Advertisment

ରାସ୍ତାର ପ୍ରଶସ୍ତିକରଣ, ଗଣତନ୍ତ୍ରର ସଂକୀର୍ଣ୍ଣକରଣ

ଭୁବନେଶ୍ଵରର ରୋଡ ଟ୍ରାନ୍ସପୋର୍ଟ ଅଫିସରୁ ସଙ୍ଗୃହୀତ ତଥ୍ୟକୁ ନେଇ ମିଡିଆ ପ୍ରକାଶ କରୁଛି ଯେ ଗଲା ଅକ୍ଟୋବର ଠାରୁ ପ୍ରତିମାସରେ ୧୨୦୦୦ ନୂଆ ଗାଡି ରାସ୍ତାକୁ ଆସିବାରେ ଲାଗିଛି। ମାତ୍ର ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଲାଗି ଏହି ସଂଖ୍ୟା କିଛି କମ ନୁହେଁ।

author-image
Jitendra Garnayak
Road

ଦେବ ରଞ୍ଜନ 

କେନ୍ଦ୍ର ସରକାର ଗଲା ସେପ୍ଟେମ୍ବର ୨୨, ୨୦୨୫ ରେ କାରମାନଙ୍କ ଉପରେ ଜିଏସଟି କମାଇବା ପରେ କାରର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଥିଲା। ଦେଶର ବିଭିନ୍ନ ସହରମାନଙ୍କରେ କାର ବିକ୍ରି ଏହାପରେ ଆଶ୍ଚର୍ଯ୍ୟଜନକ ଭାବରେ ବଢିବାରେ ଲାଗିଗଲା। 

Advertisment

 କେବଳ ଅକ୍ଟୋବର, ୨୦୨୫ ମସିହାରେ ସମୁଦାୟ ୫.୫୭,୩୭୩ କାର ବିକ୍ରି ହୋଇଥିଲା ଯାହା ସେପ୍ଟେମ୍ବର ମାସର ବିକ୍ରିର ଦୁଇଗୁଣା ଥିଲା। ଏହି ଧାରା ପରବର୍ତ୍ତୀ ମାସମାନଙ୍କରେ ବଜାୟ ରହି ଜାନୁଆରୀ ମାସରେ ସମୁଦାୟ ନୂଆ କାର ବିକ୍ରିର ସଂଖ୍ୟା ଥିଲା ୫,୧୩,୪୭୫। ଅର୍ଥାତ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ଦେଶର ରାସ୍ତା ଉପରକୁ ଅଚାନକ ୨୦ ଲକ୍ଷ କାର ଆସିଯାଇଥିଲା। ସରକାରଙ୍କ ଜିଏସଟି ନିଷ୍ପତ୍ତିକୁ ଟାଟା ମୋଟର୍ସ ତରଫରୁ “ପ୍ରଗତିଶୀଳ ନିଷ୍ପତ୍ତି” କୁହାଗଲା। କାରଣ ଏହାର ପ୍ଳାଣ୍ଟରେ ଏତେ ସଂଖ୍ୟାରେ କାର ବିକ୍ରି ନହୋଇ ରହିଥିଲା ଯେ କମ୍ପାନୀ କାର ଉତ୍ପାଦନ ସାମୟିକ ଭାବରେ ବନ୍ଦ ରଖିଥିଲା। 

ସମଗ୍ର ଆକାଶ ଧୂଆଁମୟ

 ସେହି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦେଶରେ ଏକ ଅଦ୍ଭୁତ ଘଟଣା ଘଟିଥିଲା। ଶୀତ ମାସରେ ଭାରତର ୧୭୭୩ ରୁ ୨୦୦୦ ନଗର ଓ ସହର ଶ୍ଵାସରୁଦ୍ଧ ହୋଇଯାଇଥିଲା। ଏହା କେବଳ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ସୀମିତ ନଥିଲା। ତଥ୍ୟ ଅନୁସାରେ ଦେଶର ୧୭୩ ସହରର ବାସିନ୍ଦା ସଂପୂର୍ଣ୍ଣ ଅଣନିଶ୍ଵାସୀ ହୋଇଯାଇଥିଲେ। ଓଡିଶାର ତିନି ସହର ଯଥା ଭୁବନେଶ୍ଵର, ବାରିପଦା ଓ ବାଲେଶ୍ଵରର ବାୟୁମଣ୍ଡଳ ଦେଶରେ ସେହି ସମୟରେ ସର୍ବାଧିକ ଦୂଷିତ ବୋଲି ପ୍ରକାଶିତ ହେଲା। ଅଥଚ ଏହି ତିନି ସହରର ପାଖାପାଖିରେ ନା ଥର୍ମାଲ ପାୱାର ପ୍ଳାଣ୍ଟ ଅଛି ନା ଅନ୍ୟ କୌଣସି ବିରାଟ କାରଖାନା ଅଛି।  

Advertisment

ତେବେ ସମଗ୍ର ଦେଶ ଧୂଆଁରେ ଘୋଡ଼ାଇ ହୋଇ ରହିବାର ପ୍ରମୁଖ କାରଣ କଣ ଥିଲା? 

ସେ ସମୟରେ ରାସ୍ତା ଉପରକୁ ଆସିଯାଇଥିବା ଅତ୍ୟଧିକ ସଂଖ୍ଯାର ଗାଡିର ଧୂଆଁ ସମଗ୍ର ଭାରତର ନାକକୁ ରୁଦ୍ଧ କରିଦେଇଥିଲା। କାଶ୍ମୀର ଠାରୁ କେରଳ ସମଗ୍ର ଦେଶ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ସ୍ଥିରୀକୃତ ବାୟୁ ଗୁଣବତ୍ତା ସୂଚକାଙ୍କ ଠାରୁ ଯଥେଷ୍ଟ ଉର୍ଦ୍ଧ୍ଵରେ ଥିଲା। ଯଦିଓ ଏହା ପୂର୍ବରୁ ଗାଡ଼ିର ସଂଖ୍ୟା ରାସ୍ତାର ଓସାର ଅନୁସାରେ ଅଧିକ ଥିଲା। ହେଲେ ଅକ୍ଟୋବର ପରଠାରୁ ଅତ୍ୟଧିକ ସଂଖ୍ଯାର କାରମାନଙ୍କର ରାସ୍ତାରେ ଉପସ୍ଥିତି କେବଳ ସମଗ୍ର ଭାରତକୁ ଅଣନିଶ୍ଵାସୀ କରିଦେଇନଥିଲା ଏହାର ରାସ୍ତାମାନଙ୍କୁ ମଧ୍ୟ ଅଣଓସାରିଆ କରିଦେଲା।

ଭୁବନେଶ୍ଵରର ରୋଡ ଟ୍ରାନ୍ସପୋର୍ଟ ଅଫିସରୁ ସଙ୍ଗୃହୀତ ତଥ୍ୟକୁ ନେଇ ମିଡିଆ ପ୍ରକାଶ କରୁଛି ଯେ ଗଲା ଅକ୍ଟୋବର ଠାରୁ ପ୍ରତିମାସରେ ୧୨୦୦୦ ନୂଆ ଗାଡି ରାସ୍ତାକୁ ଆସିବାରେ ଲାଗିଛି। ମାତ୍ର ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଲାଗି ଏହି ସଂଖ୍ୟା କିଛି କମ ନୁହେଁ। ସେଥିପାଇଁ କୌଣସି ଶିକ୍ପ ନଥାଇ ବି ଭୁବନେଶ୍ବର ସହର ବି ଗଲା ଶୀତ ମାସରେ ଅଣନିଶ୍ଵାସୀ ହୋଇଯାଇଥିଲା। ବାୟ ପ୍ରଦୂଷଣ ତୁରନ୍ତ କମାଇବା ଲାଗି ରାଜ୍ୟ ସରକାରଙ୍କୁ ନିର୍ମାଣ କମ୍ପାନୀମାନଙ୍କ କାର୍ଯ୍ୟକୁ ନିୟନ୍ତ୍ରିତ କରିବାକୁ ପଡିଲା। ସେମାନଙ୍କୁ ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ମାଣ କରିବା ଲାଗି ଅନୁମତି ଦିଆଗଲା। ସ୍କୁଲମାନଙ୍କୁ କିଛି ଦିନ ବନ୍ଦ ରଖିବାକୁ ପଡିଲା। ବୟସ୍କ ଲୋକଙ୍କୁ ଘର ବାହାରକୁ ନଆସିବା ଲାଗି ବାରଣ କରାଗଲା। 

ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ଚିନ୍ତା କଲେ ନାହିଁ ଯେ ଏତେ ସଂଖ୍ଯାରେ ଗାଡି ଏକକାଳୀନ ଯଦି ରାସ୍ତା ଉପରକୁ ଆସିଯାଏ ତେବେ ଆମର ରାସ୍ତା ଓ ଆମର ପରିବେଶ ତାହାକୁ ସହଜରେ ଗ୍ରହଣ କରିବା ଲାଗି ସମର୍ଥ ତ? ରୋଡ ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ଏ ଦିଗରେ ଆଦୌ ଗୁରୁତ୍ଵ ଦେଲେ ନାହିଁ। କାରଣ କାର କମ୍ପାନୀମାନଙ୍କ ପ୍ଳାଣ୍ଟରୁ କାର ନିଷ୍କାସନ ସରକାରଙ୍କ ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ସହରର ସ୍ଥିତି ଓ ରାସ୍ତାର ଚଉଡା ଦେଖି କାର ଡିଲରମାନଙ୍କ ପାଖରେ ପ୍ରତି ମାସରେ କେତେ କାର ବିକ୍ରି କରାଯିବ ତାହାର ସିଲିଙ୍ଗ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରସ୍ତୁତ କରିପାରିଥାନ୍ତେ। କିନ୍ତୁ ତାହା କରାଗଲା ନାହିଁ। ଏହି କାରଣରୁ ଦେଶବାସୀଙ୍କୁ ଅଣନିଶ୍ଵାସୀ ହୋଇ ବଞ୍ଚିବାକୁ ହେଲା। 

ସରକାର ଭବିଲେ ଯେ ଜିଏସଟି କମିଲେ ବିକ୍ରି ଅଧିକ ହେବ ଓ ଜିଡିପି ବା ଘରୋଇ ଉତ୍ପାଦନରେ ବୃଦ୍ଧି ଘଟିବ। ଏଥିରେ ଦେଶର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିବ ଓ ଦେଶ ବିଶ୍ଵର ତୃତୀୟ ବିଶାଳ ଅର୍ଥନୀତି ହେବାର ସୁଯୋଗ ଲାଭ କରିବ। କିନ୍ତୁ ସେହି ପ୍ରକାର ଜିଡିପି ଅନ୍ୟ ଏକ ଜିଡିପିର ଜନ୍ମଦାତା। ତାହା ହେଉଛି ଗ୍ରସ ଡେଷ୍ଟ୍ରକ୍ସନ ପ୍ରଡକ୍ଟ ବା ଧ୍ବଂସକାରୀ ଉତ୍ପାଦ। ଆଜି ବାୟୁ ପ୍ରଦୂଷଣ ହେତୁ ଯେଉଁଠି ପ୍ରତି ବର୍ଷ ୧୫ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି ଏବେ ତାହା ୨୦ ଲକ୍ଷ ବା ତାହାଠାରୁ ଅଧିକ ହୋଇଯିବ। 

ସ୍କୁଲ ଓ ହସ୍ପିଟାଲ ପଛରେ, ରାଜପଥ ଆଗରେ 

ରାସ୍ତା ନିର୍ମାଣକୁ କୁହାଯାଉଥିଲା ବିକାଶର ମାପକାଠି। ଆଜି କିନ୍ତୁ ସରକାର କେଉଁଠି ନୂଆ ରାସ୍ତା ନିର୍ମାଣ କରିବେ, କେଉଁ ରାସ୍ତାକୁ ଅଧିକ ଓସାର କରିବେ ଓ କେଉଁଠି ଅଧିକ ଫ୍ଲାଇଓଭର ତିଆରି କରିବେ ତାହାର ନିଷ୍ପତ୍ତି ପଛରେ ଅଟୋମୋବାଇଲ କମ୍ପାନୀ ଚାପ ବେଶ ସ୍ପଷ୍ଟ। 

ରାଜ୍ୟ ସରକାର ଏହା ଜାଣନ୍ତି ଯେ କନ୍ଧମାଳ, କୋରାପୁଟ, ସୁନ୍ଦରଗଡ ଭଳି ଅନେକ ଜିଲ୍ଲାରେ ରାସ୍ତା ନଥିବା କାରଣରୁ ସରକାରୀ ଆମ୍ବୁଲାନ୍ସ ସେହି ଅଞ୍ଚଳକୁ ଯାଇପାରୁନାହିଁ। ରାସ୍ତା ଯଦି ପ୍ରକୃତରେ ବିକାଶର ମାପକାଠି ତେବେ ସେହି ଜିଲ୍ଲାମାନଙ୍କରେ ପ୍ରାଥମିକ ଭାବରେ ରାସ୍ତା ନିର୍ମାଣ ହେବା କଥା। କିନ୍ତୁ ତାହା ପୂର୍ବରୁ ହେଉନଥିଲା, ଏବେ ମଧ୍ୟ ହେଉନାହିଁ। 

ଉଦାହରଣ ସ୍ୱରୂପ, ରାଜ୍ୟ ସରକାର ଭୁବନେଶ୍ବର ସହରର ଅନ୍ଯତମ ଯାନବାହାନ ଅଧିକ ଚଳାଚଳ କରୁଥିବା ଜୟଦେବ ବିହାର ଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଓସାରିଆ ରାସ୍ତା ବେଶ କିଛି ବର୍ଷ ଅଣଓସାରିଆ ହୋଇଯାଇଛି। ନୂଆ ଜିଏସଟି ପରେ ଏବେ ଅଧିକ ସମୟ ନାଲିବତୀରେ ଠିଆ ହେବାକୁ ପଡୁଛି। ରାସ୍ତାର ପ୍ରଶସ୍ତିକରଣ ଓ ସମାନ୍ତରାଳ ରାସ୍ତା ନିର୍ମାଣ ଲାଗି ଗଲା ମାସରେ ୯୩୨ କୋଟି ଟଙ୍କା ଅନୁଦାନ ରାଜ୍ୟ ସରକାର ଘୋଷଣା କରିଛନ୍ତି। 

ଖୋର୍ଦ୍ଧା ଜିଲ୍ଲାର ଅନେକ ଗାଁ ଏବେ ବି ଅଛି, ଯେଉଁଠି ସବୁ ଦିନିଆ ରାସ୍ତା ନଥିବାରୁ ରୋଗୀ ସାଇକେଲ ବା କାନ୍ଧରେ ବୁହା ହୋଇ କିଛି ବାଟ ଆସୁଛନ୍ତି। ମିଡିଆରେ ଏହାର ଚିତ୍ର ପ୍ରକାଶ ପାଉଛି। ସରକାରଙ୍କୁ ଏହା ଲଜ୍ଜାଜନକ ମନେ ହେଉନାହିଁ। ସ୍ଥାନୀୟ ବିଧାୟକ ମଧ୍ୟ ପାଟିରେ ତାଲା ପକାଇ ବସିଛନ୍ତି। ବଜେଟରେ ଅର୍ଥ ନଥିବା କାରଣରୁ ଗଲା ପାଞ୍ଚ ବର୍ଷ ମଧ୍ୟରେ ୫୬୦୦ ସ୍କୁଲ ବନ୍ଦ ହେବା କଥା ଗଣଶିକ୍ଷା ମନ୍ତ୍ରୀ ୨୦୨୫ ମସିହାରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ଗଲା ଦଶ ବର୍ଷ ମଧ୍ୟରେ ସ୍କୁଲ ବନ୍ଦ ହେବାର ସଂଖ୍ୟା ୧୦୦୦୦। ଅଥଚ ୯୩୨ କୋଟି ଟଙ୍କା ଏକ ରାସ୍ତା ରହିଥିବା ଅଞ୍ଚଳରେ ପୁଣି ରାସ୍ତା ଲାଗି ଖର୍ଚ୍ଚ ହେଉଛି। 

କେବଳ ଓଡିଶା କାହିଁକି କେନ୍ଦ୍ର ସରକାର ମଧ୍ୟ ଏହି ଅଭିମୁଖ୍ୟରେ ପଛରେ ନାହାନ୍ତି। ନିକଟରେ ଭୁବନେଶ୍ବର – ପୁରୀ ଜାତୀୟ ରାଜପଥର ଦୋହରୀକରଣ ଲାଗି ୪୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଭଳି ଦେଶର ଅନେକ ଜାତୀୟ ରାଜପଥ ଓ ଭାରତମାଳା ପ୍ରୋଜେକ୍ଟ ଲାଗି ସରକାର ଅଧିକ ଅର୍ଥ ବରାଦ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଜାଣନ୍ତି ଯେ ତାଙ୍କରି ସମୟରେ ଅର୍ଥ ଅଭାବ ହେତୁ ୯୩ ହଜାର ସ୍କୁଲ ବନ୍ଦ ହୋଇଯାଇଛି, ୧୧୦୦୦ ଲୋକଙ୍କ ଲାଗି ମାତ୍ର ଜଣେ ଡାକ୍ତର ଓ ହସ୍ପିଟାଲରେ ପ୍ରତି ୮୮୦୦ ଲୋକଙ୍କ ଲାଗି ଗୋଟିଏ ବେଡ ରହିଛି। ବଜେଟର ସିଂହ ଭାଗ ଯେତେବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟରେ ଖର୍ଚ୍ଚ ହେବା ଆବଶ୍ୟକ ସେତେବେଳେ ଖର୍ଚ୍ଚ ହେଉଛି ରାସ୍ତାର ଦୋହରୀକରଣ ଓ ଆଧୂନିକୀକରଣରେ। 

ଗାଡ଼ି ଦେଖାଇବ ଥିଲାବାଲା ଲୋକ  

ନୂଆ ଜିଏସଟି ଲାଗୁ ହେବା ମାତ୍ରେ କାର ଡିଲରମାନଙ୍କ ପାଖରେ ଭିଡ଼ ଦେଖିବା ଯୋଗ୍ୟ। କିଏ ବ୍ଯାଙ୍କ ଲୋନରେ ତ ପୁଣି କିଏ ବନ୍ଧୁଙ୍କ ଠାରୁ ସାହାଯ୍ୟ ନେଇ ଗୋଟିଏ ଗୋଟିଏ କାର କିଣିନେଲେ। ଏବେ ମଧ୍ୟବିତ୍ତ ବର୍ଗଙ୍କ ଘରେ କାର ଘୋଡଣୀ ମଧ୍ୟରେ ରହିଛି। ପେଟ୍ରୋଲ ଖର୍ଚ୍ଚ ଅଧିକ ହେବା ହେତୁ ସେମାନେ ଦୁଇ ଚକିଆ ବାଇକକୁ ଫେରିଛନ୍ତି। କିନ୍ତୁ ଘରର ପ୍ରାଚୁର୍ଯ୍ୟକୁ ଦେଖାଇବା ଲାଗି କାର ଯେମିତି ଜରୁରୀ ଥିଲା। ସେଥିଲାଗି ପ୍ରତି ମାସରେ ଋଣର କିସ୍ତି ବ୍ଯାଙ୍କକୁ ସେମାନଙ୍କୁ ଦେବାକୁ ପଡୁଛି। ଏହି କାରଣରୁ ଅନ୍ୟ ଖର୍ଚ୍ଚ ଆଜି ସେମାନଙ୍କର କାଟ ହେବାରେ ଲାଗିଛି। ବାୟୁ ଦୂଷିତ ସେହିମାନେ କଲେ। ନିଜର ବେମାର ପିତାମାତା ଓ ନିଜ ପିଲାଙ୍କ ଲାଗି ନିଜେ ବିପଦ ସୃଷ୍ଟି କରିଦେଲେ। ଅନ୍ୟପଟରେ, ସରକାର ସାମାଜିକ ଖର୍ଚ୍ଚ (ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ, ବିଦ୍ୟୁତିକରଣ ଇତ୍ୟାଦି) କାଟ କରି ରାସ୍ତାର ଦୋହରୀକରଣରେ ଲାଗିଲେ। କାରଣ କାର କମ୍ପାନୀଙ୍କ କାର ନଚେତ ପୁଣି ପ୍ଳାଣ୍ଟରେ ପଡ଼ି ରହିବ। ଏବେ ଆମେ ସମସ୍ତେ ଏହାଦ୍ବାରା ଉଭୟ ପଟରୁ (ବାୟୁ ପ୍ରଦୂଷଣ ଓ ସାମାଜିକ ଖର୍ଚ୍ଚ କାଟ) ହଇରାଣ ହେବାରେ ଲାଗିଛେ।  

ଆର୍ଥିକ ବୈଷମ୍ୟ ଆମ ସମାଜରେ ଆଜି ଏତେ ବଢିଯାଇଛି ଯେ ଏଥିରେ ପଛକୁ ଫେରି ଚାହିଁବାକୁ ବି ଭୟ ଲାଗୁଛି। କାହାର ଘରେ ଦୁଇ ବା ଅଧିକ କାର ରହିଛି ତ ସେହି ପାଖରେ ଦୂଷିତ ପାଣି ପିଇ ପିଲାଙ୍କ ଜୀବନ ଚାଲିଯାଉଛି। ଏହା ଦେଖିବାକୁ ଆଉ ରାଜଧାନୀର ଦୂରକୁ ଯିବା ଦରକାର ନାହିଁ। ଆଜି ଅରବପତି ଯେଉଁଠି ଅନାହାର ସେହି ଠାରେ ଅଛି। ଆମର ସରକାରୀ ପ୍ରତିଷ୍ଠାନ ଗୁଡ଼ିକ କିନ୍ତୁ ଅରବପତିଙ୍କ ପଟକୁ ଢଳି ରହୁଛନ୍ତି। ନିର୍ବାଚନ ଆସିଲେ ଲୋକେ ସରକାରରେ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଏହାଦ୍ବାରା ହେଉନାହିଁ।  

ମୋବାଇଲ : ୯୪୩୭୭୬୨୨୭୨