ରବି ଦାସ
ସୁପ୍ରିମ କୋର୍ଟ ନିକଟରେ ଏକ ଐତିହାସିକ ରାୟରେ ଉଲ୍ଲେଖ କଲେ ଯେ ଦଳିତ ଓ ଆଦିବାସୀମାନଙ୍କୁ ଦିଆଯାଉଥିବା ସଂରକ୍ଷଣ ସୁବିଧା ସାମାଜିକ ନ୍ୟାୟ ଦୃଷ୍ଟିରୁ ଓ ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ସଂପୂର୍ଣ୍ଣ ଯଥାର୍ଥ ଥିଲେ ମଧ୍ୟ ଗତ ୭୦ ବର୍ଷର ଅଭିଜ୍ଞତାରୁ ପରିଷ୍କାର ହୋଇଯାଇଛି ଯେ ଏହି ବ୍ୟବସ୍ଥା ଦ୍ୱାରା ସମୁଦାୟ ଦଳିତ ବର୍ଗ ବା ଅନୁସୂଚିତ ଜନଜାତି ବର୍ଗ ସମାନ ଭାବରେ ଉପକୃତ ହୋଇନାହାନ୍ତି। ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ଅଛୁଆଁ ବର୍ଗରେ ଥିବା ବିଭିନ୍ନ ଜାତିର ଲୋକମାନଙ୍କୁ ଅନୁସୂଚିତ ଜାତି ଭାବରେ ବର୍ଣ୍ଣିତ କରାଯାଇ ସେମାନଙ୍କ ପାଇଁ ସଂରକ୍ଷଣ ସୁବିଧା ଦିଆଯାଉଛି। ସେହିପରି ଆଦିବାସୀ ବର୍ଗରେ ସାମିଲ ହୋଇଥିବା ବିଭିନ୍ନ ଗୋଷ୍ଠୀଙ୍କୁ ଅନୁସୂଚିତ ଜନଜାତି ପାଇଁ ଲୋକସଂଖ୍ୟା ଅନୁସାରେ ଥିବା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଯଦିଓ ଏହି ଲକ୍ଷ୍ୟ ଏବେ ବି ସରକାରୀ ବ୍ୟବସ୍ଥାରେ ସବୁ ସ୍ତରରେ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇନଥିବାରୁ ଉଚ୍ଚ ପଦବୀଗୁଡ଼ିକରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ କମ୍ ରହିଛି।
ସମ୍ବିଧାନର ୩୪୧ ଧାରା ଅନୁସାରେ କେନ୍ଦ୍ର ସରକାର ବା ପାର୍ଲମେଂଟରୁ ଅନୁସୂଚିତ ଜାତି ଓ ଜନଜାତିର ବର୍ଗମାନଙ୍କୁ ସ୍ଥିରିକୃତ କରନ୍ତି ଓ ଏଥିରେ କୌଣସି ବର୍ଗୀକରଣ ହୋଇପାରିବ ନାହିଁ ବୋଲି ପୂର୍ବରୁ ସୁପ୍ରିମ କୋର୍ଟ ମତ ଦେଇଥିଲେ। କିନ୍ତୁ ଏବେ ୭ ଜଣିଆ ସମ୍ବିଧାନ ବେଞ୍ଚ ଭାରତୀୟ ସମାଜରେ ଅନୁସୂଚିତ ଜାତି ଭିତରେ ଥିବା ସାମାଜିକ ତାରତମ୍ୟକୁ ଦୃଷ୍ଟିରେ ରଖି ସେମାନେ ସମସ୍ତେ ସମ୍ବିଧାନ ଅନୁସାରେ ଗୋଟିଏ ବର୍ଗରେ ହେଲେ ମଧ୍ୟ ସମସ୍ତଙ୍କୁ ସମାନ ଭାବରେ ବିଚାର କରାଯିବା ଉଚିତ୍ ନୁହେଁ ବୋଲି ମତ ଦେଇଛନ୍ତି। ଏ ସଂକ୍ରାନ୍ତରେ ଦେଶର ବିଭିନ୍ନ ରାଜ୍ୟରେ ଏହି ବର୍ଗରେ ଥିବା ଲୋକମାନଙ୍କ ଭିତରେ ତାରତମ୍ୟକୁ ଉଲ୍ଲେଖ କରାଯାଇଛି। ସଂରକ୍ଷଣ ସୁବିଧାରେ ଯେଉଁ ଗୋଷ୍ଠୀମାନେ ସେମାନଙ୍କ ଭିତରୁ ଟିକିଏ ଆଗୁଆ ସେମାନେ ଅଧିକ ପରିମାଣରେ ଏହି ସଂରକ୍ଷଣ ସୁବିଧା ପାଉଥିବା ସମୟରେ ଯେଉଁମାନେ ସେମାନଙ୍କ ଠାରୁ ପଛୁଆ ସେମାନଙ୍କ ସଂଖ୍ୟା ଯାହା ହୋଇଥିଲେ ମଧ୍ୟ ସେହି ସୁବିଧା ପାଇପାରୁ ନାହାନ୍ତି। କେବଳ ଚାକିରି ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ଅବସ୍ଥା ରହିଛି।
ଅନୁସୂଚିତ ଜନଜାତି ଭିତରେ ମଧ୍ୟ ଏହି ପ୍ରକାର ପ୍ରଭେଦ ରହିଥିବା ଅଦାଲତ ଅନୁଭବ କରିଛନ୍ତି। ସେହି ଅନୁସାରେ ସେହି ବର୍ଗ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଂରକ୍ଷଣରୁ ସେହି ଆଗୁଆମାନେ ଅଧିକ ସୁବିଧା ପାଇଥିବା ବେଳେ ପଛରେ ପଡ଼ିଯାଇଥିବା ଅନୁସୂଚିତ ଜନଜାତି ବର୍ଗ ଆହୁରି ପଛକୁ ଯାଇଛନ୍ତି। ତେଣୁ ସୁପ୍ରିମକୋର୍ଟ ପୂର୍ବ ମତକୁ ବଦଳାଇ ୩୪୧ ଧାରା ଅନୁସାରେ ସ୍ଥିର କରାଯାଇଥିବା ଜାତି ବା ଗୋଷ୍ଠୀମାନଙ୍କୁ ସେମାନଙ୍କ ଅବସ୍ଥାକୁ ଦେଖି ରାଜ୍ୟ ସରକାରମାନେ ଚାହିଁଲେ ସେମାନଙ୍କ ବର୍ଗୀକରଣ କରିପାରିବେ ବୋଲି ମତ ଦେଇଛନ୍ତି। ଫଳରେ ଯେଉଁମାନେ ଏହି ବର୍ଗରେ ଉପେକ୍ଷିତ ହୋଇଯାଇଛନ୍ତି ସେମାନେ ସଂରକ୍ଷଣର ସୁବିଧା ପାଇପାରିବେ। ଅନ୍ୟମାନଙ୍କୁ ବଂଚିତ କରାନଗଲେ ମଧ୍ୟ ପଛରେ ପଡ଼ିଯାଇଥିବା ଗୋଷ୍ଠୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ବର୍ଗୀକରଣ ଦ୍ୱାରା ସ୍ଥାନ ଚାକିରି ଓ ଶିକ୍ଷାରେ ସଂରକ୍ଷଣ କରାଗଲେ ସେହି ବର୍ଗମାନେ ଉପକୃତ ହେବେ।
ସୁପ୍ରିମ କୋର୍ଟର ଏହି ବିଚାରରେ ସେମାନଙ୍କ ଭିତରେ କ୍ରିମି ଲେୟାର ପ୍ରସଂଗ ଆସିଥିଲେ ମଧ୍ୟ ସାଧାରଣ ଭାବରେ ଏହାକୁ କେହି ଗ୍ରହଣ କରିପାରୁ ନାହାନ୍ତି। ପଛୁଆ ବର୍ଗ କ୍ଷେତ୍ରରେ କ୍ରିମି ଲେୟାର କଥା ଗ୍ରହଣୀୟ ହେଲେ ମଧ୍ୟ ଅନୁସୂଚିତ ଜାତି ଓ ଜନଜାତି ଭିତରେ ଏହା ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି। କିନ୍ତୁ ଅସଲକଥା ହେଉଛି, ସଂରକ୍ଷଣ ସୁବିଧା ଅନୁସୂଚିତ ଜାତି ଓ ଜନଜାତିର ସବୁ ବର୍ଗ ଓ ସବୁ ଜାତି ଯେପରି ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାପାଇଁ ରାଜ୍ୟ ସରକାରମାନେ ଏହିସବୁ ଜାତିମାନଙ୍କ ଉପରେ ପ୍ରକୃତ ତଥ୍ୟ ସଂଗ୍ରହ କରି ସଂପୂର୍ଣ୍ଣ ଉପକୃତ ହୋଇଯାଇଥିବା ବର୍ଗ ଓ ଜାତିମାନଙ୍କ ପାଇଁ ସେହି ସଂରକ୍ଷଣ କୋଟା ଭିତରେ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା କରିବା ପାଇଁ ଯେଉଁ ମତ ଦେଇଛନ୍ତି ତାହାକୁ ପ୍ରତ୍ୟେକ ରାଜ୍ୟ ପାଳନ କରିବା ଉଚିତ। ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବରେ କୌଣସି ଜାତିର ବା ଗୋଷ୍ଠୀର ନାମ ଉଲ୍ଲେଖ ନକରି ସଂରକ୍ଷଣ ସୁବିଧାରୁ କମ୍ ସଂଖ୍ୟା ଥିଲେ ମଧ୍ୟ କେଉଁମାନେ ଅଧିକ ମାତ୍ରାରେ ସଂରକ୍ଷଣ ସୁବିଧା ଉଭୟ ଚାକିରି ଓ ଶିକ୍ଷାରେ ପାଇଛନ୍ତି ତାହା ସମସ୍ତଙ୍କୁ ଜଣା। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ତଥ୍ୟ ସଂଗ୍ରହ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର।
ଓଡ଼ିଶା ସରକାର ଏ ଦିଗରେ ପଦକ୍ଷେପ ନେବେ ନା ନାହିଁ ତାହା ଜଣାନାହିଁ। କିନ୍ତୁ ଏହାର ଆବଶ୍ୟକତା ଥିବା ବାସ୍ତବତାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଇତିମଧ୍ୟରେ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିର ମୋଟ ଲୋକସଂଖ୍ୟା ପ୍ରାୟ ଶତକଡ଼ା ୩୯ ହୋଇଥିବା ସମୟରେ ଶିକ୍ଷା କ୍ଷେତ୍ରରେ ଏମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ମାତ୍ର ୨୦ ଭାଗ ରହିଛି। ସରକାରୀ ଚାକିରିରେ ୩୯ ଭାଗ ସ୍ଥାନ ସଂରକ୍ଷିତ ଥିଲା ବେଳେ ଶିକ୍ଷା କ୍ଷେତ୍ରରେ ଲୋକ ସଂଖ୍ୟା ଆଧାରରେ କାହିଁକି ସଂରକ୍ଷଣ କରାଯାଇ ନାହିଁ ବୋଲି ଏବେ ପ୍ରଶ୍ନ ଉଠିଲାଣି। ଯଦି ଶିକ୍ଷା କ୍ଷେତ୍ରରେ ଶତକଡ଼ା ୩୯ ଭାଗ ସଂରକ୍ଷଣ ବ୍ୟବସ୍ଥା ରହିଥାନ୍ତା ତେବେ ଏହି ବର୍ଗରୁ ବହୁ ସଂଖ୍ୟାରେ ଡାକ୍ତର ହେବାର ସୁବିଧା ସରକାରୀ ମେଡିକାଲ୍ କଲେଜ୍ରେ ପାଉଥାନ୍ତେ। ଏପରିକି ବଡ଼ବଡ଼ ସରକାରୀ ଇଞ୍ଜିନିୟରିଂ କଲେଜରେ ମଧ୍ୟ ସେମାନେ ସେହି ସୁବିଧା ପାଇ ଆଗକୁ ଯାଇଥାନ୍ତେ।
ଅନୁସୂଚିତ ଜାତି ଓ ଜନଜାତି ବର୍ଗ ନେଇ ଉପରୋକ୍ତ ପ୍ରଶ୍ନଗୁଡ଼ିକ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ସରକାର କିପରି ମୁକାବିଲା କରୁଛନ୍ତି ତାହାକୁ ନିଶ୍ଚିତ ଭାବରେ ଲକ୍ଷ୍ୟ କରାଯିବ। କିନ୍ତୁ ରାଜ୍ୟରେ ଯଦି ପ୍ରକୃତରେ ବିଚାର କରାଯାଏ ତେବେ ପଛୁଆ ବର୍ଗର ଲୋକମାନେ ବସ୍ତୁତଃ ରାଜ୍ୟରେ କୌଣସି ସଂରକ୍ଷଣ ସୁବିଧା ପାଉନାହାନ୍ତି। ଯଦିଓ ଏହି ବର୍ଗରେ ପଛୁଆ ବର୍ଗ ଓ ଏସଇବିସିକୁ ନେଇ ପ୍ରାୟ ୫୨ ଭାଗ ଲୋକ ଥିବା ସ୍ୱୀକାର କରାଯାଉଛି। କିନ୍ତୁ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ଶତକଡ଼ା ୫୦ରେ ସୀମାବଦ୍ଧ କରିଦେଇଥିବାରୁ ଅନୁସୂଚିତ ଜାତି ଓ ଜନଜାତି ପାଇଁ ଚାକିରିରେ ୩୯ ଭାଗ ସ୍ଥାନ ସଂରକ୍ଷଣ କଲା ପରେ ଏହି ପଛୁଆବର୍ଗ ପାଇଁ ମାତ୍ର ଶତକଡ଼ା ୧୧ ଭାଗ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଶିକ୍ଷା କ୍ଷେତ୍ରରେ ଏମାନଙ୍କ ପାଇଁ ରାଜ୍ୟରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ। ଯଦିଓ ଜାତୀୟ ସ୍ତରରେ ଏମାନଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ଭାଗ ସଂରକ୍ଷଣ ସୁବିଧା ରହିଛି।
ଜାତୀୟ ସ୍ତରରେ ସମ୍ବିଧାନ ସଂଶୋଧନ କରାଯାଇ ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ୧୦ ଭାଗ ସ୍ଥାନ ସଂରକ୍ଷଣ କରାଯାଇଛି। ଯଦିଓ ଏହି ସଂରକ୍ଷଣ ସୀମା ୫୦ ଭାଗ ସୀମା ଉପରେ ତଥାପି ସାମ୍ବିଧାନିକ ସଂଶୋଧନ ଜରିଆରେ ଏହା ଆସିଥିବାରୁ ତାହା କାର୍ଯ୍ୟକାରୀ ହେଉଛି। ଏପରିକି ଓଡ଼ିଶା ସରକାର ନିଜ ଶିକ୍ଷାନୁଷ୍ଠାନମାନଙ୍କରେ ଏହି ୧୦ ଭାଗ ସଂରକ୍ଷଣ ସୀମାକୁ କାର୍ଯ୍ୟକାରୀ କରୁଛନ୍ତି। ଯଦିଓ ଓଡ଼ିଶାରେ ଏହି ବର୍ଗର ସଂଖ୍ୟା ଶତକଡ଼ା ୬/୭ରୁ ଅଧିକ ନୁହେଁ। ଓଡ଼ିଶା କ୍ଷେତ୍ରରେ ପଛୁଆ ବର୍ଗ ସବୁ ଦୃଷ୍ଟିରୁ ଉପେକ୍ଷିତ ଓ ଲାଞ୍ଛିତ ହୋଇ ରହିଛନ୍ତି। ଯେଉଁ ୧୧ ଭାଗ ସ୍ଥାନ ସଂରକ୍ଷଣ କଥା କୁହାଯାଇଛି ସେଥିରେ ପଛୁଆ ବର୍ଗ ଓ ଏସଇବିସି ରହିଥିବାରୁ ଓଡ଼ିଶାର ପ୍ରକୃତ ପଛୁଆ ଶ୍ରେଣୀ ଏଥିରୁ ମଧ୍ୟ ଆଦୌ ଉପକୃତ ହେବାର କୌଣସି ସମ୍ଭାବନା ନାହିଁ। ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ଏହି ୫୨ ଲୋକଙ୍କ ବର୍ଗ ପାଇଁ ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ଅତ୍ୟଧିକ ଭାବରେ ଲଜ୍ଜାଜନକ। ଏହାକୁ ବୃଦ୍ଧି କରିବା ପାଇଁ ନବୀନ ପଟ୍ଟନାୟକଙ୍କ ସରକାର କୌଣସି ଉଦ୍ୟମ କରିନାହାନ୍ତି।
ମୋହନ ଚରଣ ମାଝୀଙ୍କ ପରି ଜଣେ ଆଦିବାସୀ ନେତା ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ନିଜେ ଏହି ଶ୍ରେଣୀର ଅବସ୍ଥା ଅଧିକ ଭଲ ଭାବରେ ନିଶ୍ଚୟ ଉପଲବ୍ଧି କରିପାରିବେ। ତେଣୁ ଓଡ଼ିଶାରେ ଏହି ସଂରକ୍ଷଣ ସୀମାକୁ ବଢ଼ାଇ ଅତିକମରେ ୨୭ ଭାଗକୁ ନେବା ପାଇଁ କି ପ୍ରକାର ନୀତି ଓ କୌଶଳ ସହିତ ସୁପ୍ରିମକୋର୍ଟର ଆଶ୍ରୟ ନିଆଯିବା ଉଚିତ୍ ତାହା ସେ କରିବା ପାଇଁ ଉଦ୍ୟମ କରିବା ଦରକାର। କିନ୍ତୁ ତା’ପୂର୍ବରୁ ଓଡ଼ିଶାରେ ଯେଉଁ ୫୨ ଭାଗର ବିରାଟ ପଛୁଆବର୍ଗ ଓ ଏସଇବିସି ଗୋଷ୍ଠୀ ରହିଛନ୍ତି ତାହାକୁ ବର୍ଗୀକରଣ କରିବା ନିହାତି ଆବଶ୍ୟକ ବୋଲି ଯିଏ କେହି ସ୍ୱୀକାର କରିବେ। ଯେଉଁ ପଛୁଆବର୍ଗମାନେ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆଗୁଆ ହୋଇଗଲେଣି ସେମାନଙ୍କୁ ଏହି ଗୋଷ୍ଠୀରୁ ବାଦ୍ କରିଦେବା ଉଚିତ।
ଅପରପକ୍ଷରେ ଅନ୍ୟ ପଛୁଆ ବର୍ଗରେ ଯେଉଁମାନେ କିଛି ପରିମାଣର ସଂରକ୍ଷଣ ସୁବିଧା ପାଇଛନ୍ତି ସେମାନଙ୍କୁ ଗୋଟିଏ ଗୋଷ୍ଠୀ କରାଯାଇ ଯେଉଁମାନେ ଏହି ସୁବିଧା ବସ୍ତୁତଃ ଆଦୌ ପାଇନାହାନ୍ତି ସେମାନଙ୍କ ପାଇଁ ଅନ୍ୟ ଏକ ଗୋଷ୍ଠୀ କରିବା ଆବଶ୍ୟକ। ଏହି ଗୋଷ୍ଠୀମାନଙ୍କୁ କେବଳ ଚାକିରିରେ ନୁହେଁ, ଶିକ୍ଷାରେ ମଧ୍ୟ ସଂରକ୍ଷଣ ସୁବିଧା ଉପଲବ୍ଧ ହେବା ଜରୁରୀ। ଚାକିରି ସଂରକ୍ଷଣ କ୍ଷେତ୍ରରେ ୫୦ ଭାଗ ସୀମା କଥା କୁହାଯାଉଥିଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଏହି ସୀମାକୁ ପାଳନ କରିବାରେ କୌଣସି ଆବଶ୍ୟକତା ନାହିଁ। ତେଣୁ ଶିକ୍ଷା କ୍ଷେତ୍ରରେ ଏହି ବର୍ଗ ପାଇଁ ସଂରକ୍ଷଣ ସୁବିଧା ତୁରନ୍ତ ଲାଗୁ କରାଯିବା ଉଚିତ। ଏହା କରାଗଲେ ସେହି ବର୍ଗରୁ ଅଧିକ ପରିମାଣରେ ସରକାରୀ କଲେଜମାନଙ୍କରୁ ଡାକ୍ତର ଓ ଇଞ୍ଜିନିୟର ହୋଇପାରିବେ।
ଏହା କରିବାକୁ ହେଲେ ଓଡ଼ିଶା ସରକାରଙ୍କୁ ଏକ ଜାତି ଜନଗଣନା ବା କୌଣସି ଉପାୟରେ ଏହି ଗୋଷ୍ଠୀମାନଙ୍କର ଆର୍ଥିକ ଓ ସରକାରୀ ଚାକିରିରେ ଅଂଶଗ୍ରହଣ ଉପରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ। ପୂର୍ବ ସରକାର ଏ ଦିଗରେ କେବଳ ଲୋକଙ୍କୁ ଠକିବା ପାଇଁ ପୂର୍ବ ଓବିସି କମିଶନଙ୍କୁ ଏ ଦାୟିତ୍ୱ ଦେଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ହୋଇନାହିଁ। ମୋହନ ମାଝୀ ସରକାର ଏହି ଦାୟିତ୍ୱକୁ ବହନ କରିବେ କି?
ବରିଷ୍ଠ ସାମ୍ବାଦିକ, ମୋ-୮୦୧୮୦୯୪୪୫୫