କରୋନା ମହାମାରୀ ପାଇଁ ଦେଶ ଲକଡାଉନ୍ ରହିବାରୁ ଅନେକ କ୍ଷତି ସହୁଛି। ଏହାଦ୍ୱାରା ଅନେକ ଶିଳ୍ପ ପ୍ରଭାବିତ ହୋଇଛି। ଆର୍ଥିକ ସ୍ଥିତିରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ୩ ଲକ୍ଷ କୋଟି ହେଉଛି ଏମଏସଏମଇ ପ୍ରକଳ୍ପ ପାଇଁ। ଏହି ଟଙ୍କା ଋଣ ଆକାରରେ ଏମଏସଏମଇ କମ୍ପାନୀମାନଙ୍କୁ ସରକାର ଦେବେ। ଅନ୍ୟପଟେ କମ୍ପାନୀମାନଙ୍କର ସ୍ଥିତି ଯଦି ଦେଖିବା ସମସ୍ତେ ନଗଦ ଟଙ୍କା ଆବଶ୍ୟକ କରୁଛନ୍ତି ପ୍ରଥମେ ବଞ୍ଚି ରହିବା ପାଇଁ। ଏହି ନଗଦ ଟଙ୍କା ବିନା ସୁଧରେ ହେବା ଦରକାର। ହେଲେ ସରକାର ଏହାର ଓଲଟା କରିଛନ୍ତି। ଯଦି ଜଣେ ଭୋକିଲା ରହିଛି ତାକୁ ସହଯୋଗ କରୁଥିବା ବ୍ୟକ୍ତି କହିବେ ମୁଁ ସହଯୋଗ କରିବି ହେଲେ ଋଣ ଆକାରରେ ଦେବି। ସଂପୃକ୍ତ ବ୍ୟକ୍ତି ଏ ସ୍ଥାନରେ ଋଣ ନେବାକୁ କେବେ ସାହାସ କରିବ କି?
ପୂର୍ବରୁ ଦେଶ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା। ପୁଣି ଲକଡାଉନ୍ ଦେଶର ଆର୍ଥିକ ମୂଳଦୁଆକୁ ସଂପୂର୍ଣ୍ଣ ଉଜାଡି ଦେଇଛି। ଦେଶ ସ୍ୱାଧୀନ ହେବା ପରେ ଚତୁର୍ଥ ପାଇଁ ସବୁଠୁ ଅଧିକ ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଛି ବୋଲି ଜଣାପଡ଼ିଛି। ଉଦାରୀକରଣ ପରେ ପ୍ରଥମ ଥର ପାଇଁ ଏମିତି ଖରାପ ସ୍ଥିତି ଦେଇ ଗତି କରୁଛି ଦେଶ।
ଆର୍ଥିକ ସ୍ଥିତିରୁ ମୁକୁଳିବା ପାଇଁ ସରକାର ଏମଏସଏମଇକୁ ୩ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଘୋଷଣା କରିବା ପୂର୍ବରୁ କିନ୍ତୁ ଏମଏସଏମଇର ସଂଜ୍ଞା ବଦଳାଇଛନ୍ତି ସରକାର। ୨୦୧୮ରେ ଏହି ସଂଜ୍ଞା ବଦଳାଇବା ପାଇଁ କେନ୍ଦ୍ର ସରକାର ଚେଷ୍ଟା କରିଥିଲେ। ହେଲେ ଏହା ବଦଳି ପାରିନଥିଲା। ଏବେ ମହାମାରୀ ବେଳେ ବଦଳାଇଛନ୍ତି। ପୂର୍ବରୁ ଏମଏସଏମଇରେ କେବଳ ପୁଞ୍ଜି ନିବେଶ ଅନୁସାରେ ଶ୍ରେଣୀ ନିରୂପଣ ହେଉଥିଲା। ଏବେ ଉଭୟ ନିବେଶ ଏବଂ ବାର୍ଷିକ ଆୟକୁ ମଧ୍ୟ ମିଶାଇଛନ୍ତି ସରକାର। ଦେଶରେ ମୋଟ୍ ଅଭିବୃଦ୍ଧିର ପାଖାପାଖି ୩୦ ପ୍ରତିଶତ ଅଭିବୃଦ୍ଧି ଏମଏସଏମଇ ସେକ୍ଟରରୁ ଆସିଥାଏ। ଏହି ସେକ୍ଟରରେ ନିଯୁକ୍ତି ଦେଶର ମୋଟ୍ ନିଯୁକ୍ତିର ୪୫% ପାଖାପାଖି ରହିଛି।
ସରକାର ଏମଏସଏମଇ ପାଇଁ ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ସେଥିରେ ନୂତନତ୍ୱ ହେଲା ଏମଏସଏମଇ କମ୍ପାନୀ ଗୁଡ଼ିକ ପାଇଁ ସରକାର ୩ ଲକ୍ଷ କୋଟି ଟଙ୍କାର ନଗଦ ସହାୟତା ଯୋଗାଇ ଦେବେ। ଏହି ଏମଏସଏମଇ ଗୁଡ଼ିକୁ ଋଣ ସୁବିଧା ପାଇବା ଲାଗି କୌଣସି ପ୍ରକାରର ନିଜସ୍ୱ ଗ୍ୟାରେଣ୍ଟି କିମ୍ବା ବନ୍ଧକ ଦେବାକୁ ପଡ଼ିବ ନାହିଁ। ସରକାର ଏହାର ଗ୍ୟାରେଣ୍ଟି ରହିବେ। ଏହାଦ୍ୱାରା ୪୫ ଲକ୍ଷରୁ ଅଧିକ ଏମଏସଏମଇ ଉପକୃତ ହେବେ। ଅର୍ଥାତ୍ ଯେଉଁ ଏମଏସଏମଇ କମ୍ପାନୀ ମାନ୍ଦାବସ୍ଥା ଦେଇ ଗତି କରୁଥିଲା ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିପାରୁନଥିଲା ସେହି ସ୍ଥାନରେ ସରକାର ଋଣ ପରିଶୋଧ କରି କମ୍ପାନୀକୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବେ। ଏଥିସହ ବ୍ୟାଙ୍କ ଗୁଡ଼ିକ କ୍ଷତିରୁ ବଞ୍ଚିଯିବେ।
ହେଲେ ବ୍ୟାଙ୍କ ଋଣ ଦେବ କି ନାହିଁ ତାହା ଏବେ ପ୍ରଶ୍ନବାଚୀ। କାରଣ ଦେଶର ଅନେକ ବ୍ୟାଙ୍କ ଏବେ ଏନପିଏ କ୍ଷତି ସହୁଛନ୍ତି। ଏନପିଏ ହେଉଛି ନନ୍ ପରଫର୍ମିଂ ଆସେଟ୍। ଯେଉଁ କମ୍ପାନୀ ବା ବ୍ୟବସାୟୀ ବ୍ୟବସାୟରେ କ୍ଷତି ପାଇଁ ଋଣ ପରିଶୋଧ କରିପାରୁନଥିବ ସେହି ଟଙ୍କାକୁ ଏନପିଏ କୁହାଯାଏ। ଏବେ ବ୍ୟାଙ୍କ ଗୁଡ଼ିକ ୯-୧୦ ପ୍ରତିଶତ ଏନପିଏ ବୋଝ ମୁଣ୍ଡାଇଛନ୍ତି ଏମଏସଏମଇ ସେକ୍ଟରରୁ। ଏନପିଏ ବଢ଼ୁଥିବା ଦେଖି ବ୍ୟାଙ୍କ ଗୁଡ଼ିକ ଏମଏସଏମଇ ସେକ୍ଟରକୁ ଋଣ ଦେବା ମଧ୍ୟ କମାଇ ଦେଇଛନ୍ତି। କାରଣ ଋଣ ଦେଲେ ନିଜେ ବ୍ୟାଙ୍କ ଆର୍ଥିକ ସମସ୍ୟାରେ ପଡ଼ିବାର ସମ୍ଭାବନା ରହିଛି। ଯଦି ଗତ ଆର୍ଥିକ ବର୍ଷକୁ ଦେଖିବା ତାହେଲେ ଅନେକ ଏମଏସଏମଇ କମ୍ପାନୀ ଋଣ ନେଇଥିଲେ ସେଥିମଧ୍ୟରୁ ୦.୭ ପ୍ରତିଶତ କମ୍ପାନୀର ଅଭିବୃଦ୍ଧି ଭଲ ରହିଛି ମାର୍ଚ୍ଚ ସୁଦ୍ଧା।
ପୂର୍ବ ନିୟମ ଅନୁସାରେ ଯେଉଁ ଏମଏସଏମଇ କମ୍ପାନୀ ଋଣ ନେଇଥିଲେ ସେମାନେ ଜମି କିମ୍ୱା ଜାଗା ବନ୍ଧକ ଦେଖାଇ ଋଣ ନେଇଥିଲେ। ହେଲେ ଏବେ ଲକଡାଉନ୍ ପାଇଁ ଦେଶର ଅର୍ଥନୀତି ଖରାପ ରହିଛି। ପୂର୍ବରୁ ମଧ୍ୟ ଅନ୍ୟାନ୍ୟ କାରଣ ପାଇଁ ଖରାପ ଥିଲା। ଏଭଳି ସ୍ଥିତିରେ କମ୍ପାନୀ ଗୁଡ଼ିକ ବନ୍ଧକ ରଖିଥିବା ଜମି ବା ଜାଗାର ମୂଲ୍ୟାୟନ ବହୁତ କମିଯାଇଛି। ତେଣୁ ବ୍ୟାଙ୍କ ଯଦି ସଂପୃକ୍ତ ବନ୍ଧକ ଜମିକୁ ବି ଯଦି ବିକ୍ରି କରିବ ତାହେଲେ ବକେୟା ଟଙ୍କା ସମ୍ପୂର୍ଣ୍ଣ ପାଇବାରେ ଅସମର୍ଥ ହେବ। ତେଣୁ ଏଭଳି ସ୍ଥିତିରେ ବ୍ୟାଙ୍କଗୁଡ଼ିକ ସେହି ଏମଏସଏମଇ କମ୍ପାନୀକୁ ପୁଣି ଥରେ ଋଣ ଦେବା ଆଶଙ୍କା କମ୍। କାରଣ ଋଣ ଦେଲେ ଏନପିଏ ହେବାର ସମ୍ଭାବନା ଅଧିକ ରହିବ।
ଅନ୍ୟପଟେ ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିବା ବେଳେ ଚାହିଦା ବାବଦରେ ଚୁପ୍ ରହିଛନ୍ତି। ଆର୍ଥିକ ସ୍ଥିତି ଖରାପ ରହିଥିବାରୁ ଲୋକଙ୍କ ପକେଟ ଏବେ ଖାଲି ରହିଛି। ଏମଏସଏମଇ କମ୍ପାନୀମାନେ ଋଣ ଆଣିଲେ ବି ସେମାନଙ୍କର ଉତ୍ପାଦ ଯଦି ସେତେଟା ଆବଶ୍ୟକ ନଥିବ ତାହେଲେ ଲୋକମାନେ କିଣିବେ ନାହିଁ। ଯଦି ନକିଣିବେ ଏମଏସଏମଇ କମ୍ପାନୀର ବ୍ୟବସାୟ ହେବନି। ଆଉ ପରବର୍ତ୍ତୀ ସମୟରେ ଋଣ ଦେଇ ପାରିବନି। ପରୋକ୍ଷରେ ବ୍ୟାଙ୍କ କ୍ଷତିରେ ପଡ଼ିବ। ମୋଟାମୋଟି ଭାବରେ ୩ ଲକ୍ଷ କୋଟି ଯଦି ଋଣ ଦେଇ ଦିଆଯିବ ହେଲେ ପରିଶୋଧ ନକରିପାରିଲେ ବ୍ୟାଙ୍କ ହିଁ ଘାଟାରେ ରହିବ।
ସରକାର ଚାହିଦା କିଭଳି ବଢ଼ିବ ସେ ଦିଗରେ ଗୁରୁତ୍ୱ ଦେବାର ଥିଲା। ଯଦିଓ ଲୋକାଲ ଭୋକାଲର ନାରା ପ୍ରଧାନମନ୍ତ୍ରୀ ଦେଇଛନ୍ତି ହେଲେ ଆଗାମୀ ଦିନରେ ଏହା କେତେ ସଫଳ ହେଉଛି ସମୟ କହିବ।
ହଁ ଏହି ସ୍ଥିତିରେ ଯୁକ୍ତି ବାଢ଼ି ହେବ ସରକାର ତ କହିଛନ୍ତି ଋଣ ପରିଶୋଧ କରିବେ, ତେଣୁ ବ୍ୟାଙ୍କ କାହିଁକି କ୍ଷତିରେ ରହିବ? ଏହା କାନକୁ ଯଦିଓ ଭଲ ଶୁଣାଯାଉଛି। ହେଲେ ଇତିହାସ ପୃଷ୍ଠା ଯଦି ଓଲଟାଇବା ତାହେଲେ ଏଯାବତ ସରକାର ଯେବେ ବି କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ଆଣିଛନ୍ତି ଏତେ ଟଙ୍କାର ଗ୍ୟାରେଣ୍ଟି କେବେ ରହି ନାହାନ୍ତି।
ଯଦି ଜଣେ ବ୍ୟକ୍ତି କି କମ୍ପାନୀ ଋଣ ପରିଶୋଧ ନକରିପାରିବ ତାହେଲେ ବ୍ୟାଙ୍କ ବକେୟା ଟଙ୍କା ପାଇବାକୁ ଅନେକ ଧାଁ ଦୌଡ଼ କରିବାକୁ ପଡ଼ିବ। କୋର୍ଟ କଚେରୀ ପର୍ଯ୍ୟନ୍ତ ମାମଲା ଯିବ। ଆଉ ଏହା ବିଳମ୍ୱିତ ପ୍ରକ୍ରିୟା। ବ୍ୟାଙ୍କ ହିଁ ଅଧିକ ପ୍ରଭାବିତ ହେବ। ସରକାର ଯଦିଓ ଋଣ ଦେବେ ବୋଲି କହିଛନ୍ତି ହେଲେ ସେହି କମ୍ପାନୀ ବାବଦରେ ପ୍ରଥମେ ସରକାର ତଦନ୍ତ କରିବେ। ଏହାପରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ବ୍ୟାଙ୍କକୁ ଋଣ ପରିଶୋଧ କରିପାରନ୍ତି ସରକାର। ହେଲେ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଋଣ ଦେବା ନେବାର ପ୍ରକ୍ରିୟା ବିଳମ୍ୱିତ ପ୍ରକ୍ରିୟା। ତେଣୁ ଏ ସବୁକୁ ଦେଖିବା ପରେ ବ୍ୟାଙ୍କ ଋଣ ଦେବା ପୂର୍ବରୁ ୧୦ ଥର ଚିନ୍ତା କରିବ।
ସେହିପରି ଋଣ ଦେବେ ବେଳେ ଏକ ଅଡ଼ୁଆ ସ୍ଥିତି ରହିଛି। ପୂର୍ବରୁ ଯେତେବେଳେ ସରକାର କ୍ରେଡିଟ୍ ଦେବା ପାଇଁ ଘୋଷଣା କରିଛନ୍ତି ସେତେବେଳେ ଏହାର ଅପବ୍ୟବହାରର ନଜିର ରହିଛି। ଉଦାହରଣ ସ୍ୱରୂପ ସରକାର ଘୋଷଣା କରିଛନ୍ତି ଏମଏସଏମଇ କମ୍ପାନୀଙ୍କୁ ଋଣ ଦେବା ପାଇଁ। ଯିଏ କମ୍ପାନୀଟିଏ କରିଛି ନିଶ୍ଚିତ ସ୍ଥାନୀୟ ନେତା ମନ୍ତ୍ରୀଙ୍କ ଲିଙ୍କରେ ଥିବ। ଯଦି ଏମଏସଏମଇ କମ୍ପାନୀ ବ୍ୟାଙ୍କ ଦ୍ୱାରା ଋଣ ନପାଇଲା ତାହେଲେ ସ୍ଥାନୀୟ ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ଚାପ ପକାଇ ସଂପୃକ୍ତ କମ୍ପାନୀ ଋଣ ପାଇଯାଇ ଥାଏ। ସେହିପରି ବ୍ୟାଙ୍କକୁ ଋଣ ଦେବା ପାଇଁ ଟାର୍ଗେଟ ରହିଥାଏ। ଏହାକୁ ଦେଖି ତରବରିଆ ଭାବରେ ମଧ୍ୟରେ ଋଣ ଦିଆଯାଉଥିବାର ନଜିର ରହିଛି। ସେତେବେଳେ ବ୍ୟାଙ୍କ ଋଣ ଦେଉଥିବା କମ୍ପାନୀ ବା ବ୍ୟବସାୟୀର ପୂର୍ବ ଋଣ ରେକର୍ଡ ନଦେଖି ଋଣ ଦେଇଦେବାର ନଜିର ରହିଛି। ଫଳରେ ଯେଉଁ କମ୍ପାନୀ ଋଣ ପାଇବାର ହକଦାର ବା ଆବଶ୍ୟକତା ରହିଛି ସେହି ବ୍ୟକ୍ତି ଋଣ ପାଇବାରୁ ବଞ୍ଚିତ ହୋଇଥାଏ। ଯଦି ପ୍ରକୃତ ଲୋକ ବା କମ୍ପାନୀ ପାଖରେ ଋଣ ନପହଞ୍ଚିବ ତାହେଲେ ସରକାରଙ୍କ ଉଦ୍ଦେଶ୍ୟ ମଧ୍ୟ ଏକ ପ୍ରକାର ଫେଲ୍ ହେବ।
ଲକଡାଉନ୍ ପ୍ରର୍ଯ୍ୟାୟକ୍ରମେ ଖୋଲୁଛି। କମ୍ପାନୀମାନଙ୍କ ସ୍ଥିତିକୁ ଦେଖି ନିକଟରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏକ ସର୍ଭେ କରିଥିଲା। ସରକାର ପ୍ୟାକେଜ ଘୋଷଣା କରିବା ପରେ ଏହି ସର୍ଭେ ହୋଇଛି। କମ୍ପାନୀମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ୭୭% ଏମ୍ଏସ୍ଏମ୍ଇ ଜରୁରୀକାଳୀନ ପାଣ୍ଠି ଦରକାର କରୁଛନ୍ତି। ନହେଲେ ଖର୍ଚ୍ଚକାଟ କରିବାକୁ ଯାଇ ୬୨ ପ୍ରତିଶତ କର୍ମଚାରୀ ଛଟେଇ ହୋଇପାରନ୍ତି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ସ୍କଚ୍ କନ୍ସଲଟାନ୍ସି, ଫାଇନାନ୍ସ ଆଡଭାଇଜରୀ କମିଟି ଅଫ୍ ଇଣ୍ଡିଆ ଏବଂ ଟ୍ୟାକ୍ସଲୋ ଏଜୁକେୟାର ସୋସାଇଟି ମିଳିତ ଭାବେ ଏହି ସର୍ଭେ କରି କହିଛନ୍ତି।
ଏବେ କମ୍ପାନୀମାନେ ଆଗକୁ ବଢ଼ିବାକୁ ହେଲେ ନଗଦ ଟଙ୍କା ଦେବାର ଆବଶ୍ୟକତା ରହିଛି। କାରଣ ଋଣ ସଙ୍ଗେସଙ୍ଗେ ମିଳିବ ନାହିଁ। ତେଣୁ ସେତେ ଦିନ ଯାଏ ଏମଏସଏମଇ କମ୍ପାନୀ କେମିତି ଚାଲିବ? କର୍ମଚାରୀଙ୍କୁ କମ୍ପାନୀ ଦରମା କେମିତି ଦେବ? ଭଡ଼ା କେମିତି ଦେବ କମ୍ପୀନୀ?
ଆଉ ଏକ କଥା, ଯେଉଁ ୩ ଲକ୍ଷ କୋଟି ଋଣ ଦିଆଯିବ ସମସ୍ତ ଟଙ୍କା ବ୍ୟାଙ୍କ ଫେରିପାଇବା ଦରକାର। ନଚେତ ଆଗାମୀ ୩-୪ ବର୍ଷ ବେଳକୁ ଏହା ଆଉ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ।
କେନ୍ଦ୍ରରେ ମୋଦି ସରକାର ଆସିବା ପରେ ମୁଦ୍ରା ଯୋଜନା ଆରମ୍ଭ କରିଥିଲେ। ଏହି କ୍ରେଡିଟ୍ ଯୋଜନା ଜରିଆରେ ଅନେକ ଋଣ ନେଇଛନ୍ତି ହେଲେ ଋଣ ପରିଶୋଧ ହେଉଛି କି ନାହିଁ ସରକାର ଏବେ ବି ଦେଶବାସୀଙ୍କୁ ଅନ୍ଧାରରେ ରଖିଛନ୍ତି।
ଭାରତର ମୋଟ ନିଯୁକ୍ତିର ୪୫ ପ୍ରତିଶତ ଅଂଶ ପୂରଣ କରୁଛି ଏମଏସଏମଇ କ୍ଷେତ୍ର। ଦେଶରେ ରୋଜଗାର କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୫ ପ୍ରତିଶତ ଏମଏସଏମଇ ଶିଳ୍ପରେ ନିୟୋଜିତ। ସେହିପରି ଅନ୍ୟ ଦେଶକୁ ରପ୍ତାନୀ ହେଉଥିବା ଉତ୍ପାଦ ମଧ୍ୟରୁ ୫୦ ପ୍ରତିଶତ ଏମଏସଏମଇ ଶିଳ୍ପର। ଦେଶର ୬ ହଜାର ପ୍ରକାର ଉତ୍ପାଦ ଏମଏସଏମଇ କମ୍ପାନୀ ତିଆରି କରିଥାନ୍ତି।