କେନ୍ଦ୍ର ସରକାରଙ୍କ ଏନ୍ସିଇଆରଟି ଦ୍ୱାରା ପ୍ରକାଶିତ ପାଠ୍ୟ ପୁସ୍ତକ ବିଶେଷ କରି ଇତିହାସ, ରାଜନୀତି ବିଜ୍ଞାନ ପରି ସମାଜ ବିଜ୍ଞାନର ପୁସ୍ତକମାନଙ୍କରେ ନିକଟରେ କରାଯାଇଥିବା ବ୍ୟାପକ ପରିବର୍ତ୍ତନକୁ ନେଇ ଦେଶବ୍ୟାପି ବିତର୍କ ଆରମ୍ଭ ହୋଇଛି। ଇତିହାସ ପୁସ୍ତକରେ ଆଗରୁ ରହିଥିବା ମୋଗଲ ଶାସନ କାଳଠାରୁ ଆରମ୍ଭ କରି ରାଜନୀତି ବିଜ୍ଞାନ ପୁସ୍ତକରେ ଥିବା ନାଥୁରାମ ଗୋଡ଼ସେଙ୍କ ଦ୍ୱାରା ଗାନ୍ଧୀଙ୍କ ହତ୍ୟା ସମ୍ପର୍କିତ ଅଧ୍ୟାୟରେ ଏନସିଇଆରଟି ପିଲାଙ୍କ ଉପରେ ପାଠର ବୋଝ କମାଇବା ନାଁରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ବାଦ ଦିଆଯାଇଛି। ତେବେ ଏନସିଇଆରଟିର ଏହି ପଦକ୍ଷେପକୁ ଯଥାର୍ଥ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିବା ବେଳେ ଦେଶର ପ୍ରମୁଖ ବୁଦ୍ଧିଜୀବୀ ଓ ବିରୋଧୀ ଦଳମାନେ କିନ୍ତୁ ସେପରି କରି ସରକାର ନିଜର ରାଜନୈତିକ ଏଜେଣ୍ଡାକୁ ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।
କୋଭିଡ଼ ମହାମାରୀ ସମୟରେ ଲକ୍ଡ଼ାଉନ୍ ଯୋଗୁଁ ଦେଶ ସାରା ସ୍କୁଲ, କଲେଜ ବନ୍ଦ ହୋଇ ପିଲାଙ୍କ ନିୟମିତ ପାଠପଢ଼ାରେ ବ୍ୟାଘାତ ହୋଇଥିଲା। ଏଭଳି ପରିସ୍ଥିତିରେ ପିଲାମାନଙ୍କ ଉପରେ ପାଠର ବୋଝକୁ କମ୍ କରିବା ଉଦ୍ଦେଶ୍ୟରେ ସରକାର ଗତ ବର୍ଷ ପାଠ୍ୟକ୍ରମରେ କେତେକ ହ୍ରାସ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେହି କ୍ରମରେ ଇତିମଧ୍ୟରେ ବଜାରକୁ ଏନସିଇଆରଟିର ନୂଆ ପାଠ୍ୟପୁସ୍ତକ ମଧ୍ୟ ଆସିଯାଇଛି ବୋଲି କୁହାଯାଇଛି। ତେବେ ସେସବୁ ପୁସ୍ତକରେ ଏଭଳି ଅନେକ ବିଷୟକୁ ହଟେଇ ଦିଆଯାଇଛି, ଯାହା ଗତବର୍ଷ ପ୍ରକାଶିତ ବିଜ୍ଞପ୍ତିରେ ବିଲକୁଲ୍ ନଥିଲା। ନୂଆ ପାଠ୍ୟପୁସ୍ତକରୁ କିଛି ବିଷୟକୁ ସମ୍ପୂର୍ଣ୍ଣ ହଟାଯାଇଥିବା ବେଳେ ଅନେକ ବିଷୟର କିଛି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ବାଦ ଦେଇ ତାକୁ ବିକୃତ କରିବାର ଉଦ୍ୟମ ସନ୍ଦେହ ସୃଷ୍ଟି କରିଛି।
ପିଲାଙ୍କ ଉପରେ ପାଠର ବୋଝ ନେଇ ସରକାର ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। କାରଣ ମହାମାରୀ ସମୟରେ ଦେଶସାରା ଲକ୍ଡ଼ାଉନ୍ ଜାରୀ ହେବା ଫଳରେ ସ୍କୁଲ କଲେଜରେ ନିୟମିତ ଶିକ୍ଷାଦାନ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସେତେବେଳେ ସମସ୍ୟା ସୃଷ୍ଟି ହୋଇଥିଲା। ଅତଏବ ପାଠ୍ୟକ୍ରମରେ ହ୍ରାସ କରି ପିଲାଙ୍କ ଉପରେ ପାଠର ବୋଝକୁ କମ୍ କରିବାକୁ ସରକାର ଯେଉଁ ଘୋଷଣା କରିଥିଲେ, ତାହା ବୁଝିହେଉଥିଲା। କିନ୍ତୁ ମହାମାରୀର ଅନେକ ଦିନ ପରେ ଆଜି ସ୍କୁଲ କଲେଜରେ ପୂର୍ବଭଳି ନିୟମିତ ଶିକ୍ଷାଦାନ ଚାଲିଥିବା ବେଳେ ସରକାର କୋଭିଡ଼ ନାଁରେ ଏହିଭଳି ପାଠର ବୋଝ କମାଇବା କଥା କହିବା ହାସ୍ୟାସ୍ପଦ ମନେହୁଏ। ତେବେ ତାହା ସତ୍ତ୍ୱେ ବି ଯଦି ପାଠ୍ୟ ପୁସ୍ତକରେ ପରିବର୍ତ୍ତନ କରିବାକୁ ସରକାର ଚାହୁଁଥିଲେ, ତାହା ସମ୍ପୂର୍ଣ୍ଣି ତର୍କସଙ୍ଗତ ଭାବେ କରି ପାରିଥାନ୍ତେ। ଯେଉଁ ବିଶେଷଜ୍ଞମାନେ ସେସବୁ ପାଠ୍ୟପୁସ୍ତକକୁ ଲେଖିଛନ୍ତି, ସେମାନଙ୍କୁ କମାଇବାର ଦାୟିତ୍ୱ ଦେଇ ତର୍କସଙ୍ଗତ ଭାବେ ହ୍ରାସ କରି ପାରିଥାନ୍ତେ। କିନ୍ତୁ ସେପରି ନକରି ଏନସିଇଆରଟି ପକ୍ଷରୁ ଯେଉଁଭଳି ଭାବେ ବିଷୟବସ୍ତୁରେ କାଟଛାଣ୍ଟ କରାଯାଇଛି, ସେଥିରୁ ତାହା ସମ୍ପୂର୍ଣ୍ଣ ଅତାର୍କିକ ମନେହେବା ସହ ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟକୁ ଉଜାଗର କରୁଛି। ଦେହର ଓଜନ ହ୍ରାସ କରିବା ନାଁରେ ମୁଣ୍ଡ କାଟିଦେବା ପରି ଏନସିଇଆରଟି ପାଠ୍ୟ ପୁସ୍ତକରେ ସରକାର ମନଇଛା ସଂଶୋଧନ କରି ନିଜକୁ ସୁହାଉ ନଥିବା ପ୍ରସଙ୍ଗରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ହଟେଇ ଦେଇଛନ୍ତି।
କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଏନସିଇଆରଟିର କାମ ହେଲା, ଭାରତରେ ପିଲାଙ୍କ ଶିକ୍ଷା ସମ୍ପର୍କରେ ଗବେଷଣା କରିବା ଏବଂ ଶିକ୍ଷାଦାନର ନୂଆ ନୂଆ ତରିକା ବାହାର କରିବା। ଏହି ସଂସ୍ଥା ନିଜର ଉତ୍କୃଷ୍ଟ ମାନର ପାଠ୍ୟପୁସ୍ତକ ପ୍ରକାଶନ ଲାଗି ସବୁଠାରୁ ବେଶୀ ପ୍ରସିଦ୍ଧି ଲାଭ କରିଛି। ଏହାର ପୁସ୍ତକଗୁଡ଼ିକୁ ସାଧାରଣତଃ ମାନକ ବୋଲି ଧରାଯାଇଥାଏ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶ ପାଉଥିବା ଏହି ପାଠ୍ୟପୁସ୍ତକ ଗୁଡ଼ିକ ଏତେ ପ୍ରସିଦ୍ଧ ଯେ ଭାରତରେ କିରାଣୀଠାରୁ ଆରମ୍ଭ କରି ଆଇଏଏସ୍ ପର୍ଯ୍ୟନ୍ତ ସବୁ ପ୍ରତିଯୋଗୀତା ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନେ ଏସବୁ ବହିକୁ ଅଧ୍ୟୟନ କରିଥାନ୍ତି। ଏସବୁ ବହି ସିବିଏସ୍ଇ ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟ ସମେତ ଦିଲ୍ଲୀ ପରି କିଛି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟମାନଙ୍କରେ ବି ପଢ଼ାଯାଇଥାଏ। ଏଭଳି ପରିସ୍ଥିତିରେ ବୋଝ କମାଇବା ନାଁରେ ଏନସିଇଆରଟି ନିଜର ପାଠ୍ୟ ପୁସ୍ତକରେ ଯେଉଁଭଳି ମନଇଛା କଟାକଟି କରି ପିଲାଙ୍କୁ ଅଧୁରା ଇତିହାସ ଉପସ୍ଥାପନ କରିବାକୁ ଯାଉଛନ୍ତି, ତାହା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ ଉଠୁଛି।
ଏନସିଇଆରଟି ତା’ର ଇତିହାସ ପାଠ୍ୟପୁସ୍ତକରୁ ମୋଗଲ ଶାସନ କାଳକୁ ସମ୍ପୂର୍ଣ୍ଣ ନହଟାଇଲେ ବି ମୋଗଲ ଶାସନ କାଳର ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବାଦ ଦେଇଛି। ସପ୍ତମ ଶ୍ରେଣୀର ଇତିହାସ ବହିରେ ଦିଲ୍ଲୀ ସୁଲାତନତ ସମ୍ପର୍କିତ ଅଧ୍ୟାୟରୁ ତିନି ପୃଷ୍ଠା ହଟେଇ ଦିଆଯାଇଛି। ସେହି ବହିରେ ଥିବା ମୋଗଲ ଶାସନର ବି କିଛି ପୃଷ୍ଠାକୁ ହଟେଇ ଦିଆଯାଇଛି। ବାବର, ଆକବର, ହୁମାୟୁନ୍, ଶାହାଜାହାନ, ଔରେଙ୍ଗଜେବ୍ ଆଦି ଶାସକମାନଙ୍କ ଉପଲବ୍ଧି ବିଷୟରେ ପୂର୍ବରୁ ଯାହା ସବୁ ଉଲ୍ଲେଖ ଥିଲା, ତାକୁ ବି ହଟେଇ ଦିଆଯାଇଛି। ଦ୍ୱାଦଶ ଶ୍ରେଣୀର ଇତିହାସରେ ମଧ୍ୟ ‘ମୋଗଲ ଦରବାରରେ ରାଜା ଓ ଆମତ୍ୟମାନେ’ ଶୀର୍ଷକ ଅଧ୍ୟାୟକୁ ହଟେଇ ଦିଆଯାଇଛି। ସେହିପରି ଆକବରଙ୍କ ନୀତିଗୁଡ଼ିକ ସମ୍ପର୍କରେ ରହିଥିବା ଏକ ଅଧ୍ୟାୟକୁ ବି ହଟେଇ ଦିଆଯାଇଛି, ଯେଉଁଥିରେ ଆକବରଙ୍କ ପ୍ରଶାସନର ବିଶେଷତା ଏବଂ ସମାଜର ଅଲଗା ଅଲଗା ଲୋକଙ୍କ ସାମାଜିକ ରୀତିନୀତି, ଧର୍ମକୁ ନେଇ ଆକବରଙ୍କ ରୁଚି ଏବଂ କିପରି ଆକବର ସଂସ୍କୃତର ପୁସ୍ତକଗୁଡ଼ିକୁ ପାର୍ସିରେ ଅନୁବାଦ କରିଥିଲେ, ତା’ର ଉଲ୍ଲେଖ ଥିଲା। ଇସଲାମର ଉଦ୍ଭବ ଓ ଭାରତରେ ଇସ୍ଲାମିକ୍ ସଂସ୍କୃତିର ବିକାଶ ସମ୍ପର୍କିତ ଅଧ୍ୟାୟକୁ ବି ହଟେଇ ଦିଆଯାଇଛି। ମୋଗଲ ଓ ଅନ୍ୟ ଇସଲାମିକ୍ ଶାସନ କାଳ ବ୍ୟତିତ ଆଧୁନିକ ଇତିହାସରେ ବି ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇଛି।
ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପୁସ୍ତକରେ ଥିବା ସ୍ୱାଧୀନତା ପରଠାରୁ ଭାରତର ରାଜନୀତି ଶୀର୍ଷକ ଅଧ୍ୟାୟରେ ୨୦୦୨ର ଗୁଜରାଟର ମୁସଲମାନ ବିରୋଧୀ ଦଙ୍ଗା ସମ୍ପର୍କିତ ଦୁଇ ପୃଷ୍ଠାକୁ ହଟେଇ ଦିଆଯାଇଥିବା ବେଳେ ୧୯୮୪ରେ ଦିଲ୍ଲୀର ଶିଖ୍ ବିରୋଧୀ ଦଙ୍ଗା ପ୍ରସଙ୍ଗଟି ପୂର୍ବ ପରି ରଖାଯାଇଛି। ସରକାରୀ ଦଳର ରାଜନୀତିକୁ ସୁହାଉଥିବା ଗୋଟିଏ ଦଙ୍ଗାକୁ ଉଲ୍ଲେଖ କରାଯାଇଥିବା ବେଳେ ରାଜନୈତିକ ଭାବେ ସୁହାଉ ନଥିବା ଆଉ ଏକ ଦଙ୍ଗାକୁ ହଟେଇ ଦିଆଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପୁସ୍ତକରେ ‘ଜରୁରୀ ପରିସ୍ଥିତି’ ଶୀର୍ଷକ ଅଧ୍ୟାୟର ପାଞ୍ଚ ପୃଷ୍ଠା ହଟେଇ ଦିଆଯାଇଛି।
‘ଗଣତାନ୍ତ୍ରିକ ବ୍ୟବସ୍ଥାର ସଙ୍କଟ’ ଶୀର୍ଷକ ଏହି ଅଧ୍ୟାୟରେ ୧୯୭୫ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀଙ୍କ ସରକାରଙ୍କ ଦ୍ୱାରା କିପରି ସେତେବେଳେ ବିରୋଧୀ ରାଜନୈତିକ କର୍ମୀମାନଙ୍କୁ ଗିରଫ କରାଯାଇଥିଲା, ମିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଭିନ୍ନମତକୁ ଦମନ କରାଯାଇଥିଲା, ଜେଲ ଭିତରେ ରାଜନୈତିକ କର୍ମୀମାନଙ୍କୁ ନିର୍ଯ୍ୟାତନା ଦିଆଯାଇଥିଲା, ବିଚାର ବିଭାଗୀୟ ହାଜତରେ ହତ୍ୟା ବି ହୋଇଥିଲା ଏବଂ ବିନା ନିର୍ଦ୍ଧାରିତ ପ୍ରକ୍ରୀୟାରେ ସରକାରୀ ଅଧିକାରୀମାନଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଉଥିଲା, ତା’ର ଉଲ୍ଲେଖ ରହିଥିଲା। ବୋଧହୁଏ ଏକ ନିରଙ୍କୁଶ ସରକାର ଦ୍ୱାରା କ୍ଷମତାର ଦୁରୁପଯୋଗ କରି ଜରୁରୀ ପରିସ୍ଥିତିର ଘୋଷଣା ଓ ସାଧାରଣ ଜନତାଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଦମନ ସମ୍ପର୍କରେ ଆମର ପିଲାଙ୍କୁ ଜଣାଇବାକୁ ବର୍ତ୍ତମାନର ସରକାର ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି।
ସେହିପରି ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ବହିରେ ଗାନ୍ଧୀଙ୍କ ହତ୍ୟା ସମ୍ପର୍କରେ ଯେଉଁ ପ୍ରସଙ୍ଗ ଥିଲା, ତାକୁ ପ୍ରାୟତଃ କାଟିଦିଆଯାଇଛି। ଦେଶରେ ହିନ୍ଦୁ ମୁସଲମାନ ଏକତା ପାଇଁ ଗାନ୍ଧୀଙ୍କ ଉଦ୍ୟମ ହିନ୍ଦୁ କଟ୍ଟରପନ୍ଥୀମାନଙ୍କୁ କିପରି ଉତ୍ତେଜିତ କରିଥିଲା, ସେତେବେଳେ ନାଥୁରାମ ଗୋଡ଼ସେ ନାମକ ଜଣେ ହିନ୍ଦୁ କଟ୍ଟରପନ୍ଥୀ ମହାତ୍ମା ଗାନ୍ଧୀଙ୍କୁ କିପରି ହତ୍ୟା କରିଥିଲା ଏବଂ ଫଳସ୍ୱରୂପ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷର ପ୍ରସାର କରୁଥିବା ଆରଏସଏସକୁ କିଛି ଦିନ ପାଇଁ ବେଆଇନ ଘୋଷଣା କରିଥିଲେ ବୋଲି ଯେଉଁ ଉଲ୍ଲେଖ ଥିଲା, ତାକୁ କାଟି ଦିଆଯାଇଛି। ଉପରୋକ୍ତ ଧାଡ଼ିଗୁଡ଼ିକ ଯେ ପିଲାଙ୍କ ବଦଳରେ କେନ୍ଦ୍ର କ୍ଷମତାରେ ରହିଥିବା ଲୋକଙ୍କ ପାଇଁ ଏକ ନୈତିକ ବୋଝ ହୋଇଯାଇଥିଲା, ତାହା ଏଥିରୁ ଅନୁମାନ କରାଯାଉଛି।
ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଜର ରାଜନୈତିକ ସ୍ୱାର୍ଥରେ ଇତିହାସକୁ ବଦଳାଇବାର ଚେଷ୍ଟାଟି ନୂଆ ନୁହେଁ। ୧୯୭୭ରେ କ୍ଷମତାକୁ ଆସିବା ପରେ ତତ୍କାଳୀନ ଶାସକ ଦଳର କେତେକ ନେତା ଏନସିଇଆରଟିର ସବୁ ପୁସ୍ତକକୁ ସମ୍ପୂର୍ଣ୍ଣ ହଟେଇ ଦେବାକୁ ଦାବି କରିଥିଲେ। ସେଥିରେ ରମେଶ ଚନ୍ଦ୍ର, ବିପିନ ଚନ୍ଦ୍ରା, ଆରଏସ୍ ଶର୍ମା ଓ ଅର୍ଜୁନ ଦେବଙ୍କ ପୁସ୍ତକ ରହିଥିଲା। ତେବେ ସେତେବେଳର ଭାରତ ଆଜିର ଭାରତ ନଥିଲା, ସାରା ଦେଶରେ ଏହାର ବିରୋଧ ହୋଇଥିଲା। ଏପରିକି ଖୋଦ୍ ଏନସିଇଆରଟି ଭିତରେ ବି ପ୍ରତିବାଦ ହେଲା। ସରକାର ବାଧ୍ୟ ହୋଇ ସେସବୁ ପାଠ୍ୟ ପୁସ୍ତକକୁ ହଟେଇବା ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହେଲେ। ୧୯୯୯ରେ ବି ଦ୍ୱିତୀୟ ଥର ପାଇଁ କେନ୍ଦ୍ର କ୍ଷମତାକୁ ଆସିବା ପରେ ସେମାନେ ପାଠ୍ୟ ପୁସ୍ତକକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ଏବଂ କିଛି ପାଠ୍ୟ ପୁସ୍ତକକୁ ହଟେଇବାରେ ସଫଳ ବି ହୋଇଥିଲେ। ଚଳିତ ଥର ପ୍ରଥମେ କୋଭିଡ଼ ଯୋଗୁଁ ପାଠର ବୋଝ କମାଇବା ନାଁରେ ଏବଂ ପରେ ନୂଆ ଶିକ୍ଷା ନୀତି ନାଁରେ ଦେଶର ପାଠ୍ୟ ପୁସ୍ତକ ବିଶେଷ କରି ଇତିହାସ ପୁସ୍ତକକୁ ରାଜନୈତିକ ବିଚାର ଅନୁରୂପ ବଦଳାଇବାକୁ ଚେଷ୍ଟା ହୋଇଛି।
ବ୍ରିଟିଶ ଶାସନ ସମୟରେ ସରକାର ଦ୍ୱାରା ପ୍ରକାଶିତ ପ୍ରକାଶିତ ଇତିହାସ ବହିରେ କେବଳ ବ୍ରିଟିଶ ଶାସନକୁ ମହିମା ମଣ୍ଡିତ କରାଯାଇଥିଲା। ତେବେ ସ୍ୱାଧୀନତା ପରେ ଏହି ଔପନିବେଶିକ ଇତିହାସକୁ ପୁନଃଲେଖନର ଆବଶ୍ୟକତା ଥିଲା। ଏହିକ୍ରମରେ ସେତେବେଳେ ଏନସିଇଆରଟି ପକ୍ଷରୁ ରାଜନୈତିକ ବିଚାର ନିର୍ବିଶେଷରେ ଦେଶର ଜଣାଶୁଣା ଐତିହାସିକମାନଙ୍କୁ ବାଛି ଇତିହାସ ରଚନାର ଦାୟିତ୍ୱ ଦିଆଯାଇଥିଲା। ସେତେବେଳେ ଏନସିଇଆରଟି ପକ୍ଷରୁ କୁହାଯାଇଥିଲା ଯେ ଦେଶର ବାସ୍ତବ ଇତିହାସ ଲେଖିବାକୁ ହେବ ଯାହାକି ନା ଔପନିବେଶିକ ହେବ ନା ସାମ୍ପ୍ରଦାୟିକ ହେବ। ସେହି କ୍ରମରେ ଦେଶରେ ଇତିହାସ ପୁସ୍ତକ ଲେଖାଯାଇଥିଲା।
ବର୍ତ୍ତମାନ କିନ୍ତୁ ଇତିହାସର ପୁନଃଲେଖନ ନାଁରେ ଅତ୍ୟନ୍ତ ବିପଜ୍ଜନକ ଖେଳ ଆରମ୍ଭ ହୋଇଛି। ଗୋଟିଏ ପଟେ ଇତିହାସ ନାଁରେ ମିଛକଥା, କିମ୍ବଦନ୍ତୀ, କାଳ୍ପନିକ ଘଟଣା ଓ ମିଥ୍ୟାକୁ ବି ଇତିହାସ କରିବାକୁ ଚେଷ୍ଟା କରାଯାଉଥିଲା ବେଳେ ଅନ୍ୟପଟେ ଇତିହାସକୁ ସଂଶୋଧିତ କରି ଏକ ସାମ୍ପ୍ରଦାୟିକ ବିମର୍ଷ ତିଆରି କରିବାକୁ ଚେଷ୍ଟା କରାଯାଉଛି। ପୂର୍ବରୁ ମୁସଲମାନଙ୍କ ନାଁରେ ରହିଥିବା ଦେଶର ଅନେକ ସହର ଓ ରାସ୍ତାଗୁଡ଼ିକର ନାମକୁ ଏକଦମ୍ ବଦଳାଇ ହିନ୍ଦୁ ନାଁରେ ପରିଣତ କରିବା ପରେ ଏବେ ସରକାର ଇତିହାସ ପୁସ୍ତକରୁ ସେମାନଙ୍କ ଶାସନ କାଳ ଓ ଚିହ୍ନବର୍ଣ୍ଣକୁ ସମ୍ପୂର୍ଣ୍ଣ ହଟେଇଦେବାର ଚେଷ୍ଟା ଆରମ୍ଭ କରିଛନ୍ତି। ଭାରତରେ ଶହ ଶହ ବର୍ଷର ଇସଲାମିକ ଶାସକମାନଙ୍କ ଶାସନରେ ଯାହା ବି ଭଲ କାମ ହୋଇଥିଲା ତାକୁ ଇତିହାସ ପୃଷ୍ଠାରୁ ହଟେଇବାକୁ ଉଦ୍ୟମ କରାଯାଇଥିବା ବେଳେ ସେମାନଙ୍କ ଜନବିରୋଧୀ କାର୍ଯ୍ୟକୁ ବଢ଼େଇ ଚଢ଼େଇ କରି ଉପସ୍ଥାପିତ କରି ଦେଶର ମୁସଲମାନ ସଂପ୍ରଦାୟ ବିରୁଦ୍ଧରେ ଘୃଣା ପ୍ରସାରଣ କରିବାକୁ ଚେଷ୍ଟା କରାଯାଇଛି। କହିବାକୁ ଗଲେ ଗାନ୍ଧୀ, ନେହେରୁଙ୍କ ପରି ଯେଉଁ ନେତାମାନେ ଦେଶରେ ହିନ୍ଦୁ ମୁସଲମାନ ଏକତାର ପକ୍ଷଧର ଥିଲେ, ସେମାନଙ୍କୁ ବି ଇତିହାସରୁ ହଟେଇ ଦେବାକୁ ଚେଷ୍ଟା ଆରମ୍ଭ ହୋଇଛି।
ଇତିହାସରେ ଏହା ବାରମ୍ବାର ପ୍ରମାଣିତ ହୋଇଛି ଯେ ଯଦି କୌଣସି ସମ୍ପ୍ରଦାୟକୁ ଏପରି ସାଂସ୍କୃତିକ ଭାବେ ଆକ୍ରମଣ କରାଯିବ, ତାହା ଶେଷରେ ସେମାନଙ୍କ ନରସଂହାରରେ ସମାପ୍ତି ହେବ। ଦେଶରେ ସଂଖ୍ୟାଲଘୁ ନରସଂହାରର ଡାକରା ତ ଅନେକ ପୂର୍ବରୁ ଦିଆଯାଇଛି। ହରିଦ୍ୱାର, ଦିଲ୍ଲୀ ଆଦି ଦେଶର ବିଭିନ୍ନ ସ୍ଥାନରେ ଧର୍ମ ସଂସଦ ନାଁରେ ହୋଇଥିବା ଆୟୋଜନମାନଙ୍କରେ ଖୋଲାଖୋଲି ଭାବେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ରର ତାଲିମ ନେବାକୁ ଏବଂ ନରସଂହାର କରିବାକୁ ଡାକରା ଦିଆଯାଇଛି। ବର୍ତ୍ତମାନ ଇତିହାସ ଓ ଅନ୍ୟ ପାଠ୍ୟପୁସ୍ତକର ସାମ୍ପ୍ରଦାୟୀକରଣ ହେବା ପରେ ପରେ ଆସିଥିବା ବିଭିନ୍ନ ବିବୃତ୍ତିରୁ ବି ଏହି ନରସଂହାରର ଆଂଶଙ୍କାଟି ସ୍ପଷ୍ଟ ବାରିହେଉଛି। ଦିଲ୍ଲୀ ବିଜେପିର ନେତା କପିଳ ମିଶ୍ର ତୁରନ୍ତ ବିବୃତ୍ତି ଦେଇ କହିଛନ୍ତି, ଯେଉଁମାନଙ୍କୁ ଇତିହାସରେ ମୋଗଲ ଶାସକ ବୋଲି କୁହାଯାଉଛି ସେମାନେ ଚୋର, ପକେଟମାର ଓ ଦି ପଇସାର ସଡ଼କଛାପ ଲୋକ ଥିଲେ। ଆକବର, ବାବର, ହାଜାହାନ, ଔରେଙ୍ଗଜେବ୍ ଆଦି ମୋଗଲ ଶାସକମାନେ ଦେଶର ଇତିହାସ ପୁସ୍ତକରେ ନୁହେଁ ବରଂ ଡଷ୍ଟବିନରେ ରହିବା ଦରକାର। ଲୋକମାନେ ଦେଶରେ ସାମ୍ପ୍ରଦାୟିକ ଘୃଣାର ଏହି ଇକୋସିଷ୍ଟମକୁ ଭଲ ରୂପେ ବୁଝିବା ଦରକାର।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଫୋନ ନଂ- ୯୪୩୭୧୬୬୩୯୧