ସ୍କୁଲଗୁଡ଼ିକର ପରିବର୍ତ୍ତନ ଆବଶ୍ୟକ

ଉତ୍ତମ ଶିକ୍ଷାର ଅର୍ଥ ନୁହେଁ କାଗଜ ଡିଗ୍ରୀ ପାଇ କମ୍ପୁଟର ଚଳାଇ ଦୁଇ ଚାରିପଦ ଇଂରାଜିରେ ଭାଷଣ ଦେବା।

  • ସୁଧାଂଶୁ ରଞ୍ଜନ ଦାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବର ଉଦ୍ଘାଟନ ସମାରୋହରେ ଭାଷଣ ଦେଲାବେଳେ ଶିକ୍ଷାର ବିକାଶ ପାଇଁ ପାଞ୍ଚଟି ନୂତନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି। ସାଇନ୍‌ ବା ସାଙ୍କେତିକ ଭାଷା ଶବ୍ଦକୋଷର ପ୍ରଚଳନ, କଥା କହୁଥିବା ଡିଜିଟାଲ ପୁସ୍ତକ, ବିଦ୍ୟାଳୟଗୁଡ଼ିକର ମୂଲ୍ୟାୟନ, ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଶିକ୍ଷା ସ୍ୱେଚ୍ଛାସେବୀ ଗଠନ, ଦାନ ଗ୍ରହଣ ଓ ସିଏସଆର ଯୋଗଦାନ ଇତ୍ୟାଦିକୁ ପ୍ରାଥମିକତା ଦିଆଯିବ ବୋଲି ନରେନ୍ଦ୍ର ମୋଦି କହିଛନ୍ତି। ପ୍ରକୃତ ଶିକ୍ଷାର ଅଭାବ ଯୋଗୁଁ ଭାରତରେ ଆର୍ଥିକ ବିକାଶର ସମସ୍ତ ସମ୍ଭାବନା ଥିଲେ ମଧ୍ୟ ଏହା ଏକ ବିକଶିତ ଦେଶ ହୋଇପାରୁନାହିଁ। ଦେଶରେ ବେରୋଜଗାରୀ, ପ୍ରବଳ ମାତ୍ରାରେ ବ୍ୟାଙ୍କ ଠକେଇ, ସହରଗୁଡ଼ିକର ଅବନତି, ଅପରାଧ ସଂଖ୍ୟାରେ ବୃଦ୍ଧି, ଭେଜାଲ କାରବାରରେ ବୃଦ୍ଧି ଓ ଦରଦାମ ବୃଦ୍ଧି ଇତ୍ୟାଦିର ପ୍ରମୁଖ କାରଣ ହେଲା ଆମ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ତାର ନାଗରିକମାନଙ୍କୁ ଉତ୍ତମ ଶିକ୍ଷା ଦେଇପାରିନାହିଁ। ଉତ୍ତମ ଶିକ୍ଷାର ଅର୍ଥ ନୁହେଁ କାଗଜ ଡିଗ୍ରୀ ପାଇ କମ୍ପୁଟର ଚଳାଇ ଦୁଇ ଚାରିପଦ ଇଂରାଜିରେ ଭାଷଣ ଦେବା। ଉତ୍ତମ ଶିକ୍ଷାର ଉଦେଶ୍ୟ ହେଲା ଶିକ୍ଷିତ, ସଚ୍ଚୋଟ, ନିଷ୍ଠାପର, ଶାରୀରିକ ଓ ମାନସିକ ଶକ୍ତିରେ ପରିପୂର୍ଣ୍ଣ ସାହସୀ ନାଗରିକ ତିଆରି କରିବା। ବ୍ରିଟିଶ ସରକାର ଦେଶକୁ ଲୁଟିବା ପାଇଁ  ଶିକ୍ଷାନୁଷ୍ଠାନ ମାଧ୍ୟମରେ ମେରୁଦଣ୍ଡ ବିହୀନ, ତୋଷାମଦକାରୀ, ବିଚାରଶୂନ୍ୟ ଯୁବକମାନଙ୍କୁ ତିଆରି କରିଥିଲା ଯେଉଁମାନେ ଶାସନ କଳରେ ରହି ବ୍ରିଟିଶ ସରକାରଙ୍କ ହଁ’ରେ ହଁ ମିଳାଇ ଇମାନଦାର ଭୃତ୍ୟ ଭଳି କାମ କରୁଥିଲେ। ଏହି ତୋଷାମଦକାରୀଙ୍କ ବଂଶଜ  ଏବେ ବି ଶାସନକଳରେ ରହି ସାଧାରଣ ଜୀବନକୁ ଅତିଷ୍ଠ କରୁଛନ୍ତି। ଏହି ଶିକ୍ଷିତ ଚାଟୁକାର ଗୋଷ୍ଠୀ ଏବେ ବି ନିଜର ସ୍ୱାର୍ଥ ପାଇଁ ରାଜ୍ୟର, ଦେଶର, ନିଜ ରାଜନେତାଙ୍କର ଓ ନିଜ ସଂସ୍ଥାର କବର ଖୋଳିବାରେ ଲାଗିଛନ୍ତି। ଦେଶ ଓ ସମାଜ ପାଇଁ ଏମାନେ ହେଲେ ସବୁଠାରୁ ବଡ଼ ବିପଦ। ଏହି ମହା ବିପଦକୁ ଏଡ଼ାଇବା ପାଇଁ ସ୍କୁଲ ଶିକ୍ଷାରେ ପରିବର୍ତ୍ତନ କରାଯାଇ ପିଲାମାନଙ୍କ ଭିତରେ ବୌଦ୍ଧିକ ବିକାଶ କରିବା ସଂଗେ ସଂଗେ ସେମାନଙ୍କୁ ବିନମ୍ର, ସ୍ୱାଧୀନଚେତା  ଓ ସାହସୀ ନାଗରିକରେ ପରିବର୍ତ୍ତନ କରିବା ଦରକାର। ପାଠ ସାଙ୍ଗରେ ପିଲା ଯଦି ଅନୁଶାସନ ନଶିଖେ ତେବେ ସେ ସମାଜ ଉପରେ ଏକ ଭାର  ହୋଇଯାଏ।

ଭାରତର ଅନ୍ୟ ପ୍ରାନ୍ତ ଭଳି ଓଡ଼ିଶାରେ ମଧ୍ୟ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଓଡ଼ିଶା ପ୍ରଥମେ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟଗୁଡ଼ିକର ଗୁଣାତ୍ମକ ମାନ ବଢ଼ାଇବା ଦରକାର। ପ୍ରଥମେ ସରକାର ଶିକ୍ଷା ବିଭାଗରେ ଉପଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତ କରି ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକର ତୃଣମୂଳ ତଥ୍ୟ ସଂଗ୍ରହ କରିବା ଉଚିତ। ନିକଟରେ ପ୍ରକାଶିତ ୟୁନେସ୍କୋ ରିପୋର୍ଟ ଅନୁସାରେ ଭାରତରେ ୧.୧ ଲକ୍ଷ  ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ସମଗ୍ର ଦେଶରେ ୧୧.୧୬ ଲକ୍ଷ ଶିକ୍ଷକ ପଦବୀ ଖାଲି ପଡ଼ିଛି। କଣ୍ଟ୍ରୋଲର ଓ ଅଡିଟର ଜେନେରାଲଙ୍କ ରିପୋର୍ଟ ଅନୁସାରେ ଭାରତର ୭୫% ସ୍କୁଲ ଶୌଚାଳୟର ଠିକ ଭାବରେ ରକ୍ଷଣାବେକ୍ଷଣ ହେଉନାହିଁ। ସମୁଦାୟ ଶୌଚାଳୟର ୭୨%ରେ ପାଣିର ସୁବିଧା ନାହିଁ ଓ ୩୦% ଶୌଚାଳୟ ଭଗ୍ନ ଅବସ୍ଥାରେ ଥିବାରୁ ବ୍ୟବହାର କରାଯାଏ ନାହିଁ।

ଓଡ଼ିଶାରେ ଏଭଳି  କେତୋଟି ସ୍କୁଲ  ଅଛି  ଓ କେତୋଟି ଶିକ୍ଷକ ପଦବୀ ଖାଲି ଅଛି ଏହାର ସମ୍ପୂର୍ଣ ପଞ୍ଜିକରଣ ହେବା ଦରକାର। ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଯୋଗ୍ୟତାର ଆଧାର ଉପରେ ହେବା ଉଚିତ ଓ ଶିକ୍ଷକମାନଙ୍କ ବେତନ ସମସ୍ତ ଘରୋଇ ବେସରକାରୀ ସ୍କୁଲ ଗୁଡ଼ିକରେ ନ୍ୟୁନତମ ମାସିକ ୩୦,୦୦୦ ଟଙ୍କା ରଖିଲେ ଏହା ଓଡ଼ିଶାର ମେଧାବୀ ଯୁବପିଢ଼ିଙ୍କୁ ଶିକ୍ଷକ ଚାକିରୀ କରିବା ପାଇଁ ଉତ୍ସାହିତ କରିବ। କାରଣ ଉତ୍ତମ ଶିକ୍ଷକ ହିଁ  ସ୍କୁଲଗୁଡ଼ିକରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇ ପାରିବେ ଓ ଏହା ପରୋକ୍ଷରେ ସମାଜରେ ପଛୁଆ ଜାତିର ଲୋକଙ୍କୁ ଆତ୍ମନିର୍ଭର ହେବାରେ ସହାୟକ ହେବ। ସମସ୍ତ ସରକାରୀ ସ୍କୁଲଗୁଡ଼ିକରେ ଯେଭଳି ଶିକ୍ଷାର ଗୁଣାତ୍ମକମାନ ରଖାଯାଇ ପାରିବ ସେଥିପାଇଁ ସରକାରଙ୍କ ଶିକ୍ଷା ବିଭାଗ ଉତ୍ତରଦାୟୀ ହେବା ଦରକାର। ସରକାରୀ ସ୍କୁଲରେ ଉତ୍ତମ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଅଭିଭାବକମାନେ ବାଧ୍ୟ ହୋଇ ପିଲାଙ୍କୁ ଘରୋଇ ସ୍କୁଲରେ ଦେଇଥାନ୍ତି। ଅଳ୍ପ କେତେକ ଘରୋଇ ସ୍କୁଲକୁ ଛାଡ଼ି ପ୍ରାୟ ସବୁ ଘରୋଇ ସ୍କୁଲ ଆଜି ବ୍ୟବସାୟ ସଂସ୍ଥାରେ ପରିଣତ ହୋଇଗଲାଣି। ଶିକ୍ଷା ବିଭାଗରେ ଯେଭଳି ଟିକସ ଦାତାଙ୍କ ପଇସାର ଅପବ୍ୟୟ କିମ୍ବା ଆତ୍ମସାତ ନହୁଏ ସେଥିପାଇଁ  ସରକାର କଡ଼ା ଅଡିଟର ବ୍ୟବସ୍ଥା କରିବା ଉଚିତ। ଅଡିଟ ରିପୋର୍ଟର ପୁନଃ ଯାଞ୍ଚ ହେବା ଦରକାର। ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାଥୀ ହେବା ପାଇଁ  ନିର୍ଵାଚନ ମଣ୍ଡଳୀରେ ଉତ୍ତମ ସ୍କୁଲ ଏକ  ମାନଦଣ୍ଡ ହେବା ଉଚିତ। ସ୍କୁଲଗୁଡ଼ିକର ବିଦ୍ୟା କକ୍ଷ, ଲାଟ୍ରିନ ଓ ପରିସ୍ରାଗାର ଯେଭଳି ପରିସ୍କାର ରହେ ସେଥିପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବା ଉଚିତ। ଛାତ୍ରମାନଙ୍କର ମାନସିକ ଓ ଶାରୀରିକ ବିକାଶ ପାଇଁ ସମସ୍ତ ସ୍କୁଲରେ ଖେଳ ପଡ଼ିଆ ଓ ଧ୍ୟାନ କିମ୍ବା ଯୋଗ ଶିକ୍ଷା ଗୃହ ରହିବା ନିହାତି ଆବଶ୍ୟକ। ସରକାରୀ କଳରେ ଖର୍ଚ୍ଚ ହେଉଥିବା ଅଦରକାରୀ ଖର୍ଚ୍ଚ ଯଥା ଗାଡ଼ି ଭଡ଼ା, ଅଦରକାରୀ ଭ୍ରମଣ ଓ ଅନାବଶ୍ୟକ ସଭା ସମିତି ଖର୍ଚ୍ଚ ବନ୍ଦକରି ସେ ପଇସାକୁ ବିଦ୍ୟାଳୟ ବିକାଶରେ ଲଗାଇବା ଦରକାର। ଅଦରକାରୀ ପ୍ରକଳ୍ପରେ ଅର୍ଥ ବିନିଯୋଗ ନକରି ସରକାର ଉତ୍ତମ ସ୍କୁଲ ତିଆରି କରିବା ଉଚିତ। ଛାତ୍ରମାନେ ଯେଭଳି ଘୋଷାବଳଦ ନହୋଇ ବିଷୟ ବସ୍ତୁଗୁଡ଼ିକ ଭଲ ଭାବରେ ବୁଝି ପଢ଼ିବେ ସେଥିପାଇଁ ଶିକ୍ଷକମାନେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ଓଡ଼ିଶାରେ ଥିବା ସମସ୍ତ ସ୍କୁଲ ଶିକ୍ଷକଙ୍କୁ କୋଡ଼ିଏ ବର୍ଷ ଚାକିରୀ ପରେ ନ୍ୟୁନତମ ୨୦,୦୦୦ ଟଙ୍କା ପେନ୍ସନର ବ୍ୟବସ୍ଥା କରିବା ଉଚିତ। ସ୍କୁଲଶିକ୍ଷାର ବିକାଶ ପାଇଁ ସମସ୍ତ ଗଣମାଧ୍ୟମ ସାକାରାତ୍ମକ ରିପୋର୍ଟ ପ୍ରସ୍ତୁତକରି ଲୋକସଚେତନତା ସୃଷ୍ଟିକରିବା ନିହାତି ଆବଶ୍ୟକ।

ଆଜିକାଲି ଅଭିଭାବକମାନେ ପିଲାଙ୍କୁ ଓଡ଼ିଆ ଭାଷାରେ ନପଢ଼ାଇ ଇଂରାଜୀ ସ୍କୁଲରେ ପଢ଼ାଇବା ଦ୍ୱାରା ପିଲାଙ୍କର ସମ୍ପୂର୍ଣ ବିକାଶ ହେଉନାହିଁ। ମାତୃଭାଷାରେ ନପଢ଼ିବାରୁ ପିଲାଙ୍କର କଳ୍ପନା ଶକ୍ତି ଓ ସୃଜନଶୀଳତା ହ୍ରାସ ପାଉଥିବାର ଦେଖାଯାଉଛି। ୧୯୮୫ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ମାତୃଭାଷାରେ ପଢ଼ିଥିବା ପିଲାମାନେ ଭାରତୀୟ ବ୍ୟାଙ୍କ ଓ ସରକାରୀ ଦପ୍ତରରେ ଥିବା ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଚାକିରୀ ପାଇପାରୁଥିଲେ। ଓଡ଼ିଶାର ସ୍କୁଲଶିକ୍ଷାର ଗୁଣବତ୍ତା ଆଜି ମଧ୍ୟ ଭାରତର ଅନେକ ରାଜ୍ୟ ତୁଳନାରେ ଅଧିକ ବୋଲି କୁହାଯାଏ। ଓଡ଼ିଶା ସରକାର ମାତୃଭାଷାର ବିକାଶ ପାଇଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଉତ୍ତମ ସ୍କୁଲ ଓ ପାଠାଗାରର ବ୍ୟବସ୍ଥା କରିବା ଉଚିତ। ମାତୃଭାଷାରେ ପଢ଼ିବା ସଂଗେ ସଂଗେ ଇଂରାଜୀ, ସଂସ୍କୃତ ଓ ହିନ୍ଦୀ ଭାଷା ମଧ୍ୟ ଭଲ ଭାବରେ ଶିଖିବା ଉଚିତ। ଓଡ଼ିଶାରେ ଥିବା ସ୍କୁଲଗୁଡିକର ଗୁଣବତ୍ତା ଉପରେ ଓଡ଼ିଶାର ସାମୂହିକ ବିକାଶ ଅନେକାଂଶରେ ନିର୍ଭର କରେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।