ରବି ଦାସ
ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ରାଜସ୍ଥାନରେ ଜନ୍ମିତ ଅଶ୍ୱିନୀ ବୈଷ୍ଣବ ଏଥର ଯେପରି ଭାବରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବରେ ପ୍ରବେଶ କରିଛନ୍ତି ଓ ତାଙ୍କୁ ଯେପରି ଭାବରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି ତାହା ରାଜନୈତିକ ମହଲରେ ଓ ଗଣମାଧ୍ୟମରେ ସବୁଠାରୁ ଅଧିକ ଚର୍ଚ୍ଚିତ ହେଉଛି। ମାତ୍ର ଦୁଇ ବର୍ଷର ରାଜନୈତିକ ଜୀବନ ଭିତରେ ଜଣେ ସିଧାସଳଖ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହେବା ଓ ତାଙ୍କୁ ରେଳବାଇ, ଆଇଟି ଓ ଟେଲି ଯୋଗାଯୋଗ ବିଭାଗର ଦାୟିତ୍ୱ ଦିଆଯିବା ପଛରେ ତାଙ୍କର ପ୍ରତିଭା ଓ ଦକ୍ଷତା ନିଦର୍ଶନ କରୁଛି ବୋଲି ସହଜରେ କହିହେବ। ସେ ଯେଉଁ ବିଭାଗଗୁଡ଼ିକ ଦାୟିତ୍ୱ ପାଇଛନ୍ତି ସେହି ଦୁଇଟି ବିଭାଗ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦକ୍ଷ ବୋଲି ବିଚାର କରାଯାଉଥିବା ପୀୟୂଷ ଗୋଏଲ ଓ ଏବେ ମନ୍ତ୍ରିମଣ୍ଡଳରୁ ଚାଲିଯାଇଥିବା ଅଭିଜ୍ଞ ରବିଶଙ୍କର ପ୍ରସାଦଙ୍କ ହାତରେ ଥିଲା। କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ଯୋଗ୍ୟ ଓ ପ୍ରତିଭାବାନ ଲୋକଙ୍କୁ ସିଧାସଳଖ ଭାବରେ ଆଣି ମନ୍ତ୍ରୀ କରାଯିବାର ପରମ୍ପରା ଜବାହାରଲାଲ ନେହରୁଙ୍କ ସମୟରୁ ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ଡ. ତ୍ରିଗୁଣା ସେନ୍, ଏମ.ସି. ଚଗଲା, ସଚୀନ୍ଦ୍ର ଚୌଧୁରୀ ପ୍ରମୁଖଙ୍କ ସହିତ ୧୯୯୧ରେ ଡ. ମନମୋହନ ସିଂହଙ୍କୁ ସିଧାସଳଖ ଅର୍ଥମନ୍ତ୍ରୀ କରାଯିବା ଜଣାଅଛି। କିନ୍ତୁ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବା ପୂର୍ବରୁ ଦୁଇବର୍ଷ ବିଜେପିର ରାଜ୍ୟସଭା ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ବିଜେପିର ଓଡ଼ିଶା ବିଧାନସଭାରେ ସେପରି ଶକ୍ତିନଥିବା ସମୟରେ ୨୦୧୯ ସାଧାରଣ ନିର୍ବାଚନ ପରେ ଉପନିର୍ବାଚନ ଜରିଆରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ବାସ୍ତବରେ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ଜଣେ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଫିସର ଭାବରେ କାର୍ଯ୍ୟ କରିଥିବାରୁ ୨୦୧୯ ନିର୍ବାଚନ ପରେ ଯେଉଁ ଦୁଇଜଣ ରାଜ୍ୟସଭାକୁ ମନୋନୀତ ହେବାକଥା ସେଥିରେ ବିଜେଡିର ପ୍ରାର୍ଥୀ ଭାବରେ ସେ ମନୋନୀତ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରଥମେ ଘୋଷଣା କରିବାର ଅଧଘଂଟା ପରେ ସେ ବିଜେପିର ପ୍ରାର୍ଥୀ ବୋଲି ଏକ ସ୍ପଷ୍ଟୀକରଣ ଦେଇଥିଲେ। ସେହି ଅନୁସାରେ ସେ ବିଜେପିର ପ୍ରାର୍ଥୀ ଭାବରେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ବୋଲି ବିଚାର କରିବାକୁ ପଡ଼ିବ। ଯଦିଓ ବିଜେଡି ପୂର୍ଣ୍ଣ ସହାୟତା କରିନଥିଲେ ତାହା ସମ୍ଭବ ହୋଇନଥାନ୍ତା। ଏହି ଭାବରେ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ସହିତ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବାରେ ଉଭୟ ବିଜେପି ଓ ବିଜେଡି ଖୁସି ଅଛନ୍ତି।
କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଓଡ଼ିଶାରେ ଯେତିକି ଚର୍ଚ୍ଚା ହେଉଛି ଜାତୀୟ ସ୍ତରରେ ତାହାଠାରୁ ଅଧିକ ଚର୍ଚ୍ଚା ହେଉଛି। ଏହାଙ୍କର କେଉଁ ଦକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ଏତେବଡ଼ ଦାୟିତ୍ୱ ତାଙ୍କ ଉପରେ ଅର୍ପଣ କଲେ ସେଥିପାଇଁ ବିଭିନ୍ନ ପ୍ରକାର ଆଲୋଚନା ଚାଲିଛି। ସେ ଯେ କେବଳ ଜଣେ ପୂର୍ବତନ ଆଇଏଏସ୍ ତାହା ନୁହେଁ, ସେ ଇଞ୍ଜିନିୟରିଂରେ ଆଇଆଇଟିରୁ ଏମ୍ଟେକ କଲା ପରେ ଚାକିରିରୁ ଛୁଟି ନେଇ ଆମେରିକାରେ ବିଜିନେସ ମ୍ୟାନେଜମେଂଟ ମଧ୍ୟ କରିଛନ୍ତି। କିନ୍ତୁ ଏହି ପାଠ ସମୟରେ ତାଙ୍କର ବ୍ୟକ୍ତିଗତ ଋଣ ବଢ଼ିଯିବାରୁ ସେ ଆଇଏଏସ୍ ଛାଡ଼ି ବଡ଼ ବଡ଼ କମ୍ପାନୀରେ ଚାକିରି କରିଛନ୍ତି। ଏହା ସହିତ ଶିଳ୍ପୋଦ୍ୟୋଗୀ ଭାବରେ ନିଜର ପରାକାଷ୍ଠା ଦେଖାଇଛନ୍ତି ଓ ଏପରିକି ଓଡ଼ିଶାର ଏକ ବଡ଼ ମାଇନିଂ କମ୍ପାନୀର ଡିରେକ୍ଟର ମଧ୍ୟ ହୋଇଛନ୍ତି। ମୋଟାମୋଟି ଭାବରେ ପ୍ରଶାସନିକ ଦକ୍ଷତା ସହିତ ଟେକ୍ନୋଲୋଜି ଏବଂ କର୍ପୋରେଟ ଦୁନିଆରେ ସମସ୍ତ କାରବାର ବିଷୟରେ ଅଶ୍ୱିନୀ ବୈଷ୍ଣବଙ୍କର ଅଭିଜ୍ଞତା ହେତୁ ମନ୍ତ୍ରିମଣ୍ଡଳରୁ ସେ ଜଣେ ଏକ୍ସପର୍ଟ ଭାବରେ ହିଁ ଆସିଛନ୍ତି।
ଅଶ୍ୱିନୀଙ୍କର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦପ୍ତରରେ କାମ କରିବା ଓ ପରେ କିଛିବର୍ଷ ବାଜପେୟୀଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବରେ କାମ କରିଥିବା ହେତୁ ରାଜନୀତିରେ ସେ ନୂଆ ହେଲେ ମଧ୍ୟ ବିଜେପିର ଅଧିକାଂଶ ନେତାଙ୍କୁ ଓ ବିଭିନ୍ନ ରାଜ୍ୟର ସ୍ଥିତି ବିଷୟରେ ଭଲଭାବରେ ଜାଣନ୍ତି। ସମ୍ଭବତଃ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କର ଦପ୍ତରରେ ସହାୟକ ଭାବରେ କେତେକ କାର୍ଯ୍ୟରେ ସେ କାମ ବି କରିଛନ୍ତି। ଯେହେତୁ ବର୍ତ୍ତମାନ ସରକାରଙ୍କର କାର୍ଯ୍ୟକଳାପରେ ସଫଳତା ଆଣିବା ପାଇଁ କର୍ପୋରେଟ ଜଗତର ସହଯୋଗ ଅତି ଜରୁରୀ। ଅଶ୍ୱିନୀ ବୈଷ୍ଣବଙ୍କ ଉପରେ କର୍ପୋରେଟ ସଂପ୍ରଦାୟର ଏକ ବିଶ୍ୱାସ ବି ରହିଛି। ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ନେଲା ପରେପରେ ପ୍ରଧାନମନ୍ତ୍ରୀଙ୍କ ନିଜର ବା ନୀତିକୁ ସେ କାର୍ଯ୍ୟକାରୀ କରିବେ ବୋଲି ସୂଚନା ଦେଇଛନ୍ତି। ସେ ଭଲଭାବରେ ଜାଣନ୍ତି ଯେ, ପ୍ରଧାନମନ୍ତ୍ରୀ ବା କ୍ୟାବିନେଟ ଯେଉଁ ନୀତି ନିର୍ଦ୍ଧାରଣ କରିବେ ସେହି ଅନୁସାରେ ମନ୍ତ୍ରୀ ହିସାବରେ ତାହାକୁ କାର୍ଯ୍ୟକାରୀ କରିବାରେ ତାଙ୍କର ଦକ୍ଷତା ମୂଲ୍ୟାୟନ କରାଯିବ।
ନରେନ୍ଦ୍ର ମୋଦିଙ୍କ ସରକାରରେ ପ୍ରଧାନମନ୍ତ୍ରୀ ସବୁ ଦୃଷ୍ଟିରୁ ସରକାର ଓ ଦଳକୁ ନିୟନ୍ତ୍ରଣ କରୁଛନ୍ତି। କ୍ୟାବିନେଟ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି ଯାହାକି ରାଜନୈତିକ ବ୍ୟାପାର କମିଟି ଭାବରେ ଜଣାଶୁଣା ସେଥିରେ ପ୍ରଧାନମନ୍ତ୍ରୀଙ୍କ ଛଡ଼ା ଗୃହମନ୍ତ୍ରୀ, ଦେଶରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଛନ୍ତି। ଏହିମାନେ ହିଁ ସରକାରଙ୍କର ମୂଳ ନୀତି ନିର୍ଦ୍ଧାରଣ କରୁଛନ୍ତି। ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ ସତ୍ତ୍ୱେ ଏହି କମିଟିରେ କୌଣସି ପରିବର୍ତ୍ତନ ହୋଇନାହିଁ।
କେତେକ ଜାତୀୟ ସମ୍ବାଦପତ୍ର ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱ ନେଇ ମଧ୍ୟ ସଂପାଦକୀୟ ଲେଖିଛନ୍ତି। ଏଣୁ ସବୁ ଦୃଷ୍ଟିରୁ ଦେଖିଲେ ତାଙ୍କ ଉପରେ ଦାୟିତ୍ୱ ଅଧିକ। ରେଳବାଇ ବିଭାଗରେ ପୂର୍ବରୁ ସୁରେଶ ପ୍ରଭୁ ଓ ପୀୟୂଷ ଗୋଏଲ ମନ୍ତ୍ରୀ ଥିଲେ ମଧ୍ୟ ରେଳବାଇର ଆର୍ଥିକ ଅବସ୍ଥାରେ ସୁଧାର ଆସିନାହିଁ। ରେଳବାଇରେ ଘରୋଇ ସହଯୋଗିତା ପାଇଁ ଯେଉଁ ନୀତି ନିଆଯାଇଛି ତାହାକୁ ଅଶ୍ୱିନୀ ବୈଷ୍ଣବ କେତେକ ଦକ୍ଷତାର ସହିତ କାର୍ଯ୍ୟ କରିବେ ଓ ରେଳବାଇ ଜରିଆରେ ଦେଶର ଆର୍ଥିକ ବିକାଶ କିପରି ତ୍ୱରାନ୍ୱିତ ହେବ ସେଥିପାଇଁ ପଥ ପରିଷ୍କାର କରିବେ ତାହାକୁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି। ଆଇଟି କ୍ଷେତ୍ରରେ ଓ ଟେଲି କମ୍ୟୁନିକେସନ କ୍ଷେତ୍ରରେ ଅଭିବୃଦ୍ଧି ସହିତ ବହୁଦେଶୀୟ ଆଇଟି ଫାର୍ମସ୍ ଓ ବିଶେଷ ଭାବରେ ଟୁଇଟର ସହିତ ଚାଲିଥିବା ବିବାଦର କିପରି ସମାଧାନ ହେବ ତାହାକୁ ମଧ୍ୟ ଅନେକ ଲକ୍ଷ୍ୟ ରଖିଛନ୍ତି।
ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶା କେତେଦୂର ଲାଭବାନ ହେବ ଓ ବିଜେପି ରାଜ୍ୟରେ କେତେ ଉପକୃତ ହେବ ତାହା ନେଇ ମଧ୍ୟ ଆଲୋଚନା ଚାଲିଛି। ରେଳବାଇ କ୍ଷେତ୍ରରେ ଓ ଟେଲି କମ୍ୟୁନିକେସନ କ୍ଷେତ୍ରରେ ଓଡ଼ିଶା ଲୋକମାନଙ୍କର ବହୁ ଦିନର ଦାବି ରହିଛି। ବିଶେଷ ଭାବରେ ରେଳବାଇ କ୍ଷେତ୍ରରେ ଓଡ଼ିଶା ଯେପରି ଅବହେଳାର ଶିକାର ହୋଇଛି ତାହା ଦୂର କରିବା ଦିଗରେ ଅଶ୍ୱିନୀ ବୈଷ୍ଣବ ସହାୟକ ହେବେ ବୋଲି ସମସ୍ତେ ଆଶା କରୁଛନ୍ତି। କାରଣ ତାଙ୍କର ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଭଲ ସଂପର୍କ ରହିଛି। କିନ୍ତୁ ଅସଲ କଥା ହେଉଛି ଯେ ଯେଉଁଭଳି ଭାବରେ ବିଭାଗ ତାଙ୍କ ହାତରେ ଅଛି ସେହି ଅନୁସାରେ ବିଜେପିକୁ ସେ କେଉଁ ଭାବରେ ସହାୟ ପ୍ରଦାନ କରିବେ ତାହା ନେଇ ବି ଆଲୋଚନା ଚାଲିଛି। ଯେହେତୁ ସେ ଜଣେ କ୍ୟାରିୟର ପଲିଟିସିଆନ୍ ନୁହନ୍ତି ଓ ଦଳ ଉପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ତାଙ୍କର କୌଣସି ଘନିଷ୍ଠତା ନାହିଁ ସେଥିରେ ତାଙ୍କର ରାଜନୈତକ ଜୀବନ ମନ୍ତ୍ରୀପଦ ପାଇଲା ପରେ କ’ଣ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି।
ଏହି ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଅଧିକ ରାଜନୈତିକ ଅଭିଜ୍ଞତା ଥିବା ବିଜେପିର ଜାତୀୟ ଉପସଭାପତି, ଯାହାଙ୍କର କର୍ପୋରେଟ ଦୁନିଆ ସହିତ ସଂପର୍କ ଓ ପରିଚାଳନା ଦକ୍ଷତା ରହିଛି, ବୈଜୟନ୍ତ ପଣ୍ଡାଙ୍କ ନାମ ଚର୍ଚ୍ଚା ହେଉଥିଲା। ଯଦିଓ ଶ୍ରୀ ପଣ୍ଡା ଏବେ ପାର୍ଲାମେଂଟରେ ନାହାନ୍ତି। ପ୍ରଧାନମନ୍ତ୍ରୀ ମନ୍ତ୍ରୀପଦ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ମନୋନୀତ କରି ସମ୍ଭବତଃ ଗୋଟିଏ ସଂକେତ ଦେଇଛନ୍ତି ଯେ, ଓଡ଼ିଶା ରାଜନୀତିରେ ଏବେ ବିଜେପି ଓ ବିଜେଡି ଭିତରେ ଯେଉଁ ସଂପର୍କ ରହିଛି ସେଥିରେ ସ୍ଥିତାବସ୍ଥା ବଜାୟ ରହିବ। ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ମୁକାବିଲା ଅପେକ୍ଷା କେନ୍ଦ୍ରୀୟ କାର୍ଯ୍ୟକ୍ରମଗୁଡ଼ିକୁ ରାଜ୍ୟରେ କିପରି କାର୍ଯ୍ୟକାରୀ ହେବ ସେଥିପାଇଁ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟ କରିବେ ବୋଲି ଅନୁମାନ କରାଯାଉଛି।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫