ଜାନକୀଶ ବଡ଼ପଣ୍ଡା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଯେକୌଣସି ସଫଳ, ବିଚକ୍ଷଣ ଓ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞଙ୍କ ଭଳି ନିଜକୁ ପ୍ରତିଷ୍ଠିତ କରି ସାରିଛନ୍ତି। ଆଗାମୀ ଦିନରେ ନିର୍ବାଚନକୁ ସାମ୍ନା କରିବା ପାଇଁ ଅସ୍ତ୍ର ସନ୍ଧାନ, ରଣନୀତି ପ୍ରସ୍ତୁତିଠାରୁ ଆରମ୍ଭ କରି ପୁରୋଭାଗରେ ରହି ନେତୃତ୍ୱ ନେବା ଓ ବିରୋଧୀ ଦଳଙ୍କର ରଣହୁଙ୍କାରକୁ ପ୍ରତିହତ କରିବାର କୌଶଳ ସେ ଭଲଭାବେ ଆୟତ୍ତ କରିସାରିଲେଣି। ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ସେମିଫାଇନାଲ କୁହାଯାଉଥିବା ସଦ୍ୟସମାପ୍ତ ୫ଟି ରାଜ୍ୟର ନିର୍ବାଚନ ବେଳେ ଆମେ ଏହା ଲକ୍ଷ୍ୟ କରିଛେ। ଏହି ବିଧାନସଭା ନିର୍ବାଚନ ଥିଲା ଉଭୟ ମୋଦି ଓ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ। ୨୦୨୪ ସାଧାରଣ ନିର୍ବାଚନରେ ବିଜୟ ଲାଭ କରି ଲଗାତାର ତୃତୀୟ ଥର ପାଇଁ ସଂଖ୍ୟାଗରିଷ୍ଠ ସରକାରର ନେତୃତ୍ୱ ନେବାପାଇଁ ମୋଦି ହିଁ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ପୂର୍ବରୁ କେବଳ ଭାରତୀୟ ଜାତୀୟ କଂଗ୍ରେସ ଦଳର ନେତା ପଣ୍ଡିତ ଜବାହାରଲାଲ ନେହରୁ ଲଗାତାର ତିନିଥର ପ୍ରଧାନମନ୍ତ୍ରୀ ଓ ତାଙ୍କର ନାତି ରାଜୀବ ଗାନ୍ଧୀ ୧୯୮୪ ମସିହାରେ ଇନ୍ଦିରାଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ହେଲାବେଳେ ଅନୁକମ୍ପା କାରଣରୁ ସର୍ବାଧିକ ଭୋଟ ପାଇଥିଲେ। ଦୁଇଟି ଯାକ ଥିଲା ଦୁଇ ଭିନ୍ନ ରେକର୍ଡ। ସ୍ଵାଧୀନୋତ୍ତର ଭାରତରେ ପ୍ରଥମ ଥର ପାଇଁ ରାଜୀବ ୫୪୩ ଆସନରୁ ୪୧୪ ଆସନ ଅକ୍ତିଆର କରି ପ୍ରଧାନମନ୍ତ୍ରୀ ହୋଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ମୋଦି ଦୁଇ ପୁରୁଣା ରେକର୍ଡ ଭାଙ୍ଗି ଦେବାକୁ ବଦ୍ଧ ପରିକର ଥିଲା ଭଳି ମନେହେଉଛି। ୨୦୨୪ ସାଧାରଣ ନିର୍ବାଚନରେ ଭାଜପାର ଲକ୍ଷ୍ୟ ହେଉଛି ରାଜୀବଙ୍କ ୪୬.୪ ପ୍ରତିଶତ ଭୋଟ ରେକର୍ଡକୁ ଭାଙ୍ଗି ସର୍ବନିମ୍ନ ୫୦ ପ୍ରତିଶତ ଭୋଟ ଓ ମୋଦିଙ୍କୁ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଗାଦିନସୀନ କରିବା।
ପୂର୍ବରୁ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ରାଜ୍ୟର ଶାସନ କ୍ଷମତା ଭାଜପା ହାତରୁ କଂଗ୍ରେସ ଦଳ ଛଡ଼ାଇ ନେଇଥିଲା। ଦଳର କ୍ଷୁର୍ଣ୍ଣ ଭାବମୂର୍ତ୍ତୀକୁ ସଜାଡ଼ି ପୁନର୍ବାର କ୍ଷମତାକେନ୍ଦ୍ରରେ ପରିଣତ ହେବାକୁ ହେଲେ ମୋଦିଙ୍କ ଭାଜପା ପକ୍ଷରେ ହିନ୍ଦୀଭାଷୀ ଭୂଖଣ୍ଡ -ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିବା ଜରୁରୀ ଥିଲା। ନିର୍ବାଚନ ପୂର୍ବାନୁମାନକାରୀ ସଂସ୍ଥାମାନେ ଯେତେବେଳେ ମତ ଦେଲେ ଯେ, ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟ ମଧ୍ୟରୁ ତେଲେଙ୍ଗାନାରେ ନିଶ୍ଚିତ ଭାବେ ଓ ତିନୋଟି ହିନ୍ଦୀଭାଷୀ ରାଜ୍ୟରେ କଂଗ୍ରେସ କ୍ଷମତା ଅକ୍ତିଆର କରିବାର ସମ୍ଭାବନା ଅଛି; ଇଣ୍ଡିଆ ସାମ୍ମୁଖ୍ୟ ଉତ୍ସାହିତ ହୋଇ ଭାଜପା ବିରୋଧରେ ମେଣ୍ଟ କଲେ। ଜାତିଭିତ୍ତିକ ଜନଗଣନା କରାଯାଇ ତାହାର ଆଧାରରେ ଆସନ ସଂରକ୍ଷଣ କରିବାକୁ ପ୍ରବଳ ଦାବୀ ଉଠିଲା। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ନାରା ଦେଇ ବିଗତ ଦଶ ବର୍ଷରୁ ଅଧିକ କାଳ ଧରି ହିନ୍ଦୁତ୍ୱ ଓହଳକୁ ଧରି ନିର୍ବାଚନ ବୈତରଣୀ ପାର ହେଉଥିବା ଭାଜପାକୁ ପାଳଭୂତ ଭଳି ଡରାଇବାକୁ ଲାଗିଲା ଜାତି ରାଜନୀତି ଓ ତଥାକଥିତ ଭାରତ ଯୋଡ଼ ଯାତ୍ରାର ସଫଳତା।
ଦଳ ଆଡ଼କୁ ମୁହାଁଇ ଥିବା ଜଳସ୍ରୋତ କାହାର କିଛି କ୍ଷତି କରିବା ଆଗରୁ ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହିତ ଏକତ୍ର ବସି ନିର୍ବାଚନ କୌଶଳ ପ୍ରସ୍ତୁତ କରି ବିଜୟର ନୀଳନକ୍ସା ଅଙ୍କନ କଲେ ମୋଦି। କର୍ଣ୍ଣାଟକ ପରାଜୟରୁ ଭାଜପା ଅନେକ କିଛି ଶିକ୍ଷାଲାଭ କରିଥିଲା। ବିଧାନସଭା ନିର୍ବାଚନର ବର୍ଷକ ପୂର୍ବରୁ ବିଏସ ୟେଦିୟୁରପ୍ପାଙ୍କୁ ହଟାଇ ବାସବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ଗାଦୀରେ ବସାଇ ଭୁଲ କରିଥିଲା। ଯେତେବେଳେ ସେଠାରେ କଂଗ୍ରେସ ପକ୍ଷରୁ ମାଳମାଳ ମାଗଣା ଯୋଜନା ଘୋଷଣା ଆରମ୍ଭ ହେଲା ଭାଜପା ନିରସ୍ତ୍ର ହୋଇଗଲା। କଂଗ୍ରେସ ନିଜର ଯୋଜନା ଗୁଡ଼ିକୁ ନିର୍ବାଚନ ପ୍ରତିଶୃତି ନକହି କଂଗ୍ରେସ ଦଳର ଗ୍ୟାରେଣ୍ଟି ବୋଲି କହିବୁଲିଲା। ଆତ୍ମସମୀକ୍ଷା କଲାବେଳେ ଭାଜପା ଜାଣି ପାରିଲା ଯେ, ଭୋଟରଙ୍କ ସହିତ କର୍ମୀ ଓ ନେତାମାନେ ସଠିକ ସମ୍ପର୍କରେ ନଥିଲେ। ସାମାଜିକ ବିକାଶ ପାଇଁ ଭାଜପା ସରକାରଙ୍କ ଅବଦାନ ବିଷୟରେ ହିତାଧିକାରୀ ବି ଅଜଣା ଥିଲେ। ତାହା ଛଡ଼ା କର୍ଣ୍ଣାଟକରେ ପ୍ରସଙ୍ଗ ଥିଲା ସରକାରୀ ବିଫଳତା, ଗୋଷ୍ଠୀ ବିବାଦ, ଦୁର୍ବଳ ନେତୃତ୍ୱ ତଥା ଦରଦାମ ବୃଦ୍ଧି। ଏହି ସମସ୍ତ ପ୍ରସଙ୍ଗକୁ ଅଣଦେଖା କରିଥିବାରୁ କର୍ଣ୍ଣାଟକ ନିର୍ବାଚନ ମହଙ୍ଗା ପଡ଼ିଥିଲା ଭାଜପା ପାଇଁ।
ସେଥିପାଇଁ ଦଳ ପକ୍ଷରୁ ପଞ୍ଚ ସୂତ୍ରୀ କାର୍ଯ୍ୟକ୍ରମ ନିଆଗଲା ତିନୋଟି ହିନ୍ଦୀଭାଷୀ ରାଜ୍ୟର ନିର୍ବାଚନ ସମୟରେ। ପ୍ରଥମଟି ଥିଲା: କଂଗ୍ରେସ ଦଳର ରାଜ୍ୟ ସେନାପତିଙ୍କ ମୁକାବିଲା। ସହସ୍ର ହାଣ୍ଡିକୁ ଗୋଟିଏ ଠେଙ୍ଗା ଭଳି, ରାଜସ୍ଥାନରେ ଅଶୋକ ଗେହଲଟ, ମଧ୍ୟ ପ୍ରଦେଶରେ କମଲନାଥ ଓ ଛତିଶଗଡ଼ରେ ଭୂପେଶ ବାଘେଲଙ୍କ ମୁକାବିଲା କରିବାକୁ ପଣେ ନେତା ବଦଳରେ ମୋଦି-ଶାହା ଅଣ୍ଟା ଭିଡ଼ିଲେ। ସାଥିରେ କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ନେତାଙ୍କୁ ନେଇ ଘନ ଘନ ଆକ୍ରମଣ କରି କଂଗ୍ରେସକୁ ଘାଇଲା କରିବା ସହିତ ଭାଜପାର ଉପଲବ୍ଧି, ମୋଦିଙ୍କ ଅବଦାନ ବଖାଣିଲେ। ଏମାନଙ୍କ ମଧ୍ୟରେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତା ବି ଥିଲେ, ଅଥଚ ଭାବୀ ମୁଖ୍ୟମନ୍ତ୍ରୀଙ୍କ ନାମ ଥିଲା ଅଜଣା। ଏହା ମଧ୍ୟ ପ୍ରଦେଶରେ ସରକାର-ବିପକ୍ଷ ମତଦାତାଙ୍କୁ ପୁଣି ଥରେ ଭାଜପାମନସ୍କ କଲା।
ଦ୍ଵିତୀୟ କୌଶଳଟି ଥିଲା କଂଗ୍ରେସ ପକ୍ଷରୁ ଘୋଷିତ ମାଗଣା ଓ ଶସ୍ତାରେ ମିଳିବାକୁ ଥିବା ସୁବିଧା ସୁଯୋଗଗୁଡ଼ିକର କୌଶଳପୂର୍ଣ୍ଣ ମୁକାବିଲା। କିଛି ଦିନ ଆଗରୁ ନିଜେ ମୋଦି ଏହି ମାଗଣା ସଂସ୍କୃତିକୁ ବିରୋଧ କରିଥିଲେ ହେଁ ନିର୍ବାଚନ ମୁହାଁ ପାଞ୍ଚୋଟି ପ୍ରଦେଶ ସମେତ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ପୂର୍ବ ଭଳି ଆଗାମୀ ପାଞ୍ଚ ବର୍ଷ ପାଇଁ ମାଗଣାରେ ୮୦ କୋଟି ଦରିଦ୍ର ନାଗରିକଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବାକୁ ଘୋଷଣା କରିଦେଲେ। ତାହା ସହ ଛତିଶଗଡ଼ରେ ସରକାର ଧାନ କିଣିଲା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ସହିତ ତାହା ଉପରେ ବୋନସ ଆକାରରେ ଅଧିକ ୫୦୦ ଟଙ୍କା, କୃଷି ଶ୍ରମିକଙ୍କ ରୋଜଗାର ବୃଦ୍ଧି ପାଇଁ ସହାୟତା, ପ୍ରତି ଗ୍ୟାସ ଟାଙ୍କି ମୂଲ୍ୟରେ ୨୦୦ ଟଙ୍କା ହ୍ରାସ ଭଳି 'ରେବଡି' ରହିଥିଲା।
ପୂର୍ବରୁ ଭାଜପାର ଭୋଟ-ସଂଗ୍ରହ ସାମର୍ଥ୍ୟ ଜଣା ଥିଲେ ବି ମହିଳା ଓ ଯୁବ ଭୋଟରଙ୍କ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ସହ ବିଭିନ୍ନ ସାମାଜିକ-ଆର୍ଥନୈତିକ ଗୋଷ୍ଠୀଙ୍କୁ ଯୋଡ଼ାଯିବା ପ୍ରକ୍ରିୟାକୁ ତୃତୀୟ ସୂତ୍ର କହିହେବ। 'ମାମୁଁ' ଭାବେ ମଧ୍ୟ ପ୍ରଦେଶର ଘରେ ଘରେ ଲୋକପ୍ରିୟ ଶିବରାଜ ସିଂହ ଚୌହାନଙ୍କ ଯୋଜନା 'ଲାଡଲି ବେହନା' ଓ ଆହୁରି ଅନେକ ମହିଳା କେନ୍ଦ୍ରିକ ଯୋଜନା ଭାଜପାକୁ କଂଗ୍ରସ ଅପେକ୍ଷା ୧୩ ପ୍ରତିଶତ ଅଧିକ ମହିଳାଙ୍କ ସମର୍ଥନ ଦେଇ ପାରିଲା। ତାହା ଉପରେ କେନ୍ଦ୍ର ଭାଜପା ପକ୍ଷରୁ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆରକ୍ଷଣ ପାଇଁ ଆଇନ ପ୍ରଣୟନ, ଆଦିବାସୀ ଓ ଅନୁସୂଚିତ ଜାତିଙ୍କ ସହ ଯୋଡ଼ି ହେବା ଫଳରେ ଆଶାତୀତ ସଫଳତା ପାଇଲା।
ଚତୁର୍ଥ କୌଶଳଟି ଥିଲା ନିର୍ଦ୍ଦୟ ଭାବେ, ନିଷ୍ଠାପର ଉଦ୍ୟମ ସହ ଉପଯୁକ୍ତ ପ୍ରାର୍ଥୀ ଚୟନ। ଜିଣିବାର ସମ୍ଭାବନା ହିଁ ରହିଥିଲା ମାପକାଠି। ମୁହଁ ଦେଖି, ଅନୁକମ୍ପା ଭିତ୍ତିରେ ଟିକେଟ ବଣ୍ଟନ କରା ନଯିବାରୁ କର୍ମୀମାନେ - ବିଶେଷ ଭାବେ ଯୁବକର୍ମୀମାନେ - ଉତ୍ସାହିତ ହେଲେ। କେବଳ ଛତିଶଗଡ଼ରେ ୯୦ଟି ଆସନ ମଧ୍ୟରୁ ୫୫ ଆସନରେ ନୂଆମୁହଁଙ୍କୁ ଟିକେଟ ମିଳିଥିଲା। ମଧ୍ୟ ପ୍ରଦେଶର ଏକ ତୃତୀୟାଂଶ ଭାଜପା ବିଧାୟକଙ୍କୁ ଦୁର୍ବଳ ପ୍ରଦର୍ଶନ କାରଣରୁ ଟିକେଟ ମିଳି ନଥିଲା।
ପଞ୍ଚମ ସୂତ୍ରଟି ବୋଧହୁଏ ବିଜୟର ଅସଲି ପଶାକାଠି। ଏହା ହେଲା ମୋଦିଙ୍କ ଅମାପ ଲୋକପ୍ରିୟତା ଓ ଗ୍ରହଣୀୟତା; ଯାହାକୁ ଆଧାର କରି ସେ କଂଗ୍ରେସ ଦଳକୁ ଖୋଲା ସମାଲୋଚନା କରନ୍ତି, ଅନେକ କଠିନ ନିଷ୍ପତ୍ତି ନେଇପାରନ୍ତି ଓ ନିଜର ଦଳକୁ ମତଦାତାଙ୍କ ପ୍ରଥମ ପସନ୍ଦଭାବେ ଗ୍ରହଣୀୟ କରିପାରନ୍ତି। ଦେଖିବାକୁ ଗଲେ, ତିନୋଟି ହିନ୍ଦୀଭାଷୀ ରାଜ୍ୟରେ କେବଳ ମୋଦି ହିଁ ୩୪ଟି ରାଲି କରିଥିଲେ ଏବଂ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ୧୫ଟି ଲେଖାଏଁ ରାଲିରେ ଉଦବୋଧନ ଦେଇଥିଲେ। ଏସବୁ ନିର୍ବାଚନୀ ଜନସଭାରେ କଂଗ୍ରେସ ଦଳ ଦେଇଥିବା ମାଗଣା 'ରେବଡି' ପ୍ରତିଶୃତି ବନାମ 'ମୋଦି ଗ୍ୟାରେଣ୍ଟି' ଉପରେ ଜୋରଦାର ପ୍ରଚାର ଏଭଳି ପ୍ରଭାବୀ ଢଙ୍ଗରେ କରିଥିଲେ ଯେ, ଭାଜପା ସପକ୍ଷରେ ସ୍ଲୋଗାନ ପରିଣତ ହୋଇ ଯାଇଥିଲା: ‘ଏମପି କେ ମନ ମେଁ ମୋଦି’ ଓ ‘ମୋଦି ସାଥେ ଅପନୋ ରାଜସ୍ଥାନ’। କେବଳ ମୋଦିଙ୍କ ଉପସ୍ଥିତି ଓ ଗ୍ୟାରେଣ୍ଟି କାରଣରୁ ଭାଜପାକୁ ରାଜସ୍ଥାନରେ ୧୭ ପ୍ରତିଶତ ଅଧିକ ଭୋଟ ମିଳିଥିବାର ଇଣ୍ଡିଆ ଟୁଡ଼େ-ଆକ୍ସିସ ମାଇଁ ଇଣ୍ଡିଆ ବୁଥ ବାହୁଡ଼ା ମତ ଆକଳନ ସଂସ୍ଥା ପ୍ରକାଶ କରିଛି। ଆଗେ ଯାହା କୁହାଯାଉଥିଲା ଯେ ‘ମୋଦି ହେ ତୋ ମୁମକିନ ହେ’, ତାହା ସତ୍ୟ ପ୍ରମାଣିତ ହେଲା!
ଅବସ୍ଥା ଏଭଳି ହେଲା ଯେ ଭାଜପା ମଧ୍ୟ ପ୍ରଦେଶରେ ଦୀର୍ଘ ୧୮ ବର୍ଷ ଧରି କ୍ଷମତାରେ ରହିଥିଲେ ବି ପୁନର୍ବାର ସରକାର-ସପକ୍ଷ ଭୋଟ ପାଇ କ୍ଷମତାକୁ ଫେରିଲା ଓ ଦୁଇ ତୃତୀୟାଂଶ ଆସନ ମଧ୍ୟ ପାଇଲା। ସେଠାରେ ୪୮.୫୫ ପ୍ରତିଶତ ଭୋଟ ସହିତ ସମୁଦାୟ ୨୩୦ ଆସନରୁ ୧୬୩ ଆସନ ପାଇଲା। ଦେଶର ସବୁଠୁ ଅଧିକ ଜନ କଲ୍ୟାଣକାରୀ ଯୋଜନା ଦେଉଥିବାର ବାହାସ୍ଫୋଟ ମାରୁଥିବା ରାଜସ୍ଥାନରେ ଭାଜପାକୁ ମିଳିଲା ୨୦୦ ଆସନରୁ ୧୧୫ ଆସନ। ଛତିଶଗଡ଼ରେ ସମସ୍ତଙ୍କୁ ଚକିତ କରି ସମୁଦାୟ ୯୦ଟି ଆସନରୁ ୬୮ ଆସନ ଦାଖଲ କରିନେଲା ଭାଜପା। କେବଳ ତେଲେଙ୍ଗାନା ରାଜ୍ୟରେ ନିଜର ସମର୍ଥକଙ୍କ ସଂଖ୍ୟା ୧୪ ପ୍ରତିଶତକୁ ବଢ଼ାଇ ପାରିଥିବା ଭାଜପାର ବିଜୟ ଯାତ୍ରାକୁ କଂଗ୍ରେସ ଅଟକାଇ ଦେଇଥିଲା।
କେନ୍ଦ୍ରରେ ସରକାର ଗଠନ କରିବାର ଆଶା ଏବେ ମଉଳି ଯାଇଛି କଂଗ୍ରେସ ଦଳର। ୨୦୧୯ ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ, ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକରେ ଥିବା ୧୨୮ ଲୋକସଭା ଆସନ ମଧ୍ୟରୁ ମାତ୍ର ୪ଟି ଆସନ ଅକ୍ତିଆର କରିବାକୁ ସମର୍ଥ ହୋଇଥିଲା କଂଗ୍ରସ। ୨୦୨୪ରେ କଂଗ୍ରେସ ଶାସିତ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ ମଧ୍ୟ ମୋଦିଙ୍କ ବର୍ଦ୍ଧିତ ଲୋକପ୍ରିୟତା ଗତଥର ଅପେକ୍ଷା ଅଧିକ ବଢ଼ିଥିବାର ଲକ୍ଷ୍ୟ କରାଯାଇଛି।
ଏବେ 'ଇଣ୍ଡିଆ' ଗଠବନ୍ଧନ ବଡ଼ ଧକ୍କା ପାଇଛି। ସମାଜବାଦୀ ଦଳର ପ୍ରସ୍ତାବକୁ ଅଣଦେଖା କରି କଂଗ୍ରେସ ଏକାକି ନିର୍ବାଚନରେ ପ୍ରାର୍ଥୀ ଦେଇଥିଲା ଓ ଦୟନୀୟ ପରିଣାମ ପରେ ନିଜର ପତିଆରା ହରାଇଛି। ଭାଜପାର ଧାବମାନ ଅଶ୍ୱକୁ ଅଟକାଇବା ପାଇଁ କଂଗ୍ରେସ ନେତୃତ୍ୱ ଆଉ ସମର୍ଥ ନୁହେଁ ବୋଲି ସହଯୋଗୀଙ୍କ ଧାରଣା ବଳବତ୍ତର ହେଉଛି। ଜେଡିୟୁ ମୁଖ୍ୟ ନୀତୀଶ କୁମାର ଓ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ କଂଗ୍ରେସ ଉପରେ ଭରସା ନକରି ନିଜେ ଇଣ୍ଡିଆ ମେଣ୍ଟର ଲଗାମ ଧରିବାକୁ ବାହାରିଲେଣି। ଅନେକ ରାଜ୍ୟର ଆଞ୍ଚଳିକ ଶାସକ ଦଳମାନେ ହୁଏତ ଭାଜପା ସହ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ କରିବା ଅସମ୍ଭବ ନୁହେଁ। ମୋଦି ନିର୍ବାଚନ ପ୍ରଚାର କାଳରେ ବିରୋଧୀଙ୍କ ଜାତି ଭିତ୍ତିକ ଜନଗଣନାକୁ ସମାଲୋଚନା କରି କହିଥିଲେ ଯେ ସେ ଦେଶରେ ଚାରୋଟି ଜାତିର ସେବା କରିବାକୁ ସମର୍ପିତ - ମହିଳା, ଯୁବବର୍ଗ, କୃଷକ ଓ ଗରିବ। ହିନ୍ଦୀଭାଷୀ ରାଜ୍ୟର ଦଳିତ, ପଛୁଆ ବର୍ଗର ମତଦାତା ବିପୁଳ ସମର୍ଥନ ଦେଲେ ମୋଦିଙ୍କୁ। ବିରୋଧୀଙ୍କ 'ଜାତି' ଖେଳ ମାଡ଼ ଖାଇଗଲା। ଏପରିକି, ବିରୋଧୀଙ୍କ ପୁରୁଣା ପେନସନ ବ୍ୟବସ୍ଥାର ପୁନଃ ପ୍ରଚଳନ ଚାଲ ମଧ୍ୟ ଫୁସୁକି ଗଲା।
୨୦୧୯ରେ ଦକ୍ଷିଣ ଭାରତର ଛଅଟି ରାଜ୍ୟର ୧୩୦ଟି ଲୋକସଭା ସଂସଦୀୟ କ୍ଷେତ୍ର ମଧ୍ୟରୁ ମାତ୍ର ୨୯ଟି ପଡ଼ିଥିଲା ଭାଜପା ମୁଣିରେ - ଯେଉଁଥିରେ ସାମିଲ ଥିଲା କର୍ଣ୍ଣାଟକର ୨୫ ଆସନ ଓ ତେଲେଙ୍ଗାନାର ୪ ଆସନ। ଏବେ ଏହି ଦୁଇ ରାଜ୍ୟରେ କଂଗ୍ରେସ ଶାସନ କ୍ଷମତାରେ ଥିବାରୁ, ଭାଜପା ନିଜର ଆସନ ବଢ଼ାଇବାକୁ ସଂଘର୍ଷ କରିବ। ମୋଦିଙ୍କ ବଢୁଥିବା ଲୋକପ୍ରିୟତା ଦକ୍ଷିଣ ଭାରତୀୟ ମତଦାତାଙ୍କୁ କିଭଳି ପ୍ରଭାବିତ କରିବାକୁ ଯାଉଛି, ତାହା ଦେଖିବାକୁ ବାକି ରହିବ।
ମୋଦିଙ୍କ ପୂର୍ବାଞ୍ଚଳ-ବିକାଶ ଗ୍ୟାରେଣ୍ଟି ସତ୍ତ୍ୱେ ବିହାର, ଝାରଖଣ୍ଡ, ପଶ୍ଚିମ ବଙ୍ଗ ଓ ଓଡ଼ିଶାକୁ ମିଶାଇ ଚାରିଗୋଟି ରାଜ୍ୟରେ ଭଜାପାର ସ୍ଥିତି ଉତ୍ସାହଜନକ ନୁହେଁ। ଏଠାରେ ଥିବା ୧୧୭ଟି ଲୋକସଭା ଆସନ ମଧ୍ୟରୁ ଭାଜପା ଗତ ଥର ଜିଣିଥିଲା ୫୪ଟି ଆସନ। ସେଥି ମଧ୍ୟରୁ ପଶ୍ଚିମବଙ୍ଗର ୪୨ଟି ଆସନରୁ ଭାଜପା ଜିଣିଥିଲା ୧୮ ଓ ବିହାରର ୪୦ ଆସନରୁ ୧୭ଟି ଆସନ। ମମତା ଓ ନୀତୀଶ-ତେଜସ୍ଵୀଙ୍କ ବିରୋଧ କାରଣରୁ ସେଠାରେ ଗୈରିକ ଦଳର ପ୍ରଦର୍ଶନ ଏତେ ସହଜ ହେବନାହିଁ। ଝାରଖଣ୍ଡ ଓ ଓଡ଼ିଶାରେ ଦୁଇଟି ଅଲଗା ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି। ଦୁଇ ରାଜ୍ୟରେ ଭାଜପାର ଅଭିବୃଦ୍ଧି ପାଇଁ କେନ୍ଦ୍ର ନେତୃତ୍ୱ ଅନାଗ୍ରହୀ ବୋଲି ମତଦାତାଙ୍କ ସନ୍ଦେହ। ଚିଟଫଣ୍ଡ କେଳେଙ୍କାରୀ, ଦୁର୍ନୀତି, ମଦ ବିକ୍ରି, ଖଣି ଚୋରୀ ମାତ୍ରାଧିକ ହୋଇଥିଲେ ବି କେନ୍ଦ୍ରୀୟ ତଦନ୍ତ ସଂସ୍ଥାମାନେ ଅଜଣା କାରଣରୁ ନିରବ ରହିଥିବାର ଦେଖାଦେଉଛି। ଅଭିଯୋଗ ଆସୁଛି ଯେ, ପ୍ରାଦେଶିକ ସରକାରଙ୍କ ସହ କେନ୍ଦ୍ର ସରକାର ଭିତିରିଆ ସମ୍ପର୍କରେ ଅଛନ୍ତି। ଫଳରେ ରାଜ୍ୟରେ ଭାଜପା କର୍ମୀମାନେ ହତୋତ୍ସାହିତ ଓ ଲଢ଼େଇ କରିବାର ମାନସିକତା ହରାଇ ବସିଛନ୍ତି। ସେହିପରି ମହାରାଷ୍ଟ୍ରରେ ଅନିଶ୍ଚିତତାର ବାତାବରଣ। ସେଠାରୁ ୪୮ରୁ ୨୩ ଆସନ ପାଇଥିଲା ଭାଜପା। ଏଥର ସେଠାରେ ଆସନ ବୁଝାମଣା ହେବ। ହରିୟାଣାର ଅବସ୍ଥା ଏତେ ଭଲ ନୁହେଁ। ସେଠାରେ ଗଲାଥର ଭଳି ୧୦ଟି ଯାକ ଆସନ ଭାଜପା ପାଇ ନପାରେ। ପଂଜାବର ୧୩ଟି ଆସନ ପାଇଁ ଆମ ଆଦମୀ ପାର୍ଟି, କଂଗ୍ରେସ, ଅକାଳୀ ଦଳ ଏବଂ ଭାଜପା ସଂଘର୍ଷ କରିବେ।
ଏଣୁ, ଭାଜପା ଭରସା ରଖିଛି ଜିଣିଥିବା ତିନୋଟି ରାଜ୍ୟ ସମେତ ଉତ୍ତର ପ୍ରଦେଶ, ଗୁଜରାଟ ଏବଂ ଆସାମ ଉପରେ। ଏହିସବୁ ରାଜ୍ୟରେ ଅଛି ୧୮୫ଟି ଆସନ, ଯେଉଁଥିରୁ ଭାଜପା ପାଇଥିଲା ୧୫୯ ଓ ସହଯୋଗୀ ଦଳ ୨ଟି ଆସନ। ଭାଜପାର ସଦ୍ୟ ଫଳାଫଳ କାରଣରୁ ଉଭୟ ମହାରାଷ୍ଟ୍ର ଓ ବିହାରରେ ପ୍ରଭାବ ପଡ଼ିବା ନିଶ୍ଚିତ ଏବଂ କିଛି ଦକ୍ଷିଣ ଭାରତୀୟ ରାଜ୍ୟରେ ମଧ୍ୟ ଭାଜପା ଭଲ ପ୍ରଦର୍ଶନ କରିପାରେ। ଏଭଳି ଦେଖିଲେ, ୫୪୩ ଆସନ ମଧ୍ୟରୁ ୧୬୦ ଆସନରେ ଭାଜପା ସଂପୂର୍ଣ୍ଣ ସୁବିଧାଜନକ ସ୍ଥିତିରେ ରହିଛି। ବଳକା ରହୁଥିବା ୩୮୩ ଆସନ ମଧ୍ୟରୁ ୧୧୨ଟି ଆସନ ଜିଣି ପାରିଲେ ଭାଜପା ୨୭୨ ସିଟ ପାଇ ସଂଖ୍ୟାଗରିଷ୍ଠ ଦଳ ହୋଇପାରିବ। ଅତୀତର ପ୍ରଦର୍ଶନରୁ ଏହା ସ୍ପଷ୍ଟ ଯେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରୁ ୧୦୦ ଆସନ ଭାଜପାକୁ ମିଳିବାର ସମ୍ଭାବନା ପ୍ରାୟ ନାହିଁ।I ଏଣୁ, ବଳକା ୨୮୩ ଆସନ ମଧ୍ୟରୁ ନିଜର ସମର୍ଥନ ସଂଗ୍ରହ କରିବ।
ବହୁ ପରୀକ୍ଷିତ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆଣିବାକୁ ସକ୍ଷମ ହେଉଛି କି ନାହିଁ, ତାହାକୁ ସଭିଏଁ ଆଗ୍ରହର ସହିତ ଲକ୍ଷ୍ୟ କରୁଛନ୍ତି।
ଫୋ - ୯୪୩୮୨୯୯୦୩୭