ଭାଲଚନ୍ଦ୍ର ଷଡ଼ଙ୍ଗୀ
ନିକଟରେ ଚଳିତ ବର୍ଷ ଅର୍ଥାତ୍ ୨୦୨୪ର ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ପ୍ରକାଶିତ ହୋଇଛି। ରିପୋର୍ଟରୁ ବିଶ୍ୱର ୮୧୮ କୋଟି ମଣିଷଙ୍କ ମଧ୍ୟରୁ ୭୩.୩ କୋଟି ମଣିଷ ପ୍ରତିଦିନ କ୍ଷୁଧାର ସାମ୍ନା କରୁଛନ୍ତି ବୋଲି ଜଣାପଡ଼ିଛି। ଏହା ବ୍ୟତିତ ଖାଦ୍ୟଦ୍ରବ୍ୟର ଆକାଶଛୁଆଁ ମୂଲ୍ୟବୃଦ୍ଧି ଏବଂ ଖର୍ଚ୍ଚ ତୁଳନାରେ ଆୟରେ ବୃଦ୍ଧି ନହେବା ଫଳରେ ବିଶ୍ୱର ୨୮୦ କୋଟି ଲୋକ ପୁଷ୍ଟିକର ଖାଦ୍ୟ ପାଇବାରୁ ବଂଚିତ ରହିଛନ୍ତି ବୋଲି କୁହାଯାଇଛି।
ବିଶ୍ୱ କ୍ଷୁଧା ସୂଚକାଙ୍କରେ ଆମ ଦେଶର ସ୍ଥିତି ପୂର୍ବ ବର୍ଷମାନଙ୍କ ଭଳି ନୈରାଶ୍ୟଜନକ ରହିଥିବା ଜଣାପଡ଼ିଛି। କ୍ଷୁଧା ଓ ଅନାହାର ଭଳି ପରିସ୍ଥିତିର ଶିକାର ବିଶ୍ୱର ୧୨୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସୂଚକାଙ୍କରେ ଚଳିତ ବର୍ଷ ଭାରତ ୧୦୫ତମ ସ୍ଥାନରେ ରହିଛି। ଯଦିଓ ଗତବର୍ଷ ତୁଳନାରେ ଦେଶରେ କ୍ଷୁଧାର ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି ବୋଲି ଏଥିରେ କୁହାଯାଇଛି, କିନ୍ତୁ ଆଜି ବି ସ୍ଥିତି ଉଦ୍ବେଗଜନକ ରହିଛି। ଗତ କିଛି ବର୍ଷ ଧରି ଭାରତ କ୍ରମାଗତ ଭାବେ କ୍ଷୁଧା ସୂଚକାଙ୍କରେ ଅନେକ ତଳେ ରହିବା ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଆମର ବିଫଳତାକୁ ପ୍ରମାଣିତ କରୁଛି।
କ୍ଷୁଧା ସୂଚକାଙ୍କରେ କ୍ଷୁଧାର ସ୍ଥିତିକୁ ସାମନା କରୁଥିବା ବିଶ୍ୱର ୧୨୭ଟି ଦେଶଙ୍କୁ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ଶେଷ ଦୁଇଟି ଗୋଷ୍ଠୀ ହେଲା ‘ଅତ୍ୟନ୍ତ ଉଦ୍ବେଗଜନକ’ ଓ ‘ଗୁରୁତର’। ଏଥିରେ ଭାରତରେ କ୍ଷୁଧାର ପରିସ୍ଥିତିକୁ ଗୁରୁତର ବୋଲି କୁହାଯାଇଛି। ଏଥିରେ ମୋଟ ୧୦୦ରୁ ୨୭.୩ ସ୍କୋର ରଖିଥିବା ଭାରତରେ କ୍ଷୁଧାର ସ୍ଥିତିକୁ ଗୁରୁତର (Serious) ଶ୍ରେଣୀର ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ‘୦’ ସ୍କୋରର ଅର୍ଥ ହେଲା କ୍ଷୁଧାର ପରିସ୍ଥିତି ବିଲକୁଲ୍ ନଥିବା। ତେବେ କ୍ଷୁଧା ଓ ପୁଷ୍ଟିହୀନତାକୁ ନିରାକରଣ କରିବାରେ ଆମେ ବିଶ୍ୱର ଅନ୍ୟ ଦେଶମାନଙ୍କ ଠାରୁ ଯେ ଅନେକ ପଛରେ ରହିଛେ ଏକଥା ରିପୋର୍ଟରୁ ପୁଣିଥରେ ସ୍ପଷ୍ଟ ହୋଇଯାଇଛି। ଏ କ୍ଷେତ୍ରରେ ଆମେ ବାଲାଂଦେଶ, ନେପାଳ ଓ ଶ୍ରୀଲଙ୍କା ପରି ଆମର କ୍ଷୁଦ୍ର ପଡ଼ୋଶୀ ଦେଶମାନଙ୍କ ଠାରୁ ବି ଖରାପ ସ୍ଥିତିରେ ରହିଛେ। କେବଳ କଙ୍ଗୋ, ୟେମେନ୍, ହାଇତି ପରି ଆଫ୍ରିକା ଓ ଦକ୍ଷିଣ ଆମେରିକାର କିଛି ଗରିବ ଏବଂ ପଶ୍ଚାଦପଦ ଦେଶ ହିଁ ଆମଠାରୁ ତଳେ ରହିଛନ୍ତି। ଏଭଳି ସ୍ଥିତିରେ ଦେଶକୁ ବିଶ୍ୱଗୁରୁ ଓ ଆର୍ଥିକ ମହାଶକ୍ତିରେ ପରିଣତ କରିବାର ଆସ୍ଫାଳନ କରୁଥିବା ଶାସକମାନେ କ୍ଷୁଧା ଓ ଅନାହାରର ମୁକାବିଲାରେ ଯେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ଏହା ନିଃସନ୍ଦେହରେ କୁହାଯାଇପାରେ।
କ୍ଷୁଧା ସୂଚକାଙ୍କ ୧) ପୁଷ୍ଟିହୀନତା, ୨) ଚାଇଲ୍ଡ୍ ୱେଷ୍ଟିଂ (ଶିଶୁର ଉଚ୍ଚତା ତୁଳନାରେ ଓଜନ ନବଢ଼ିବା), ୩) ଚାଇଲଡ଼୍ ଷ୍ଟଂଟିଙ୍ଗ୍ (ଶିଶୁର ବୟସ ତୁଳନାରେ ଉଚ୍ଚତା ଅତ୍ୟଧିକ କମ୍ ହେବା) ଓ ୪) ଶିଶୁ ମୃତ୍ୟୁହାର ପରି ଚାରୋଟି ମାପକାଠିର ଆଧାରରେ ପ୍ରସ୍ତୁତ ହୋଇଥାଏ। ଉପରୋକ୍ତ ଚାରୋଟି ଯାକ ପରିମାପକରେ ନୈରାଶ୍ୟଜନକ ସ୍ଥିତି, ଜଣେ ବ୍ୟକ୍ତିର ଶରୀର ପାଇଁ ଆବଶ୍ୟକ ପଡ଼ୁଥିବା ଖାଦ୍ୟର ପରିମାଣ (କ୍ୟାଲୋରୀ) ଏବଂ ଖାଦ୍ୟର ବିଭିନ୍ନ ଉପାଦାନ ବା ସୁକ୍ଷ୍ମ ପୋଷକ (ମାଇକ୍ରୋନ୍ୟୁଟ୍ରିଏଂଟସ୍)ର ଅଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ଚଳିତ ବର୍ଷର ରିପୋର୍ଟରେ ସବୁଠାରୁ ଲଜ୍ଜାଜନକ ବିଷୟ ହେଲା ଉପରୋକ୍ତ ସମସ୍ତ ମାପକାଠିରେ ଆମେ ବହୁତ ପଛରେ ରହିଛୁ।
ବିଶ୍ୱରେ ପୁଷ୍ଟିହୀନତା, ଶିଶୁଙ୍କ ଅନଗ୍ରସରତା ଏବଂ ମୃତ୍ୟୁହାରରେ ଭାରତର ସ୍ଥିତିଟି ବହୁତ ତଳେ ରହିଛି। ଶରୀରରେ ପୁଷ୍ଟିହୀନତାର ଅର୍ଥ ହେଉଛି ଅର୍ଥାତ୍ ବଂଚିବା ପାଇଁ ଶରୀରରେ ଆବଶ୍ୟକୀୟ କ୍ୟାଲୋରୀର ଅଭାବ। ସେହି ଦୃଷ୍ଟିରୁ ଦେଖିଲେ ଆମ ଦେଶର ୧୩.୭% ଅର୍ଥାତ୍ ପ୍ରାୟ ୨୦ କୋଟି ଲୋକ ପୁଷ୍ଟିହୀନତାର ଶୀକାର ହୋଇଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ଚାଇଲ୍ଡ୍ ୱେଷ୍ଟିଂର ଅର୍ଥ ହେଲା ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ଉଚ୍ଚତା ତୁଳନାରେ ଓଜନରେ ବୃଦ୍ଧି ନଘଟିବା। ଏହା ବି ଏକ ଭୟଙ୍କର ପୁଷ୍ଟିହୀନତାକୁ ସୂଚାଉଛି ଏବଂ ଏ କ୍ଷେତ୍ରରେ ଭାରତର ହାରଟି ଚଳିତ ବର୍ଷ ୧୮.୭%ରେ ପହଂଚି ଉଦ୍ବେଗଜନକ ସ୍ଥିତିରେ ରହିଛି। ଯାହାକି ଯୁଦ୍ଧଗ୍ରସ୍ତ ୟେମେନ୍ (୧୪.୪%) ଓ ସୁଦାନ (୧୩.୭%) ଠାରୁ ବି ଅଧିକ। ଏହା ଶିଶୁଙ୍କ ମଧ୍ୟରେ ଅତିଶୟ ପୁଷ୍ଟିହୀନତାକୁ ଦର୍ଶାଉଛି। ଅନ୍ୟତମ ମାପକାଠି ରୂପେ ପରିଚିତ ଚାଇଲଡ଼୍ ଷ୍ଟଂଟିଙ୍ଗ୍ର ଅର୍ଥ ହେଲା୍ ପୁଷ୍ଟିହୀନତା କାରଣରୁ ବୟସ ତୁଳନାରେ ଶିଶୁର ଉଚ୍ଚତାରେ ଆବଶ୍ୟକୀୟ ବୃଦ୍ଧି ନହେବା। ଏ କ୍ଷେତ୍ରରେ ବି ଭାରତର ସ୍ଥିତି (୩୫.୫%) ଖରାପ ରହିଛି। କ୍ଷୁଧା ସୂଚକାଙ୍କର ସର୍ବଶେଷ ମାପକାଠିଟି ହେଉଛି ଦେଶରେ ଶିଶୁ ମୃତ୍ୟୁହାର। ଯଦିଓ ଆମ ଦେଶରେ ପାଞ୍ଚବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁହାରଟି ୨.୯% ରହିଛି କିନ୍ତୁ ତାହା ବିଶ୍ୱର ଅନ୍ୟ ଉନ୍ନତ ଓ ବିକାଶଶୀଳ ଦେଶମାନଙ୍କ ସହ ତୁଳନାରେ ବହୁତ ଅଧିକ। ସମୟ ପୂର୍ବରୁ ଜନ୍ମ ଏବଂ କମ୍ ଓଜନର ଶିଶୁ ଜନ୍ମ ହେବା ଆମ ଦେଶରେ ଶିଶୁ ମୃତ୍ୟୁର ସବୁଠାରୁ ବଡ଼ କାରଣ ହୋଇଛି, ଯାହାକି ଦେଶରେ ଗୁରୁତ୍ତର ପୁଷ୍ଟିହୀନତାର ସ୍ଥିତିକୁ ପ୍ରମାଣିତ କରୁଛି।
ଏଠାରେ ପ୍ରଶ୍ନ ଉଠେ, ବାର୍ଷିକ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତି ହେବାର ସ୍ୱପ୍ନ ଦେଖୁଥିବା ଆମ ଦେଶର ଶାସକମାନେ, ଦେଶରେ ଏତେ ସଂଖ୍ୟାରେ ଲୋକ ଭୋକିଲା ଓ ପୁଷ୍ଟିହୀନତାର ଶିକାର କାହିଁକି, ତା’ର ଉତ୍ତର ଦେବାକୁ ନାରାଜ। ତେବେ ବିଶ୍ୱରେ ଅନାହାରର କାରଣ ଯେ ଖାଦ୍ୟର ଅଭାବ ବା ଅନୁପଲବ୍ଧତା ନୁହେଁ, ଏକଥା କେହି ନହେଲେ ବି କମ୍ସେ କମ୍ ସରକାରମାନେ ଭଲରୂପେ ଜାଣନ୍ତି। ବରଂ ସମାଜରେ ଶ୍ରେଣୀ ବିଭାଜନ ଜନିତ ଆର୍ଥିକ ଅସମାନତାରେ ଲଗାତାର ବୃଦ୍ଧି ଏବଂ ତା’କୁ ଦୂର କରିବାରେ ସରକାରୀ ନୀତିର ଅଭାବ କାରଣରୁ ସମାଜର ଏକ ବଡ଼ ଭାଗ ଜନତା ଅନାହାର ଏବଂ ପୁଷ୍ଟହୀନତା ମଧ୍ୟରେ ବଂଚିବାକୁ ବାଧ୍ୟ ହେଉଛନ୍ତି। ଦେଶରେ ଖାଦ୍ୟଶସ୍ୟର ଉତ୍ପାଦନ ଲଗାତାର ବଢ଼ୁଥିଲେ ବି ସମୁଚିତ ବଣ୍ଟନ ଅଭାବରୁ ଖାଦ୍ୟାଭାବ ଲାଗି ରହି ମୁଣ୍ଡପିଛା ଖାଦ୍ୟ ଉପଲବ୍ଧତା ବି କମିବାରେ ଲାଗିଛି।
ବଜାରରେ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦରଦାମ୍ ଏବଂ ତାକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ସମାଜର ଏକ ବଡ଼ ଭାଗ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଦେଶରେ ଖାଦ୍ୟଦ୍ରବ୍ୟରେ ମୂଦ୍ରାସ୍ଫୀତିର ହାର ୨୦୨୨ରେ ୩.୮% ଥିବା ବେଳେ ଚଳିତ ବର୍ଷ ତାହା ୭.୫%ରେ ପହଂଚିଛି। ଅର୍ଥାତ୍ ଖାଦ୍ୟଦ୍ରବ୍ୟରେ ମୂଲ୍ୟବୃଦ୍ଧି ଦ୍ୱିଗୁଣିତ ହେବା ଫଳରେ ସାଧାରଣ ଲୋକର ଖାଦ୍ୟ କିଣିବା ପୂର୍ବାପେକ୍ଷା କଠିନ ହୋଇଛି। ଅନ୍ୟପକ୍ଷରେ କ୍ଷୁଧା ଓ ପୁଷ୍ଟିହୀନତାର ଶିକାର ଲୋକଙ୍କ ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ଆବଶ୍ୟକତା ପାଇଁ ଆବଶ୍ୟକୀୟ ସରକାରୀ ଯୋଜନାରେ ପର୍ଯ୍ୟାପ୍ତ ପାଣ୍ଠିର ଅଭାବ ତଥା ସେ ବାବଦରେ ବଜେଟ୍ରେ ଲଗାତାର ଭାବେ ଅନୁଦାନ ହ୍ରାସ ଫଳରେ ବି ଦେଶରେ କ୍ଷୁଧା ଓ ପୁଷ୍ଟିହୀନତା ବୃଦ୍ଧି ପାଇବାରେ ଲାଗିଛି। ବିଗତ ବର୍ଷର ବଜେଟ୍ରେ ସରକାର ଖାଦ୍ୟ ସୁରକ୍ଷା ପାଇଁ ସବ୍ସିଡ଼ି ବାବଦରେ ୨,୧୨,୩୩୨କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଚଳିତ ବର୍ଷ ସେଥିରେ ୩.୩୪% ହ୍ରାସ କରି ୨,୦୫,୨୫୦ କୋଟି କରିଛନ୍ତି। କେନ୍ଦ୍ର ସରକାରଙ୍କ ପୋଷଣ ଟ୍ରାକର ଦ୍ୱାରା ନଭେମ୍ବର ୨୦୨୩ରେ ଛଅ ବର୍ଷରୁ କମ୍ ବୟସର ପ୍ରାୟ ୭.୪୪ କୋଟି ଶିଶୁଙ୍କ ଉପରେ ହୋଇଥିବା ସମୀକ୍ଷାରେ ୩୭.୫୧% ଶିଶୁର ଶରୀରରେ ସ୍ୱାଭାବିକ ବୃଦ୍ଧି ହୋଇ ନଥିବା ବେଳେ ୧୭.୪୩% ଶିଶୁ କମ୍ ଓଜନର ଏବଂ ୫ ବର୍ଷରୁ କମ୍ ବୟସର ୬% ଶିଶୁ ନିଜର ପଞ୍ଚମ ଜନ୍ମଦିନ ପୂର୍ବରୁ ପ୍ରାଣ ହରାଉଥିବା ଜଣାପଡ଼ିଛି।
ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସାର୍ବଜନିନ ରାସନ ବ୍ୟବସ୍ଥାକୁ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ବଦଳରେ ତା’କୁ ବଜାରର ଦୟାରେ ଛାଡ଼ିଦେବାକୁ ବସିଛନ୍ତି। ବିଶ୍ୱର ଖାଦ୍ୟ ବଜାରରେ ଖାଦ୍ୟଶସ୍ୟ କାରବାର କରୁଥିବା ବଡ଼ ବଡ଼ କମ୍ପାନୀଙ୍କ ଏକଚାଟିଆ କାରବାର ବି ବଜାରରେ ଖାଦ୍ୟଶସ୍ୟର ଦରବୃଦ୍ଧିର ଅନ୍ୟତମ କାରଣ ହୋଇ ଆସିଛି। ଆମ ଦେଶରେ ବି ସେଥିରୁ ବାଦ ପଡ଼ିନାହିଁ। ବିଶ୍ୱର ଅନ୍ୟତମ ବୃହତ କର୍ପୋରେଟ୍ ଆଦାନୀର ଉଇଲମାର କମ୍ପାନୀ ଏହିକ୍ଷଣି ଭାରତର ଖାଇବା ତେଲ ବଜାରର ସିଂହଭାଗକୁ ଅକ୍ତିଆର କରିଛି। ବଜାରରେ ବଡ଼ କମ୍ପାନୀଙ୍କ ଏକଚାଟିଆ କାରବାର ପାଇଁ ଆଜି ଖାଇବା ତେଲ ଓ ଡାଲି ସାଧାରଣ ଲୋକଙ୍କ ପହଞ୍ଚରୁ ବାହାରକୁ ଯିବାରେ ଲାଗିଛି।
ଦେଶରେ ଗ୍ରାମାଂଚଳର ୭୫% ଏବଂ ସହରାଂଚଳର ୫୦% ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି। ଏହି ଆଇନ ଅନୁଯାୟୀ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ପ୍ରତିମାସରେ ମାତ୍ର ୫ କିଲୋ ଖାଦ୍ୟଶସ୍ୟ ବଣ୍ଟନ କରାଯାଉଛି। ଏହି ଯୋଜନାର ହୀତାଧିକାରୀ ମାନଙ୍କ ସଂଖ୍ୟା ୨୦୧୧ର ଜନଗଣନାର ଆଧାରରେ ପ୍ରସ୍ତୁତ ହୋଇଥିବାରୁ ବର୍ତ୍ତମାନ ଏହି ସଂଖ୍ୟାକୁ ଯଦି ହିସାବ କରାଯିବ ତାହେଲେ କମ୍ ସେ କମ୍ ଆହୁରି ଦଶ କୋଟି ଏଥିରେ ସାମିଲ ହେବେ। ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଦେଶରେ ଭୋକିଲା ଜନତାଙ୍କୁ ସରକାର ବର୍ତ୍ତମାନ ଯେଉଁ ଖାଦ୍ୟଶସ୍ୟ ବଣ୍ଟନ କରୁଛନ୍ତି ତାହା ଉଭୟ ମାନ ଓ ପରିମାଣ ଦୃଷ୍ଟିରୁ ପର୍ଯ୍ୟାପ୍ତ ନୁହେଁ। ଖୋଦ୍ କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ୍ କାଉନସିଲ ଫର୍ ମେଡ଼ିକାଲ୍ ରିସର୍ଚ୍ଚ’ (ଆଇସିଏମ୍ଆର୍) ସଂସ୍ଥା, ଜଣେ ବୟସ୍କ ବ୍ୟକ୍ତି ପାଇଁ ମାସିକ ସର୍ବନିମ୍ନ ୧୫ କିଲୋ ଖାଦ୍ୟଶସ୍ୟ ଜରୁରୀ ବୋଲି କହୁଥିବା ବେଳେ ସରକାର ନିଜର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ପ୍ରତି ବ୍ୟକ୍ତି ମାସିକ ମାତ୍ର ପାଞ୍ଚ କିଲୋ ଖାଦ୍ୟଶସ୍ୟ ହିଁ ଦେଉଛନ୍ତି। ଏପରିକି କୋଭିଡ଼ ସମୟରେ ଦେଶର ଗରିବ ଲୋକଙ୍କୁ ଏହି ପାଞ୍ଚ କିଲୋ ବ୍ୟତିତ ମାସିକ ଯେଉଁ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ ଦେଉଥିଲେ ତାକୁ ବି ଇତି ମଧ୍ୟରେ ବନ୍ଦ କରିଦିଆଯାଇଛି। ଶରୀରର ପୁଷ୍ଟିହୀନତା ଦୂର ପାଇଁ ଡ଼ାଲି, ଖାଇବା ତେଲ ଓ ସବୁଜ ପନିପରିବାର ଆବଶ୍ୟକତା ରହିଥିବା ବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ କେବଳ ଚାଉଳ ବା ଗହମ ଏବଂ ତାହା ବି ମାସିକ ମାତ୍ର ୫ କିଲୋରେ ହିଁ ସିମୀତ ରହିଛି।
ଦେଶରେ ଅନାହାର ଓ ପୁଷ୍ଟିହୀନତାର ଅନ୍ୟତମ ବଡ଼ କାରଣ ହେଲା, ଳୋକଙ୍କ କ୍ରୟଶକ୍ତିରେ କ୍ରମାଗତ ହ୍ରାସ। କ୍ରମବର୍ଦ୍ଧମାନ ଦାରିଦ୍ର୍ୟ ଓ ବେକାରୀ ଯୋଗୁଁ ବଜାରରୁ ଖାଦ୍ୟ କିଣିବାକୁ ଅଧିକରୁ ଅଧିକ ଲୋକ ଅସମର୍ଥ ହେଉଛନ୍ତି। ଏଭଳି ପରିସ୍ଥିତିରେ ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ର ସଦ୍ୟତମ ରିପୋର୍ଟଟି ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ ଖାଦ୍ୟ ଅସୁରକ୍ଷାର ଭୟଙ୍କର ସ୍ଥିତିକୁ ପୁଣିଥରେ ଆମ ସାମନାକୁ ଆଣିଛି। କିନ୍ତୁ ପରିତାପର ବିଷୟ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଗମ୍ଭୀରତାର ସହିତ ନେଇ ନିଜର ଖାଦ୍ୟ ସୁରକ୍ଷା ନୀତି ଓ କାର୍ଯ୍ୟକ୍ରମକୁ ପୁନଃ ନିର୍ଦ୍ଧାରିତ କରିବାକୁ ଚେଷ୍ଟା କରିବା ବଦଳରେ, ନିଜର ଦୋଷକୁ ଲୁଚାଇବାକୁ ତାକୁ ଅସ୍ୱୀକାର କରିଛନ୍ତି। ରିପୋର୍ଟକୁ ତୃଟୀପୂର୍ଣ୍ଣ ଏବଂ ଭାରତର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ତେବେ ଯେଉଁ ଦେଶର ୮୦ କୋଟି ଲୋକ ମାସିକ ପାଞ୍ଚ କିଲୋ ସରକାରୀ ରାସନ ଉପରେ ନିର୍ଭରଶୀଳ ସେଠାରେ କ୍ଷୁଧାର ସ୍ଥିତିକୁ ପ୍ରମାଣିତ କରିବାକୁ କୌଣସି ଗବେଷଣାର ଆବଶ୍ୟକତା ନାହିଁ।
ସ୍ଥାନୀୟ, ଜାତୀୟ ଓ ବିଶ୍ୱସ୍ତରରେ କ୍ଷୁଧାର ସ୍ଥିତିକୁ ମାପିବା ପାଇଁ ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ଆୟାରଲାଣ୍ଡର ସେବା ସଂସ୍ଥା କନସର୍ଣ୍ଣ ୱାରଲ୍ଡ ୱାଇଡ଼୍(Concern Worldwide) ଓ ଜର୍ମାନୀର ସଂସ୍ଥା ୱେଲ୍ଟ୍ ହଙ୍ଗର୍ ହିଲାଇଫ୍(Welt Hunger Hilfe) ପକ୍ଷରୁ ପ୍ରତିବର୍ଷ ମିଳିତ ଭାବେ ଏହି ସୂଚକାଙ୍କକୁ ପ୍ରସ୍ତୁତ କରାଯାଇଥାଏ। ଗତ କିଛି ବର୍ଷ ଧରି ଏହା ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ଦେଶରେ ରହିଥିବା କ୍ଷୁଧାର ପରିସ୍ଥିତିକୁ ମାପିବାର ସବୁଠାରୁ ନିର୍ଭରଯୋଗ୍ୟ ମାଧ୍ୟମ ରୂପେ ପରିଗଣିତ ହୋଇଆସିଛି। ସେମାନଙ୍କ ରିପୋର୍ଟର ଆଧାରରେ ବିଶ୍ୱର ଅନେକ ରାଷ୍ଟ୍ର ନିଜର କ୍ଷୁଧାର ସ୍ଥିତିକୁ ସୁଧାରିବା ଦିଗରେ ନୀତିଗତ ପଦକ୍ଷେପ ଗ୍ରହଣ କରିବା ଦେଖିବାକୁ ମିଳିଛି। ପରନ୍ତୁ ଆମ ଦେଶରେ ବର୍ତ୍ତମାନର ସରକାର ଏହାର ରିପୋର୍ଟକୁ ଆନୁଷ୍ଠାନିକ ଭାବେ ଭୁଲ ବୋଲି କହି ଏକଦମ୍ ଖାରଜ କରିବା ଦେଖାଯାଇଛି। ଅନ୍ୟପକ୍ଷରେ ରିପୋର୍ଟଟି ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଓ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନ ଓ ତଥ୍ୟର ଆଧାରରେ ପ୍ରସ୍ତୁତ କରାଯାଇଥିବା ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଏହା ବ୍ୟତିତ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଜନ୍ମ, ମୃତ୍ୟୁ ଏବଂ ମାତୃ ତଥା ଶିଶୁ ମୃତ୍ୟୁହାରର ତଥ୍ୟର ଆଧାରରେ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି। ଅତଏବ ରିପୋର୍ଟର ସତ୍ୟତା ବା ତଥ୍ୟାତ୍ମକ ଭିତ୍ତିକୁ ନେଇ ପ୍ରଶ୍ନ କରିବାର କୌଣସି ଅବକାଶ ନାହିଁ କହିଲେ ଚଳେ। କିନ୍ତୁ ପରିତାପର ବିଷୟ, ଏହି ରିପୋର୍ଟରେ ପ୍ରକାଶିତ ତଥ୍ୟକୁ ଏକ ଆହ୍ୱାନ ଭାବେ ନେଇ ସରକାର ଓ ନୀତି ନିର୍ଦ୍ଧାରକମାନେ ନୀତି ନିର୍ଣ୍ଣୟ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନେଇ ଦେଶରେ କ୍ଷୁଧାର ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିବା ବଦଳରେ ଦେଶରେ ଆଦୌ କ୍ଷୁଧାର ପରିସ୍ଥିତି ନାହିଁ ବୋଲି ଦାବି କରିବା ହାସ୍ୟାସ୍ପଦ ମନେହୁଏ।
ଫୋନ୍-୯୪୩୭୧୬୬୩୯୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।