/odisha-reporter/media/media_files/2026/01/22/droupadi-2026-01-22-15-16-50.jpg)
Dopadi And Mahashweta Photograph: (Internet)
ଦେବ ରଞ୍ଜନ
କେନ୍ଦ୍ର ସାହିତ୍ୟ ଏକାଡେମି ଦ୍ଵାରା ପୁରସ୍କୃତ ‘ଅରଣ୍ୟର ଅଧିକାର’ ଉପନ୍ୟାସର ପ୍ରଖ୍ୟାତ ଔପନ୍ୟାସିକା ମହାଶ୍ୱେତା ଦେବୀ ଆଜି ବଞ୍ଚିଥିଲେ ତାଙ୍କୁ ଏକ ଶହ ବର୍ଷ ହୋଇଥାନ୍ତା। ତାଙ୍କର ଜନ୍ମ ଜାନୁଆରୀ ୧୪, ୧୯୨୬ ମସିହାରେ। ଅନ୍ୟତମ ପ୍ରସିଦ୍ଧ ଉପନ୍ୟାସ ‘ହଜାର ଚଉରାଶିର ମା’ ଲାଗି ସେ ଜ୍ଞାନପୀଠ ପୁରସ୍କାର ଦ୍ଵାରା ପୁରସ୍କୃତ ହୋଇଥିଲେ। ନିଜର ସୃଜନଶୀଳ ଲେଖା ଲାଗି ସେ ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାର ମଧ୍ୟ ପାଇଛନ୍ତି।
କେବଳ ସରକାରୀ ପୁରସ୍କାର ନୁହେଁ ତାଙ୍କର ପାଠକଙ୍କ ସଂଖ୍ୟା କିଛି କମ ନଥିଲା। ଯଦିଓ ସେ ବଙ୍ଗାଳୀ ଭାଷାରେ ଲେଖୁଥିଲେ କିନ୍ତୁ ହିନ୍ଦୀ ଓ ଇଂରାଜୀ ଭାଷାର ଅନୁବାଦିତ ତାଙ୍କ ପୁସ୍ତକର ବିକ୍ରି ଏକଦା ଅଧିକ ଥିଲା। ନିଜର ଉପନ୍ୟାସ ଓ ଗଳ୍ପର ବିକ୍ରି ଉପରେ ଜୀବନ ନିର୍ବାହ କରିଥିବା ଅଳ୍ପ କେତେ ଜଣ ଭାରତୀୟ ଲେଖକ ଲେଖିକାଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ।
ତାଙ୍କର ପାଠକ ଦେଶର ଅନେକ କୋଣରେ ରହିଛନ୍ତି। ଅନେକ ରାଜ୍ୟର ପାଠ୍ୟ ପୁସ୍ତକରେ ତାଙ୍କର ଗଳ୍ପ ଓ ଉପନ୍ୟାସ ପଢ଼ାଯାଉଛି। ଏପରି କୌଣସି ଭାରତୀୟ ଭାଷା ନାହିଁ ଯେଉଁ ଭାଷାରେ ତାଙ୍କର କୌଣସି ଉପନ୍ୟାସ ଅଥବା ଗଳ୍ପ ଅନୁବାଦିତ ହୋଇ ରହିନାହିଁ। ଅଥଚ ଆଜି ତାଙ୍କର ଶତାବ୍ଦୀ ଜନ୍ମ ବର୍ଷରେ ସାହିତ୍ୟ ଜଗତରେ କୌଣସି ଆଲୋଚନା ନହେବା ମୋତେ ଆଶ୍ଚର୍ଯ୍ୟ କରୁଛି।
ସାହିତ୍ୟ ଜଗତ ହୁଏତ ନିଜକୁ ମହାଶ୍ୱେତା ଦେବୀଙ୍କ ଲେଖା ଠାରୁ ଦୂରେଇ ରଖିବାକୁ ଉଚିତ ମନେ କରୁଥାଇ ପାରେ। କିନ୍ତୁ ତାଙ୍କର ଲେଖା ଆମକୁ ପ୍ରତିବାଦ ଓ ପ୍ରତିରୋଧ ଲାଗି ସାହସ ଦେଉଥିବ। ସେ ବିଶ୍ଵାସ କରୁଛନ୍ତି ପ୍ରତିରୋଧକୁ, ପ୍ରତିବାଦକୁ, ସେହି ପ୍ରତିବାଦ ଯାହାର କୌଣସି ଅନ୍ତ ନାହିଁ। ଏହା ତାଙ୍କର ଅନେକ ଗଳ୍ପ ଓ ଉପନ୍ୟାସରେ ପ୍ରତିଫଳିତ।
ମହାଶ୍ୱେତା ଦେବୀଙ୍କ ଗଳ୍ପ ‘ଦ୍ରୌପଦୀ’ର ଶେଷ ଦୃଶ୍ୟକୁ କଳ୍ପନା କଲେ ପାଠକ ବି ସୁପ୍ତ ହୋଇରହିପାରିବ ନାହିଁ। ଲେଖିକାଙ୍କ ‘ଦ୍ରୌପଦୀ’ର ଜୀବନ ଓ ଲଢ଼େଇ ଏତେ ବାସ୍ତବ ହୋଇଛି ଯେ ସେହି ସ୍ଥାନରେ ସେହି ଚରିତ୍ର ସେହି ଭାବରେ ହିଁ ନିଜର ପ୍ରତିକ୍ରିୟା ରଖିବ। କାହାଣୀର ମୁଖ୍ୟ ଚରିତ୍ର ଦ୍ରୌପଦୀ ବା ଦୋପଦୀ ଜଣେ ସାନ୍ତାଳୀ ଆଦିବାସୀ ମହିଳା। ତାଙ୍କ ବିରୁଦ୍ଧରେ ସରକାରୀ ଅଭିଯୋଗ ଯେ ଗାଁରେ ଥିବା କୂଅ ଓ ନଳକୂଅକୁ ଗାଁର ଜମିଦାର ସୂର୍ଯ୍ୟ ସାହୁ ଅକ୍ତିଆର କରିବା ହେତୁ ସେ ନିଜ ସ୍ଵାମୀ ଧୂଲନା ମାଝି ସହିତ ମିଶି ଜମିଦାରକୁ ହତ୍ୟା କରିଛି।
ଦୋପଦୀ ଓ ଧୂଲନାକୁ ଧରିବା ଲାଗି ସରକାର ପୋଲିସ ଅଫିସର ସେନାନାୟକ (ବୁରା ବାବୁ)ଙ୍କ ନେତୃତ୍ଵରେ ‘ଅପରେସନ ବାକୁଲି’ ଆରମ୍ଭ କରିଛନ୍ତି। ଆଦିବାସୀ ପଡ଼ାରେ ସାହୁକାରର ଅତ୍ୟାଚାରକୁ ରୋକିବା ଦିଗରେ ସରକାରୀ ଅସମର୍ଥତା ଆଦୌ ଆଲୋଚନାର ପ୍ରସଙ୍ଗ ହୋଇରହିନାହିଁ। ଅଥଚ ସରକାରୀ ଯବାନମାନେ ସ୍ଵାମୀ ସ୍ତ୍ରୀଙ୍କୁ ଧରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ପୋଲିସର ସେହି ଅପରେସନ ଭିତରେ ଧୂଲନାକୁ ହତ୍ୟା କରାଯାଇଛି। ଦୋପଦୀ ଧରା ହୋଇଛି। ପୋଲିସ କ୍ୟାମ୍ପ ଭିତରେ ସେନାନାୟକ ନିଜର ପୋଲିସ କର୍ମଚାରୀଙ୍କୁ ଦୋପଦୀକୁ ‘ଯାହା କରିବା କଥା କରିଦିଅ’ କହି ଚାଲିଯାଇଛି।
ପୋଲିସମାନେ ମିଳିତ ଭାବରେ ଦୋପଦୀକୁ ଗଣଧର୍ଷଣ କରିଛନ୍ତି। କିଛି ସମୟ ପରେ ସେନାନାୟକ ଆସିଛି। ଦୋପଦୀ ନିଜର ବସ୍ତ୍ରକୁ ଫିଙ୍ଗି ଉଲଗ୍ନ ହୋଇ ଠିଆ ହୋଇଛି। ସେନାନାୟକ ଯବାନମାନଙ୍କୁ ପଚାରୁଛି ‘ତାହାର ଲୁଗା କାହିଁ?’ ଦୋପଦୀ ଉତ୍ତର ଦେଉଛି, ‘ଏଠି କେହି ମର୍ଦ୍ଦ ନାହିଁ ଯାହାକୁ ମୁଁ ଲଜ୍ଜା କରି ଲୁଗା ପିନ୍ଧିବି।’ ନିଜ ଓଠରୁ ଝରୁଥିବା ରକ୍ତକୁ ପୋଛୁଛି ଓ ପଚାରୁଛି, ‘ତୁ ମୋତେ ଲଙ୍ଗଳା କରିଦେଇପାରୁ। କିନ୍ତୁ ମୋତେ ପୁଣି ପିନ୍ଧାଇ ପାରିବୁ କି ଲୁଗା? ତୁ କ’ଣ ପୁରୁଷ?’ ଦୋପଦୀ ସେନାନାୟକର ଅତି ପାଖକୁ ଆସିଯାଉଛି। ନିଜର ସ୍ତନକୁ ସେନାନାୟକର ଛାତିରେ ଧକ୍କା ଦେଇ ଚିତ୍କାର କରୁଛି, ‘ମୋତେ ସାମ୍ନା କର.... ତୁ ଆଉ କ’ଣ କରିପାରିବୁ ମୋର କର, ଯାହା ପାରୁଛୁ କର, ମୋତେ ସାମ୍ନା କର।’ ସେନାନାୟକ ପ୍ରଥମ ଥର ଲାଗି ଏକ ନୀରସ୍ତ୍ର ଲୋକ ସାମ୍ନାରେ ଠିଆ ହେବାକୁ ଡରି ଯାଉଛି।
ମହାଶ୍ୱେତା ଦେବୀଙ୍କ ଗଳ୍ପ ‘ଦ୍ରୌପଦୀ’ ଗଳ୍ପର ପୃଷ୍ଠଭୂମି ହେଉଛି ସତୁରୀ ଦଶକର ନକ୍ସଲବାଡ଼ି ଆନ୍ଦୋଳନ। ଏହି ଆନ୍ଦୋଳନକୁ କଂଗ୍ରେସ ପାର୍ଟି କେନ୍ଦ୍ରରେ ଥିବା ସମୟରେ ଅର୍ଦ୍ଧସାମରିକ ବାହିନୀ ଓ ସାମରିକ ବାହିନୀ ବ୍ୟବହାର କରି ସଂପୂର୍ଣ୍ଣ ଦମନ କରିଛି।
ଏହି ଗଳ୍ପ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗର ପାଠ୍ୟକ୍ରମରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରହିଥିଲା। କଂଗ୍ରେସ ସରକାର ଏଥିରେ ଅଶ୍ଵସ୍ତି ଅନୁଭବ କରିନଥିଲା। କିନ୍ତୁ ଭାରତୀୟ ଜନତା ପାର୍ଟି ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ ଏହି ଗଳ୍ପକୁ ସହ୍ୟ କରିପାରୁନଥିଲା। ଶେଷରେ ୨୦୧୬ରେ ଏହାକୁ ପାଠ୍ୟକ୍ରମରୁ ବାଦ ଦିଆଗଲା। କଂଗ୍ରେସର ‘ସନ୍ତୁଳନ ରାଜନୀତି’ (ଉଭୟ ଶୋଷକ ଓ ଶୋଷିତ ଏକ ସମାଜରେ ରହିଥାନ୍ତୁ) ହେତୁ ଛାତ୍ରଛାତ୍ରୀମାନେ ଯାହାଙ୍କୁ ପଢ଼ିବାର ସୁଯୋଗ ପାଉଥିଲେ ବିଜେପିର ଏକ ପାଖିଆ ରାଜନୀତି କାରଣରୁ (କେବଳ ଶୋଷକମାନେ ସୁରକ୍ଷିତ ରୁହନ୍ତୁ) ଏହି ଗଳ୍ପକୁ ବାଦ ଦିଆଗଲା। ବିଜେପି ଛତିଶଗଡ଼ ରାଜ୍ୟରେ ଯେଉଁ ‘ଅପରେସନ କଗାର’ ଆରମ୍ଭ କରିଛି ତାହା ଦୋପଦୀକୁ ଧରିବା ଲାଗି ହୋଇଥିବା ‘ଅପରେସନ ବାକୁଲି’ ଠାରୁ ଆଦୌ ଭିନ୍ନ ନୁହେଁ।
ମହାଶ୍ୱେତା ଦେବୀଙ୍କ ପ୍ରତିବାଦ କାହାଣୀର ଅନ୍ୟ ଏକ ଉଦାହରଣ ହେଲା ଉପନ୍ୟାସ ‘ହଜାର ଚଉରାଶିର ମା’ ଯାହା ଲାଗି ସେ ୧୯୯୬ ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ୧୯୯୬ ଭାରତୀୟ କ୍ଷମତା ରାଜନୀତିରେ ସବୁଠାରୁ ଅସ୍ଥିର ସମୟ ଥିଲା। ଏହି ବର୍ଷ ତିନି ଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ। ପୁରସ୍କାର ବିତରଣ ସମୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ରହିଥାନ୍ତି।
ଆଜି କେନ୍ଦ୍ର ସରକାରଙ୍କର ସାହିତ୍ୟ ପୁରସ୍କାର କ୍ଷେତ୍ରରେ ହସ୍ତକ୍ଷେପ ଏତେ ବଢ଼ି ଯାଇଛି ଯେ ଏଥର ଏକାଡେମି ପୁରସ୍କାର ଘୋଷଣା ଶେଷ ମୁହୂର୍ତ୍ତରେ ବାତିଲ ମଧ୍ୟ କରିଦିଆଗଲା। ସାମାନ୍ୟତମ ସମାଲୋଚନାକୁ ସହ୍ୟ କରିପାରୁନଥିବା ଏକ ସରକାର ସମୟରେ ‘ହଜାର ଚଉରାଶିର ମା’ର କଥାବସ୍ତୁକୁ ନେଇ ଆଜି ଉପନ୍ୟାସ ପ୍ରକାଶ ପାଇବା ମଧ୍ୟ କଷ୍ଟ ହୋଇଯିବ।
ଏହାର କଥାବସ୍ତୁ ଅନୁସାରେ, ୧୯୬୮ ମସିହାର ନକ୍ସଲବାଡ଼ି ଆନ୍ଦୋଳନ ଜଳପାଇଗୁଡ଼ି ସୀମା ଅତିକ୍ରମ କରି କଲିକତା ସହର ପହଞ୍ଚିଥାଏ। ଏଥିରେ ହଜାର ହଜାର ଛାତ୍ରଛାତ୍ରୀ ସମାଜବାଦର ସ୍ଵପ୍ନ ନେଇ ଯୋଗଦେଇଥାନ୍ତି। ପୁଲିସ ଦ୍ଵାରା ସଂଗଠିତ ଏନକାଉଣ୍ଟର ହତ୍ୟା, ଗିରଫ, ନିର୍ଯାତନାର ବିଭିନ୍ନ ଘଟଣାକୁ ନେଇ ‘ହଜାର ଚଉରାଶିର ମା’ ଲିଖିତ।
ମାକ୍ସିମ ଗର୍କୀଙ୍କ ‘ମା’ରେ ନୀଲୋଭ୍ନା ଧୀରେ ଧୀରେ ପଭେଲର କାର୍ଯ୍ୟ ସହିତ ସାମିଲ ହୋଇଯାଇଛି, ସେ ଚିଠିବାହିକା ହୋଇଛି, ରୁଷ ବିପ୍ଳବୀଙ୍କୁ ଆଶ୍ରୟ ଦେଉଛି। ଏହା ପାଭେଲର ଜୀବନ କାଳ ମଧ୍ୟରେ ହୋଇଛି। ପଭେଲଙ୍କୁ ଜାର ଶାସକଙ୍କ ଦ୍ଵାରା ସାଇବେରିଆ ଜେଲକୁ ପଠାଇ ଦିଆଯାଉଛି। ତାଙ୍କ ସ୍ଥାନରେ ନୀଲୋଭ୍ନା ଏକ କମ୍ରେଡ଼ର ଭୂମିକା ନେଉଛନ୍ତି। କିନ୍ତୁ ମହେଶ୍ଵତା ଦେବୀଙ୍କ ‘ହଜାର ଚଉରାଶିର ମା’ର ମୁଖ୍ୟ ଚରିତ୍ର ବ୍ରତୀର ମା’ ଭାବରେ ସୁଜାତା ବ୍ରତୀର ହତ୍ୟା ପରେ ତାହାର ରାଜନୈତିକ କାର୍ଯ୍ୟକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। ସେହି ଭିତରେ ତାଙ୍କର ପ୍ରତିବାଦ କରିବାର ପ୍ରସ୍ତୁତି ମଧ୍ୟ ବଢ଼ିବାରେ ଲାଗିଛି। ଶେଷରେ ସେ ଏକ ସରକାରୀ ନିୟୋଜିତ ହତ୍ୟାକାରୀକୁ ଲୋକଙ୍କ ଦ୍ଵାରା ଧରାଇ ଦେଉଛନ୍ତି।
ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବଙ୍ଗଳାର ଲେଖକ ବଙ୍କିମ ଚନ୍ଦ୍ରଙ୍କ ‘ବନ୍ଦେ ମାତରମ’ ଦେଶାତ୍ମବୋଧ ଗୀତ ହେଉ ଅଥବା ବଙ୍ଗଳାର ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରାଜନୈତିକ ଜୀବନ ହେଉ ଉଭୟକୁ ନିଜର ଆଦର୍ଶ କରିଛି। ସଂସଦରେ ଅନେକ ଆଲୋଚନା କରିପାରିଛି। କିନ୍ତୁ ମହାଶ୍ୱେତା ଦେବୀ ନିଜର ଅଧିକାଂଶ ଲେଖାରେ କଂଗ୍ରେସର ଅତ୍ୟାଚାର ମନୋବୃତ୍ତିକୁ ବିରୋଧ କରିଥିଲେ ମଧ୍ୟ ବିଜେପି ତାଙ୍କୁ କଂଗ୍ରେସ ବିରୁଦ୍ଧରେ ଗୋଟି କରିବାର ସାହସ ଜୁଟାଇ ପାରିନାହିଁ। ଏହା ବିଜେପିର ଉତ୍ତମ ନିଷ୍ପତ୍ତି। ଏଭଳି ନିଷ୍ପତ୍ତିର ମୂଳ କାରଣ ହେଲା ମହାଶ୍ୱେତା ଦେବୀଙ୍କ ଲେଖାରେ ଯେଉଁଭଳି ପ୍ରଭୁତ୍ଵବାଦକୁ ବିରୋଧ କରାଯାଇଛି ତାହା କଂଗ୍ରେସ ହେଉ କି ବିଜେପି ଅଥବା ସିପିଏମ (ପଶ୍ଚିମ ବଙ୍ଗରେ ସିପିଏମ ଅନେକ ବର୍ଷ କ୍ଷମତାରେ ଥିଲା) ସମସ୍ତଙ୍କ ବିରୁଦ୍ଧରେ ପ୍ରଯୁଜ୍ୟ।
ଦଳ ଭାବରେ ନହେଲେ ବି ସରକାରୀ ସ୍ତରରେ ମଧ୍ୟ ମହେଶ୍ଵତା ଦେବୀଙ୍କୁ ମନେ ନପକାଇବା କଦାପି ଭୁଲିଯିବା ନୁହେଁ ବରଂ ସାହିତ୍ୟ ଜଗତରୁ ତାଙ୍କ ନାମକୁ ସଂପୂର୍ଣ୍ଣ ପୋଛିଦେବା ଏହାର ଉଦ୍ଦେଶ୍ୟ। ସେ ଥିଲେ ଜଣେ ବାମବାଦୀ ଲେଖିକା, କିନ୍ତୁ କୌଣସି ଦଳୀୟ ମଣିଷ ନଥିଲେ। ସେ ଆଦୌ ଈଶ୍ୱର ବିଶ୍ଵାସୀ ନଥିଲେ କିନ୍ତୁ କାହର ବିଶ୍ଵାସକୁ ବାଧା ଦେଉନଥିଲେ। ତାଙ୍କର ଲେଖା ଗବେଷଣା ଆଧାରିତ ଥିଲା। କୌଣସି ଅଞ୍ଚଳ ଉପରେ ଲେଖିବା ସମୟରେ ସେ ଯଥେଷ୍ଟ ସମୟ ସେହି ଅଞ୍ଚଳରେ ରହୁଥିଲେ।
ରାଜୀବ ମେହରୋତ୍ରାଙ୍କୁ ଦେଇଥିବା ସାକ୍ଷାତକାର (ୟୁଟ୍ୟୁବରେ ଉପଲବ୍ଧ)ରେ ମହାଶ୍ୱେତା ଦେବୀ ସ୍ଵୀକାର କରୁଛନ୍ତି, ‘ମୁଁ ଲେଖିବା ଆଗରୁ ଅନୁସନ୍ଧାନ କରେ। ଗବେଷଣା କରେ। ସମାଜର ପେଟକୁ ଚିରି ଦିଏ ଅତି ନିଷ୍ଠୁର ଭାବରେ ଓ ଏହାପରେ ଲେଖିଥାଏ। ଲେଖିବା ଭିତରେ ମୁଁ ସର୍ବଦା ଯେ ଶୋଷିତ ତାହାର ପକ୍ଷ ନେଇଥାଏ।’
ମହାଶ୍ୱେତା ଦେବୀ ଅନେକ ପ୍ରସଙ୍ଗରେ ଅନୁସନ୍ଧାନମୂଳକ ଉପନ୍ୟାସ ଓ ଗଳ୍ପ ଲେଖିଛନ୍ତି। ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡରେ ଗୋତି ଶ୍ରମିକ ପ୍ରଥାର ଉଚ୍ଛେଦ ଲାଗି ଲେଖିଛନ୍ତି। ବ୍ରିଟିଶ ସରକାର ଲୋଧା ଓ ଶବର ଆଦିବାସୀଙ୍କୁ ଅପରାଧୀ ଆଦିବାସୀ ତାଲିକାଭୁକ୍ତ କରିବାର ବିରୁଦ୍ଧରେ ଲେଖିଛନ୍ତି। ଇଟାଭାଟିରେ କାମ କରୁଥିବା ଆଦିବାସୀ ମହିଳାଙ୍କ ଦୁରବସ୍ଥାକୁ ନେଇ ଲେଖିଛନ୍ତି। ଆଜବେଷ୍ଟସ ହେତୁ ସିଲିକୋସିସ ରୋଗରେ ପଡୁଥିବା ଆଦିବାସୀଙ୍କ କଥା ଲେଖିଛନ୍ତି।
ତାଙ୍କର ‘ଅରଣ୍ୟର ଅଧିକାର’ ଗଳ୍ପ ବୀର୍ସା ମୁଣ୍ଡାଙ୍କ ଜୀବନୀ ଓ ଇଂରେଜ ବିରୋଧୀ ସଂଘର୍ଷରେ କାହାଣୀ। ଅରଣ୍ୟ ଉପରେ ଆଦିବାସୀର ଅଧିକାର ରହିଥିବା କାରଣରୁ ସେ ବୀର୍ସାଙ୍କ ‘ଉଲଗୁଲାନ’ ସମ୍ପର୍କରେ ଲେଖିଛନ୍ତି, ‘ସେଥିପାଇଁ ତ ବିରସା ଅରଣ୍ୟର ଅଧିକାର ଚାହିଁଥିଲା। ଅରଣ୍ୟକୁ ସେ ଦିକୁମାନଙ୍କ ଦଖଲରୁ କାଢ଼ିନେବ। ଅରଣ୍ୟ ମୁଣ୍ଡାମାନଙ୍କ ମା’ ଏବଂ ଦିକୁମାନେ (ସହରୀ ଶିକ୍ଷିତ ଲୋକେ) ମୁଣ୍ଡାମାନଙ୍କର ଜନନୀକୁ ଅପବିତ୍ର କରି ରଖିଛନ୍ତି। ଉଲଗୁଲାନର ନିଆଁ ଜଲିଲେ ମୁଣ୍ଡା, କୋହ୍ଲ, ସାନ୍ତାଳୀ, ଓରାଂ ସମସ୍ତ ଆଦିବାସୀ ପୁଣି ନିଜ ମା’ କୋଳକୁ ଫେରିଯାଇଥାନ୍ତେ।’ ‘ଅରଣ୍ୟର ଅଧିକାର’ ଉପନ୍ୟାସ ଲାଗି ତାଙ୍କୁ ୧୯୭୯ରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା।
ତାଙ୍କର ‘ସ୍ତନଦାୟିନୀ’ ଗଳ୍ପରେ ସହରୀ ଶିକ୍ଷିତ ମଧ୍ୟବିତ୍ତ ପରିବାରର ଶଠତା ରହିଛି। ଗଳ୍ପ ଅନୁସାରେ, ଧନୀ ପରିବାରର ପିଲାଙ୍କ ଦେଖାରଖା ଲାଗି ନିଯୁକ୍ତ ଆୟାର ୨୫ ବର୍ଷର କାର୍ଯ୍ୟ ପରେ ପୁଣି ସେ ବେମାର ହେବା ହେତୁ ତାହାକୁ ଚାକିରିରୁ ବାହାର କରିଦେଇଯିଅଛି। ‘ସତ୍ୟ ଅସତ୍ୟ’ ଗଳ୍ପରେ ଘରୋଇ ମହିଳା ଶ୍ରମିକର ନିଜ ମାଲିକ ଦ୍ଵାରା ହୋଇଥିବା ଯୌନ ଅତ୍ୟାଚାରର କାହାଣୀ ରହିଛି।
ଆଦିବାସୀ ଓ ଗରିବ ମହିଳା ସର୍ବଦା ମହାଶ୍ୱେତା ଦେବୀଙ୍କ କଥାବସ୍ତୁର ପ୍ରମୁଖ କାହାଣୀ ହୋଇ ରହିଛନ୍ତି। ବିଶେଷକରି ଆଦିବାସୀ ତାଙ୍କର ଲେଖାର କେନ୍ଦ୍ରବିନ୍ଦୁ। ଆଦିବାସୀଙ୍କ ମଧ୍ୟରେ ରହିଥିବା ନାରୀ ଓ ପୁରୁଷ ସମାନତା, ଆର୍ଥିକ ସମାନତା ତାଙ୍କୁ ଆକର୍ଷିତ କରିଥିଲା। ସେ ଅନୁଭବ କରୁଥିଲେ ଯେ ସଭ୍ୟତା ଆଦିବାସୀଙ୍କ ପ୍ରତି ଶହ ଶହ ବର୍ଷ ହେଲା ଅନ୍ୟାୟ କରିଚାଲିଛି। ତେଣୁ ତାଙ୍କର ଲେଖା ମାଧ୍ୟମରେ ସେ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି।
ପ୍ରଭୁତ୍ଵବାଦ ବିରୁଦ୍ଧରେ ଆଦିବାସୀଙ୍କ ଲଢ଼େଇ ଏବେ ବି ଚାଲିଛି। ସେହି ଲଢ଼େଇ ପୁଣି ମୁଖ୍ୟ ଧାରାରେ ନଆସିବା ଲାଗି କେତେକ ଅସହିଷ୍ଣୁ ଗୋଷ୍ଠୀର ଉଦ୍ୟମ। ଏହି କାରଣରୁ ତାଙ୍କର ଶତବାର୍ଷିକୀରେ ଆଜିର ନିରବତା। ମହାଶ୍ୱେତା ଦେବୀ କିନ୍ତୁ ଏହାର ଯଥେଷ୍ଟ ଉର୍ଦ୍ଧ୍ୱରେ। ତାଙ୍କର ଦେହାନ୍ତ ୨୦୧୬ ମସିହାରେ ହୋଇଥିଲା।
ଏହି ପ୍ରଖ୍ୟାତ ଲେଖିକାଙ୍କ ପ୍ରତି ସମଗ୍ର ମାନବ ସମାଜର ଗଭୀର ଶ୍ରଦ୍ଧାଞ୍ଜଳି।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
