Advertisment

ଦରମା ବଢ଼ିବ, ଦର ବଢ଼ିବ, ଖର୍ଚ୍ଚ ବଢ଼ିବ- ଚାଷୀର ଫାଇଦା କ’ଣ?

ତିବର୍ଷ ବଢୁଥିବା ମୁଦ୍ରାସ୍ଫୀତି ହାର, ଜୀବନଯାପନ ଖର୍ଚ୍ଚ ଏବଂ ଦେଶର ଅର୍ଥନୈତିକ ସ୍ଥିତିକୁ ବିଚାରକୁ ନେଇ ଅଷ୍ଟମ ବେତନ କମିସନଙ୍କ ସୁପାରିଶ ଆଧାରରେ ଦରମା ବଢ଼ିବ ବୋଲି ସରକାର ଘୋଷଣା କରିଥିବାରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ହାତକୁ ପ୍ରତିମାସରେ ପୂର୍ବାପେକ୍ଷା ଅଧିକ ଅର୍ଥ ଆସିବାକୁ ଯାଉଛି। ତାଙ୍କ ଦେଖାଦେଖି ସମସ୍ତ ରାଜ୍ୟରେ ସରକାରୀ, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ଦରମା ବଢ଼ିବା ସୁନିଶ୍ଚିତ।

author-image
Debendra Prusty
Farming

Farming

ଜାନକୀଶ ବଡ଼ପଣ୍ଡା

ପ୍ରତିବର୍ଷ ବଢୁଥିବା ମୁଦ୍ରାସ୍ଫୀତି ହାର, ଜୀବନଯାପନ ଖର୍ଚ୍ଚ ଏବଂ ଦେଶର ଅର୍ଥନୈତିକ ସ୍ଥିତିକୁ ବିଚାରକୁ ନେଇ ଅଷ୍ଟମ ବେତନ କମିସନଙ୍କ ସୁପାରିଶ ଆଧାରରେ ଦରମା ବଢ଼ିବ ବୋଲି ସରକାର ଘୋଷଣା କରିଥିବାରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ହାତକୁ ପ୍ରତିମାସରେ ପୂର୍ବାପେକ୍ଷା ଅଧିକ ଅର୍ଥ ଆସିବାକୁ ଯାଉଛି। ତାଙ୍କ ଦେଖାଦେଖି ସମସ୍ତ ରାଜ୍ୟରେ ସରକାରୀ, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ଦରମା ବଢ଼ିବା ସୁନିଶ୍ଚିତ। କଥା ସେତିକିରେ ଅଟକି ଯିବନାହିଁ। ସରକାର ବାହାଦୂର ତତ୍ପରତା ପ୍ରଦର୍ଶନ କରି କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ବଢ଼ାଇବେ। କର୍ମଚାରୀଙ୍କ ଦରମା ଓ ଶ୍ରମିକଙ୍କ ମଜୁରୀ ବଢ଼ିଲେ କାରଖାନା ପରିଚାଳନା ଖର୍ଚ୍ଚ ବଢ଼ିଯିବ; ଯାହାର ଭରଣା କରିବାକୁ ସମସ୍ତ ଶିଳ୍ପଜାତ ଉତ୍ପାଦର ଦର ବଢ଼ିବ, ଯାହା ମଧ୍ୟରେ ସାମିଲ ରହିବ ରାସାୟନିକ ସାର ଓ କୀଟନାଶକ। ପରିଣାମରେ ଫସଲର ସର୍ବନିମ୍ନ ମୂଲ୍ୟ ମଧ୍ୟ ବଢ଼ିବ। ଯାହାର ମୂଲ୍ୟ ଶହେ ଟଙ୍କା ଥିଲା ତାହା ୨୦-୫୦ ପ୍ରତିଶତ ବଢ଼ିଗଲେ ନା ସରକାରୀ କର୍ମଚାରୀ ପାଇବେ ବର୍ଦ୍ଧିତ ବେତନର ଲାଭ ନା ଚାଷୀ ପାଇବେ କୃଷିଜାତ ପଦାର୍ଥର ମୂଲ୍ୟବୃଦ୍ଧିର ଲାଭ! ଅଥଚ ସମସ୍ତଙ୍କ ହାତକୁ ଆସୁଥିବ ପୂର୍ବାପେକ୍ଷା ଅଧିକ ଅର୍ଥ। ଭାରତୀୟ ଅର୍ଥନୀତିର ଆକାର ସିନା ବଢ଼ିବ, ଏଥିରେ କେହି ଲାଭବାନ ହୋଇ ପାରିବେ କି? ଖରା, ବର୍ଷା, ଶୀତ କାକର ସହି ଚାଷ ଜମିରେ ଖାଦ୍ୟାନ୍ନ ଫଳାଇବାକୁ ଚାଷୀଙ୍କୁ ଆଗ୍ରହୀ କରିବାକୁ ଏଭଳି ଦରବୃଦ୍ଧି କେତେଦୂର ସହାୟକ ହେବ? ଏଭଳି ବିଷ ଚକ୍ରରୁ ଚାଷୀ କିପରି ଉଦ୍ଧାର ପାଇ ପାରିବ?

Advertisment

ଜଣେ କ୍ଷୁଦ୍ରଚାଷୀ, ଯେ କି ବର୍ଷକୁ ଦୁଇଥର ଧାନ ଚାଷ କରନ୍ତି, ତାଙ୍କର ଉଦାହରଣ ନେବା। କେନାଲ ଯୋଗେ ଜଳସେଚିତ ତାଙ୍କର ଦୁଇ ଏକର ଚାଷ ଜମିରୁ ସେ ଏକର ପିଛା ୩୦ କୁଇଣ୍ଟାଲ୍ ହାରରେ ବର୍ଷକୁ ଦୁଇଥର ଧାନ ଚାଷ କରି ୩୦x୨x୨=୧୨୦ କୁଇଣ୍ଟାଲ୍ ଅମଳ କରିବେ। ଏହାକୁ ବିକିଲେ ସେ ଏମଏସପି ଦର ଅନୁଯାୟୀ ୨ ଲକ୍ଷ ୭୬ ହଜାର ଟଙ୍କା ପାଇବେ ଓ ଏକର ପିଛା ୩୦ ହଜାର ଟଙ୍କା ହାରରେ ଦୁଇ ଏକର ଜମିରେ ଉଭୟ ଖରିଫ୍ ଓ ରବି ଋତୁରେ ବିନିଯୋଗ କରିଥିବା ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କା ବାଦ ଦେଲା ପରେ ତାଙ୍କ ହାତରେ ଅବଶିଷ୍ଟ ୧ ଲକ୍ଷ ୫୬ ହଜାର ଟଙ୍କା ରହିବ। ଓଡ଼ିଶା ସରକାର କୁଇଣ୍ଟାଲ୍ ପିଛା ୮୦୦ ଟଙ୍କା ଇନ୍ପୁଟ୍ ରିହାତି ଦେଉଥିବାରୁ ସେ ସମସ୍ତ ଧାନ ସରକାରଙ୍କୁ ବିକିଲେ ହୁଏତ ଅଧିକ ୯୬ ହଜାର ଟଙ୍କା ପାଇବେ। ଅତଏବ, ଦୁଇ ଏକର ଜଳସେଚିତ ଚାଷ ଜମି ଥିବା ଜଣେ ଚାଷୀ ପରିବାରର ବାର୍ଷିକ ରୋଜଗାର କେବେହେଁ ଅଢ଼େଇ ଲକ୍ଷ ବା ମାସିକ ୨୧ ହଜାର ଟଙ୍କାରୁ ଅଧିକ ନୁହେଁ। ଚାଷୀ ପରିବାରର ସଦସ୍ୟମାନେ ଧାନ ଚାଷ ସହିତ ଗାଈ, ମତ୍ସ୍ୟ ଓ କୁକୁଡ଼ା ପାଳନ, ପନିପରିବା ଏବଂ ଅର୍ଥକାରୀ ଫସଲ ଚାଷ କଲେ ପରିବାରର ରୋଜଗାର ବଢ଼ିବା ସମ୍ଭବପର। ତଥାପି, ବଜାରରୁ ଡାଲି, ତେଲ-ଲୁଣ କିଣିବା ଠାରୁ, ମୋବାଇଲ୍-ଟିଭି ଦେୟ, ପିଲାଙ୍କ କ୍ରମବର୍ଦ୍ଧିଷ୍ଣୁ ପାଠପଢ଼ା ଖର୍ଚ୍ଚ ତୁଲାଇବା ସମ୍ଭବ ହୋଇ ପାରିବନି। ଜଣେ ଅଣକୁଶଳୀ ଶ୍ରମିକ ମାସକୁ ୨୫ ଦିନ କାମ କରି ୧୨ ହଜାର ଟଙ୍କା ଓ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତ ସବୁଠୁ ତଳିଆ କର୍ମଚାରୀ ମାସିକ ୪୦ ହଜାର ଟଙ୍କା ପାଉଥିଲା ବେଳେ, ଦୟନୀୟ ଆର୍ଥିକ ପରିସ୍ଥିତିକୁ ସାମନା କରୁଥିବା ଚାଷୀ ପରିବାରଙ୍କୁ ଅନ୍ନଦାତା କହି ଆମେ ତାଙ୍କୁ ତାତ୍ସଲ୍ୟ କଲାଭଳି ମନେହୁଏ।

ଗତ ମାର୍ଚ୍ଚମାସ ୨୮ ତାରିଖରେ ଓଡ଼ିଶା ରିପୋର୍ଟରରେ ପ୍ରକାଶିତ ପ୍ରବନ୍ଧରେ ସଂଶୋଧିତ କୃଷି ଆଇନ ପୁନର୍ବାର ପାରିତ କରିବାକୁ ମତ ରଖି ଚୁକ୍ତି ଭିତ୍ତିକ ଚାଷ ଓ ସାନ-ବଡ଼ କମ୍ପାନୀ/ ଷ୍ଟାର୍ଟଅପମାନେ କୃଷି ସାମଗ୍ରୀର ବ୍ୟବସାୟ କରିବା ବ୍ୟବସ୍ଥା ରହିଲେ, ଚାଷୀ ଲାଭବାନ ହେବ ବୋଲି ମତ ପ୍ରକାଶ କରିଥିଲୁ। ଯଦି ରାଜନୈତିକ ଦଳ, କୃଷକ ସଙ୍ଗଠନ ଏବଂ ଚାଷୀମାନେ ଏଭଳି ଆଇନକୁ ଆଜି ବି ବିରୋଧ କରୁଥାଆନ୍ତି ତେବେ କୃଷକଙ୍କ ସ୍ୱାର୍ଥରକ୍ଷା ପାଇଁ ଦେଶକୁ ବିକଳ୍ପ ପଦକ୍ଷେପ ନେବା ଉଚିତ ହେବ। ଭାରତ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବ, ଦେଶବାସୀ କ୍ଷୁଧାମୁକ୍ତି ପାଇବେ ଏବଂ ଭାରତରେ ଉତ୍ପାଦିତ ତୈଳବୀଜ, ଡାଲି, ପରିବା, ଖାଦ୍ୟ ଶସ୍ୟ, ଫଳ ଏବଂ ପ୍ରାଣୀଜ ପୁଷ୍ଟିସାର ଜାତୀୟ ଖାଦ୍ୟ ବିଶ୍ୱବଜାରରେ ସିଂହଭାଗ ଅଧିକାର କରି ପାରିବ। ଦେଶରେ ୫୫ ପ୍ରତିଶତ ଏବଂ ଓଡ଼ିଶାରେ ମାତ୍ର ୩୦ ପ୍ରତିଶତ ଜମିରେ ଜଳସେଚନ ସୁବିଧା ଥାଇ ଆମେ ଯେତିକି ଖାଦ୍ୟଶସ୍ୟ ଉତ୍ପାଦନ କରୁଛେ, ଜଳସେଚିତ ଜମି ପରିମାଣ ବଢ଼ାଇ ୭୦ ପ୍ରତିଶତ କରି ପାରିଲେ ଆମେ ଖାଦ୍ୟ ଉତ୍ପାଦନ ଦୁଇଗୁଣ କରି ପାରିବା। ଉତ୍ପାଦିକତା ବଢ଼ାଇ, ଚାଷୀ ଅଧିକ ଲାଭ ପାଇଲେ, ଉନ୍ନତ କୃଷି ପଦ୍ଧତି, ବିହନ ବ୍ୟବହାର କରିବେ, ଯାହା ଆମର ସମର୍ଥ କୃଷି ବୈଜ୍ଞାନିକମାନେ ଯୋଗାଇ ଦେବେ। ଭାରତରେ ଉତ୍ପାଦିତ କୃଷିଜାତ ସାମଗ୍ରୀ ଶସ୍ତାରେ ମିଳିଲେ ଆମେ ଦେଶରେ ସେଗୁଡ଼ିକୁ ପ୍ରକ୍ରିୟାକରଣ ଏବଂ ମୂଲ୍ୟଯୁକ୍ତ କରି ରପ୍ତାନୀ କରିପାରିବା ଏବଂ ବିଶ୍ୱ ବାଣିଜ୍ୟ ଯୁଦ୍ଧରେ ବିଜୟୀ ହେବା। ଏଣୁ ଫସଲର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କଲା ବେଳେ ତାହା ଯେପରି ସର୍ବନିମ୍ନ ରହିବ ସେଥିପ୍ରତି ସିଏସିପି ଦୃଷ୍ଟିଦେବା ଆବଶ୍ୟକ। ଆମକୁ ମନେ ରଖିବାକୁ ହେବ ଯେ, ସମସ୍ତ ଉତ୍ପାଦିତ ଖାଦ୍ୟଶସ୍ୟ ସରକାର କିଣିବା ସମ୍ଭବ ନୁହେଁ କିମ୍ବା ସମ୍ଭବ ହେଲେ ବି ଅନୁଚିତ ବୋଲି ଅର୍ଥନୀତିଜ୍ଞମାନେ ମତ ଦିଅନ୍ତି। ତେବେ ଏହା ସତ୍ୟ ଯେ, କୃଷକ ଯଦି ଲାଭଜନକ ମୂଲ୍ୟ ନପାଇବେ ନିଶ୍ଚୟ ଚାଷରୁ ମୁହଁ ଫେରାଇନେବେ। ସେଥିପାଇଁ ଆମେ କେତେକ ବିକଳ୍ପ ବ୍ୟବସ୍ଥା ଆଲୋଚନା କରିବାକୁ ଚାହୁଁ।

Advertisment

ଏସବୁର ସମାଧାନ ପାଇଁ ଆମକୁ ପ୍ରଥମେ ଜଳସେଚନ ବ୍ୟବସ୍ଥାକୁ ବଢ଼ାଇବାକୁ ପଡ଼ିବ। ବିଭିନ୍ନ ନଦୀରେ ଆଡ଼ିବନ୍ଧ ନିର୍ମାଣ, ପୋତି ହୋଇ ଯାଉଥିବା କେନାଲ୍, କଟା, ପୋଖରୀ ଇତ୍ୟାଦିକୁ ବ୍ୟବସ୍ଥିତ କରିବା କାମ ସରକାରଙ୍କର। ଚୁକ୍ତିଭିତ୍ତିକ ଚାଷ ବ୍ୟବସ୍ଥା ଥିଲେ, ଏଭଳି ଜଳସେଚନ ବ୍ୟବସ୍ଥା ସହଭାଗିତାରେ କରାଯାଇ ପାରିଥାଆନ୍ତା। କୃଷି ଓ ଜଳସେଚନ ବିଭାଗ ମିଳିତ ଭାବେ ଗ୍ରାମସଭା କରି ଫସଲ ପର୍ଯ୍ୟାୟ ସ୍ଥିର କରିବାକୁ ହେବ। ସେହି ଅନୁସାରେ କେନାଲ୍, ଉଠାଜଳସେଚନରୁ ଜଳ ନିୟନ୍ତ୍ରଣ ହେବ, ଡ୍ରୋନ ସାହାଯ୍ୟରେ ନାନୋ ୟୁରିଆ, ଡିଏପି, କୀଟ-ରୋଗନାଶକ ଔଷଧ ସିଞ୍ଚନ ତଥା ସର୍ବେକ୍ଷଣ କରାଯାଇ ପାରିବ। ରାଜ୍ୟରେ ନିୟମିତ ବ୍ୟବଧାନରେ ଭୂସଂସ୍କାର ଓ ବନ୍ଦୋବସ୍ତ କରାଯାଇ ଭାଗଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଆଇନ ଆସିବା ଦରକାର, ଯେପରି ସେମାନେ ମଧ୍ୟ ସମବାୟ ସମିତି ଓ ବ୍ୟାଙ୍କରୁ କୃଷିଋଣ ପାଇ ପାରିବେ। କୃତ୍ରିମ ଉପଗ୍ରହ ଏବଂ ଡ୍ରୋନ ମାଧ୍ୟମରେ ସଂଗୃହିତ ତଥ୍ୟ ଏବଂ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ପ୍ରତ୍ୟେକ କିଆରୀରେ ଚାଷ ହୋଇଥିବା ଫସଲର ତଥ୍ୟ ଅନୁଶୀଳନ କରାଯିବା ଜରୁରୀ। ସେହି ଆଧାରରେ ପ୍ରାକୃତିକ ବିପର୍ଯୟରେ କ୍ଷତିଗ୍ରସ୍ତ ଚାଷୀମାନେ ନେଇଥିବା ସ୍ୱଳ୍ପ ମିଆଦୀ ଫସଲ ଓ ଦୀର୍ଘମିଆଦୀ ଋଣ ଯଥା: କୂପ ଖନନ, କୃଷି ଯନ୍ତ୍ରପାତି କ୍ରୟ, ଭୂଉନ୍ନୟନ ଭଳି ପ୍ରକଳ୍ପଋଣର କିସ୍ତିକୁ କ୍ଷତିପୂରଣ ଭାବେ ସରକାର ସିଧାସଳଖ ବ୍ୟାଙ୍କଖାତାରେ ଜମା କରିଦେବା ଦରକାର।

ଫସଲ ଉତ୍ପାଦନ ଏକ ଜାତୀୟ ଆବଶ୍ୟକତା। ଆତ୍ମହତ୍ୟା ସମେତ ଚାଷୀଙ୍କ ବିବିଧ ପ୍ରସଙ୍ଗକୁ ନେଇ ରାଜନୈତିକ ରୁଟି ସେକା ଯାଉଥିଲେ ବି ବାସ୍ତବରେ କୃଷି ଏକ ସାମାଜିକ, ଆର୍ଥିକ ଓ ବୈଷୟିକ ସମସ୍ୟା। ରାଷ୍ଟ୍ର ପକ୍ଷରୁ ଯେଭଳି ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ବାସଗୃହ ଯୋଗାଇ ଦେବାର ପ୍ରୟାସ ଜାରି ରହିଛି, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ଭିତ୍ତିଭୂମି ତଥା ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆ ଯାଉଛି, ସେହିଭଳି ଖାଦ୍ୟ ଉତ୍ପାଦନ ପାଇଁ ମଧ୍ୟ ମାଗଣାରେ ମୃତ୍ତିକା ପରୀକ୍ଷା,ଉନ୍ନତ ମାନର ତଳି ଓ ବିହନ ଯୋଗାଣ, ଯାନ୍ତ୍ରିକ ଚାଷ ବ୍ୟବସ୍ଥା, ଚାଷୀଙ୍କ ଫସଲରେ ଡ୍ରୋନ ସାହାଯ୍ୟରେ ନିୟମିତ ଭାବେ ତରଳ ୟୁରିଆ, ଡିଏପି, କୀଟ-ରୋଗନାଶକ ଔଷଧ ସିଞ୍ଚନ ଇତ୍ୟାଦି କରିବା ଆବଶ୍ୟକ। ଯାନ୍ତ୍ରିକ ଚାଷ ପାଇଁ ଆବଶ୍ୟକ ଟ୍ରାକ୍ଟର, ଟିଲର୍, ଅମଳ ଯନ୍ତ୍ର, ଗ୍ରାମ୍ୟ ଗୋଦାମ ଇତ୍ୟାଦି ମାଗଣାରେ ଯୋଗାଇ ଦିଆଯିବା ଦରକାର। ଯେଉଁଠାରେ ଉଦ୍ୟୋଗୀମାନେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ଆଗେଇ ଆସୁନାହାନ୍ତି, ସେଠାରେ ସରକାର ପ୍ରତିଷ୍ଠା କରିବା ଆବଶ୍ୟକ। ଚାଷୀଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଅର୍ଥ ପ୍ରଦାନ କରାଯିବା ବଦଳରେ ରାଷ୍ଟ୍ରପକ୍ଷରୁ ଉପରୋକ୍ତ ପଦକ୍ଷେପ ନିଆଗଲେ ଏକର ପିଛା ଅମଳ ହାର ବଢ଼ିବା ସୁନିଶ୍ଚିତ। ଆମ ରାଜ୍ୟର ଚାଷୀଙ୍କ ଅଭିଯୋଗ ଯେ, ସମସ୍ତେ ହଳବଳଦ ଭାଙ୍ଗିଦେଲେଣି, କୃଷିଶ୍ରମିକଙ୍କ ମଜୁରୀ ବଢ଼ି ଗଲାଣି, ଭାଗଚାଷୀ ଜମିର ଯତ୍ନ ନେଉ ନାହାନ୍ତି, କଳାବଜାରରୁ ଅଧିକ ମୂଲ୍ୟଦେଇ ସେମାନଙ୍କୁ ସାର, କୀଟ-ରୋଗ ନାଶକ ଔଷଧ କିଣିବାକୁ ପଡୁଛି, ଯେତେବେଳେ କି ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବଜାର ଦର କମ୍। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଅଭିଯୋଗ ଆସୁଛି ଯେ, ରାଜ୍ୟଠାରୁ ବ୍ଲକସ୍ତରୀୟ କୃଷି ଅଧିକାରୀଙ୍କ ଯାଏଁ ଓ ଗ୍ରାମପଞ୍ଚାୟତର କୃଷି କର୍ମଚାରୀ ପଦପଦବୀ ଖାଲି ରହିଛି। ସମସ୍ତ ଚାଷୀ ମଧ୍ୟ ଏକାଭଳି ଆଧୁନିକତମ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁନଥିବାରୁ ଆମର ଏକର ପିଛା ଅମଳ ହାର କମ୍ ରହୁଛି। ଏଣୁ ଦେଶପକ୍ଷରେ ଏଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ହେବ, ଯେପରିକି, ଚାଷ ପାଇଁ କମ୍ ଖର୍ଚ୍ଚ ହେବ, ଅଧିକ ଅମଳ ମିଳିବ ଏବଂ ଭାରତରେ କୃଷି ସାମଗ୍ରୀର ବଜାର ଦର ପୃଥିବୀର ସମସ୍ତ ଦେଶ ଅପେକ୍ଷା କମ୍ ରହିବ। ଫଳରେ, ଆମେ ବିଦେଶକୁ ଖାଦ୍ୟ ରପ୍ତାନୀ କରିବା ସହିତ ଚାଷୀଙ୍କୁ ଲାଭଜନକ ମୂଲ୍ୟ ଦେଇପାରିବା।

ରାଷ୍ଟ୍ରପକ୍ଷରୁ କୃଷିବିକାଶ ପାଇଁ ସହଯୋଗ ଦିଆଯାଉଥିବାରୁ ବିଶ୍ୱ ଏବଂ ଦେଶର ଖାଦ୍ୟ ଆବଶ୍ୟକତା ଆଧାରରେ ଚାଷୀମାନେ ମୃତ୍ତିକା-ଜଳବାୟୁ ଅନୁକୂଳ ଲାଭଜନକ ଫସଲ କରିବାକୁ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ। କେବଳ ଧାନ-ଗହମ ଚାଷ ନକରି ବିବିଧ ଫସଲ ଚାଷ କଲେ ଏମ୍ଏସପି କେବଳ ଏକ ଔପଚାରିକତା ହୋଇ ରହିଯିବ, ବଜାର ସେମାନଙ୍କୁ ଖୋଜିବ। ଆଧୁନିକତମ ପ୍ରଯୁକ୍ତିବିଦ୍ୟା ଯୁଗରେ ଚାଷୀମାନେ ପୁରୁଣାକାଳିଆ ଚାଷ ପଦ୍ଧତି ଅବଲମ୍ବନ କରି, କମ୍ ଅମଳ, କମ୍ ରୋଜଗାର କରି ଦାରିଦ୍ର୍ୟ କଷାଘାତ ସହି ଆନ୍ଦୋଳନ କରିଚାଲିଥିବେ ବା କେତେକାଳ? ଚାଷୀମାନେ ରାଜନୀତି ପଶାପାଲିର ଗୋଟି ହେବେ କି ଅନ୍ନଦାତା ବୋଲାଇବେ ତାହା ସେମାନଙ୍କୁ ସ୍ଥିର କରିବାକୁ ପଡ଼ିବ।

ଫୋ- ୯୪୩୮୨୯୯୦୩୭

Farmer Suicide Farmer Farmer's Income Farmers Problem Farmer Politics