଯଦିଓ ସମସ୍ତେ ଜାଣନ୍ତି ଯେ କୌଣସି ଅର୍ଥନୀତିର ବିକାଶ ପାଇଁ କୃଷି କ୍ଷେତ୍ରରୁ ଅଧିକ ସଂଖ୍ୟାରେ ଶ୍ରମଶକ୍ତି ଶିଳ୍ପ ଓ ସେବା ଉଦ୍ୟୋଗକୁ ଆସିବା ଦରକାର। ଏହି ପ୍ରକ୍ରିୟାର କିଛି ସୂଚନା ଚଳିତ ଶତାବ୍ଦୀର ପ୍ରଥମ ଭାଗରେ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିବା ଦେଖାଦେଇଛି।

ଓଡ଼ିଶାରେ ପ୍ରାୟ ୪ କୋଟି ୨୦ଲକ୍ଷ ଲୋକଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ସ୍ଥାନାନ୍ତରୀ ଶ୍ରମିକ ଭାବେ ନିଯୁକ୍ତି ସୁଯୋଗ ଖୋଜି ବୁଲନ୍ତି। ଏମାନଙ୍କ ମଧ୍ୟରୁ ୧ କୋଟି ରାଜ୍ୟ ଭିତରେ ପ୍ରବାସୀ ଭାବରେ କାମ ଖୋଜୁଥିବା ବେଳେ ବାକି ପ୍ରାୟ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ରାଜ୍ୟ ବାହାରକୁ ଯାଇ କାମ କରୁଛନ୍ତି। ଏମାନେ ଯେ ଦକ୍ଷତା ସଂପନ୍ନ ଶ୍ରମଶକ୍ତି ତାହା ନୁହେଁ, ଏମାନଙ୍କ ଭିତରୁ ଅଧିକାଂଶ ଅଣସଂଗଠିତ ଉଦ୍ୟୋଗରେ ଶ୍ରମିକ ଭାବରେ କାମ କରନ୍ତି। ଓଡ଼ିଶାରେ ନିଯୁକ୍ତିର ସୁଯୋଗ ନଥିବାରୁ ଓ ରାଜ୍ୟରେ ମଜୁରୀ ଅନ୍ୟ ରାଜ୍ୟଠାରୁ ଓ ବିଶେଷ ଭାବରେ ଦକ୍ଷିଣ ଭାରତୀୟ ରାଜ୍ୟଠାରୁ କମ୍ ରହିଥିବାରୁ ଓଡ଼ିଶାର ଶ୍ରମିକମାନେ ବାହାର ରାଜ୍ୟରେ ମଜୁରୀ ଖଟୁଛନ୍ତି।

ରାଜ୍ୟ ସରକାର ବିଭିନ୍ନ ପଦପଦବୀଗୁଡିକ ଠିକ୍ ସମୟରେ ପୂରଣ କରୁନାହାନ୍ତି। ଫଳରେ ଯେଉଁ ସମୟରେ ଏହି ନିଯୁକ୍ତି ପାଇଁ ବିଜ୍ଞାପନ ହେଉଛି ସେଠାରେ ଗୋଟିଏ ଚାକିରି ପାଇଁ ହଜାର ହଜାର ସଂଖ୍ୟାରେ ବ୍ୟକ୍ତି ଦରଖାସ୍ତ କରୁଛନ୍ତି। ଏପରିକି ପୋଲିସ ଦପ୍ତର ହେଉ ବା ଜଜମାନଙ୍କ ପାଖରେ ହେଉ ଅର୍ଡଲି ରହିବା ପାଇଁ ପୋଷ୍ଟ ଗ୍ରାଜୁଏଟ୍ ବା ଇଞ୍ଜିନିୟରିଂ ଡିଗ୍ରୀଧାରୀ ଦରଖାସ୍ତ କରୁଛନ୍ତି। ରାଜ୍ୟରେ ସରକାରଙ୍କ ବାହାରେ ଯେଉଁ ନିଯୁକ୍ତି ହେଉଛି ସେଗୁଡିକ ମଧ୍ୟରୁ ଅଧିକାଂଶ କାଜୁଆଲ୍। ଦରମାପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ସେପରି ବଢ଼ୁନାହିଁ। ରାଜ୍ୟରେ ଯେଉଁ ନିଯୁକ୍ତି ସୃଷ୍ଟି ହେଉଛି, ସେଗୁଡିକ ଅଧିକାଂଶ ଆତ୍ମନିଯୁକ୍ତି। ପାନ ଦୋକାନ ଓ ପକୁଡ଼ି ବିକିବା କାର୍ଯ୍ୟ ନଚେତ୍ ଡ୍ରାଇଭର ହେବା ରାଜ୍ୟରେ ମୁଖ୍ୟ ନିଯୁକ୍ତିରେ ପରିଣତ ହୋଇଛି। ରାଜ୍ୟ ସରକାର ଏହି ପ୍ରସଂଗଗୁଡିକୁ ବିଚାର ନକରି ନିଯୁକ୍ତି ସୃଷ୍ଟି ପ୍ରତି ଗୁରୁତ୍ୱ ନଦେଇ ଭୋଟରମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କ’ଣ ଆବଶ୍ୟକ ସେଥିପାଇଁ ପ୍ରାଥମିକତା ଦେଇଛନ୍ତି। ସେହି କାରଣରୁ ଅଣସଂଗଠିତ କ୍ଷେତ୍ରରେ ଥିବା ସବୁ ପ୍ରକାର ଶ୍ରମିକମାନେ ସେମାନଙ୍କର ଦାବି ନେଇ ସରକାରଙ୍କ ନିକଟରେ ଉପସ୍ଥାପିତ କରୁଛନ୍ତି। ଦାବି ହାସଲ ନହେଲେ ସଂଗଠନର ଶକ୍ତି ଅନୁସାରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି। ଡ୍ରାଇଭର ଧର୍ମଘଟ ତାହାର ଏକ ପ୍ରତିଫଳନ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos