ଜାନକୀଶ ବଡ଼ପଣ୍ଡା
ଗତ ସେପ୍ଟେମ୍ବର ତିନି ତାରିଖରେ ଓଡ଼ିଶା ବିଧାନସଭାରେ ଶେଷ ଥର ପାଇଁ ଉଠିଥିଲା ମଙ୍ଗୋଲିୟାନ୍ ଭେସେଲ୍ ବ୍ଲାକ୍ ରୋଜ୍ (ଏମଭି ବ୍ଲାକ୍ ରୋଜ୍) ଜାହାଜ ବୁଡ଼ିବା ପ୍ରସଙ୍ଗ। ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ‘ବ୍ଲାକ୍ ରୋଜ୍’ କଥା ଉଠାଇଥିଲେ। ସେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ ଖଣି ମନ୍ତ୍ରୀଙ୍କୁ - ପାରାଦୀପ ଉପକୂଳରେ ବୁଡ଼ିଥିବା ବ୍ଲାକରୋଜ୍ କାହାର? ଏଥିସହ ଜାହାଜରେ କାହାର ଲୁହାପଥର ଚୋରା ଚାଲାଣ ହେଉଥିଲା? ଜାହାଜର ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ କିପରି ହୋଇଥିଲା – ସ୍ୱାଭାବିକ ନା ତାଙ୍କୁ ମାରିଦିଆଯାଇ ଥିଲା? ଏମିତିକା ପ୍ରଶ୍ନ ପଚାରିବା ସହ ସେ କହିଥିଲେ ଯେ ସବୁ ତଥ୍ୟକୁ ଚପାଇବାକୁ ବହୁତ ପ୍ରୟାସ କରାଯାଇଆସିଛି। ତେଣୁ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟର ନୂଆ ସରକାରକୁ ଅନୁରୋଧ କରିଥିଲେ ବିଧାୟକ ଅମରେନ୍ଦ୍ର ଦାସ।
୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖ ଥିଲା ଏକ କଳା ବୁଧବାର। ସେଦିନ ପାରାଦୀପ ବନ୍ଦରର କାର୍ଗୋ ବର୍ଥରେ ଖାତାପତ୍ରରେ ୨୩,୮୪୭ ମେଟ୍ରିକ୍ ଟନ୍ ଓଜନର ଲୁହାପଥର ବୋଝେଇ ହୋଇଥିଲା ପଣ୍ୟବାହୀ ଜଳଜାହାଜ ଏମ୍ ଭି ବ୍ଲାକରୋଜରେ। ପୂର୍ବରୁ ୯୨୦ ମେଟ୍ରିକ୍ ଟନ୍ ଓଜନର ଫର୍ଣ୍ଣେସ୍ ତେଲ ବୋଝେଇ ହୋଇଥିଲା। ଏପରି ସମୁଦାୟ ୨୪,୭୬୭ ମେଟ୍ରିକ୍ ଟନ୍ ଓଜନର ମାଲ୍ ନେଇ ପାରାଦୀପ ବନ୍ଦରରୁ ଚୀନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏହି ଜାହାଜ। କିନ୍ତୁ, ଅଭିଯୋଗ ହୁଏ ଯେ, ଏହାଠାରୁ ବହୁ ଅଧିକ ଓଜନର ଲୁହାପଥର ବୋଝେଇ ହୋଇଥିଲା ଜାହାଜରେ। ବନ୍ଦର ଛାଡ଼ିବା ପରେ, ପାରାଦୀପ ସମୁଦ୍ର ଉପକୂଳଠାରୁ ମାତ୍ର ୫ କିଲୋମିଟର ଯାତ୍ରା କଲା ପରେ ଭାରସାମ୍ୟ ହରାଇ ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିଲା ଜାହଜଟି। ଏଥିରେ ଜାହାଜର ମୁଖ୍ୟ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨୬ ଜଣ କର୍ମଚାରୀ ଓ ନାବିକଙ୍କୁ ଉଦ୍ଧାର କରାଯାଇଥିଲା। କଳା ବୁଧବାରର ସନ୍ଧ୍ୟା ପରେ ବୁଡ଼ି ଯାଇଥିବା ଏହି ଜାହାଜ ପାରାଦୀପ ବନ୍ଦର ଇତିହାସରେ ଏକ କଳଙ୍କ ଭାବେ ଚିରଦିନ ଲିପିବଦ୍ଧ ହୋଇ ରହିଗଲା।
କିଛିଦିନ ତଳେ ରାଜ୍ୟର ଗୃହ ବିଭାଗ ପକ୍ଷରୁ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଏମଭି ବ୍ଲାକ୍ ରୋଜ୍ ରହସ୍ୟଜନକ ବୁଡ଼ି ଦୁର୍ଘଟଣାର ତଦନ୍ତ କରିବାକୁ ଚିଠି ଲେଖା ଯାଇଛି। ପୂର୍ବରୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ସଂସ୍ଥା ସିବିଆଇ ଦ୍ୱାରା ତଦନ୍ତ କରାଯାଇ ରହସ୍ୟ ଉଦଘାଟନ କରାଯିବାକୁ ପ୍ରାର୍ଥନା କରିଥିଲେ। ଏହି ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଦୀପ ପ୍ରଧାନ କିନ୍ତୁ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦୁର୍ଘଟଣାର ତଦନ୍ତ ଦାବି କରୁଥିଲେ ଏଇଥିପାଇଁ ଯେ, ଜାହାଜ ବୁଡ଼ି ପରେ, କେହି ବି ବୁଡ଼ିଯାଇଥିବା ଲୁହାପଥର ପାଇଁ ବ୍ୟସ୍ତ ହୋଇନଥିଲେ। ବୀମା କମ୍ପାନୀ ଠାରୁ କ୍ଷତିପୂରଣ ପାଇଁ ମଧ୍ୟ ଦାବି କରିନଥିଲେ! ସେଥିପାଇଁ, ସନ୍ଦେହ ବଢ଼ିଥିଲା ଯେ, ଲୁହାପଥର ଚୋରାରେ ବିଦେଶକୁ ରପ୍ତାନୀ କରାଯାଉଥିଲା। ଚାପା ଗୁଜବ ଉଠୁଥିଲା ଯେ, ତତ୍କାଳୀନ ନବୀନ ସରକାରର କିଛି କ୍ଷମତାଶାଳୀ ନେତା ଏହି ଦୁର୍ଘଟଣାର ଖଳନାୟକ। ସେହି ସମୟର ଜଣେ ଯାଜପୁରର ମନ୍ତ୍ରୀ ଓ ବାଲେଶ୍ୱରର ସାଂସଦ ଏହି ଅନୈତିକ ରପ୍ତାନୀର ସୂତ୍ରଧର ବୋଲି କୁହାଯାଉଥିଲା। ଯଦିଓ, ସେହି କଳା-ବୁଧବାର ଠାରୁ ଅତୀତରେ ଅନେକବାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି ନବୀନ ପଟ୍ଟନାୟକ ସରକାର ସେଥିପ୍ରତି କର୍ଣ୍ଣପାତ କରୁ ନଥିଲେ। ଏବେ, ମୋହନ ସରକାର ନିଶ୍ଚୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଦୋଷୀ ଦଣ୍ଡିତ ହେବେ ବୋଲି ଆଶା ବଢ଼ିଛି।
ଏମଭି ବ୍ଲାକରୋଜ ବୁଡ଼ିଯିବା ପରେ ପ୍ରଥମେ କିଛି ଦିନ ତୁମ୍ବି ତୋଫାନ ହେଲା। ରାଜ୍ୟ ରାଜନୀତିରେ କମ୍ପନ ଖେଳିଗଲା। ବିଧାନସଭାରେ ପ୍ରସଙ୍ଗ ଉଠିଲା। ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳମାନେ। ବ୍ରାଇମବ୍ରାଞ୍ଚରୁ ନେଇ ସିବିଆଇ ପର୍ଯ୍ୟନ୍ତ ତଦନ୍ତ ବି ଆରମ୍ଭ ହୋଇଥିଲା। ହେଲେ କିଛି ଫଳ ମିଳିଲାନି। ନା ସମୁଦ୍ରରୁ ବ୍ଲାକରୋଜକୁ ଉଦ୍ଧାର କରାଗଲା ନା ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ଏବେ ଘଟଣାକୁ ଅଧିକାଂଶ ଭୁଲି ଗଲେଣି। ପ୍ରତିବର୍ଷ ସେପ୍ଟେମ୍ବର ୯ ତାରିଖ ଆସିଲେ କିଛି ଗଣମାଧ୍ୟମ ବ୍ଲାକ୍ ରୋଜ ବିଷୟରେ କିଛି ଖବର ଓ ଫାଇଲ୍ ଫୋଟୋ ପ୍ରସାରଣ କରି କର୍ତ୍ତବ୍ୟ ସାରୁଛନ୍ତି। ମାତ୍ର ଲୋକସେବା ଭବନର କେଉଁ ଏକ ଅଜଣା ଶୀତଳ ଭଣ୍ଡାରରେ ଫାଇଲ୍ ଭିତରେ ଚାପି ହୋଇ ରହିଯାଇଛି ବ୍ଲାକ୍ ରୋଜ୍ ପ୍ରସଙ୍ଗ। ମୋଟାମୋଟି ଭାବେ କହିବାକୁ ଗଲେ, ରହସ୍ୟମୟ ବ୍ଲାକ୍ ରୋଜ ବୁଡ଼ି ଘଟଣା ରହସ୍ୟ ଘେରରେ ରହିଆସିଛି ଆଜି ଯାଏଁ।
ତଦନ୍ତ ବେଳେ ଜଣାପଡ଼ି ଯାଇଥିଲା ଯେ, ଜାଲ୍ କାଗଜପତ୍ରରେ ଚୀନକୁ ଲୁହାପଥର ରପ୍ତାନୀ ହେଉଥିଲା। ଜାହାଜଟିକୁ ଭଡ଼ାରେ ନିଆ ଯାଇଥିଲା ଓ ତାହାର କାଗଜପତ୍ର ନକଲି ଥିବା ଜଣାପଡ଼ିଥିଲା। ଏହାପରେ ଆରମ୍ଭ ହୋଇଥିଲା ତନାଘନା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତଦନ୍ତ ଦାବି କରାଯାଇଥିଲା। ବିରୋଧୀ ଦଳ ଏହି ପ୍ରସଙ୍ଗରେ ତତ୍କାଳୀନ ରାଜ୍ୟ ସରକାରଙ୍କୁ ଘେରି ଥିଲେ। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ମାମଲା ମଧ୍ୟ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ହେଲେ ଘଟଣା ଉପରୁ ରହସ୍ୟ ଉଠି ପାରିଲାନି। ଜାହାଜରେ ଥିବା ଇନ୍ଧନ ତୈଳ ସମୁଦ୍ର ପାଣିରେ ମିଶିବା ଆରମ୍ଭ ହୋଇଥିଲା। ଜୈବ ବିବିଧତା ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରି କିଛି ପରିବେଶବିତ୍ ଏହାକୁ ଘୋର ବିରୋଧ କରିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ଫଳରେ ଜାହାଜରୁ ଇନ୍ଧନ ତୈଳ ନିଷ୍କାସନ କରାଯାଇଥିଲା। ୫-୬ ବର୍ଷ ହେଲାଣି ପୂର୍ବରୁ ଜାହାଜର ଦୃଶ୍ୟମାନ୍ ହେଉଥିବା ଅଂଶ ଆଉ ବାହାରକୁ ଦେଖା ଯାଉନାହିଁ। ସମଗ୍ର ଜାହାଜ ସମୁଦ୍ର ଜଳ ମଧ୍ୟରେ ବୁଡ଼ିଯାଇଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ଓ ଟ୍ରଲର ଜାହାଜରେ ପିଟି ହୋଇ ଦୁର୍ଘଟଣା ଘଟୁଥିବାର ଖବର ଆସୁଛି।
କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସିବିଆଇ ତଦନ୍ତ ଏବେ କେଉଁଠି କିଭଳି ଅବସ୍ଥାରେ ଅଟକିଛି ତାହା ସ୍ପଷ୍ଟ ହେଉନାହିଁ। ବନ୍ଦର କର୍ତ୍ତୃପକ୍ଷ ଜାହାଜକୁ କାଟି ସମୁଦ୍ରରୁ ବାହାର କରିବାକୁ ଯୋଜନା କରି ନାହାନ୍ତି। ହୁଏତ ଅତୀତରେ ପାରାଦୀପ ବନ୍ଦର ପକ୍ଷରୁ ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରା ଯାଇଥିବାରୁ ଓ ତାହା ଏଯାଏ ଭରଣା ହୋଇନଥିବାରୁ ସେମାନେ ଏ ଦିଗରେ ଅନାଗ୍ରହୀ ହେଉଥିବେ। ଜାହାଜଟିକୁ ପାଣିରୁ ହଟାଇବାକୁ ପ୍ରାୟ ୧୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଅଟକଳ କରା ଯାଇଥିଲା। ହୁଏତ ଏଥିପାଇଁ ସମସ୍ତେ ଚୁପ୍।
ଚଳିତ ବର୍ଷ ମାର୍ଚ୍ଚ ମାସ ୧୯ ତାରିଖରେ ବ୍ଲାକରୋଜ ଜାହାଜ ବୁଡ଼ିବା ଦୁର୍ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ହାଇକୋର୍ଟ। ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଥର ଅନୁରୋଧ କରାଯାଇଥିବା ସତ୍ତ୍ୱେ ଅନୁମତି ମିଳିନଥିଲା ବୋଲି ସିବିଆଇ ନିଜ ସତ୍ୟପାଠରେ ଦର୍ଶାଇ ସାରିଛି। ଜାହାଜ ବୁଡ଼ିବା ଘଟଣାର ତଦନ୍ତ ପାଇଁ ସିବିଆଇ ରାଜ୍ୟ ସରକାରଙ୍କ ନୋ ଅବଜେକ୍ସନ୍ ବା ଏନଓସି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏହା ଦେଉନଥିବା ଅଭିଯୋଗରେ ଆବେଦନକାରୀ ପ୍ରଦୀପ ପ୍ରଧାନ ଏହି ମାମଲା ଦାୟର କରିଥିଲେ। ଆଶ୍ଚର୍ଯ୍ୟର କଥା ଯେ, ମାମଲାର ପ୍ରାରମ୍ଭିକ ଶୁଣାଣିରେ ଓଡ଼ିଶା ହାଇକୋର୍ଟ ଆବେଦନକାରୀ ପ୍ରଦୀପ ପ୍ରଧାନଙ୍କୁ ତାଙ୍କ ଆୟର ଉତ୍ସ ତଥା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଚାହିଁଥିଲେ।
ଜଣାଯାଇଥିଲା ଯେ, ବ୍ଲାକ୍ ରୋଜ ଜାହାଜର ମାଲିକ ହେଉଛନ୍ତି ସିଙ୍ଗାପୁରର ପାକମାର ସିପିଙ୍ଗ କମ୍ପାନୀର ଏମଡି ସିତକି କୁକ। କ୍ରାଇମ୍ ବ୍ରାଞ୍ଚ ତାଙ୍କୁ କୋର୍ଟ ଜରିଆରେ ସିଙ୍ଗାପୁରରୁ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଜାହାଜରେ ଲୁହାପଥର ପରିବହନ କରୁଥିବା ଓଡ଼ିଶାର ଏ ବି ମିନେରାଲ୍ସ ଆଣ୍ଡ୍ ରିସୋର୍ସେସ୍ ଏବଂ ରେକଟର ମାଇନ୍ସ ନାମରେ ପରିଚିତ ଦୁଇ କମ୍ପାନୀ ଥିଲେ। କୁହା ଯାଇଥିଲା ଯେ, ମାଲ୍ ବୋଝେଇ ହେଲାବେଳେ ପ୍ରବଳ ବର୍ଷା ହେଉଥିବାରୁ, ଲୁହାପଥରର ଓଜନ ବଢ଼ିଯାଇଥିଲା। ସମୁଦ୍ର ଅଶାନ୍ତ ଥିଲା, ପାଗ ପ୍ରତିକୂଳ ରହିଥିଲା ଓ ସମୁଦ୍ର ଯାତ୍ରା ପାଇଁ ଅଯୋଗ୍ୟ ୨୫ ବର୍ଷର ଅନୁମତି ନଥିବା ଜାହାଜ ବହୁତ ପୁରୁଣା ହୋଇ ଯାଇଥିବାରୁ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିଲା।
ପ୍ରଥମେ, କଲିକତା ହାଇକୋର୍ଟରେ ମାମଲା ଆଗତ ହୋଇଥିଲା, ଯାହା ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଲା। ସିବିଆଇ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯାଇଥିଲେ ବି ଓଡ଼ିଶା ସରକାର ସହଯୋଗ କରିନଥିଲେ, କୌଣସି ଦଲିଲ୍ ଦେଇ ନଥିଲେ। କୁହା ଯାଉଛି ଯେ, କୁଆଡ଼େ ହତଭାଗ୍ୟ ଜାହାଜର କପ୍ତାନ୍ ବର୍ଷାରେ ଓଦା ହୋଇଯାଇ ଥିବାରୁ ଅଧିକ ଲୁହାପଥର ନେବାକୁ ମନାକରିଥିଲେ। ସେଥିପାଇଁ କୁଆଡ଼େ, ଅଧା ବୋଝେଇ ଜାହାଜ ବନ୍ଦର ବାହାରକୁ ଯାଇ, ଲଙ୍ଗର ଅଞ୍ଚଳରେ ଅପେକ୍ଷା କରିଥିଲା। ସେହି କଳା-ବୁଧବାର ସନ୍ଧ୍ୟାରେ ଜାହଜ ବୁଡ଼ିଗଲା। ଜାହାଜର ମୁଖ୍ୟ ଯନ୍ତ୍ରୀ ୟୁକ୍ରେନ୍ ଅଧିବାସୀ ଆଲେକଜାଣ୍ଡ୍ରା ଇଲ୍ୟୁଶଚେଙ୍କୋ କିନ୍ତୁ ଜାହଜ ସହିତ ଜଳ ସମାଧି ପାଇଥିଲେ, ଯାହାଙ୍କ ମୃତ ଶରୀର ଆଠଦିନ ପରେ ମିଳିଥିଲା। ପ୍ରଥମେ, ପାରାଦୀପ ସାମୁଦ୍ରିକ ଥାନା, ତା’ପରେ ରାଜ୍ୟ ଅପରାଧ ନିବାରଣ ବିଭାଗ ଓ ଶେଷକୁ ପାରାଦୀପ ବନ୍ଦର ନ୍ୟାସର ଅଧ୍ୟକ୍ଷ ୨୦୧୮ ମସିହାରେ କେନ୍ଦ୍ର ସରକାରକଙ୍କୁ ଚିଠି ଲେଖିବା ପରେ ସିବିଆଇ ମଧ୍ୟ ଅନୁସନ୍ଧାନ ଆରମ୍ଭ କରିଥିଲେ। ଇତିମଧ୍ୟରେ ମୂଳ ଅଭିଯୋଗକାରୀ ଶଂଖନାଦ ବେହେରା ଇହଧାମ ତ୍ୟାଗ କଲେଣି ଓ ବନ୍ଦରର ବରିଷ୍ଠ ଅଧିକାରୀ ବଦଳି ଓ ଅବସର ନେଇ ସାରିଲେଣି। ଜାହାଜର ମାଲିକ ବୋଲାଉଥିବା ସିଂଗାପୁର ଅଧିବାସୀ ‘ସିତକି କୁକ୍’ଙ୍କ ପତ୍ତା ମିଳୁନାହିଁ। ବ୍ଲାକ୍ ରୋଜ୍ ନାମରେ ତାଙ୍କର ଦୁଇଟି ଜାହାଜ ଥିଲା ଏବଂ ପାରାଦୀପରେ ବୁଡ଼ିଯାଇଥିବା ଜାହାଜର ବୀମା ସମେତ ସମସ୍ତ କାଗଜପତ୍ର ନକଲି ଓ ଅବୈଧ ଥିଲା।
କଳା ବୁଧବାରର କାଳ ରାତ୍ରିରେ ପାରାଦୀପ ସମୁଦ୍ରରେ ଘଟିଯାଇଥିବା ବ୍ଲାକ୍ ରୋଜ୍ ଜାହାଜବୁଡ଼ିକୁ କିଏ କିପରି ଦୃଷ୍ଟିଭଙ୍ଗୀରେ ଦେଖୁଛନ୍ତି, ଦେଖନ୍ତୁ। ଏହାର ରହସ୍ୟ ଉଦ୍ଘାଟନ ମଧ୍ୟ ହେଉ। ପାରାଦୀପ ବନ୍ଦର ମଧ୍ୟକୁ କବାଡ଼ିବାଲାକୁ ବିକ୍ରୀଯୋଗ୍ୟ ଜାହାଜ ବ୍ଲାକ୍ ରୋଜ୍ କିଭଳି ପ୍ରବେଶ କରିପାରିଲା ଓ ସେଥିରେ କାହିଁକି ଏବଂ କିପରି ଲୁହାପଥର ବୋଝେଇ ହୋଇ ପାରିଲା, ତାହାର ରହସ୍ୟ ଲୋକଲୋଚନକୁ ଆସିବା ଆବଶ୍ୟକ। ଓଡ଼ିଶାର ମୂଲ୍ୟବାନ ଖଣିଜ ଦ୍ରବ୍ୟର ଚୋରାଚାଲାଣ ଉପରୁ ରହସ୍ୟର ପରଦା ହଟାଇ ଦେଶବାସୀଙ୍କ ସମ୍ମୁଖରେ ସତ୍ୟ ଉନ୍ମୋଚିତ ହେବା ମଧ୍ୟ ଆବଶ୍ୟକ। ଖଣି ମାଲିକ, ଖଣିଜ ଉତ୍ତୋଳନକାରୀ, ରେଳବାଇ ସମେତ ଘରୋଇ ଟ୍ରକ୍ ପରିବହନକାରୀ, ସ୍ପଂଜଲୁହା କାରଖାନା ଠାରୁ ଆରମ୍ଭ କରି ସମସ୍ତ ଲୌହ-ଇସ୍ପାତ୍-ଆଲୁମିନା ଉତ୍ପାଦନକାରୀମାନେ ବ୍ୟବହାର କରୁଥିବା କଞ୍ଚାମାଲର ପରିମାଣ ତଥା ବିଦେଶକୁ ରପ୍ତାନୀ କରା ଯାଉଥିବା ଲୁହାପଥର, କ୍ରୋମାଇଟ୍, ଆଲୁମିନା ଇତ୍ୟାଦି ତଦନ୍ତଯୋଗ୍ୟ। ଯେଭଳି ଓ ବାର୍ଷିକ ଯେତିକି ଖଣି ଖୋଳିବା ପାଇଁ ଅନୁମତି ରହିଛି, ତାହାଠାରୁ ଅଧିକ ପରିମାଣର ଏବଂ ଖଣି ପରିସୀମା ବାହାରୁ ଖଣିଜ ପଦାର୍ଥ ଖୋଳାଯାଇ ଚୋରାରେ ରପ୍ତାନୀ ହେଉଥିବାର ଅନେକ ଉଦାହରଣ ମଧ୍ୟରୁ ବ୍ଲାକ୍ ରୋଜ୍ ଜାହାଜବୁଡ଼ି ଦୁର୍ଘଟଣା ଅନ୍ୟତମ ହୋଇଥିବାରୁ ଏହାର ତଦନ୍ତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାବଶ୍ୟକ।
ଲୋକଙ୍କ ମୋହନ ସରକାର ସବୁକଥାରେ ପୁରୁଣା ମାମଲାଗୁଡ଼ିକର ପୁନଃତଦନ୍ତ କରିବା କଥା କହୁଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଅଦାଲତରୁ ଅନୁମତି ଆଣି, ଆଇନ୍ ଅନୁସାରେ କାର୍ଯ୍ୟକ୍ରମ ହାତକୁ ନେବା ଦରକାର। ଖଣିରୁ ଅଧିକ ରୋଜଗାର ଏବଂ ଶିଳ୍ପ ସ୍ଥାପନ ଲୋଭରେ ଦେଶର ଆଇନ୍ କାନୁନକୁ ଜଳାଞ୍ଜଳି ଦେବାକୁ ରାଜନୈତିକ ଇଚ୍ଛାଶକ୍ତି ବଢ଼ିଲେ ଖଣି ମାଫିଆମାନେ ସକ୍ରିୟ ହୋଇ ସବୁ ଖଣି ଲୁଟିନେବେ। ଓଡ଼ିଶାରେ କୁହାଯାଏ, ‘ସରକାରୀ ମାଲ, ଦରିଆ ମେ ଡାଲ୍’! ଦରିଆରେ ଓଡ଼ିଶାର ଲୁହାପଥର ବୁଡ଼ି ସାରିଛି। ଲୋକଙ୍କ ମୋହନ ସରକାର ଯଦି ଓଡ଼ିଶାକୁ ଲୁଟିଥିବା ଲୋକଙ୍କ ଅଣ୍ଟା ଭାଙ୍ଗିବାକୁ ଅଧିକ ଡେରି କରିବେ ହୁଏତ ଲୋକମାନେ କହିବେ ଯେ, ଦାଲ୍ ମେଁ କୁଛ୍ କାଲା ହୈ!
ଫୋ- ୯୪୩୮୨୯୯୦୩୭