ମେକ୍ ଇନ୍ ଓଡ଼ିଶା- କେତେ ନିଯୁକ୍ତି ସମ୍ଭାବନା?

ଭାଲଚନ୍ଦ୍ର ଷଡ଼ଙ୍ଗୀ ୨୦୨୨ ଡିସେମ୍ବର ମାସର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କିତ ଦୁଇଟି କାର୍ଯ୍ୟକ୍ରମ ଓଡ଼ିଶାରେ ଶିଳ୍ପାୟନର ଭବିଷ୍ୟତ ନେଇ ଚିନ୍ତା କରିବାକୁ ଆମକୁ ଖୋରାକ ଯୋଗାଇଛି। ପ୍ରଥମ ସପ୍ତାହରେ ଭୁବନେଶ୍ୱରଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ‘ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ – ୨୦୨୨’ ଆୟୋଜିତ ହୋଇଥିବା ବେଳେ ଆଉ ଏକ କାର୍ଯ୍ୟ୍ୟକ୍ରମ ଦ୍ୱିତୀୟ ସପ୍ତାହରେ ଗୁଜରାଟର ସୁରାଟରଠାରେ ଅନୁଷ୍ଠିତ ହୋଇଯାଇଛି। ସେଠାକାର ଓଡ଼ିଆ ଟେକ୍ସଟାଇଲ କମ୍ପାନୀମାନଙ୍କର ମାଲିକ, ବ୍ୟବସାୟୀ ଓ ବୁଦ୍ଧିଜୀବୀମାନେ ଏକ […]

Make In Odisha

Debendra Prusty
  • Published: Saturday, 24 December 2022
  • , Updated: 24 December 2022, 04:44 PM IST
  • ଭାଲଚନ୍ଦ୍ର ଷଡ଼ଙ୍ଗୀ

୨୦୨୨ ଡିସେମ୍ବର ମାସର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କିତ ଦୁଇଟି କାର୍ଯ୍ୟକ୍ରମ ଓଡ଼ିଶାରେ ଶିଳ୍ପାୟନର ଭବିଷ୍ୟତ ନେଇ ଚିନ୍ତା କରିବାକୁ ଆମକୁ ଖୋରାକ ଯୋଗାଇଛି। ପ୍ରଥମ ସପ୍ତାହରେ ଭୁବନେଶ୍ୱରଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ‘ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ - ୨୦୨୨’ ଆୟୋଜିତ ହୋଇଥିବା ବେଳେ ଆଉ ଏକ କାର୍ଯ୍ୟ୍ୟକ୍ରମ ଦ୍ୱିତୀୟ ସପ୍ତାହରେ ଗୁଜରାଟର ସୁରାଟରଠାରେ ଅନୁଷ୍ଠିତ ହୋଇଯାଇଛି। ସେଠାକାର ଓଡ଼ିଆ ଟେକ୍ସଟାଇଲ କମ୍ପାନୀମାନଙ୍କର ମାଲିକ, ବ୍ୟବସାୟୀ ଓ ବୁଦ୍ଧିଜୀବୀମାନେ ଏକ ସମାବେଶ କରି ଓଡ଼ିଶାରେ ବୟନ ଶିଳ୍ପ ପ୍ରତିଷ୍ଠା କରି ଓଡ଼ିଆ ଯୁବକ ଯୁବତୀଙ୍କୁ ଓଡ଼ିଶାରେ ହିଁ ରୋଜଗାର ଦେବାକୁ ଆଗ୍ରହ ପ୍ରକାଶ କରିବା ସହିତ ସେ ଦିଗରେ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କ ପାଖରେ କିଛି ପ୍ରସ୍ତାବ ରଖିଛନ୍ତି। ତେବେ ତୃତୀୟ ଥର ପାଇଁ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସରକାରଙ୍କ ବହୁ ପ୍ରଚାରିତ ଶିଳ୍ପକୁମ୍ଭରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ଅଧିକାରୀଙ୍କ ସମେତ ଦେଶ ବିଦେଶର ଅନେକ କମ୍ପାନୀର ପ୍ରତିନିଧି, ରାଜନେତା, ରାଷ୍ଟ୍ରଦୂତ ଓ ଯୋଗ ଦେଇଥିଲେ ମଧ୍ୟ ସୁରାଟରେ ସେହି ଉତ୍ସାହୀ ଓଡ଼ିଆ ଶିଳ୍ପପତ୍ତିମାନଙ୍କୁ ସେଠାକୁ ଆମନ୍ତ୍ରଣ କରାନଯିବା ଏକ ଭୂଲ ସଙ୍କେତ ଦେଉଛି।

ରାଜ୍ୟରେ ବିପୁଳ ପୁଞ୍ଜିନିବେଶ ପାଇଁ ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ଦିଷ୍ଟ ଏହି କନକ୍ଳେଭ୍ ଏକଦମ ସଫଳ ହୋଇଛି ବୋଲି ଓଡ଼ିଶା ସରକାର ଦାବି କରିବା ସହ ଏହା ଫଳରେ ଓଡ଼ିଶା ବିକାଶର ରାସ୍ତାରେ ଦୃତଗତିରେ ଆଗେଇବ ବୋଲି କହିଛନ୍ତି। ଏଥିରେ ମୋଟ ୧୦.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରସ୍ତାବ ଆସିଥିବା କୁହାଯାଉଛି। ସେଥିରେ ମୋଟ ୧୦,୩୭,୭୦୧ ନୂତନ ନିଯୁକ୍ତିର ସମ୍ଭାବନା ରହିଛି ବୋଲି କୁହାଯାଇଛି। କେବଳ ଖଣି ଭିତ୍ତିକ ଶିଳ୍ପରେ ୫,୪୯,୭୬୪ କୋଟି ଟଙ୍କାର ପ୍ରସ୍ତାବ ଆସିଛି। ଶକ୍ତି, ଅକ୍ଷୟ ଶକ୍ତି ଓ ସବୁଜ ଶକ୍ତିରେ ୨,୩୮,୪୫୫ କୋଟି, ଲଜିଷ୍ଟିକ୍ ଓ ମେନୁଫେକଚେରିଙ୍ଗରେ ୧,୧୯,୧୯୭ କୋଟିର ପ୍ରସ୍ତାବ ଆସିଛି। ଟେକ୍ସଟାଇଲ, ଆପାରେଲ ଆଣ୍ଡ୍ ଟେକ୍ନିକାଲ ଟେକ୍ସଟାଇଲ କ୍ଷେତ୍ରରେ ୨୦ଟି ପ୍ରକଳ୍ପରେ ମାତ୍ର ୨୬୪୦ କୋଟି ପୁଞ୍ଜିନିବେଶର ପ୍ରସ୍ତାବ ଆସିଥିବା ବେଳେ ସେଥିରେ କିନ୍ତୁ ୩୩,୫୮୭ ଜଣ ନିଯୁକ୍ତି ପାଇବେ ବୋଲି କୁହାଯାଇଛି। ସେହିପରି କାଗଜ, କାଠ ଏବଂ ଜଙ୍ଗଲ ଭିତ୍ତିକ ଶିଳ୍ପରେ ୨୮ଟି ପ୍ରସ୍ତାବରେ ମୋଟ ୫,୩୦୬ କୋଟିର ପୁଞ୍ଜିନିବେଶ ହେବ ବୋଲି କୁହାଯାଇଥିବା ବେଳେ ସେଥିରେ ୧୩,୭୮୭ ଜଣ ନିଯୁକ୍ତି ପାଇବେ ବୋଲି କୁହାଯାଇଛି। ଇଲେକ୍ଟ୍ରିକ୍ ଯାନ ପ୍ରକଳ୍ପ ପାଇଁ ମାତ୍ର ୫୦୦ କୋଟି ଟଙ୍କା ପୁଞ୍ଜିନିବେଶର ପ୍ରସ୍ତାବ ଆସିଥିବା ବେଳେ ସେଥିରେ ୨୭,୦୦୦ ଲୋକ ନିଯୁକ୍ତି ପାଇବେ ବୋଲି କୁହାଯାଉଛି। କୃଷି ଓ ଖାଦ୍ୟ ପ୍ରକ୍ରୀୟାକରଣରେ ୧୦୨ଟି ପ୍ରକଳ୍ପରେ ୭,୨୪୯ କୋଟି ଟଙ୍କାର ପୁଞ୍ଜିନିବେଶରେ ୧,୪୪,୬୫୫ ନିଯୁକ୍ତି ସୃଷ୍ଟିହେବ ବୋଲି କୁହାଯାଇଛି।

‘ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍-୨୦୨୨’ ସମୟରେ ଓଡ଼ିଶା ସରକାର ରାଜ୍ୟରେ ଶିଳ୍ପନୀତି - ୨୦୨୨କୁ ମଧ୍ୟ ଘୋଷଣା କରିଛନ୍ତି। ଦେଶୀ ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷିତ କରିବାକୁ ଉଦ୍ଦିଷ୍ଟ ଏହି ନୀତିଟି ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ନୀତି ଅନୁଯାୟୀ ଷ୍ଟାମ୍ପ୍ ଡ୍ୟୁଟି ଓ ଜମି ରୂପାନ୍ତରଣ ଦେୟରେ ୧୦୦% ରିହାତି ସହ ଶିଳ୍ପପତିମାନଙ୍କୁ ରିହାତି ମୂଲ୍ୟରେ ଶିଳ୍ପ ଉପଯୋଗୀ ଜମି ପ୍ରଦାନ କରାଯିବ। ଶିଳ୍ପ ସ୍ଥାପନ କଲେ ସରକାର ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ଦରରେ ୧୦୦% ରିହାତି ଦେବା ସହ ସେମାନଙ୍କୁ ୧୦୦% ରାଜ୍ୟ ଜିଏସ୍‌ଟି ଫେରସ୍ତ କରାଯିବ। ଶିଳ୍ପ ମୂଲ୍ୟ ଉପରେ ୨୦-୩୦% ପୁଞ୍ଜି ବିନିଯୋଗର ଅନୁଦାନ ମଧ୍ୟ ଦିଆଯିବ ବୋଲି କୁହାଯାଇଛି। ତେବେ ସରକାରଙ୍କ ଏତେ ସବୁ ରିହାତି ସତ୍ତ୍ୱେ ରାଜ୍ୟରେ ମାତ୍ର ୧୦.୫ ଲକ୍ଷ କୋଟିର ହିଁ ପୁଞ୍ଜିନିବେଶର ପ୍ରତିଶୃତି ମିଳିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଟ ପୁଞ୍ଜିନିବେଶର ୮୦%ରୁ ଅଧିକ କେବଳ ଖଣିଭିତ୍ତିକ ଶିଳ୍ପ ରହିଛି। ମେନୁଫେକଚେରିଙ୍ଗ୍ ଶିଳ୍ପରେ ପୁଞ୍ଜିନିବେଶର ଅଂଶ ପ୍ରାୟ ୧୦% ରହିଥିବା ବେଳେ କୃଷି ଓ ଜଙ୍ଗଲଭିତ୍ତିକ ଶିଳ୍ପର ଭାଗ ୫%ରେ ସିମୀତ ରହିଛି। ଏଥିରୁ ରାଜ୍ୟରେ ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ବଡ଼ କର୍ପୋରେଟ୍‌ମାନଙ୍କ ଆଗ୍ରହ ପଛର କାରଣଟି ସ୍ପଷ୍ଟ ବାରି ହୋଇଯାଉଛି।

ରାଜ୍ୟକୁ ଖଣି ଭିତ୍ତିକ ଓ ବୃହତ୍ତ ଶିଳ୍ପରେ ହେବାକୁ ଥିବା ସମୁଦାୟ ୮,୬୯,୩୨୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାକୁ ଥିବା ବେଳେ ସର୍ବମୋଟ ୪,୯୨,୬୨୮ ଜଣ ନିଯୁକ୍ତି ପାଇବେ ବୋଲି କୁହାଯାଉଛି। ଏହାର ଅର୍ଥ ହେଲା ଖଣିଭିତ୍ତିକ ଶିଳ୍ପ ବା ବୃହତ୍ତ ଶିଳ୍ପ ପ୍ରତି ୨ କୋଟି ଟଙ୍କାର ପୁଞ୍ଜିନିବେଶରେ ମାତ୍ର ଜଣକୁ ହିଁ ନିଯୁକ୍ତି ଦେଇପାରୁଛି। ଅଥଚ ସେହି ୨ କୋଟିରେ ମଧ୍ୟମ ଶିଳ୍ପରେ ଦୁଇଟି ମାତ୍ର ଚାକିରୀ ସୃଷ୍ଟି ହେଉଛି। ମେନୁଫେକ୍ଚେରିଙ୍ଗରେ ପ୍ରତି ୨ କୋଟି ପୁଞ୍ଜିନିବେଶରେ ୮ ଜଣ ରୋଜଗାର ପାଉଛନ୍ତି ଏବଂ ଖାଦ୍ୟ ପ୍ରକ୍ରୀୟାକରଣ, କାଗଜ, କାଠ ଓ ଜଙ୍ଗଲ ଆଧାରିତ ତଥା ବୟନ ଶିଳ୍ପରେ ପ୍ରତି ୨ କୋଟିରେ ୧୬ ଜଣ ନିଯୁକ୍ତି ପାଉଥିବା ସ୍ପଷ୍ଟ ହେଉଛି। ଏହାର ଅର୍ଥ ହେଲା ଅଧିକ ପୁଞ୍ଜିଭିତ୍ତିକ ଖଣିଜ ଶିଳ୍ପରେ ବହୁତ୍ କମ୍ ନିଯୁକ୍ତି ସୃଷ୍ଟି ହେଉଥିବା ବେଳେ କୃଷି ଓ ଜଙ୍ଗଲ ଆଧାରିତ ଶିଳ୍ପରେ ତାର ୧୬ ଗୁଣ ଅଧିକ ନିଯୁକ୍ତି ସୃଷ୍ଟି ହେଉଛି। ଅଥଚ ସରକାର ଶିଳ୍ପାୟନ ନାଁରେ କେବଳ ବୃହତ ଓ ଖଣିଭିତ୍ତିକ ଶିଳ୍ପକୁ ହିଁ ଗୁରୁତ୍ୱ ଦେଉଛନ୍ତି। ଉପରୋକ୍ତ ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ ରାଜ୍ୟରେ ଯେଉଁ ପରିମାଣରେ ପୁଞ୍ଜିନିବେଶ ହେବାକୁ ଯାଉଛି ସେ ତୁଳନାରେ ନିଯୁକ୍ତିର ହାରଟି ବହୁତ କମ୍।

ଯେକୌଣସି ଶିଳ୍ପ ପ୍ରତିଷ୍ଠା ପଛରେ ସାଧାରଣତଃ ୫ଟି ପରିମାପକକୁ ବିଚାରକୁ ନିଆଯାଇଥାଏ। ପ୍ରଥମତଃ ସ୍ଥାନୀୟ କଞ୍ଚାମାଲର ଦୀର୍ଘକାଳୀନ ଉପଯୋଗ ଜରିଆରେ ଲୋକଙ୍କ ଚଳନ୍ତି ଅର୍ଥନୀତିରେ ବିକାଶ କରିବା। ଦ୍ୱିତୀୟତଃ ଶିଳ୍ପ ଜରିଆରେ ବ୍ୟାପକ ରୋଜଗାର ସୃଷ୍ଟି କରିବା। ତୃତୀୟତଃ ଦେଶୀୟ/ଘରୋଇ ବଜାରର ଚାହିଦା ପୂରଣ ପାଇଁ ଉଦ୍ଦିଷ୍ଟ ଜିନିଷର ଉତ୍ପାଦନ କରିବା। ଚତୁର୍ଥତଃ ସରକାରୀ ରାଜକୋଷକୁ କର ଓ ଅନ୍ୟାନ୍ୟ ବାବଦରେ ବିପୁଳ ରାଜସ୍ୱ ସଂଗ୍ରହ କରିବା। ପଞ୍ଚମତଃ ସଂପୃକ୍ତ ଶିଳ୍ପକୁ ଭିତ୍ତି କରି ଅନ୍ୟାନ୍ୟ ଆଖପାଖରେ ଅନେକଗୁଡ଼ିଏ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ହେବା ଫଳରେ ଅତିରିକ୍ତ ରୋଜଗାର ସୃଷ୍ଟି ହେବା ସହିତ ଅର୍ଥନୀତିର ପରିସର ବୃଦ୍ଧି ପାଇବା। ଏହା ବ୍ୟତିତ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ଦେବା ବେଳେ ତାରି ଫଳରେ ସ୍ଥାନୀୟ ପରିବେଶ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଯେପରି କୌଣସି ଖରାପ ପ୍ରଭାବ ପଡ଼ୁ ନଥିବ ଅଥବା ବହୁତ କମ୍ ପ୍ରଭାବ ପଡ଼ୁଥିବ ତାକୁ ଦେଖିବା ବି ଯେକୌଣିସ ସରକାରଙ୍କ ଦାୟିତ୍ୱ। କିନ୍ତୁ ବର୍ତ୍ତମାନ ଆମ ରାଜ୍ୟରେ ଯେଉଁ ତଥାକଥିତ ଶିଳ୍ପାୟନ ଚାଲିଛି ତାହା ଉପରୋକ୍ତ ପରିମାପକକୁ ତ ବିଲକୁଲ ପୂରଣ କରୁନାହିଁ ବରଂ ସ୍ଥାନୀୟ ପରିବେଶ ତଥା ଲୋକଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି ମୋଟେ ଅନୁକୂଳ ବି ନୁହେଁ।

ଅସଲ କଥା ହେଲା ସରକାର ଶିଳ୍ପାୟନର ନାଁରେ ଯେଉଁସବୁ ପ୍ରକଳ୍ପକୁ ଅନୁମତି ଦେଉଛନ୍ତି ତାର ସିଂହ ଭାଗ ହେଉଛି ଖଣି କିମ୍ବା ଖଣି ଭିତ୍ତିକ ଶିଳ୍ପ। ଓଡ଼ିଶାରେ ଏଯାଏଁ ସ୍ୱାକ୍ଷର ହୋଇଥିବା ପ୍ରକଳ୍ପଗୁଡ଼ିକର ମୋଟ ପୁଞ୍ଜିର ୭୮% କେବଳ ଖଣି ତଥା ଖଣିଭିତ୍ତିକ ଶିଳ୍ପ ବୋଲି ଜଣା ପଡ଼ିଛି। ଓଡ଼ିଶା ପରି ଖଣିଜ ସମ୍ପଦ ଭରା ରାଜ୍ୟରେ ଖଣି ଖନନ ଓ ତାକୁ ଭିତ୍ତି କରି ଶିଳ୍ପ ପ୍ରତିଷ୍ଠା ଜରିଆରେ ହିଁ ରାଜ୍ୟର ବିକାଶ ହେବ ବୋଲି ଏକ ଧାରଣା ସୃଷ୍ଟି କରାଯାଉଛି। ମାଟିତଳେ ଥିବା ଖଣିଜ ସମ୍ପଦକୁ ଉତ୍ତୋଳନ କରି ତାକୁ ପ୍ରକ୍ରୀୟାକରଣ ଜରିଆରେ ସେମି ଫିନିସିଡ଼ ଉତ୍ପାଦରେ ପରିବର୍ତ୍ତିତ କରି ତାକୁ ବିଦେଶକୁ ରପ୍ତାନୀ କରିଦେଲେ ଓଡ଼ିଶାର ବିକାଶ ହେବା ସହ ଗରିବୀ ଦୂର ହୋଇଯିବ ବୋଲି ସରକାରଙ୍କ ତରଫରୁ କୁହାଯାଉଛି। ତେବେ ଅଧିକ ପୁଞ୍ଜିଭିତ୍ତିକ ତଥା ପ୍ରଦୂଷଣକାରୀ ଖଣି ଭିତ୍ତିକ ଶିଳ୍ପ ଆମ ବିକାଶର ମାପକାଠି କଦାପି ନୁହେଁ। କାରଣ ଆଜି ଦେଶର ବିକଶିତ ରାଜ୍ୟ ଭାବେ ପରିଚିତ ପଞ୍ଜାବ, ହରିଆନା, ଗୁଜରାଟ, ମହାରାଷ୍ଟ୍ର, କେରଳ କିମ୍ବା ତାମିଲନାଡ଼ୁ ପ୍ରମୁଖ ରାଜ୍ୟ ଖଣି କିମ୍ବା ଖଣି ଭିତ୍ତିକ ଶିଳ୍ପ ଲାଗି ବିକଶିତ ହୋଇନାହାନ୍ତି। ଦେଖିବାକୁ ଗଲେ ସେସବୁ ରାଜ୍ୟରେ ଖଣି ଖାଦାନ ବି ବହୁତ କମ୍ ରହିଛି ଏବଂ ସେମାନଙ୍କ ବିକାଶରେ ଖଣି କିମ୍ବା ଖଣିଭିତ୍ତିକ ଶିଳ୍ପର ଭୂମିକା ଅତ୍ୟନ୍ତ ନଗଣ୍ୟ। ବରଂ ସେମାନଙ୍କ ବିକାଶ ପଛରେ ସେମାନଙ୍କର କୃଷି ତଥା କୃଷି ଭିତ୍ତିକ ଶିଳ୍ପ ଏବଂ ମେନୁଫେକଚରିଙ୍ଗ୍ ଆଦିରେ ବିକାଶ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଅନ୍ୟ ପକ୍ଷରେ ଦେଶର ଖଣିଜ ସମ୍ପଦରେ ପରିପୂର୍ଣ୍ଣ ତଥା ସର୍ବାଧିକ ଖଣି ଭିତ୍ତିକ ଶିଳ୍ପ ରହିଥିବା ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ପରି ରାଜ୍ୟମାନେ ଅର୍ଥନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗରିବ ଏବଂ ଦେଶର ବିକାଶ ମାନଚିତ୍ରରେ ବି ସବା ପଛରେ ରହିଛନ୍ତି। ଗତ ୭୫ ବର୍ଷର ନୀରବଛିନ୍ନ ଖଣି ଖନନ ସତ୍ତ୍ୱେ ବି ସେସବୁ ରାଜ୍ୟର ସର୍ବାଧିକ ଲୋକ ଗରିବୀ ଓ କ୍ଷୁଧା ମଧ୍ୟରେ ରହିଛନ୍ତି। ସ୍ୱାସ୍ଥ୍ୟସେବା, ଶିକ୍ଷା, ସାକ୍ଷରତା, ମହିଳା ବିକାଶ, ମଜୁରୀ ହାର ଆଦି ସବୁଥିରେ ଏହି ରାଜ୍ୟମାନେ ପଛରେ ଥିବା ବେଳେ ଅନାହାର, ପୁଷ୍ଟିହୀନତା, ଶିଶୁ ମୃତ୍ୟୁହାର, ଅଧାରୁ ପାଠ ଛାଡ଼ିବା ଆଦିରେ ଅନ୍ୟ ରାଜ୍ୟ ଅପେକ୍ଷା ଆଗରେ ରହିଛନ୍ତି। ଅତଏବ ଖଣି ଭିତ୍ତିକ ଶିଳ୍ପ କଦାପି ଯେ ଏକ ସୁସଙ୍ଗତ ବିକାଶର ପ୍ରତୀକ ନୁହେଁ ଏକଥା ସ୍ପଷ୍ଟ ପ୍ରମାଣିତ।

ଆମ ରାଜ୍ୟରେ ଦେଶର ମୋଟ ଜଳ ସମ୍ପଦର ୧୨% ଗଚ୍ଛିତ ଥିବା ବେଳେ ୪୮୦ କି.ମି ଲମ୍ବାର ସୁଦୀର୍ଘ ସମୂଦ୍ର ଉପକୂଳ ରହିଛି। ଏହା ବ୍ୟତିତ ରାଜ୍ୟର ଭୂଭାଗର ଏକ ବଡ଼ ଅଂଶରେ ବିପୁଳ ଜଙ୍ଗଲ ସମ୍ପଦ ସାଙ୍ଗକୁ କପା, ଆଖୁ, ମକା ପରି ଅର୍ଥକାରୀ କୃଷିଜାତ ଦ୍ରବ୍ୟର ଯଥେଷ୍ଟ ଉତ୍ପାଦନ ହେଉଛି। ଏହାବାଦ ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଭୂଭାଗରେ ବିପୁଳ ଜଙ୍ଗଲ ସମ୍ପଦ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଉତ୍ପାଦିତ ହେଉଥିବା କୃଷିଜାତ, ଜଙ୍ଗଲଜାତ ଏବଂ ସମୂଦ୍ରଜାତ ଦ୍ରବ୍ୟକୁ କଞ୍ଚାମାଲ ରୂପେ ବ୍ୟବହାର କରି ଅନେକ ଗୁଡ଼ିଏ ଶିଳ୍ପ କାରଖାନା ପ୍ରତିଷ୍ଠା କରାଯାଇ ପାରନ୍ତା। କପା, ଆଖୁ, ଝୋଟ, ମକା, ବାଉଁଶ ପରି କୃଷିଜାତ ତଥା ଜଙ୍ଗଲଜାତ ଦ୍ରବ୍ୟକୁ ବ୍ୟବହାର କରି ଆମ ରାଜ୍ୟ ଓ ଦେଶର ଚାହିଦା ପୂରଣ କରିବାକୁ ଆବଶ୍ୟକୀୟ ସଂଖ୍ୟକ ଲୁଗାକଳ, ଚିନି କଳ କିମ୍ବା କାଗଜ ମଧ୍ୟ ପ୍ରତିଷ୍ଠା କରାଯାଇ ପାରନ୍ତା। ରାଜ୍ୟରେ ଉତ୍ପାଦିତ ହେଉଥିବା ଚମଡ଼ାକୁ ବ୍ୟବହାର କରି ଚମଡ଼ା ଓ ଜୋତା କାରଖାନା ନିର୍ମାଣ କରି ଆମର ଆବଶ୍ୟକତାକୁ ପୂରଣ କରାଯାଇ ପାରନ୍ତା। ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ସାଇକେଲ ବିକ୍ରୀ ହେଉଥିବା ବେଳେ ଏଠାରେ ସାଇକେଲ କାରଖାନାଟିଏ ବି ନରହିବା ଦୁଃଖଦାୟକ। ସରକାର ଚାହିଁଥିଲେ ଏଠାରେ ନିଜ ପୁଞ୍ଜିରେ ବି ସାଇକେଲ କାରଖାନାଟି ପ୍ରତିଷ୍ଠା କରି ପାରିଥାନ୍ତେ। ରାଜ୍ୟରେ ଥିବା ଚିଲିକା ଓ ସମୁଦ୍ରରୁ ଉତ୍ପାଦିତ ସାମୁଦ୍ରିକ ଉତ୍ପାଦକୁ ଭିତ୍ତି କରି ଶିଳ୍ପ କାରଖାନା ଗଢ଼ିଥିଲେ ତାହା ରାଜ୍ୟର ଅର୍ଥନୀତିରେ ସହାୟକ ହୋଇଥାନ୍ତା।

ସବୁଠାରୁ ବଡ଼ କଥା ହେଲା, ଖଣିଭିତ୍ତିକ ଶିଳ୍ପ ପାଇଁ ଆବଶ୍ୟକ ଖଣିଜ ଦ୍ରବ୍ୟ ସବୁ ଅସରନ୍ତି ନଥିବା ବେଳେ କୃଷି, ଜଙ୍ଗଲ କିମ୍ବା ସାମୁଦ୍ରିକ ଉତ୍ପାଦ ଭିତ୍ତିକ ଶିଳ୍ପ ପାଇଁ ଆବଶ୍ୟକ କଂଚାମାଲ ସବୁ ଅସରନ୍ତି ଅଟନ୍ତି। ବର୍ତ୍ତମାନ ରାଜ୍ୟରେ ଯେତିକି ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି, ତାହା ଯଦି କାର୍ଯ୍ୟକାରୀ ହୁଏ ତାହେଲେ ଆସନ୍ତା ୨୨ରୁ ୩୫ ବର୍ଷ ମଧ୍ୟରେ ଆମର ମାଟି ତଳେ ଥିବା ସମସ୍ତ ଖଣିଜ ପଦାର୍ଥ ସବୁଦିନ ପାଇଁ ଶେଷ ହୋଇଯିବ। ଏସବୁ ଖଣିଜ ସମ୍ପଦ ଉପରେ କେବଳ ଆମ ପିଢ଼ିର ନୁହେଁ ବରଂ ଆଗାମୀ ପିଢ଼ିର ବି ଅଧିକାର ରହିଛି। ଅତଏବ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହେଉଥିବା ଏକ ସରକାର ଏହାକୁ ନିଜର ଶାସନକାଳ ମଧ୍ୟରେ ସମାପ୍ତ କରିଦେବାର କୌଣସି ଅଧିକାର ନାହିଁ। ତେଣୁ ଖଣିଭିତ୍ତିକ ଶିଳ୍ପ କାରଖାନାର ଭବିଷ୍ୟତ ଆଦୌ ଦୀର୍ଘସ୍ଥାୟୀ ନୁହେଁ। ତେଣୁ ସେସବୁ ବଦଳରେ କୃଷି, ଜଙ୍ଗଲ ଓ ସମୁଦ୍ରର ଉତ୍ପାଦକୁ ଆଧାର କରି ଶିଳ୍ପ ପ୍ରତିଷ୍ଠା ହେଲେ ତାହା ତ ଦୀର୍ଘମିଆଦି ହେବ ସହିତ ସେସବୁ ପଦାର୍ଥକୁ ଉତ୍ପାଦନ କିମ୍ବା ସଂଗ୍ରହ କରୁଥିବା ରାଜ୍ୟର ଚାଷୀ, ଆଦିବାସୀ କିମ୍ବା ମତ୍ସ୍ୟଜୀବୀଙ୍କ ପରି ଗରିବ ଲୋକେ ମଧ୍ୟ ନିୟମିତ ଭାବେ ଅଧିକ ଦୁଇ ପଇସା ରୋଜଗାର କରିବାର ସୁଯୋଗ ପାଇପାରିବେ। ଏହାଦ୍ୱାରା ସେମାନଙ୍କ ଚଳନ୍ତି ଅର୍ଥନୀତି ମଧ୍ୟ ସୁଦୃଢ଼ ହୋଇପାରିବ।

ଆଉ ଏକ ପ୍ରଶ୍ନ ହେଉଛି, ରାଜ୍ୟରେ ଗଢ଼ି ଉଠୁଥିବା ଖଣି ଭିତ୍ତିକ ଶିଳ୍ପ ସବୁ ଆମର ଘରୋଇ ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ କି? ଏହାର ଉତ୍ତର କିନ୍ତୁ ବିଲ୍‌କୁଲ୍ ନା। କାରଣ ଆମ ଦେଶର ଘରୋଇ ଆବଶ୍ୟକତା ପୂରଣ ପାଇଁ ଯେତେ ଲୁହା, ଇସ୍ପାତ, ଆଲୁମିନିୟମ ଦରକାର ଆମେ ବହୁ ପୂର୍ବରୁ ତା’ଠାରୁ ଯଥେଷ୍ଟ ଅଧିକ ଉତ୍ପାଦନ କରିପାରୁଛେ। ତେଣୁ ବର୍ତ୍ତମାନ ଯେଉଁସବୁ ଖଣିଭିତ୍ତିକ ଶିଳ୍ପ ହେଉଛି ସେଗୁଡ଼ିକ ପ୍ରାୟତଃ ୧୦୦% ରପ୍ତାନୀ ଭିତ୍ତିକ ଯାହାକି ଖୋଦ ସରକାରଙ୍କ ସହ ହୋଇଥିବା ସେମାନଙ୍କ ବୁଝାମଣା ପତ୍ରରୁ ଜଣାପଡ଼ୁଛି। ଅର୍ଥାତ୍ ଏସବୁ ଶିଳ୍ପକୁ ଆମେ ଆମର ଘରୋଇ ଚାହିଦା ପାଇଁ ନୁହେଁ ବରଂ ବିଦେଶୀ ବଜାରର ଚାହିଦା ପୂରଣ ପାଇଁ ପ୍ରତିଷ୍ଠା କରୁଛେ। ତେଣୁ ଏଭଳି ରପ୍ତାନୀ ଭିତ୍ତିକ ଶିଳ୍ପକୁ କେନ୍ଦ୍ର କରି ଏଠାରେ କୌଣସି ଆନୁସଙ୍ଗିକ ଶିଳ୍ପ ବିକାଶର ପ୍ରଶ୍ନ ହିଁ ଉଠୁନି। ଅନ୍ୟ ପକ୍ଷରେ ଏସବୁ ଶିଳ୍ପ ଅତ୍ୟନ୍ତ ପ୍ରଦୂଷଣକାରୀ ଏବଂ ସ୍ୱାସ୍ଥ୍ୟ ପାଇଁ ହାନୀକାରକ, ଯାହାର କୁପ୍ରଭାବକୁ ସ୍ଥାନୀୟ ଲୋକଙ୍କ ସମେତ ରାଜ୍ୟବାସୀଙ୍କୁ ଭୋଗିବାକୁ ପଡ଼ିବ। ଅତଏବ ଏହି ତଥାକଥିତ ଶିଳ୍ପାୟନ ଜରିଆରେ ଦେଶୀ ବିଦେଶ ବୃହତ କମ୍ପାନୀମାନେ ଆମର ମୂଲ୍ୟବାନ ଖଣିଜ ସମ୍ପଦକୁ ପ୍ରକ୍ରୀୟାକରଣ କରି ବିଦେଶକୁ ନେଇ ଚାଲିଯିବେ, ଆମ ପାଇଁ କେବଳ ଧୂଳି, ଧୂଆଁ, ଅବର୍ଜନା ଓ ପ୍ରଦୂଷଣ ହିଁ ରହିବ।

ଖଣିଭିତ୍ତିକ ଶିଳ୍ପର ଆଉ ଏକ ସମସ୍ୟା ହେଲା ଏସବୁ ପାଇଁ ବିପୁଳ ପରିମାଣର ପାଣି ଓ ବିଜୁଳୀ ଦରକାର ପଡ଼ିଥାଏ। ପାଣିର ଆବଶ୍ୟକତା ପୂରଣ ପାଇଁ ସରକାର ବର୍ତ୍ତମାନ ଥିବା ଜଳଭଣ୍ଡାରର ଜଳକୁ ବ୍ୟବହାର କରୁଥିବା ବେଳେ ରାଜ୍ୟର ନଦୀମାନଙ୍କରୁ ବଡ଼ ବଡ଼ ବୋର୍‌ୱେଲ୍‌ ଲଗାଇ ପାଣି ନେଉଛନ୍ତି। ଓଡ଼ିଶା ସରକାର ଚାଷୀର ସ୍ୱାର୍ଥ ବିରୁଦ୍ଧରେ ଯାଇ ମୂଳତଃ ଜଳସେଚନ ପାଇଁ ଉଦ୍ଦିଷ୍ଟ ହୀରାକୁଦ ଜଳଭଣ୍ଡାରର ଜଳକୁ ଶିଳ୍ପମାନଙ୍କୁ ଦେବା ପାଇଁ ଚୁକ୍ତିବଦ୍ଧ ହେବା ସହ ତାର ଚାରି ପାଖରେ ଅନେକ ଗୁଡ଼ିଏ ଶିଳ୍ପକୁ ଅନୁମତି ଦେଇଛନ୍ତି। ସେହିପରି କର୍ପୋରେଟ୍‌ଙ୍କୁ ଜଳ ଯୋଗାଇବାର ପ୍ରତିଶୃତି ଦେଇ ଓଡ଼ିଶା ସରକାର ମହାନଦୀର ତଳ ମୁଣ୍ଡରେ ଉଭୟ ପାର୍ଶ୍ୱରେ ଅନେକଗୁଡ଼ିଏ ତାପଜ ବିଦ୍ୟୁତ୍ ପ୍ରକଳ୍ପକୁ ଅନୁମତି ଦେଇଛନ୍ତି। ପରିତାପର ବିଷୟ ହେଉଛି ଯେ ଓଡ଼ିଶା ସରକାର ଶିଳ୍ପାୟନ ନାଁରେ ମହାନଦୀର ଜଳକୁ କର୍ପୋରେଟ୍‌ମାନଙ୍କୁ ଯୋଗାଉଥିବା ବେଳେ ତାର ଉପର ମୁଣ୍ଡରେ ଛତିଶଗଡ଼ ସରକାର ମଧ୍ୟ ଶିଳ୍ପମାନଙ୍କୁ ପାଣି ଯୋଗାଇବାକୁ ଅନେକ ଗୁଡ଼ିଏ ବନ୍ଧ ବାନ୍ଧିଛନ୍ତି। ଯାହା ଫଳରେ ମହାନଦୀର ସ୍ୱାଭାବିକ ଜଳ ପ୍ରବାହ କମି ତା ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବିକା ବିପନ୍ନ ହୋଇଛି।

ଖଣିଭିତ୍ତିକ ଶିଳ୍ପ ପାଇଁ ଆବଶ୍ୟକ ବିପୁଳ ବିଦ୍ୟୁତ୍ ଶକ୍ତିର ଚାହିଦା ପୂରଣ ପାଇଁ ସରକାରମାନେ ଉଭୟ ତାପଜ ବିଦ୍ୟୁତ୍ ଓ ଆଣବିକ ବିଦ୍ୟୁତ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ଓ ଛତିଶଗଡ଼ର ମହାନଦୀ ଅବବାହିକା, ବିଦର୍ଭର ଗୋଦାବରୀ ଅବବାହିକା ଏବଂ ଆନ୍ଧ୍ର ପ୍ରଦେଶର ସମୁଦ୍ର ଉପକୂଳରେ ସେଠାକାର ସରକାରମାନେ ତାପଜ ବିଦ୍ୟୁତ୍ କାରଖାନାର କ୍ଳଷ୍ଟର ତିଆରି କରି ଗୋଟିଏ ଜାଗାରେ ଅନେକ ଗୁଡ଼ିଏ ପ୍ରକଳ୍ପକୁ ଅନୁମତି ଦେଇଛନ୍ତି। ତାପଜ ବିଦ୍ୟୁତ ଅନ୍ୟ ଶକ୍ତି ଉତ୍ସ ତୁଳନାରେ ଅଧିକ ମହଙ୍ଗା ଏବଂ ପ୍ରଦୂଷଣକାରୀ। କୋଇଲା ଉପରେ ନିର୍ଭରଶୀଳ ହୋଇଥିବାରୁ ଏହି ପ୍ରକଳ୍ପ ସବୁ ଦୀର୍ଘସ୍ଥାୟୀ ନୁହଁନ୍ତି। ଏସବୁ ପ୍ରକଳ୍ପ ଦ୍ୱାରା କୋଇଲା ପୋଡ଼ି ଫଳରେ ସୃଷ୍ଟି ହେଉଥିବା ଉଡ଼ନ୍ତା ପାଉଁଶ କେବଳ ମଣିଷ ନୁହେଁ, ପଶୁପକ୍ଷୀ ଏପରିକି ନଦୀ ବା ଜଳାଶୟର ଜୀବମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭୟଙ୍କର ବିପଦ ରୂପେ ଜଣାଶୁଣା।

ଯେକୌଣସି ଶିଳ୍ପ ପାଇଁ ଏକ ପ୍ରମୁଖ ପରିମାପକ ହେଉଛି ତାହା କେତେ ରୋଜଗାର ସୃଷ୍ଟି କରିବ? ତେବେ ବର୍ତ୍ତମାନର ଉଦାରୀକରଣ ଓ ଜଗତୀକରଣର ଅର୍ଥନୀତିରେ ଚାଲିଥିବା ଶିଳ୍ପାୟନରେ ରୋଜଗାରର ଦିଗଟି ଅତ୍ୟନ୍ତ ନୈରାଶ୍ୟଜନକ। ବିଶେଷ କରି ଖଣିଭିତ୍ତିକ ଶିଳ୍ପ ଶ୍ରମ ବା ରୋଜଗାର ବହୁଳ ପରିବର୍ତ୍ତେ ମୂଳତଃ ପୁଞ୍ଜିବହୁଳ ହୋଇଥିବାରୁ ଏଥିରେ ରୋଜଗାରର ସମ୍ଭାବନାଟି ବହୁତ କମ୍। ଅନ୍ୟପଟେ ଏସବୁ ପ୍ରକଳ୍ପରେ ଯେତେ ଲୋକ ନିଯୁକ୍ତି ପାଇବେ ତା ତୁଳନାରେ ଅଧିକ ଲୋକ ବିସ୍ଥାପିତ ହୋଇ ନିଜର ଚଳନ୍ତି ରୋଜଗାରକୁ ହରାଇବେ। ପୁଣି ଯାହା ବି ନିଯୁକ୍ତି ମିଳିବ ତାହା ଉଚ୍ଚ ବୈଷୟିକ ଜ୍ଞାନ ଆଧାରିତ ହେତୁ ସେଥିରେ ସ୍ଥାନୀୟ ଳୋକଙ୍କର ନିଯୁକ୍ତିର ସମ୍ଭାବନା ବହୁତ କମ୍। ପୁଣି ଶିଳ୍ପଗୁଡ଼ିକ ପ୍ରାୟତଃ ଖଣିଭିତ୍ତିକ ହେତୁ ସେସବୁର ଅବଧି ବି ଖଣିଜ ସମ୍ପଦର ଉପଲବ୍ଧତା ସହିତ ଜଡ଼ିତ। ଅତଏବ ସେସବୁ ଶିଳ୍ପର ଆୟୁଷ ବି ବହୁତ କମ୍।

ଅନ୍ୟପକ୍ଷରେ ସୂତାକଳ, ଲୁଗାକଳ, ଚିନିକଳ, କାଗଜ କଳ ଓ ମେନୁଫେକ୍ଚେରିଙ୍ଗ୍ ତଥା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ପୁଞ୍ଜିନିବେଶ ତୁଳନାରେ ରୋଜଗାରର ସମ୍ଭାବନା ଯଥେଷ୍ଟ ଅଧିକ। ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ ପ୍ରତି ୧ କୋଟିର ପୁଞ୍ଜିନିବେଶରେ ଖଣିରେ ୭ ଜଣ, ବଡ଼ ଓ ମଧ୍ୟମ ଶିଳ୍ପରେ ୪୦ ଜଣ, କ୍ଷୁଦ୍ର ଶିଳ୍ପରେ ୨୮୨ ଜଣ ଏବଂ କୁଟୀର ଶିଳ୍ପରେ ୪,୪୭୫ ଜଣ ବ୍ୟକ୍ତି ରୋଜଗାର ପାଇ ପାରୁଛନ୍ତି। ଅନେକ ଦଶନ୍ଧୀ ଧରି ଆମ ରାଜ୍ୟର ଲକ୍ଷ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଯୋଗାଇ ଆସିଥିବା ସୁରାଟ ବା ଅହମ୍ମଦାବାଦରେ କୌଣସି ଖଣିଭିତ୍ତିକ ଶିଳ୍ପ ନୁହେଁ ବରଂ ସୂତା ଓ ଲୁଗା କାରଖାନା ରହିଛି। ଅତଏବ ଯଦି ସେଠାରେ ଆମର ଏତେ ସଂଖ୍ୟକ ଲୋକ ନିଯୁକ୍ତି ପାଇ ପାରୁଛନ୍ତି ତାହେଲେ ଓଡ଼ିଶାରେ ସେଭଳି ଶିଳ୍ପକୁ ସ୍ଥାପନ କରି ଆମର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ସରକାର ଖଣି ଓ ଖଣି ଭିତ୍ତିକ ବୃହତ୍ତ ଶିଳ୍ପ ପଛରେ ପଡ଼ିବା ଅବିବେକିତା ନୁହେଁ କି? କେବଳ ବୟନ ଶିଳ୍ପ ନୁହେଁ, ସରକାର ରାଜ୍ୟବାସୀଙ୍କ ଚାହିଦା ପୂରଣ ଉଦ୍ଦେଶ୍ୟରେ ତଥା ବ୍ୟାପକ ରୋଜଗାର ସୃଷ୍ଟି କରିବା ଭଳି ଅନେକ ଚମଡ଼ା କାରଖାନା, ଜୋତା କାରଖାନା, ଛତା କାରଖାନା, ସାଇକେଲ କାରଖାନା ଏପରି ଅନେକ ଆବଶ୍ୟକ ବସ୍ତୁର କାରଖାନା ପ୍ରତିଷ୍ଠା କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି କାହିଁକି? ସେଭଳି ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଅଧିକ ରିହାତି ଓ ପ୍ରେତ୍ସାହନ ଦେଉନାହାନ୍ତି କାହିଁକି? ସୁରାଟର ଓଡ଼ିଆ ଶିଳ୍ପପତିମାନେ ରାଜ୍ୟରେ ଯେଉଁ ବୟନଶିଳ୍ପ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି, ସେଥିପ୍ରତି ଓଡ଼ିଶା ସରକାର ସହଯୋଗର ହାତ ବଢ଼େଇବେ କି?

ଫୋନ ନଂ - ୯୪୩୭୧୬୬୩୯୧

Related story