ଜାନକୀଶ ବଡ଼ପଣ୍ଡା
ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହି ଆସିଥିବା ଭାରତୀୟ ନେତାଙ୍କ ତାଲିକାରେ ନବୀନ ପଟ୍ଟନାୟକଙ୍କ ସ୍ଥାନ ଦ୍ୱିତୀୟ। ଆମେ ଜାଣିଛେ ଯେ, ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗଙ୍କ ନାମରେ ଦୀର୍ଘ ୨୪ ବର୍ଷ, ୧୬୫ ଦିନ ଧରି ଲଗାତାର ମୁଖ୍ୟମନ୍ତ୍ରୀ ରହିଥିବାର ରେକର୍ଡ ଆଜିଯାଏଁ କେହି ଭାଙ୍ଗିପାରି ନାହାନ୍ତି। ଏଥର ବିଜୁ ଜନତା ଦଳ ନିର୍ବାଚନରେ ବିଜୟଲାଭ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଲଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ। ଏହା ହେଲେ, ଅଗଷ୍ଟ ମାସ ଶେଷ ବେଳକୁ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗି ଏହି ତାଲିକାର ପ୍ରଥମ ସ୍ଥାନକୁ ଆସିପାରିବେ ନବୀନ ପଟ୍ଟନାୟକ। କେବଳ ଏତିକି ନୁହେଁ, କ୍ରମାଗତ ଷଷ୍ଠ ଥର ପାଇଁ ବିଧାନସଭା ନିର୍ବାଚନରେ ଜିତିବାର ଏକ ନିଆରା ରେକର୍ଡ ମଧ୍ୟ କରିବେ।
କିନ୍ତୁ ନିର୍ବାଚନରେ ଲଗାତାର ପାଞ୍ଚ ଥର ସହଜରେ ଜିତିଥିବା ନବୀନ ଏଥର ତାଙ୍କର ଦୀର୍ଘ ତଥା ସଫଳ ରାଜନୈତିକ ଜୀବନର ସବୁଠାରୁ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ଚବିଶ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳୁଛି ଯେ, ସେ ଏବଂ ତାଙ୍କର ବିଜୁ ଜନତା ଦଳ ବା ବିଜେଡି 'ସତ୍ତା-ବିରୋଧୀ’ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏହା ସତ୍ୟ ଯେ, ନବୀନଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି; କିନ୍ତୁ ଅଧିକାଂଶ ସ୍ଥାନରେ ତାଙ୍କର ଦଳ ବିଜେଡି ନିରନ୍ତର କ୍ଷମତାରେ ରହି ଆସିଥିବାରୁ ଓଡ଼ିଶାବାସୀ ତାଙ୍କ ଦଳର କର୍ମୀ ଓ ନେତାଙ୍କ ଉପରୁ ବିଶ୍ୱାସ ଓ ସମର୍ଥନ ହରାଉଥିବା ପରି ମନେ ହେଉଛି।
ଚଳିତ ନିର୍ବାଚନରେ ବ୍ୟାପକ ଦଳଡିଆଁ ଦେଖିବାକୁ ମିଳୁଛି। ଏହି କାରଣରୁ ଏପର୍ଯ୍ୟନ୍ତ ବିଜେଡି ପକ୍ଷରୁ ପ୍ରକାଶିତ ୨୧ ଲୋକସଭା ଏବଂ ୧୨୬ ବିଧାନସଭା ପ୍ରାର୍ଥୀତାଲିକା ପ୍ରକାଶ ପାଇବା ମଧ୍ୟରେ ବିଜେପି ଏବଂ କଂଗ୍ରେସରୁ ବିଜେଡ଼ିକୁ ଡିଆଁ ମାରିଥିବା ଅନେକ ନେତାଙ୍କୁ ଦେଖିବାକୁ ମିଳୁଛି। ଏଥର ବିଜେଡି ଟିକେଟରେ ନିର୍ବାଚନ ଲଢ଼ୁଥିବା ଦଳଡିଆଁ ନେତାଙ୍କ ଭିତରୁ ପ୍ରାୟ ଏକ ତୃତୀୟାଂଶ ପ୍ରାର୍ଥୀ ପୂର୍ବରୁ ନିର୍ବାଚନରେ ବିଜୟଲାଭ କରିଥିଲେ। ଅନ୍ୟ ଦଳର ନେତାମାନେ ଏବେ ବି ବିଜେଡିରେ ଯୋଗ ଦେଉଥିବାରୁ ଅନୁମାନ କରାଯାଉଛି ଯେ ଅବଶିଷ୍ଟ ୨୧ଟି ବିଧାନସଭା ଆସନରେ ମଧ୍ୟ ଏହିପରି ଦୃଶ୍ୟ ଦେଖିବାକୁ ମିଳିପାରେI
ଅପରପକ୍ଷରେ, ଯେଉଁମାନେ ବିଜେପି ଟିକେଟ୍ ନପାଇ ଅସନ୍ତୁଷ୍ଟ, ସେମାନେ ଘୋଷିତ ପ୍ରାର୍ଥୀଙ୍କ ବିରୋଧରେ ଖୋଲାଖୋଲି ବିରୋଧ କରୁଛନ୍ତି କିମ୍ବା ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଅନୁମାନ କରାଯାଇପାରେ ଯେ ବିଜେଡି ପୂର୍ବଭଳି ଆଉ ଶକ୍ତିଶାଳୀ ହୋଇ ରହିନାହିଁ। ଏହାର ଅନେକ ନେତା, ବିଧାୟକ ଏବଂ ସାଂସଦ ଦଳ ଛାଡ଼ିଛନ୍ତି। ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପାଇଁ ବିଜେଡି ଅନେକ ସମୟ ନେବାକୁ ବାଧ୍ୟ ହେଉଥିବାର ଦେଖିବାକୁ ମିଳୁଛି। ଏହା କେବଳ ଚଳିତ ଥର ଦେଖିବାକୁ ମିଳୁଛି। ପୂର୍ବ ନିର୍ବାଚନରେ ଟିକେଟ୍ ବଣ୍ଟନ କାରଣରୁ ଭାଜପାରେ ଯେ କୌଣସି ଅସନ୍ତୋଷ ନଥିଲା, ତାହା ନୁହେଁ। କିନ୍ତୁ ଦଳର ନେତୃତ୍ୱ ଏଭଳି ଅସନ୍ତୋଷକୁ ସଫଳତାର ସହ ପ୍ରତିହତ କରି ପାରିଥିବାରୁ ଦଳର ନିର୍ବାଚନ ପ୍ରଦର୍ଶନ ପ୍ରଭାବିତ ହୋଇ ନଥିଲା। ଏଥର ବିଜେଡିର ନେତୃତ୍ୱ ପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାର ସ୍ପଷ୍ଟ ଦେଖାଯାଉଛି। ଏହାର ଦୁଇଟି କାରଣ ରହି ଥାଇପାରେ।
ଗୋଟିଏ କାରଣ ହେଉଛି ଏଥର ଦଳୀୟ ଟିକେଟ୍ ପାଇ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ବହୁତ ଅଧିକ। ବିଜେଡିର ଅନ୍ୟତମ ଶୀର୍ଷ ନେତା ତଥା ସଂଗଠନ ସଚିବ ପ୍ରଣବ ପ୍ରକାଶ ଦାସଙ୍କ କହିବା ଅନୁଯାୟୀ, ଚଳିତ ନିର୍ବାଚନରେ ଦଶ ହଜାରରୁ ଅଧିକ ଦଳୀୟ ନେତା ୨୧ଟି ଲୋକସଭା ଆସନ ଏବଂ ୧୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ହେବାକୁ ଆବେଦନ କରିଛନ୍ତି। ଦଳର କର୍ମୀମାନେ ଅଭିଯୋଗ କରୁଛନ୍ତି ଯେ ଏତେ ସଂଖ୍ୟକ ନେତା ଦଳୀୟପ୍ରାର୍ଥୀ ହେବାକୁ ଆଗ୍ରହୀ ଥିବା ସତ୍ତ୍ୱେ ସେମାନଙ୍କୁ ଅଣଦେଖା କରି ଅନ୍ୟ ଦଳର ଲୋକଙ୍କୁ ଗୁଆ ନିମନ୍ତ୍ରଣ ଦିଆଯାଇ ଟିକେଟ୍ ମୁଆଁ ଦିଆଯାଉଛି।
ବାସ୍ତବରେ,ଏଥର ବିପୁଳ ସଂଖ୍ୟକ ବହିରାଗତ ନେତାଙ୍କୁ ଟିକେଟ୍ ଦିଆଯାଉଥିବା ଭଳି ବିକଳ ଦୃଶ୍ୟ ପୂର୍ବରୁ କେବେ ଦେଖାଯାଇ ନଥିଲା। ପ୍ରଶ୍ନ ଉଠୁଛି ଯେ, ଏହା ବିଜେଡି ଶୀର୍ଷ ନେତୃତ୍ୱଙ୍କର ଆତ୍ମବିଶ୍ୱାସ ହରାଇବାର ନା ଦଳର କର୍ମୀ ଓ ନେତାଙ୍କ ଉପରେ ଆସ୍ଥା, ବିଶ୍ୱାସ ହରାଇବାର ସଙ୍କେତ? ବିଜେଡିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏଭଳି ଆଶଙ୍କାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ମତରେ, ବିଜେଡି ପୂର୍ବ ଭଳି ଶକ୍ତିଶାଳୀ ରହିଛି। ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ କରାଯାଇଥିଲେ ବି ଶେଷ ପରିଣାମ କ’ଣ ହେଲା, ତାହା ସମସ୍ତଙ୍କ ସାମ୍ନାରେ ଅଛି। ସେହି ନ୍ୟାୟରେ ଏଥର ମଧ୍ୟ ସେ ନିଶ୍ଚିତ ଯେ, ବିଜେଡି କେବଳ ଜିତିବନି, ବରଂ ତିନି-ଚତୁର୍ଥାଂଶ ସଂଖ୍ୟାଗରିଷ୍ଠତା ପାଇବ ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି ସସ୍ମିତ ପାତ୍ର। ଦଳ ଛାଡୁଥିବା ନେତାଙ୍କ ସମ୍ପର୍କରେ ସେ କହନ୍ତି ଯେ, ଯେଉଁ ଆଶାୟୀ ନେତାମାନେ ଏଥର ଟିକେଟ୍ ପାଇବେ ନାହିଁ ବୋଲି ଆଶଙ୍କା କରୁଥିଲେ, ସେମାନେ ଦଳ ଛାଡୁଛନ୍ତି। ଏଭଳି ନେତାମାନେ, ଦଳରୁ ଚାଲିଗଲେ, କିଛି ଫରକ ପଡିବ ନାହିଁ। ସେ କହିଛନ୍ତି ଯେ, ଅନ୍ୟ ଦଳର ନେତାଙ୍କୁ ଟିକେଟ୍ ଦେବା ବିଜେଡି ପାଇଁ ନୂଆ କଥା ନୁହେଁ; ଏହା ପୂର୍ବରୁ ମଧ୍ୟ ଅନ୍ୟଦଳରୁ ନେତାମାନେ ଆସି ଦଳୀୟ ପ୍ରାର୍ଥୀ ହୋଇଛନ୍ତି।
ଦ୍ୱିତୀୟ କାରଣ ହେଉଛି ଯେ, ଅଧିକାଂଶ ଟିକେଟ୍ ଆଶାୟୀ ଚଳିତ ନିର୍ବାଚନକୁ ବିଧାୟକ କିମ୍ବା ସାଂସଦ ଭାବେ ନିର୍ବାଚିତ ହେବାର ଶେଷ ସୁଯୋଗ ଭାବେ ଧରିନେଇଛନ୍ତି। ଏହା ଦିବାଲୋକ ପରି ସ୍ପଷ୍ଟ ଯେ ନବୀନ ପଟ୍ଟନାୟକଙ୍କ ଅମଳିନ ଭାବମୂର୍ତ୍ତୀ ଏକ ବ୍ରାଣ୍ଡ ହୋଇ ସାରିଛି। ଏଣୁ ବିଜେଡି ପ୍ରାର୍ଥୀମାନେ ନବୀନଙ୍କ ନାମରେ ଭୋଟ୍ ପାଆନ୍ତି ଏବଂ ଖୁବ୍ କମ୍ ପ୍ରାର୍ଥୀ ବିଶ୍ୱାସ କରନ୍ତି ଯେ ସେମାନେ ନିଜସ୍ୱ ଶକ୍ତିବଳରେ ନିର୍ବାଚନ ବୈତରଣୀ ପାର ହୋଇପାରିବେ। ଅଧିକାଂଶ ବିଜେଡି ନେତାଙ୍କ ଅନୁମାନ ଅନୁସାରେ, ୭୭ ବର୍ଷୀୟ ଦଳର ସୁପ୍ରିମୋ ନବୀନ ବାବୁ ହୁଏତ ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ବେଳକୁ ଦଳର ନେତୃତ୍ୱ ନେବାପାଇଁ ଶାରୀରିକ ତଥା ମାନସିକ ଦୃଷ୍ଟିରୁ ଅସମର୍ଥ ହୋଇଯିବେ। ଏଣୁ, ଚଳିତ ନିର୍ବାଚନରେ, ସେମାନେ ପ୍ରାର୍ଥୀ ହେବା ସେମାନଙ୍କ ରାଜନୈତିକ ଜୀବନର ଶ୍ରେଷ୍ଠ ତଥା ଶେଷ ନିର୍ବାଚନ।
ବିଜେପି ଏବଂ ବିଜେଡି ମଧ୍ୟରେ ସିନା ମେଣ୍ଟ ସମ୍ଭବ ହୋଇ ପାରିଲାନି, କିନ୍ତୁ ପ୍ରାୟ ତିନି ସପ୍ତାହ ଧରି ଦୁଇ ଦଳ ମଧ୍ୟରେ ଚାଲିଥିବା ଛକାପଞ୍ଝା ଓ ଗୋପନ ଅଭିସାର ବିଜେଡିର ବିଶ୍ୱାସନୀୟତାକୁ ଗଭୀର ଜଳର ଗଣ୍ଡ ମଧ୍ୟକୁ ଠେଲି ଦେଇଛି କହିଲେ, ଅତ୍ୟୁକ୍ତି ହେବନି। ସେଥିପାଇଁ, ରାଜ୍ୟବାସୀଙ୍କ ସହ ବିଜେଡିର କର୍ମୀମାନେ ମଧ୍ୟ ଆଜିଯାଏଁ ବୁଝି ପାରି ନାହାନ୍ତି ଯେ ୧୨୫ଟି ଆସନରେ ଜିତି ନବୀନ ବାବୁଙ୍କୁ ରେକର୍ଡ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଥିବା ଆଞ୍ଚଳିକ ଦଳ କାହିଁକି ବିଜେପି ସହ ହାତ ମିଳାଇବାକୁ ଅଧୀର ହୋଇ ପଡୁଥିଲା।
ସମୀକ୍ଷକମାନଙ୍କ ମତରେ ବିଜେଡି ମେଣ୍ଟ କରିବା ପାଇଁ ଅତ୍ୟଧିକ ଉତ୍ସାହ ପ୍ରଦର୍ଶନ କରିଥିଲା। କାରଣ ଏହା ସମ୍ଭବତଃ ଆଶଙ୍କା କରୁଥିଲା ଯେ ଯଦି ଏହା ବିଜେପି ସହିତ ହାତ ମିଳେଇବ ନାହିଁ, ତା’ହେଲେ ହୁଏତ ତାମିଲନାଡୁ, ଝାରଖଣ୍ଡ ଏବଂ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ହଇରାଣ କଲାଭଳି ଅବସ୍ଥା ଉପୁଜିପାରେ। ସେମାନେ ଓଡ଼ିଶାକୁ ନ ଆସିଲେ ଯାଏ! ଏହା ସତ ଯେ, ଓଡ଼ିଶା ସରକାରଙ୍କ ଦୁର୍ନୀତି-ସିନ୍ଧୁକ ଖଣି ଦୁର୍ନୀତି, ଚିଟ୍ ଫଣ୍ଡ ଦୁର୍ନୀତି ପରି ଅନେକ କେଳେଙ୍କାରୀରେ ପରିପୂର୍ଣ୍ଣ। କିନ୍ତୁ ପ୍ରକୃତ କଥା ହେଲା ଯେ ବିଜେଡିର ମେଣ୍ଟ ବାନ୍ଧିବା ପାଇଁ ଜିଦ୍ ପଛରେ ଇଡ଼ି ଓ ସିବିଆଇ ଇତ୍ୟାଦି ପକ୍ଷରୁ କାଲ୍ପନିକ ଡର ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାହାଠାରୁ ଆଉ କିଛି ଅଲଗା ପ୍ରକାରର ଭୟ ନିଶ୍ଚୟ ଅଧିକ ଭୟଙ୍କର ଥିଲା ବୋଲି ବିଜେଡିର ନେତାମାନେ ଚର୍ଚ୍ଚା କରୁଥିବାର କୁହାଯାଉଛି।
ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ତଥା ବର୍ତ୍ତମାନ ନବୀନଙ୍କ ତଳକୁ ଦଳର ସର୍ବମୟ କର୍ତ୍ତା ତଥା ନବୀନଙ୍କ ନିକଟତମ ବୋଲାଉଥିବା ଭି.କେ ପାଣ୍ଡିଆନଙ୍କ ରାଜନୈତିକ ଅଭିଳାଷକୁ ସେହି 'ଅଲଗା ପ୍ରକାରର ଭୟ' ବୋଲି ଦର୍ଶାଉଛନ୍ତି। ଏହା ସ୍ପଷ୍ଟ ହୋଇସାରିଛି ଯେ ବିଜେଡି ତରଫରୁ ହିଁ ସେ ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ମେଣ୍ଟ ଚାହୁଁଥିଲେ, କେବେ ହେଁ ଦଳର ସମ୍ମାନ ଓ ରାଜନୈତିକ ଲାଭ ପାଇଁ ନୁହେଁ। ଅନ୍ତରଙ୍ଗତା କାରଣରୁ ସେ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ଅଧିକ ଜାଣିଥିଲେ। ସେଥିପାଇଁ ସେ ମଧ୍ୟ ଜାଣିଥିଲେ ଯେ ନବୀନଙ୍କ ପ୍ରତି ଭୟ କାରଣରୁ ବିଜେଡି ନେତାମାନେ ବର୍ତ୍ତମାନ ଚୁପ୍ ରହୁଥିଲେ ବି ନବୀନଙ୍କ ଅସୁସ୍ଥତା ବଢ଼ିଗଲେ କିମ୍ବା ତାଙ୍କ ଅବର୍ତ୍ତମାନରେ, ପାଣ୍ଡିଆନଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ସୁନିଶ୍ଚିତ। ଯଦି ତାହା ପୂର୍ବରୁ ମେଣ୍ଟ ହୋଇ ସାରିଥିବ, ସେତେବେଳେ ମେଣ୍ଟ ପ୍ରସ୍ତାବର ବିଶ୍ୱକର୍ମା ହୋଇଥିବା କାରଣରୁ ବିଜେପିର ସମର୍ଥନ ବଳରେ ସେ କ୍ଷମତାରେ ରହିପାରିବେ।
ଶେଷରେ ପାଣ୍ଡିଆନଙ୍କ ମହାତ୍ୱାକାଂକ୍ଷୀ ଇଚ୍ଛା ପୂରଣ ହୋଇ ପାରିଲା ନାହିଁ। ବିଜେଡି ସର୍ବାଧିକ କ୍ଷତି ସହିବାକୁ ବାଧ୍ୟ ହେଲା। କିଛି ସପ୍ତାହ ପୂର୍ବରୁ, ବହୁଳ ଦୃଶ୍ୟମାନ ବିଜେଡିର ପୋଷ୍ଟର ଏବଂ ବ୍ୟାନରମାନଙ୍କରୁ ପାଣ୍ଡିଆନଙ୍କ ସ୍ମିତହାସ୍ୟ ଚେହେରା ହଟିଗଲା। ପାଠକମାନଙ୍କର ସ୍ମରଣ ଥାଇ ପାରେ ଯେ, କିଛି ମାସ ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜେଡିର ନିର୍ବାଚନୀ ପୋଷ୍ଟରରୁ ବିଜୁଙ୍କ ଦୃପ୍ତ ଚେହେରା ନିଖୋଜ ହୋଇ ଯାଇଥିଲା। ଏମିତିକି କିଛି ପୋଷ୍ଟରରେ ପାଣ୍ଡିଆନଙ୍କ ଫଟୋର ଆକାର ନବୀନଙ୍କ ଫଟୋଠାରୁ ମଧ୍ୟ ବଡ଼ ଥିଲା। ସେ ପ୍ରତ୍ୟେକ ମଞ୍ଚରେ ଦୃଶ୍ୟମାନ ହେଉଥିଲେ ଏବଂ ବିଦ୍ୟାଳୟ, ମହାବିଦ୍ୟାଳୟର ଉତ୍ସବ, କ୍ରୀଡ଼ା, ଶିଲ୍ପ - ପୁଞ୍ଜିପତିଙ୍କ ସମାବେଶ ଠାରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ସବୁଠି ଦର୍ଶନ ଦେଉଥିଲେ। କିନ୍ତୁ ବିଜେପି ସହ ମେଣ୍ଟ ଆଲୋଚନା ବିଫଳ ହେବା ପରେ ହଠାତ୍ ସର୍ବସାଧାରଣରେ ପାଣ୍ଡିଆନଙ୍କୁ ଆଉ ଦେଖିବାକୁ ମିଳିଲା ନାହିଁ। ଏପରିକି ବିଜେଡିର ନିର୍ବାଚନୀ ପୋଷ୍ଟରରୁ ବି ନିରୁଦ୍ଦିଷ୍ଟ ହୋଇଗଲେ। ଏବେ, ପୁଣି ଥରେ ବିଜୁବାବୁ ପୋଷ୍ଟରମାନଙ୍କରେ ଉଦୟ ହେଉଛନ୍ତି, ଅସ୍ତ ହେଉଛନ୍ତି ପାଣ୍ଡିଆନ।
ହୁଏତ ବିଳମ୍ବରେ ହେଲେ ବି ନବୀନ ପଟ୍ଟନାୟକ କୁଆଡ଼େ ବୁଝି ସାରିଛନ୍ତି ଯେ ପାଣ୍ଡିଆନଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ଦେଖାଇ ବିଜେଡି ନିଜକୁ ବିପଦକୁ ଠେଲି ଦେଇଛି। ତେଣୁ ଏବେ ପାଣ୍ଡିଆନଙ୍କୁ କୋଣଠେସା କରିଦିଆ ଯାଇଥିବା ଭଳି ଭ୍ରମ ସୃଷ୍ଟି କରାଯାଉଛି। ସମ୍ଭବତଃ ସେଥିପାଇଁ ପ୍ରସିଦ୍ଧ ସାମ୍ବାଦିକମାନଙ୍କୁ ବ୍ୟବହାର କରା ଯାଉଛି। କୁମି କପୁର 'ଇଣ୍ଡିଆନ୍ ଏକ୍ସପ୍ରେସ'ର ନିଜର ସାପ୍ତାହିକ ସ୍ତମ୍ଭରେ ଲେଖିଛନ୍ତି ଯେ, ଏକ ବୈଠକରେ ନବୀନ ବାବୁ ପାଣ୍ଡିଆନଙ୍କ ଉପରେ ରାଗି ଯାଇଥିଲେ ଏବଂ କହିଥିଲେ ଯେ କେହି ବି ଅପରିହାର୍ଯ୍ୟ ନୁହଁନ୍ତି। କେହି କିନ୍ତୁ ପ୍ରଶ୍ନ କରୁ ନାହାନ୍ତି ଯେ, ପାଣ୍ଡିଆନଙ୍କୁ ବୈଠକକୁ କ'ଣ ଗାଳି ଦେବାକୁ ଡାକିଥିଲେ ନବୀନ ବାବୁ? ଏବେ କ'ଣ ପାଣ୍ଡିଆନ ଦଳର କୌଣସି କାମ କରୁ ନାହାନ୍ତି?
ଇତି ମଧ୍ୟରେ ରାଜ୍ୟରେ ବିଜେପିର ଲୋକପ୍ରିୟତା ତଥା ରାଜନୈତିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ୨୦୦୦-୨୦୦୯- ରାଜ୍ୟରେ ଲଗାତାର ୯ ବର୍ଷ ଧରି ବିଜେପି-ବିଜେଡି ମେଣ୍ଟ ସରକାର ଥିଲା। ୨୦୦୯ ମସିହା ନିର୍ବାଚନ ଅବ୍ୟବହିତ ପୂର୍ବରୁ ନବୀନ ବିଜେପିର ହାତ ଛାଡ଼ି ଦେଇଥିଲେ। ୨୦୦୪ ନିର୍ବାଚନରେ ବିଜେଡି ସହ ମେଣ୍ଟ କରି ୭ଟି ଲୋକସଭା ଓ ୩୨ଟି ବିଧାନସଭା ଆସନ ଜିତିଥିବା ବିଜେପି ୨୦୦୯ ନିର୍ବାଚନରେ ଗୋଟିଏ ବି ଲୋକସଭା ଆସନ ଜିଣିପାରି ନଥିଲା। ବିଧାନସଭାରେ ଏହାର ଆସନ ସଂଖ୍ୟା ୩୨ରୁ ୬କୁ ଖସି ଆସିଆସିଥିଲା। କିନ୍ତୁ ସେବେଠାରୁ ପ୍ରତି ନିର୍ବାଚନରେ ଦଳର ଭୋଟ୍ ପ୍ରତିଶତ ବଢ଼ିବାରେ ଲାଗିଛି। ଏହାକୁ ୨୦୦୯ ମସିହାରେ ମାତ୍ର ୧୫ ପ୍ରତିଶତ ଭୋଟ ମିଳିଥିଲା ବେଳେ, ୨୦୧୪ରେ ୧୮ ପ୍ରତିଶତ ଓ ୨୦୧୯ ବିଧାନସଭା ନିର୍ବାଚନରେ ଏହି ପ୍ରତିଶତ ୩୨.୪୯ ପ୍ରତିଶତକୁ ବୃଦ୍ଧି ପାଇଥିଲା। ସେହି ୨୦୧୯ ଲୋକସଭା ନିର୍ବାଚନରେ କିନ୍ତୁ ଦଳର ଭୋଟ ଥିଲା ୩୮.୪ ପ୍ରତିଶତ। ବିଧାନସଭାରେ ମାତ୍ର ୨୩ଟି ଆସନ ପାଇଥିବା ବିଜେପି ଲୋକସଭା ନିର୍ବାଚନରେ ରାଜ୍ୟର ୨୧ଟି ଆସନରୁ ୮ଟି ଆସନରେ ବିଜୟୀ ହୋଇଥିଲା। ପ୍ରଥମ ଥର ପାଇଁ କଂଗ୍ରେସକୁ ପରାସ୍ତ କରି ଗୈରିକ ଦଳ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା।
ନିର୍ବାଚନ ଋତୁ ଆରମ୍ଭରୁ ବିଜେଡି ସହ ମେଣ୍ଟକୁ ବିରୋଧ କରି ଆସୁଥିବା ବିଜେପିର ରାଜ୍ୟ ଶାଖା ଏବେ ପୂରା ଉତ୍ସାହର ସହ ପ୍ରଚାର ଆରମ୍ଭ କରିଛି। ସୂଚନାଯୋଗ୍ୟ, ଦଳ ଏଥର 'ଓଡ଼ିଆ ପରିଚୟ'କୁ ସବୁଠାରୁ ବଡ଼ ପ୍ରସଙ୍ଗ କରିଛି। ନବୀନଙ୍କ ଓଡ଼ିଆ ଭାଷା ଦାରିଦ୍ର୍ୟକୁ ଲଗାତାର ଆକ୍ରମଣ କରିବାକୁ ଆରମ୍ଭ କରିଛି ବିଜେପି। ରୋମାନ ଲିପିରେ ଲିଖିତ ତାଙ୍କ ଓଡ଼ିଆ ଭାଷଣ ପଠନକୁ ଉପହାସ କରୁଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି ଯେ ଏଥର ତାଙ୍କ ଦଳ ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିବ। ନବୀନ ସରକାରରେ ଅଣଓଡ଼ିଆ ଅଧିକାରୀଙ୍କ ଆଧିପତ୍ୟ ବଢ଼ିଛି, ଯାହାକୁ ରାଜ୍ୟର ମତଦାତା ଗ୍ରହଣ କରୁନାହାନ୍ତି। ଏହି ପ୍ରସଙ୍ଗରେ ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇ ରାଜ୍ୟରେ ଏଥର ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ଆତ୍ମପ୍ରତ୍ୟୟ ପାଇଛି ଭାଜପା। ସମ୍ଭବତଃ ସେଥିପାଇଁ ବିଜେଡି ପକ୍ଷରୁ ପାଣ୍ଡିଆନଙ୍କୁ ଲୋକଲୋଚନରୁ ଦୂରେଇ ରଖାଯାଇ ଦଳର ସମସ୍ତ ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ପରିଚାଳନା କରିବା ଦାୟୀତ୍ୱ ଦିଆଯାଇଛି; ଯେପରି ଓଡ଼ିଆ ଅସ୍ମିତା ଭଳି ଏକ ବିସ୍ଫୋରକ ଭାବପ୍ରବଣ ପ୍ରସଙ୍ଗ ଫୁସୁକି ଯିବ।
ଏତେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଯଦି ନବୀନ ପଟ୍ଟନାୟକ ଲଗାତାର ଷଷ୍ଠ ଥାର ପାଇଁ ନିଜ ଦଳକୁ ଜିତାଇପାରନ୍ତି, ତେବେ ସେ ଯେ କେବଳ ସମଗ୍ର ଦେଶରେ ନୂଆ ରେକର୍ଡ ସୃଷ୍ଟି କରିବେ ତାହା ନୁହେଁ, ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ ଦେଶର ରାଜନୈତିକ ଇତିହାସରେ ସେ ପ୍ରଥମ ଏଭଳି ନେତା ହେବେ ଯିଏ କି ଦୀର୍ଘ କ୍ୟାରିୟରରେ କେବେ ବି ବିରୋଧୀ ଦଳରେ ବସି ନାହାନ୍ତି।
ଫୋ- ୯୪୩୮୨୯୯୦୩୭